କ’ଣ ନ କହିଲେ ମ ଶ୍ରୀକାନ୍ତ!

କ’ଣ ନ କହିଲେ ମ ଶ୍ରୀକାନ୍ତ!

Share :

ଶ୍ରୀବହ୍ନିମାନ ଏହା ମଧ୍ୟରେ ତ୍ରିଭାଷୀ, ତ୍ରିପୁର ଚର୍ଚ୍ଚିତ ଶ୍ରୀ ଶ୍ରୀ ଶ୍ରୀ ପଣ୍ଡିତ ବାବୁ ଶ୍ରୀକାନ୍ତ ପାପୁଲି ଶିବିରରୁ ଆଉଟ୍ ହୋଇସାରିଛନ୍ତି। ନିଜେ ନୁହେଁ ତାଙ୍କୁ ପାପୁଲି ମୁଖିଆ ଆଉଟ୍ କରିଛନ୍ତି। ଅନଭିଜ୍ଞ ମୁଖିଆ ଅଭିଜ୍ଞଙ୍କୁ ଆଉଟ୍ କରିବାକୁ କିପରି ବା ସହିବେ ବୌଦ୍ଧ ମାଟିର ତ୍ୟାଗୀ-ତପସ୍ୱୀ ରାଜର୍ଷି, ବ୍ରହ୍ମର୍ଷି ଅଷ୍ଟ ଐଶ୍ୱର୍ଯର ପ୍ରତୀକ ଶ୍ରୀକାନ୍ତ। ଗାନ୍ଧି ମାର୍ଗରେ ଆୟୋଜନ କରାଇଲେ ମନକଥା କହିବା ପାଇଁ ମଞ୍ଚ। ଡାକିଲେ କ୍ରାନ୍ତି, ମୁକ୍ତି, ପ୍ରଗତିର ଯୋଦ୍ଧା ଦିଲୀୱାଲାଙ୍କୁ। ବୌଦ୍ଧ ଭୂମିର ସନ୍ତାନ ଗର୍ଜିଲେ, ବର୍ଷିଲେ, କଂଗ୍ରେସ ବିଜେଡି ଉପରେ ବେଶି, ବିଜେପି ଉପରେ କମ୍। କହିଲେ ଯେଉଁ କଂଗ୍ରେସରେ ଉତ୍କଳମଣି ଗୋପବନ୍ଦୁ ଦାସ, ନବକୃଷ୍ଣ ଚୌଧୁରୀଙ୍କ ଭଳି ପ୍ରାତଃସ୍ମରଣୀୟ ନେତା ଥିଲେ ସଭାପତି। ଏବେ ଏହି ଆସନରେ ଖଣି ଲୁଟେରା, ଠକ, ହାତରେ ଧରିଥିବା ତଥାଗତଙ୍କ ମୁଖପତ୍ରକୁ ଦେଖାଇଲେ ସଭାରେ ଉପସ୍ଥିତ ଜନଗଣଙ୍କୁ। ଏହାପରେ କହିଲେ ମୁଁ ଶ୍ରୀକାନ୍ତ କେନ୍ଦ୍ରାପଡ଼ା କଲେଜରୁ ଚାତ୍ରନେତା ଭାବରେ ଜୀବନ ଆରମ୍ଭ କରିଥିଲି। ମୁଁ ମୁଁ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ, କୃତ୍ତିବାସ ପାଟ୍ଟଶାଣୀ, ବାଜି ରାଉତଙ୍କର ବଂଶଜ। ମୋର ଜନ୍ମ ଚରଣ ପଟ୍ଟନାୟକଙ୍କ ଭଳି ଚକ୍ରାନ୍ତକାରୀ-ଦେଶ ବିରୋଧୀ ପରିବାରରେ ନୁହେଁ। ଶ୍ରୀକାନ୍ତଙ୍କ ମୁହଁରେ ତ୍ୟାଗୀ, ସଂଗ୍ରାମୀ ପରିବାରର ସେ ବଂଶଜ କଥା ଶୁଣିଥିବା ଜନତା ହସିବାକୁ ଲାଗିଲେ, ସଭାରେ ଉପସ୍ଥିତ ଜନତାଙ୍କ ମଧ୍ୟରେ ଅନେକ କହୁଥିବାର ଶୁଣିବାକୁ ମିଳିଲା-କ’ଣ ନକହୁଛନ୍ତି ମ ଶ୍ରୀ ଶ୍ରୀ ଶ୍ରୀକାନ୍ତ। ବାବୁ ଶ୍ରୀକାନ୍ତ ଶ୍ରୋତା ଜନତାଙ୍କ କୌତୁହଳ, ହାସ୍ୟରୋଳ ଦେଖି ଶୁଣି କହିଲେ ଓଡ଼ିଶାର ଗୋଟିଏ ଗୋଟିଏ ମାଙ୍ଗାନିଜ୍, କ୍ରୋମାଇଟ୍ ଖଣିକୁ ଶେଷ କରିଦେଲେଣି ଲୁଟେରା। ଏ ନବୀନଙ୍କୁ ମୁଁ ଦିଲ୍ଲୀରୁ ରାଜନୀତିକୁ ଆଣିଥିଲି, ୨୦ ବର୍ଷ ହେଲାଣି। ଏବେ ହେ ନବୀନ ଦିଲ୍ଲୀ ଫେରିଯାଅ। ଓଡ଼ିଶାର ବିକାଶ କରିପାରିଲନି। ଶାହା କମିଶନଙ୍କ ସୁପାରିଶ ଅନୁଯାୟୀ ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ଭଳି ଖଣି ଲୁଟେରାଙ୍କ ଠାରୁ ଲୁଟ୍ର ଟଙ୍କା (ଜରିମାନା) ଆଣିନ। କାଳିଆ ନାମରେ ୬୦୦ କୋଟି ଚାଷୀଙ୍କୁ ଦେଉଛ। ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ଭଳି ଖଣି ଲୁଟେରାଙ୍କ ଠାରୁ ହଜାର କୋଟି ଟଙ୍କା ଆଣି ପାରିନ, ନବୀନ ତୁମେ ନିକମା, ଅକର୍ମା। ଶ୍ରୀକାନ୍ତଙ୍କ ଏମନ୍ତ ଭାଷଣ ଶୁଣି ଶ୍ରୋତା ଜନତା ପୁଣି ହସିଲେ- ସଭାରୁ ଶୁଣାଗଲା- ଶ୍ରୀକାନ୍ତ ତୁମେ କ’ଣ ନକହୁଛ ମ! ଶ୍ରୋତାମଣ୍ଡଳୀ ମଧ୍ୟରୁ କେହି ଜଣେ ଖୁବ୍ ଜୋର୍ରେ କହୁଥିବାର ଶୁଣାଯାଉଥିଲା - ହେ ଶ୍ରୀକାନ୍ତ ଆପଣ ସେହି ଶ୍ରୀକାନ୍ତ ନୁହଁନ୍ତି ତ ଯିଏ ଅଶୋକ ଦାସ, ବିଜୟ ମହାପାତ୍ର, ନଳିନୀ ମହାନ୍ତିଙ୍କ ସହ ମିଶି କହୁଥିଲେ, କଂଗ୍ରେସ ହଟାଅ ଓଡ଼ିଶା ବଞ୍ଚାଅ। ଆପଣ ସେହି ଶ୍ରୀକାନ୍ତ ନୁହଁନ୍ତି ତ ଯିଏ କହୁଥିଲେ, କଂଗ୍ରେସ ଲାଓ ଓଡ଼ିଶା ବଞ୍ଚାଅ। ଆପଣ ସେହି ଶ୍ରୀକାନ୍ତ ନୁହଁନ୍ତି ତ ଯିଏ ଆପଣଙ୍କୁ ରାଜନୀତିକୁ ଆଣିଥିଲେ ସେହି ବିଜୁବାବୁଙ୍କୁ ପ୍ରଧାନମନ୍ତ୍ରୀ କରାଇ ନଦେବା ପାଇଁ ସିଏ ଦୁର୍ନୀତିରେ ଯୁକ୍ତ ବୋଲି ସିପିଆଇଏମ୍ ମାଧ୍ୟମରେ ଦିଲ୍ଲୀରେ ପ୍ରଚାରପତ୍ର ବଣ୍ଟାଇଥିଲେ? ଶ୍ରୀକାନ୍ତ ମଞ୍ଚରୁ କହିଲେ ନା ମୁଁ ସେହି ଚକ୍ରାନ୍ତକାରୀ ଶ୍ରୀକାନ୍ତ ନୁହେଁ, ମୋ ନାମରେ ମିଛ ପ୍ରଚାର କରାଯାଇଛି। ମୁଁ ଯାହା କହୁଛି ସତ କହୁଛି, ମୋ ନାମରେ ଯାହା କୁହାଯାଉଛି ତାହା ମିଛ, ଅପପ୍ରଚାର। ନିରଞ୍ଜନ ପଟ୍ଟନାୟକ, ସୌମ୍ୟରଞ୍ଜନ ପଟ୍ଟନାୟକ ମୋ ବିରୋଧରେ ଅପପ୍ରଚାର କରୁଛନ୍ତି। ମୁଁ ସତ୍ୟକାନ୍ତ-ଶ୍ରୀକାନ୍ତ। ୪୦ ବର୍ଷ ଧରି ପଟ୍ଟନାୟକ ପରିବାର ଓଡ଼ିଶାକୁ ଲୁଟି ଚାଲିଛନ୍ତି। ଶ୍ରୋତାଙ୍କ ମୁହଁରୁ ଶୁଣାଗଲା, କ’ଣ ନକହିଲେ ମ ଶ୍ରୀ ଶ୍ରୀ ଶ୍ରୀକାନ୍ତ!!

Share :