ଅରୁଣ ଜେଟ୍ଲୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଆଜି ଆମେ ବିମୁଦ୍ରୀକରଣର ଦୁଇ ବର୍ଷ ପୂରଣ କରୁଛୁ । ଅର୍ଥବ୍ୟବସ୍ଥାକୁ ଔପଚାରିକ କରିବା ଦିଗରେ କେନ୍ଦ୍ର ସରକାର ନେଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୃଙ୍ଖଳା ମଧ୍ୟରୁ ବିମୁଦ୍ରୀକରଣ ଏକ ପ୍ରମୁଖ ପଦକ୍ଷେପ । ସରକାର ପ୍ରଥମେ ଭାରତ ବାହାରେ ଥିବା କଳାଧନକୁ ଟାର୍ଗେଟ କରିଥିଲେ । ଜୋରିମାନା ଟିକସ ପଇଠ କରି ଏହି ସବୁ ସମ୍ପତିକୁ ଦେଶ ଭିତରକୁ ଆଣିବା ଲାଗି ସମ୍ପତି ଧାରକମାନଙ୍କୁ କୁହାଯାଇଥିଲା । ଯେଉଁମାନେ ଏହା କରିବାରେ ବିଫଳ ହୋଇଛନ୍ତି ସେମାନଙ୍କୁ କଳାଧନ ଆଇନ ଅଧୀନରେ ଦଣ୍ଡିତ କରାଯାଇଛି । ବିଦେଶରେ ଥିବା ଜମା ଏବଂ ସମ୍ପତିର ବିବରଣୀ ଯାହା ସରକାରଙ୍କୁ ମିଳିଲା, ସେସବୁର ଉଲ୍ଲଙ୍ଘନକାରୀମାନଙ୍କୁ ଦଣ୍ଡିତ କରାଗଲା । ରିଟର୍ଣ୍ଣ ଦାଖଲ କରିବା ଏବଂ ଟିକସ ଆଧାରକୁ ସମ୍ପ୍ରସାରଣ କରିବାର ସୁବିଧା ପ୍ରଦାନ ଲାଗି ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ କ୍ଷେତ୍ରରେ ପ୍ରଯୁକ୍ତିର ଉପଯୋଗ କରାଗଲା । ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯାହା ଦ୍ୱାରା ସମାଜର ଦୁର୍ବଳ ବର୍ଗର ଲୋକମାନେ ମଧ୍ୟ ଔପଚାରିକ ଅର୍ଥବ୍ୟବସ୍ଥାର ଅଂଶବିଶେଷ ହୋଇପାରିଲେ । ଜନଧନ ଜମାଖାତା ଦ୍ୱାରା ବହୁସଂଖ୍ୟକ ଲୋକ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଯୋଡ଼ିହୋଇପାରିଲେ । ଆଧାର ଆଇନ ଦ୍ୱାରା ସରକାରଙ୍କ ସହାୟତା ବ୍ୟବସ୍ଥା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ ସିଧାସଳଖ ହିତାଧିକାରୀମାନଙ୍କ ଜମାଖାତାକୁ ପହଁଚିଗଲା । ପରୋକ୍ଷ ଟିକସ କ୍ଷେତ୍ରରେ, ଜିଏସଟି ଦ୍ୱାରା ଟିକସ ପ୍ରକ୍ରିୟା ଆହୁରି ସରଳ ହୋଇପାରିଲା । ବର୍ତ୍ତମାନ ଟିକସ ବ୍ୟବସ୍ଥାକୁ ଫାଙ୍କିବା ଦିନକୁ ଦିନ ଅଧିକ କଷ୍ଟକର ହୋଇପଡ଼ୁଛି । ନଗଦର ଭୂମିକା ଭାରତ ଏକଦା ନଗଦ ଆଧିପତ୍ୟ ଅର୍ଥବ୍ୟବସ୍ଥା ଥିଲା । ନଗଦ ଦ୍ୱାରା ସନ୍ଦେହଜନକ କାରବାର ହେଉଥିଲା । ଏହା ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଏଡ଼ାଇବା ସହିତ ଅଧିଗ୍ରହିତାଙ୍କୁ ଟିକସ ଫାଙ୍କିବାର ସୁଯୋଗ ଦେଉଥିଲା । ବିମୁଦ୍ରୀକରଣ ଦ୍ୱାରା ନଗଦଧାରୀମାନେ ବ୍ୟାଙ୍କରେ ଟଙ୍କା ଜମା କରିବା ଲାଗି ବାଧ୍ୟ ହେଲେ । ବିପୁଳ ପରିମାଣର ଟଙ୍କା ଜମା ହେଲା ଏବଂ ଜମାକାରୀଙ୍କ ପରିଚୟ ମିଳିଲା । ୧୭.୪୨ ଲକ୍ଷ ଖାତାଧାରୀଙ୍କ କାରବାର ସନ୍ଦେହଜନକ ମନେ ହେବାରୁ ସେମାନଙ୍କଠାରୁ ଅନଲାଇନରେ ଜବାବ/ଉତ୍ତର ଗ୍ରହଣ କରାଗଲା । ଉଲ୍ଲଙ୍ଘନକାରୀ ଦଣ୍ଡ ଭୋଗିଲେ । ଏହି ଟଙ୍କା ମଧ୍ୟରୁ ଅଧିକାଂଶ ପରବର୍ତୀ ନିବେଶ ଲାଗି ମ୍ୟୁଚୁଆଲ ଫଣ୍ଡରେ ଉପଯୋଗ କରାଗଲା । ଏହା ଔପଚାରିକ ବ୍ୟବସ୍ଥାର ଅଂଶବିଶେଷ ହେଲା । ବିବାଦାସ୍ପଦ ବିତର୍କ ବିମୁଦ୍ରୀକରଣକୁ ଏକ ତଥ୍ୟହୀନ ଅଭିଯୋଗ କରାଗଲା ଯେ ବ୍ୟାଙ୍କରେ ସବୁତକ ନଗଦ ଟଙ୍କା ଜମାଖାତାକୁ ଆସିଗଲା । ନଗଦ ଟଙ୍କା ଜବତ କରିବା ବିମୁଦ୍ରୀକରଣର ଲକ୍ଷ୍ୟ ନଥିଲା । ଏହା ପଛରେ ବଡ଼ ଲକ୍ଷ୍ୟଟି ଥିଲା ସବୁ ନଗଦ ଟଙ୍କାକୁ ଔପଚାରିକ ଅର୍ଥବ୍ୟବସ୍ଥା ଅଧୀନକୁ ଆଣିବା ଏବଂ ନଗଦଧାରୀମାନଙ୍କୁ ଟିକସ ଦେବା ଲାଗି ବାଧ୍ୟ କରିବା । ଭାରତକୁ ନଗଦରୁ ଡିଜିଟାଲ କାରବାରବିଶିଷ୍ଟ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ବ୍ୟବସ୍ଥାରେ ଏପରି ବ୍ୟାପକ ପରିବର୍ତନର ଆବଶ୍ୟକତା ରହିଥିଲା । ଉଚ୍ଚ ଟିକସ ରାଜସ୍ୱ ଏବଂ ଏକ ଉଚ୍ଚ ଟିକସ ଆଧାର ଉପରେ ଏହାର ପ୍ରଭାବ ନିଶ୍ଚିତ ଭାବେ ଥିଲା । ଡିଜିଟାଲକରଣର ପ୍ରଭାବ ୨୦୧୬ରେ ଏକକ ପରିଶୋଧ ଆଦାନପ୍ରଦାନ ବ୍ୟବସ୍ଥା (ୟୁପିଆଇ) ଆରମ୍ଭ କରାଗଲା ଯାହାଦ୍ୱାରା ଦୁଇଟି ମୋବାଇଲ ସେଟ ମଧ୍ୟରେ ବାସ୍ତବ ସମୟରେ ପଇଠ ବ୍ୟବସ୍ଥା କରାଗଲା । ଏହି କାରବାର ଅକ୍ଟୋବର, ୨୦୧୬ରେ ୦.୫ ବିଲିୟନ ଟଙ୍କା ଥିବା ବେଳେ ସେପ୍ଟେମ୍ବର ୨୦୧୮ରେ ୫୯୮ ବିଲିୟନ ଟଙ୍କାରେ ପହଁଚିଛି । ୟୁପିଆଇର ଉପଯୋଗ କରି ତ୍ୱରିତ ପଇଠ କରିବା ଲାଗି ଏନପିସିଆଇ ଦ୍ୱାରା ଭାରତ ଇଂଟରଫେସ ଫର ମନି (ଭୀମ) ଆପ ବିକଶିତ କରାଗଲା । ବର୍ତମାନ ଏହାକୁ ୧.୨୫ କୋଟି ଲୋକ ଉପଯୋଗ କରୁଛନ୍ତି । ଭୀମ କାରବାରର ମୂଲ୍ୟ ସେପ୍ଟେମ୍ବର ୨୦୧୬ରେ ୦.୦୨ ବିଲିୟନ ଟଙ୍କାରୁ ବୃଦ୍ଧି ପାଇ ସେପ୍ଟେମ୍ବର ୨୦୧୮ରେ ୭୦.୬ ବିଲିୟନରେ ପହଁଚିଛି । ସର୍ବମୋଟ ୟୁପିଆଇ କାରବାର ମଧ୍ୟରୁ ଭୀମ କାରବାର ଭାଗ ୪୮% ପ୍ରତିଶତ । ପଏଂଟ ଅଫ ସେଲ (ପିଓଏସ) ଏବଂ ଇ-କମର୍ସ ଉଭୟ ପାଇଁ ରୂପେ କାର୍ଡ ଉପଯୋଗ କରାଯିବ । ସେପ୍ଟେମ୍ବର, ୨୦୧୮ରେ ବିମୁଦ୍ରୀକରଣ ପୂର୍ବରୁ ପିଓଏସରେ ଏହି କାରବାର ୮ ବିଲିୟନ ଟଙ୍କା ଥିବା ବେଳେ ସେପ୍ଟେମ୍ବର ୨୦୧୮ରେ ୫୭.୩ ବିଲିୟନ ଟଙ୍କାରେ ପହଁଚିଛି ଏବଂ ଇ-କମର୍ସରେ ଏହି କାରବାର ୩ ବିଲିୟନ ଟଙ୍କାରୁ ବୃଦ୍ଧି ପାଇ ୨୭ ବିଲିୟନ ଟଙ୍କାରେ ପହଁଚିଛି । ଆଜି ସ୍ୱଦେଶୀ ଭାବେ ବିକଶିତ ରୁପେ ଏବଂ ୟୁପିଆଇ ଭଳି ପରିଶୋଧ ବ୍ୟବସ୍ଥା କାରଣରୁ ଭାରତରେ ଭିସା ଏବଂ ମାଷ୍ଟର କାର୍ଡ ସେମାନଙ୍କ ସ୍ଥିତି ହରାଉଛନ୍ତି । ଡେବିଟ ଏବଂ କ୍ରେଡିଟ କାର୍ଡ ଜରିଆରେ ଭାରତୀୟ କାର୍ଡଗୁଡ଼ିକର ବଜାର ଅଂଶଧନ ୬୫%କୁ ବୃଦ୍ଧି ପାଇଛି । ପ୍ରତ୍ୟକ୍ଷ ଟିକସ ଉପରେ ପ୍ରଭାବ ବ୍ୟକ୍ତିଗତ ଆୟକର ସଂଗ୍ରହରେ ବିମୁଦ୍ରୀକରଣରର ପ୍ରଭାବ ଅନୁଭୂତ ହୋଇଥିଲା । ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୨୦୧୮-୧୯ ଆର୍ôଥକ ବର୍ଷରେ ଏହି ସଂଗ୍ରହ (୩୧-୧୦-୨୦୧୮ ସୁଦ୍ଧା) ୨୦.୨% ଅଧିକ ଥିଲା । ଏପରିକି କର୍ପୋରେଟ ଟିକସ ସଂଗ୍ରହ ମଧ୍ୟ ପୂର୍ବାପେକ୍ଷା ୧୯.୫% ଅଧିକ ଥିଲା । ବିମୁଦ୍ରୀକରଣ ପୂର୍ବ ଦୁଇ ବର୍ଷରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଯଥାକ୍ରମେ ୬.୬% ଏବଂ ୯% ବଢ଼ିଥିଲା । ବିମୁଦ୍ରୀକରଣ ପରବର୍ତୀ ଦୁଇବର୍ଷରେ ଏହି ବୃଦ୍ଧି ୧୪.୫% (୨୦୧୬-୧୭ରେ ବିମୁଦ୍ରୀକରଣର ପ୍ରଭାବୀ ହେବା ବର୍ଷର ଭାଗ)ଏବଂ ୨୦୧୭-୧୮ ଆର୍ଥିକ ବର୍ଷରେ ୧୮% ରହିଥିଲା । ସେହିପରି ୨୦୧୭-୧୮ରେ ଟିକସ ରିଟର୍ଣ୍ଣ ସଂଖ୍ୟା ୬.