ପ୍ରଦୀପ ପ୍ରଧାନ ରାଜ୍ୟରେ କିଛିଦିନ ଧରି ଓଡ଼ିଶା ଲୋକାୟୁକ୍ତ ଆଇନ୍ କାର୍ଯ୍ୟକାରୀ କରିବା, ଲୋକାୟୁକ୍ତ ଗଠନ ଏବଂ ଲୋକାୟୁକ୍ତ ଆଇନ୍ ସମ୍ପର୍କରେ ରାଜ୍ୟ ସରକାରଙ୍କର ସୁପ୍ରିମ କୋର୍ଟରେ ଦାଖଲ କରିଥିବା ସତ୍ୟପାଠ ପ୍ରସଙ୍ଗକୁ ନେଇ ବିତର୍କ ଚାଲୁରହିଛି ଏବଂ ବିରୋଧୀ ରାଜନୈତିକ ଦଳଗୁଡ଼ିକ ତୁରନ୍ତ ଲୋକାୟୁକ୍ତ ଗଠନ ପାଇଁ ମଧ୍ୟ ଦାବୀ କରି ଆସୁଛନ୍ତି। କିନ୍ତୁ ଓଡ଼ିଶା ଲୋକାୟୁକ୍ତ ଆଇନ୍ରେ ଥିବା ବ୍ୟବସ୍ଥା ଆଧାରରେ ଯଦି ଲୋକାୟୁକ୍ତ ଗଠନ ହୁଏ, ତେବେ ଉକ୍ତ ସଂସ୍ଥା କୌଣସି ଦୁର୍ନୀତିର ସଫଳ ତଦନ୍ତ କରିପାରିବ ନାହିଁ କି ଦୋଷୀଙ୍କ ବିରୁଦ୍ଧରେ ଦଣ୍ଡ ବିଧାନ କରିପାରିବ ନାହିଁ। ଦେଶରେ ଆନ୍ନା ହଜାରେଙ୍କ ନେତୃତ୍ୱରେ ହୋଇଥିବା ଦୁର୍ନୀତି ବିରୋଧୀ ଆନ୍ଦୋଳନ ଚାପରେ କେନ୍ଦ୍ର ସରକାର ବାଧ୍ୟ ହୋଇ ୨୦୧୩ ମସିହାରେ ଲୋକପାଳ ଏବଂ ଲୋକାୟୁକ୍ତ ଆଇନ୍ ପ୍ରଣୟନ କଲେ। ଉକ୍ତ ଆଇନ୍ର ଧାରା ୬୩ରେ ବ୍ୟବସ୍ଥା ରହିଲା ଯେ ଉକ୍ତ ଆଇନ୍ର ଆଧାରରେ ପ୍ରତ୍ୟେକ ରାଜ୍ୟ ବର୍ଷକ ମଧ୍ୟରେ ଲୋକାୟୁକ୍ତ ଆଇନ୍ ପ୍ରଣୟନ କରିବେ। ଏହି ଆଇନ୍ ଅନୁଯାୟୀ, କେନ୍ଦ୍ରରେ ଲୋକପାଳ ଏବଂ ରାଜ୍ୟରେ ଲୋକାୟୁକ୍ତ ଦୁର୍ନୀତିର ସମୟବଦ୍ଧ ତନନ୍ତ ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏକ ସ୍ୱାଧୀନ ସଶକ୍ତ ଅନୁଷ୍ଠାନ ଭାବେ କାର୍ଯ୍ୟ କରିବ। ଏହି ଆଇନ୍ ଆଧାରରେ ରାଜ୍ୟ ସରକାର ଫେବୃୟାରୀ ୨୦୧୪ରେ ରାଜ୍ୟ ବିଧାନସଭାରେ ଓଡ଼ିଶା ଲୋକାୟୁକ୍ତ ବିଲ୍ ପାସ୍ କରାଇ ଏପରି ଆଇନ୍ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ବୋଲି ଘୋଷଣା କଲେ। ଉକ୍ତ ବିଲ୍କୁ ରାଷ୍ଟ୍ରପତି ଜାନୁୟାରୀ ୨୦୧୫ରେ ସ୍ୱୀକୃତି ଦେଇଛନ୍ତି। କିନ୍ତୁ ଓଡ଼ିଶା ଲୋକାୟୁକ୍ତ ଆଇନ୍ର କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର କୌଣସି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିନାହାଁନ୍ତି କି ଏହି ଆଇନ୍ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଏହି ଲୋକାୟୁକ୍ତ ଆଇନ୍ରେ ଏପରି ବ୍ୟବସ୍ଥା