ଖୋଲିବ ବ୍ଲାକ୍ ରୋଜ୍ ପେଡ଼ି!

ଖୋଲିବ ବ୍ଲାକ୍ ରୋଜ୍ ପେଡ଼ି!

Share :

ନୂଆଦିଲ୍ଲୀ ପ୍ରତିନିଧି ୨୦୦୯ ସେପ୍ଟେମ୍ବର ୯ ତାରିଖରେ ପାରାଦୀପ ବନ୍ଦର ଉପକୂଳରେ ଘଟିଥିବା ବ୍ଲାକ୍ ରୋଜ୍ ଜାହାଜ ବୁଡ଼ି ଘଟଣାର ଖୋଳତାଡ଼ କରିବ ସିବିଆଇ । ଏଥିପାଇଁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ସିବିଆଇକୁ ଚିଠି ଲେଖି ସାରିଛି । ସିବିଆଇ ଯଦି ନିଷ୍ଠାର ସହିତ ଏହି ଦୁର୍ଘଟଣାର ଖୋଳତାଡ଼ କରେ ତେବେ ଓଡ଼ିଶା ଖଣିଜ ସଂପଦ ଲୁଟର ଅନ୍ୟ ଏକ ଫର୍ଦ୍ଦ ଉନ୍ମୋଚିତ ହେବାର ସମ୍ଭାବନା ରହିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜାହାଜ ଚଳାଚଳ ମନ୍ତ୍ରଣାଳୟର ଅଣ୍ଡର ସେକ୍ରେଟାରୀ ବ୍ଲାକ୍ ରୋଜ୍ ଜାହାଜ ବୁଡ଼ି ଘଟଣାର ତଦନ୍ତ କରିବା ପାଇଁ ସିବିଆଇ ନିର୍ଦ୍ଦେଶକଙ୍କୁ ୨୦.୬.୨୦୧୮ ତାରିଖରେ ଏକ ଚିଠି ଲେଖିଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ୨୦୦୯ ସେପ୍ଟେମ୍ବର ୯ ତାରିଖରେ ପାରାଦୀପ ବନ୍ଦରରେ ବ୍ଲାକ୍ ରୋଜ୍ ନାମକ ଏକ ଜାହାଜ ବୁଡ଼ି ଯାଇଥିଲା । ଏହି ଦୁର୍ଘଟଣା ଫଳରେ ପାରାଦୀପ ବନ୍ଦର ନ୍ୟାସର ଅନେକ ଆର୍ଥିକ କ୍ଷତି ହେବା ସହିତ ବନ୍ଦର ପ୍ରତି ବିପଦ ସୃଷ୍ଟି ହୋଇଛି । ଏହାର ସିବିଆଇ ତଦନ୍ତ ପାଇଁ ବନ୍ଦର ଟ୍ରଷ୍ଟିମାନେ ଏକାଧିକ ଥର ଦାବି କରିଛନ୍ତି । ଏ ସଂପର୍କରେ ସେମାନେ ବନ୍ଦର ନ୍ୟାସ ଓ ଏହି ମନ୍ତ୍ରଣାଳୟକୁ ଚିଠି ଲେଖି ଅନୁରୋଧ କରିଛନ୍ତି । ସେହିପରି କେନ୍ଦ୍ର ପେଟ୍ରୋଲିୟମ ଓ ନାଚୁରାଲ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହାର ସିବିଆଇ ତଦନ୍ତ ଦାବି କରି ଚିଠି ଲେଖିଛନ୍ତି । ଏହି ସବୁ ଚିଠିର ତର୍ଜମା କରିବା ପରେ ଏହି ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ତେଣୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସିବିଆଇ ନିର୍ଦ୍ଦେଶକ ଏହା ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଓ ତଦନ୍ତ କେବେ ଆରମ୍ଭ ହେବ ତାହା ଜଣାପଡ଼ି ନାହିଁ । ତେବେ ସିବିଆଇ ଯଦି ନିଷ୍ଠାର ସହିତ ଏହି ଜାହାଜ ବୁଡ଼ି ଦୁର୍ଘଟଣାର ଖୋଳତାଡ଼ କରେ ତେବେ ଓଡ଼ିଶା ଖଣି ଲୁଟପାଟର ଅନ୍ୟ ଏକ ଫର୍ଦ୍ଦ ଖୋଲିବାର ସମ୍ଭାବନା ଅଛି । କାରଣ ଏହି ଜାହାଜରେ ବେଆଇନ ଭାବେ ସଂଗୃହୀତ ଆଇରନ ଓର୍ ଫାଇନ୍ସ ବା ଲୁହା ପଥର ଗୁଣ୍ଡ ବିଦେଶକୁ ଚାଲାଣ ହେଉଥିଲା । ତାହା କିଏ କେଉଁଠାରୁ ସଂଗ୍ରହ କରି କେଉଁଠାକୁ ପଠାଉଥିଲେ ତାହା ଏଯାଏଁ ଜଣାପଡ଼ି ନାହିଁ । ଓଡ଼ିଶା ସରକାରଙ୍କ ଅଧୀନସ୍ତ କ୍ରାଇମ ବ୍ରାଞ୍ଚ ପୁଲିସ ଏହାର ତଦନ୍ତ ଏଯାଏଁ ଶେଷ କରିନାହିଁ । ତେଣୁ କାହାରି ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇନାହିଁ । କ୍ରାଇମ ବ୍ରାଞ୍ଚ ତଦନ୍ତ ସମୟରେ ପଦାକୁ ଆସିଥିବା ତଥ୍ୟ ଅନୁସାରେ ଏହି ଜାହାଜର ବୈଧ ସାମୁଦ୍ରିକ ବା ମେରିଟାଇମ ଲାଇସେନ୍ସ ନଥିଲା । ସେହିପରି ଏହା ଜାଲ୍ ବୀମା ଓ ଫିଟନେସ୍ କାଗଜପତ୍ରରେ ଚାଲୁଥିଲା । ଏହାର ମାଲିକ କିଏ ତାହା ଜଣାପଡ଼ି ନଥିଲା । ଏଥିରେ ଯେଉଁ ଲୁହା ପଥର ଗୁଣ୍ଡ ଯାଉଥିଲା ତାହା ଓଦା ଥିଲା । ଏହା ଓଡ଼ିଶାର କେଉଁ କମ୍ପାନୀ କେଉଁ ଖଣି ବା କମ୍ପାନୀଠାରୁ ସଂଗ୍ରହ କରି କେଉଁ ଦେଶର କେଉଁ କମ୍ପାନୀକୁ ପଠାଉଥିଲେ ତାହା ଜଣାପଡ଼ି ନଥିଲା । ଜାହାଜର ମାଲିକଙ୍କୁ ଜେରା କରିବାକୁ ଯାଇଥିବା ଏକ ଦଳ ସିଙ୍ଗାପୁରରୁ ରିକ୍ତହସ୍ତରେ ଫେରିଥିଲେ । ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ନିକଟରେ ଏନେଇ ସବିସ୍ତୃତ ତଥ୍ୟ ରହିବା କଥା । କାରଣ ବିନା କୌଣସି କାଗଜପତ୍ରରେ ବନ୍ଦର କର୍ତ୍ତୃପକ୍ଷ ବନ୍ଦର ଦେଇ କାହାର ମାଲ୍ ପରିବହନ କରିନଥାନ୍ତି । କିନ୍ତୁ କ୍ରାଇମ ବ୍ରାଞ୍ଚ ପୁଲିସ ବନ୍ଦର କର୍ତ୍ତୃପକ୍ଷଙ୍କ ତଥ୍ୟ ଉପରେ ଗୁରୁତ୍ୱ ଦେଇନଥିଲା ବୋଲି ସନ୍ଦେହ କରାଯାଏ । ବ୍ଲାକ୍ ରୋଜ୍ ଜାହାଜ ବୁଡ଼ିବା ପରେ ପରେ ରାଜ୍ୟର ରାଜନୀତିକ ଓ ଖଣି ବ୍ୟବସାୟୀଙ୍କ ମହଲରେ ଅନେକ ଚର୍ଚ୍ଚା ହେଉଥିଲା । ସେହିସବୁ ଚର୍ଚ୍ଚା ଅନୁସାରେ ଏହି ଜାହାଜରେ ଯେଉଁ କମ୍ପାନୀର ଲୁହା ପଥର ଗୁଣ୍ଡ ବିଦେଶକୁ ବେଆଇନ ଭାବେ ଚାଲାଣ ହେଉଥିଲା ତାହାର ମାଲିକ ଥିଲେ ଶାସକ ବିଜୁ ଜନତା ଦଳର ଜଣେ ପ୍ରଭାବଶାଳୀ ଯୁବ ନେତାଙ୍କ ଭାଇ । ଏହି ପ୍ରଭାବଶାଳୀ ଯୁବନେତା ଏବେ ପୂର୍ବତନ ମନ୍ତ୍ରୀ । ସେହି ଲୁହା ପଥର ଗୁଣ୍ଡକୁ ଯେଉଁ ଟ୍ରାନ୍ସପୋର୍ଟ କମ୍ପାନୀ ବନ୍ଦର ଯାଏଁ ପରିବହନ କରିଥିଲା ତାହାର ମାଲିକ ହେଉଛନ୍ତି ଏହି ଦଳର ଅନ୍ୟ ଜଣେ ପ୍ରଭାବଶାଳୀ ନେତାଙ୍କ ପୁଅ । ଏହି ପ୍ରଭାବଶାଳୀ ନେତା ପରେ ମନ୍ତ୍ରୀ ଓ ସାଂସଦ ହୋଇଥିଲେ । ତାଙ୍କ ପୁଅ ଏବେ ବିଧାୟକ ଅଛନ୍ତି । ଏହି ଦୁଇ ବିଜେଡି ନେତାଙ୍କ ସଂପୃକ୍ତି ଥିବା ଦୁଇ କମ୍ପାନୀଙ୍କ ସହଯୋଗରେ ଚାଲାଣ ହେଉଥିବା ଫାଇନ୍ସ ଚୋରାରେ ସଂଗ୍ରହ କରାଯାଇଥିଲା ବୋଲି ସେତେବେଳେ ଆଲୋଚିତ ହେଉଥିଲା । ତେବେ ଏନେଇ କ୍ରାଇମ ବ୍ରାଞ୍ଚ କିଛି ପ୍ରମାଣ ସଂଗ୍ରହ କରିନଥିଲା ବା ପାଇନଥିଲା ।

Share :