କାହିଁକି ଓଡ଼ିଆ କହିବେ ନବୀନ? ଦରକାର କ’ଣ?

କାହିଁକି ଓଡ଼ିଆ କହିବେ ନବୀନ? ଦରକାର କ’ଣ?

Share :

ଓଡ଼ିଆ ନକହିଲେ ବି ତ ଭୋଟ୍ ମିଳୁଛି!   ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଓଡ଼ିଆ ଶିଖିବେ? ତାଙ୍କର ଓଡ଼ିଆ ନଶିଖିବାରେ କିଛି ଅସୁବିଧା ହେଉଛି କି? ସେ ଓଡ଼ିଆ ଲେଖିପଢ଼ିକହି ପାରୁ ନଥିବାରୁ ଲୋକେ ତାଙ୍କୁ ଭୋଟ ଦେଉ ନାହାନ୍ତି କି? ଅଣଓଡ଼ିଆ ବୋଲି ଛିଗୁଲେଇଉଛନ୍ତି କି? ତାଙ୍କ ଦଳର ଅନ୍ୟ ନେତାମାନେ ତାଙ୍କ ନେତୃତ୍ବ ବିରୋଧରେ ଅନାସ୍ଥା ପ୍ରକଟ କରୁଛନ୍ତି କି? ଓଡ଼ିଆ କହିଲେଖିପଢ଼ି ପାରୁଥିବା ବିଧାୟକମାନେ ଓଡ଼ିଆ କହିଲେଖିପଢ଼ି ପାରୁ ନଥିବା ଏଭଳି ଜଣେ ନେତାଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି କି? ଯଦି ନୁହେଁ ତେବେ ସେ କାହିଁକି ଓଡ଼ିଆ କହିବେ? ଓଡ଼ିଆ ଭାଷା ନକହି ମଧ୍ୟ ଜଣେ ଯଦି ପରକୁ ପର ନିର୍ବାଚନରେ ଅଧିକରୁ ଅଧିକ ଓଡ଼ିଆ ଲୋକଙ୍କ ଭୋଟ ପାଇ ଚାଲିଛନ୍ତି ସେ କାହିଁକି ଓଡ଼ିଆ ଶିଖିବେ? ତାଙ୍କୁ ସମାଲୋଚନା କରିବାର ଯୁକ୍ତି କ’ଣ? ସେ କ’ଣ ଓଡ଼ିଆ ଲୋକମାନଙ୍କୁ ଜୋରଜବରଦସ୍ତ କ୍ରୀତଦାସ କରି ରଖିଛନ୍ତି କି? ଓଡ଼ିଆ କହିଲେଖିପଢ଼ି ପାରୁ ନଥିଲେ ମଧ୍ୟ ଯଦି ଜେଣ ସର୍ବାଧିକ ଲୋକପ୍ରିୟ ଓଡ଼ିଆ ନେତା ହୋଇପାରୁଛି ତେବେ ଓଡ଼ିଆ ଜାଣିବା ଲୋକର ଦୋଷ ନା ଓଡ଼ିଆ ନଜାଣିବା ଲୋକର ଭୁଲ୍? ନବୀନ ପଟ୍ଟନାୟକ ଏଇ ମାସେ ଦି’ ମାସ କି ବର୍ଷେ ଦି’ ବର୍ଷ ହେଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି। ଏହି ପଦରେ ସେ କ୍ରମାଗତ ଭାବରେ ୧୬ ବର୍ଷ ହେଲା ରହିଲେଣି। ତାଙ୍କର ଓଡ଼ିଆ ନକହିବା ଓଡ଼ିଶାରେ ଏକ ରାଜନୀତିକ ପ୍ରସଙ୍ଗ ଭାବେ ଏବେ ଉଠିଛି। ଯେଉଁମାନେ ଏ ପ୍ରସଙ୍ଗ ଉଠାଇଛନ୍ତି ସେମାନେ ଗଲା ୧୬ ବର୍ଷ ଧରି କ’ଣ କରୁଥିଲେ ବୋଲି ଏକ ସ୍ବାଭାବିକ ପ୍ରଶ୍ନ ମଧ୍ୟ ଉଠିଛି। ୧୯୯୭ ମସିହା ଏପ୍ରିଲ ୧୮ ତାରିଖରେ ବିଜୁ ପଟ୍ଟନାୟକ ପରଲୋକ ଗମନ କରିବାରୁ ତାଙ୍କ ଚେଲାଚାମୁଣ୍ଡାମାନେ ନିଜର ସମସ୍ତ ସ୍ବାଭିମାନକୁ ଜଳାଜଂଳି ଦେଇ ନିଜକୁ ଅନାଥ ବୋଧ କଲେ ଓ ପ୍ରମାଣହୀନ ଘଟଣା ଉପରେ ପ୍ରତିଷ୍ଠିତ ତାଙ୍କ ଲୋକପ୍ରିୟତାକୁ ପୁଂଜିରେ ପରିଣତ କରି ତହିଁରୁ ପ୍ରଚୁର ରାଜନୀତିକ ଲାଭ ଉଠାଇବାର ଉଦ୍ଦେଶ୍ୟ ନେଇ ତାଙ୍କ ସାନ ପୁଅ ନବୀନ ପଟ୍ଟନାୟକଙ୍କୁ ତତ୍କାଳୀନ ଜନତା ଦଳର ନେତା ଭାବ ବରଣ କଲେ, ତାଙ୍କୁ ଡାକି ଆଣି ବାପାଙ୍କ ଆସ୍କା ଆସନରେ ଲୋକସଭା ପ୍ରାର୍ଥୀ କଲେ। ଏହା ପରର କଥା ଇତିହାସ। ୧୯୯୭ ଯାଏଁ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ୯୯ ପ୍ରତିଶତ ଲୋକ ଜାଣି ନଥିଲେ। ବିଜୁ ପଟ୍ଟନାୟକଙ୍କ ଘରର ନାଁ ନବୀନ ନିବାସ ବୋଲି ଜାଣିଥିବା ତାଙ୍କର ଅନେକ ପାଖ ଲୋକ ମଧ୍ୟ ନବୀନଙ୍କ ବିଷୟରେ ଅଜ୍ଞ ଥିଲେ। ସେ କ’ଣ ପଢ଼ିଛନ୍ତି, କ’ଣ କରିଛନ୍ତି, କ’ଣ ପିନ୍ଧନ୍ତି, କ’ଣ ଖାଆନ୍ତି, କୋଉ ଭାଷାରେ କଥା ହୁଅନ୍ତି, ଲୋକଙ୍କ ସହ ମିଶନ୍ତି ନା ନାହିଁ, ବିଜୁବାବୁ ପରି ସାହସୀ ନା ଜାନକୀବାବୁ ପରି ଡରୁଆଛରରୁଆ-ଏମିତି ଅନେକ ବିଷୟରେ ଲୋକମାନେ ସେତେବେଳେ କିଛି ଜାଣ ନଥିଲେ। ତତ୍କାଳୀନ ଜନତା ଦଳର ସଂଖ୍ୟାଧିକ ନେତା ଓ କର୍ମୀଙ୍କୁ ମଧ୍ୟ ନବୀନଙ୍କ ବାବଦରେ କିଛି ଜଣା ନଥିଲା। ସେହିପରି ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଓଡ଼ିଶା ଓ ଓଡ଼ିଆଙ୍କ ବାବଦରେ କିଛି ଜଣା ନଥିଲା। ସେ ତ’ ଜନ୍କର କେଇ ବର୍ଷ ଭିତରେ ତାଙ୍କ ମା’ଙ୍କ ସହିତ ଓଡ଼ିଶା ଛାଡ଼ିଥିଲେ। ସାତ ବର୍ଷ ବୟସରେ ଡେରାଡୁନର ୱେଲହାମ୍ ସ୍କୁଲରେ ଭର୍ତ୍ତି ହୋଇଥିଲେ। ପରେ ଡୁନ୍ ସ୍କୁଲରେ ନାମ ଲେଖାଇଥିଲେ। ଡୁନ୍ ସ୍କୁଲରୁ ହିଁ ସେ ମ୍ୟାଟ୍ରିକ ତତ୍ତୁଲ୍ୟ କେମ୍ବ୍ରିଜ ସାର୍ଟିଫିକେଟ ହାସଲ କରିଥିଲେ। ପରେ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୧୯୪୬ ମସିହାରେ ଜନ୍ମ ହୋଇଥିବା ନବୀନ ୧୯୯୭ ମସିହା ଯାଏଁ ଓଡ଼ିଶାର ମାଟି, ପାଣି, ପବନ, ଭାଷା, ସଂସ୍କୃତି, ଖାଦ୍ୟ, ପୋଷାକ, ବୃତ୍ତି ଓ ବେଉସା ଆଦି ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ ଥିଲେ। ତଥାପି ତାଙ୍କୁ ଚାମଚାମାନେ ଡାକି ଆଣି ଓଡ଼ିଶାର ନେତା କରାଇଲେ। ବିଜୁ ପଟ୍ଟନାୟକଙ୍କ ପୁଅ ହୋଇଥିବାରୁ ସେ କାଳେ ଓଡ଼ିଶାକୁ ଖୁବ ଭଲ ପାଆନ୍ତି ଓ ଓଡ଼ିଆ-ପ୍ରାଣ ବୋଲି ପ୍ରଚାର କରାଯାଇ ତାଙ୍କୁ ବିଜୁ ଲିଗାସୀର ଦାୟାଦ ଭାବ ସ୍ବୀକୃତି ଦିଆଗଲା। ପ୍ରଥମେ ପ୍ରଥମେ ସେ ରୋମାନ ଲିପିରେ ଲିଖିତ ଦି’ ଚାରି ପଦ ଓଡ଼ିଆ ପଢ଼ି ଇଂରାଜୀ ଓ ହିନ୍ଦୀରେ ଭାଷଣ ଦେଉଥିଲେ ଓ କଥା ହେଉଥିଲେ। ସେତେବେଳେ ‘କ୍ଷମା କରନ୍ତୁ, ଆଉ ଅଳ୍ପ ଦିନ ଲାଗିବ’ ବୋଲି ତାଙ୍କର ଏକ କଥା ଭାରି ଲୋକପ୍ରିୟ ହୋଇଥିଲା। ଓଡ଼ିଆ ଶିଖିବା ବିଷୟରେ ହିଁ ସେ ଏମିତି କହୁଥିଲେ। ଇତିମଧ୍ୟରେ ଓଡ଼ିଶା ରାଜନୀତିରେ ସେ ଦୁଇ ଦଶନ୍ଧି ପୂରଣ କରିଛନ୍ତି। ଅଳ୍ପ ଦିନ ସରି ନାହିଁ କି ସେ ଓଡ଼ିଆରେ କଥା କହୁ ନାହାନ୍ତି। ଜନସଭାରେ ସେ ରୋମାନ ଲିପିରେ ଲିଖିତ ଓଡ଼ିଆ ଭାଷଣ ପଢ଼ୁଛନ୍ତି। ଅମଲା ସଭାରେ ଲିଖିତ ଇଂରାଜୀ ପଢ଼ି କାମ ଚଳଉଛନ୍ତି। ବିଧାନସଭାରେ କହିବାକୁ ପଡ଼ିବ ବୋଲି ଗୃହରେ ନବସି ଚାମ୍ବରରେ ବସୁଛନ୍ତି। ତାଙ୍କ ପାଇଁ ଅନ୍ୟମାନେ ଉତ୍ତର ଦେଉଛନ୍ତି। ଏଇମିତିରେ ସେ ୧୬ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ବସିଲେଣି। ତାଙ୍କ ପ୍ରଥମ ଦଫା ମୁଖ୍ୟମନ୍ତ୍ରିତ୍ବ କାଳରେ ଜାନକୀ ବଲ୍ଲଭ ପଟ୍ଟନାୟକ ଥିଲେ ବିରୋଧୀ ଦଳ ନେତା। କୁହାଯାଏ ସେ ଜଣେ ପ୍ରଚଣ୍ଡ ଓଡ଼ିଆ, ତାଙ୍କର ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ଅଗାଧ ଜ୍ଞାନ ଥିଲା। ଓଡ଼ିଆକୁ ସରକାରୀ ଭାଷା ଭାବେ କାର୍ଯ୍ୟକାରୀ କରିବା ପାଇଁ ଜାନକୀ ବଲ୍ଲଭ ତାଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ଓଡ଼ିଆ ଟାଇପ୍ ରାଇଟର ଓ ଓଡ଼ିଆ ଅଭିଧାନ ପ୍ରଚଳନ କରିଥିଲେ। କିନ୍ତୁ ସେ ବିରୋଧୀ ଦଳ ନେତା ଥାଇ ମଧ୍ୟ ନବୀନଙ୍କ ଓଡ଼ିଆକୁ ଏକ ସାଂସ୍କୃତିକ ସ୍ବାଭିମାନ ପ୍ରସଙ୍ଗରେ ପରିଣତ କଲେ ନାହିଁ। ଥରେ ଦି’ ଥର ଏ ପ୍ରଶ୍ନ ଉଠିଛି। କିନ୍ତୁ ଭାରତର ଯେକୌଣସି ସାମ୍ବିଧାନିକ ଭାଷା କହିଲେ ବି ଜଣେ ମୁଖ୍ୟମନ୍ତ୍ରୀ ହୋଇପାରିବ ବୋଲି ଯୁକ୍ତି କରି ସବୁ ଚଳେଇ ନିଆଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ କହିବା ବାଧ୍ୟତାମୂଳକ ବୋଲି ସମ୍ବିଧାନରେ ବ୍ୟବସ୍ଥା ନଥିବାରୁ ସେଇଆକୁ ସୁଯୋଗ ଓ ସୁବିଧା ଭାବରେ ଗ୍ରହଣ କରି ନବୀନ ଆଉ ଓଡ଼ିଆ ଶିଖିଲେ ନାହିଁ। ଓଡ଼ିଆ ଶିଖିବା ପାଇଁ ତାଙ୍କୁ କିଏ କେତେ ବହି ଦେଇଛି। ଏପରିକି ଜଣେ ଇଂରାଜୀ ଅଧ୍ୟାପକ ତଥା ସାହିତ୍ୟିକଙ୍କୁ ମଧ୍ୟ ନବୀନ ନିବାସରେ ନିଯୁକ୍ତ କରାଯାଇଥିଲା। କିନ୍ତୁ ନବୀନ ଓଡ଼ିଆ ଶିଖିବାରେ ଏମିତି ଆଗ୍ରହ ଦେଖାଇଲେ ଯେ ସେ ଆପେଆପେ ଦାୟିତ୍ବରୁ ଅବ୍ୟାହତି ନେଇ ପଳାଇଲେ। ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନ ସମୟରେ ଓଡ଼ିଆ ଶିଖିବାକୁ ଆଉ କିଛି ସମୟ ଲାଗିବ ବୋଲି କହୁଥିବା ନବୀନ ୨୦୦୯ ନିର୍ବାଚନଠାରୁ ଆଉ ଓଡ଼ିଆ ଶିଖିବା କଥା କହିଲେ ନାହିଁ କି ଶିଖିଲେ ନାହିଁ। ଯଦି ରୋମାନ ଲିପିରେ ଲିଖିତ ଓଡ଼ିଆକୁ କିମ୍ଭୂତକିମାକାର ଭାବରେ ପଢ଼ି ସୁଦ୍ଧା ଘନଘନ କରତାଳି ଓ ଲକ୍ଷଲକ୍ଷ ସଂଖ୍ୟାରେ ଭୋଟ ମିଳୁଛି ତେବେ ସେ କାହିଁକି ଓଡ଼ିଆ ଶିଖିବାର କଷ୍ଟ କରିବେ? ସେ ଓଡ଼ିଆ ଖାଦ୍ୟ ଖାଆନ୍ତି ନାହିଁ। ଓଡ଼ିଆ ପୋଷାକ ପିନ୍ଧନ୍ତି ନାହିଁ। ଓଡ଼ିଆ ଭାଷା କହନ୍ତି ନାହିଁ। ଓଡ଼ିଆ ବହି ପଢ଼ନ୍ତି ନାହିଁ। ଓଡ଼ିଆଙ୍କ ସାଙ୍ଗେ ମିଶନ୍ତି ନାହିଁ। ସେଥିପାଇଁ ନବୀନ ନିବାସରେ ଅଧିକାଂଶ ସମୟରେ କର୍ମଚାରୀଙ୍କ ବ୍ୟତିତ କେହି ନଥାନ୍ତି। ଯାହାକୁ ବି ଦେଖା ଦିଅନ୍ତି, ଭଗବାନଙ୍କ ପରି ମାତ୍ର ଦୁଇ ଚାରି ମିନିଟ୍। ଇଂରାଜୀ ଓ ହିନ୍ଦୁ କହୁଥିବା ଲୋକଙ୍କ ସହିତ ତାଙ୍କର ବେଶି ସମୟ ବିତେ। ଶିଳ୍ପପତି ଓ ବ୍ୟବସାୟୀମାନେ ଇଂରାଜୀ ଓ ହିନ୍ଦୀ କହନ୍ତି, ତେଣୁ ସେମାନଙ୍କ ସହିତ ସେ ନିବିଡ଼ ସଂପର୍କ ରଖିଛନ୍ତି। ଚାଷୀମାନେ ସେ ଭାଷା ଜାଣନ୍ତି ନାହିଁ, ତେଣୁ ୨୦ ବର୍ଷ ଭିତରେ ସେ କୌଣସି ଚାଷୀଙ୍କୁ ତୃତୀୟ ମହଲାକୁ ଡାକି ଆଲୋଚନା କରି ନାହାନ୍ତି। ଏପରିକି ଓଡ଼ିଆ ସାମ୍ବାଦିକମାନେ କାଳେ ଓଡ଼ିଆରେ କିଛି ଅଖାଡ଼ୁଆ ପ୍ରଶ୍ନ ପଚାରିଦେବେ ସେଇ ଆଶଙ୍କାରେ ସେ ଏଯାଏଁ କୌଣସି ଓଡ଼ିଆ ସାମ୍ବାଦିକଙ୍କୁ ସାକ୍ଷାତକାର ଦେଇ ନାହାନ୍ତି କି ଆନୁଷ୍ଠାନିକ ସାମ୍ବାଦିକ ସମ୍ମିଳନୀଟିଏ କରି ନାହାନ୍ତି, ଯଦିଓ ଇତିମଧ୍ୟରେ ଇଂରାଜୀ ଭାଷାରେ ତାଙ୍କର ଅନେକ ସାକ୍ଷାତକାର ପ୍ରକାଶ ପାଇଛି। ଓଡ଼ିଆ ଟିଭି ଚାନେଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାଇଟ୍ ନିହାତି ଆବଶ୍ୟକ ଥିବାରୁ ସେମାନଙ୍କୁ ସେ ଦି’ ଚାରି ଧାଡ଼ିର ଲେଖ ପଢ଼ି ଶୁଣେଇ ଦିଅନ୍ତି, ମନରୁ କହିଲେ ପାଟିରୁ ବାହାରେ ଇଂରାଜୀ ଭାଷା। ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ତାଙ୍କର ଯଦି ଆଦର ଥାଆନ୍ତା ତେବେ ସେ ନିଶ୍ଚୟ ଇତିମଧ୍ୟରେ ଓଡ଼ିଆରେ ପିଏଚଡି କରି ସାରନ୍ତେଣି ଓ ଧୋତି ପିନ୍ଧିବା ଶିଖି ସାରନ୍ତେଣି। ତା’ ହୋଇନାହିଁ। କି ହେବ ବୋଲି କହିହେବ ନାହିଁ। କାରଣ ଓଡ଼ିଆଙ୍କୁ ପରା ଓଡ଼ିଆ ଭଲ ଲାଗେନା!

Share :