ହଜିଯାଉଛି ଦେଶପ୍ରେମ!

ହଜିଯାଉଛି ଦେଶପ୍ରେମ!

Share :

ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ପୂର୍ବତନ ମନ୍ତ୍ରୀ   କ୍ଷମତାଲିପ‍୍‌ସୁ ଇଂରେଜମାନେ ବଣିଜ କରୁକରୁ ଭୟଙ୍କର ଷଡ଼ଯନ୍ତ୍ର ଏବଂ ବିଚକ୍ଷଣ କୁଟଚକ୍ରାନ୍ତ ବଳରେ ଭାରତକୁ ଦଖଲ କରିନେଇଥିଲେ। ବିଭାଜନ ଓ ଶାସନରେ ବିଶ୍ୱାସ ରଖୁଥିବା ଇଂରେଜମାନଙ୍କର ବିଶ୍ୱାସଘାତକତା ସମ୍ମୁଖରେ ଭାରତର ସରଳ ନିରୀହ ରାଜା ଏବଂ ପ୍ରଜାମାନେ ହାର ମାନିଥିଲେ। ଫଳରେ ସମଗ୍ର ଭାରତକୁ ପରାଧୀନତାର ଶୃଙ୍ଖଳାରେ ବାନ୍ଧି ରଖି ଇଂରେଜମାନେ ଭାରତୀୟଙ୍କ ସ୍ୱାଧୀନତାରେ ସୂର୍ଯ୍ୟାସ୍ତ ଆଣିଥିଲେ।   ମାତ୍ର ସବୁ ପାପର କ୍ଷୟ ଥାଏ। ସବୁ ଅନ୍ୟାୟର ଅନ୍ତ ହୁଏ। ତେଣୁ ଭାରତୀୟମାନେ କାଳକ୍ରମେ ଦେଶପ୍ରେମରେ ଉଦ‍୍‌ବୁଦ୍ଧ ହେଲେ ଏବଂ ବ୍ରିଟିଶ ଶାସକ ବିରୁଦ୍ଧରେ ଏକତ୍ରିତ ହୋଇ ସ୍ୱାଧୀନତା ଆନ୍ଦୋଳନର ବିଗୁଲ ବଜାଇଲେ। ଶେଷରେ ମହାତ୍ମା ଗାନ୍ଧୀ, ସୁବାଷ ଚନ୍ଦ୍ର ବୋଷ, ଜବାହାରଲାଲ ନେହରୁ, ବଲ୍ଲଭଭାଇ ପଟେଲ, ରାଜେନ୍ଦ୍ର ପ୍ରସାଦ, ଆମ୍ୱେଦକର, ମୌଲନା ଆବୁଲ କାଲାମ, ମହମ୍ମଦ ଅଲ୍ଲୀ ଜିନ୍ନା, ଓଡିଶାର ଲକ୍ଷ୍ମଣ ନାୟକ, ଗୋପବନ୍ଧୁ, ମଧୁବାବୁ, ହରେକୃଷ୍ଣ ମହତାବ ଏବଂ ବିଜୁ ବାବୁଙ୍କ ଉଦ୍ୟମ ଫଳରେ ଦେଶପ୍ରେମୀମାନେ ଏକ ହୋଇ ଦୁର୍ବାର ଆନ୍ଦୋଳନ ଆରମ୍ଭ କଲେ। ଇଂରେଜମାନେ ଉପାୟ ନପାଇ ଭାରତକୁ ସ୍ୱାଧୀନ କରିବା ପାଇଁ ନିଷ୍ପତ୍ତି ନେଲେ। ମାତ୍ର ବିଭାଜନ ଓ ଶାସନର ମନ୍ତ୍ରକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ଇଂରେଜମାନେ ଭାରତକୁ ସ୍ୱାଧୀନତା ଦେବା ବେଳେ ମଧ୍ୟ ବିଭାଜନର ବୀଜ ବପନ କରିଦେଲେ। ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଜିଦ‌ ଯୋଗୁ ଭାରତ ଦୁଇଖଣ୍ଡ ହୋଇ ଭାରତ ଓ ପାକିସ୍ଥାନରେ ପରିଣତ ହେଲା।   