ଟାଟା ପ୍ରତି ଏତେ ଦରଦ କାହିଁକିଁ?

ଟାଟା ପ୍ରତି ଏତେ ଦରଦ କାହିଁକିଁ?

Share :

ଦେବେନ୍ଦ୍ର ପୃଷ୍ଟି ୨୦୧୮ ମେ ୪ ତାରିଖରେ ଦିଲ୍ଲୀ ହାଇକୋର୍ଟଙ୍କର ଏକ ରାୟ ଓଡ଼ିଶାର ନବୀନ ପଟ୍ଟନାୟକ ସରକାରଙ୍କର ଅନ୍ୟ ଏକ ବହୁ କୋଟି ଟଙ୍କାର ଖଣି ଦୁର୍ନୀତି ଉଦ୍ୟମକୁ ଆପାତତଃ ଭଣ୍ଡୁର କରିଦେଇଛି । ଦିଲ୍ଲୀ ହାଇକୋର୍ଟ ଦୁଇଟି ଖଣିର ଇ-ନିଲାମ ଉପରେ ପ୍ରତିବନ୍ଧକ ଲଗାଇ ନଥିଲେ ନବୀନ ପଟ୍ଟନାୟକ ସରକାର ରାଜ୍ୟର ଆହୁରି ଦୁଇଟି ବଡ଼ ବଡ଼ ଖଣିକୁ ଆଇନ ଉଲ୍ଲଙ୍ଘନ କରି ଟାଟା କମ୍ପାନୀ ହାତକୁ ଟେକି ଦେଇଥାନ୍ତେ । ଏ ବ୍ୟବସ୍ଥା ସରିଥିଲା । ସୁନ୍ଦରଗଡ଼ ଜିଲ୍ଲାର ଚାନ୍ଦିପୋଷି ଓ ପୁଢ଼େଇବାହାଲ ନାମକ ଦୁଇଟି ଖଣିର ଇ-ନିଲାମ ପାଇଁ ଓଡ଼ିଶା ସରକାର ୨୦୧୮ ମେ ୫ ଓ ମେ ୮ ତାରିଖକୁ ଦିନ ଧାର୍ଯ୍ୟ କରିଥିଲେ । ସେଥିପାଇଁ ଆଗ୍ରହୀଙ୍କ ଦରଖାସ୍ତ ବି ମାଗି ସାରିଥିଲେ ଓ ପାଇସାରିଥିଲେ । ମୋଟରେ ୧୭ଟି କଂପାନୀ ଏହି ଦୁଇଟି ଖଣିର ନିଲାମ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ । ଉପର ଠାଉରିଆ ଭାବେ ଦେଖିଲେ ଏଥିରେ କିଛି ବେଆଇନ କାମ ହେଉ ନଥିଲା । ଓଡ଼ିଶା ଓ ଦେଶର ଅନ୍ୟ କେତେକ ରାଜ୍ୟରେ ଖଣି ଦୁର୍ନୀତି ଧରା ପଡ଼ିଲା ପରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ଏଣିକି ଖଣିଗୁଡ଼ିକୁ ଆଉ ଲିଜ୍ ଦିଆ ନଯାଇ ନିଲାମ ଦେବାର ବ୍ୟବସ୍ଥା ହୋଇଛି । କେନ୍ଦ୍ର ସରକାର ସେହି ମର୍ମରେ ଆଇନରେ ସଂଶୋଧନ କରିଛନ୍ତି । ତେଣୁ ଓଡ଼ିଶାର ଦୁଇଟି ଖଣିର ଇ-ନିଲାମ ବେଆଇନ କାମ ହେବ ବୋଲି କେହି ବିଶ୍ୱାସ କରିବା କଥା ନୁହେଁ । ମାତ୍ର, ଏଥିରେ ଓଡ଼ିଶା ସରକାର ହିଁ ପେଂଚ କରିଥିଲେ । ଏହି ପେଂଚକୁ ଧରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟ ହୃଦବୋଧ କରିଛନ୍ତି ଯେ ଯଦି ଓଡ଼ିଶା ସରକାରଙ୍କର ଏହି ଦୁଇ ଖଣିର ନିଲାମକୁ ଉପରେ ପ୍ରତିବନ୍ଧକ ଲାଗି ନଥାନ୍ତା ତେବେ ସରକାର ସଂଶୋଧିତ ଖଣି ଓ ଖଣିଜ ବିକାଶ ଏବଂ ନିୟନ୍ତ୍ରଣ ଆଇନ ୧୯୫୭ର ୬(୧)(ଖ) ଧାରା