୮୬ କୋଟିରେ ପହଁଚିଥିଲା, ଏହା ବିଗତ ବର୍ଷ ତୁଳନାରେ ୨୫% ଅଧିକ ଥିଲା । ଚଳିତବର୍ଷ, ୩୧-୧୦-୨୦୧୮ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ୫.୯୯ କୋଟି ରିଟର୍ଣ୍ଣ ଦାଖଲ ହୋଇସାରିଲାଣି ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ୫୪.୩୩% ଅଧିକ । ଚଳିତ ବର୍ଷ ଅତିରିକ୍ତ ୮୬.୩୫ ଲକ୍ଷ ଟିକସଦାତା ଯୋଡ଼ି ହୋଇଛନ୍ତି । ମେ ୨୦୧୪ରେ ବର୍ତମାନର ସରକାର ଯେତେବେଳେ ନିର୍ବାଚିତ ହେଲେ, ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଦାଖଲକାରୀମାନଙ୍କ ସଂଖ୍ୟା ୩.୮ କୋଟି ଥିଲା । ଏହି ସରକାରଙ୍କ ପ୍ରଥମ ଚାରି ବର୍ଷରେ ଏହା ୬.୮୬ କୋଟିକୁ ବୃଦ୍ଧି ପାଇଛି । ଏହି ସରକାରଙ୍କ ପ୍ରଥମ ପାଂଚ ବର୍ଷ ପୂରଣ ହେବା ବେଳକୁ ଆମେ ଟିକସଦାତାଙ୍କ ସଂଖ୍ୟା ଦ୍ୱିଗୁଣିତ କରିବାର ନିକଟରେ ପହଁଚି ସାରିଥିବୁ । ପରୋକ୍ଷ ଟିକସ ଉପରେ ପ୍ରଭାବ ବିମୁଦ୍ରୀକରଣ ଏବଂ ଜିଏସଟିର କାର୍ଯ୍ୟାନ୍ୱୟନ ଦ୍ୱାରା ବ୍ୟାପକ ଭାବେ ନଗଦ କାରବାରକୁ ହ୍ରାସ କରିଛି । ଡିଜିଟାଲ କାରବାରରେ ବୃଦ୍ଧି ଏବେ ପ୍ରତିଫଳିତ ହେଉଛି । ଅର୍ଥ ବ୍ୟବସ୍ଥାର ଏହି ଔପଚାରିକରଣ ଫଳରେ ଟିକସଦାତାଙ୍କ ସଂଖ୍ୟାର ଆଧାର ଜିଏସଟି ଲାଗୁ ହେବା ପୂର୍ବରୁ ୬.୪ ମିଲିୟନ ଥିବା ବେଳେ ଜିଏସଟି ଲାଗୁ ହେବା ପରେ ବୃଦ୍ଧି ପାଇ ୧୨ ମିଲିୟନରେ ପହଁଚିଛି । ଏହା ଅର୍ଥବ୍ୟବସ୍ଥାରେ ପରୋକ୍ଷ ଟିକସ ବୃଦ୍ଧିକୁ ବ୍ୟାପକ କରିପାରିଛି । ଏହା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଲାଭାନ୍ୱିତ କରିଛି । ଜିଏସଟି ଲାଗୁ ହେବା ପରେ, ପ୍ରତ୍ୟେକ ରାଜ୍ୟର କରାଧାନରେ ବାର୍ଷିକ ୧୪% ବୃଦ୍ଧି ବାଧ୍ୟତାମୂଳକ ହୋଇଯାଇଛି । ବର୍ତ୍ତମାନ ଟିକସଦାତାମାନଙ୍କୁ ସେମାନଙ୍କ ବ୍ୟବସାୟିକ କାରବାରକୁ ଘୋଷଣା କରିବାକୁ ପଡ଼ୁଥିବାରୁ ଏହା କେବଳ ପରୋକ୍ଷ ଟିକସ ହିସାବକୁ ପ୍ରଭାବିତ କରୁନାହିଁ, ବରଂ ଟିକସ ନିର୍ଦ୍ଧାରଣରେ ଏଥିରୁ ଆସିବାକୁ ଥିବା ଆୟକର ପରିମାଣ ମଧ୍ୟ ଉନ୍ମୋଚିତ ହୋଇପାରୁଛି । ୨୦୧୪-୧୫ରେ, ଜିଡିପିକୁ ପରୋକ୍ଷ ଟିକସର ଅନୁପାତ ୪.