ପିଠା- ଠକେଇର ଅନ୍ୟ ଏକ ନମୂନା

ପିଠା- ଠକେଇର ଅନ୍ୟ ଏକ ନମୂନା

Share :

ପ୍ରଦୀପ ପ୍ରଧାନ ଗତ ତା ୦୩.୧୨.୨୦୧୮ରେ ମୁଖ୍ୟମନ୍ତ୍ରୀ ଏକ ସାମ୍ୱାଦିକ ସମ୍ମିଳନୀ ଡାକି ସରକାରୀ ଯୋଜନା କାର୍ଯ୍ୟନ୍ୱୟନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ରଖିବା ପାଇଁ ପିଠା ଯୋଜନା କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରିଛନ୍ତି। ପିଠା (People's Empowerment Enabling Transparency and Enhancing Accountability on Odisha Initiatives) ଯୋଜନା ସମ୍ପର୍କରେ ସରକାରଙ୍କ ତରଫରୁ ଜାରୀ ବିଜ୍ଞାପନରେ ବ୍ଲକ୍ ଏବଂ ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ପିଠା ଶିବିର ଆୟୋଜନ କରି ସରକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା, ହିତାଧିକାରୀମାନଙ୍କୁ ସରକାରୀ ସହାୟତା ବଣ୍ଟନରେ ସ୍ୱଚ୍ଛତା ରକ୍ଷା କରିବା, ଏହି କାର୍ଯ୍ୟକ୍ରମକୁ ଖୁବ୍ ସୁନ୍ଦର ଭାବେ ଆୟୋଜନ କରୁଥିବା ଗ୍ରାମ ପଞ୍ଚାୟତ ବା ବ୍ଳକ୍କୁ ପୁରସ୍କୃତ କରାଯିବା ଇତ୍ୟାଦି ଦର୍ଶାଯାଇଛି। ବର୍ତ୍ତମାନ ରାଜ୍ୟର ବିଭିନ୍ନ ବ୍ଲକ୍ ଏବଂ ପଞ୍ଚାୟତ ସ୍ତରରେ ଆୟୋଜିତ ପିଠା କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀମାନେ ଉପସ୍ଥିତ ରହି ବିଭିନ୍ନ ସ୍କିମ୍ ଉପରେ ଲୋକଙ୍କୁ ଅବଗତ କରାଇବା ସହ ହିତାଧିକାରୀମାନଙ୍କୁ ବିଭିନ୍ନ ସରକାରୀ ସହାୟତା ବଣ୍ଟନ କରୁଥିବାର ଦେଖିବାକୁ ମିଳୁଛି। ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ପିଠା ଆଣି ବାଣ୍ଟିବା ପାଇଁ ସରକାରଙ୍କ ତରଫରୁ ଟଙ୍କା ଦିଆଯାଇଛି। ମୁଖ୍ୟତଃ ଏହା ଏକ ସରକାରୀ ପ୍ରାୟୋଜିତ ଜନସଚେତନତା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ପ୍ରସଙ୍ଗରେ କିଛି ଆଲୋଚନା ହୁଏନାହିଁ। ସ୍ୱଚ୍ଛତା କ'ଣ? ଉତ୍ତରଦାୟିତ୍ୱ କ'ଣ? ସରକାରୀ କାର୍ଯ୍ୟାଳୟରୁ ଲୋକମାନେ କିପରି ସୂଚନା ପାଇବେ? ସରକାରୀ ଅଧିକାରୀମାନଙ୍କର ଉତ୍ତରଦାୟିତ୍ୱ କ'ଣ? ଏସବୁ ପ୍ରସଙ୍ଗରେ ସରକାରୀ ଅଧିକାରୀମାୋନ ନୀରବ ରହିଥାନ୍ତି। ତେଣୁ ଏହି ଯୋଜନାରେ ନୂତନତ୍ୱ କିଛି ନାହିଁ। ଏହା ଏକ ଗତାନୁଗତିକ ସରକାରୀ ଜନସଚେତନତା କାର୍ଯ୍ୟକ୍ରମ। ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ କଥା କହି ନିଜକୁ ସ୍ୱଚ୍ଛ ପ୍ରଶାସକ ଭାବେ ପ୍ରତିପାଦିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହିଭଳି ଏକ ପ୍ରୟାସ କରିଛନ୍ତି ଏବଂ ଲୋକମାନଙ୍କୁ ବିଭ୍ରାନ୍ତି କରାଇବା ପାଇଁ ଚେଷ୍ଟା କରିଛନ୍ତି। ବାସ୍ତବରେ ସମଗ୍ର ଦେଶରେ ପ୍ରଶାସନରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଆଣିବା ପାଇଁ କେନ୍ଦ୍ର ସରକାର ୨୦୦୫ ମସିହାରେ ସୂଚନା ଅଧିକାର ଆଇନ ପ୍ରଣୟନ କଲେ। ଏହି ଆଇନ୍ ଅନୁଯାୟୀ ନାଗରିକମାନେ ସରକାରୀ ବ୍ୟବସ୍ଥା, କାର୍ଯ୍ୟକ୍ରମ ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ ଏବଂ ସମସ୍ତ ସରକାରୀ କାର୍ଯ୍ୟାଳୟ େସ୍ୱଚ୍ଛାକୃତ ଭାବେ ନିଜ ତରଫରୁ ୧୭ ପ୍ରକାରର ସୂଚନା ସର୍ବସାଧାରଣରେ ପ୍ରକାଶ କରିବେ। କେଉଁ ସରକାରୀ କାର୍ଯ୍ୟାଳୟ କାହିଁକି ହୋଇଛି, ଏହାର କାମ କ'ଣ? କେତେ କର୍ମଚାରୀ ଅଛନ୍ତି? କି କି ଯୋଜନା କାର୍ଯ୍ୟକାରୀ ହୋଇଛି? କେତେ ଅର୍ଥ ଆସିଛି? କ'ଣ ଖର୍ଚ୍ଚ ହୋଇଛି? ଏହି ସବୁ ତଥ୍ୟ ସରକାର େସ୍ୱଚ୍ଛାକୃତ ଭାବେ ସର୍ବସଧାାରଣରେ ପ୍ରକାଶ କରିବେ। ଯାହାଦ୍ୱାରା ନାଗରିକମାନେ ତତ୍କ୍ଷଣାତ୍ ସୂଚନା ପାଇପାରିବେ। ସେମାନଙ୍କୁ ସୂଚନା ପାଇବା ପାଇଁ ଦରଖାସ୍ତ କରି ୩୦ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏହାଦ୍ୱାରା ଶାସନ ବ୍ୟବସ୍ଥାରେ ଲୋକମାନଙ୍କର ଭାଗିଦାରିତା ବଢ଼ିବ, ଗଣତାନ୍ତ୍ରିକ ବ୍ୟବସ୍ଥା ଆହୁରି ରୁଦ୍ଧିମନ୍ତ ହେବ। ବିଭିନ୍ନ ରାଜ୍ୟରେ ଏହି ଆଇନକୁ ବ୍ୟବହାର କରି ସରକାରୀ ଫାଇଲ୍ ମଧ୍ୟରେ ଥିବା ଲୁକ୍କାୟିତ ତଥ୍ୟକୁ ଲୋକଲୋଚନକୁ ଆଣି ସରକାରୀ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ବହୁ ସାମାଜିକ କର୍ମୀ ପ୍ରଚେଷ୍ଟା ଜାରି ରଖିଛନ୍ତି। ସାଧାରଣ ଲୋକଙ୍କ ହାତରେଏହି ଆଇନ ଏକ ପ୍ରମୁଖ ଦୁର୍ନୀତି ବିରୋଧୀ ଅସ୍ତ୍ର ହୋଇଯାଇଛି। କିନ୍ତୁ ଆମ ରାଜ୍ୟରେ ଆଇନକୁ ଅକାମୀ କରିଦେବା ପାଇଁ ନବୀନ ପଟ୍ଟନାୟକ ସରକାର ସମସ୍ତ କ୍ଷେତ୍ରରେ ଉଦ୍ୟମ ଜାରି ରଖିଛନ୍ତି। ପ୍ରଥମେ, ସାଧାରଣ ଲୋକେ କିପରି ସରକାରୀ କାର୍ଯ୍ୟାଳୟକୁ ଆସି ସୂଚନା ନ ଜାଣିପାରିବେ, ହଇରାଣ ହେବେ ଏବଂ ସରକାରୀ ଅଧିକାରୀମାନେ ସେମାନଙ୍କୁ କିପରି ହଇରାଣ କରିବେ, ସେଥିପାଇଁ ରାଜ୍ୟ ସରକାର ଓଡ଼ିଶା ସୂଚନା ଅଧିକାର ନିୟମାବଳୀ ପ୍ରଣୟନ କଲେ। ଏହି ନିୟମାବଳୀରେ ସରକାର ଏକ ବାଧ୍ୟତାମୂଳକ ଆବେଦନ ଫର୍ମ ବ୍ୟବସ୍ଥା କରିଛନ୍ତି। ଏହି ଫର୍ମରେ କେବଳ ଆବେଦନ କଲେ ଜଣେ ସୂଚନା ସରକାରୀ କାର୍ଯ୍ୟାଳୟରୁ ପାଇପାରିବ। ଏହି ଫର୍ମ ଏପରି ପ୍ରସ୍ତୁତ କରାଯାଇଛି, ଯାହାକୁ ଜଣେ ସାଧାରଣ ଲୋକ ପୂରଣ କରିପାରିବ ନାହିଁ। ତେଣୁ ସୂଚନା ମାଗିବା ପାଇଁ ଲୋକେ କିପରି ନିୁରତ୍ସାହିତ ହେବେ ଏବଂ ହଇରାଣ ହେବ ଏହା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ। ରାଜ୍ୟରେ ଦୀର୍ଘ ୧୦ ବର୍ଷ ହେଲା ବିଭିନ୍ନ ସଂଗଠନ ଏପରି ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଆସୁଛନ୍ତି। କିନ୍ତୁ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଅନ୍ୟ କୌଣସି ରାଜ୍ୟରେ ବା କେନ୍ଦ୍ର ସରକାର ଏପରି ବାଧ୍ୟତାମୂଳକ ଫର୍ମ ବ୍ୟବସ୍ଥା କରିନାହାନ୍ତି। ଆଇନ ଅନୁଯାୟୀ ଯେକୌଣସି ବ୍ୟକ୍ତି ଯେପରି ଚାହିଁବ ସାଧା କାଗଜରେ ଲେଖି ସୂଚନା ପାଇଁ ଆବେଦନ କରିପାରିବ। ସେହିପରି ସୂଚନା ଆଇନର ଧାରା ୪ (୧ବି) ଅନୁଯାୟୀ ପ୍ରତି ଜନ କର୍ତ୍ତୃପକ୍ଷ (ସରକାରୀ କାର୍ଯ୍ୟାଳୟ) େସ୍ୱଚ୍ଛାକୃତ ଭାବେ ୧୭ ପ୍ରକାର ତଥ୍ୟ ସର୍ବସାଧାରଣରେ ଓଡ଼ିଆ ଭାଷାରେ ପ୍ରକାଶ କରିବେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ରାଜ୍ୟ ସରକାରଙ୍କର କୌଣସି ବିଭାଗ ଏହିସବୁ ତଥ୍ୟ ଏପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ପ୍ରକାଶ କରିନାହିଁ। ଯେଉଁସବୁ ତଥ୍ୟ ଇଂରାଜୀ ଭାଷାରେ ପ୍ରକାଶ ପାଇଛି, ତାହା ଅଧାପନ୍ତରିଆ ଏବଂ ବର୍ଷ ବର୍ଷ ଧରି ନବୀକରଣ ହୋଇନାହିଁ। ସୂଚନା ଅଧିକାର ଆଇନର ବ୍ୟାପକ ପ୍ରଚାର ପ୍ରସାର ପାଇଁ ସକା ଗୋଟିଏ ବି ବିଜ୍ଞାପନ ୧୦ ବର୍ଷ ମଧ୍ୟରେ କୌଣସି ଖବକାଗଜରେ ପ୍ରକାଶ ପାଇନାହିଁ। ସୂଚନା ଆଇନ ସମ୍ପର୍କରେ ଡିସ୍‌ପ୍ଲେ ବୋର୍ଡ କୌଣସି କାର୍ଯ୍ୟାଳୟରେ ଉପଲବ୍ଧ ନାହିଁ। ସୂଚନା ଆଇନକୁ କାର୍ଯ୍ୟକାରୀ କରାଇ ନଦେବା ପାଇଁ ସବୁ ସ୍ତରରେ ସରକାରୀ ଅଧିକାରୀମାନଙ୍କର ଚକ୍ରାନ୍ତ, ଆଇନକୁ ବେଖାତିର, ଆବେଦନକାରୀମାନଙ୍କୁ ମାଡ଼, ହତ୍ୟା ଧମକ ଏକ ଦୈନନ୍ଦିନ ଘଟଣା ଆମ ରାଜ୍ୟରେ ହୋଇଯାଇଛି। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଅନେକ ଆଇନ ଅଛି, ଯେଉଁଥିରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବ୍ୟବସ୍ଥା ଅଛି। କିନ୍ତୁ ରାଜ୍ୟ ସରକାର ଚକ୍ରାନ୍ତ କରି ଏହାକୁ ଅକାମୀ କରାଇ ଦେଇଛନ୍ତି। ଏହାର କେତେକ ଉଦାହରଣ ଏଠାରେ ଦିଆଯାଇପାରେ। ଗ୍ରାମାଞ୍ଚଳର ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇ ଦେବାପାଇଁ ୨୦୦୬ ମସିହାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ କର୍ମନିଯୁକ୍ତି ଗ୍ୟାରେଣ୍ଟି ଆଇନ କାର୍ଯ୍ୟକାରୀ ହୋଇଆସୁଅଛି। ଏହି ଆଇନର କାର୍ଯ୍ୟାନ୍ୱୟନ ମାର୍ଗଦର୍ଶିକାର ବିଷୟ -୧୦ରେ ଉଲ୍ଲେଖ ଅଛି ଯେ ଏନ୍‌ଆର୍‌ଇଜିଏ କାର୍ଯ୍ୟ ସମ୍ପର୍କିତ ସମସ୍ତ ତଥ୍ୟ ଜନସାଧାରଣଙ୍କ ଅବଗତି ନିମନ୍ତେ ବ୍ଲକ୍ ଏବଂ ପଞ୍ଚାୟତ କାର୍ଯ୍ୟାଳୟରେ ସର୍ବସାଧାରଣରେ ପ୍ରକାଶ କରାଯିବ। ଏନ୍‌ଆର୍‌ଇଜିଏ ଆଇନର ଅନୁସୂଚି - ୧(ବିନ୍ଦୁ ୧୫, ୧୬, ୧୭) ଅନୁଯାୟୀ କାମ ସମ୍ପର୍କିତ ସମସ୍ତ ତଥ୍ୟ ତଥା ମଷ୍ଟର ରୋଲ୍, ବିଲ୍ ଏବଂ ଭାଉଚର ଏବଂ ଅନ୍ୟାନ୍ୟ କାଗଜପତ୍ର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉନ୍ମୁକ୍ତ ରହିବ। ଲୋକମାନେ କାର୍ଯ୍ୟାଳୟ ପରିଦର୍ଶନ କରି ଏହା ସବୁ ଦସ୍ତାବିଜକୁ ନିରୀକ୍ଷଣ କରିପାରିବେ। କିନ୍ତୁ ଆମ ରାଜ୍ୟରେ କୌଣସି ଗ୍ରାମପଞ୍ଚାୟତ ବା ବ୍ଲକ୍ କାର୍ଯ୍ୟାଳୟରେ ଏହି ସବୁ ତଥ୍ୟ ସର୍ବସାଧାରଷର ପ୍ରକାଶ କରାଯାଇ ନାହିଁ। ପୁଣି ସୂଚନା ଅଧିକାର ଆଇନରେ ଏହି ସବୁ ତଥ୍ୟ ମାଗିଲେ ମଧ୍ୟ ମିଳେନାହିଁ। ଏହା ହେଉଛି ରାଜ୍ୟ ସରକାରଙ୍କ ସ୍ୱଚ୍ଛତା। ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାଧାରଣ ବଣ୍ଟନ ବ୍ୟବସ୍ଥା, ଆଇସିଡିଏସ୍, ମଧ୍ୟାହ୍ନ କେଭାଜନ ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ରଖିବାର ବ୍ୟବସ୍ଥା ରହିଛି। ଏହି ଆଇନର ଧାରା ୨୭ ଅନୁଯାୟୀ, ପିଡିଏସ୍ ସମ୍ପର୍କିତ ସୂଚନା ସର୍ବସାଧାରଣରେ ପ୍ରକାଶ କରାଯିବ ଏବଂ ଜନସାଧାରଣଙ୍କ ନିରୀକ୍ଷଣ ପାଇଁ ଏହା ଉନ୍ମୁକ୍ତ ରହିବ। ସେହିପରି ଧାରା ୨୯ରେ ଉଲ୍ଲେଖ ଅଛି ଯେ ରାଜ୍ୟ ସରକାର ଉପରୋକ୍ତ ଯୋଜନାର କାର୍ଯ୍ୟାନ୍ୱୟନରେ ସ୍ୱଚ୍ଛତା ରକ୍ଷା ପାଇଁ ପଞ୍ଚାୟତ ମାଧ୍ୟମରେ ସମୀକ୍ଷା ଆୟୋଜନ କରାଇବେ। କିନ୍ତୁ ଚାରି ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଯୋଜନାର ସାମାଜିକ ସମୀକ୍ଷା ହୋଇନାହିଁ। ରାଜ୍ୟ ସରକାର ମଧ୍ୟ ଏ ସମ୍ପର୍କରେ ଏପର୍ଯ୍ୟନ୍ତ ନିୟମାବଳୀ ପ୍ରଣୟନ କରିନାହାନ୍ତି। ଫଳରେ ଯୋଜନାର ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସରକାରୀ ଫାଇଲ୍ ଏବଂ ସରକାରୀ ଆଲୋଚନା ମଧ୍ୟରେ ସୀମିତ ରହିଯାଇଛି। ବାସ୍ତବିକ ରାଜ୍ୟ ସରକାରର କୌଣସି କ୍ଷେତ୍ରରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଚାହାନ୍ତି ନାହିଁ। ଲୋକଙ୍କୁ ଠକିବା ଏବଂ ଭଣ୍ଡେଇବା ପାଇଁ ମଝିରେ ମଝିରେ ବିଜ୍ଞାପନ ଦେଇ ଏହିଭଳି ପ୍ରଚାର କରାଯାଏ। ସରକାରୀ ଅଧିକାରୀମାନଙ୍କର କୌଣସି କ୍ଷେତ୍ରରେ ଉତ୍ତରଦାୟିତ୍ୱ ନାହିଁ। ମୁଖ୍ୟମନ୍ତ୍ରୀଙ୍କର ନିଜର ମଧ୍ୟ ଉତ୍ତରଦାୟିତ୍ୱ ନାହିଁ। ଦୀର୍ଘ ୧୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଯୋଗ ପ୍ରକୋଷ୍ଠକୁ ଯାଇନାହାନ୍ତି ବା ଲୋକଙ୍କର ଅଭିଯୋଗ ଶୁଣିନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେଉଥିବା ଅଭିଯୋଗ ଉପରେ କି କି କାର୍ଯ୍ୟାନୁଷ୍ଠାନ ହେଉଛି, ତାହା ଲୋକଙ୍କୁ ଜଣାଯାଏ ନାହିଁ। ଏହି କାର୍ଯ୍ୟାଳୟରେ ଥିବା ଅଧିକାରୀମାନେ କେବଳ ଅଭିଯୋଗଗୁଡ଼ିକ ସମ୍ପୃକ୍ତ ଦପ୍ତରକୁ ପଠାଇ ଦେଇ ବସି ରୁହନ୍ତି। ଏହାର କୌଣସି ଫଲୋ ଅପ୍‌ କରାଯାଏ ନାହିଁ। ସେହିପରି ବ୍ଲକ୍ ଏବଂ ଜିଲ୍ଲା ସ୍ତରରେ ଅଭିଯୋଗର ଶୁଣାଣି, ତଦନ୍ତ, ଫଇସଲା ପାଇଁ ବିଧିବଦ୍ଧ ବ୍ୟବସ୍ଥା ନାହିଁ। ଏହା ସରକାରୀ ଅଧିକାରୀଙ୍କ ମର୍ଜି ଉପରେ ନିର୍ଭର କରେ। ସେମାନେ ଇଚ୍ଛା କଲେ ଅଭିଯୋଗ ଶୁଣିବେ ନହେଲେ ନାହିଁ। ତେଣୁ ୧୮ ବର୍ଷ ମଧ୍ୟରେ ମିଛ ସ୍ୱଚ୍ଛ ଶାସନର ନାରା ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କେବଳ ଠକି ଚାଲିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସ୍ତବ ଚରିତ୍ର ଯେହେତୁ ଧରା ପଡ଼ିଯାଇଛି, ସେଥିପାଇଁ ଏହିଭଳି ଏକ ମିଛ ଯୋଜନାକରି ଲୋକଙ୍କୁ ଠକିବା ପାଇଁ ପ୍ରୟାସ ଜାରି କରିଛନ୍ତି। କିନ୍ତୁ ବାସ୍ତବରେ ରାଜ୍ୟ ସରକାରରେ ସ୍ୱଚ୍ଛ ଏବଂ ଉତ୍ତରଦାୟିତ୍ୱ ଏବେ ବି ଦିବାସ୍ୱପ୍ନ। ରାଜ୍ୟ ଆବାହକ, ଓଡ଼ିଶା ସୂଚନା ଅଧିକାର ଅଭିଯାନ ମୋ : ୯୯୩୭୮୪୩୪୮୨

Share :