ଅନୁସାରେ ପ୍ରଣୀତ ହୋଇଥିବା ଖଣିଜ ନିଲାମ ନିୟମ ୨୦୧୫ର ଉଲ୍ଲଙ୍ଘନ କରି ଏହି ନିଲାମ ଜରିଆରେ ଗୋଟିଏ ନିର୍ଦ୍ଦିଷ୍ଟ କଂପାନୀ ସପକ୍ଷରେ ନିଲାମ ନିଷ୍ପତ୍ତି ନେଇପାରିଥାନ୍ତେ । ସେହି କଂପାନୀର ନାଁ ନେଇ ନାହାନ୍ତି ଦିଲ୍ଳୀ ହାଇକୋର୍ଟ । ଏହି ନିୟମ ଅନୁସାରେ ଯଦି କୌଣସି କମ୍ପାନୀ ନିକଟରେ ପୂର୍ବରୁ ୧୦ ବର୍ଗ କିଲୋମିଟରର ଖଣି ଲିଜ୍ ଥିବ ବା ଯେଉଁ ନୂଆ ଖଣିର ନିଲାମ ପାଇଲା ପରେ ତାହାର ଲିଜ୍ ଅଂଚଳ ୧୦ ବର୍ଗ କିଲୋମିଟରରୁ ଅଧିକ ହେଉଥିବା ସେ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଆଗୁଆ ଅନୁମତି ବିନା ଓଡ଼ିଶା ସରକାର କୌଣସି କମ୍ପାନୀ ସପକ୍ଷରେ ଲେଟର ଅଫ୍ ଇଣ୍ଟେଣ୍ଟ ବା ଆଗ୍ରହପତ୍ର ଜାରି କରିପାରିବେ ନାହିଁ । ଅର୍ଥାତ କେନ୍ଦ୍ର ସରକାରଙ୍କ ବିନାନୁମତିରେ କୌଣସି କମ୍ପାନୀକୁ ୧୦ ବର୍ଗ କିଲୋମିଟରରୁ ଅଧିକ ଖଣି ଲିଜ୍ କୌଣସି ଉପାୟରେ ଦିଆଯିବ ନାହିଁ । ସୁନ୍ଦରଗଡ଼ର ଚାନ୍ଦିପୋଷି ଓ ପୁଢ଼େଇବାହାଲ ଖଣି ନିଲାମ ପାଇବାକୁ ଯେଉଁ ୧୭ କଂପାନୀ ଆଗ୍ରହ ପ୍ରକାଶ କରିଥିଲେ ତନ୍ମଧ୍ୟରେ ଟାଟା ଷ୍ଟିଲ ଥିଲା । ଓଡ଼ିଶାରେ ଟାଟା ଷ୍ଟିଲ କମ୍ପାନୀ ପୂର୍ବରୁ ୬ଟି ଲୁହା ଓ ମାଙ୍ଗାନିଜ ଖଣିର ଲିଜ୍ ପାଇସାରିଛି । ଏହିସବୁ ଖଣିର ମୋଟ କ୍ଷେତ୍ରଫଳ ୫୦ ବର୍ଗ କିଲୋମିଟର ବୋଲି ଆକଳନ କରାଯାଉଛି । ନିୟମ ଅନୁସାରେ ଏହି କମ୍ପାନୀ ଆଉ ଅଧିକ ଖଣିର ନିଲାମରେ ଭାଗ ନେଇପାରିବା କଥା ନୁହେଁ । କିନ୍ତୁ ଓଡ଼ିଶା ସରକାର ଟାଟା ଷ୍ଟିଲର ସ୍ୱାର୍ଥ ପାଇଁ ଏହି ନିୟମ ପ୍ରତି ଆଖିବୁଜି ଦେଇଥିଲେ । କେବଳ ସେତିକି ନୁହେଁ, ଟାଟା ଷ୍ଟିଲକୁ ଚାନ୍ଦିପୋଷି ଓ ପୁଢ଼େଇବାହାଲ ପରି ଅଧିକ ଖଣିର ଲିଜ୍ ଦେବାକୁ ନବୀନ ପଟ୍ଟନାୟକଙ୍କ ସରକାର ପୂର୍ବରୁ ମଧ୍ୟ କେନ୍ଦ୍ର ସରକାରଙ୍କ ପାଖରେ ଲବି କରିଥିଲେ । ନିୟମରେ ଥିବା ୧୦ ବର୍ଗ କିଲୋମିଟରର ସର୍ବାଧିକ ଅଂଚଳକୁ ୭୫ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ୨୦୧୮ ମାର୍ଚ୍ଚ ୧୩ ତାରିଖରେ ଅନୁରୋଧପତ୍ର ଲେଖିଥିଲେ । ଏହି ଅନୁରୋଧପତ୍ର