ପଂଚାୟତ ପାଇଁ ନେତା ତତ୍ପର

ପଂଚାୟତ ପାଇଁ ନେତା ତତ୍ପର

Share :

ସୁଧାକର ପାଣ୍ଡେ   ମୁଣ୍ଡ ଉପରେ ୨୦୧୭ ପଞ୍ଚାୟତ ନିର୍ବାଚନ। ନିଜ ନିଜର ପରାକାଷ୍ଠା ଦେଖାଇବା ନେଇ ସୁନ୍ଦରଗଡ଼ ଜିଲ୍ଲାରେ ଏବେ ସବୁ ରାଜନୈତିକ ଦଳ ଅଣ୍ଟା ଭିଡ଼ିଲେଣି। ଶାସକ ବିଜେଡ଼ି ନିଜର ଛବି ଅକ୍ଷୁର୍ଣ୍ଣ ରଖିବାର କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନି। ତେବେ ବିଜେଡ଼ିର ବିକଳ୍ପ ଭାବେ ନିଜକୁ ପ୍ରସ୍ତୁତ କରୁଥିବା ବିଜେପି ଏଣିକି ନୂଆ ରଣନୀତି ଜରିଆରେ ପଞ୍ଚାୟତଠୁ ଜିଲ୍ଲା ପରିଷଦ ହାତେଇବାକୁ ଆପ୍ରାଣ ଉଦ୍ୟମ କଲାଣି। ସେହିଭଳି କ୍ଷମତାରୁ ଦୂରରେ ରହିଥିବା କଂଗ୍ରେସ ମଧ୍ୟ ନିଜର ଶକ୍ତି ବୃଦ୍ଧି ପାଇଁ ପାଗ ଭିଡ଼ି ସାରିଥିବା ବେଳେ ଏବେଠାରୁ ପଂଂଚାୟତ ଅବଗଣନା ଆରମ୍ଭ ହୋଇଯାଇଛି।   ବିଗତ ୧୬ ବର୍ଷ ଧରି ବିଜେଡ଼ି ରାଜ୍ୟ ଶାସନରେ ରହିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଳାରେ ନିଜର ପ୍ରଭାବ ବିସ୍ତାର କରିବାରେ ବିଫଳ ହୋଇଛି। ଏଠାରେ ତୃଣମୂଳ ସ୍ତରରୁ ନବୀନଙ୍କ ଲୋକପ୍ରିୟତା ରହିଥିଲେ ସୁଦ୍ଧା କ୍ରମାଗତ ଭାବେ ରଣନୀତି ଫେଲ‌୍‍ ମାରୁଥିବାରୁ ବିଜେଡ଼ି ନେତାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଗତ ସାଧାରଣ ନିର୍ବାଚନରେ ବି ଦଳର ସମସ୍ତ ଉଦ୍ୟମ ସତ୍ତ୍ୱେ ସଫଳତା ଯଥା ପୂର୍ବ ତଥା ପରଂ ସ୍ଥିତିରେ ରହିଯାଇଥିଲା। ନବୀନ ପଟ୍ଟନାୟକଙ୍କ ସବୁ ଅସ୍ତ୍ର ପ୍ରୟୋଗ ପାଣିରେ ମିଳେଇ ଯାଇଥିଲା। ତେବେ ୨୦୧୨   ପଞ୍ଚାୟତ ନିର୍ବାଚନରେ ସ୍ଥାନୀୟ ଜିଲ୍ଲା ପରିଷଦ ହାତେଇବାରେ ସକ୍ଷମ ହୋଇଥିଲା ବେଳେ ପରିଷଦ ଗଠନରେ ଦଳୀୟ ସଭାପତିଙ୍କ ପ୍ରାଧାନ୍ୟକୁ ସେତେଟା ଗୁରୁତ୍ୱ ଦିଆ ନ ଯାଇ ସାରଦାଙ୍କ ଆଙ୍ଗୁଳି ଚଳିଥିଲା। ତେବେ ଦଳୀୟ ସଭାପତି ଭାବେ ପୁନର୍ବାର ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଶାନ ଆସୀନ ହୋଇଥିଲେ ସୁଦ୍ଧା ଦଳରେ ତାଙ୍କର ପ୍ରଭାବ କ୍ରମଶଃ ମଳିନ ହୋଇ ଯାଉଥିବା ଏବଂ ଏହା ଦ୍ୱାରା ସାଙ୍ଗଠନିକ ସ୍ଥିତି ଦୁର୍ବଳ ହୋଇପଡ଼ୁଥିବା ପରିଲକ୍ଷିତ ହୋଇଛି। ସୁନ୍ଦରଗଡ଼ ରାଜନୈତିକ ଜିଲ୍ଲାରେ ବିଜେଡ଼ିରେ ବିଭିନ୍ନ ଗୋଷ୍ଠୀର ଅଭ୍ୟୁଦୟ ହୋଇ ସାରିଥିବା ବେଳେ ଏହା ଦ୍ୱାରା ତୃଣମୂଳ ସଂଗଠନ ମଧ୍ୟ ପ୍ରଭାବିତ ହେବାରେ ଲାଗିଛି। ଖୋଦ‌୍‍ ସଭାପତି ମଙ୍ଗଳାବାବୁଙ୍କ ନିର୍ବାଚନମଣ୍ଡଳୀରେ ଦଳୀୟ କନ୍ଦଳ ସାଙ୍ଗଠନିକ ସ୍ଥିତିରେ ବିପର୍ଯ୍ୟୟ ସୃଷ୍ଟି କରିଥିବା ବେଳେ ସୁନ୍ଦରଗଡ଼ ଓ ତଳସରା ନିର୍ବାଚନମଣ୍ଡଳୀରେ ପଞ୍ଚାୟତ ଓ ବ୍ଲକ ସ୍ତରୀୟ ସଙ୍ଗଠନ ଉଦ‌୍‍ବେଗଜନକ ସ୍ଥିତିରେ ପହଞ୍ଚିଛି। ମଙ୍ଗଳାବାବୁ ପୁନର୍ବାର ସଭାପତି ମଣ୍ଡନ କରିବାର ପ୍ରାୟ ୪ ମାସ ଅତିକ୍ରାନ୍ତ ହୋଇଗଲାଣି, କିନ୍ତୁ ସାଙ୍ଗଠାନିକ ସ୍ଥିତିରେ କୌଣସି ସୁଧାର ହୋଇ ପାରୁନି।   କେବଳ ସୁନ୍ଦରଗଡ଼ ରାଜନୈତିକ ଜିଲ୍ଲା ନୁହେଁ, ରାଉରକେଲାରେ ମଧ୍ୟ ଏବେ ରାଜ୍ୟସଭା ସାଂସଦ ଦିଲୀପ ତିର୍କୀଙ୍କ ପ୍ରଭାବ ବୃଦ୍ଧି ପାଇଛି। ସାରଦାଙ୍କ ଗୋଷ୍ଠୀ ମଧ୍ୟ ସାଙ୍ଗଠାନିକ କ୍ଷେତ୍ରରେ ବେଶ‌୍‍ ସଚେତନ ରହି ଯୁବଗୋଷ୍ଠୀଙ୍କୁ ଆପଣେଇବାରେ ସଫଳ ହୋଇଥିବା ବେଳେ ସୁନ୍ଦରଗଡ଼ରେ ଗତ ବିଧାନସଭା ଅବ୍ୟବହିତ ପୂର୍ବରୁ ଉଲ୍‌କା ଭଳି ଉଭା ହୋଇ ବିଜେଡ଼ିର ମଙ୍ଗ ଧରିବା ସହିତ ବିଧାନସଭାର ପ୍ରାର୍ଥୀ ହୋଇଥିବା କୁସୁମ ଟେଟେ ମଧ୍ୟ ଏଠାରେ ନିଜର ଏକ ଶକ୍ତ ସ୍ୱତନ୍ତ୍ର ଗୋଷ୍ଠୀ ସୃଷ୍ଟି କରିବାକୁ ସକ୍ଷମ ହୋଇଛନ୍ତି। ତୃଣମୂଳ ସ୍ତରରେ ନିଜର ଆଧିପତ୍ୟ ଜାହିର ପାଇଁ ସେ ଉଦ୍ୟମ ଜାରୀ ରଖିଛନ୍ତି। ତେବେ ଦଳରେ ଦେଖାଦେଇଥିବା ଏହି ଚତୁର୍ଗୋଷ୍ଠୀ ବିବାଦ ଦଳୀୟ ସଂଗଠନକୁ ନିଶ୍ଚିତ ଭାବେ ପ୍ରଭାବିତ କରିବା ସହିତ ମଙ୍ଗଳାବାବୁଙ୍କ ରଣନୀତି ଭେଦ କରିବା କରିବାର ସମ୍ଭାବନା ରହିଛି। ଦଳୀୟ ସଙ୍ଗଠନର ସୁଦୃଢତା ପାଇଁ ଦଳ ପକ୍ଷରୁ ଏଠାରେ ସେଭଳି କିଛି ଠୋସ‌୍‍ କାର୍ଯ୍ୟକ୍ରମ ଗ୍ରହଣ କରାଯାଉ ନ ଥିବା ବେଳେ ଶାସନରେ ଥାଇ କର୍ମୀଙ୍କ ଥଇଥାନ ହୋଇ ନ ପାରିବା ଆଉ ଏକ ସମସ୍ୟା ସୃଷ୍ଟି କରିଛି।   ଅପରପଟେ, କେନ୍ଦ୍ର ଗାଦିରେ ଥିବା ବିଜେପି ଅନବରତ ଭାବେ ସାଙ୍ଗଠାନିକ ସ୍ଥିତିରେ ଉନ୍ନତି କରୁଥିବା ପରିଲକ୍ଷିତ ହୋଇଛି। ମୋଦି ସରକାରଙ୍କ ଅଭିନବ ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ସମେତ ବିଭିନ୍ନ ଜନକଳ୍ୟାଣ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ଲୋକପ୍ରିୟତା ହାସଲ ପାଇଁ ଉଦ୍ୟମ ଜାରୀ ରଖିଥିବା ବେଳେ ଶାସକ ବିଜେଡ଼ିର ବିଫଳତା ଉପରେ ଭୋଟରଙ୍କୁ ପ୍ରଭାବିତ କରିପାରିଛି। ସେହିଭଳି ପଞ୍ଚାୟତ ନିର୍ବାଚନକୁ ନେଇ ଆରମ୍ଭ ହୋଇଥିବା ଜନକଲ୍ୟାଣ ଅଭିଯାନ ବି ଲୋକଙ୍କ ମଧ୍ୟରେ କିଛିଟା ସଚେତନତା ଓ ଲୋକପ୍ରିୟତା ଆଣିଥିବା ପରିଲକ୍ଷିତ ହୋଇଛି।   ସେହିଭଳି ସୁନ୍ଦରଗଡ଼ ଏବଂ ତଳସରା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବିଧାୟକ କ୍ଷମତାରେ ରହିଥିବାରୁ ଦଳୀୟ କର୍ମୀଙ୍କ ଥଇଥାନ ହେବା ସହିତ ବିଭିନ୍ନ ଯୋଜନା ଓ ପାଣ୍ଠି ମାଧ୍ୟମରେ ଗ୍ରାମାଞ୍ଚଳରେ ବିକାଶ ସମ୍ଭବ ହୋଇ ପାରିଛି। ଯାହାକି କଂଗ୍ରେସକୁ ବେଶ‌୍‍ ସୁହାଉଛି। ତୃଣମୂଳ ସ୍ତରରେ କଂଗ୍ରେସର ସାଙ୍ଗଠାନିକ ସ୍ଥିତି ଏବେ ବି ମଜବୁତ‌୍‍ ରହିଥିବା ସ୍ଥଳେ ଆବଶ୍ୟକ ନେତୃତ୍ୱର ଅଭାବ ଯୋଗୁଁ ପଞ୍ଚାୟତ ଓ ବ୍ଲକ‌୍‍ ସ୍ତରରେ ସଂଗଠନ ମୁଣ୍ଡ ଟେକି ପାରୁନି।   