ରହିଛି ଯାହାଦ୍ୱାରା ଲୋକାୟୁକ୍ତ ଗଠନ ହେଲେ ମଧ୍ୟ ଦୁର୍ନୀତିର ସଠିକ୍ ତଦନ୍ତ ହୋଇପାରିବ ନାହିଁ। ଆଇନ୍ ଅନୁଯାୟୀ ଲୋକାୟୁକ୍ତ ଏକ ସ୍ୱାଧୀନ ଏବଂ ନିରପେକ୍ଷ ସଂସ୍ଥା ହେଲେ ମଧ୍ୟ ଏକ ସ୍ୱାଧୀନ ତଦନ୍ତକାରୀ ସଂସ୍ଥାକୁ ବାଦ ଦେଇ ଲୋକାୟୁକ୍ତ ନିରପେକ୍ଷ ଭାବେ କାର୍ଯ୍ୟ କରିପାରିବ ନାହିଁ। ସେଥିପାଇଁ କେନ୍ଦ୍ର ସରକାର ଲୋକପାଳ ଏବଂ ଲୋକାୟୁକ୍ତ ଆଇନ୍ ପ୍ରଣୟନ ସମୟରେ ଦିଲ୍ଲୀ ସ୍ପେସିଆଲ ପୋଲିସ୍ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ, ୧୯୪୬କୁ ସଂଶୋଧନ କରି ସିବିଆଇକୁ ସରକାରୀ ନିୟନ୍ତ୍ରଣରୁ ମୁକ୍ତ କରିଛନ୍ତି। ଏହି ସଂଶୋଧିତ ନିୟମ ଅନୁଯାୟୀ, ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା ଏବଂ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କୁ ଗଠିତ ତିନିଜଣିଆ କମିଟି ସିବିଆଇର ନିଦ୍ଦେର୍ଶକ ନିଯୁକ୍ତି ପାଇଁ ନାମ ସୁପାରିଶ କରିବେ। ସେହିପରି ସିବିଆଇର ଅଭିଯୋଜନ ନିର୍ଦ୍ଦେଶକଙ୍କ ନିଯୁକ୍ତି କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ସୁପାରିଶ ଆଧାରରେ କରାଯିବ। ଅଭିଯୋଜନ ନିର୍ଦ୍ଦେଶକ, ସିବିଆଇ ନିର୍ଦ୍ଦେଶକଙ୍କ ସାମଗ୍ରିକ ତତ୍ତ୍ୱାବଧାନ ଓ ନିୟନ୍ତ୍ରଣ ଅଧୀନରେ କାର୍ଯ୍ୟ କରିବ ତଥା ୨ ବର୍ଷ ପୂରଣ ଆଗରୁ ତାଙ୍କୁ ବଦଳି କରାଯଇପାରିବ ନାହିଁ। ଲୋକପାଳ ଏବଂ ଲୋକାୟୁକ୍ତ ଆଇନ୍ର ଧାରା-୨୫ (୩)ରେ ଉଲ୍ଲେଖ ଅଛି ଯେ, ଲୋକପାଳଙ୍କ ଦ୍ୱାରା ସୂଚୀତ ହୋଇଥିବା ଗୋଟିଏ କେସ୍ର ଅନୁସନ୍ଧାନ କରୁଥିବା ସମ୍ପୃକ୍ତ ସିବିଆଇ ଅଫିସରଙ୍କୁ ଲୋକପାଳଙ୍କ ବିନା ଅନୁମତିରେ ବଦଳି କରାଯାଇ ପାରିବ ନାହିଁ। କେନ୍ଦ୍ରରେ ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇ ଭଳି ଆମ ରାଜ୍ୟରେ ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥା ହେଉଛି ଭିଜିଲାନ୍ସ ନିର୍ଦ୍ଦେଶାଳୟ ଯାହାକି ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଓ ନିୟନ୍ତ୍ରିତ। କିନ୍ତୁ କେନ୍ଦ୍ରୀୟ ଆଇନ୍ ଫଳରେ ସିବିଆଇ ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହୋଇଥିବା ସତ୍ତ୍ୱେ ଓଡ଼ିଶା ଲୋକାୟୁକ୍ତ ଆଇନ୍ରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ଉପରେ ସରକାରୀ ନିୟନ୍ତ୍ରଣ ରହିଛି। ଆଶାଥିଲା, କେନ୍ଦ୍ରରେ ଆଇନ୍ ଢାଞ୍ଚାରେ ରାଜ୍ୟ ଭିଜିଲାନ୍ସକୁ ଏକ ସ୍ୱାଧୀନ, ନିରପେକ୍ଷ, ସ୍ୱୟଂଚାଳିତ ତଥା ସବଳୀକୃତ ଦୁର୍ନୀତି ଅନୁସନ୍ଧାନକାରୀ ସଂସ୍ଥା ରୂପେ ପୁନର୍ଗଠନ କରିବା ପାଇଁ ରାଜ୍ୟ ଆଇନ୍ରେ ବ୍ୟବସ୍ଥା ରହିବ। ବିଶେଷ ଆଶା ଥିଲା, ରାଜ୍ୟ ଆଇନ୍ରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ବାଛିବା ପାଇଁ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନେଇ ଏକ ତିନିଜଣିଆ ଚୟନ କମିଟି ଗଠିତ ହେବ ତଥା ସିବିଆଇକୁ ନିୟନ୍ତ୍ରଣ କରୁଥିବା ଦିଲ୍ଲୀ ସ୍ପେସିଆଲ ପୋଲିସ୍ ଏଷ୍ଟାବ୍ଲିସମେଣ୍ଟ ଆଇନ୍ ୧୯୪୬ ବା କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଆଇନ୍ ୨୦୦୩ ଭଳି ବିଧିବିଧାନ ଆମ ରାଜ୍ୟରେ ନଥିବା ହେତୁ ସମଗ୍ର ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ରାରଜ୍ୟ ଲୋକାୟୁକ୍ତଙ୍କ ସାମଗ୍ରିକ କର୍ତ୍ତୃତ୍ବ ଅଧୀନରେ ରଖାଯିବ। କିନ୍ତୁ ବିଡ଼ମ୍ୱନାର ବିଷୟ, ରାଜ୍ୟର ଏହି ପ୍ରମୁଖ ଦୁର୍ନୀତି ଅନୁସନ୍ଧାନକାରୀ ସଂସ୍ଥାକୁ ସରକାରୀ ନିୟନ୍ତ୍ରଣରୁ ମୁକ୍ତ କରାଯାଇ ଏକ ସ୍ୱାଧୀନ, ନିରପେକ୍ଷ ସଂସ୍ଥାରେ ପରିଣତ କରିବା ତଥା ଏହାକୁ ଲୋକାୟୁକ୍ତଙ୍କ ନିକଟରେ ଉତ୍ତରଦାୟୀ କରି ପୁନର୍ଗଠନ କରିବା ଦିଗରେ କୌଣସି ବ୍ୟବସ୍ଥା ରାଜ୍ୟ ଲୋକାୟୁକ୍ତ ଆଇନ୍ରେ ସ୍ଥାନ ପାଇଲା ନାହିଁ। ଏହା ଫଳରେ ରାଜ୍ୟ ଭିଜିଲାନ୍ସ ଯେପରି ଅତୀତରେ ସରକାରଙ୍କ ହାତବାରିସି ହୋଇ କାର୍ଯ୍ୟ କରି ଆସୁଛି, ତାହା ସେପରି କାର୍ଯ୍ୟ କରି ଚାଲିବ, ଅର୍ଥାତ୍ କେବଳ ସରକାରଙ୍କ ଇଙ୍ଗିତରେ ଜଣଙ୍କୁ ବାନ୍ଧିବ ବା ଜଣକୁ ଛାଡ଼ିବ। ଏହି ଅପ୍ରିୟ ସତ୍ୟ ରାଜ୍ୟ ଖଣି ଦୁର୍ନୀତିର ଅନୁସନ୍ଧାନ କରୁଥିବା ଶାହା କମିଶନଙ୍କ ରିପୋର୍ଟରେ ମଧ୍ୟ ସୂଚିତ ହୋଇଛି। ଶାହା କମିଶନ ଗତ ଜୁନ୍, ୨୦୧୩ରେ ଦାଖଲ କରିଥିବା ତାଙ୍କର ପ୍ରଥମ ରିପୋର୍ଟରେ ପୃଷ୍ଠା ୧୧୩ରେ ଦର୍ଶାଇଛନ୍ତି ଯେ, ରାଜ୍ୟ ଭିଜିଲାନ୍ସ ବିଭାଗ ରାଜନେତାମାନଙ୍କ ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟ କରୁଥିବାରୁ ତାହା କଦାପି କୌଣସି ଦୁର୍ନୀତି ଅଭିଯୋଗ ଉପରେ ସତ୍ୟନିଷ୍ଠ ଏବଂ ନିରପେକ୍ଷ ତଦନ୍ତ କରିପାରିବ ନାହିଁ। ଶାହା କମିଶନ ପୁଣି ପୃଷ୍ଠା ୧୧୫ରେ ଦର୍ଶାଇଛନ୍ତି ଯେ, ରାଜ୍ୟ ପୋଲିସ୍ ବା ଭିଜିଲାନ୍ସ ନିକଟରେ ଯେଉଁସବୁ ଖଣି ଦୁର୍ନୀତି ସମ୍ପର୍କିତ ଅଭିଯୋଗ ଦାଖଲ ହୋଇଥବ, ସେସବୁର ସିବିଆଇ ଦ୍ୱାରା ଅନୁସନ୍ଧାନ କରାଯିବା ଆବଶ୍ୟକ। ଏଥିରୁ ଏହା ପ୍ରମାଣିତ ଯେ, ରାଜ୍ୟ ଭିଜିଲାନ୍ସ ଏକ ନିରପେକ୍ଷ ଦୁର୍ନୀତି ନିବାରଣ ସଂସ୍ଥା ରୂପେ ଭୂମିକା ନିର୍ବାହ କରିପାରିବେ ନାହିଁ। ଏହାର କୁଫଳ ସ୍ୱରୂପ, ସରକାରୀସ୍ତରରେ ଘଟୁଥିବା ଦୁର୍ନୀତି, ବାଟମାରଣା ଓ ଲାଞ୍ଚପେଞ୍ଚ ପୂର୍ବବତ୍ ବଜାୟ ରହିବ। କେବଳ ସେତିକି ନୁହେଁ, ସରକାରଙ୍କ ଅନ୍ଧାନୁଗତ ଏହି ଭିଜିଲାନ୍ସ ସଂସ୍ଥାକୁ କ୍ଷମତାସୀନ ରାଜନେତା ଏବଂ ଅସାଧୁ ଅମଲାମାନେ ସେମାନଙ୍କର ପ୍ରତିପକ୍ଷ ତଥା ସଚ୍ଚୋଟ ଅଭିଯୋଗକାରୀମାନଙ୍କୁ ମିଥ୍ୟା ଓ ଭିତ୍ତିହୀନ କେସ୍ରେ ଛନ୍ଦି ଦେବା ପାଇଁ ବ୍ୟବହାର କରିଚାଲିବେ। ପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କ ବିରୁଦ୍ଧରେ ହୋଇଥିବା ମିଥ୍ୟା ଦୁର୍ନୀତି ଅଭିଯୋଗ ଏହାର ଏକ ବଳିଷ୍ଠ ଉଦାହରଣ। ରାଜ୍ୟ ଲୋକାୟୁକ୍ତ ଆଇନ୍ ଦୁର୍ନୀତି ନିବାରଣ ପରିବର୍ତ୍ତେ ଦୁର୍ନୀତିଖୋରଙ୍କ ହାତରେ ଦୁର୍ନୀତି ବିରୋଧୀଙ୍କୁ ଦମନ କରିବାରେ ଏକ ଅମୋଘ ଅସ୍ତ୍ରରେ ପରିଣତ ହେବ, ଏ ସନ୍ଦେହ କରିବାକୁ ଏଭଳି ଉଦାହରଣ ବିରଳ ନୁହେଁ। ତେଣୁ ମୂଳ ଆଇନ୍ର ଭାଷା ଓ ଭାବ ସହିତ ସଂହତି ରଖି ଓଡ଼ିଶା ଲୋକୟୁକ୍ତ ଆଇନ୍ ୨୦୧୪ର ଉପଯୁକ୍ତ ସଂଶୋଧନ କରି ରାଜ୍ୟ ଭିଜିଲାନ୍ସକୁ ସମ୍ପୂର୍ଣ୍ଣ ସ୍ୱାଧୀନ ସଂସ୍ଥା କରିବା ସହ ଏହାକୁ ଲୋକାୟୁକ୍ତ ଅଧୀନରେ ରହିବା ଜରୁରୀ ଯାହାଦ୍ୱାରା ଓଡ଼ିଶା ଏକ ଦୁର୍ନୀତିମୁକ୍ତ ରାଜ୍ୟ ଦିଗରେ ଅଗ୍ରସର ହେବ। ମୋ-୯୯୩୭୮୪୩୪୮୨