ଓଡ଼ିଶା ରାଜନୀତିର ଚିରଉନ୍ନତ ଚିରାଳ

ଓଡ଼ିଶା ରାଜନୀତିର ଚିରଉନ୍ନତ ଚିରାଳ

Share :

ମାୟାଧର ନାୟକ ସମକାଳୀନ ଓଡ଼ିଶା ରାଜନୀତିର ସେ ଥିଲେ ଚିରଉନ୍ନତ ଚିରାଳ-ଅବନମିତ କ’ଣ ତାଙ୍କୁ ଅର୍ଦ୍ଧନମିତ ବି ହେବାର କେହି ଦେଖିନାହାଁନ୍ତି କେବେହେଲେ। ସେ ଅଶୋକ ଦାସ... ଆମ ସମୟର ଦୁର୍ଦ୍ଦାନ୍ତ, ଦୁଃସାହସିକ ଓ ଦୁର୍ବିନୀତ ପୌରୁଷର ପ୍ରଚଣ୍ଡ ଝଡ଼-ଯେଉଁ ଝଡ଼ ଧୂଳିଝଡ଼ କି ଘୂର୍ଣ୍ଣିଝଡ଼ ନୁହେଁ, ସୃଷ୍ଟି କରିଥିଲା ଜନସମୁଦ୍ରରେ ଉତ୍ତାଳ ଜୁଆର-ତରଳାଇଥିଲା ଜମାଟବନ୍ଧା ବରଫ ପାହାଡ଼। ଛାତ୍ର ଜୀବନରେ ଜଣେ ଆଗୁଆ ଖେଳୁୱାଡ଼ ସ୍ପିରିଟ୍ର ଯୁବକ ଅଶୋକ ଦାସ ବକ୍ସର୍ ଭାବରେ ମଧ୍ୟ ଖ୍ୟାତି ଅର୍ଜନ କରିଥିଲେ। ଅଶୋକ ଦାସ ଓଡ଼ିଶା ରାଜନୀତି କ୍ଷେତ୍ରରେ ସ୍ପର୍ଦ୍ଧିତ ସ୍ୱାଭିମାନର ସ୍ପନ୍ଦିତ ପ୍ରାଣପୁରୁଷ। ସେ ଏହି ରାଜନୈତିକ କୁରୁକ୍ଷେତ୍ରକୁ ଆସିଥିଲେ ଜଣେ ମହାରଥୀର ମର୍ଯ୍ୟାଦା ନେଇ-ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦପ୍ରାପ୍ତ ଅନୁପ୍ରେରଣାରେ। ବାପ ପରି ମାନୁଥିଲେ ବିଜୁବାବୁଙ୍କୁ, ସେ ମାନିବା ପଛରେ ପୁଣି କୌଣସି ମୁନାଫାଧର୍ମୀ ମାନସିକତା ବଳବତ୍ତର ନଥିଲା ମୋଟେ। ଏପରିକି ବିଜୁ ଅମଳରେ ମନ୍ତ୍ରୀପଦ ପାଇଁ ଲାଳାୟିତ ହୋଇନଥିଲେ କେବେ-ଯାହା ହାସଲ କରିବାଟା ତାଙ୍କ ପାଇଁ ସେତେବେଳେ ଅସମ୍ଭବ ନଥିଲା। ଅନ୍ୟ ଅନେକ ସମକାଳୀନ ବିଜୁବାବୁଙ୍କ କୃପାରେ ଓ ଅଶୋକ ଦାସଙ୍କ ସମର୍ଥନରେ କେବଳ ମନ୍ତ୍ରୀ ହୋଇନାହାଁନ୍ତି, ପରବର୍ତ୍ତୀ କାଳରେ ଫାଇଦାଧର୍ମୀ ରାଜନୀତିର କାଇଦାରେ ବିଜୁବାବୁଙ୍କୁ ତାଙ୍କୁ ହତ୍ୟା କରିଛନ୍ତି ମଧ୍ୟ। ବାଘ ପୋଷିଥିଲେ ଦିନେ ଅଶୋକ ଦାସ। ହଁ, ସେ ବାଘକୁ ପୋଷା ମନାଇ ପାରିଥିଲେ ସିନା, ମାତ୍ର ପୋଷା ମନାଇ ପାରିବେ ନାହିଁ ବିଶ୍ୱାସଘାତକ ବନ୍ଧୁବିରାଦରବର୍ଗଙ୍କୁ। ଦୁର୍ଦ୍ଦାନ୍ତ ଅଶୋକ ଦାସ ନିଃସଙ୍ଗ ରହିବାକୁ ଶ୍ରେୟସ୍କର ମଣିଲେ ପଛେ, କିନ୍ତୁ ବିଜୁଙ୍କ ତିରୋଧାନ ପରେ ନବୀନ ବାବୁଙ୍କ ନେତୃତ୍ୱରେ ଗଠିତ ବିଜେଡ଼ି ଦଳରେ ସାମିଲ୍ ହୋଇପାରିଲେ ନାହିଁ। ନବୀନ ବାବୁଙ୍କୁ ମଧ୍ୟ ମୁହଁ ଖୋଲି କିଛି କହିପାରିଲେ ନାହିଁ, କିନ୍ତୁ ନୀରବ ହୋଇଗଲେ ଅବଶିଷ୍ଟ ଜୀବନ। ଅଶୋକ ଦାସ... ଏକ ଅବିସ୍ମରଣୀୟ ଆହ୍ୱାନ, ଏକ ଅକୁତୋଭୟ ଅଙ୍ଗୀକାର। ଓଡ଼ିଶା ରାଜନୀତିର ସେ ଥିଲେ ସେଇ କାଉଁରିଆ କାଠି, ଯିଏ ବନ୍ଧୁମାନଙ୍କ ବିଶ୍ୱାସଘାତକାରେ ଭାଙ୍ଗି ପଡ଼ିଥିଲେ ହେଁ ନଇଁନଥିଲେ କେବେ? ସ୍ମୃତିର ରହିଶୀଳତା ପାଉଁଶ ଭିତରୁ ସମ୍ପର୍କର କେତୋଟି ଫୁଲପାଖୁଡ଼ା ଏଠି ବିଞ୍ଚିଦେବାକୁ ସ୍ଖହୁଁଛି। ସେ ହେଉଛି-ଆଜିଠୁ ଅନ୍ୟୁନ ୫୦ବର୍ଷ ତଳର ଛଳଛଳ ଜଳଛବି-୧୯୬୮-୬୯ ମସିହାର ମାନଚିତ୍ର ଇଏ-ଯେଉଁଠି ଓଡ଼ିଶା ଯୁବ ବିପ୍ଲବର କେତୋଟି ଲାଲ୍ ରେଖାରେ ରେଖାଙ୍କିତ। ନମସ୍ୟ ଅଶୋକ ଦାସ ମୋର ଅଗ୍ରଜୋପମ ଯୁବନେତା ସେତେବେଳେ। ସେ ସମ୍ୱଲପୁର ଛାତ୍ରନେତା ଥିବା ସମୟରେ ମୁଁ ଯାଜପୁର ଛାତ୍ରନେତା ଭାବରେ ଜୋରଦାର ପଟ୍ଟୁଆରୀ ଆନ୍ଦୋଳନରେ ନିଜକୁ ସାମିଲ୍ କରାଇ ନେଇଥାଏ। ସାରା ଓଡ଼ିଶା ଛାତ୍ର ଆନ୍ଦୋଳନର ଦାବାଗ୍ନୀ ଯେତେବେଳେ ଓଡ଼ିଶାର ଶାସନ-ପ୍ରଶାସନ ତଥା ସରକାରଙ୍କୁ ଥରହର କରାଇ ଏକ ପ୍ରକାର ଜନଜାଗରଣରେ ପରିଣତ ହେବାକୁ ଯାଉଥିଲା-ସେହି