ଏହା କ’ଣ ସୁରାଜ?

ଏହା କ’ଣ ସୁରାଜ?

Share :

  ୨୦୧୬ ଅଗଷ୍ଟ ୧୫ ତାରିଖରେ ଭାରତବାସୀ ପାଳନ କଲେ ସତୁରୀତମ ସ୍ବାଧୀନତା ଦିବସ। ୧୯୪୭ ଅଗଷ୍ଟ ୧୫ ମଧ୍ୟରାତ୍ରରେ ଭାରତବାସୀ ବ୍ରିଟିଶ  ଶାସନରୁ ମୁକ୍ତ ହୋଇଥିଲେ। ଏହା ପରେ ବିତିଗଲାଣି ୬୯ ବର୍ଷ। ସେତେବେଳେ ସ୍ବାଧୀନତା ସଂଗ୍ରାମୀଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ସ୍ବରାଜ। ଏଇ ଲକ୍ଷ୍ୟରେ ଗୋପାଳକୃଷ୍ଣ ଗୋଖଲେ ଗର୍ଜନ କରିଥିଲେ, ସ୍ବରାଜ ହେଉଛି ମୋର ଜନ୍ମଗତ ଅଧିକାର। ତାଙ୍କର ଏହି ଗର୍ଜନଙ୍କୁ ଭାରତର ପ୍ରତି ଗଳିକନ୍ଦିରେ ପହଂଚାଇଥିଲେ ମୋହନଦାସ କରମଚାନ୍ଦା ଗାନ୍ଧୀ।   ଆଜି ସ୍ବାଧୀନତାର ୬୯ ବର୍ଷ ପରେ ଭାରତ ସ୍ବରାଜ ପାଇଛି ସତ କିନ୍ତୁ ସୁରାଜ ଆସି ନାହିଁ। ବରଂ ସ୍ବାଧୀନତାର ବୟସ ବଢ଼ିବା ସଙ୍ଗେସଙ୍ଗେ କୁରାଜ ବା କୁଶାସନର ଉଦାହରଣ ଓ ଉପଲକ୍ଷ୍ୟ ବଢ଼ିବଢ଼ି ଚାଲିଛି। ଏଇ ସକାଶେ ସତୁରୀତମ ସ୍ବାଧୀନତା ଦିବସରେ ଐତିହାସିକ ଲାଲକିଲ୍ଲାର ପ୍ରାଚୀର ଉପରୁ ଦେଶବାସୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବରାଜରୁ ସୁରାଜ୍ୟର ଯାତ୍ରା ପାଇଁ ଆହ୍ବାନ ଦେଇଛନ୍ତି।   ସୁରାଜ ହେଉଛି ସୁଶାସନ। ଭାରତରେ ପୂର୍ବରୁ ଲୋକପ୍ରିୟ ଥିବା ରାମରାଜ୍ୟର ଆଧୁନିକ ପ୍ରତିଶବ୍ଦ ହେଲା ସୁରାଜ। ପ୍ରଧାନମନ୍ତ୍ରୀ ମୋଦିଙ୍କ କଥାରୁ ଏହା ସ୍ପଷ୍ଟ ଯେ ଭାରତରେ ଏଯାଏଁ ସୁରାଜ ଆସିନାହିଁ। କେବଳ ସେ ଯେ ଏହା ଅନୁଭବ କରୁଛନ୍ତି ତାହା ନୁହେଁ। ଭାରତର କୋଟିକୋଟି ଜନତାଙ୍କ ପାଇଁ ସୁରାଜ କ୍ରମଶଃ ଏକ ଅସ୍ପଷ୍ଟ ସ୍ବପ୍ନରେ ପରିଣତ ହୋଇଚାଲିଛି। ଦୁର୍ନୀତି, ଭ୍ରଷ୍ଟାଚାର, ପ୍ରିୟାପ୍ରୀତି ତୋଷଣ, ପକ୍ଷପାତ, ଅନ୍ୟାୟ, ଅତ୍ୟାଚାର, ହିଂସା, ଆତଙ୍କବାଦ, ଶୋଷଣ, କଷଣ, ଦମନ, ଦଣ୍ଡ, ସାମାଜିକ ଓ ଆର୍ଥନୀତିକ ବିଭାଜନ, ସାଂପ୍ରଦାୟିକ ବିଦ୍ବେଷ ଆଦି ଶାସନର ଚରିତ୍ର ହୋଇଯାଇଛି। ଯେକୌଣସି ଦଳ ବା ମେଣ୍ଟ ସରକାର ଗଢ଼ୁ ନା କାହିଁକି ଶାସନର ଚରିତ୍ର ବଦଳୁ ନାହିଁ। ପରିବର୍ତ୍ତନର ସ୍ଲୋଗାନ କେବଳ ଶାସକ ଦଳ ପରିବର୍ତ୍ତନରେ ସୀମୀତ ରହିଯାଉଛି। ଶାସନ ଓ ସରକାରର ମୌଳିକ ଚରିତ୍ର ବଦଳୁ ନାହିଁ।   ଏବେକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯେ କେବଳ ଏହା ଦିଶିଲା ତାହା ନୁହେଁ। ତାଙ୍କ ପୂର୍ବରୁ ଯେତେ ପ୍ରଧାନମନ୍ତ୍ରୀ ଆସିଛନ୍ତି ଓ ଯାଇଛନ୍ତି ସମସ୍ତେ ଏହା ଜାଣିଛନ୍ତି। କିନ୍ତୁ ସୁରାଜ ପ୍ରତିଷ୍ଠା କରିବା ଦିଗରେ ଶାସନ ବ୍ୟବସ୍ଥାରେ ଆବଶ୍ୟକ ଥିବା ମୌଳିକ ସଂସ୍କାର କେହି ଆଣିବାକୁ ଚେଷ୍ଟା କରିନାହାନ୍ତି। ପ୍ରଧାନମନ୍ତ୍ରୀ ମୋଦି ଯେ ତାହା ନିଷ୍ଠାର ସହିତ କରିବେ ତାଙ୍କ ହାବଭାବରୁ ସେ ସଂକେତ ମିଳୁ ନାହିଁ। ଗୁଜରାଟରେ ତାଙ୍କର ପ୍ରାୟ ୧୫ ବର୍ଷର ଶାସନ ଓ ପ୍ରଧାନମନ୍ତ୍ରୀ ଭାବେ ଦୁଇ ବର୍ଷର ଭାଷଣବାଜି ଓ କାର୍ଯ୍ୟକଳଳାପରୁ ସେ ଯେ ସୁରାଜ କ’ଣ ବୁଝିଛନ୍ତି ତାହା ପ୍ରତୀତ ହେଉ ନାହିଁ। ସୁରାଜ ଶବ୍ଦକୁ ବାରମ୍ବାର ଉଚ୍ଚାରଣ କରିବା ସୁରାଜ ନୁହେଁ। ସ୍ବଚ୍ଛ ଓ ନ୍ୟାୟପୂର୍ଣ୍ଣ ଶାସନ ପ୍ରତିଷ୍ଠା କରିବା ହେଉଛି ସୁରାଜ।   ଦୁର୍ନୀତି ବିରୋଧୀ ଲୋକପାଳ ଆଇନକୁ ଦୁର୍ବଳ କରିବା, ଏ ଆଇନ ପ୍ରଣୀତ ହେବାର ଦୁଇ ବର୍ଷ ପରେ ମଧ୍ୟ ଲୋକପାଳ ନିଯୁକ୍ତ ନକରିବା, ଦରବୃଦ୍ଧି ଓ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ବଦଳରେ ଏହାକୁ ବଡ଼ ବ୍ୟବସାୟୀ ଓ ସରକାରୀ କର୍ମଚାରୀଙ୍କ ଫାଇଦାରେ ପରିଣତ କରିବା ଆଦି ସ୍ବଚ୍ଛ ଓ ନ୍ୟାୟପୂର୍ଣ୍ଣ ଶାସନର ଲକ୍ଷଣ ନୁହେଁ। କୃଷି, କାରିଗରୀ ଓ ଅନ୍ୟନ୍ୟ ପାରମ୍ପାରିକ ବୃତ୍ତି ଓ ବେଉସା ବୁଡ଼ାଇ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ  ଏକଚାଟିଆ କାରବାରକୁ ପ୍ରୋତ୍ସାହିତ କରିବା କଦାଚିତ ସୁରାଜ ଆଣିବ ନାହିଁ। ସଂସଦ ଓ ବିଧାନସଭା ପାଇଁ ଗରୀବ ଓ ନିଷ୍ପେଷିତ ବର୍ଗର ଅଧିକରୁ ଅଧିକ ଲୋକଙ୍କୁ ପ୍ରାର୍ଥୀ କରିବା ପରିବର୍ତ୍ତେ ସାରା ଜୀବନ ଲୋଭ ଓ ଲାଭ ଉପରେ ଗୁରୁତ୍ବ ଦେଇ ଆସିଥିବା ଧନୀ ଓ ପୁଂଜିପତିଙ୍କୁ ଅଧିକ ସଂଖ୍ୟାର ଦଳ ଓ ସରକାରର କ୍ଷମତା ପ୍ରଦାନ କରିବା କଦାପି ସୁରାଜର ସଂକେତ ହୋଇନପାରେ।   ଜମି, ଜଳ, ଜଙ୍ଗଲର ଘରୋଇକରଣ କରିବା କ’ଣ ସୁରାଜ? ଜନଗଣଙ୍କ ଖାଦ୍ୟ ସାମଗ୍ରୀର ବିପଣନ ଭାର ବଡ଼ ବେପାରୀଙ୍କୁ ଦେବା କ’ଣ ସୁରାଜ? ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବଡ଼ ଓ ବହୁ ରାଷ୍ଟ୍ରୀୟ କମ୍ପାନୀଙ୍କୁ ଲାଇସେନ୍ସ ଦେବା କ’ଣ ସୁରାଜ? ଶିଳ୍ପ ଓ ସହର ବିକାଶ ନାମରେ ପୃକୃତି ଓ ପରିବେଶର ଧ୍ବଂସ ସାଧନ କରିବା କ’ଣ ସୁରାଜ?   ବହୁ ବର୍ଷର ସଂଗ୍ରାମ ପରେ ଜନ ସାଧାରଣ ହାସଲ କରିଥିବା ସୂଚନା ଅଧିକାର ଆଇନକୁ ଦୁର୍ବଳ ଓ ପଙ୍ଗୁ କରିବା କ’ଣ ସୁରାଜ? ଶିକ୍ଷା ଓ କାମ କରିବାର ଅଧିକାରକୁ ସୁଦୃଢ଼ କରିବା ପରିବର୍ତ୍ତେ ଦୁର୍ବଳ କରିବା କ’ଣ ସୁରାଜ? ସାଧାରଣ ଲୋକଙ୍କ ମୌଳିକ ଆବଶ୍ୟକତା ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରର ଘରୋଇକରଣ କରିବା କି ପ୍ରକାର ସୁରାଜ?   ଏଇ ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ପ୍ରଦେଶଗୁଡ଼ିକର ୩୪ ପ୍ରତିଶତ ମନ୍ତ୍ରୀ ହେଉଛି ଦାଗୀ, ବିଭିନ୍ନ ଅପରାଧରେ ଅଭିଯୁକ୍ତ। ଏହା ସେମାନେ ନିଜେ ସ୍ବୀକାର କରିଛନ୍ତି। ପ୍ରାର୍ଥୀଙ୍କ ପରିଚୟ ଜାଣିବା ପାଇଁ ଭାରତର ମୁଖ୍ୟ ନିର୍ବାଚନ କମିଶନ ଜାରି କରିଥିବା ଆଦେଶ ମୁତାବକ ସେମାନେ ନିଜର ପ୍ରାର୍ଥୀପତ୍ରରେ ଏଭଳି ତଥ୍ୟ ଦେଇଛନ୍ତି। ଏବେ ଭାରତର ୨୯ଟି ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଂଚଳରେ ୬୨୦ ଜଣ ମନ୍ତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୬୦୯ ଜଣ ମନ୍ତ୍ରୀଙ୍କ ପ୍ରାର୍ଥିପତ୍ର ତର୍ଜମା କରି ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ସଂସ୍ଥା କହିଛି ଯେ ଏମାନଙ୍କ ମଧ୍ୟରୁ ୨୧୦ ଜଣଙ୍କ ନାମରେ ଅପରାଧମୂଳକ ଅଭିଯୋଗ ରହିଛି। ସେହିପରି ମୋଦିଙ୍କ କେନ୍ଦ୍ର ସରକାରରେ ଥିବା ୭୮ ମନ୍ତ୍ରୀଙ୍କ ମଧ୍ୟରୁ ୨୪ ଜଣଙ୍କ ବିରୋଧେର ଫୌଜଦାରୀ ଅଭିଯୋଗ ରହିଛି। ଏମାନେ ହେଲେ ମନ୍ତ୍ରିମଣ୍ଡଳର ୩୧ ପ୍ରତିଶତ। ରାଜ୍ୟଗୁଡ଼ିକର ୧୧୩ ଜଣ ଏବଂ କେନ୍ଦ୍ରର ୧୪ ଜଣ ମନ୍ତ୍ରୀଙ୍କ ବିରୋଧରେ ଗମ୍ଭୀର ଫୌଜଦାରୀ ଅଭିଯୋଗ ରହିଛି।   ଏହି ରିପୋର୍ଟ ଅନୁସାରେ ମହାରାଷ୍ଟ୍ରର ୧୮, ବିହାରର ୧୧, ତେଲେଙ୍ଗାନାର ୯, ଝାଡ଼ଖଣ୍ଡର ୯, ଦିଲ୍ଲୀର ୪ ଏବଂ ଉତ୍ତରାଖଣ୍ଡର ୨ ମନ୍ତ୍ରୀଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ରହିଛି। ଓଡ଼ିଶାର ୨୨ ମନ୍ତ୍ରୀରୁ ୫ ଜଣଙ୍କ ବିରୋଧରେ ଅଭିଯୋଗ ରହିଥିବା ରିପୋର୍ଟରୁ ଜଣାପଡ଼ିଛି। ଅପରାଧ ଅଭିଯୁକ୍ତ ଲୋକମାନେ ଶାସନ କ୍ଷମତାରେ ରହିବା କ’ଣ ସୁରାଜ?   ସେହିପରି ଗରୀବଙ୍କ ଦେଶରେ ଧନୀ ଲୋକମାନେ କ୍ଷମତା ଗ୍ରହଣ କରିବା କେଉଁ ପ୍ରକାର ସୁରାଜ? ଏବେ ବି ଭାରତର ୯୦ ପ୍ରତିଶତ ଲୋକ ଆୟକର ଦାଖଲ କରିବା ଅସମର୍ଥ। ଦେଶର ପ୍ରାୟ ୩୦ ପ୍ରତିଶତ ଦାରିଦ୍ର୍ୟ ସୀମାରେଖା ତଳେ ଥିବାବେଳେ ବାକି ପ୍ରାୟ ୬୦ ପ୍ରତିଶତ ନିମ୍ନ ଓ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀରେ ଅନ୍ତର୍ଭୁକ୍ତ। କିନ୍ତୁ ଜନ ସାଧାରଣଙ୍କ ଜୀବନ ଧାରଣ ମାନ ଦୃଷ୍ଟିରୁ ବିଚାର କଲେ ଦେଶର ପ୍ରାୟ ୫୦ ପ୍ରତିଶତ ଲୋକ ଅଭାବ କଷଣ ମଧ୍ୟରେ ଜୀବନ ବଂଚୁଥିବା ସ୍ପଷ୍ଟ ହୋଇଥାଏ।   ଏଭଳି ସ୍ଥିତିରେ ପ୍ରଦେଶଗୁଡ଼ିକର ୭୬ ପ୍ରତିଶତ ମନ୍ତ୍ରୀ ହେଉଛନ୍ତି କୋଟିପତି। ପ୍ରଦେଶ ଓ କେନ୍ଦ୍ର ଶାସିତ ଅଂଚଳର ମୋଟ ୬୨୦ ମନ୍ତ୍ରୀଙ୍କ ମଧ୍ୟରୁ ତର୍ଜମା ହୋଇଥିବା ୬୦୯ ଜଣଙ୍କ ମଧ୍ୟରେ ଅଛନ୍ତି ୪୬୨ ଜଣ କୋଟିପତି। ଏହା ସେମାନଙ୍କେ ସ୍ବୀକାରୋକ୍ତି ଆଧାରିତ ତଥ୍ୟ। ଏମିତି ବି ବହୁ ବିଧାୟକ ନିଜର ସଂପତ୍ତି ଗୋପନ ରଖି କୋଟିପତିର ପରିଚୟ ଦେଇ ନଥିବା ଅସ୍ବାଭାବିକ ନୁହେଁ। ଏସବୁ ମନ୍ତ୍ରୀମାନଙ୍କର ହାରାହାରି ସଂପତ୍ତି ମୂଲ୍ୟ ହେଉଛି ୮.