ରୁଦ୍ର ପ୍ରସନ୍ନ ରଥ ସାମାଜିକ ଗଣମାଧ୍ୟମ ଏବେ ଚାରିଆଡେ ଚର୍ଚ୍ଚାରେ। ଏହାର ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ପ୍ରଭାବ ଆମେ ସମସ୍ତେ ଊଣା ଅଧିକେ ଦେଖିସାରିଲେଣି। ଅଧିକରୁ ଅଧିକ ଲୋକ ଏବେ ସାମାଜିକ ଗଣମାଧ୍ୟମର ପରିଧି ଭିତରକୁ ଦୈନନ୍ଦିନ ଆସୁଛନ୍ତି। ପୁଣି ଦେଶ, ଜାତି, ବର୍ଣ୍ଣ ଏବଂ ଧର୍ମ ନିର୍ବିଶେଷରେ ଏହି ସାମାଜିକ ଗଣମାଧ୍ୟମ ଆମ ସମସ୍ତଙ୍କୁ ତା ଇଲାକା ମଧ୍ୟରେ ବିନା କୌଣସି ବାକ୍ୟ ବିନିମୟରେ ଗ୍ରହଣ କରିନେଉଛି। ଏହା କେବଳ ଆମର ବ୍ୟକ୍ତିସତ୍ତାକୁ ନୁହେଁ ବରଂ ଆମ ବନ୍ଧୁତ୍ୱ ସଂଜ୍ଞାକୁ ମଧ୍ୟ ପ୍ରଭାବିତ କରୁଛି। ଆଜିକାଲି ୧୮ ରୁ ୬୦ ବର୍ଷ ବୟସ୍କର ଲୋକମାନଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଲୋକଙ୍କ ହାତରେ ଥିବା ମୋବାଇଲରେ ଇଣ୍ଟରନେଟ ରହିଛି। ଇଣ୍ଟରନେଟ ସଂଯୋଗଥିବା ଟେଲିଫୋନ୍ ଯୋଗୁଁ ହିଁ ଜଣେ ବ୍ୟକ୍ତି ସହଜରେ ସଂପର୍କ ତିଆରି କରିବା ଏବଂ ଏହାକୁ ଜାରୀ ରଖିବା ଦିଗରେ ପ୍ରୋତ୍ସାହିତ ହେଉଛି। ମୋବାଇଲ ଫୋନର ବଟନ ଚିପିଲା ମାତ୍ରେ ଲୋକଟିଏ ନୂଆ ବନ୍ଧୁଟିଏ କରିବାକୁ ସୁଯୋଗ ପାଇ ଯାଉଛି। ବନ୍ଧୁ କରିବା ଏବଂ ବନ୍ଧୁତ୍ୱର ଧର୍ମକୁ ପାଳନ କରିବା ଆମ ମହାଭାରତୀୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଂଗ। ବନ୍ଧୁତ୍ୱର ଧର୍ମ ରକ୍ଷା କରିବାକୁ ଯାଇ ନିଜର ସର୍ବସ୍ୱକୁ ବାଜି ଲଗାଇ ଦେବାର ଉଦାହରଣ ମଧ୍ୟ ଏ ଦେଶରେ ବିରଳ ନୁହେଁ। କୃଷ୍ଣ-ସୁଦାମା, ଯୁଧିଷ୍ଟିର-ଶ୍ରୀକୃଷ୍ଣ, କର୍ଣ୍ଣ-ଦୁର୍ଯୋଧନଙ୍କ ପରି ବନ୍ଧୁତାର ବିରଳ ଉଦାହରଣ ବିଷୟରେ ପଢ଼ି ପଢ଼ି ଏ ଦେଶର ପୀଢ଼ି ପରେ ପୀଢ଼ି ତିଆରି ହୋଇ ସ୍ଖଲନ୍ତି। ଏହି ବନ୍ଧୁତ୍ୱର ପୃଷ୍ଠଭୂମିର ସାମାଜିକ ଗଣମାଧ୍ୟମ ଜନିତ ବନ୍ଧୁତ୍ୱକୁ ତର୍ଜମା