କିଏ ଜିତିବ ଘସିପୁରା?

କିଏ ଜିତିବ ଘସିପୁରା?

Share :

ସତ୍ୟଜିତ ସାମନ୍ତରାୟ ଘସିପୁରା ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳଙ୍କର ଅଙ୍କ କଷା ଆରମ୍ଭ ହୋଇଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରେ ଦୁଇ ଓଜନଦାର ନେତାଙ୍କ ମଧ୍ୟରେ ଶେଷ ଲଢେଇ ଦେଖିବାକୁ ମିଳିପାରେ। ଏନେଇ କର୍ମୀମାନଙ୍କର ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି। ଘସିପୁରା ନିର୍ବାଚନମଣ୍ଡଳୀରୁ ବିଜେଡ଼ିରୁ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କୁ ଟିକେଟ ମିଳିଥିବା ବେଳେ ଭାଜପାରୁ ପୃଥ୍ୱୀରାଜ କୁଅଁର ଓ କଂଗ୍ରେସରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନାମ ଆପାତତଚୂଡ଼ାନ୍ତ ହୋଇଥିବା ଜଣାଯାଇଛି। ଯଦି କଂଗ୍ରେସରୁ ନିରଂଜନଙ୍କ ଟିକେଟ ନିଶ୍ଚିତ ହୁଏ ତେବେ ଏହି ଲଢେଇ ଦୁଇ ଓଜନଦାର ନେତା ବଦ୍ରୀ ପାତ୍ର ଓ ନିରଂଜନଙ୍କ ମଧ୍ୟରେ ଶେଷ ଲଢେଇ ହେବ ବୋଲି କୁହାଯାଉଛି। ଏପ୍ରିଲ ୨୩ରେ ଘସିପୁରା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବାକୁ ଥିବାବେଳେ ଏହାକୁ ନେଇ ତିନି ପ୍ରମୁଖ ଦଳ ମଧ୍ୟରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇ ଆସନ ହାତେଇବା ପାଇଁ ମଇଦାନରେ ରଣନୀତି ପ୍ରସ୍ରୁତ କରୁଥିବାର ଦେଖାଯାଇଛି। ଧକୋଠାରେ ହୋଇଥିବା ହତ୍ୟାକାଣ୍ଡରେ ବିଜେଡି କର୍ମାମାନେ ଜଡିତ ଥିବା ନେଇ ମୃତକ ପରିବାର ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଶାସକ ଦଳ କର୍ମୀମାନେ ନିର୍ବାଚନ ମଣ୍ଡଳୀରେ ହିଂସାର ମାହୋଲ ସୃଷ୍ଟି କରି ଲୋକମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି। ପିସିସି ସଭାପତି ଭାବେ ନିରଂଜନ ପଟ୍ଟନାୟକଙ୍କ ଦାୟିତ୍ବଗ୍ରହଣ ପରଠୁଁ ନିର୍ବାଚନ ମଣ୍ଡଳୀରେ ସୁପ୍ତପ୍ରାୟ କଂଗ୍ରେସ ଦଳ ମଧ୍ୟରେ ପ୍ରାଣପ୍ରତିଷ୍ଠା ହୋଇ କର୍ମମାନେ ଚଳଚଂଚଳ ହୋଇଉଠିଥିବା ଦେଖିବାକୁ ମିଳିଛି। ନିଜେ ପିସିସି ସଭାପତି ନିଜ ନିର୍ବାଚନ ମଣ୍ଡଳୀକୁ ବାରମ୍ବାର ଗସ୍ତ କରୁଥିବା ଦେଖିବାକୁ ମିଳୁଛି। ୨୦୧୨ ଓ ୨୦୧୭ ପଂଚାୟତ ନିର୍ବାଚନ ମଧ୍ୟରେ କଂଗ୍ରେସର ସ୍ଥିତି ଭଲନଥିଲା। କଂଗ୍ରେସର କୌଣସି ନେତା ଏ ଦୁଇ ପଂଚାୟତ ନିର୍ବାଚନ ସମୟରେ ଲୋକ କିମ୍ବା ଦଳୀୟ କର୍ମୀଙ୍କ ପାଖରେ ପହଂଚି ନଥିଲେ। ଏବେ କିନ୍ତୁ ନିରଞ୍ଜନଙ୍କ ଲୋକସଂପର୍କ ଧୀରେ ଧୀରେ ବଢିବାରେ ଲାଗିଛି। ଲୋକଙ୍କ ସହ ସଂପର୍କ ରଖି ସୁଯୋଗ ନେଇପରିଲେ ହୁଏତ ଲୋକମାନେ ଆଗାମୀ ନିର୍ବାଚନରେ ସହେଯାଗ କରିପାରନ୍ତି। ସେହିପରି ଭାଜପାରୁ ଶମ୍ଭୁନାଥ ରାଉତ, ପଞ୍ଚାନନ ରାଉତ, ସନ୍ତୋଷ ରାଉତ, ଦେବ ଜେନା, ବିଚିତ୍ର କୁମାର ଚକ୍ର, ସତ୍ୟବ୍ରତ ପଣ୍ଡା, ପୃଥ୍ୟୁରାଜ କୁଅଁର, ଯଜ୍ଞ ପ୍ରସାଦ ସାହୁ, ବିପିନ ବିହାରୀ ମିଶ୍ର ପ୍ରମୁଖ ଆଶାୟୀ ଥିବାବେଳେ ପୃଥ୍ୱୀରାଜ କୁଅଁରଙ୍କୁ ଟିକେଟ ଦିଆଯାଇଛି। ଏହା ଦଳରେ ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ବଢ଼ାଇ ନିର୍ବାଚନ ପରିଣାମକୁ ପ୍ରଭାବିତ କରିପାରେ। ୨୦୦୦ ମସିହାରେ ବିଜେପି ବିଜେଡ଼ି ମେଣ୍ଟରେ ବିଜେପିରୁ ସ୍ୱର୍ଗତ ଅକ୍ଷୟ କୁମାର ମିଶ୍ର, କଂଗ୍ରେସରୁ ନିରଂଜନ ପଟ୍ଟନାୟକ ଓ ବର୍ତ୍ତମାନର ମନ୍ତ୍ରୀ ବଦ୍ରୀ ପାତ୍ର ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ନିର୍ବାଚନରେ ସ୍ୱଧୀନ ପ୍ରାର୍ଥୀ ବଦ୍ରୀ ନରାୟଣ ପାତ୍ର ନିର୍ବାଚିତ ହୋଇଥିବା ବେଳେ ୨୦୦୪ ମସିହାରେ ବିଜେପିରୁ ଦେବ ଜେନା, କଂଗ୍ରେସରୁ ନିରଂଜନ ପଟ୍ଟନାୟକ ଓ ସ୍ୱାଧୀନ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ହୋଇଥିଲା। କଂଗ୍ରେସର ନିରଂଜନ ପଟ୍ଟନାୟକ ୫୦୦ରୁ କିଛି ଅଧିକ ଭୋଟରେ ସ୍ୱାଧୀନ ପ୍ରାର୍ଥୀ ବଦ୍ରୀ ନାରାୟଣ ପାତ୍ରଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିଲେ। ୨୦୦୯ରେ ମେଣ୍ଟ ଭାଙ୍ଗି ଯିବାରୁ ଭାଜପାରୁ ସନ୍ତୋଷ ରାଉତ, କଂଗ୍ରେସରୁ ନିରଂଜନ ପଟ୍ଟନାୟକ ଓ ବିଜେଡ଼ିରୁ ବଦ୍ରୀ ନାରାୟଣ ପାତ୍ର ନିର୍ବାଚନ ଲଢ଼ିଥିଲେ। ଏଥିରେ ବଦ୍ରୀ ପାତ୍ର କଂଗ୍ରେସ ପ୍ରାର୍ଥୀ ନିରଂଜନ ପଟ୍ଟନାୟକଙ୍କୁ ବିପୁଳ ଭୋଟରେ ପରାସ୍ତ କରି ନିର୍ବାଚିତ ହୋଇଥିଲେ। ୨୦୧୪ ନିର୍ବାଚନରେ ଭାଜପାରୁ ସତ୍ୟବ୍ରତ ପଣ୍ଡା, କଂଗ୍ରେସରୁ ପୃଥ୍ବୀରାଜ କୁଅଁର ଓ ବିଜେଡ଼ିରୁ ବଦ୍ରୀନାରାୟଣ ପାତ୍ର ନିର୍ବାଚନ ଲଢ଼ିଥିଲେ। ବଦ୍ରୀବାବୁ ଭାଜପାର ସତ୍ୟବ୍ରତ ପଣ୍ଡାଙ୍କୁ ୮୦ ହଜାର ଭୋଟରେ ପରାସ୍ତ କରି ନିର୍ବାଚିତ ହେବାସହ ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଏଥର ବିଜେଡ଼ି ପକ୍ଷରୁ କୌଣସି ନୂତନ ପ୍ରାର୍ଥୀ ନଥିବା କାରଣରୁ ପୁଣି ବିଜେଡ଼ି ପକ୍ଷରୁ ବଦ୍ରୀବାବୁଙ୍କ ଟିକେଟ ନିଶ୍ଚିତ ହୋଇଥିବାର ଜଣାଯାଇଛି। ପୂର୍ବରୁ କଂଗ୍ରେସର ଗଡ଼ ଥିବା ଘସିପୁରା ନିର୍ବାଚନ ମଣ୍ଡଳୀରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ୪ ଥର ଜିତି କଂଗ୍ରେସ ସମୟରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ପଦବୀ ମଣ୍ଡନ କରିଥିବା ବେଳେ ନିର୍ବାଚନ ମଣ୍ଡଳୀକୁ ବିଶେଷ ଦୃଷ୍ଟି ନଦେବା, କର୍ମୀମାନଙ୍କୁ ଅଣଦେଖା କରିବା ଫଳରେ କଂଗ୍ରେସର ସଂଗଠନ ଦୁର୍ବଳ ହୋଇପଡ଼ିଥିଲା। ବର୍ତ୍ତମାନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ପୁନର୍ବାର ଏହି ନିର୍ବାଚନ ମଣ୍ଡଳୀରେ ଲଢ଼ିବା ପାଇଁ ଆଶାୟୀ ଥିବାରୁ ପୁରୁଣା କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ବର୍ତ୍ତମାନ ବିଜେଡ଼ି ବିରୁଦ୍ଧରେ ଲୋକମାନେ ବିମୁଖ ଥିବାବେଳେ ନିର୍ବାଚନ ମଣ୍ଡଳୀରେ ଗୁଣ୍ଡାଗିରି, ଦୁର୍ନୀତି, ଭ୍ରଷ୍ଟାଚାର ବଢ଼ିଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଦିଗରେ କୌଣସି ଧ୍ୟାନ ଦିଆଯାଇନଥିବା କାରଣରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ତେବେ ଏଥିରୁ ଫାଇଦା ନେବାକୁ ଭାଜପାର ପ୍ରାର୍ଥୀ ଭାବେ ପୃଥ୍ବୀରାଜ କୁଅଁର ବିଭିନ୍ନ ପଞ୍ଚାୟତରେ ବୁଲି ନରେନ୍ଦ୍ର ମୋଦିଙ୍କ ଜନହିତର କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଉଛନ୍ତି। ଦେଖିବାକୁ ଗଲେ ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ପଲା ଭାରିଥିବା ଥିଲେ ମଧ୍ୟ ଯଦି କଂଗ୍ରେସ କିମ୍ୱା ଭାଜପାର ସମସ୍ତ ନେତା ଓ କର୍ମୀ ମିଳିମିଶି ଲଢ଼େଇ କରିବେ ତାହାହେଲେ କିଛି ଫଳ ପାଇପାରିବେ ବୋଲି ସାଧାରଣରେ ଆଲୋଚନା ହେଉଛି।

Share :