ସଭ୍ୟତାର ଅନ୍ତୁଡ଼ିଶାଳ ଭାରତ!

ସଭ୍ୟତାର ଅନ୍ତୁଡ଼ିଶାଳ ଭାରତ!

Share :

  ଏହା ଏମିତି ଏକ ପ୍ରମାଣ ଯାହା ଇତିହାସ ବଦଳାଇ ଦେଇ ପାରେ। ଇତିହାସ ବହି ଆଉ ଥରେ ଲେଖାଯିବାର ଅବସର ସୃଷ୍ଟି କରିପାରେ। ସିନ୍ଧୁ ଉପତ୍ୟକା ସଭ୍ୟତା ୫,୫୦୦ ବର୍ଷ ତଳର ନୁହେଁ; ଏହା ପ୍ରାୟ ୮,୦୦୦ ବର୍ଷର ପୁରୁଣା। ଏ ନେଇ ଠୋସ ପ୍ରମାଣ ପାଇଛନ୍ତି ଆଇଆଇଟି ଖଡ଼ଗପୁର ଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା। ଖ୍ରୀଷ୍ଟପୂର୍ବ ୭,୦୦୦ରୁ ଖ୍ରୀଷ୍ଟପୂର୍ବ ୩,୦୦୦ ମଧ୍ୟରେ ବିକଶିତ ହୋଇଥିବା ମିଶରୀୟ ସଭ୍ୟତା ଓ ଖ୍ରୀଷ୍ଟପୂର୍ବ ୬,୫୦୦ରୁ ଖ୍ରୀଷ୍ଟପୂର୍ବ ୩,୧୦୦ ମଧ୍ୟରେ ବିକଶିତ ହୋଇଥିବା ମୋସୋପଟାମିଆ ସଭ୍ୟତାଠାରୁ ମଧ୍ୟ ସିନ୍ଧୁ ଉପତ୍ୟକା ସଭ୍ୟତା ପୁରୁଣା। ଆହୁରି ପ୍ରମାଣ ମିଳିଛି ଯେ ହରପ୍ପା ସଭ୍ୟତାର ୧,୦୦୦ ବର୍ଷ ପୂର୍ବରୁ ମଧ୍ୟ ସେଠାରେ ଅନ୍ୟ ଏକ ସଭ୍ୟତା ବିକାଶ ଲାଭ କରିଥିଲା।   ସମଗ୍ର ବିଶ୍ୱରେ ଅତ୍ୟନ୍ତ ବିଶ୍ୱସନୀୟ ଓ ସମ୍ମାନଜନକ ସ୍ଥାନ ଅଧିକାର କରିଥିବା ‘ନେଚର’ ପତ୍ରିକାର ମେ ୨୫ ତାରିଖ ସଂସ୍କରଣରେ ଏ ସଂପର୍କରେ ଏକ ନିବନ୍ଧ ପ୍ରକାଶ ପାଇଛି। ଏହି ଲେଖା ପ୍ରକାଶ ପାଇବା ପରେ ସମଗ୍ର ବିଶ୍ୱରେ ‘ସଭ୍ୟତାର ଅନ୍ତୁଡ଼ିଶାଳ’ ନେଇ ରହିଥିବା ପୂର୍ବ ଇତିହାସର ପୁନର୍ଲିଖନ ନେଇ ଗମ୍ଭୀର ଚିନ୍ତାର ଅବକାଶ ସୃଷ୍ଟି ହୋଇଛି। ବୈଜ୍ଞାନିକମାନେ ଏହା ମଧ୍ୟ ଜାଣି ପାରିଛନ୍ତି ଯେ ପାଗ ପରିବର୍ତ୍ତନ ଜନିତ ଦୁର୍ବଳ ମୌସୁମୀ ପାଇଁ ପ୍ରାୟ ୩,୦୦୦ ବର୍ଷ ତଳେ ଏଇ ସଭ୍ୟତାର ଧ୍ୱଂସ ହେଲା।   ଏ ନେଇ ଆଇଆଇଟି ଖଡ଼ଗପୁରର ଭୂତତ୍ତ୍ୱ ଓ ଭୂପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଅନିନ୍ଦ୍ୟ ସରକାର କହିଛନ୍ତି, ଆମେ ଏଇ ସଭ୍ୟତାର ସବୁଠୁ ପୁରୁଣା ମାଟିପାତ୍ର ପାଇଛୁ। ଅପ୍ଟିକାଲି ଷ୍ଟିମୁଲେଟେଡ଼ ଲୁମିନିସେନ୍ସ ନାମକ ଏକ ପ୍ରଯୁକ୍ତି ପ୍ରୟୋଗ କରି ଏହି ମାଟିପାତ୍ରଗୁଡ଼ିକର ସମୟ ନିର୍ଣ୍ଣୟ କରାଯାଇଛି। ତାହା ୬୦୦୦ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି। ଏହା ପ୍ରାକ୍-ହରପ୍ପା ସଭ୍ୟତାର ପ୍ରମାଣ। ସାଂସ୍କୃତିକ ଦୃଷ୍ଟିକୋଣରୁ ପ୍ରାକ୍-ହରପ୍ପା ହାକ୍ରା ପର୍ଯ୍ୟାୟକୁ ୮୦୦୦ ବର୍ଷ ପୁରୁଣା ବୋଲି ନିର୍ଣ୍ଣୟ କରାଯାଇଛି। କାରଣ ମିଳିଥିବା ପାତ୍ରଗୁଡ଼ିକ ବିକଶିତ ହେବା ପୂର୍ବରୁ ନିଶ୍ଚୟ ୨୦୦୦ ବର୍ଷ ବିତି ଯାଇଥିବ।   ଏହି ଦୁଇ ସଂସ୍ଥାର ଗବେଷକମାନେ ହରପ୍ପା ଓ ମହେଞ୍ଜୋ ଦାରୋ ବାହାରେ ହରପ୍ପା ସଭ୍ୟତାର ପ୍ରମାଣ ଖୋଜୁ ଖୋଜୁ ଏହି ପ୍ରମାଣ ପାଇଛନ୍ତି। ଏମାନେ ପ୍ରଥମେ ବିଶ୍ୱାସ କରୁଥିଲେ ଯେ ଏବେ ପାକିସ୍ଥାନରେ ଥିବା ହରପ୍ପା ଓ ମହେଞ୍ଜୋ ଦାରୋ ସଭ୍ୟତା ହରିଆନାର ଭିର‍୍‌ରାନା ଓ ରାକ୍ଷିଗଡ଼ି ଏବଂ ଲୋଥାଲ, ଧୋଲାବିରା ଓ କାଲିବାଙ୍ଗାନ ଅଂଚଳ ଯାଏଁ ବ୍ୟାପ୍ତିଲାଭ କରିଥିଲା। ଏଇଆ ପ୍ରମାଣ କରିବା ପାଇଁ ସେମାନେ ଅନୁସନ୍ଧାନ ଆରମ୍ଭ କରି ପ୍ରଥମେ ଭିର‍୍‌ରାନାରେ ଖୋଳାଖୋଳି କରିଥିଲେ। ସେଠାରୁ ସେମାନେ ଏସବୁ ମାଟିପାତ୍ର ସହିତ ଗାଈ, ଛେଳି, ହରିଣ ଆଦି ପଶୁଙ୍କ ହାଡ଼ ମଧ୍ୟ ପାଇଥିଲେ। ଏହାକୁ କାର୍ବନ ୧୪ ପଦ୍ଧତିରେ ଅନୁଶୀଳନ କରାଯାଇଥିଲା। ଏଥିରେ ସହାୟତା କରିଥିଲେ ପୁନେସ୍ଥିତ ଡେକାନ କଲେଜର ଆରତୀ ଦେଶପାଣ୍ଡେ ମୁଖାର୍ଜୀ। ଅହମ୍ମଦାବାଦର ଫିଜିକାଲ ରିସର୍ଚ୍ଚ ଲାବୋରେଟୋରି ମଧ୍ୟ ଏଥିରେ ସହାୟତା କରିଥିଲେ। ଏହି ଅନୁଶୀଳନରୁ ଏସବୁ ପଶୁମାନେ କେଉଁ ସମୟରେ ଥିଲେ ଏବଂ ସେତେବେଳକାର ପାଗ ପରିବେଶ କ’ଣ ଥିଲା ତାହା ଜଣାପଡ଼ିଛି।   ଏହି ଗବେଷକମାନେ ବିଶ୍ୱାସ କରନ୍ତି ଯେ ସିନ୍ଧୁ ଉପତ୍ୟକା ସଭ୍ୟତା ଭାରତର ବ୍ୟାପକ ଅଂଚଳରେ ବିକାଶ ଲାଭ କରିଥିଲା। ଏହା ସିନ୍ଧୁ ଉପତ୍ୟକାରୁ ଅଧୁନା ବିଲୁପ୍ତ ସରସ୍ୱତୀ ବା ଘାଗରା-ହାକ୍ରା ନଦୀ ଉପତ୍ୟକା ଯାଏଁ ବିସ୍ତୃତ ଥିଲା। ଅନିନ୍ଦ୍ୟ ସରକାର କହନ୍ତି, ଏ ନେଇ ପୂର୍ବରୁ ଯାହା ଜଣାପଡ଼ିଛି ତାହା ବ୍ରିଟିଶ ସମୟର ପ୍ରତ୍ନତାତ୍ତ୍ୱିକ ଖନନ ଓ ଗବେଷଣାର ଉପଲବ୍ଧି। ଏହା ପରେ ଅଧିକ ଗବେଷଣା ହୋଇ ନଥିଲା। ଏହି ନୂତନ ଗବେଷଣାରୁ ସିନ୍ଧୁ ଉପତ୍ୟକା ସଭ୍ୟତାର ପ୍ରମୁଖ ତିନି ପର୍ଯ୍ୟାୟର ସାଂସ୍କୃତିକ ପ୍ରମାଣ ମିଳିଛି। ଖ୍ରୀଷ୍ଟପୂର୍ବ ୯,୦୦୦ରୁ ଖ୍ରୀଷ୍ଟପୂର୍ବ ୮,୦୦୦ ମଧ୍ୟରେ ବିକାଶ ଲାଭ କରିଥିବା ପ୍ରାକ୍ ସିନ୍ଧୁ ସଭ୍ୟତା, ଖ୍ରୀଷ୍ଟପୂର୍ବ ୮,୦୦୦ରୁ ୭,୦୦୦ ମଧ୍ୟରେ ତିଷ୍ଠିଥିବା ପ୍ରାକ୍ ହରପ୍ପା ସଭ୍ୟତା ଏବଂ ପରିପକ୍ୱ ହରପ୍ପା ସଭ୍ୟତାର ସାଂସ୍କୃତିକ ପ୍ରମାଣ ମିଳିଛି ବୋଲି କହିଛନ୍ତି ଅନିନ୍ଦ୍ୟ।   ପ୍ରଥମ ପର୍ଯ୍ୟାୟରେ ଲୋକମାନେ ଗାଁରେ ରହୁଥିଲେ, ଚାଷ ଓ ପଶୁପାଳନକୁ ଜୀବୀକା ଭାବେ ଗ୍ରହଣ କରିଥିଲେ। କିନ୍ତୁ ପରିପକ୍ୱ ହରପ୍ପା ସଭ୍ୟତା ବେଳକୁ ସେମାନେ ସଂଗଠିତ ସହରରେ ବସବାସ କରୁଥିଲେ। ସେତେବେଳକୁ ସେମାନେ ଆରବିୟା ଓ ମେସୋପଟାମିଆ ସହିତ ବାଣିଜ୍ୟ କାରବାର ଆରମ୍ଭ କରିଦେଇଥିଲେ। କିନ୍ତୁ ଶେଷ ଆଡ଼କୁ ଏସବୁ ସହର ସବୁ ପରିତ୍ୟକ୍ତ ହୋଇଥିଲା, ଜନସଂଖ୍ୟା କମି ଯାଇଥିଲା, ଜନବସତି ସବୁ ଖାଲି ହୋଇଯାଇଥିଲା, ମୌଳିକ ସୁବିଧାର ଅଭାବ ପରିଲକ୍ଷିତ ହୋଇଥିଲା ଏବଂ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଏପରିକି ଏହି ସମୟରେ ହରପ୍ପା ଲିପି ମଧ୍ୟ ଚିହ୍ନବର୍ଣ୍ଣ ହରାଇଥିଲା।   