ବହୁ ଲୋକଙ୍କର ତ୍ୟାଗ ଓ ବଳିଦାନ ଯୋଗୁ ୧୯୪୭ ମସିହା ୧୫ ଅଗଷ୍ଟ ଦିନ ସ୍ୱାଧୀନତାର ସୂର୍ଯ୍ୟୋଦୟ ଦେଖିଥିବା ଭାରତରେ ସରକାର ଗଢ଼ିବା ପାଇଁ ନିର୍ବାଚନ ହେଲା। ଯେଉଁମାନେ ସ୍ୱାଧୀନତା ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ନିର୍ବାଚନ ଲଢି ଶାସନ କ୍ଷମତାରେ ରହିଲେ। ମହାତ୍ମା ଗାନ୍ଧୀଙ୍କ ଇଚ୍ଛା ଓ ଇସାରାରେ ଜବାହାରଲାଲ ନେହେରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୪୯ ମସିହା ନଭେମ୍ୱର ମାସ ୨୬ ତାରିଖ ଦିନ ଆମ ଦେଶ ପାଇଁ ସମ୍ୱିଧାନ ପ୍ରଣୟନ ହେଲା ଓ ତାହା ୧୯୫୦ ମସିହା ଜାନୁଆରୀ ମାସ ୨୬ ତାରିଖ ଦିନଠାରୁ କାର୍ଯ୍ୟକାରୀ ହେଲା। ସମ୍ୱିଧାନର ମୁଖବନ୍ଧରେ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପ ନିଆଯାଇଥିଲା।   ସ୍ୱାଧୀନତା ପରବର୍ତ୍ତୀ କାଳରେ ନେତାମାନଙ୍କଠାରେ ଥିଲା ଜାତୀୟତାବୋଧ, ଦେଶପ୍ରେମ ଏବଂ ସମୂହ ସ୍ୱାର୍ଥ। ସେମାନେ ଦେଶର ସ୍ୱାର୍ଥ ପାଇଁ ସ୍ୱପ୍ନ ଦେଖୁଥିବା ବେଳେ ନିଜସ୍ୱାର୍ଥକୁ ପଛକୁ ଠେଲି ଦେଉଥିଲେ। ଗାନ୍ଧୀବାଦ ମନ୍ତ୍ରରେ ବିଶ୍ୱାସ ରଖି ସେମାନେ ସରଳ ଜୀବନଯାପନ କରୁଥିଲେ। ସଦାସର୍ବଦା ଲୋକଙ୍କ ସହ ମିଶୁଥିଲେ, ଲୋକଙ୍କ ପାଇଁ କାମ କରୁଥିଲେ ଏବଂ ଲୋକଙ୍କ ଭିତରୁ ହିଁ ଆସୁଥିଲେ। ଭୋଗ ଅପେକ୍ଷା ତ୍ୟାଗର ବିଶ୍ୱାସ କରୁଥିଲେ। ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣର ଲୋକ ଥିଲେ ମଧ୍ୟ ବିଭିନ୍ନତା ଭିତରେ ଏକତା ଥିଲା ଭାରତର ଶ୍ରେଷ୍ଠତ୍ୱ। ଜନମତ ପ୍ରତି ସମ୍ମାନ ଦେବା, ଭ୍ରଷ୍ଟାଚାର, ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ନେତାମାନଙ୍କର େଧ୍ୟୟ ଥିଲା। ତେଣୁ ଭାରତ ଏକ ବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ସମଗ୍ର ପୃଥିବୀରେ ପରିଚିତ ଥିଲା।   ଆଜି ଭାରତ ସ୍ୱାଧୀନତା ପ୍ରାପ୍ତିର ୬୯ ବର୍ଷ ପରେ ଦେଶରେ ଅନେକ କରି ପରିବର୍ତ୍ତନ ଘଟିଛି। ଦେଶରେ ଯେତିକି ବିକାଶ ଘଟିଛି ତାହାକୁ ତାଳଦେଇ ଦୁର୍ନୀତି, ଭ୍ରଷ୍ଟାଚାର, ବେକାରୀ, ବେରୋଜଗାରୀ ବଢ଼ିଛି। ଉଗ୍ରବାଦ ଆତଙ୍କବାଦ ନିଜର କାୟାବିସ୍ତାର କରିଛି। ପୁଞ୍ଜିବାଦର କବଳରେ ଆଜି ସମସ୍ତେ କବଳିତ। ଧନୀ ଓ ଗରିବ ମଧ୍ୟରେ ତାରତମ୍ୟ ବଢ଼ିବାରେ ଲାଗିଛି। ତେଣୁ ସମାଜବାଦ ପ୍ରତିଷ୍ଠା ଆଜି ସ୍ୱପ୍ନରେ ପରିଣତ ହୋଇଯାଇଛି। ବର୍ତ୍ତମାନ ନେତାମାନେ ଦେଶର ସ୍ୱାର୍ଥ କଥା ଚିନ୍ତା କରିବା ପରିବର୍ତ୍ତେ ନିର୍ବାଚନ ଜିତି ବିଧାୟକ, ସାଂସଦ, ରାଜ୍ୟ କିମ୍ୱା କେନ୍ଦ୍ରରେ ମନ୍ତ୍ରୀ ହେବା ଅଧିକ ଆଗ୍ରହ ଦେଖାଉଛନ୍ତି।   ଅବଶ୍ୟ ରାଜନୀତି ଏବଂ ପଦପଦବୀ ମାଧ୍ୟମରେ ଦେଶବାସୀଙ୍କ ପାଇଁ କାମ କରିବାର ଏକ ସୁଯୋଗ ଭାବେ ବିଚାର କରାଯାଇଥାଏ, କିନ୍ତୁ ସମାଜ, ଦେଶ କଥାକୁ ପଛରେ ପକାଇ ପ୍ରଥମେ ଦଳୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ଉକ୍ତ ଉକ୍ତିର ପରିପନ୍ଥୀ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଅପେକ୍ଷା ହାଇକମାଣ୍ଡ ବାଦ ଉପରେ ରାଜନୈତିକ ଦଳମାନେ ଅଧିକ ବିଶ୍ୱାସ କରୁଛନ୍ତି। ଏହା ଗଣତାନ୍ତ୍ରିକ ପଦ୍ଧତିକୁ ଅଧିକ ଦୁର୍ବଳ କରୁଛି। ଦକ୍ଷତା ଏବଂ ଅଭିଜ୍ଞତାକୁ ବାଦଦେଇ ଅନୁଗତ୍ୟତା ଏବଂ ହାତଟେକା ପଣକୁ ଉଭୟ ସରକାରୀ ଏବଂ ଦଳୀୟ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉଛି। ଲୋକମାନଙ୍କ ସାଙ୍ଗରେ ରହି ସମାଜ ପାଇଁ ସଂଗ୍ରାମ କରୁଥିବା ବ୍ୟକ୍ତି ବା ଅନୁଷ୍ଠାନମାନେ କ୍ରମଶଃ ଗୌଣ ହେବାକୁ ଲାଗିଲେଣି। ବର୍ତ୍ତମାନର ଚିନ୍ତା ନାୟକମାନେ ଦେଶ, ସମାଜ, ରାଜ୍ୟର ସ୍ୱାର୍ଥକୁ ପଛରେ ରଖି ସମ୍ପତ୍ତି ଆହରଣ କଥାକୁ ଅଗ୍ରାଧିକାର ଦେଉଛନ୍ତି। ନିର୍ବାଚନ ବ୍ୟୟବହୁଳ ହୋଇଯାଉଥିବାରୁ ଲୋକମାନଙ୍କ ପାଇଁ ଦିନରାତି ଏକ କରୁଥିବା ସମାଜସେବୀ ନେତାଙ୍କ ପରିବର୍ତ୍ତେ ଧନାର୍ଢ଼୍ୟ ବ୍ୟକ୍ତି, ଠିକାଦାର, ଟେଣ୍ଡର ମାଫିଆ, କଳାବଜାରୀମାନେ ନିର୍ବାଚିତ ହୋଇ ନେତା ହେବାର ସ୍ୱପ୍ନ ଦେଖୁଛନ୍ତି। ତେଣୁ ଗଣତନ୍ତ୍ର ସମାଜବାଦ ଅପେକ୍ଷା ପୁଞ୍ଜିବାଦ ଦ୍ୱାରା କବଳିତ ହୋଇଯାଉଛି।   