Breaking News
ପୁଞ୍ଜିବାଦର ପ୍ରତିନିଧି

ପୁଞ୍ଜିବାଦର ପ୍ରତିନିଧି

ଦେବେନ୍ଦ୍ର ପୃଷ୍ଟି I am not the Prime Minister of French capitalism. I am the Prime Minister of France. Lionel Jospin ମୁଁ ଫରାସୀ ପୁଞ୍ଜିବାଦର ପ୍ରଧାନମନ୍ତ୍ରୀ ନୁହେଁ, ଫ୍ରାନ୍ସର ପ୍ରଧାନମନ୍ତ୍ରୀ । ଏକଥା କେବଳ ଜଣେ ସମାଜବାଦୀ ନେତା କହିପାରନ୍ତି । ଏବଂ କହିଥିଲେ ବି । ଏ ହେଉଛନ୍ତି ୧୯୯୭ ମସିହାରୁ ୨୦୦୨ ଯାଏଁ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଥିବା ଲିଓନେଲ ଜୋସପିନଙ୍କର ଏକ ମନ୍ତବ୍ୟ । ସେ ଥିଲେ ସମାଜବାଦୀ ନେତା । ଏକବିଂଶ ଶତାବ୍ଦୀ ଆରମ୍ଭ ବେଳକୁ ଖାଲି ଫ୍ରାନ୍ସ କାହିଁକି ସମଗ୍ର ୟୁରୋପର ଅର୍ଥନୀତିରେ ବିଭ୍ରାଟ ସୃଷ୍ଟି ହୋଇଥିଲା । ଏହା ପରେ ପରେ ଆସିଥିଲା ମାନ୍ଦାବସ୍ଥା । ଯାହା ଆଜି ଯାଏଁ ଅବ୍ୟାହତ ରହିଛି । ପୁଞ୍ଜିବାଦର ଲକ୍ଷ୍ୟ ହେଲା ଲାଭ ଓ ଲୋଭ । ଯେଉଁଠୁ ପାରୁଛ ଯେତେ ପାରୁଛ ଟଙ୍କା କମାଅ । ଯେତେ ପାରୁଛ ସେତେ ଉପଭୋଗ କର । ଉପଭୋଗ ବଢ଼ିଲେ ଉତ୍ପାଦନ ବଢ଼ିବ । ଉତ୍ପାଦନ ବଢ଼ିଲେ ପୁଞ୍ଜିପତିମାନଙ୍କର ଲାଭ ଓ ଲୋଭ ଆଶା ପୂରଣ ହୋଇପାରିବ । କିନ୍ତୁ ଏ ଆଶା ବଡ଼ ବିପଜ୍ଜନକ । କଥା ହେଉଛି, ସବୁ ଲୋକଙ୍କର ସବୁ ଆଶା ପୂରଣ କରିବା ପାଇଁ ପୃଥିବୀରେ ସମ୍ବଳ ନାହିଁ । ଏବେ ବି ବିଶ୍ୱର ଅଧେ ଲୋକଙ୍କ ପାଖରେ ତଥାକଥିତ ବିକାଶ ଓ ସମୃଦ୍ଧିର ଚିଜଗୁଡ଼ିକ ପହଞ୍ଚିପାରି ନାହିଁ । ତା’ସତ୍ତେ୍ୱ ଚିନ୍ତା ଘାରିଲାଣି, ସମ୍ବଳ ସରିଲେ କରିବା କ’ଣ? ଆଉ କିଛି ଦିନ ପରେ ବିଦ୍ୟୁତ ସଂକଟ ସୃ୍‍ଷ୍ଟି ହେବ । ଏବେ ନିଅଣ୍ଟ ହେଲାଣି । ବିଦ୍ୟୁତ ବାହାର କରିବାକୁ ପାଣି ନାହିଁ । କୋଇଲା ସରି ଆସୁଛି । ସେଥିପାଇଁ ଆଣବିକ ଶକ୍ତି କଥା କୁହାଯାଉଛି । ତାହା ବି ବିପଦମୁକ୍ତ ନୁହେଁ । ଜାପାନ ହେଜିଲାଣି । ତିରିଶ ବର୍ଷରେ ସବୁ ଆଣବିକ କେନ୍ଦ୍ର ବନ୍ଦ କରିବାକୁ ଯୋଜନା କଲାଣି । ଓଜୋନ୍‍ ସ୍ତରରେ କଣା, ପାଗ ପରିବର୍ତ୍ତନ, ବିଶ୍ୱ ତାପନ, କର୍କଟ ଓ ରକ୍ତ ଶର୍କରାର ବ୍ୟାପ୍ତି, ହୃଦଘାତ ଆଶଙ୍କାର ବୃଦ୍ଧି-ସବୁ ମିଶି ମଣିଷକୁ ଅତିଷ୍ଠ କରିପକାଇଲେଣି । ଅଧେ ଲୋକ ଅଧା ପେଟ ଖାଇବାକୁ ପାଉ ନଥିବାବେଳେ ଆର ଅଧାକ ଖାଇ ଖାଇ ବେମାର । ଏଇ ବେମାରିଆମାନେ ହେଲେ ଅଧିକ ଭାଗରେ ପୁଞ୍ଜିବାଦୀ । ସହରବାସୀ । ଶିଳ୍ପ ସଭ୍ୟତାର ଉନ୍ମତ୍ତ ଅଂଶୀଦାର । ଏମାନେ ପୃଥିବୀରେ ଉପଭୋକ୍ତାବାଦର ପ୍ରଚାର ପ୍ରସାର କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ପୁଣି, ସଂକଟ ପଡ଼ିଲେ ତା’ ଉପରେ ଟିକସ ଲଦନ୍ତି । ସେମାନେ ପ୍ରଥମେ ଆପଣଙ୍କୁ ଗାଡ଼ି କିଣିବାକୁ ସହଜରେ ଋଣ ଦେବେ । ତା’ପରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇଦେବେ । ଶୁଳ୍କ ବୃଦ୍ଧି କରିବେ । ପ୍ରଦୂଷଣ ଟିକସ ଲଗେଇବେ । କ୍ରେଡ଼ିଟ୍‍ କାର୍ଡ଼ ବାଣ୍ଟିବେ । ଲୋକ ଦେବାଳିଆ ହୋଇଗଲେ ବ୍ୟାଙ୍କ ଦେବାଳିଆ ହେଲା ବୋଲି ଦାବି କରିବେ । ଆଉ ସେଥିପାଇଁ ସରକାରୀ ପ୍ୟାକେଜ୍‍ ଘୋଷଣା କରିବେ । ଏଣେ ଚାଷୀ ଓ ସାଧାରଣ ଉପଭୋକ୍ତାଙ୍କ ଉପରୁ ସବ୍‍ସିଡ଼ି କାଟିବେ । ତେଣେ କାରଖାନା ବସାଇବାକୁ ଶସ୍ତାରେ ଜମି, ଜଳ, ଖଣି ଓ ବିଦ୍ୟୁତ ସବୁ କିଛି ଯୋଗାଇ ଦେବେ । ଏହି ଅସାଧୁ ଚକ୍ରରେ ପଡ଼ି ଫ୍ରାନ୍ସ ବରବାଦ ହେବାକୁ ଯାଉଥିଲା । ଯେମିତି ଏବେ ବରବାଦିର ପ୍ରଥମ ପାହାଚରେ ପହଞ୍ଚିଛି ଯୁକ୍ତରାଷ୍ଟ୍ର ଆମେରିକା । ସେବେ କିନ୍ତୁ ଲିଓନେଲ୍‍ ଜୋସପିନ୍‍ ସିଧାସଳଖ ଘୋଷଣା କରିଦେଲେ, ମୁଁ ଫରାସୀ ପୁଞ୍ଜିବାଦର ପ୍ରଧାନମନ୍ତ୍ରୀ ହୋଇପାରିବି ନାହିଁ, ମୁଁ ଫ୍ରାନ୍ସର ପ୍ରଧାନମନ୍ତ୍ରୀ । ଫ୍ରାନ୍ସର ସବୁ ଲୋକଙ୍କର ମଙ୍ଗଳ କରିବା ତାଙ୍କର ରାଜଧର୍ମ । ଭାରତର ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ କିନ୍ତୁ ଥିଲେ ଏହାର ଓଲଟା । ଅନ୍ତତଃ ତାଙ୍କ ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମ ସବୁ ଏଇ ସଙ୍କେତ ଦେଉଥିଲା । ସେ ଯେମିତି ଥିଲେ ପୁଞ୍ଜିପତିମାନଙ୍କର ପ୍ରଧାନମନ୍ତ୍ରୀ । ଜଣେ ଅର୍ଥନୀତିଜ୍ଞ ହିସାବରେ ତାଙ୍କର ଯେଉଁ ଖ୍ୟାତି ରହିଛି ତାହା କେବଳ ଲାଭ ଓ ଲୋଭର ସଂସ୍କୃତି ପାଇଁ ଉଦ୍ଦିଷ୍ଟ । ସେ କେବେ ବି କୃଷି ଓ କୁଟୀର ଶିଳ୍ପର ଅର୍ଥନୀତିରେ ସଂସ୍କାର ଆଣି ନାହାନ୍ତି । ଗ୍ରାମ ଭିତ୍ତିକ ଭାରତୀୟ ସଂସ୍କୃତିକୁ ଖାପ୍‍ ଖାଇଲା ଭଳି ଅର୍ଥନୀତି ଆବିଷ୍କାର କରିନାହାନ୍ତି । ବରଂ ଆମେରିକା ଓ ୟୁରୋପର ଶିଳ୍ପ ଓ ପୁଞ୍ଜିର ବଜାରକୁ ଭାରତକୁ ଡାକି ଆଣି ନୂଆ ଦିଲ୍ଲୀକୁ ନ୍ୟୁୟର୍କରେ ପରିଣତ କରିବାର ଚେଷ୍ଟା ଚଳାଇଥିଲେ । ମହାଭାରତରେ ଅନ୍ଧ ଧୃତରାଷ୍ଟ୍ର ଥିଲେ ପୁଅମାନଙ୍କ ପାଇଁ ସମ୍ରାଟ । ବଂଶ ଏକରକମ ବୁଡ଼ିଲା ପଛେ ସେ ହସ୍ତିନାପୁରର ସମ୍ରାଟ ହୋଇପାରିଲେ ନାହିଁ । ସେମିତି ମୋହରେ ବାନ୍ଧି ହୋଇଯାଇଥିଲେ ମନମୋହନ ସିଂହ । ତାଙ୍କ ପରି ଜଣେ ଅର୍ଥନୀତିଜ୍ଞଙ୍କଠାରୁ ଭାରତବାସୀ ଅନେକ କିଛି ଆଶା କରିଥିବାବେଳେ ସେ କଂଗ୍ରେସ ପାର୍ଟି, ସୋନିଆ ଗାନ୍ଧୀ ଓ ଟାଟା, ବିର୍ଲା, ଅମ୍ବାନି ପ୍ରଭୃତି ବ୍ୟକ୍ତି ଓ ଗୋଷ୍ଠୀର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ପରେ ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦି ହେଲେ ଆହୁରି ତୀବ୍ର ପୁଂଜିବାଦୀ । ତାଙ୍କ ଯୋଗୁଁ ଅମ୍ବାନି, ଆଦାନୀ ଓ ଏସସାର ପ୍ରମୁଖ ଶିଳ୍ପ ଗୋଷ୍ଠୀଙ୍କ ସଂପତ୍ତି ଦୈନିକ ଭିତ୍ତିରେ ଦ୍ରୁତଗତିରେ ବୃଦ୍ଧି ପାଉଥିବେଳେ ସେ ସାଧାରଣ ଭାରତୀୟମାନଙ୍କୁ ଦେଖାଇଥିବା ଅଚ୍ଛେ ଦିନର ସ୍ୱପ୍ନ ଏବେ ବି ପୂରଣ ହୋଇନାହିଁ । ଓଡ଼ିଶାର ମଧ୍ୟ ସେହି ଦୁର୍ଭାଗ୍ୟ । ନବୀନ ପଟ୍ଟନାୟକଙ୍କ ଧୋବ ଫରଫର କୁର୍ତ୍ତା ପାଇଜାମା ତଳେ ଲୁଚି ରହିଥିବା ମୁଖ୍ୟମନ୍ତ୍ରୀଟି ଯେ ଓଡ଼ିଶାବାସୀଙ୍କର ନୁହେଁ, ଟାଟା ଓ ଜିନ୍ଦଲ, ରୁଙ୍ଗଟା ଓ ଭୂଷଣ ପରି ଶିଳ୍ପଗୋଷ୍ଠୀର ମୁଖ୍ୟମନ୍ତ୍ରୀ ହୋଇଯାଇଛନ୍ତି । ମନମୋହନ ସିଂହ ତାଙ୍କର ୧୦ ବର୍ଷ, ନରେନ୍ଦ୍ର ମୋଦି ତାଙ୍କର ୪ ବର୍ଷ ଓ ନବୀନ ପଟ୍ଟନାୟକ ତାଙ୍କର ୧୮ ବର୍ଷ ଭିତରେ କେତେ ଥର କୃଷି ଓ କୃଷକଙ୍କ କଥା କହିଛନ୍ତି? କେତେ ଥର ସେମାନେ ସାଧାରଣ ଉପଭୋକ୍ତାର ଦରଦ ବୁଝିଛନ୍ତି? ଶିଳ୍ପ ସଂସ୍ଥାଗୁଡ଼ିକର ଲାଭ ପାଇଁ ଏମାନେ ବାରମ୍ବାର ନୀତି ବଦଳାଇଛନ୍ତି, ଟିକସ ଛାଡ଼ କରିଛନ୍ତି, ସଂସ୍କାର ଆଳରେ ଚେହେରା ଓ ଚରିତ୍ର ବି ବଦଳାଇ ଦେଇଛନ୍ତି । ଏମାନଙ୍କର ପୁଞ୍ଜିବାଦୀ ସଂସ୍କାରର ପରିଣାମ ହୋଇଛି ଟୁ-ଜି ସ୍ପେକ୍‍ଟ୍ରମ, କୋଲ୍‍ଗେଟ୍‍, ଖଣି ଦୁର୍ନୀତି, କେଜି ବେସିନ୍‍ ଦୁର୍ନୀତି, ସିଡବ୍ଲୁଜି ଦୁର୍ନୀତି, ରାଫାଲେ ଦୁର୍ନୀତି, ବିମୁଦ୍ରାୟନ, ବ୍ୟାଙ୍କ ଋଣ ଜାଲିଆତି, ଲକ୍ଷଲକ୍ଷ କୋଟି ଟଙ୍କାର ନଷ୍ଟ ଋଣ ବା ଏନପିଏ... ତାଲିକା ଅନେକ ଲମ୍ବା । କେବେ ଏମାନେ ମୁକ୍ତ ହେବେ ନିଜର ପୁଞ୍ଜିବାଦୀ ପ୍ରଭୁଙ୍କ ଦାସତ୍ୱରୁ ଏବଂ ମୁକ୍ତ କରିବେ ସାଧାରଣ ଲୋକଙ୍କୁ ଏକ ଉପଭୋକ୍ତାବାଦୀ ସାମ୍ରାଜ୍ୟବାଦୀ ଅର୍ଥନୈତିକ ବନ୍ଧନରୁ?

Share :