ମହାତ୍ମାଙ୍କୁ ଖବରକାଗଜ ବିକିଥିବା ଲୋକର ଆତ୍ମକଥା

ମହାତ୍ମାଙ୍କୁ ଖବରକାଗଜ ବିକିଥିବା ଲୋକର ଆତ୍ମକଥା

ବୈଷ୍ଣବ ଜେନା ମୋର ନାମ ଗୌରାଙ୍ଗ ଜେନା। ମାତ୍ର ମୋତେ ସମସ୍ତେ ଗାନ୍ଧି ଜେନା ଭାବରେ ଜାଣିଛନ୍ତି। ଏପରିକି ମୋର ନିକଟ ସମ୍ପର୍କୀୟମାନେ ମଧ୍ୟ ମୋର ଅସଲ ନାମ ଜାଣନ୍ତି ନାହିଁ। ମୋର ଗାନ୍ଧି ଜେନା ନାମକରଣ ପଛରେ ଏକ କାରଣ ଅଛି। ୧୯୨୧ ମସିହାରେ ମହାତ୍ମା ଗାନ୍ଧିଙ୍କ ପ୍ରଥମ ଓଡ଼ିଶା ଗସ୍ତ ସମୟରେ ମଁୁ ଜନ୍ମ ହୋଇଥିଲି। ଏଭଳି ନାମକରଣ ସମ୍ପର୍କରେ ବାଲ୍ୟକାଳରେ ମଁୁ ଅବଗତ ହେଲାପରେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଜାଣିବାକୁ ମୋର ଇଚ୍ଛା ହୋଇଥିଲା। ଆମେ ତ ନିପଟ ମଫସଲର ଲୋକ - କିପରି ଦେଖାକରିବୁ ବୋଲି ଚିନ୍ତାରେ ଥିଲୁ। ହଠାତ୍ ଖବର ମିଳିଲା ଯେ, ମହାତ୍ମା ଗାନ୍ଧି ପଦଯାତ୍ରାରେ ବରୀ ଅଞ୍ଚଳକୁ ଆସୁଛନ୍ତି। ତାହା ଥିଲା ୧୯୩୫ ମସିହାର ଘଟଣା। ସେହି ମହାପୁରୁଷଙ୍କୁ ଭେଟିବା ପାଇଁ ଆମ ଗ୍ରାମର କେତେକ ଲୋକଙ୍କ ସହିତ ଗାଲକାମୁଡ଼ି ତୋଟାକୁ ଗଲୁ। ସେଠାରେ ମହାତ୍ମା ଗାନ୍ଧୀ ରାତ୍ରି ଯାପନ କରିଥିଲେ। ମା’ ରମାଦେବୀ, ଗୋପବନ୍ଧୁ ଚୌଧୁରୀ, ବସୁଦେବ ସାମଲ, ବୀରକିଶୋର ରଥ ଓ ନବକୃଷ୍ଣ ଚୌଧୁରୀଙ୍କ ସମେତ ବିଶିଷ୍ଟ ସଂଗ୍ରାମୀମାନଙ୍କ ଉପସ୍ଥିତିରେ ସଭା ଅନୁଷ୍ଠିତ ହୋଇଥିଲା। ଆମ ଅଞ୍ଚଳର ବହୁଲୋକ ସେଥିରେ ଭାଷଣ ଦେଇଥିଲେ। ଗାନ୍ଧିଜୀଙ୍କୁ ସେହି ଓଡ଼ିଆ ଭାଷଣ ସମ୍ପର୍କରେ ମଝିରେ ମଝିରେ ଅବଗତ କରାଯାଉଥିଲା। ଉକ୍ତ ସଭାରେ ମହାତ୍ମା ଗାନ୍ଧି ମା’ ରମାଦେବୀଙ୍କ ଆଶ୍ରମକୁ ଉଚ୍ଚ ପ୍ରଶଂସା କରିବା ସହିତ ଛୁଆଁଅଛୁଆଁ ଭେଦଭାବକୁ ଦୂର କରିବାକୁ କହିଥିଲେ। ଏପରିକି ସବର୍ଣ୍ଣ-ଅସବର୍ଣ୍ଣ ବିବାହ ପ୍ରଥା ବରୀରୁ ଆରମ୍ଭ ହେଉ ବୋଲି କହିଥିଲେ। ତେବେ ମହାତ୍ମା ଗାନ୍ଧିଙ୍କ ସହିତ କଥାବାର୍ତ୍ତା କରିବାର ସମ୍ଭବ ହେଲା ୧୯୪୫ ମସିହାରେ। ୧୯୪୪ ମସିହାରେ ଆମ୍ଭେ ବାପାବୋଉଙ୍କ ଅଜାଣତରେ କଲିକତା ପଳାଇଥିଲୁ। ପୂର୍ବରୁ ଆମ ଗାଁର କିଛି ଲୋକ ସେଠାରେ ଥିଲେ। ସ୍ଥାନଟି ହେଉଛି - ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବାରାକପୁର। ଉଦ୍ଦେଶ୍ୟ ଥିଲା - ସାଇକେଲ୍ ଚଢିବା। ସେତେବେଳେ ବରୀ ଅଞ୍ଚଳରେ ସାଇକେଲଟିଏ ଦେଖିବା ସ୍ୱପ୍ନ ଥିଲା। ମୋତେ ସୁଯୋଗ ମିଳିଗଲା - ସେଠାରେ ବି.ଏଲ୍. ସା (ବୁଲବାବୁ) ନାମକ ଜଣେ ଆଙ୍ଗଲୋ- ଇଣ୍ଡିଆନ୍ ଭଦ୍ରବ୍ୟକ୍ତି ଏକ ଖବର କାଗଜ ବିତରଣ ଏଜେନ୍ସୀ ନେଇଥିଲେ। ୨୦ ଜଣ ଓଡ଼ିଆ ଯୁବକଙ୍କୁ ସେ ନିଯୁକ୍ତି ଦେଇଥିଲେ। ବିହାରୀ କିମ୍ୱା ବଙ୍ଗାଳିଙ୍କ ତୁଳନାରେ ବୁଲବାବୁ ଓଡ଼ିଆଙ୍କ ଉପରେ ବେଶି ଭରସା କରିଥିଲେ। ସାଇକେଲଟିଏ ସହିତ ଉତ୍ତମ ଦରମା ମଧ୍ୟ ଦେଇଥଲେ। ଆମେ ସେହି ଚାକିରୀକୁ ଗ୍ରହଣ କରିଥିଲୁ। ଟିକେ କଷ୍ଟ କାମ ଥିଲା। ପାହାନ୍ତା ୪ଟା ବୋଳକୁ ପ୍ରତ୍ୟହ ଉଠିବାକୁ ହୁଏ। ସିଆଲଦା ଷ୍ଟେସନ୍ ଯାଇ ଖବର କାଗଜ ଆଣିବାକୁ ହୁଏ। ତାହାକୁ ବାଣ୍ଟିବାକୁ ପଡ଼ିଥାଏ। ସେତେବେଳେ କେବଳ ସଂଭ୍ରାନ୍ତ ଲୋକ, ବ୍ୟବସାୟୀ ଓ ଅଫିସରମାନେ ଖବରକାଗଜ କିଣୁଥିଲେ। ସେମାନେ ଖବରକାଗଜ କିଣାକୁ ମର୍ଯ୍ୟାଦାଜନକ ବୋଲି କହୁଥିଲେ। ଦିନେ ଟିକେ ଡେରି ହୋଇଗଲେ କ୍ଷୁବ୍ଧ ହୋଇ ପଇସା କାଟିଦେଉଥିଲେ। କିଛିଦିନ ଏହି କାମ କଲାପରେ ଦିନେ ସଂସ୍ଥାର ମାଲିକ ବି.ଏଲ୍. ସା ଆମକୁ ଡକାଇଲେ। ସେ କହିଲେ- ତୁମେ ମହାତ୍ମା ଗାନ୍ଧିଙ୍କ ନାମ ଶୁଣିଛି ? ଆମେ କହିଲୁ - ସେ ଆମ ଗ୍ରାମକୁ ଆସିଥିଲେ, ତାଙ୍କୁ ଅତି ନିକଟରୁ ଦେଖିଛି। ଏକଥା ଶୁଣି ବୁଲବାବୁ ଖୁସି ହେଲେ ଏବଂ ପ୍ରତ୍ୟେକ ଦିନ ସକାଳ ୭ଟା ସୁଦ୍ଧା କାଗଜ ଦେବାକୁ ନିର୍ଦ୍ଦେଶ ଦେଲେ। ଅତ୍ୟନ୍ତ ଉତ୍ସାହର ସହିତ ଆମ୍ଭେ ତାହା ମାନିନେଲୁ। ସେତେବେଳେ ମହାତ୍ମା ଗାନ୍ଧି ହୁଗୁଳି ନଦୀ ଅଂଚଳରେ ଏକ ଆଶ୍ରମରେ ରହୁଥିଲେ। ଏବେ ସେଠାରେ ଦେଶର ସର୍ବ ବୃହତ୍ ଗାନ୍ଧି ପ୍ରତିମୂର୍ତ୍ତି ଅଛି। ନିର୍ଦ୍ଧାରିତ ଦିନ ସକାଳ ସାଢେ ୬ଟା ସମୟରେ ଆମ୍ଭେ ମହାତ୍ମାଙ୍କୁ ଭେଟି ନମସ୍କାର କଲୁ। ତାଙ୍କର ଇଚ୍ଛା ମୁତାବକ ଦୈନିକ ବିଶ୍ୱାମିତ୍ର, ଷ୍ଟେଟସ୍ମ୍ୟାନ ଏବଂ ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ ତାଙ୍କ ହାତକୁ ଦେଲୁ। ସେତେବେଳେ ଏହି ଖବର କାଗଜଗୁଡ଼ିକର ଦାମ ମାତ୍ର ଅଣାଏ ଲେଖା ଥିଲା। ମାତ୍ର ସେ ଆମକୁ ଚାରିଅଣା ଲେଖା ହିସାବରେ ୧୨ ଅଣା ଦେଉଥିଲେ। ଏତଦ୍ବ୍ୟତୀତ ଗୋଟିଏ ସେଓ କିମ୍ୱା କମଳା ଦେଉଥିଲେ। ରବିବାର ଦିନ ଆମ୍ଭେ ସେହି ତିନୋଟି ଖବର କାଗଜ ସହିତ ଅମୃତ ବଜାର ପତ୍ରିକା ମଧ୍ୟ ଦେଉଥିଲୁ। ସେହିଦିନ ମହାତ୍ମା ମୌନବ୍ରତ କରୁଥିବାରୁ ତାଙ୍କର ସହକର୍ମୀ (ବ୍ୟକ୍ତିଗତ ସହାୟକ) ମହାଦେବ ଦେଶାଇ ଆମକୁ ଟଙ୍କାଟିଏ ଦେଉଥିଲେ। ଏହିପରି ଗୋଟିଏ ମାସ ଆମ୍ଭେ ଖବରକାଗଜ ଜାତିର ଜନକଙ୍କୁ ଦେଇଛୁ। ସେଠାରେ ବିଧାନ ରାୟ, ରାଜେନ୍ଦ୍ର ପ୍ରସାଦ, ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କ ସମେତ ବହୁ ବଡ଼ ବଡ଼ ନେତାଙ୍କୁ ଦେଖିବାର ସୁଯୋଗ ପାଇଥିଲୁ। ଦିନେ ସକାଳେ ଖବରକାଗଜ ଦେଲା ପରେ ଆମେ କିଛି ସମୟ ସେଠାରେ ଠିଆହୋଇ ରହିଲୁ। ଆମକୁ ଦେଖି ମହାତ୍ମା ପଚାରିଲେ - ତୁମ ଘର କୋଉଠି ? ଆମ୍ଭେ କହିଲୁ - ଆପଣ ଓଡ଼ିଶାର କଟକ ଜିଲ୍ଲାର ଯେଉଁ ବରୀ ଅଞ୍ଚଳକୁ ଯାଇଥିଲେ - ଆମ ଘରେ ସେଇଠି। ସମ୍ଭବତଃ ମୋ କଥା ମହାତ୍ମା ଗାନ୍ଧି ବୁଝିପାରିଲେ, - ତେଣୁ ଟିକେ ସ୍ମିତ ହାସ୍ୟ ଦେଇଥିଲେ। ଦୀର୍ଘ ୧୫ ବର୍ଷ ଖବରକାଗଜ ବାଣ୍ଟିବା ପରେ ଆମେ ୫ ଜଣ ଯୁବକଙ୍କୁ ନେଇ ଏକ ସ୍ୱତନ୍ତ୍ର ଏଜେନ୍ସି ଖୋଲିଥିଲୁ। ଆମର ପିତାଙ୍କ ମୃତ୍ୟୁ ପରେ ଚାଷବାସ ଦେଖିବା ପାଇଁ ଗାଁକୁ ଫେରି ଆସିଲୁ। ତେବେ ଖବରକାଗଜ ଭଳି ଶୃଙ୍ଖଳିତ ଜୀବନ ଛାଡ଼ିଲୁ ନାହିଁ - ଏବେ ମଧ୍ୟ ସକାଳ ସାଢେ ୪ଟା ବେଳେ ଶେଜ ତ୍ୟାଗ କରି ପାରୁଛୁ। ସେହି କାରଣରୁ ୯୮ ବର୍ଷ ବୟସରେ ମଁୁ ରୋଗଶୂନ୍ୟ - ପଢାପଢି କରିପାରୁଛି