୫୯ କୋଟି ଟଙ୍କା। ସେହିପରି କେନ୍ଦ୍ର ମନ୍ତ୍ରୀମାନଙ୍କର ହାରାହାରି ସଂପତ୍ତି ମୂଲ୍ୟ ହେଉଛି ୧୨.୯୪ କୋଟି ଟଙ୍କା। ଅରୁଣାଚଳ ପ୍ରଦେଶ, ପଂଜାବ ଓ ପୁଡ଼ୁଚେରୀର ସମସ୍ତ ମନ୍ତ୍ରୀ କୋଟିପତି ହୋଇଥିବାବେଳେ କର୍ଣ୍ଣାଟକର ୯୭ ପ୍ରତିଶତ, ରାଜସ୍ଥାନ, ଗୋଆ, ମେଘାଳୟ ଓ ଛତିଶଗଡ଼ର ୯୨ ପ୍ରତିଶତ ମନ୍ତ୍ରୀ କୋଟିପତି। ଆନ୍ଧ୍ର ପ୍ରଦେଶ ମନ୍ତ୍ରୀମାନଙ୍କର ହାରାହାରି ସଂପତ୍ତି ମୂଲ୍ୟ ୪୫.୪୯ କୋଟି ହୋଇଥିବାବେଳେ କର୍ଣ୍ଣାଟକର ୩୬.୯୬ କୋଟି ଓ ଅରୁଣାଚଳ ପ୍ରଦେଶର ୩୨.୬ କୋଟି ଟଙ୍କା। ଏହା କ’ଣ ସୁରାଜ? ଗଣତନ୍ତ୍ରର ପ୍ରାଚୀନ ପ୍ରବକ୍ତା ଆରିଷ୍ଟୋଟଲ୍ କହିଥିଲେ ଧନୀ ନୁହେଁ ଗରୀବ ଲୋକମାନେ କ୍ଷମତା ରହିବା ହେଉଛି ଗଣତନ୍ତ୍ର।   ଭାରତରେ କି ପ୍ରକାର ସୁରାଜ ଚାଲିଛି ସେ ସଂପର୍କରେ ଅନ୍ୟ ଏକ ମଜାଦାର ତଥ୍ୟ ହେଉଛି ଏଠି ଅପରାଧ ଅଭିଯୁକ୍ତ ମନ୍ତ୍ରୀମାନଙ୍କ ସଂପତ୍ତି ପରିମାଣ ଅପରାଧ ଅଭିଯୋଗ ମୁକ୍ତ ମନ୍ତ୍ରୀମାନଙ୍କଠାରୁ ଅଧିକ। ଆସୋସିଏସନ ଫର ଡେମୋକ୍ରାଟିକ ରିଫମର୍ସ ବା ଏଡିଆର ରିପୋର୍ଟ ଅନୁସାରେ ଅପରାଧିକ ମାମଲା ଥିବା ମନ୍ତ୍ରୀମାନଙ୍କର ହାରାହାରି ସଂପତ୍ତି ମୂଲ୍ୟ ୯.୫୨ କୋଟି ଟଙ୍କା ହୋଇଥିବାବେଳେ ଅପରାଧିକ ମାମଲା ମୁକ୍ତ ମନ୍ତ୍ରୀମାନଙ୍କର ହାରାହାରି ସଂପତ୍ତି ମୂଲ୍ୟ ହେଉଛି ୮.୧୦ କୋଟି ଟଙ୍କା। ଏହା କି ପକ୍ରାର ସୁରାଜ?   ଭାରତର ଜନସଂଖ୍ୟାରେ ମହିଳା ଓ ପୁରୁଷଙ୍କ ଅନୁପାତ ପ୍ରାୟ ସମାନ। ଦେଶରେ ପ୍ରତି ୧୦୦୦ ପୁରୁଷଙ୍କ ପାଇଁ ୯୭୦ ଯାଏଁ ମହିଳା ଅଛନ୍ତି। କିନ୍ତୁ ଭାରତୀ ଗଣତନ୍ତ୍ରରେ ସେମାନଙ୍କ ପାଇଁ ଏହି ଅନୁପାତରେ ସ୍ଥାନ ନାହିଁ। ଏବେ ପ୍ରଦେଶଗୁଡ଼ିକର ୬୦୯ ମନ୍ତ୍ରୀଙ୍କ ମଧ୍ୟରୁ ମାତ୍ର ୫୧ ଜଣ ହେଉଛନ୍ତି ମହିଳା। ଏହା କ’ଣ ସୁରାଜ?

Share :