ପ୍ରଜାସୁଖେ ସୁଖଂ ରାଜ୍ଞଃ

ପ୍ରଜାସୁଖେ ସୁଖଂ ରାଜ୍ଞଃ

Share :

ପ୍ରଣବ ମୁଖାର୍ଜୀ, ପୂର୍ବତନ ରାଷ୍ଟ୍ରପତି ଅନୁବାଦ: ଦେବେନ୍ଦ୍ର ପୃଷ୍ଟି (ଜୁନ ୭ ତାରିଖ, ଗୁରୁବାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ କାର୍ଯ୍ୟାଳୟ ନାଗପୁରରେ ପୂର୍ବତନ ରାଷ୍ଟ୍ରପତି ପ୍ରଦାନ କରିଥିବା ଭାଷଣର ସଂପାଦିତ ଅଂଶ ।) ୧. ଭାରତ ପରିପ୍ରେକ୍ଷୀରେ ରାଷ୍ଟ୍ର, ରାଷ୍ଟ୍ରବାଦ ଓ ରାଷ୍ଟ୍ରପ୍ରେମ ସଂପର୍କରେ ମୁଁ ଯାହା ବୁଝିଛି ତାହା ଆପଣମାନଙ୍କ ସହିତ ବାଣ୍ଟିବା ପାଇଁ ଆଜି ମୁଁ ଏଠାରେ ଉପସ୍ଥିିତ ହୋଇଛି । ଏ ତିନିଟି ପରିକଳ୍ପନା ଏଭଳି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଯେ ଅନ୍ୟ ଦୁଇଟି ବିଷୟକୁ ଛାଡ଼ି କୌଣସି ଗୋଟିଏ ବିଷୟରେ ଆଲୋଚନା କରିବା କଷ୍ଟକର ବ୍ୟାପାର । ୨. ଆମେ ପ୍ରଥମେ ଏହି ତିନିଟି ଶବ୍ଦର ଆଭିଧାନିକ ଅର୍ଥରୁ ଆରମ୍ଭ କରିବା । ଅଭିଧାନ ଅନୁସାରେ ରାଷ୍ଟ୍ରର ସଂଜ୍ଞା ହେଉଛି ‘ଗୋଟିଏ ରାଜ୍ୟ ବା ଅଂଚଳରେ ବସବାସ କରୁଥିବା ଏବଂ ସମାନ ସଂସ୍କୃତି, ଭାଷା କିମ୍ବା ଇତିହାସ ବହନ କରୁଥିବା ଗୋଟିଏ ବଡ଼ ଜନଗୋଷ୍ଠୀ’ । ରାଷ୍ଟ୍ରବାଦର ସଂଜ୍ଞା ହେଉଛି ‘ନିଜ ରାଷ୍ଟ୍ର ସହ ନିଜର ପରିଚୟ ଚିହ୍ନଟ କରିବା ଏବଂ ଏହାର ସ୍ୱାର୍ଥକୁ ସମର୍ଥନ କରିବା ବିଶେଷକରି ଅନ୍ୟ ରାଷ୍ଟ୍ରର ସ୍ୱାର୍ଥକୁ ବହିଷ୍କରଣ କରିବା’ । ରାଷ୍ଟ୍ରପ୍ରେମ ହେଉଛି ‘ନିଜ ଦେଶକୁ ଜୋରଦାର ସମର୍ଥନ ଏବଂ ଭକ୍ତିଭାବ’ । ୩. ଏବେ ଆମେ ଆମ ନିଜ ମୂଳକୁ ଦେଖିବା । ଭାରତ ଏକ ମୁକ୍ତ ସମାଜ ଥିଲା, ବିଶ୍ୱ ସହ ଏହା ସିଲ୍କ ଓ ସ୍ପାଇସ ରୁଟ୍ସ ବା ରେଶମ ଓ ମସଲା ମାର୍ଗରେ ଯୋଡ଼ି ହୋଇଥିଲା । ବାଣିଜ୍ୟ ଓ ବିଜୟର ଏହି ବ୍ୟସ୍ତବହୁଳ ମାର୍ଗ ସଂସ୍କୃତି, ବିଶ୍ୱାସ ଓ ଉଦ୍ଭାବନର ସାକ୍ଷୀ ଥିଲେ । ବଣିକ, ଜ୍ଞାନାର୍ଥୀ ଓ ସନ୍ନ୍ୟାସୀମାନେ ପର୍ବତ, ମରୁଭୂମି ଓ ମହାସାଗରର ଏହି ମାର୍ଗରେ ଯିବାଆସିବା କରୁଥିଲେ । ହିନ୍ଦୁ ପ୍ରଭାବ ସହିତ ବୌଦ୍ଧ ଧର୍ମ ଏହି ମାର୍ଗ ଦେଇ କେନ୍ଦ୍ର ଏସିଆ, ଚୀନ ଓ ଦକ୍ଷିଣପୂର୍ବ ଏସିଆରେ ପହଂଚିଥିଲା । ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀର ମେଗାସ୍ଥିନିସ, ଖ୍ରୀଷ୍ଟାବ୍ଦ ପଂଚମ ଶତାବ୍ଦୀର ଫା ହିଏନ ଏବଂ ସପ୍ତମ ଶତାବ୍ଦୀର ହ୍ୟୁଏନ ସାଂଙ୍କ ପରି ପ୍ରାଚୀନ ପରିବ୍ରାଜକମାନେ ଭାରତ ଗସ୍ତରରେ ଆସି ଏଠାକାର ଦକ୍ଷ ପ୍ରାଶାସନିକ ବ୍ୟବସ୍ଥା, ଯୋଜନାବନ୍ଧ ଜନ ବସତି ଏବଂ ଉତ୍ତମ ଭିିତ୍ତିଭୂମି ସଂପର୍କରେ ସନ୍ଦର୍ଭମାନ ରଚନା କରିଥିଲେ । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରୁ ଆରମ୍ଭ କରି ୧୮୦୦ ବର୍ଷ ଯାଏଁ ତକ୍ଷଶୀଳା, ନାଳନ୍ଦା, ବିକ୍ରମଶୀଳା, ବଲ୍ଲଭୀ, ସୋମପୁର ଏବଂ ଓଦନ୍ତପୁରୀ ଆଦି ପ୍ରାଚୀନ ବିଶ୍ୱବିଦ୍ୟାଳୟ ବିଶ୍ୱରେ ପ୍ରଭାବ ବିସ୍ତାର କରିଥିଲେ । ବିଶ୍ୱର ଶ୍ରେଷ୍ଠ ମସ୍ତିସ୍କ ଓ ଗବେଷକଙ୍କ ପାଇଁ ଏସବୁ ସଂସ୍ଥା ଥିଲେ ଚୁମ୍ବକ ସଦୃଶ ।ଏହି ସବୁ ସଂସ୍ଥାର ଉଦାର ପରିବେଶ ଭିତରେ ସୃଜନଶୀଳତାର ପୂର୍ଣ୍ଣ ରୂପାୟନ ହେଉଥିଲା ଏବଂ ଝଂକୃତ ହେଉଥିଲା କଳା, ସାହିତ୍ୟ ଓ ଗବେଷଣା । ଏହି ସମୟ ମଧ୍ୟରେ ରଚିତ ହୋଇଥିଲା ଚାଣକ୍ୟଙ୍କ ଅର୍ଥଶାସ୍ତ୍ର, ରାଷ୍ଟ୍ରନୀତି ଉପରେ ଏକ ପ୍ରାମାଣିକ ଗ୍ରନ୍ଥ । ୪. ୧୬୪୮ ମସିହାରେ ସଂପାଦିତ ହୋଇଥିବା ୱେଷ୍ଟଫାଲିଆ ଚୁକ୍ତି ବା ଟ୍ରିଟି ଅଫ ୱେଷ୍ଟଫାଲିଆ ଆଧାରରେ ବିକଶିତ ହୋଇଥିବା ୟୁରୋପୀୟ ଜାତି ରାଷ୍ଟ୍ର ପରିକଳ୍ପନାର ବହୁ ପୂର୍ବରୁ ଭାରତ ଏକ ରାଷ୍ଟ୍ର ଥିଲା । ଏକ ନିର୍ଦ୍ଧାରିତ ଅଂଚଳ, ଏକ ଭାଷା, ଏକ ଧର୍ମ ଓ ଏକ ସାଧାରଣ ଶତ୍ରୁ ଭିତ୍ତିରେ ୟୁରୋପରେ ଗଢ଼ି ଉଠିଥିଲେ ଅନେକ ଜାତି ରାଷ୍ଟ୍ର ବା ନେସନ ଷ୍ଟେଟ । ଅନ୍ୟପକ୍ଷରେ ଭାରତର ରାଷ୍ଟ୍ରବାଦର ଆଧାର ଥିଲା ବିଶ୍ୱବାଦ, ବସୁଧୈବ କୁଟୁମ୍ବକମ ଏବଂ ସର୍ବେ ଭବନ୍ତୁ ସୁଖୀଃ ସର୍ବେ ଶନ୍ତୁ ନିରାମୟା ଦର୍ଶନ । ଆମେ ସମଗ୍ର ବିଶ୍ୱକୁ ଏକ ପରିବାର ଭାବରେ ଦେଖୁଥିଲେ ଏବଂ ସମସ୍ତଙ୍କର ସୁଖସମୃଦ୍ଧି ଓ ନିରାମୟ ଜୀବନ ପ୍ରାର୍ଥନା କରୁଥିଲେ । ଏକ ଦୀର୍ଘ ପ୍ରକ୍ରିୟାର ସଂଗମ, ସଂପୃକ୍ତି ଓ ସହାବସ୍ଥାନରୁ ଜନ୍ମ ନେଇଛି ଆମର ଜାତୀୟ ପରିଚୟ । ସଂସ୍କୃତି, ବିଶ୍ୱାସ ଓ ଭାଷାର ବହୁଳତା ହିଁ ଭାରତକୁ ଦେଇଛି ସ୍ୱତନ୍ତ୍ର ପରିଚୟ । ସହନଶୀଳତାରୁ ଆମେ ଆହରଣ କରିଛୁ ଆମର ଶକ୍ତି । ଆମେ ଆମର ବହୁଳତାବାଦକୁ ଗ୍ରହଣ କରିଛୁ ଓ ସମ୍ମାନ ଦେଇଛୁ । ଆମେ ଆମର ବିବିଧତାକୁ ନେଇ ଆନନ୍ଦିତ । ଶତାବ୍ଦୀ ଶତାବ୍ଦୀ ଧରି ଏହା ଆମର ସାମୂହିକ ଚେତନା ହୋଇଯାଇଛି । ମତବାଦ, ଧର୍ମ, ଅଂଚଳ, ଘୃଣା ଓ ଅସହିଷ୍ଣୁତା ଭିତ୍ତିରେ ଆମେ ଯଦି ଆମର ରାଷ୍ଟ୍ରୀୟତାର ସଂଜ୍ଞା ନିର୍ଦ୍ଧାରଣ କରିବାକୁ ଉଦ୍ୟମ କରିବା ତେବେ ଆମେ ଆମ ଜାତୀୟ ପରିଚୟକୁ ଭ୍ରମିତ କରିବା । ଆମ ଭିତରେ ଯଦି କିଛି ପାର୍ଥକ୍ୟ ଦେଖାଯାଉଛି ତେବେ ତାହା କେବଳ ଉପର ଠାଉରିଆ, କିନ୍ତୁ ଆମେ ସାଧାରଣ ଇତିହାସ, ଏକ ସାଧାରଣ ସାହିତ୍ୟ ଏବଂ ଏକ ସାଧାରଣ ସଭ୍ୟତା ସହିତ ଏକ ସ୍ୱତନ୍ତ୍ର ସାଂସ୍କୃତିକ ଏକକ ଭାବେ ତିଷ୍ଠି ଆସିଛନ୍ତି । ବିଖ୍ୟାତ ଐତିହାସିକ ଭିନସେଣ୍ଟ ସ୍ମିଥଙ୍କ ଭାଷାରେ, ‘ସମସ୍ତ ସନ୍ଦେହର ଊଦ୍ଧ୍ୱର୍ରେ ଭାରତରେ ଅଛି ଏକ ଗଭୀର ଆଧାରଭୂତ ମୌଳିକ ଏକତା, ଯେଉଁ ଏକତା ଭୌଗୋଳିକ ବିଚ୍ଛିନ୍ନତା କିମ୍ବା ରାଜନୀତିକ ଶ୍ରେଷ୍ଠତାରୁ ଉତ୍ପନ୍ନ ଏକତାଠାରୁ ଅଧିକ ଗଭୀର । ଏହି ଏକତା ରକ୍ତ, ବର୍ଣ୍ଣର୍, ଭାଷା, ପୋଷାକ, ଆଚରଣ ଓ ସଂପ୍ରଦାୟର ଅଗଣନ ଭିନ୍ନତାକୁ ଅତିକ୍ରମଣ କରିଯାଇଛି’ । ୫. ଆମେ ଯଦି ଇତିହାସ ଉପରେ ଦୃକପାତ କରିବା ତେବେ ଜାଣିପାରିବା ଯେ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ମୁଖ୍ୟତଃ ଉତ୍ତର ଭାରତରେ ବିସ୍ତାର ଲାଭ କରିଥିବା ଷୋଡ଼ଶ ମହାଜନପଦରୁ ହିଁ ଭାରତୀୟ ରାଷ୍ଟ୍ରର ଉଦ୍ଭବ ହୋଇଥିଲା । ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଗ୍ରୀକମାନଙ୍କୁ ପରାସ୍ତ କରି ଉତ୍ତରପଶ୍ଚିମ ଓ ଉତ୍ତର ଭାରତକୁ ନେଇ ଏକ ଶକ୍ତିଶାଳୀ ସାମ୍ରାଜ୍ୟ ଗଠନ କରିଥିଲେ । ଏହି ବଂଶର ସର୍ବାଧିକ ପ୍ରସିଦ୍ଧ ଶାସକ ଥିଲେ ସମ୍ରାଟ ଅଶୋକ । ମୌର୍ଯ୍ୟ ସାମ୍ରାଜ୍ୟର ପତନ ପରେ ଖ୍ରୀଷ୍ଟପୂର୍ବ ୧୮୫ ବେଳକୁ ଏହି ସାମ୍ରାଜ୍ୟ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା । ଏହା ପରେ ଗୁପ୍ତ ବଂଶ ଏକ ବିଶାଳ ସାମ୍ରଜ୍ୟ ପ୍ରତିଷ୍ଠା କରିଥିଲେ ଯାହା ୫୫୦ ଖ୍ରୀଷ୍ଟାବ୍ଦ ବେଳକୁ ଭୁଶୁଡ଼ି ପଡ଼ିଥିଲା । ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଅନ୍ୟ ବହୁ ବଂଶ ଶାସନ କରିଥିଲେ । ଏହି ସମୟରେ ମୁସଲିମ ଆକ୍ରମଣକାରୀମାନେ ଦିଲ୍ଲୀ ଅକ୍ତିଆର କଲେ ଏବଂ ପରବର୍ତ୍ତୀ ୩୦୦ ବର୍ଷ ବିଭିନ୍ନ ବଂଶର ମୁସଲିମ ଶାସନ ଚାଲିଲା । ୧୫୨୬ ଖ୍ରୀଷ୍ଟାବ୍ଦରେ ପ୍ରଥମ ପାନିପଥ ଯୁଦ୍ଧରେ ବାବର ଶେଷ ଲୋଧି ରାଜାଙ୍କୁ ପରାସ୍ତ କରି ମୋଗଲ ଶାସନ ପ୍ରତିଷ୍ଠା କଲେ ଏବଂ ପରବର୍ତ୍ତୀ ୩୦୦ ବର୍ଷ ମୋଗଲ ଶାସନ ଚାଲିଲା । ୧୭୫୭ର ପଲାସୀ ଯୁଦ୍ଧ ଏବଂ ୧୭୪୬-୬୩ ମଧ୍ୟରେ ସଂଘଟିତ ତିନିଟି ଆର୍କଟ ଯୁଦ୍ଧ ଜିତିଲା ପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନକୁ ପୂର୍ବ ଓ ଦକ୍ଷିଣ ଭାରତର ଅନେକ ଅଂଚଳ ଆସି ଯାଇଥିଲା । ପରେ ପରେ ପଶ୍ଚିମ ଭାରତର ଅନେକ ଅଂଚଳ ମଧ୍ୟ ଏହି କମ୍ପାନୀ ଅକ୍ତିଆର କରିଥିଲା ଏବଂ ଏହି ବିଶାଳ ଅଂଚଳର ଶାସନ ପାଇଁ ୧୭୭୪ ମସିହାରେ ସେମାନେ ଏକ ଆଧୁନିକ ସରକାର ଗଠନ କଲେ । ସେଥିପାଇଁ ସେମାନେ କଲିକତାର ଫୋର୍ଟ ଉଇଲିୟମରେ ଜଣେ ଗଭର୍ଣ୍ଣର ଜେନେରାଲ ଏବଂ ମାଡ୍ରାସ ଓ ବମ୍ବେରେ ଦୁଇ ଜଣ ଗଭର୍ଣ୍ଣର ନିଯୁକ୍ତ କଲେ । ପରବର୍ତ୍ତୀ ୧୪୦ ବର୍ଷ ଯାଏଁ କଲିକତା ଥିଲା ଭାରତରେ ବ୍ରିଟିଶ ଶାସନର କେନ୍ଦ୍ର ସ୍ଥଳ । ତେବେ ୧୮୫୮ ମସିହାରେ ବ୍ରିଟିଶ ସରକାର ଇଷ୍ଟ ଇଣ୍ଡିଆ କମ୍ପାନୀ ହାତରୁ ଭାରତ ଶାସନ ଭାର କାଢ଼ିନେଲେ ଓ ଭାରତ ଶାସନ ଦାୟିତ୍ୱ ତତ୍ତ୍ୱାବଧାନ ପାଇଁ ବ୍ରିଟିଶ ସରକାରରେ ଜଣେ ଭାରତ ରାଷ୍ଟ୍ର ସଚିବ ବା ଭାରତ ବ୍ୟାପାର ମନ୍ତ୍ରୀ ନିଯୁକ୍ତ ହେଲେ । ୬. ୨୫୦୦ ବର୍ଷର ଏହି ରାଜନୀତିକ ଭାଗ୍ୟ ପରିବର୍ତ୍ତନ ଓ ପରାଜୟ ମଧ୍ୟରେ ୫୦୦୦ ବର୍ଷର ପୁରାତନ ଏଇ ସଭ୍ୟତାର ଧାରାବାହିକତା ବ୍ୟାହତ ହୋଇନଥିଲା । ବସ୍ତୁତଃ, ପ୍ରତ୍ୟେକ ବିଜୟୀ ଓ ବିଦେଶୀ ଉପାଦାନ ମିଶିମାଶି ଏକ ନୂଆ ଐକ୍ୟ ଓ ସଂଶ୍ଳେଷଣ ଉତ୍ପନ୍ନ କରିଥିଲେ । ରବୀନ୍ଦ୍ରନାଥ ଠାକୁର ତାଙ୍କର ‘ଭାରତ ତୀର୍ଥ’ କବିତାରେ କହିଛନ୍ତି, ‘... କେହି ଜାଣନ୍ତିନି କାହା ଇଙ୍ଗିତରେ ସମଗ୍ର ବିଶ୍ୱରୁ ସହସ୍ର ବର୍ଷରେ କେତେ ମାନବଙ୍କ ଝରଣା ଅଦମ୍ୟ ତରଙ୍ଗ ତୋଳି ଏକ ନଦୀ ଭଳି ଏହି ବିଶାଳ ମହାସାଗରରେ ମିଶି ସୃଷ୍ଟି କଲେ ଏକ ଆତ୍ମା, ଯାହକ଼ୁ କହନ୍ତି ଭାରତ’ । ୭. ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗକୁ ଭାରତୀୟ ଜାତୀୟ କଂଗ୍ରେସ ସମେତ ଅନେକ ଭାରତୀୟ ସଂଗଠନଙ୍କ ଆଧୁନିକ ଭାରତୀୟ ରାଷ୍ଟ୍ରର ପରିକଳ୍ପନା କରାଗଲା । ୧୮୯୫ ମସିହାରେ ପୁନେରେ ଶ୍ରୀ ସୁରେନ୍ଦ୍ରନାଥ ବାନାର୍ଜୀଙ୍କଠାରୁ ଆରମ୍ଭ କରି ସମସ୍ତ କଂଗ୍ରେସ ସଭାପତି ବ୍ରିଟିଶ ଭାରତ ଓ ୫୬୫ ଗଡ଼ଜାତକୁ ନେଇ ଭାରତ ରାଷ୍ଟ୍ର (ଇଣ୍ଡିଆନ ନେସନ) ଗଠନ କରିବାକୁ ଆହ୍ୱାନ ଦେଇଥିଲେ । ବାରିଷ୍ଟର ଯୋଶେଫ ବାପ୍ଟିଷ୍ଟାଙ୍କ ବିଖ୍ୟାତ ବାକ୍ୟାଂଶ ‘ସ୍ୱରାଜ ହେଉଛି ମୋର ଜନ୍ମଗତ ଅଧିକାର ଏବଂ ମୁଁ ଏହା ହାସଲ କରିବି’କୁ ଯେତେବେଳେ ବାଲ ଗଙ୍ଗାଧର ତିଲକ ପ୍ରଚାର କଲେ ସେତେବେଳେ ସେ ଏହି ସ୍ୱରାଜ ସବୁ ଜାତି, ଧର୍ମ ଓ ସଂପ୍ରଦାୟର ଭାରତୀୟ ଲୋକଙ୍କ ପାଇଁ ଏହା ଦାବି କରିଥିଲେ । ରାଷ୍ଟ୍ର ଓ ରାଷ୍ଟ୍ରବାଦ ଗୋଟିଏ ଭୂଗୋଳ, ଭାଷା, ଧର୍ମ ଓ ଜାତି ମଧ୍ୟରେ ସୀମୀତ ନୁହେଁ । ମହାତ୍ମା ଗାନ୍ଧୀ କହିଥିଲେ, ଭାରତୀୟ ରାଷ୍ଟ୍ରୀୟତା ଅନନ୍ୟ ନୁହେଁ, ଆକ୍ରମଣାତ୍ମକ ନୁହେଁ କି ଧ୍ୱଂସାତ୍ମକ ନୁହେଁ । ପଣ୍ଡିତ ନେହରୁ ମଧ୍ୟ ତାଙ୍କର ‘ଡିସ୍କଭରି ଅଫ୍ ଇଣ୍ଡିଆ’ରେ ଏହି ରାଷ୍ଟ୍ରୀୟତା କଥା ଉଲ୍ଲେଖ କରିଛନ୍ତି, ସେ କହିଛନ୍ତି, ‘ମୁଁ ନିଶ୍ଚିତ ଯେ ହିନ୍ଦୁ, ମୁସଲିମ, ଶିଖ ଓ ଭାରତର ଅନ୍ୟ ଜନଗୋଷ୍ଠୀର ଆଦର୍ଶଗତ ମିଶ୍ରଣରେ ରାଷ୍ଟ୍ରୀୟତାର ଉଦ୍ଭବ ହୋଇପାରିବ । ଏହାର ଅର୍ଥ ନୁହେଁ ଯେ କୌଣସି ଏକ ଗୋଷ୍ଠୀର ସଂସ୍କୃତିର ଲୋପ ହେବ ଏବଂ ଏହା ମଧ୍ୟ ଏକ ସାଧାରଣ ଜାତୀୟ ଦୃଷ୍ଟିଭଙ୍ଗୀ ନୁହେଁ ଅନ୍ୟ ସମସ୍ତ ବିଷୟ ଯାହାର ଅଧୀନସ୍ତ ହୋଇଯିବ’ । ବ୍ରିଟିଶ ଶାସନ ବିରୋଧରେ ଆମର ଆନ୍ଦୋଳନ ସମୟରେ ବିଭିନ୍ନ ଉପନିବେଶ-ବିରୋଧୀ, ବ୍ରିଟିଶ-ବିରୋଧୀ ଏବଂ ଦେଶର ବହୁ ପ୍ରଗତିଶୀଳ ଆନ୍ଦୋଳନ ଗୋଟିଏ ସ୍ୱାଧୀନତା ଆନ୍ଦୋଳନରେ ପରିଣତ ହୋଇଥିଲେ, ଯେଉଁଥିରେ ଦେଶପ୍ରେମ ସେମାନଙ୍କର ବ୍ୟକ୍ତିଗତ, ଆଦର୍ଶଗତ ଓ ରାଜନୀତିକ ଚିନ୍ତାଧାରାର ଊଦ୍ଧ୍ୱର୍ରେ ରହିଥିଲା । ୮. ଆମେ ୧୯୪୭ ମସିହାରେ ସ୍ୱାଧୀନତା ଲାଭ କଲେ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଉଦ୍ୟମରେ ଗଡ଼ଜାତ ରାଜ୍ୟଗୁଡ଼ିକ ଭାରତରେ ମିଶିଲେ । ରାଜ୍ୟ ପୁନର୍ଗଠନ କମିଶନଙ୍କ ସୁପାରିଶ ପରେ ରାଜ୍ୟ ଓ ଗଡ଼ଜାତଗୁଡ଼ିକର ମିଶ୍ରଣ ହେଲା ଓ ଭାରତ ଗଠନ ପ୍ରକ୍ରିୟା ପୂର୍ଣ୍ଣ ହେଲା । ୯. ୧୯୫୦ ଜାନୁଆରୀ ୨୬ ତାରିଖରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେଲା । ଆଦର୍ଶବାଦ ଓ ସାହସର ଉଲ୍ଲେଖନୀୟ ପ୍ରଦର୍ଶନ କରି ଆମେ ଭାରତର ଲୋକମାନେ ନିଜକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ଜନତନ୍ତ୍ର ପ୍ରଦାନ କଲେ ଏବଂ ଏହାର ସମସ୍ତ ନାଗରିକଙ୍କ ପାଇଁ ନ୍ୟାୟ, ସ୍ୱତନ୍ତ୍ରତା ଏବଂ ସମାନତା ଅଧିକାର ପ୍ରଦାନ କଲେ । ଆମେ ଏହାର ସମସ୍ତ ନାଗରିକଙ୍କ ମଧ୍ୟରେ ଭ୍ରାତୃତ୍ୱ, ବ୍ୟକ୍ତିଗତ ମର୍ଯ୍ୟାଦା ଏବଂ ଦେଶର ଏକତା ବିକାଶ ପାଇଁ ଉଦ୍ୟମ କରିବାକୁ ସଂକଳ୍ପ ଗ୍ରହଣ କଲେ । ଏହିସବୁ ଆଦର୍ଶ ହିଁ ଆଧୁନିକ ଭାରତର ଧ୍ରୁବତାରା ଭାବେ ପ୍ରତିଭାତ । ଶତାବ୍ଦୀ ଶତାବ୍ଦୀ ଧରି ଉପନିବେଶ ଶାସନ ଯୋଗୁଁ ସୃଷ୍ଟି ହୋଇଥିବା ଦାରିଦ୍ର୍ୟରୁ ପୁନରୁତ୍ଥାନ ଏବଂ ଶାନ୍ତି ପଥରେ ଯାତ୍ରା ପାଇଁ ଗଣତନ୍ତ୍ର ଆମର ମାର୍ଗଦର୍ଶନ ହେଲା । ଗଣତନ୍ତ୍ର ଆମ ପାଇଁ ଏକ ଉପହାର ନୁହେଁ, ଏହା ହେଉଛି ଆମର ପବିତ୍ର ଆସ୍ଥା । ୩୯୫ ଧାରା ଓ ୧୨ ପରିଚ୍ଛଦର ସମାହାର ଭାରତୀୟ ସମ୍ବିଧାନ କେବଳ ଏକ ଆଇନଗତ ନଥି ନୁହେଁ, ଏହା ହେଉଛି ଦେଶର ଆର୍ଥ-ସାମାଜିକ ରୂପାନ୍ତରଣର ମାଗ୍ନା କାର୍ଟା ବା ମହାନ ପତ୍ର । ଏହା ଶହେ କୋଟି ଭାରତୀୟଙ୍କ ଆଶା ଓ ଆକାଙ୍କ୍ଷାର ପ୍ରତିନିଧି । ଆମ ସମ୍ବିଧାନରୁ ହିଁ ଆମ ରାଷ୍ଟ୍ରୀୟତାର ପ୍ରବାହ ସୃଷ୍ଟି ହୋଇଛି । ଭାରତୀୟ ରାଷ୍ଟ୍ରୀୟତା ହେଉଛି ସାମ୍ବିଧାନିକ ରାଷ୍ଟ୍ରୀୟତା । ଏହା ଆମେ ଉତ୍ତରାଧିକାର ସୂତ୍ରେ ପାଇଥିବା ବିବିଧତାର ସମାହାର; ବିଭିନ୍ନ ସ୍ତରରେ ନାଗରିକତା ସାବ୍ୟସ୍ତ ପାଇଁ ଆଗ୍ରହ ଏବଂ ଅନ୍ୟମାନଙ୍କଠାରୁ ଶିଖି ନିଜ ଭ୍ରମ ସଂଶୋଧନ କରିବାର ସାମର୍ଥ୍ୟ । ୧୦. ବହୁଳତାବାଦ ଓ ସହନଶୀଳତାରେ ହିଁ ରହିଛି ଭାରତର ଆତ୍ମା । ଶତାବ୍ଦୀ ଶତାବ୍ଦୀ ଧରି ବିଭିନ୍ନ ପରିକଳ୍ପନାର ସମ୍ମିଶ୍ରଣରେ ସୃଷ୍ଟି ହୋଇଛି ଆମ ସମାଜର ଏହି ବହୁଳତା । ଆମ ପାଇଁ ଧର୍ମନିରପେକ୍ଷତା ଓ ଅନ୍ତର୍ଭୁକ୍ତିକରଣ ହେଉଛି ବିଶ୍ୱାସ । ଆମର ଯୌଗିକ ସଂସ୍କୃତି ଆମକୁ ଏକ ରାଷ୍ଟ୍ରରେ ପରିଣତ କରିଛି । ଭାରତୀୟ ରାଷ୍ଟ୍ରୀୟତା ଏକ ଭାଷା, ଏକ ଧର୍ମ ଓ ଏକ ଶତ୍ରୁ ନୁହେଁ । ଏହା ଦୈନନ୍ଦିନ ଜୀବନରେ ୧୨୨ ଭାଷା, ୧୬୦୦ ଉପଭାଷା