ଗଂଜାମରେ କଂଗ୍ରେସ ଓ ବିଜେପି ଦୁର୍ବଳ

ଗଂଜାମରେ କଂଗ୍ରେସ ଓ ବିଜେପି ଦୁର୍ବଳ

Share :

ହେମାଙ୍ଗ ପ୍ରସାଦ ରାଉଳ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନେକ ଯୋଜନା କଥା ରାତିପାହିଲେ ପତ୍ରପତ୍ରିକାରେ ଖବର ମଣ୍ଡନ କରିବା ସହ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂପର୍କରେ ଦୈନିକ ସରକାର ପ୍ରଶାସନ ଜନପ୍ରତିନିଧି ଗ୍ରାମାଞ୍ଚଳରେ ବେଶ୍ ତତ୍ପର ହୋଇ ଉଠିଛନ୍ତି। ପିଠା, କାଳିଆ ଯୋଜନାକୁ ନେଇ ସରକାର ଅଣ୍ଟାଭିଡ଼ି ୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ତୀର୍ଥଯାତ୍ରାରେ ବୟସ୍କଙ୍କୁ ବୁଲାଇବା, ଆଖିକୁ ଦୁର୍ବଳ ଦୃଷ୍ଟିଥିବା ମଣିଷକୁ ପରୀକ୍ଷା କରାଇ ଆଖି ଠିକ୍ କରିବାଠାରୁ ଆରମ୍ଭ କରି ଏଲଇଡ଼ି ବଲ୍ବ ଯୋଗାଇ ପ୍ରତି ସମୟରେ ପ୍ରତି ମଣିଷ ପାଖରେ ଉନ୍ନତ ସ୍ୱାସ୍ଥ୍ୟସେବା ବିନାମୂଲ୍ୟରେ ଦେବା ପାଇଁ ନବୀନ ସରକାର ଯୋଜନା କରିଛନ୍ତି। ଏସବୁ କାର୍ଯ୍ୟକ୍ରମ ଭୋଟ୍‌ ପୂର୍ବରୁ ସରକାରୀ ଲାଂଚ ଭାବେ ସମାଲୋଚିତ ହେଉଥିଲେ ମଧ୍ୟ ଲୋକଙ୍କ ଉପରେ ତାହାର ପ୍ରଭାବ ପଡ଼ବାର ଲକ୍ଷ୍ୟ କରାଯାଉଛି। ଓଡ଼ିଶାର ଗଂଜାମ ଜିଲ୍ଲା ଶାସନ ମଙ୍ଗୁଆଳଙ୍କ ଅଭେଦ୍ୟ ଦୁର୍ଗ। ଏଇଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ରାଜନୈତିକ ଜୀବନ ଆରମ୍ଭ କରି ୨୦ ବର୍ଷରେ ପୋଖତ ଖେଳୁଆଡ଼ରେ ପରିଣତ ହୋଇଛନ୍ତି। ନବୀନଙ୍କ କବ୍ଜାରେ ଗଂଜାମ ଥିବା ହେତୁ ଏଠାରେ ନେତାଙ୍କ ପାଇଁ ଦଳୀୟ ଟିକେଟ ଖଣ୍ଡିଏ ମିଳିଗଲେ ହାତୀ ସୁନାକଳସ ଢ଼ାଳିବା ସଦୃଶ। ଗଂଜାମର ବ୍ରହ୍ମପୁରଠାରୁ ଜିଲ୍ଲାର ରାଜନୈତିକ ଗତିବିଧି ନିୟନ୍ତ୍ରିତ ହୁଏ। କିନ୍ତୁ ବିଜେଡ଼ିକୁ ଛାଡ଼ିଦେଲେ ବିଜେପି ଓ କଂଗ୍ରେସର ମୁଖିଆଙ୍କୁ କେହି ବିଶ୍ୱାସ ନେଇ କାମ କରିବା ସମ୍ଭବ ନୁହେଁ। ଏମାନଙ୍କର ପାଖରେ ପଦବୀ ଅଛି କିନ୍ତୁ କାମ କରିବାର ସ୍ପୃହା ନାହିଁ ବୋଲି ଚର୍ଚ୍ଚା। ବ୍ରହ୍ମପୁରରୁ ପୋଲସରା, ଖଲିକୋଟ, କବିସୂର୍ଯ୍ୟନଗର, ଚିକିଟି, ଭଂଜନଗର, ସାନଖେମୁଣ୍ଡି, ଆସିକା, ହିଂଜିଳିକାଟୁ, ଛତ୍ରପୁରଠାରେ ବିଜେଡ଼ିର ଆତ୍ମବିଶ୍ୱାସ ବଢ଼ି ଚାଲିଛି। ନୂଆ ମୁହଁ ସହ ବହୁ ପୁରୁଖାନେତା ପୁନଶ୍ଚ ବଳୀୟାନ ହୋଇ କ୍ଷମତାର କେନ୍ଦ୍ରବିନ୍ଦୁ ହେବେ ବୋଲି ଅନୁମାନ କରାଯାଉଛି। କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ଚନ୍ଦ୍ରଶେଖର ସାହୁ ଏବେ ଦଳର ଉପସଭାପତି। ସେ ବ୍ରହ୍ମପୁର ବାସିନ୍ଦା। ଏଠୁ କିନ୍ତୁ ସାଂସଦ ଅଛନ୍ତି ସିଦ୍ଧାନ୍ତ ମହାପାତ୍ର। ସିଦ୍ଧାନ୍ତ ମହାପାତ୍ରଙ୍କୁ ଯଦି ଆସିକାରେ ପ୍ରାର୍ଥୀ କରାଯାଏ ତେବେ ହୁଏତ ଚନ୍ଦ୍ର ଶେଖରଙ୍କ ପାଇଁ ରାସ୍ତା ଖୋଲିବାର ସମ୍ଭାବନା ଅଛି। ନହେଲେ ସେ ପଛରେ ରହଯାଇପାରନ୍ତି। ହର ସାହୁ, ଲତିକା ପ୍ରଧାନ ଓ ଆରତୀ ଦେବୀଙ୍କ ପାଇଁ କବିସୂର୍ଯ୍ୟନଗର, ଆସିକା, ପୋଲସରା କ୍ଷେତ୍ର ସୁରକ୍ଷିତ। ବିଜୁ ଜନତା ଦଳ ପାଇଁ ପ୍ରାର୍ଥୀ ଖୋଜିବା କଷ୍ଟକର ନୁହେଁ। ଗୋଟେ ଗୋଟେ ଆସନ ପାଇଁ ବିଜେଡିରେ ଏବେ ମାଳମାଳ ଆଶାୟୀ। ସୁବାସ ମହାରଣା, କେ. ଅନୀଲ ବର୍ତ୍ତମାନ ସମ୍ଭାବନାର ଶୀର୍ଷରେ ମଧ୍ୟ ଅଛନ୍ତି। ଯଦି ଗୋପାଳପୁର ପାଇଁ ବିବାଦ ମୁଣ୍ଡ ଟେକିବ ସୁବାସ ମହାରଣା ଓ ଅନୀଲଙ୍କ ପାଇଁ ସୁଯୋଗ ନିଶ୍ଚୟ ବାଟ କଢ଼ାଇ ନେବ। ବିଜୁ ଜନତା ଦଳର ସୁରକ୍ଷିତ ଗଡ଼ରେ ନବୀନ ବାବୁ କେବଳ ଅପ୍ରତିଦ୍ୱନ୍ଦ୍ୱୀ ନୁହନ୍ତି ବରଂ ତାଙ୍କର ହାତଧରି ଠିଆହୋଇ ରାଜନୀତି କରୁଥବା ନେତା ମଧ୍ୟ କ୍ଷମତାର ଶୀର୍ଷରେ ରହିଛନ୍ତି। ଅନ୍ୟପଟରେ ବିରୋଧୀ କଂଗ୍ରେସ ଜିଲ୍ଲାରେ ଏକପ୍ରକାର ଅସ୍ତମିତ। ବିଜେଡ଼ି ଶାସନକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଭାରତୀୟ ଜନତା ପାର୍ଟିରେ ଦଳୀୟ କନ୍ଦଳର ଅନ୍ତଃସ୍ୱର ବେଳକୁ ବେଳ ତୀବ୍ରତର ହୋଇଚାଲିଛି। ଯଦିଚ ପଙ୍କରୁ ପଦ୍ମ ଫୁଟେ ଏଠାରେ ପଦ୍ମ ପାଖୁଡ଼ାଗୁଡ଼ିକ କାଦୁଅ ବୋଳି ହେଉଛନ୍ତି। ନିଜ ନିଜ ବିଚାର ସ୍ୱାର୍ଥକୁ ଛାଡ଼ି ପାରୁନଥିବା ନେତା। ଅପରାଜିତା ଷଡ଼ଙ୍ଗୀଙ୍କ ପରି ଦକ୍ଷ ଆଇଏଏସ୍ ଅଫିସର ବିଜେପି ଶିବିରରେ ଯୋଗଦେବା ପରେ ଛାମୁଆ ବିଜେପି ନେତା ଆତଙ୍କିତ। ପୁରୁଣା ଖିଲାଡ଼ିମାନଙ୍କୁ କେନ୍ଦ୍ରୀୟ ବିଜେପି ମୁଖିଆ ଏକପ୍ରକାର ପରୀକ୍ଷା କରି ସାରିଛନ୍ତି। ବସନ୍ତ ପଣ୍ଡା, ପ୍ରତାପ ଷଡ଼ଙ୍ଗୀ, କନକ ବର୍ଦ୍ଧନଙ୍କ ପାରିବା ପଣିଆ ଆଗରେ ଅମିତ ଶାହା ଅସହାୟ ନହୋଇ ବରଂ ନୂଆ ଚାଲ ଖେଳି ଅପରାଜିତା ଷଡ଼ଙ୍ଗୀଙ୍କୁ ଭଲ ଭାବରେ ପରୀକ୍ଷା କରାଇ ଶେଷରେ ନିଜ ନିଷ୍ପତ୍ତି ଶୁଣାଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କୁ କେତେକ ନେତା ଗ୍ରହଣ କରିପାରୁ ନାହାନ୍ତି। ଏଣୁ ଆଗାମୀ ଦିନରେ ବିଜେପି ପାଇଁ ଅପରାଜିତା ଷଡ଼ଙ୍ଗୀ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବାର ସମ୍ଭାବନା ଅଛି। କଂଗ୍ରେସର ପ୍ରଦୀପ ମାଝିଙ୍କ ପରି ସ୍ୱାର୍ଥପର ନେତାଙ୍କ ଲାଗି ଓଡ଼ିଶାର ଦକ୍ଷିଣ ଭାଗରେ ଦଳ ଘୋର ବିପର୍ଯ୍ୟୟ ସମ୍ମୁଖୀନ ହେବାକୁ ଯାଉଛି। ଦଳର ପୁରୁଖା ନେତାମାନେ ଦଳଛାଡ଼ିବା ପରେ ନିରଞ୍ଜନ ପଟ୍ଟନାୟକ କେଉଁ ଦମ୍ଭରେ ଆମେ ସରକାର କରିବୁ କହୁଛନ୍ତି ସମୟ ନିର୍ଣ୍ଣୟ କରିବ। ବିଧାୟକମାନେ ଗୋଟିଏ ଗୋଟିଏ କଂଗ୍ରେସରୁ ଦୂରେଇ ଯିବା ଏକ ଅଶୁଭ ଲକ୍ଷଣ।

Share :