୪% ଥିଲା । ଜିଏସଟି ପରେ ଏହା ପାଖାପାଖି ୧ ପ୍ରତିଶତ ବୃଦ୍ଧି ପାଇ ୫.୪%ରେ ପହଁଚିଛି । କ୍ଷୁଦ୍ର ଟିକସଦାତାମାନଙ୍କୁ ୯୭,୦୦୦ କୋଟି ଟଙ୍କାର ଆୟକର ରିହାତି ଏବଂ ଜିଏସଟି ପ୍ରଦାନକାରୀମାନଙ୍କୁ ୮୦, ୦୦୦ କୋଟି ଟଙ୍କାର ରିହାତି ପ୍ରଦାନ କରିବା ସତ୍ତେ୍ୱ ଟିକସ ସଂଗ୍ରହ ବୃଦ୍ଧି ପାଇଛି । ଟିକସର ଦର, ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ କ୍ଷେତ୍ରରେ, ହ୍ରାସ କରାଯାଇଛି, କିନ୍ତୁ ଟିକସ ସଂଗ୍ରହ ବୃଦ୍ଧି ପାଇଛି । ଟିକସ ଆଧାର ସମ୍ପ୍ରସାରିତ ହୋଇପାରିଛି । ଜିଏସଟି ପୂର୍ବରୁ ୩୩୪ଟି ଉତ୍ପାଦ ଉପରେ ୩୧% ଟିକସ ଦେବାକୁ ପଡ଼ୁଥିଲା ଏବେ ସେସବୁରେ ଟିକସ ହ୍ରାସ କରାଯାଉଛି । ସରକାର ଏସବୁ ସମ୍ବଳକୁ ଉନ୍ନତ ଭିତିଭୂମି ନିର୍ମାଣ, ସାମାଜିକ କ୍ଷେତ୍ର ଏବଂ ଗ୍ରାମୀଣ କ୍ଷେତ୍ରରେ ଉପଯୋଗ କରିଛନ୍ତି । ଯାହା ହେଉ ଆମେ ଆଜି ଗାଁକୁ ସଂଯୋଗ କରୁଥିବା ରାସ୍ତା, ପ୍ରତି ଘରକୁ ବିଦ୍ୟୁତ ସଂଯୋଗ, ଗ୍ରାମୀଣ ସ୍ୱଚ୍ଛତା ପ୍ରସାର ୯୨%କୁ ବୃଦ୍ଧି, ଏକ ସଫଳ ଆବାସ ଯୋଜନା, ୮ କୋଟି ଗରିବ ପରିବାରଙ୍କୁ ଗ୍ୟାସ ସଂଯୋଗ ଦେଖିପାରୁଛୁ । ୧୦ କୋଟି ପରିବାରଙ୍କୁ ଆୟୁଷ୍ମାନ ଯୋଜନା ଅଧୀନରେ ସାମିଲ କରାଯାଇଛି, ସବସିଡିଯୁକ୍ତ ଖାଦ୍ୟ ପାଇଁ ୧,୬୨,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି, କୃଷକମାନଙ୍କ ପାଇଁ ଏମଏସପିରେ ୫୦% ବୃଦ୍ଧି ଏବଂ ଏକ ସଫଳ ବୀମା ଯୋଜନା ପ୍ରଚଳନ କରାଯାଇଛି । ଅର୍ଥବ୍ୟବସ୍ଥାର ଔପଚାରିକରଣ ଫଳରେ ୧୩ କୋଟି ଉଦ୍ୟୋଗୀମାନଙ୍କୁ ମୁଦ୍ରା ଋଣ ଯୋଗାଣ କରାଯାଇଛି । ମାତ୍ର କିଛି ସପ୍ତାହ ମଧ୍ୟରେ ସପ୍ତମ ବେତନ ଆୟୋଗ ଲାଗୁ କରାଯାଇଛି ଏବଂ ଶେଷରେ ଓଆରଓପି ଲାଗୁ ହୋଇଛି । ଅଧିକ ଔପଚାରୀକରଣ, ଅଧିକ ରାଜସ୍ୱ, ଲୋକମାନଙ୍କ ପାଇଁ ଅଧିକ ସମ୍ବଳ, ଅଧିକ ଭିତ୍ତିଭୂମି ଏବଂ ଆମ ନାଗରିକମାନଙ୍କ ପାଇଁ ଏକ ଉନ୍ନତ ମାନର ଜୀବନ ।