ଏଯାଏଁ ମଂଜୁର ହୋଇନାହିଁ । ଅର୍ଥାତ ପୂର୍ବ ନିୟମ ବଦଳି ନାହିଁ । ତେଣୁ ଟାଟା ଷ୍ଟିଲ ଚାନ୍ଦିପୋଷି ଓ ପୁଢ଼େଇବାହାଲ ଖଣି ଇ-ନିଲାମରେ ଭାଗ ନେବା ବେନିୟମ । ଓଡ଼ିଶା ସରକାର କିନ୍ତୁ ଏହାକୁ ଭାଗ ନେବାକୁ ଅନୁମତି ଦେଇଥିଲେ । ଏଥିପାଇଁ ଜାରି ଟେଣ୍ଡର ବିଜ୍ଞପ୍ତିରେ ସଂଶୋଧିତ ଏମଏମଡିଆର ଆଇନ ୧୯୫୭ର ଏହି ଧାରା ଓ ତଦନୁସାରେ ପ୍ରଣୀତ ଖଣି ନିଲାମ ନିୟମର ବ୍ୟବସ୍ଥା ସଂପର୍କରେ କିଛି ଉଲ୍ଲେଖ ନଥିଲା । ସରକାର ଟାଟା ଷ୍ଟିଲକୁ ଇ-ନିଲାମରେ ଭାଗ ନେବାର ସୁଯୋଗ ଦେବା ନିମନ୍ତେ ହିଁ ଟେଣ୍ଡର ସର୍ତ୍ତକୁ ଜାଣିଶୁଣି ଅସ୍ପଷ୍ଟ ରଖିଥିଲେ । ଏହି କାରଣରୁ ଦିଲ୍ଳୀ ହାଇକୋର୍ଟ ଏହି ଦୁଇ ଖଣିର ଇ-ନିଲାମକୁ ସାମୟିକ ସ୍ଥଗିତ ରଖିଛନ୍ତି । ତେବେ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ୧୫ ଦିନ ଭିତରେ ସରକାର ଓଡ଼ିଶା ସରକାରଙ୍କର ଅନୁରୋଧ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରନ୍ତୁ । କୋର୍ଟଙ୍କର ଏପରି ନିର୍ଦ୍ଦେଶ ଭିତ୍ତିରେ କେନ୍ଦ୍ର ସରକାର କି ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାର କଥା । କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାର ଯଦି ଓଡ଼ିଶାର ନବୀନ ପଟ୍ଟନାୟକ ସରକାରଙ୍କ ଅନୁରୋଧ ରକ୍ଷା କରି ଓଡ଼ିଶାରେ ୧୦ ବର୍ଗ କିଲୋମିଟରରୁ ଅଧିକ ଖଣି ଲିଜ୍ ପାଇଥିବା କମ୍ପାନୀଙ୍କୁ ୭୫ ବର୍ଗ କିଲୋମିଟର ଯାଏଁ ଖଣି ନିଲାମ ଦେବାର ବ୍ୟବସ୍ଥା କରନ୍ତି ତେବେ ତାହା ଯେ ବିନା ଲାଞ୍ଚ ଓ ଦୁର୍ନୀତିରେ ସମ୍ଭବ ହେବ ତାହା କେହି ବିଶ୍ୱାସ କରିବେ ନାହିଁ । ଓଡ଼ିଶା ସରକାରରେ ଥିବା ନେତା ଓ ବାବୁମାନେ ଯଦି ଟାଟା ଷ୍ଟିଲଠାରୁ କୌଣସି ପ୍ରକାରେ ଉକ୍ରୋଚ ଗ୍ରହଣ କରି ଏପରି ଅନୁକମ୍ପା ପ୍ରଦର୍ଶନ କରିବେ ତେବେ କେନ୍ଦ୍ର ସରକାର କ’ଣ ମାହାଳିଆରେ ଟାଟା ଆଗରୁ ନିୟମର ପ୍ରତିବନ୍ଧକ ହଟାଇଦେବେ? ପୁଣି କଥା ହେଉଛି ଟାଟା ଷ୍ଟିଲର ସ୍ୱାର୍ଥକୁ ଆଖି ଆଗରେ ରଖି ଓଡ଼ିଶା ସରକାର ଯେଉଁ ନିୟମ ପରିବର୍ତ୍ତନ ପାଇଁ ଅନୁରୋଧ କରିଛନ୍ତି ତାହା ଯେ କେବଳ ଓଡ଼ିଶା ଓ ଟାଟା ପାଇଁ ପ୍ରଯୁଜ୍ୟ ହେବ ତାହା ନୁହେଁ । ଯଦି ୧୦ ବର୍ଗ କିଲୋମିଟରର କଟକଣା ୭୫ ବର୍ଗ କିଲୋମିଟରକୁ ବୃଦ୍ଧି ପାଏ ତେବେ ଦେଶର ସବୁ ଖଣି କମ୍ପାନୀ ଏହି ସଂଶୋଧନରୁ ଉପକୃତ ହେବାର ବାଟ ଫିଟିଯିବ । ତେଣୁ ଖଣି ଲବି କେନ୍ଦ୍ର ସରକାରଙ୍କ ନେତା ଓ ବାବୁମାନଙ୍କ ଆଗରେ ଏପରି କୋହଳ ବ୍ୟବସ୍ଥା ଗ୍ରହଣ କରିବାକୁ ଲବି କରିବା ବିଚିତ୍ର ନୁହେଁ । ଖଣି କମ୍ପାନୀଗୁଡ଼ିକ ନିଜ ସ୍ୱାର୍ଥ ପାଇଁ କୋଟିକୋଟି ଟଙ୍କାର ଚାନ୍ଦା ଦେବାର ନଜୀର ମଧ୍ୟ ରହିଛି । ତେବେ ପ୍ରଶ୍ନ ଉଠୁଛି ଟାଟା ପାଇଁ ଓଡ଼ିଶା ସରକାରଙ୍କର ଏତେ ଦରଦ କାହିଁକି? ଓଡ଼ିଶାରେ ଅନ୍ୟ କେଉଁ କମ୍ପାନୀ ବା କେଉଁ ବ୍ୟକ୍ତିଙ୍କର ୫୦ ବର୍ଗ କିଲୋମିଟରର ଖଣିଜମି ଅଛି କି? ପୁଣି କେବଳ ଖଣିଜମି ନୁହେଁ, ଏହା ବାହାରେ ମଧ୍ୟ ଟାଟା କମ୍ପାନୀ ଓଡ଼ିଶାର କଳିଙ୍ଗନଗର ଓ ଗୋପାଳପୁର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଉ ପ୍ରାୟ ୧୫ ହଜାର ଏକର ଉପରେ ଜମି ନେଇଛି । କହିବାକୁ ଗଲେ ଟାଟା ହେଉଛି ଓଡ଼ିଶାର ସବୁଠୁଁ ବଡ଼ ଜମିଦାର । ନିୟମ ଅନୁସାରେ ଗୋପାଳପୁରର ୩ ହଜାର ଏକରରୁ ଅଧିକ ଜମିରେ ଟାଟା କମ୍ପାନୀ ଇସ୍ପାତ କାରଖାନା ବସାଇ ନଥିବାରୁ ତାହା ଜମିର ମୂଳ ମାଲିକଙ୍କ ପାଖକୁ ଫେରିଯିବା କଥା । ଓଡ଼ିଶା ସରକାର ସେ ଦିଗରେ ପଦକ୍ଷେପ ଗ୍ରହଣ କରିବେ କ’ଣ ଏହି କମ୍ପାନୀକୁ ଅଧିକରୁ ଅଧିକ ଅନୁକମ୍ପା ପ୍ରଦର୍ଶନ କରିଚାଲିଛନ୍ତି । ଖଣି ଓ କାରଖାନା ବାବଦ ଅନୁକମ୍ପା ପରେ ଏବେ ପୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବସ୍ତିବାସିନ୍ଦାଙ୍କ ପାଇଁ ଘର ତୋଳିବା ଦାୟିତ୍ୱ ବି ଟାଟା ଟ୍ରଷ୍ଟକୁ ଦିଆଯାଇଛି । ସେଥିପାଇଁ ବୁଝାମଣପତ୍ର ସ୍ୱାକ୍ଷରିତ ହୋଇସାରିଛି । ନିରା ରାଡିଆ ଟେପ୍ ଖ୍ୟାତ ରତନ ଟାଟା କ’ଣ ବିନା ଲାଞ୍ଚ ଓ ଉପହାରରେ ବ୍ୟବସାୟ କରନ୍ତି? ନା ତାଙ୍କୁ ନେତା ଓ ବାବୁମାନେ ବିନା ଉକ୍ରୋଚରେ ଏଭଳି ସାଧାରଣ ସଂପତ୍ତି ଟେକି ଦେଇଥାନ୍ତି?

Share :