ଗବେଷକମାନେ ସେ ସମୟର ପାଣିପାଗ ବିଷୟରେ ଜାଣିବା ପାଇଁ ମିଳିଥିବା ପଶୁ ହାଡ଼ ଓ ଦାନ୍ତର ଫସଫେଟ୍ସର ଅକ୍ସିଜେନ‍୍‌ ଆଇସୋଟୋପ ଅନୁଶୀଳନ କରିଥିଲେ। ସେଥିରୁ ଜଣାପଡ଼ିଛି ଯେ ସେତେବେଳେ ମୌସୁମୀ ବୃଷ୍ଟିପାତ ହେଉଥିଲା ଓ କୃଷି ଅନୁୁକୂଳ ପରିବେଶ ଥିଲା। ପ୍ରାକ୍ ହରପ୍ପା ମଣିଷମାନେ ଘାଗରା-ହାକ୍ରା ଉପତ୍ୟକା ଯାଏଁ ଜନବସତି ନିର୍ମାଣ କରିଥିଲେ। ଆଜିକୁ ୯୦୦୦-୭୦୦୦ ବର୍ଷ ତଳେ ମୌସୁମୀ ଅତ୍ୟନ୍ତ ଶକ୍ତିଶାଳୀ ଥିଲା ଏବଂ ପ୍ରବଳ ବୃଷ୍ଟିପାତ ହେଉଥିଲା। ତା’ ଫଳରେ ସିନ୍ଧୁ ଓ ଘାଗରା-ହାକ୍ରା ନଦୀରେ ବିପୁଳ ଜଳପ୍ଳାବନ ରହିଥିଲା।   ଏହି ଗବେଷଣାରୁ ଏହା ସାବିତ ହୋଇଯାଇଛି ଯେ ୮୦୦୦ ବର୍ଷ ତଳର ଏହି ସଭ୍ୟତା ହେଉଛି ପୃଥିବୀର ସବୁଠୁ ପୁରୁଣା ସଭ୍ୟତା ଓ ଭାରତୀୟମାନେ ହେଉଛନ୍ତି ଇତିହାସରେ ସଭ୍ୟତାର ପ୍ରଥମ ପ୍ରମାଣ। ଆହୁରି ମଧ୍ୟ ଜଣାପଡ଼ିଛି ଯେ ୭,୦୦୦ ବର୍ଷ ତଳେ ମୌସୁମୀ ଦୁର୍ବଳ ହୋଇଯାଇଥିଲା କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସଭ୍ୟତା ସଂପୂର୍ଣ୍ଣ ଲୋପ ପାଇନଥିଲା। ସିନ୍ଧୁ ଉପତ୍ୟକାର ଲୋକମାନେ ପ୍ରକୃତି ସହିତ ନିଜକୁ ଖାପ ଖୁଆଇଥିଲେ। ଦୁର୍ବଳ ମୌସୁମୀ ଯୋଗୁଁ ସେମାନେ ବୃହଦାକାର ଖାଦ୍ୟଶସ୍ୟ ଗହମ ଓ ବାର୍ଲି ଚାଷରୁ ମରୁଡ଼ି ପ୍ରତିରୋଧୀ ଧାନ ଚାଷକୁ ମୁହାଁଇଥିଲେ ଏବଂ ଅମଳ କମିବାରୁ ଶସ୍ୟ ସଂରକ୍ଷଣ ପାଇଁ ସାମୂହିକ ଓ ବ୍ୟକ୍ତିଗତ ଖମାର ବ୍ୟବସ୍ଥା କରିଥିଲେ। ପରିପକ୍ୱ ହରପ୍ପା ସମୟରେ ଲୋକମାନେ ପୁଣି ଥରେ ସହର ଛାଡ଼ି ବ୍ୟକ୍ତିଗତ ସୁବିଧା ପାଇଁ ଗ୍ରାମାଭିମୁଖୀ ହୋଇଥିଲେ। ଏହି ପ୍ରକ୍ରିୟାରେ ଏହି ସଭ୍ୟତା ସଂପୂର୍ଣ୍ଣ ବିଲୁପ୍ତ ନହୋଇ ବିକ୍ଷିପ୍ତ ଓ ବ୍ୟାପ୍ତ ହୋଇଥିଲା ବୋଲି ଗବେଷକମାନେ ବିଶ୍ୱାସ କରୁଛନ୍ତି।

Share :