ଦେଶର ବୃହତ୍ତର ସ୍ୱାର୍ଥ ପରିବର୍ତ୍ତେ ଶସ୍ତା ଲୋକପ୍ରିୟତା ଏବଂ ଭୋଟ ହାତେଇବା ପାଇଁ ଯୋଜନା ପରେ ଯୋଜନା ପ୍ରଣୀତ ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ୱାଧୀନତା ପ୍ରାପ୍ତିର ସମୟ ଯେତିକି ପୁରୁଣା ହୋଇ ହୋଇଯାଉଛି, ଆମମାନଙ୍କ ମଧ୍ୟରେ ମଣିଷ ପଣିଆଁ ସେତିକି ହଜି ହଜିଯାଉଛି। ଦୟା, କ୍ଷମା, ପରୋପକାର, ଉଦାରତା, ଭାଇଚାରା ଭାବ ଆଜି ଦିଗଭ୍ରଷ୍ଟ ହୋଇଯାଇଛି। ସନ୍ଥକବି ଭୀମ ଭୋଇଙ୍କର ପବିତ୍ର ବାକ୍ୟ ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ’ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ କିମ୍ୱା ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଦେଶଭକ୍ତିର ଉକ୍ତି ‘ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ, ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼, ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼’ ଏ ପ୍ରକାର ଅନୁଚିନ୍ତା ଆଜି ରାଜନୀତିକ ବ୍ୟକ୍ତି କାହିଁକି ସମସ୍ତଙ୍କ ନିକଟରେ ନିଷ୍ପ୍ରଭ ହୋଇଯାଉଛି।   ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ଦେଶଭକ୍ତ ନାୟକମାନଙ୍କର ସ୍ୱପ୍ନ ଏବଂ ଆଜିର ରାଜନୀତିଜ୍ଞମାନଙ୍କର ସ୍ୱପ୍ନ ମଧ୍ୟରେ ଆକାଶପାତାଳ ପ୍ରଭେଦ ପରିଲକ୍ଷିତ ହେଉଛି। ସେଦିନର ସେବା ପଣିଆଁ ଆଜି ନେବା ମନୋବୃତ୍ତିରେ ପରିଣତ ହୋଇଛି। ଦେଶଭକ୍ତି ଭାବନା ଆଜି ଆତ୍ମ ତୁଷ୍ଟିରେ ପରିବର୍ତ୍ତିତ ହୋଇଛି। ତଥାପି ଆଜିର ପବିତ୍ର ସ୍ୱାଧୀନତା ଦିବସରେ ଏତିକି କାମନା କରିବି ରାଜନୀତିଜ୍ଞ, ସମାଜସେବୀ, ସରକାରୀ କଳ ତଥା ସମସ୍ତ ଜନସାଧାରଣ ଦେଶ ଭକ୍ତିର ଭାବନା ନିଜ ମନରେ ଉଦ୍ରେକ କରନ୍ତୁ। ଉତ୍ତର ପିଢ଼ି ପାଇଁ ଅନେକ ତ୍ୟାଗ, ବଳିଦାନ, ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କର ସ୍ୱପ୍ନକୁ ସାକାର କରି ଏ ଦେଶ, ରାଜ୍ୟ ଓ ସମାଜର ଉନ୍ନତି ପାଇଁ କାମ କରନ୍ତୁ ଏବଂ ସମାଜର ନିମ୍ନସ୍ତରରେ ଥିବା ଲୋକମାନଙ୍କୁ ଉପରକୁ ଉଠାଇବା ପାଇଁ ଚେଷ୍ଟା କରି ଭାରତକୁ ଏକ ସମାଜବାଦୀ ଓ ପ୍ରଗତିପୂର୍ଣ୍ଣ ରାଷ୍ଟ୍ରରେ ପରିଣତ କରନ୍ତୁ। ଜୟ ହିନ୍ଦ୍।   ପ୍ଲଟ ନଂ - ୪୫୧, ନୟାପଲ୍ଲୀ, ଭୁବନେଶ୍ୱର-୧୨, ମୋ : ୯୪୩୭୦୨୭୨୨୩

Share :