କରିବାର ଆବଶ୍ୟକତା ରହିଛି। ପ୍ରଚଳିତ ପରମ୍ପରା ଅନୁଯାୟୀ ଶତ୍ରୁର ଶତ୍ରୁ ସବୁବେଳେ ଆମର ମିତ୍ର ହୋଇପାରେ ମାତ୍ର ବନ୍ଧୁର ବନ୍ଧୁ ଯେ ବନ୍ଧୁ ହୋଇ ରହିବ ତାହାର କୌଣସି ନିଶ୍ଚିତତା ନାହିଁ। ଏପରି ଅନେକ କ୍ଷେତ୍ରରେ ବନ୍ଧୁର ବନ୍ଧୁକୁ ଆମେ ବନ୍ଧୁତ୍ୱର ବାର୍ତ୍ତା ପଠାଇବାକୁ କୁଣ୍ଠାବୋଧ କରୁ ମାତ୍ର ସାମାଜିକ ଗଣମାଧ୍ୟମରେ ଏ କାମଟି ଖୁବ୍ ସହଜରେ କରାଯାଇପାରେ। କାରଣ ଏ କ୍ଷେତ୍ରରେ ବନ୍ଧୁତ୍ୱ ସ୍ୱୀକାର କରାନଗଲେ କିମ୍ୱା ଏଡାଇ ଦିଆଗଲେ ବାହାରେ ଧରା ପଡିବାର ଆଶଙ୍କା ପ୍ରାୟ କମ୍ ଥାଏ। ଆଉ ଯଦି ବନ୍ଧୁତ୍ୱର ଅନୁରୋଧ ସ୍ୱୀକାର କରାଗଲା ତେବେ ଆମ ଖୁସୀର ସୀମା ନଥାଏ। ସାମାଜିକ ଗଣମାଧ୍ୟମରେ ବନ୍ଧୁତ୍ୱକୁ ନେଇ କ’ଣ କରିହେବ ଏବଂ କ’ଣ କରିହେବ ନାହିଁ ତାହା ସମ୍ପୂର୍ଣ୍ଣ ଭାବେ ବନ୍ଧୁ ହୋଇଥିବା ଦୁଇ ବ୍ୟକ୍ତି ବିଶେଷଙ୍କ ମତ ଉପରେ ନିର୍ଭର କରେ। କେତେ ବେଳେ ଆରମ୍ଭ ହେଉଥିବା ଏହି ବନ୍ଧୁତ୍ୱ ଅଳ୍ପ କେତୋଟି ବାକ୍ୟ ବା ଭାବର ଆଦାନ ପ୍ରଦାନ ମଧ୍ୟରେ ସୀମିତ ରହି ଯାଇଥିବା ବେଳେ ଆଉ କେତେକ କ୍ଷେତ୍ରରେ ବନ୍ଧୁ ମାନେ ପରସ୍ପରକୁ ନଦେଖି ନଜାଣି ମଧ୍ୟ ଦୀର୍ଘ ଦିନ ଧରି ନିବିଡ ଆଉ ଘନିଷ୍ଟ ଭାବେ ସମ୍ପର୍କର ଡୋରିରେ ବାନ୍ଧି ହୋଇ ଚାଲିଥାନ୍ତି। ଅଷ୍ଟ୍ରିଆର ବନ୍ଧୁ ଆଫ୍ରିକାର ବନ୍ଧୁ ସହ ନିଜର ଭାବ ବିନିମୟ ଦୀର୍ଘ ଦିନ ଧରି କରିପାରେ। ପୁଣି ସାକ୍ଷୀ ଗୋପାଳର ପୁଅଟିଏ ସାନଫ୍ରାନସିସକୋର୍ ଝିଅକୁ ପ୍ରେମ କରିପାରେ। ପୁଣି କୋରିଆର ବନ୍ଧୁର ଚିକିତ୍ସା ପାଇଁ କଟକରୁ ଅର୍ଥ ପଠାଯାଇପାରେ। ତେଣୁ ସାମାଜିକ ଗଣମାଧ୍ୟମ ଯେ କେବଳ ବନ୍ଧୁତ୍ୱର ପରିଭାଷା ବଦଳାଇ ଦେଇଛି ତାହା ନୁହେଁ ବରଂ ଏହାର ସ୍ୱରୂପକୁ ବ୍ୟାପକତା ପ୍ରଦାନ କରିଛି। ଭାରତୀୟ ସଂସ୍କୃତିରେ ବନ୍ଧୁତ୍ୱକୁ ନେଇ ଅନେକ ଦର୍ଶନ ପ୍ରଚଳିତ। ଭାରୀତୀୟ ଦର୍ଶନ ଅନୁଯାୟୀ ଯିଏ ରାଜଦ୍ୱାରେ କିମ୍ୱା ଶ୍ମଶାନରେ ଠିଆ ହୁଏ ସିଏ ହେଉଛି ପ୍ରକୃତ ବନ୍ଧୁ। ଏହି ବନ୍ଧୁତ୍ୱ ଏଠାରେ କେବଳ ଆଗିଂକ ନୁହେଁ ବରଂ ଆତ୍ମିକ ମଧ୍ୟ। ସାମାଜିକ ଗଣମାଧ୍ୟମ ଦ୍ୱାରା ବନ୍ଧୁତ୍ୱର ଆଗିଂକ ନୁହେଁ କିମ୍ୱା ଆତ୍ମିକ ବି ନୁହେଁ। ଏହା ବୋଧହୁଏ କେବଳ ଭବଗତ। ଏହିଥିରେ ଭାବ ଗଦଗଦ ହୋଇ ବଂଧୁଙ୍କୁ କୁ‹ାଇ ପକାଇ ପାରିବେ ନାହିଁ, ତାଙ୍କ ଆମିା ପାଖରେ ପହଂଚି ହେବ ନାହିଁ ମାତ୍ର ନିଜର ଭାବ ଦ୍ୱାରା ବଂଧୁଙ୍କୁ ଆକୃଷ୍ଟ କରିହେବ। ଅନ୍ୟର ବିପଦ ଆପଦରେ ଆପଣ ତା ପାଖରେ ଅଛନ୍ତି ବୋଲି ଦର୍ଶାଇ ହେବ। ଆଉ ଏହା ହିଁ ସାମାଜିକ ଗଣମାଧ୍ୟମ ଜନିତ ବନ୍ଧୁତ୍ୱର ମୂଳ ପୁଂଜି ପାଲଟେ। ସାମାଜିକ ଗଣମାଧ୍ୟମରେ ବନ୍ଧୁତ୍ୱ ସ୍ଥାପନ କଲାବେଳେ ଯାହା ନିତାନ୍ତ ଜରୁରୀ ମନେହୁଏ ତାହା ହେଲା ଦୁଇ ବଂଧୁଙ୍କ ମଧ୍ୟରେ ବିଶ୍ୱାସ ଏବଂ ସମଦୃଷ୍ଟିକୋଣ। ଯଦି ବ୍ୟକ୍ତି ବିଶେଷ ପରସ୍ପରକୁ ବିଶ୍ୱାସ କରୁଛନ୍ତି ଏବଂ ବିଭିନ୍ନ ଘଟଣା ଉପରେ ଉଭୟଙ୍କର ଦୃଷ୍ଟିଭଙ୍ଗୀ ସମାନ ତେବେ ସେ କ୍ଷେତ୍ରରେ ଏହି ବନ୍ଧୁତ୍ୱ ଦୃଢ଼ ହୁଏ। ମାତ୍ର ଯଦି ଏହା ଅନ୍ୟଠୁ କିଛି ପାଇବା କିମ୍ୱା ଠକି ଦେବାର ମନୋବୃତ୍ତି ଉପରେ ପର୍ଯ୍ୟବେସିତ ହୋଇଥାଏ ତେବେ ଏ ବନ୍ଧୁତ୍ୱ ଅତୀବ କ୍ଷଣସ୍ଥାୟୀ ହୁଏ। ତେଣୁ ଯାହା ସାମାଜିକ ଜୀବନରେ ସତ୍ୟ ତାହା ସାମାଜିକ ଗଣମାଧ୍ୟମରେ ମଧ୍ୟ ସତ୍ୟ। ସାମାଜିକ ଜୀବନରେ ବନ୍ଧୁତ୍ୱ ଏକ ସଂଖ୍ୟା ନୁହେଁ। ଅର୍ଥାତ ଜଣଙ୍କର କେତେ ବନ୍ଧୁ ଅଛନ୍ତି ତାହାକୁ ନେଇ ହୁଏତ ଖୁବ୍ କମ ଲୋକ ଗର୍ବ କରୁଥିବେ ମାତ୍ର ସାମାଜିକ ଗଣମାଧ୍ୟମର ବନ୍ଧୁତ୍ବର ସଂଖ୍ୟାକୁ ନେଇ ଗର୍ବ କରୁଥିବା ଲୋକଙ୍କ ସଂଖ୍ୟା ଢ଼େର ଅଧିକ। ସାମାଜିକ ଗଣମାଧ୍ୟମରେ ଅଧିକ ବନ୍ଧୁ ଥିବା ଲୋକର ଖାତିର ଢ଼େର ଅଧିକା। ମାତ୍ର