ଯୁଦ୍ଧମାନ ନାୟକର ଅକୁତୋଭୟ ଅଭିବ୍ୟକ୍ତି

ଯୁଦ୍ଧମାନ ନାୟକର ଅକୁତୋଭୟ ଅଭିବ୍ୟକ୍ତି

Share :

ସୁଜ୍ଞାନ ଚୌଧୁରୀ ସାମ୍ପ୍ରତିକ ପ୍ରତିକ୍ରିୟାଶୀଳ ପଚମାନ ଶୋଷଣମୂଳକ ପୁଞ୍ଜିବାଦୀ ସମାଜବ୍ୟବସ୍ଥା ବିରୁଦ୍ଧରେ ଏକ ସାଲିସ୍ହୀନ ସଂଗ୍ରାମର ସେ ହେଉଛନ୍ତି ନିର୍ଭୀକ ନାନ୍ଦିକାର। ଖଣିଖାଦାନର ମେହେନତି ମଣିଷମାନଙ୍କ ଠାରୁ ଆରମ୍ଭ କରି ଅନ୍ଧାରୀ ଆଦିବାସୀ ଇଲାକାର ନିରୀହ ନିରନ୍ନ ଜନସମୁଦାୟ ହିଁ ତାଙ୍କ ନିରବଚ୍ଛିନ୍ନ ସଂକଳ୍ପବଦ୍ଧ ସଂଗ୍ରାମର ସ୍ଫର୍ଦ୍ଧିତ ସେନାନୀ ! ସର୍ବହରା-ସଂସ୍କୃତିର ମହାନ ମୂଳ୍ୟବୋଧରେ ଶିକ୍ଷିତ ଓ ପ୍ରଶିକ୍ଷିତ, ସାହିତ୍ୟସ୍ରଷ୍ଟା ସତ୍ୟସନ୍ଧ ମହାନାୟକ ମାୟାଧର ନାୟକଙ୍କ ଜୀବନଶୈଳୀ ଏକ ପୃଥକ୍ ଜୀବନଶୈଳୀ : ସ୍ୱପ୍ନ, ସଂକଳ୍ପ ଓ ସଂଘର୍ଷ ଯେଉଁଠି ଏକାକାର : ଆଦର୍ଶ, ଆହ୍ୱାନ ଓ ଅଙ୍ଗୀକାର ଯେଉଁଠି ଐକ୍ୟବଦ୍ଧ ! ସ୍ୱାଧୀନୋତ୍ତର ଓଡିଆ ସାହିତ୍ୟଆକାଶର ନିଆରା ତିଥିର ତାରା, ପ୍ରଥିତଯଶା ଲେଖକ, ବାଗ୍ମୀ ତଥା ଆଧୁନିକ ମନୋବିଜ୍ଞାନ ଓ ମାନବିକ ଅର୍ଥତତ୍ତ୍ୱର ପ୍ରବର୍ତ୍ତକ, କ୍ରାନ୍ତର କର୍ଣ୍ଣଧାର, ଅଗ୍ନିପଥର ଅଧିନାୟକ ତଥା ନବଚିନ୍ତନର ଅନ୍ୟତମ କାଣ୍ଡାରୀ ମାୟାଧର ନାୟକ ଜଣେ ସୁପରିଚିତ ସର୍ବହରା-ସଂସ୍କୃତିବିତ୍। ଗତାନୁଗତିକ ଗଡ୍ଡାଳିକା ଧାରାରୁ ଅବ୍ୟାହତି ନେଇ ବହୁ ସୂକ୍ଷ୍ମାତିସୂକ୍ଷ୍ମ ତଥ୍ୟ, ବଳି ଯୁକ୍ତି ଓ ନବନବୋନ୍ମେଷଶାଳିନୀ ପ୍ରତିଭା ପ୍ରଭାରେ ରସାଣିତ ତାଙ୍କର ସୃଷ୍ଟିସଂଭାର। ତାଙ୍କର କର୍ମଭୂମି ଓଡିଶାରେ ସେ କର୍ତ୍ତବ୍ୟରତ ଥିଲାବେଳେ ବିଶ୍ୱ ତଥା ଦେଶର ଉତ୍କଟ ରାଜନୀତି ସଂପର୍କରେ ବହୁ ପାଣ୍ଡିତ୍ୟପୂର୍ଣ୍ଣ ମାର୍ମିକ ଅଭିବ୍ୟକ୍ତିର ପ୍ରତିଫଳନ ତାଙ୍କର ଉତ୍ସର୍ଗୀକୃତ ସୃଷ୍ଟିରେ ଆମୂଳାନ୍ତ ଉପଲବ୍ଧ। ‘ଜମି ବିକନା, ଭଡା ଦିଅ’, ଇରାଜୀରେ ‘ଲ୍ୟାଣ୍ଡ୍ ଟୁ ଲେଟ୍’, ହିନ୍ଦୀରେ ‘ଜମିନ୍ ନେହିଁ ବେଚ୍ନା, କିରାଏ ପର ଦେନା’ ଶୀର୍ଷକ ତିନୋଟି ଭାଷାରେ ପୁସ୍ତକ ରଚନା କରି ସେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ଏବଂ ସମକାଳୀନ ରାଜନୀତିଜ୍ଞ ଓ ଅର୍ଥନୀତିଜ୍ଞମାନଙ୍କର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିପାରିଛନ୍ତି। ଖଟିଖିଆ, ମଜୁରିଆ, ମେହେନତୀ ମଣିଷର ସ୍ୱାର୍ଥରକ୍ଷା ପାଇଁ ମେରୁପୁଷ୍ଟ ଋଷିଙ୍କ ପରି ସେ ସୃଷ୍ଟି କରିଛନ୍ତି ଏକ ନୂତନ ପୃଥିବୀ, ଯେଉଁଠି ଶୋଷଣର ସ୍ରୋତ ବନ୍ୟା ସ୍ୱତଃସ୍ଫୂର୍ତ ଭାବେ ଶୁଖିଯିବ ଏବଂ ସଂଗ୍ରାମୀ ଜନଗଣଙ୍କ ସପକ୍ଷରେ ନ୍ୟାୟ ଓ ମୀମାଂସା ସୁଲଭ ହୋଇଯିବ। ଦୀର୍ଘ ଊଣେଇଶ ମାସ ଧରି ବଲିଉଡ୍ ଜଗତର ଏକ ଟିମ୍ ମାୟାଧର ନାୟକଙ୍କ ‘ଲ୍ୟାଣ୍ଡ୍ ଟୁ ଲେଟ୍’ ତତ୍ତ୍ୱକୁ ନେଇ ‘ଦ ମଦରଲ୍ୟଣ୍ଡ୍’ ଶୀର୍ଷକ ଇଂରାଜୀ ଭାଷାରେ ଏକ ଫିଲ୍ମ ପ୍ରସ୍ତୁତ କରିଛନ୍ତି। ତାହା ଭାରତ ସରକାରଙ୍କ ସେଂଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସେନ୍ସର୍ ସାର୍ଟିଫିକେଟ୍‌) ସ୍ୱୀକୃତି ଲାଭ କରିଛି। ଜଣେ ଦକ୍ଷ ଶ୍ରମିକ ସଂଗଠକ ଭାବରେ ତାଙ୍କର ସୁନାମ ସର୍ବଜନବିଦିତ। ଖଣି ଖାଦାନ, କଳ କାରଖାନା, ବନ୍ଦର, କାଗଜକଳ ଶ୍ରମିକ ଓ ଅଣସଂଗଠିତ ଚାଷୀ ମୂଲିଆ ଶ୍ରମିକମାନଙ୍କର ସେ ଏକ ଅଦ୍ୱିତୀୟ ଓ ଅପ୍ରତିଦ୍ୱନ୍ଦ୍ୱୀ ଛାମୁଆ ଶ୍ରମିକ ନେତା ଭାବେ ଜୟଜୟକାର ଲାଭ କରିଛନ୍ତି। ୧୯୮୮ ମସିହାରେ ସୋଭିଏତ୍ ରୁଷ୍ ପରିଦର୍ଶନରେ ଯାଇ ସେଠାରେ ଶ୍ରମିକ ସଂଗଠନମାନଙ୍କର ବିଶେଷତ୍ୱ ସମ୍ପର୍କରେ ସେ ଗଭୀରଭାବେ ଅନୁଧ୍ୟାନ କରିଥିଲେ। ବାସହରା, ବାସ୍ତୁହରାଙ୍କ ପୁନଃଥଇଥାନ ପାଇଁ ସେ ବିଭିନ୍ନ ବିସ୍ଥାପନ ସଂଗଠନମାନଙ୍କ ତରଫରୁ ନେତୃତ୍ୱ ନେଇ ବହୁବାର ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରି ବିସ୍ଥାପିତଙ୍କ ଥଇଥାନ ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଯୌବନର ପାଦଦେଶରେ ଆନ୍ଦୋଳନର ଅଗ୍ନିତତ୍ତ୍ୱରେ ଦୀକ୍ଷିତ ହୋଇ ସେ ବହୁ ଆକର୍ଷଣୀୟ ସରକାରୀ ଓ ବେସରକାରୀ ପଦପଦବୀ ଓ ଅର୍ଥ ଉପାର୍ଜନ ପନ୍ଥା ତ୍ୟାଗ କରି ଦୀନହୀନ ଦୁଃଖୀ ଦରିଦ୍ରଙ୍କ ସେବାରେ ବ୍ରତୀ ହୋଇଛନ୍ତି। ଅବହେଳିତ ଦଳିତ ମଣିଷ ସମାଜର ସେବା ପାଇଁ ସେ ଅବିରତ ସଂଗ୍ରାମ କରିଆସିଛନ୍ତି। ସାମାଜିକ ସ୍ତରରେ ଘଟୁଥିବା ବିଭିନ୍ନ ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ଜଣେ ତରୁଣ ଚୁର୍କୀ ଭାବରେ ତୂର୍ଯ୍ୟନାଦ ଜାହିର କରିଆସିଛନ୍ତି। ଏହି କ୍ଷେତ୍ରରେ ସେ ସମଗ୍ର ଓଡିଶାର ଦରଦୀ ଜନନେତା ଭାବେ ସ୍ୱୀକୃତ। ଶ୍ରୀ ନାୟକଙ୍କ ଲେଖନୀରେ ଉଚ୍ଛୃଙ୍ଖଳ ମନୋନ୍ଦ୍ରିୟକ ସାମାଜିକ ବ୍ୟାଧି, ଭୂଲୁଣ୍ଠିତ ଗଣତନ୍ତ୍ର ଘୁଣଖିଆ ସାମାଜିକ ମୂଲ୍ୟବୋଧ, ଦିଗହରା ନେତୃତ୍ୱର ପ୍ରତିଫଳନ ପ୍ରତି ପ୍ରତିବାଦ ବେଶ୍ ସୁସ୍ପଷ୍ଟ। ତାଙ୍କ ଗଳ୍ପ ଉପନ୍ୟାସର ଚରିତ୍ରମାନେ ଏକ ଏକ ସାଲିସ୍ବିହୀନ ନାୟକନାୟିକା ଯେଉଁମାନେ ଏକ ଦୁର୍ବାର ସଂକଳ୍ପନେଇ ଅନମନୀୟ ଭାବେ ଆଗେଇ ଚାଲନ୍ତି ସେମାନଙ୍କ ପରିସୀମା ଲଙ୍ଘି ଏକ ସୀମାହୀନ ସ୍ୱପ୍ନ ଜାଗରଣର ଇଲାକା ଆଡେ। ସମ୍ଭବତଃ ଏକ ନୂତନ ସନ୍ଦେଶ, ଏକ ନୂତନତତ୍ତ୍ୱ ଏବଂ ଏକ ନୂତନ ଦୁନିଆର ସନ୍ଧାନରେ। ପ୍ରାୟତଃ ଜୀବନ ସହିତ ଜୁଆ ଖେଳିବାର ଦୁର୍ଦ୍ଦାନ୍ତ ଅନୁଭୂତି, ଯାହା ଲେଖକଙ୍କ ଜୀବନରେ ଘଟିଛି ତାହା ଏହି ଦୁର୍ନିବାର ଚରିତ୍ରମାନଙ୍କ ଠାରେ ମଧ୍ୟ ଦେଖିବାକୁ ମିଳେ। ସାମ୍ପ୍ରତିକ ସମାଜ ବ୍ୟବସ୍ଥା ସହିତ ସଲାସୁତରା ନକରି ଏକ ମହାର୍ଘ ମହାନ୍ ସଂଗ୍ରାମୀ ମନ୍ତ୍ରରେ ମନ୍ତ୍ରାୟିତ ଶବ୍ଦାୟିତ ଏହି ନାୟିକା ନାୟିକାମାନେ ସୀମାହୀନ ଇଲାକା ଆଡେ ଆଗେଇ ଚାଲନ୍ତି। ଜଣେ ଅନନ୍ୟ ଲେଖକ, ଔପନ୍ୟାସିକ, ଗାଳ୍ପିକ, ସ୍ତମ୍ଭକାର ଓ ତତ୍ତ୍ୱବିଦ୍ ତଥା ସାହିତ୍ୟର ବିଭିନ୍ନ ବିଭବ ଉପରେ ଅନେକ ସୃଷ୍ଟି ରଚନା କରି ଶ୍ରୀ ନାୟକ କେବଳ ଓଡିଶାରେ ନୁହେଁ, ସମଗ୍ର ଦେଶରେ ସୁପରିଚିତ ଅର୍ଜନ କରିଛନ୍ତି। ପଇଁଚାଳିଶିଟି ପୁସ୍ତକ ରଚନା କରି ନିଜର ମାତୃଭାଷା ତଥା ଦେଶର ଭାଷା, ସାହିତ୍ୟ, ସଂସ୍କୃତି ପ୍ରତି ଅବଦାନ ରଖି ଯାଇଛନ୍ତି। ଏତଦ୍ଭିନ୍ନ ସେ ବିଭିନ୍ନ ଜାତୀୟ ଓ ଆଂଚଳିକ ଖବରକାଗଜରେ ବହୁଳ ଭାବରେ ପ୍ରକାଶିତ। ଭୟମୁକ୍ତ ମଣିଷମାନଙ୍କର ମୂଲକ ଗଢ଼ିବା ପାଇଁ ତାଙ୍କର ଜୀବନ ସଂଗ୍ରାମ। ପିତା ଗଙ୍ଗାଧର ନାୟକ, ମାତା ହୀରାମଣୀ ଦେବୀଙ୍କ କୋଳମଣ୍ଡନ କରିଥିବା ପଂଚମ ସନ୍ତାନ ମାୟାଧରଙ୍କର ଶୈଶବାବସ୍ଥା ଅତ୍ୟନ୍ତ ସ୍ନେହାଦରପ୍ରାପ୍ତ ଓ ପ୍ରୀତିପୂର୍ଣ୍ଣ ଥିଲା। ସ୍ନାତକ ଶିକ୍ଷା ସମାପନ ପରେ ସେ ସ୍ନାତକୋତ୍ତର ଅର୍ଥଶାସ୍ତ୍ରରେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ଏହି ଅର୍ଥଶାସ୍ତ୍ର ହିଁ ଥିଲା ତାଙ୍କର ପ୍ରଥମ ପସନ୍ଦ। ସାମ୍ୱାଦିକତାକୁ ଏକ ପ୍ରବୃତ୍ତି ଭାବରେ ଆଦରିନେଇ ଜଣେ ଦୁର୍ଦ୍ଧଷ ସାମ୍ୱାଦିକ ଭାବେ ୧୯୭୧ ମସିହା ଭାରତ ବାଙ୍ଗଲାଦେଶ ସୀମା ପାରିରୁ ଯୁଦ୍ଧର ଲୋମହର୍ଷଣକାରୀ ବିବରଣୀ ଓଡିଶାର ପ୍ରମୂଖ ସମ୍ୱାଦପତ୍ର ‘ସମାଜ’କୁ ଯୋଗାଇଥିଲେ। ‘ଓଡିଶା ଭୂଇଁ’ର ନୀର୍ଭିକ ସଂପାଦକ ଭାବେ ତାଙ୍କର ବିଭିନ୍ନ ତଥ୍ୟ ସମ୍ୱଳିତ ସଂପାଦକୀୟ ତାଙ୍କୁ ଏକ ନିଆରା ପତ୍ରକାର ଭାବେ ପରିଚୟ ପ୍ରଦାନ କରିଛି। ସଂକଳ୍ପ ଓ ସଂଗ୍ରାମର ସୁଦୀର୍ଘ ପଦଯାତ୍ରା ହେଉଛି ମାୟାଧର ନାୟକଙ୍କ ପୃଥକ୍ ସାରସ୍ୱତ ସର୍ଜନାର ପୃଷ୍ଠଭୂମି। ସେ ଲେଖିଛନ୍ତି ଲହୁଲୁହାଣ ମଣିଷର ମର୍ମକଥା- ସମାଜ ପରିବର୍ତ୍ତନର ସଂଦେଶାମିକ ତତ୍ୱଶାସ୍ତ୍ର- କ୍ରାନ୍ତିକାରୀ କଥାସାହିତ୍ୟ - ଅନନ୍ୟ ଉପଲବ୍ଧିର ଅନେକ ଉପନ୍ୟାସ। ଆହ୍ୱାନ ଅଙ୍ଗୀକାର ପାଇଁ ଉତ୍ତରପିଢି ପ୍ରତି ଶ୍ରୀ ନାୟକଙ୍କ ଆବେଦନରେ ଅଛି ଆବେଗଭରା ଆନ୍ତରିକତା। କରାଳ କଂସର ବନ୍ଦୀଶାଳାରୁ ଅଷ୍ଟମ ଗର୍ଭର ଜନ୍ମଜାତକ ଘୋଷଣା କରି ଯୁଗାନ୍ତକାରୀ କୃଷ୍ଣ ଆବିଭୂର୍ତ ହେଲାପରି ଏକ ଅବକ୍ଷୟୀ ସମାଜ ବ୍ୟବସ୍ଥାର ଅତଳ ଅନ୍ଧକାରରୁ ଗତଶତକର ଆଦ୍ୟ-ଅଷ୍ଟମ ଦଶକରେ ମାୟାଧର ନାୟକଙ୍କ କ୍ରାନ୍ତିକାରୀ ବାଙ୍ମୟ-ପୁରୁଷର ଅଭ୍ୟୁଦୟ। ସେଦିନ ଜରୁରୀକାଳୀନ ପରିସ୍ଥିତିର ପାଂଶୁଳ ପୃ ଭୂମିରେ କରୁଣ କାରାକକ୍ଷର ଯେଉଁ ତରୁଣ କଏଦୀଟି ୧୯୭୫ ସାଲରେ ‘କାରାକାହାଣୀ’ ଲେଖିବାକୁ ଆରମ୍ଭ କରିଥିଲା, ଏବେ ମଧ୍ୟ ତାହା ଶେଷ ହୋଇନାହିଁ- ଜାରି ରହିଛି ନାନା କୃତି ଓ ଆକୃତିର ବିବର୍ତନାତ୍ମକ ରୂପ - ରୂପାନ୍ତର ମାଧ୍ୟମରେ। ଯଶପ୍ରାର୍ଥୀ ସୌଖୀନ୍ ଲେଖକର ଆତ୍ମମ୍ଭରୀ ଅଭିଧର୍ମ ନୁହେଁ, ବରଂ ଜନଜୀବନତନ୍ତ୍ରର ମହାମନ୍ତ୍ରଦୀକ୍ଷିତ ଜଣେ ଯୁଦ୍ଧମାନ ନାୟକର ଅକୁତୋଭୟ ଅଭିବ୍ୟକ୍ତି ହିଁ ହେଉଛି ମାୟାଧର ନାୟକଙ୍କ ପରିବର୍ତନକାମୀ ସୃଜନୀକର୍ମର ପରିଶୁଦ୍ଧ ପରିଭାଷା। ଏହି ଦୃଷ୍ଟିରୁ ତାଙ୍କ ସାମ୍ମୁଖ୍ୟଧର୍ମୀ ସାହିତ୍ୟକାରିତାର ସ୍ୱରଲହର ପ୍ରକାରାନ୍ତରେ ଏକ ସଂକଳ୍ପବଦ୍ଧ ସଂଗ୍ରାମୀର ସାରସ୍ୱତ ଶଂଖନାଦ। ସାମାଜିକ ପ୍ରଯୋଜନାବୋଧର ତାଡନା ତାଙ୍କ କଲମର ବେଗକୁ କରିଛି କ୍ଷିପ୍ରତର, ମାନବିକ ମର୍ମବେଦନା ତାଙ୍କ ହୃଦୟାବେଗକୁ କରିଛି ବି ତୀବ୍ରତର। ନିଜ ପାଇଁ ନୁହେଁ- ସେ ଲେଖନ୍ତି ନିୟୁତ ନିର୍ଯାତିତ, ନିପୀଡିତ, ବଂଚିତ, ବିସ୍ଥାପିତ, ଦୁର୍ଗତ, ଦଳିତଙ୍କ ପାଇଁ। ମାମୁଲି ମଣିଷ ତାଙ୍କ ମହାନାୟକ। ବରିଷ୍ଠ ସାମ୍ୱାଦିକ, ଭୁବନେଶ୍ୱର ମୋ : ୮୮୯୫୦୬୪୭୭୭

Share :