ସମୟରେ ଅଶୋକ ଦାସ, ମୁଁ ଏକ ଆସନ୍ନ ମହାସଂଗ୍ରାମର ସନ୍ଧିକ୍ଷଣରେ ପରସ୍ପର ସହିତ ବୈପ୍ଲବିକ କରମର୍ଦ୍ଦନ କରିଥିଲୁ। ସେହିଦିନଠାରୁ ଆମ ଭିତରେ ଭାଇବନ୍ଧୁର ବିରାଦରୁ ଅନେକ ବର୍ଷ ଯାଏ ଅତୁଟ ରହିଆସିଛି। ଅନେକବାର ଓଡ଼ିଶାରେ ଗୋଟାଏ ନିଆରା ଇତିହାସର ନିଦ ଭଙ୍ଗାଇବା ପାଇଁ ଆମେ ନିଆଁ ଜାଳିବାର ଯୋଜନା କରିଛୁ। ମାତ୍ର ବିଡ଼ମ୍ୱନାର ବିଷୟ ଯେ-ପରବର୍ତ୍ତୀକାଳୀନ ଓଡ଼ିଶା ରାଜନୀତିର ଅସ୍ଥିରତା ଆମ ଦୁହିଁଙ୍କ ମଧ୍ୟରେ ଦୂରତ୍ୱ ବ୍ୟବଧାନର ସୀମାରେଖା ଟାଣିଦେଇଛି। ଅଗ୍ରଜୋପମ ଅଶୋକ ଦାସ କ୍ଷମତା ରାଜନୀତିର ଜଣେ ଚର୍ଚ୍ଚିତ ଚରିତ୍ର ହୋଇ ଉଠୁଥିବା ବେଳକୁ ମୁଁ ମାଟି, ଘାଟି, ମଇଦାନର ମୁଖପାତ୍ର ଭାବରେ ଶାସନ ବିରୋଧୀ ଶିବିରରେ ମୋର ଝଡ଼ବିକ୍ଷିବ୍ଧ ବିନିଦ୍ରରାତ୍ରି ସବୁ ପୁହାଇ ଦେଇଛି। ସେ ତ ଏକ ଅତିକ୍ରାନ୍ତ ଅତୀତର ଉଜ୍ଜ୍ୱଳ ଅଧ୍ୟାୟ। ଆଜିର ଏହି ଅନ୍ଧକାରାଚ୍ଛନ୍ନ ପରିସ୍ଥିତିରେ ସେସବୁ ପୁରୁଣା ପୃ।ର ଅକ୍ଷର ଆଉ ପଢିହେବ ନାହିଁ। ମନେ ଅଛି-ଅଶୋକ ଭାଇ ମୋତେ ଅନେକଥର ଡ଼କାଇ ବିଜୁବାବୁ ତମକୁ ଖୋଜିଛନ୍ତି ଜଣାଇ ତାଙ୍କ ଦଳକୁ ପାଛୋଟି ନେବାର ସ୍ୱାଦର ସ୍ୱାଗତର ସ୍ୱର ଶୁଣାଇଛନ୍ତି। ମୁଁ କିନ୍ତୁ ବିନମ୍ରତାର ସହିତ ତାଙ୍କୁ ଆଘାତ ନ ଦେଇ ସୁଦ୍ଧା ନିଜର ଅସମ୍ମତି ପ୍ରତ୍ୟେକଥର ପ୍ରକାଶ କରିଛି। ଏହା ଆମ ଦୁଇଭାଇଙ୍କ ବନ୍ଧୁତ୍ୱର ବିରାଦରୀରୁ ଚେନାଏ ବି ପଲସ୍ତରା ଖସାଇ ପାରିନି। ମୋତେ ବହୁବାର ଖୋଜି ତାଙ୍କ ଦଳରେ ନ ପାଇବା ଫଳରେ ବିଜୁବାବୁ ବିରକ୍ତ ହୋଇ ଶେଷକୁ ପ୍ରଫୁଲ୍ଲ ଘଡେ଼ଇଙ୍କୁ ଡ଼କାଇ ନେଇଥିବା କଥା ଖୋଦ୍ ଅଶୋକ ଭାଇ ମୋତେ ଜଣାଇଛନ୍ତି। ଅଥଚ ଭାଗ୍ୟର ଏଭଳି ବିଡ଼ମ୍ୱନାରେ ସେଇ ଦୁର୍ଦ୍ଦାନ୍ତ ଅଶୋକ ଦାସ ଶେଷରେ ବିଜୁବାବୁଙ୍କ ମୃତ୍ୟୁ ପରେ ଦଳୀୟ ରାଜନୀତିର ଦୁର୍ଗରୁ ବାହାରି ଆସି ନିଜ ନିବାସରେ ଏକ ନିଃସଙ୍ଗ ନାୟକ ପରି ଲେମ୍ୱୁ ଚା’ର ସକାଳ ଆଉ ଚର୍ବିତ ତାମ୍ୱୁଳର ଲାଲସନ୍ଧ୍ୟାରେ ଅତୀତକୁ ରୋମନ୍ଥନ କରିବାକୁ ଶେଷରେ ବାଧ୍ୟ ହୋଇଛନ୍ତି। ସେ ସମୟରେ ଥରେ ମୋତେ ତାଙ୍କ ନିର୍ଜନ ବୈଠକଖାନାରେ ସକରୁଣ ସ୍ବୀକାରୋକ୍ତି ଶୁଣାଇବା ପରି ଓଦା ଆଖି ଆଉ କୋହମିଶା କଣ୍ଠରେ କହିଛନ୍ତି-ମାୟାଧର! ତୁ ଠିକ୍ ନିଷ୍ପତ୍ତି ନେଇଛୁ। ଅଶୋକ ଭାଇଙ୍କ ସହିତ ମୋର ଅନେକ କ୍ଷେତ୍ରରେ ମତର ମେଳ ନ ହୋଇଥିବା ସତ୍ତ୍ୱେ ଆମେ ଆମ ଦିହିଁଙ୍କ ମନ କେବେହେଲେ ଗୋଟିଏ ଗୋଟିଏ ଭଙ୍ଗା ଖେଳନାରେ ପରିଣତ ହୋଇନି। ଏପରିକି ତାଙ୍କ ମନରେ ମୋ ପାଇଁ ଏତେ ସ୍ନେହଭାବର ଜୁଆର ଖେଳିଯାଇଥିଲା ଯେ-ଆମ ସମ୍ପର୍କ ଗୋଟାଏ ଚକ୍ଚକ୍ ଫୁଲଦାନୀର ପ୍ଲାଷ୍ଟିକ ଫୁଲ ନହୋଇ ଦୂର ଜଙ୍ଗଲର ତାଜାଫୁଲ ପରି ସଦାସର୍ବଦା ଥିଲା ସୁବାସିତ। ମୋ ପ୍ରତି ତାଙ୍କର ସମ୍ୱୋଧନ ଆପଣରୁ ତମେ ଏବଂ ଶେଷକୁ ତୁ’ରେ ଆସି ପହଞ୍ଚିଥିଲା। ତାଙ୍କର ତୁ’କାର ଭତିରେ କିନ୍ତୁ ଭରି ରହିଥିଲା ତାଙ୍କ ଲୁକ୍କାୟିତ ହୃଦୟର ସ୍ନେହପଖୋଳା ପୁକାର। ଅନେକ କଥା ସେ ମୋତେ କହିଛନ୍ତି। ମୁଁ ଅନେକ କଥା ତାଙ୍କୁ କହିଛି। କିନ୍ତୁ ଆମର ସେ ସବୁ କଥା ଅଧୁରା କଥା ହୋଇ ରହିଯାଇଛି। ଏପରିକି ଥରେ ମୋତେ ଡ଼ାକି ସେ ସେଦିନ ନଳିନୀକାନ୍ତ ମହାନ୍ତି, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ରାମକୃଷ୍ଣ ପଟ୍ଟନାୟକ, ଅରୁଣ ଦେ ପ୍ରମୁଖଙ୍କ ସହିତ ଗୋଟିଏ ବିଶେଷ ସିଦ୍ଧାନ୍ତ ବାବଦରେ କଥାବାର୍ତ୍ତା ହେବାପାଇଁ ଇଚ୍ଛା ପ୍ରକାଶ କଲେ। ସେଦିନ ତାଙ୍କ ଖୋଲାମେଲା ଦରବାରୀ ବୈଠକଖାନାରେ ଦିନର ତାରିଖ ଥିଲା ଅଦୂର ଭବିଷ୍ୟତରେ ଓଡ଼ିଶା ରାଜନୀତିର ଗୋଟିଏ ନୂତନ ଜନ୍ମଦିନ ପାଳନ ପାଇଁ ଅନୋପଚାରିକ ଐତିହାସିକ ଦିବସ। ସେଦିନ ମୁଁ ବି ମୋ ଚିରାଚରିତ ଢଙ୍ଗରେ ସ୍ମିତ ହସି ଅସମ୍ମତି ଜ୍ଞାପନ କରିଥିଲି। ତଥାପି ସେ ମୋ ଉପରେ କେବେ ଅସନ୍ତୁଷ୍ଟ ହୋଇନଥିବାର ପ୍ରମାଣ ମୁଁ ତାଙ୍କ ପରବର୍ତ୍ତୀ ଆଚାର ବ୍ୟବହାରରେ ଲକ୍ଷ୍ୟ କରିନାହିଁ। ଶେଷକୁ କେବଳ ଗୋଟିଏ କଥା କହି ଏହି ପ୍ରସଙ୍ଗରେ ଉପସଂହାର ଆଣିବି। ସେଦିନ ତାଙ୍କ ଶେଷଶଯ୍ୟାରେ ସେ ମୋତେ ଏକାନ୍ତରେ କେତୋଟି କଥା କହିଥିଲେ। ସେହି କେତୋଟି କଥାରେ ଜଣେ ବୀରତ୍ୱପୂର୍ଣ୍ଣ ନାୟକର କଣ୍ଠସ୍ୱର ମୁଁ ଆଉ ଶୁଣିପାରି ନଥିଲି। କଣ୍ଠସ୍ୱର ଅପେକ୍ଷା ଅନୁଭବ କରିଥିଲି ତାଙ୍କ ଅନ୍ତରର କୋହ। କହୁ କହୁ କହିପକାଇଲେ ମାୟାଧର, ଯଦି କିଛି ଅଘଟଣ ଘଟେ, ମୁଁ ଆଉ ବଞ୍ଚିବି ନାହିଁ। ସେ ଆଉ ବଞ୍ଚିନାହାଁନ୍ତି ସତ, ମାତ୍ର ଅନେକ ବର୍ଷ ମୋ ଭିତରେ ତାଙ୍କ ସ୍ନେହ ସମ୍ପର୍କର ସ୍ମୃତି ଗୋଟିଏ ସ୍ୱର୍ଣ୍ଣ ପ୍ରଦୀପର ଶିଖା ପରି ଆଜି ମଧ୍ୟ ଅନିର୍ବାପିତ ରକ୍ତ ସମ୍ପର୍କର ପରିଧି ବାହାରେ, ସବୁପ୍ରକାର ବିରୋଧର ବିଡ଼ମ୍ୱନା ଭିତରେ ମୋ ପକ୍ଷରେ ଏକ ମହାର୍ଘମିଳନାମିକ ମୃଦୁମଧୁର ସମ୍ଭାଷଣ। ମୁଁ ମୋ ସେହି ଅନ୍ତରର ଅଗ୍ରଜକୁ ମୋର ହାର୍ଦ୍ଦିକ ପ୍ରଣାମ ଜ୍ଞାପନ କରୁଛି। ଯାଜପୁର ରୋଡ଼, ଯାଜପୁର ମୋ-୯୮୬୧୦୩୪୧୬୩

Share :