ମହିଳାଙ୍କୁ ଭଣ୍ଡୁଛନ୍ତି ସରକାର!

ମହିଳାଙ୍କୁ ଭଣ୍ଡୁଛନ୍ତି ସରକାର!

Share :

ରାଜ୍ୟ ସରକାର ମହିଳାମାନଙ୍କୁ ନେଇ ଭୋଟ ରାଜନୀତି କରୁଛନ୍ତି । ମହିଳାମାନଙ୍କୁ କିପରି ଆର୍ଥିକ ସ୍ୱାବଲମ୍ବୀ କରାଯିବ ତାହା ନକରି କେବଳ ନିର୍ବାଚନ ଜିତିବା ଲକ୍ଷ୍ୟରେ ବିଭିନ୍ନ ଭାବରେ ମହିଳାମାନଙ୍କୁ ଭ୍ରମିତ କରିବା ରାଜ୍ୟ ସରକାର ବନ୍ଦ କରନ୍ତୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ । ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି କି ଓଡ଼ିଶାର ୪ କୋଟି ୧୯ ଲକ୍ଷ ଜନସଂଖ୍ୟାର ୫୦% ହେଉଛନ୍ତି ମହିଳା । ହେଲେ ଓଡ଼ିଶାରେ ମହିଳାମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ସରକାର ଯେଉଁଭଳି ଭାବରେ ଧ୍ୟାନ ଦେବା କଥା ସେପରି ଦେଇପାରିନାହାନ୍ତି । ମହିଳାମାନଙ୍କୁ କେବଳ ନିର୍ବାଚନ ଜିତିବା ପାଇଁ ବ୍ୟବହାର କରିଛନ୍ତି । ମହିଳାମାନଙ୍କର ଆର୍ଥିକ ପ୍ରଗତି ହେଉ ବା ମହିଳାମାନଙ୍କର ସ୍ୱାସ୍ଥ୍ୟ ହେଉ ବା ପରିମଳ ସବୁଥିରେ ଓଡ଼ିଶା ପଛରେ । ଦେଶରେ ମହିଳା ବିରୋଧୀ ହିଂସାରେ ଓଡ଼ିଶା ଦେଶର ସବୁଠାରୁ ଉଦବେଗଜନକ ସ୍ଥିତିରେ ଅଛି । ରାଜ୍ୟ ସରକାର ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ମହିଳାମାନଙ୍କୁ ପଇସା ବାଂଟିବାକୁ ଯାଉଛନ୍ତି । କେବଳ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଏପରି କରିବାକୁ ଯାଉଛନ୍ତି । ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀକୁ ସରକାର ୩ ବର୍ଷରେ ୧୫୦୦୦ ଟଙ୍କା ଦେବାକୁ ଯାଉଛନ୍ତି । ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀରେ ୧୦ରୁ ୧୫ ଜଣ ମହିଳା ସଦସ୍ୟ ଅଛନ୍ତି । ତା’ହେଲେ ମୁଣ୍ଡ ପିଛା ୧୦୦୦ ଟଙ୍କା ପ୍ରତି ମହିଳାକୁ ମିଳିବ । ୩ ବର୍ଷରେ ଜଣେ ମହିଳାକୁ ୧୦୦୦ ଟଙ୍କା ମିଳିଲେ ତାର କ’ଣ ଆର୍ଥନୈତିକ ବିକାଶ ହେବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି । ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଯିବା ଦରକାର । ମହିଳାମାନଙ୍କୁ କିପରି ରୋଜଗାର ମିଳିପାରିବ ତାହା ସରକାର ନିଶ୍ଚିତ କରିବା ଦରକାର । ମହିଳା ଶିଶୁ ବିକାଶ ବିଭାଗର ବଜେଟକୁ ଦେଖିଲେ ଲାଗୁଛି ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ବିକାଶ ପାଇଁ ଆଦୌ ଯତ୍ନବାନ ନୁହନ୍ତି ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି । ୨୦୧୭-୧୮ରେ ଆର୍ଥିକ ବଜେଟରେ ମହିଳା ଶିଶୁ ବିକାଶ ବିଭାଗ ପାଇଁ ୨୧୦୮ କୋଟି ଟଙ୍କା ବ୍ୟୟ ବରାଦ ଥିବା ବେଳେ ୨୦୧୮-୧୯ରେ ଏହା ୧୩୪୦ କୋଟି ଟଙ୍କା ବଢ଼ି ୩୪୪୮ କୋଟିରେ ପହଂଚିଛି । ମହିଳା ସଶକ୍ତିକରଣ ଯୋଜନାରେ ୨୦୧୬-୧୭, ୨୦୧୭-୧୮ ବର୍ଷରେ କୌଣସି ଅର୍ଥ ରାଶି ବ୍ୟୟବରାଦ ନଥିଲାବେଳେ ୨୦୧୮-୧୯ରେ ଏଥିରେ ୫୫୦ କୋଟି ଟଙ୍କା ରଖାଯାଇଛି । ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ସହାୟତା ଯୋଜନାରେ ୨୦୧୬-୧୭ ଓ ୨୦୧୭-୧୮ରେ କୌଣସି ଅର୍ଥ ରାଶି ବ୍ୟୟବରାଦ ନଥିଲା ବେଳେ ୨୦୧୮-୧୯ ରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥିରୁ ସ୍ପଷ୍ଟ ହେଉଛି କି କେବଳ ନିର୍ବାଚନକୁ ଆଖି ଆଗରେ ଏହି ଦୁଇଟି ଅଧୀନରେ ୧୦୫୦ କୋଟି ଟଙ୍କା ବ୍ୟୟ କରାଯାଉଛି । ତାମିଲନାଡୁର ଏକ ଛୋଟ ସହର ନମକନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ବାର୍ଷିକ ୯୦୦ କୋଟି ଅଣ୍ଡା ଉତ୍ପାଦନ କରିପାରୁଛନ୍ତି । ହେଲେ ଓଡ଼ିଶାରେ ସମୁଦାୟ ଅଣ୍ଡା ଉତ୍ପାଦନ ହେଉଛି ୧୯୭ କୋଟି । ଆଜିର ଦିନରେ ଓମଫେଡ ୫ ଲକ୍ଷ ଲିଟର କ୍ଷୀର କିଣୁଥିବାବେଳେ ଗୁଜୁରାଟର ବନସକଂଟା ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନେ ଦୈନିକ ୬୦ ଲକ୍ଷ ଲିଟର ଉତ୍ପାଦନ କରି ନିଜର ଆର୍ôଥକ ବିକାଶ କରିପାରିଛନ୍ତି । ଆମ ଓଡ଼ିଶାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ପଛରେ ପଡ଼ିବା ରାଜ୍ୟ ସରକାରଙ୍କର ବିଫଳତା ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି । ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି କି, ଓଡ଼ିଶାରେ ଏବେ ସୁଦ୍ଧା ମିଳିଥିବା ଆର୍ଥିକ ସହାୟତା ମଧ୍ୟ ଦେଶର ଅନ୍ୟ ରାଜ୍ୟଠାରୁ କମ । ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଏବେ ସୁଦ୍ଧା ମାତ୍ର ୬୨୭ କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ଆନ୍ଧ୍ର ପ୍ରଦେଶରେ ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀ ପିଛା ୬୨ ହଜାର ଟଙ୍କା ମିଳିଥିବାବେଳେ ଓଡ଼ିଶାରେ ଏହା ମାତ୍ର ୧୪୫୪୧ ଟଙ୍କା । ସେହିପରି ଓଡ଼ିଶାରେ ୬ ଲକ୍ଷ ଏସଏଚଜି ଗ୍ରୁପ ଥିଲାବେଳେ ଏବେ ଯାଏ ମାତ୍ର ୭୨ ହଜାରର ଏସଏଚଜିଙ୍କୁ ଋଣ ମିଳିଛି । ମହିଳା ସଶକ୍ତିକରଣ ପାଇଁ ପରିମଳ ଏକ ପ୍ରମୁଖ ଦିଗ । ଓଡ଼ିଶା ଏଥିରେ ବି ଦେଶରେ ସବୁଠାରୁ ପଛରେ । ପ୍ରତି ପରିବାର ପାଇଖାନା ସୁବିଧାରେ ଓଡ଼ିଶା ତଳୁ ଆଡୁ ଦ୍ୱିତୀୟ । ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ୧୦୦% ପରିବାର ପାଖରେ ପାଇଖାନା ସୁବିଧା ଥିବାବେଳେ ଓଡ଼ିଶାରେ ଏହା ହେଉଛି ୭୨% । ଓଡ଼ିଶାରେ ମାତ୍ର ୩୯ % ଗାଁ ହେଉଛି ଖୋଲାରେ ମଳମୂତ୍ର କରୁନଥିବା ଗାଁ । ଓଡ଼ିଶାରେ ମହିଳାଙ୍କ ସ୍ୱାସ୍ଥ୍ୟ ଉଦବେଗଜନକ ସ୍ଥିତିରେ ଅଛି । ରକ୍ତହୀନତାରେ ୫୧% ମହିଳା ଶିକାର । ଅପପୁଷ୍ଟିରେ ଶିକାର ହେବାରେ ଓଡ଼ିଶା ମଧ୍ୟ ଦେଶରେ ସବୁଠାରୁ ବିପଦଜନକ ସ୍ଥିତିରେ ଅଛିି । ମହିଳା ବିରୋଧୀ ହିଂସାରେ ଓଡ଼ିଶା ଦେଶରେ ତୃତୀୟ । ଗୋଟିଏ ବର୍ଷରେ ମୋଟ ୨୨୨୧ଟି ଧର୍ଷଣ ମାମଲା ହୋଇଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଏବଂ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Share :