ଗତ କଂଗ୍ରେସ ଭବନ ଉଦ‌୍‍ଘାଟନୀ ସମୟରେ କର୍ମୀଙ୍କ ଅଦ୍ଭୁତ ସମାବେଶ ଦଳ ପ୍ରତି ଥିବା କର୍ମୀଙ୍କ ସହାନୁଭୂତିର ସ୍ପଷ୍ଟ ପରିଚୟ ଦେଇଥିଲା। ତେବେ ଦଳୀୟ ନେତାଙ୍କ କ୍ରମାଗତ ଗୋଡ଼ଟଣା ରାଜନିତୀ ସେମାନଙ୍କୁ କିଛିଟା ବିତସ୍ଫୃହ କରିଥିବା ଏବଂ ସେମାନେ ବାଧ୍ୟବାଧକତାରେ ବାଟବଣା ହେଉଥିବା ସମୀକ୍ଷାରୁ ଜଣାଯାଏ।   ତେବେ ଆଗାମୀ ପଞ୍ଚାୟତ ନିର୍ବାଚନ ତଥା ଜିଲ୍ଲା ପରିଷଦକୁ ହାତେଇବା ପାଇଁ ସବୁ ଦଳ ଶକ୍ତି ପ୍ରୟୋଗ କରିବାକୁ ସହକଳ୍ପ ବଦ୍ଧ ଥିବା ବେଳେ ଶାସକ ବିଜେଡ଼ି ପୂର୍ବ ସମ୍ମାନ ବଜାୟ ରଖିବ ନା’ ନାହିଁ ତାହା ଏବେ ରାଜନୈତିକ ମହଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମଙ୍ଗଳା ବାବୁ ମଧ୍ୟ ଏହି ନିର୍ବାଚନକୁ ଆଖି ଆଗରେ ରଖି ନିଜର ନେତୃତ୍ୱ ଜାହିର କରି ପାରି ନ ଥିବା ସ୍ଥଳେ ନବୀନଙ୍କ ଲୋକପ୍ରିୟତାର ଫାଇଦା ଉଠାଇ ପାରୁ ନାହାନ୍ତି। ସାଂସଦ ଦିଲୀପ ତିର୍କୀ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ସମେତ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ତୋଫାନୀ ଗସ୍ତ କରି ନିଜର ଦକ୍ଷତାର ପରିଚୟ ଦେବା ସହିତ ଜିଲ୍ଲାରେ ଦଳର ସ୍ଥିତିକୁ ସୁଧାରିବାକୁ ଉଦ୍ୟମ କରୁଛନ୍ତି। ତେବେ କୌଣସି ଗୋଷ୍ଠୀ କି କୌଣସି ନେତା ଏହି ନିର୍ବାଚନକୁ ଆଖି ଆଗରେ ରଖି ସେଭଳି କାର୍ଯ୍ୟକ୍ରମ ଆପଣେଇ ପାରି ନ ଥିବା ବେଳେ ସଙ୍ଗଠନର ସୁଦୃଢତା ଦିଗରେ ଗୁରୁତ୍ୱ ନ ଦେବା ଦଳକୁ  ନିଶ୍ଚିତ ଭାବେ କଡ଼ା ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ରାଜନୈତିକ ସମୀକ୍ଷକଙ୍କ ମଧ୍ୟରେ ଆଲୋଚ୍ୟର ବିଷୟ ହୋଇଛି। 

Share :