ଓକେସିଏଲର ୧୭୭ କୋଟି ଖାଇଲା କିଏ?

ଓକେସିଏଲର ୧୭୭ କୋଟି ଖାଇଲା କିଏ?

Share :

କେନ୍ଦ୍ର ସରକାର ’ଆଇସିଟି ଆଟ ସ୍କୁଲ’ କାର୍ଯ୍ୟକ୍ରମ ପାଇଁ ଦେଇଥିବା ଆର୍ଥିକ ଅନୁଦାନ ୧୭୭ କୋଟି ଟଙ୍କାକୁ ସଡ଼ିଶା ସରକାର ଦୁର୍ନୀତିମୂଳକ ଉଦ୍ଦେଶ୍ୟରେ ଏକ ଘରୋଇ କମ୍ପାନୀ ହାତରେ ବିନା ଟେଣ୍ଡରରେ ଟେକିଦେବାକୁ ନେଇ ଅଡିଟର ଜେନେରାଲ ପ୍ରଶ୍ନ ଉଠାଇଛନ୍ତି | କେନ୍ଦ୍ର ସରକାର ଓଡ଼ିଶା ସ୍କୁଲ ଛାତ୍ରଛାତ୍ରୀଙ୍କୁ ସୂଚନା ପ୍ରଯୁକ୍ତି ବିଦ୍ୟା ସଂପର୍କତ ଶିକ୍ଷା ଓ ତାଲିମ ଦେବା ପାଇଁ ମଂଜୁର କରିଥିବା ଏହି ଅର୍ଥକୁ ସଂପୃକ୍ତ ବେସରକାରୀ ସଂସ୍ଥା ସରକାରୀ ଅଧିକାରୀ ଓ ମନ୍ତ୍ରୀଙ୍କ ଜାଣତରେ ହଡ଼ପ କରିଥିବା ସଂପର୍କରେ ବହୁ କ୍ଷେତ୍ରରୁ ବାରମ୍ବାର ଅଭିଯୋଗ ହୋଇଛି | ପ୍ରକାଶ ଯୋଗ୍ୟ ଯେ ଓଡିଶା ସରକାର କେନ୍ଦ୍ର ମାନବ ସମ୍ବଳ ବିଭାଗରୁ ସୂଚନା ଓ ପ୍ରଯୁକ୍ତି ଯୋଜନାକୁ ଓଡିଶାରେ କାର୍ଯ୍ୟକାରୀ କରାଉଛନ୍ତି |  କିନ୍ତୁ ଏହି ଅର୍ଥକୁ ସରକାର ନିଜେ ଖର୍ଚ ନକରି ଓକେସିଏଲ ବା ଓଡିଶା ନଲେଜ କର୍ପୋରେସନ ଲିମିଟେଡ) ନାମକ ଏକ ଘରୋଇ ସଂସ୍ଥା ହାତରେ ଟେକି ଦେଇଛନ୍ତି | ଏହା ଉପରେ କଂପଟ୍ରୋଲର ଜେନେରାଲଙ୍କ ଅଫିସର ଅଡିଟର ଜେନେରାଲ ପ୍ରଶ୍ନ ଉଠାଇଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ  ଓକେସିଏଲ ଗଠନ କରାଯାଇଥିଲା | ଏଥିରେ ରାଜ୍ୟ ସରକାର ୩୦ ପ୍ରତିଶତ, ଏମକେସିଏଲ ବା ମହାରାଷ୍ଟ୍ର ନଲେଜ କର୍ପରେସନ ଲିମିଟେଡ଼ର ୩୦ ପ୍ରତିଶତ, ବିଶ୍ବବିଦ୍ୟାଳୟ ୧୦ ପ୍ରତିଶତ ଓ ଅନ୍ୟାନ୍ୟ ବେସରକାରୀ ଅନୁଷ୍ଠାନ ୩୦ ପ୍ରତିଶତ ମୂଳଧନ କିଣିବାର ବ୍ୟବସ୍ଥା ଥିଲା | କିନ୍ତୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରଥମେ ଗଠିତ ହୋଇଥିବା ଏହି କମ୍ପାନୀ କେବଳ ୬୦ ପ୍ରତିଶତ ଅଂଶଧନ ବା ମୂଳଧନରେ କିପରି ସଂପୂର୍ଣ୍ଣ ହେଲା ବୋଲି ଅଡିଟର ଜେନେରାଲ ପ୍ରଶ୍ନ ଉଠାଇଛନ୍ତି | ସେହିପରି କମ୍ପାନୀ ଅଧିନିୟମ ୧୯୫୬ ଅନୁସାରେ ଏକ ପବ୍ଲିକ ଲିମିଟେଡ କମ୍ପାନୀ ଗଠନ ପାଇଁ ୭ ଜଣ ଅଂଶଧନକାରୀଙ୍କ ଆବଶ୍ୟକତା ଥିଲାବେଳେ ରାଜ୍ୟ ସରକାର ଅତି ଚଂଚକତାର ସହ ଉଚ୍ଚଶିକ୍ଷା ବିଭାଗର ୬ ଜଣ ପଦସ୍ତ ଅଧିକାରୀଙ୍କୁ ୬ ଏବଂ ଏମକେସିଏଲ ୧, ଏପରି ୭ ଜଣ ସଭ୍ୟଙ୍କୁ ନେଇ ଏହାର ରେଜିଷ୍ଟ୍ରେସନ କରାଇଛନ୍ତି | ଏଥିରୁ ଏହି ଟଙ୍କା ହଡ଼ପ କରିବା ପାଇଁ ଯେ ସରକାରୀ ସ୍ତରରେ ମୂଳରୁ ଚକ୍ରାନ୍ତ ହୋଇଥିଲା ତାହା ସ୍ପଷ୍ଟ ହୋଯାଇଛି | ସାତ ଜଣ ଅଂଶୀଦାରଙ୍କୁ ନେଇ ଗଠିତ କମ୍ପାନୀରେ ୬ ଜଣ ସରକାରୀ ଅଫିସର ସଦସ୍ୟ ଥିଲେ ବି କମ୍ପାନୀ କିପରି ବେସରକାରୀ ହେଲା ତାହା ମଧ୍ୟ ଏକ ଦୁର୍ନୀତି | ଏହି କମ୍ପାନୀ ସଂପର୍କରେ ରାଜ୍ୟ ସରକାର ଗେଜେଟ ବିଜ୍ଞପ୍ତି ଜାରି କରିଥିଲେ | କୌଣସି ବେସରକାରୀ କମ୍ପନୀ ପାଇଁ ସରକାର ଗେଜେଟ ବିଜ୍ଞପ୍ତି ଜାରି କରିବା ପଛରେ କି ଉଦ୍ଦେଶ୍ୟ ଥିଲା ? ଦୁର୍ନୀତି ନା ବାଟମାରଣା ? ଯଦି ଓକେସିଏଲ ଏକ ସରକାରୀ କମ୍ପାନୀ ନୁହଁ ତେବେ ସରକାର କାହିଁକି ତା’ ପାଇଁ ଏତେ ଅନୁକମ୍ପା ଦେଖାଇ କେନ୍ଦ୍ର ଅନୁଦାନକୁ ଓକେସିଏଲକୁ ଦେଲେ ବୋଲି ଏଜି ପ୍ରଶ୍ନ କରିଛନ୍ତି | ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ୨୦.୨.୨୦୧୩ ତାରିଖରେ  ଓକେସିଏଲ ପରିଚାଳନା ନିର୍ଦ୍ଦେଶକଙ୍କୁ ୪୪୪୩ ନମ୍ବର ବିଶିଷ୍ଟ ଏକ ଚିଠି ଦେଇ ଆଇସିଟି ଆଟ ସ୍କୁଲ ଯୋଜନାକୁ ଓକେସିଏଲ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କ ନିଷ୍ପତ୍ତି ଅନୁସାରେ ଏହି ଚିଠି ଦିଆଯାଇଛି ବୋଲି ସେ ଏଥିରେ ଉଲ୍ଲେଖ କରିଥିଲେ | କିନ୍ତୁ ଏହି ନିଷ୍ପତ୍ତିର ବିବରଣି ୪ ଗୋଟି ବିଭାଗର କୌଣସି ସ୍ଥାନରେ ମିଳିଲା ନାହିଁ ବୋଲି ଏଜି ଆପତ୍ତି ଉଠାଇଛନ୍ତି |  ଏହାର ଅର୍ଥ କ’ଣ ? ଦୁର୍ନୀତିମୂଳକ ଉଦ୍ଦେଶ୍ୟ ନା ଆଉ କିଛି ? ଅଡିଟର ଜେନେରାଲଙ୍କର ଏପରି ପ୍ରଶ୍ନ ପରେ କାହା ନିଷ୍ପତ୍ତିରେ ନବୀନ ସରକାର ଚାଲିଛି ବୋଲି ଏକ ପ୍ରଶ୍ନ ଉଠୁ ନାହିଁ କି ? ସେହିପରି ରାଜ୍ୟ ସରକାର