ବ୍ୟବହାର କରୁଥିବା ୭ ପ୍ରଧାନ ଧର୍ମ ଏବଂ ୩ ଜନଜାତି ଗୋଷ୍ଠୀ-ଆର୍ଯ୍ୟ, ମଙ୍ଗୋଲ ଓ ଦ୍ରାବିଡ଼- ସମାହାରରେ ଗଠିତ ଓ ଗୋଟିଏ ବ୍ୟବସ୍ଥା, ଗୋଟିଏ ପତାକା ଓ ଗୋଟିଏ ପରିଚୟ- ଭାରତୀୟ- ବହନ କରୁଥିବା ୧୩୦ କୋଟି ଲୋକଙ୍କର ଚିରନ୍ତନ ବିଶ୍ୱବାଦ, ଯେଉଁ ଲୋକମାନଙ୍କର କୌଣସି ଶତ୍ରୁ ନାହାନ୍ତି । ଏହା ହିଁ ଭାରତକୁ ବିବିଧ ଓ ସଂଯୁକ୍ତ ରାଷ୍ଟ୍ର ଭାବେ ଗଢ଼ି ତୋଳିଛି । ୧୧. ଏକ ଗଣତନ୍ତ୍ରରେ ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରତ୍ୟେକ ପ୍ରସଙ୍ଗରେ ସୂଚନା ଓ ଯୁକ୍ତି ସମ୍ବଳିତ ସାଧାରଣ ବିତର୍କ ହେବା ଅତ୍ୟନ୍ତ ଆବଶ୍ୟକ । ପ୍ରତିଯୋଗୀ ସ୍ୱାର୍ଥଗୁଡ଼ିକ ମଧ୍ୟରେ ଭାରସାମ୍ୟ ରକ୍ଷା ସହିତ ସେଗୁଡ଼ିକ ମଧ୍ୟରେ ବୁଝାମଣା ପାଇଁ ମଧ୍ୟ ବିତର୍କ ଜରୁରୀ । ସାଧାରଣ ଆଲୋଚନାରେ ଭିନ୍ନଭିନ୍ନ ମତକୁ ସ୍ୱୀକୃତି ଦେବାର ଆବଶ୍ୟକତା ରହିଛି । ଆମେ ଯୁକ୍ତି କରିବା, ଆମେ ସହମତ ହେଉ ବା ସହମତ ନହେଉ । କିନ୍ତୁ ଆମେ ବହୁ ପ୍ରକାର ମତର ପ୍ରଚଳନକୁ ଅସ୍ୱୀକାର କରିପାରିବା ନାହିଁ । କେବଳ ବିତର୍କ ଜରିଆରେ ହିଁ ଅହିତକର କନ୍ଦଳ ବିନା ଆମେ ଆମର ଜଟିଳ ସମସ୍ୟାଗୁଡ଼ିକର ସମାଧାନ କରିବାର ବୋଧଶକ୍ତି ହାସଲ କରିପାରିବା । ୧୨. ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ସମ୍ବେଦନା, ଜୀବନ ପ୍ରତି ମର୍ଯ୍ୟାଦା ଏବଂ ପ୍ରକୃତି ସହିତ ସଂହତି ହେଉଛି ଆମ ସଭ୍ୟତାର ମୂଳଭିତ୍ତି । ଯେତେବେଳେ ଜଣେ ଶିଶୁ ବା ମହିଳା ବର୍ବର ଆଚରଣର ଶିକାର ହୁଅନ୍ତି ସେତେବେଳେ ଭାରତର ଆତ୍ମା ଆଘାତ ପାଏ । କ୍ରୋଧର ପରିପ୍ରକାଶ ଆମ ସାମାଜିକ ଗ୍ରନ୍ଥିକୁ ଚିରି ପକାଏ । ଆଜିକାଲି ପ୍ରତିଦିନ ଆମ ଚାରି ପାଖରେ ବୃଦ୍ଧି ପାଉଛି ହିଂସାର ତାଣ୍ଡବଲୀଳା । ଏସବୁ ହିଂସା ପଛରେ ରହିଛି ଅଜ୍ଞାନତା, ଭୟ ଓ ଅନାସ୍ଥା ଭାବ । ଆମକୁ ଆମ ସାଧାରଣ ବିତର୍କରୁ ସମସ୍ତ ପ୍ରକାର ଶାରୀରିକ ଓ ବାଚନିକ ହିଂସାରୁ ମୁକ୍ତ କରିବା ଉଚିତ । ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏକ ହିଂସାମୁକ୍ତ ସମାଜ ହିଁ ସମସ୍ତ ବର୍ଗର, ବିଶେଷକରି ପତିତ ଓ ନିପୀଡ଼ିତବର୍ଗର ଲୋକମାନଙ୍କର ସଂପୃକ୍ତିକୁ ନିଶ୍ଚିତ କରିପାରିବ । ଆମକୁ କ୍ରୋଧ, ହିଂସା ଓ କନ୍ଦଳରୁ ଶାନ୍ତି, ସଂହତି ଓ ସୁଖ ଅଭିମୁଖେ ଯାତ୍ରା କରିବାକୁ ହେବ । ଦୀର୍ଘ କାଳ ଧରି ଆମେ ଯନ୍ତ୍ରଣା ଓ କଳହ ସହିତ ବଂଚି ଆସିଛୁ । ଆପଣମାନେ ସମସ୍ତେ ଯୁବକ, ଶୃଙ୍ଖଳିତ, ଉତ୍ତମ ତାଲିମପ୍ରାପ୍ତ ଓ ଉଚ୍ଚ ଶିକ୍ଷିତ । ଦୟାକରି ଶାନ୍ତି, ସଂହତି ଓ ସୁଖ ପାଇଁ କାମନା କରନ୍ତୁ । ଆମର ମାତୃଭୂମି ତାହା ହିଁ ଆଶା କରେ । ଆମ ମାତୃଭୂମି ତାହା ପାଇବାକୁ ଯୋଗ୍ୟ । ୧୩. ମଣିଷ ଜୀବନର ମୌଳିକ ଅନୁଭୂତି ହେଉଛି ସୁଖ । ଏକ ସୁସ୍ଥ, ସୁଖକର ଓ ଉତ୍ପାଦନକ୍ଷମ ଜୀବନ ଯାପନ କରିବା ଆମ ନାଗରିକମାନଙ୍କର ସର୍ବନିମ୍ନ ଅଧିକାର । ଆମେ ଆର୍ଥନୀତିକ ଅଭିବୃଦ୍ଧିର ମାପଦଣ୍ଡରେ ବେଶ୍ ସଫଳତା ଅର୍ଜନ କରିଛୁ । କିନ୍ତୁ ବିଶ୍ୱ ଖୁସି ସୂଚକାଙ୍କରେ ଆମେ ଅନେକ ପଛରେ । ବିଶ୍ୱ ଖୁସି ସୂଚକାଙ୍କ ରିପୋର୍ଟରେ ଆମର ସ୍ଥାନ ୧୫୬ ଦେଶ ମଧ୍ୟରେ ୧୩୩ । ସଂସଦର ୬ ନମ୍ବର ଲିଫ ନିକଟରେ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରର ଶ୍ଳୋକଟିଏ ଲେଖାଯାଇଛି: ପ୍ରଜାସୁଖେ ସୁଖଂ ରାଜ୍ଞଃ ପ୍ରଜାନାଂ ଚ ହିତେ ହିତମ, ନାତ୍ମପ୍ରିୟଂ ହିତଂ ରାଜ୍ଞଃ ପ୍ରଜାନାଂ ତୁ ପ୍ରିୟଂ ହିତମ । ଏହି ଶ୍ଳୋକରେ କୌଟିଲ୍ୟ କହିଛନ୍ତି ଯେ ରାଷ୍ଟ୍ର ହେଉଛି ଲୋକଙ୍କ ପାଇଁ । ଲୋକମାନେ ରାଷ୍ଟ୍ରର ସବୁ ପ୍ରକାର କାର୍ଯ୍ୟକ୍ରମର କେନ୍ଦ୍ର ହେବା ଉଚିତ । ଲୋକମାନଙ୍କୁ ବିଭାଜିତ କରିବା ଏବଂ ସେମାନଙ୍କ ମଧ୍ୟରେ ଶତ୍ରୁତା ବୃଦ୍ଧି କରିବା ପାଇଁ କିଛି କରାଯିବା ଉଚିତ ନୁହେଁ । ଲୋକମାନଙ୍କୁ ଏକତ୍ରିତ କରି ଦାରିଦ୍ର୍ୟ, ରୋଗ ଓ ପୃଥକୀକରଣ ବିରୋଧରେ ସଂଗଠିତ ଯୁଦ୍ଧ ଲଢ଼ାଯିବା ଉଚିତ ଏବଂ ଆର୍ଥନୀତିକ ଅଭିବୃଦ୍ଧିକୁ ବାସ୍ତବ ବିକାଶରେ ପରିଣତ କରାଯିବା ଉଚିତ । ଶାନ୍ତି, ସଂହତି ଓ ସୁଖର ଲକ୍ଷ୍ୟ ଆମ ସାଧାରଣ ନୀତିର ଲକ୍ଷ୍ୟ ହେଉ ଏବଂ ଆମ ରାଷ୍ଟ୍ର ଓ ନାଗରିକ ଜୀବନର ପ୍ରତିଦିନ କାର୍ଯ୍ୟକ୍ରମର ମାର୍ଗଦର୍ଶକ ନୀତି ଭାବେ ଗୃହୀତ ହେଉ । କେବଳ ଏହା ଜରିଆରେ ଆମେ ଏକ ସୁଖୀ ରାଷ୍ଟ୍ର ଗଢ଼ି ପାରିବା ଯେଉଁଠି ରାଷ୍ଟ୍ରୀୟତାର ପ୍ରବାହ ସ୍ୱୟଂକ୍ରିୟ ହେବ । ଜୟ ହିନ୍ଦ! (ଲେଖାଟି ପ୍ରଥମେ ନିତିଦିନରେ ପ୍ରକାଶ ପାଇଛି ।)

Share :