କେତେ ହତ୍ୟା, କେତେ କମିଶନ?

କେତେ ହତ୍ୟା, କେତେ କମିଶନ?

Share :

ଜୁଲାଇ ୮, ୨୦୧୬। କନ୍ଧମାଳ କୁର୍ତ୍ତମଗଡ଼ ଅଂଚଳର କେତେ ଜଣ ଆଦିବସୀ ଓ ଦଳିତ ବହୁଦିନ ଧରି ବକେୟା ଥିବା ନିଜର ଏମଜିଏନଆରଜିଏ ମଜୁରୀ ପାଇଁ ବାଲିଗୁଡ଼ା ଯାଇଥିଲେ। ବାଲିଗୁଡ଼ାରେ ବ୍ୟାଙ୍କ ଲିଙ୍କ୍ ନଥିବାରୁ ସେମାନଙ୍କୁ ଟଙ୍କା ମିଳିବାରେ ବିଳମ୍ବ ହେଲା। ଉପର ଓଳି ଟଙ୍କା ମିଳିବା ପରେ ସେମାନେ କିଛି କିଣାକିଣି କରି ଭଡ଼ା ଅଟୋ ରିକ୍ସାରେ ଗାଁକୁ ଫେରୁଥିଲେ। ବାଟରେ ବର୍ଷା ହୋଇ ରାସ୍ତା କାଦୁଅ ହୋଇଯାଇଥିଲା। ଗୋଟିଏ ଛୋଟ ପୋଲ ପାଖରେ ଆପ୍ରୋଚ ରୋଡ଼ ଦବି ଯାଇଥିଲା। ତେଣୁ ଅଟୋକୁ ଟେକି ଓ ପେଲି ପୋଲ ଉପରକୁ ଉଠାଇବାକୁ ପଡ଼ିଲା।   ଏମିତି ବହୁ ପ୍ରକାର କଷ୍ଟ ଓ ଯନ୍ତ୍ରଣା ସହିତ ସେମାନେ ଗାଁ ପାଖାପାଖି କୁର୍ତ୍ତମଗଡ଼ ଜଙ୍ଗଲ ପାଖରେ ପହଂଚିବା ବେଳକୁ ରାତି ପ୍ରାୟ ୮ଟା ହୋଇଯାଇଥିଲା। ସେମାନଙ୍କ ଅଟୋ ଜଙ୍ଗଲ ରାସ୍ତାରେ ପହଂଚିଛି କି ନାହିଁ ଲୁଚି ରହିଥିବା ପୁଲିସ ବାହିନୀ ଆରମ୍ଭ କରିଦେଲେ ଆଖିବୁଜା ଗୁଳିମାଡ଼। ସେଇଠାରେ ଟଳି ପଡ଼ିଲେ ଦୁଇ ମହିଳା ଓ ଜଣେ ଦେଢ଼ ବର୍ଷର ଶିଶୁଙ୍କ ସମେତ ୫ ଜଣ। ପୁଲିସ ଏମାନଙ୍କୁ ମାଓବାଦୀ ଭାବିଥିଲା। କିନ୍ତୁ ଘଟଣା ଘଟିବା ପରେ କନ୍ଧମାଳ ଏସପି ପିନାକ ମିଶ୍ର କହିଲେ ସେଠାର ମାଓବାଦୀ ଅଛନ୍ତି ବୋଲି ଖବର ପାଇ ଆମେ ଆମ୍ବୁସ ଲଗାଇଥିଲୁ। ଆମ୍ବସ ଅର୍ଥାତ ହଠାତିଆ ଲୁଚାଛପା ଆକ୍ରମଣ। ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ଭିତରେ ଅଟୋ ପଶି ଆସିବାରୁ ଲୋକେ ମଲେ। ଯଦିଓ ସେଠାରେ ମାଓବାଦୀ ଥିବା କି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିବାର କୌଣସି ପ୍ରମାଣ ନାହିଁ।   ପୁଲିସ ଗୁଳିରେ ଘଟଣାସ୍ଥଳରେ କୁକାଲ ଦିଗାଲ(୪୫), ଦେହେଚ ଦିଗାଲ(୨), ବୁଡୁମ୍ୱିଲି ମଳିକ(୩୫), ମିଡିଆଲି ମଳିକ(୩୭) ଓ ଲୁଟ ଦିଗାଲଙ୍କ ମୃତ୍ୟୁ ଘଟିଥିଲା। ଏହି ଅଟୋ ରିକ୍ସାରେ ମୋଟ ୧୦ ଜଣ ଲୋକ ଥିଲେ। ଗୁଳିମାଡ଼ରେ ଆହତ କାପୁରା ମଳିକ, ସୁନୀତା ଦିଗାଳ, ସଲିଲ ଦିଗାଳ, ଗଡିସ ଦିଗାଳଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିଗୁଡା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ ଓ କଟକ ସ୍ଥାନାନ୍ତର କରାଯାଇଛି। ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳର ଉତ୍ତ୍ୟକ୍ତ ଜନତା ଟାୟାର ଜାଳି ଅବରୋଧ ୨୨୪ ନମ୍ୱର ଜାତୀୟ ରାଜପଥ ଅବରୋଧ କରିବା ସହିତ ମୃତକଙ୍କ ପରିବାରଙ୍କୁ ୫୦ ଲକ୍ଷ କ୍ଷତିପୂରଣ, ଏସପିଙ୍କୁ ନିଲମ୍ୱନ ଓ ଦୋଷୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ଓ ସିଆରପିଏଫ କ୍ୟାମ୍ପ ହଟାଇବାକୁ ଦାବି କରିଥିଲେ।   କନ୍ଧମାଳ ଏସପି ପିନାକ ମିଶ୍ର କହିଥିଲେ, ଏହା ଏକ ସମ୍ୱେଦନଶୀଳ ଘଟଣା। ଏହି ଘଟଣାକୁ ଆମେ ଗମ୍ଭୀରତାର ସହ ନେଉଛୁ। ପୁଲିସ ଓ ସାଧାରଣ ପ୍ରଶାସନ ଲୋକମାନଙ୍କୁ ବୁଝାଶୁୁଝା କରିଛନ୍ତି। ନିୟମ ଅନୁଯାୟୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ। ଏ ଘଟଣାର ଯେକୌଣସି ପ୍ରକାର ତଦନ୍ତର ସମ୍ମୁଖୀନ ହେବାକୁ ପୁଲିସ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି। ସେହିପରି ଆଇଜି ଅମିତାଭ ଠାକୁର କହିଥିଲେ, ରାତି ୮ଟା ସମୟରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା। ସେହି ସମୟରେ ଅଟୋରେ ଯାଉଥିବା ଯାତ୍ରୀଙ୍କୁ ଗୁଳି ବାଜିଥିଲା। ଏଥିରେ ସେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।   ଏପରି ଏକ ସମ୍ବେଦଶୀଳ ଘଟଣାରେ ସରକାର ବଦନାମ ହେବା ଆଶଙ୍କା କରି ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିବା ସହିତ ବିଚାର ବିଭାଗୀୟ ତଦନ୍ତ ଘୋଷଣା କରି ଚୁପ୍ ରହିଲେ। ବିଜେଡି ବୈଠକରେ ୫୦ ସେକେଣ୍ଡିଆ ଶୋକ ପାଳିଲେ। ବିରୋଧୀ ଏହାକୁ ଏକ ମଉକା ବୋଲି ଭାବି ନେଇ ସରକାରଙ୍କୁ ସମାଲୋଚନା କଲେ ଓ ଜୁଲାଇ ୧୧ ତାରିଖରେ କନ୍ଧମାଳ ବନ୍ଦ ପାଳନ କଲେ। ରାଜନୀତି ସରଗରମ ହେଲା।   କିନ୍ତୁ ଏହା ପରେ ବି କ’ଣ ଓଡ଼ିଶା ପୁଲିସର ଏପରି କାର୍ଯ୍ୟ ବନ୍ଦ ହେବ? ମାଓବାଦୀଙ୍କ ନାଁରେ ଆଉ କେତେ ନିରୀହ ଆଦିବାସୀଙ୍କୁ ହତ୍ୟା କରିବେ ଓଡ଼ିଶା ପୁଲିସ। ପୁଲିସର ଏପରି କାଣ୍ଡକାରଖାନା ଫଳରେ ନୂଆ ନୂଆ ମାଓବାଦୀ ସୃଷ୍ଟି ହେଉଛନ୍ତି ନା ନାହିଁ?   ପୂର୍ବରୁ କୋଟଗଡ ବ୍ଲକ ମାଦାଗୁଡା ପାଙ୍ଗଲପଦରରେ ମିଥ୍ୟା ଏନାକାଉଣ୍ଟରରେ ୨ ଜଣ ଦଳିତ ବର୍ଗର ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା। ଗାଁ ଭିତରେ ମୋବାଇଲ ନେଟୱାର୍କ ନଥିବାରୁ ଏହି ନିରୀହ ଦଂପତି ନିଜ ପୁଅ ସହ ମୋବାଇଲରେ କଥା ହେବା ପାଇଁ ଗାଁ ବାହାର ପାହାଡ଼ ଉପରକୁ ଯାଇଥିଲେ। ସେଠାରେ ସେମାନେ ଫୋନରେ କଥା ହେଉଥିବାବେଳେ ପୁଲିସ ସେମାନଙ୍କୁ ଗୁଳି କରିଥିଲା। ଏହି ଘଟଣା ଉପରେ ଆରଡିସି ସ୍ତରୀୟ ତଦନ୍ତ ଚାଲିଛି। ରିପୋର୍ଟ କେବେ ମିଳିବ କିଛି ଠିକଣା ନାହିଁ।   ୨୦୧୫ ନଭେମ୍ବର ୧୫ ତାରିଖରେ କଳାହାଣ୍ଡି ଜିଲା କର୍ଲାପାଟ ପାହାଡ଼ର ଅସାଙ୍ଗୁଡ଼ା ଜଙ୍ଗଲରେ ମଧ୍ୟ ସୁରକ୍ଷା କର୍ମୀଙ୍କ ଗୁଳି ମାଡ଼ରେ ୩ ଜଣ ନିରୀହ ଲୋକଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ସେମାନଙ୍କୁ ମାଓବାଦୀ ଭାବିଥିଲା। କିନ୍ତୁ ସେମାନେ ଥିଲେ ଗାଁର ସାଧାରଣ ଖଟିଖିଆ ଆଦିବାସୀ। ୨୦୧୨ ନଭେମ୍ୱର ୧୪ ତାରିଖରେ କନ୍ଧମାଳ ଓ ଗଂଜାମ ସୀମା ନିକଟସ୍ଥ ଭାଲିଆଗୁଡ଼ା ଜଙ୍ଗଲରେ ମିଥ୍ୟା ଏନାକାଉଣ୍ଟରରେ ୫ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଥିଲା। ୨୦୧୧ ଜାନୁଆରୀ ୨ ତାରିଖରେ ଯାଜପୁର ଜିଲ୍ଲା ଟମକାରେ ପୁଲିସ ଆକ୍ରମଣରେ ନିହତ ହୋଇଥିଲେ ଜଣେ ମହିଳାଙ୍କ ସମେତ ୫ ଜଣ ଆଦିବାସୀ। ସେମାନେ ମାଓବାଦୀ ନଥିଲେ।   ୨୦୦୯ ନଭେମ୍ବର ୨୦ ତାରିଖେର କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ ୩ ଜଣ ଆଦିବାସୀ, ଆହତ ହୋଇଥିଲେ ୧୫ ଜଣ। ସେମାନଙ୍କ ଦୋଷ ଥିଲା ସେମାନେ ପୁଲିସ ଦମନର ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ଭାବରେ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜବାବରେ ମିଳିଳା ଗୁଳିଚୋଟ। ୨୦୦୬ ଜାନୁଆରୀ ୨ ତାରିଖରେ ଘଟିଥିଲା ସ୍ବତନ୍ତ୍ର ଓଡ଼ିଶା ଇତିହାସରେ ସବୁଠୁ ବର୍ବରୋଚିତ ଗୁଳିକାଣ୍ଡ। ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଟାଟା କମ୍ପାନୀର ପ୍ରାଚୀର ନିର୍ମାଣକୁ ବିରୋଧ କରୁଥିବା ଆଦିବାସୀମାନଙ୍କ ଉପରେ ଗୁଳି ବର୍ଷଣ ହେବାରୁ ୧୪ ଜଣ ଆଦିବାସୀ ନିହତ ହୋଇଥିଲେ। ୨୦୦୧ ଅକ୍ଟୋବର ୩୧ ତାରିଖେର ନବରଙ୍ଗପୁର ଜିଲ୍ଲା ରେଙ୍ଗାଭାଟି ଅଂଚଳରେ ବାଂଲାଦେଶୀ ଅନୁପ୍ରବେଶକାରୀ ଓ ସ୍ଥାନୀୟ ଆଦିବାସଙ୍କ ମଧ୍ୟରେ ଚାଲିଥିବା ଉତ୍ତେଜନାରେ ପୁଲିସ ବାଂଲାଦେଶୀଙ୍କ ପକ୍ଷଭୁକ୍ତ ହୋଇ ଆଦିବାସୀଙ୍କ ଉପରକୁ ଗୁଳିମାଡ଼ କରିଥିଲା। ସେଥିରେ ନିହତ ହୋଇଥିଲେ ୩ ଜଣ ଆଦିବାସୀ।   ୨୦୦୦ ମାର୍ଚ୍ଚ ୫ ତାରିଖରେ ଓଡ଼ିଶାରେ କଂଗ୍ରେସ ସରକାରକୁ ହଟାଇ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଇଥିଲେ ନବୀନ ପଟ୍ଟନାୟ। ସେହିବର୍ଷ ଡିସେମ୍ବର ୧୬ ତାରିଖରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଥିବା ବିର୍ଲା ଗୋଷ୍ଠୀର ଉତ୍କଳ ଆଲୁମିନା କାରଖାନାକୁ ବିରୋଧ କରୁଥିବା ଆଦିବାସୀଙ୍କ ଉପରକୁ ମାଇକଞ୍ଚରେ ଗୁଳିବର୍ଷଣ ହେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।   ଏସବୁ କେତୋଟି ଉଦାହରଣ। ଏହା ବାହାରେ ମଧ୍ୟ ଅନେ ଆଦିବାସୀଙ୍କୁ ମାଓବାଦୀ ଓ ଶିଳ୍ପ ବିରୋଧୀ ନାମରେ ହତ୍ୟା କଲାଣି ଓଡ଼ିଶା ପୁଲିସ। କେତେକ ଘଟଣାରେ ଅନୁକମ୍ପା ସହାୟତା ମିଳିଛି, ଅଧିକ ଘଟଣାରେ ବିଲ୍‌କୁଲ୍‌ ସହାୟତା ଘୋଷଣା ହୋଇନାହିଁ। ଅଧିକାଂଶ ଘଟଣାରେ ତଦନ୍ତ କମିଶନ ଗଠନ କରାଯାଇଛି। କିନ୍ତୁ କୌଣସି ଘଟଣାରେ ଉପଯୁକ୍ତ ତଥା ନ୍ୟାୟସଙ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।   ଗତ ୧୬ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିପରି ୨୦ଟି ତଦନ୍ତ କମିଶନ ଘୋଷଣା କରିଛନ୍ତି। କେହି ନିର୍ଦ୍ଦିଷ୍ଟ ସମୟ ଭିତରେ ରିପୋର୍ଟ ଦେଇନାହାନ୍ତି। ୩-୬ ମାସ ଭିତରେ ଦିଆଯିବାକୁ ଥିବା ରିପୋର୍ଟ ପ୍ରସ୍ତୁତ ହେବାକୁ ୩-୬ ବର୍ଷ ଲାଗିଛି। ତା’ ସତ୍ତ୍ବେ ଆହୁରି ୫ଟି ତଦନ୍ତ କମିଶନ ରିପୋର୍ଟ ସରକାରଙ୍କୁ ମିଳି ନାହିଁ। ବାକି ୧୫ଟି ମିଳିଥିଲେ ତାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।

Share :