ବାହାର କରିଥିବା ଗେଜେଟ ନୋଟିଫିକେସନରେ ମଧ୍ୟ ମୁଖ୍ୟ ଶାସନ ସଚିବ ଓକେସିଏଲର ଅଧ୍ୟକ୍ଷ ଭାବରେ ରହିବେ ବୋଲି ଉଲ୍ଲେଖ ଥିଲା | କିନ୍ତୁ ତାଙ୍କର ଭୂମିକା କଣ ରହିବ ଏବଂ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତି କାହା ଅନୁମୋଦନରେ ହେବ ସେ ବିଷୟରେ କୌଣସି ମନ୍ତବ୍ୟ ବିଜ୍ଞପ୍ତିରେ ନଥିଲା | ଏହି ସଂସ୍ଥା ଆଇସିଟି କେନ୍ଦ୍ରୀୟ ଗାଇଡଲାଇନ ଅନୁସାରେ କୌଣସି ଶିକ୍ଷକଙ୍କୁ ତାଲିମ ଦେଇ ନଥିଲାବେଳେ ଏବାବଦରେ ୮ କେଟି ୬୪ ଲକ୍ଷ ଟଙ୍କାର ହିସାବ ମିଳୁନାହିଁ | ସେହିପରି ସ୍କୁଲ ସଂଯୋଜକମାନେ ୬୩ ଦିନ ଧର୍ମଘଟ କରିବା ଏବଂ ସରକାର ସେମାନଙ୍କ କଥାକୁ  କର୍ଣ୍ଣପାତ ନକରିବାରୁ ୩୪୦୯ ସ୍କୁଲର ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମରୁ ବଂଚିତ ହେଇଛନ୍ତି | ପୁନଶ୍ଚ ଇ-କଂଟେଟ ବାବଦରେ ୪୦୦୦ ସ୍କୁଲରେ ପ୍ରତି ସ୍କୁଲ ପାଇଁ ୪୫୦୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଏହାର ହିସାବ କାହା ପାଖରେ ନାହିଁ | କେତେକ ଗଣମାଧ୍ୟମକୁ ବିଜ୍ଞାପନ ଅର୍ଥରେ ସନ୍ତୁଷ୍ଟ କରି କେତେକ ସରକାରୀ କର୍ମକର୍ତ୍ତା ଓ ମହାରାଷ୍ଟ୍ର ନଲେଜ କର୍ପୋରେସନ ମିଶି ଏହି ଅର୍ଥ ଚଳୁ କରିଦେଇଥିବା ସନ୍ଦେହ ହେଉଛି | ଏଠରେ ସ୍ମରଣ କରାଯାଇ ପାରେ ଆଇସିଟି ଯୋଜନାଟି ଏସଆଇଇଟିରେ କାର୍ଯ୍ୟକାରୀ କରାଯିବ ବୋଲି ଆଇସିଟି ଗାଇଡଲାଇନରେ ସ୍ପଷ୍ଟ ଥିଲାବେଳେ ରାଜ୍ୟ ସରକାର ଏସଆଇଇଟିକୁ କେନ୍ଦ୍ର ଅନୁଦାନ ବନ୍ଦ କରିଦେଲା ବୋଲି କହି ସଂସ୍ଥାକୁ ବନ୍ଦ କରି ଆଇସିଟି ଯୋଜନାକୁ ଓକେସିଏଲକୁ ପ୍ରଦାନ କରିଥିଲେ | ଏହି ସଂସ୍ଥା ଟଙ୍କା ନେଇ ପାର୍ | ସଂସ୍ଥା କାହାକୁ ଲାଂଚ ଦେଇ ରାଜ୍ୟର ହଜାର ହଜାର ସ୍କୁଲ ଛାତ୍ରଛାତ୍ରୀଙ୍କ ସୂଚନା ପ୍ରଯୁକ୍ତି ଶିକ୍ଷା ଓ ତାଲିମ ବାବଦ ୧୭୭ କୋଟି ଟଙ୍କା ହଡ଼ପ କଲା ତାହାର ତଦନ୍ତ କରିବାକୁ ନବୀନଙ୍କ ସ୍ବଚ୍ଛ ଶାସନ ଚାହୁଁ ନାହିଁ | ଶାସନ କେତେ ସ୍ବଚ୍ଛ ସତେ !

Share :