ଗୁଣାତ୍ମକ ବନ୍ଧୁତ୍ୱ ଏବଂ ପରିମାଣାମିକ ବନ୍ଧୁତ୍ୱର ଯେ ଏକ ବିଶାଳ ତଫାତ୍ ରହିଛି ତାହା ବନ୍ଧୁତ୍ୱକୁ ଭଲଭାବେ ବୁଝିଥିବା ଲୋକଟେ ସ୍ୱୀକାର କରିବେ। ସାମାଜିକ ଗଣମାଧ୍ୟମ ଓ ବନ୍ଧୁତ୍ୱ ପ୍ରସଙ୍ଗ ଆଲୋଚନା କଲାବେଳେ ଆମକୁ ଆଉ ଗୋଟିଏ ଚିତ୍ର ଏବଂ ଭୟଙ୍କର ସତ୍ୟର ସାମନା କରିବାକୁ ହୁଏ। ଯେଉଁ ସାମାଜିକ ଗଣମାଧ୍ୟମ ଦ୍ୱାରା ଆମେ ଅଦୃଶ୍ୟ ସମ୍ପର୍କ ସବୁକୁ ସ୍ଥାୟୀ କରିବାକୁ ମନପ୍ରାଣ ଢ଼ାଳି ଦେଉଛେ, ସେହି ଦୃଶ୍ୟ ବା ବର୍ତ୍ତମାନର ସମ୍ପର୍କ ବା ବନ୍ଧୁତ୍ୱକୁ ସାମାଜିକ ଗଣମାଧ୍ୟମ ଯୋଗୁଁ ହିଁ ପାଦରେ ଆଡେଇ ଦେଉଛେ। ନିଜ ବନ୍ଧୁ ସହ କ୍ୟାଣ୍ଟିନ୍ରେ ଖାଇଲାବେଳେ ଚା ଖଟିରେ ଚା ପିଇଲା ବେଳେ, ଅଫିସ୍ରେ କାମ କଲାବେଳେ ଆମେ ବନ୍ଧୁଙ୍କୁ ହିଁ କମ ଗୁରୁତ୍ୱ ଦେଉଛେ। ଆଉ ସେହି ସମୟରେ ଆମ ହାତ ଏବଂ ଆଖି ଆମ ହାତରେ ଥିବା ମୋବାଇଲର ସ୍କ୍ରିନ୍ ଉପରେ ସାମାଜିକ ଗଣମାଧ୍ୟମର ବନ୍ଧୁତ୍ୱ ସହ ବ୍ୟସ୍ତ ରହୁଛେ। ଆଉ ଆମ ଆଖି ଆଗରେ ବସିଥିବା ବନ୍ଧୁର କଥା କହିବାର ଶୈଳୀ, ତାହାର ଭାବଭଂଗୀ ଆଦିକୁ ଦେଖିବାରୁ ବଞ୍ଚିତ ହେଉଛେ। ଭବିଷ୍ୟତର ବନ୍ଧୁତ୍ୱ ଆଗରେ ବର୍ତ୍ତମାନର ବନ୍ଧୁତ୍ୱ ବନ୍ଧା ପଡିଲା ପରି ଲାଗୁଛି। ସାମାଜିକ ଗଣମାଧ୍ୟମ ଆମକୁ ଅଧିକରୁ ଅଧିକ ବନ୍ଧୁ ତିଆରି କରିବାକୁ ପ୍ରେରଣା ଯୋଗାଉଛି। ଆମର କ୍ଷମତାକୁ ବହୁଗୁଣିତ କରିଛି, ବନ୍ଧୁତ୍ୱର ଭୌଗୋଳିକ ସୀମାକୁ ବ୍ୟାପକ କରିଛି। ମାତ୍ର ଏହା ଯେପରି ବର୍ତ୍ତମାନର ବନ୍ଧୁମାନଙ୍କୁ ଭୁଲାଇବାରେ ଭୁଲ ନକରୁ। ତଥାପି ଏପରି ହେଲେ ଆମେ ସାମାଜିକ ଗଣମାଧ୍ୟମକୁ ଦୋଷ ଦେଇ ପାରିବା ନାହିଁ। କାରଣ ବନ୍ଧୁତ୍ୱ ଏବଂ ଏହାର ପରିପ୍ରକାଶ ଏକ କଳା ଏବଂ ଏହା ସମ୍ପୂର୍ଣ୍ଣ ରୂପେ ବ୍ୟକ୍ତି ଉପରେ ହିଁ ନିର୍ଭରଶୀଳ। ଧବଳଗିରି, ଯାଜପୁର ରୋଡ, ମୋ-୯୮୫୩୨୦୬୧୬୮