ଜାମୁଡ଼ା ଖୋଲିଲେ ନବୀନ ମୁଖା: ଯେନା

ଜାମୁଡ଼ା ଖୋଲିଲେ ନବୀନ ମୁଖା: ଯେନା

Share :

ଓଡ଼ିଶା ରାଜ୍ୟ ଖାଦ୍ୟ କମିଶନର ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡ଼ା ତାଙ୍କର ପତ୍ର ସଂଖ୍ୟା ଏଫସି(ଏମ)-୩/୧୮ ୧୨୯୨/ଏଫସି ତା ୬ ମେ, ୨୦୧୮ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଜଙ୍ଗଲ ଅଧିକାର ଆଇନ୍-୨୦୦୬ର କାର୍ଯ୍ୟକାରିତାରେ ଚରମ ଉଦାସୀନତା ସମ୍ପର୍କରେ ଯେଭଳି ଭାବରେ ଉଲ୍ଲେଖ କରିଛନ୍ତି, ସେଥିରେ ନବୀନ ଶାସନର ଅସଲ ମୁଖା ଖୋଲି ଯାଇଛି ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି । ଶ୍ରୀ ଜାମୁଡ଼ା ଏହି ପତ୍ରରେ ଜିଲ୍ଲାପାଳଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ଜଙ୍ଗଲ ଅଧିକାର ଆଇନ୍-୨୦୦୬ର ରୂପାୟନ ଉପରେ ରିପୋର୍ଟ ପ୍ରଦାନ ପାଇଁ ଏପ୍ରିଲ୍ ୨୦ ତାରିଖ ୨୦୧୮ ଶେଷ ତାରିଖ ଧାର୍ଯ୍ୟ ହୋଇଥିଲେ ବି ବାରମ୍ବାର ଫୋନ୍ ଯୋଗେ ମାଗିବା ପରେ ମେ ୫, ୨୦୧୮ ସୁଦ୍ଧା ବିଭିନ୍ନ ଜିଲ୍ଲାର ରିପୋର୍ଟ ହସ୍ତଗତ ହେଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଦିବାସୀ ଓ ବନବାସୀଙ୍କର ଖାଦ୍ୟ ଓ ପୁଷ୍ଟି ନିରାପତ୍ତା ବୃଦ୍ଧି କରିବା କରିବା ପାଇଁ ଖାଦ୍ୟ କମିଶନ ଜଙ୍ଗଲ ଅଧିକାର ଆଇନ୍-୨୦୦୬ର ଉପଯୁକ୍ତ ରୂପାୟନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଶ୍ରୀ ଜାମୁଡ଼ା କହିଛନ୍ତି ଯେ, ଜଙ୍ଗଲ ଅଧିକାର ଆଇନ୍-୨୦୦୬ର ଉପଯୁକ୍ତ ବିନିଯୋଗ ହେଲେ ଆଦିବାସୀ ଓ ବନବାସୀଙ୍କୁ ସମସ୍ତ ଆଇନଗତ ସୁରକ୍ଷା ଏବଂ ସରକାରୀ ସୁବିଧା ସଠିକ୍ ଭାବେ ମିଳିପାରିବ । ମାତ୍ର ସେ ଦୁଃଖ ପ୍ରକାଶ କରିଛନ୍ତି ଯେ, ଏହି ଆଇନ୍ ୨୦୦୮ରେ ବିଜ୍ଞାପିତ ହୋଇଥିଲା । ୧୧ ବର୍ଷ ପରେ ବି ଆଦିବାସୀମାନଙ୍କର ସ୍ୱାର୍ଥ ରକ୍ଷା ବା ନିରାପତ୍ତା ପାଇଁ ଉଦ୍ଦିଷ୍ଟ ଏହି ଆଇନରେ ଥିବା ନିୟମ ଓ କାର୍ଯ୍ୟକ୍ରମର ରୂପାୟନ ହୋଇପାରି ନାହିଁ । ସରକାରଙ୍କର ଏକ ପ୍ରମୁଖ କମିଶନର ଅଧ୍ୟକ୍ଷ ଶ୍ରୀ ଜାମୁଡ଼ା ଜିଲ୍ଲାପାଳମାନଙ୍କୁ ପ୍ରେରିତ ପତ୍ରରେ ଓଡ଼ିଶାର ଆଦିବାସୀମାନଙ୍କ ପ୍ରତି ହୋଇଥିବା ଧାରାବାହିକ ଅବିଚାର ଉପରେ କ୍ଷୋଭ ପ୍ରକାଶ କରି ଏହାକୁ ଅତିଶୀଘ୍ର ରୂପାୟନ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ମାତ୍ର ଦୀର୍ଘ ୧୧ ବର୍ଷ ବିତିଯାଇଥିଲେ ମଧ୍ୟ ଜିଲ୍ଲାପାଳମାନେ କାହିଁକି ଆଦିବାସୀ ଓ ବନବାସୀମାନଙ୍କର ସମସ୍ୟା ପ୍ରତି ଉଦାସୀନ ରହିଲେ ତାହା ଆଶ୍ଚର୍ଯ୍ୟର ବିଷୟ । ସରକାରୀ ଶାସନର ନାଲିଫିତା ତଳେ ଆଦିବାସୀମାନଙ୍କର ଭାଗ୍ୟ ବନ୍ଧା ପଡ଼ିଯାଇଛି । ବିଜେଡ଼ି ଶାସନରେ ଏଥିରୁ ମୁକୁଳିବାର ସମ୍ଭାବନା ନାହିଁ । କତିପୟ ଜିଲ୍ଲାପାଳ ଉପର ଠାଉରିଆ ଭାବେ କିଛି ନିଷ୍ପତ୍ତି ନେଇଥିବା ବେଳେ ୧୮ଟି ଜିଲ୍ଲାପାଳ ଏହି ଆଇନ୍ର ରୂପାୟନକୁ ସମ୍ପୂର୍ଣ୍ଣ ବେଖାତିର କରିଛନ୍ତି । ସରକାରୀ ନିର୍ଦ୍ଦେଶନାମାକୁ ଏଡ଼େଇ ଯାଇଛନ୍ତି । ଅତ୍ୟନ୍ତ ଯନ୍ତ୍ରଣାର ସହ ଜିଲ୍ଲାପାଳମାନଙ୍କୁ ତାଙ୍କ କର୍ତ୍ତବ୍ୟ ପରାୟଣତା ବିଷୟରେ କମିଶନର ଅଧ୍ୟକ୍ଷ ସଚେତନ କରାଇ ଦେଇଛନ୍ତି । ଦେଶର ଆଇନ୍ ଓ ସରକାରୀ ନିର୍ଦ୍ଦେଶକୁ ଚରମ ଉପେକ୍ଷା କରାଯିବା ସହ ଆଦିବାସୀମାନଙ୍କର ସ୍ୱାର୍ଥ ପ୍ରତି ଉପହାସ କରାଯାଇଛି ବୋଲି କମିଶନ କହିଛନ୍ତି । ଆଦିବାସୀମାନଙ୍କର ଖାଦ୍ୟ ଓ ପୁଷ୍ଟିକରଣର ସୁରକ୍ଷା ପ୍ରତି ପ୍ରଶାସନ ଆଖି ବୁଜି ଦେଇଛନ୍ତି । ଜନଜାତି ଯେଉଁମାନେ କି କ୍ଷୁଧା ତାଡ଼ନାରୁ ମୁକ୍ତି ପାଇଁ ସଂଗ୍ରାମ କରୁଛନ୍ତି, ସେମାନଙ୍କ ପ୍ରତି ଅଣଦେଖା କରାଯାଉଛି ଏବଂ ଉଦାସୀନତା ଅବଲମ୍ବନ କରାଯାଉଛି । ଜିଲ୍ଲାପାଳଙ୍କ ଅପରଗତା ଆଦିବାସୀ ଓ ଜନଜାତିମାନଙ୍କ ପ୍ରଗତିରେ ବାଧକ ସାଜିଛି । ପୂର୍ବତନ ପିସିସି ସଭାପତି ଶ୍ରୀ ଜେନା କହିଛନ୍ତି ଯେ, ନବୀନ ସରକାର ଆଦିବାସୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମନମୋହନ ସିଂ ସରକାର ଆଦିବାସୀମାନଙ୍କ ସ୍ୱାର୍ଥ ଓ ସୁରକ୍ଷା ପାଇଁ ଯେଉଁ ଜଙ୍ଗଲ ଅଧିକାର ଆଇନ୍-୨୦୦୬ ପ୍ରଣୟନ କରିଥିଲେ ତାହାକୁ ରୂପାୟନ କରିବାରେ ନବୀନ ସରକାର ଜାଣିଶୁଣି କାର୍ଯ୍ୟକାରୀ କରୁନାହାଁନ୍ତି । ଏଣୁ ନବୀନ ସରକାର ଆଦିବାସୀମାନଙ୍କର ଶତ୍ରୁ ବୋଲି ସେ ଅଭିଯୋଗ କରିଛନ୍ତି ।

Share :