ଅବଶ୍ୟ ଲେଖିପାରୁନି - ହାତ ଥରିଲାଣି। ପୁଅ ସାମ୍ୱାଦିକ ହୋଇଥିବାରୁ ଘରକୁ ୧୨ଟା ଖବର କାଗଜ ଆସୁଛି। ସେ ସବୁରେ ଆମ୍ଭେ ଆଖି ବୁଲାଇ ଦେଇଥାଉ। ମୋଟାମୋଟି ଭାବେ କହିବାକୁ ଗଲେ - ଆମର ଜୀବନ ଖବରକାଗଜ ସହିତ ଅଙ୍ଗାଙ୍ଗି ଭାବେ ଜଡ଼ିତ ହୋଇଗଲା। ଆଶ୍ଚର୍ଯ୍ୟଜନକ ଘଟଣା ଏହି ଯେ - ଆମ୍ଭର ପୁଅ ବହୁତ ବଡ଼ ବଡ଼ ଚାକିରୀ କରିଥିଲା - ମାତ୍ର ସେ ସବୁକୁ ଛାଡ଼ି ସେ ମଧ୍ୟ ଖବରକାଗଜ ସହିତ ଛନ୍ଦି ହୋଇଗଲା। ଏହାଛଡ଼ା ସେ ତାଙ୍କର ଏକ ସ୍ମରଣୀୟ ମୁହୂର୍ତ୍ତ ସମ୍ପର୍କରେ ଆମ୍ଭମାନଙ୍କୁ କହିଥିଲେ। ୧୯୬୪ ମସିହା ମେ ୨୭ ତାରିଖରେ ନେହେରୁଙ୍କ ପରଲୋକ ହୋଇଥିଲା। ତା’ ପରଦିନ ଆମ୍ଭେମାନେ ସିଆଲଦା ଷ୍ଟେସନ୍ରୁ ଖବରକାଗଜ ନେଇ ବାରକ୍ପୁରରେ ପହଞ୍ଚିବା ମାତ୍ରେ ଏକ ଅଘଟଣ ଘଟିଲା। ଶହଶହ ଲୋକ ବଳପୂର୍ବକ ଆମଠାରୁ ଖବରକାଗଜ ଛଡାଇନେଲେ, ଧକ୍କା ମଧ୍ୟ ମାରିଲେ। ଆମ ସାଇକେଲ ଭାଙ୍ଗିଦେଲେ। ଅବଶ୍ୟ ମୂଲ୍ୟ ବାବଦରେ ଆଠଣା ପଇସା ପରିବର୍ତ୍ତେ ୫ ଟଙ୍କା ଫିଙ୍ଗିଦେଇଗଲେ। ସମସ୍ତେ ପଣ୍ଡିତ ନେହେରୁଙ୍କ ମୃତ୍ୟୁ ସମ୍ପର୍କରେ ଜାଣିବାକୁ ଇଚ୍ଛୁକ ଥିଲେ। ସେହିପରି ଭାବେ ୧୯୫୫ ମସିହାର ଓଡ଼ଶାରେ ଦେଖାଦେଇଥିବା ପ୍ରଳୟଙ୍କରୀ ବନ୍ୟା ଖବର ଜାଣିବା ପାଇଁ ହଜାର ହଜାର ଓଡ଼ିଆ ହାୱାଡା ଷ୍ଟେସନକୁ ଯାଉଥିଲେ। ୪୦ କିଲୋମିଟର ଦୂରରୁ ସେମାନେ ଯାଇ ପହଞ୍ଚୁଥିଲେ। ସେତେବେଳେ ମାତ୍ର କେଇଖଣ୍ଡ ସମାଜ, ପ୍ରଜାତନ୍ତ୍ର ଓ ମାତୃଭୂମି ସେଠାକୁ ଆସୁଥିଲା। ଜଣେ ଲୋକ ଉଚ୍ଚସ୍ୱରରେ ବନ୍ୟା ସମ୍ୱାଦ ପଢୁଥିଲା ତାକୁ ହଜାର ହଜାର ଲୋକ ଠିଆହୋଇ ଶୁଣୁଥିଲେ। ଏକଥା ସ୍ମୃତିଚାରଣ କରିଥିଲେ - ପୃଥିବୀର ସର୍ବବୟସ୍କ ଖବରକାଗଜ ବିକ୍ରେତା / ବିରତକ ଗୌରାଙ୍ଗ ଚରଣ ଜେନା ଓରଫ ଗାନ୍ଧି ଜେନା। ଆମର ପରମପୂଜ୍ୟ ପିତୃଦେବ। ଏହି ଛଅ ମାସ ହେଲା ତାଙ୍କର ପରଲୋକ ହୋଇଛି। ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଏକଥା କହିବା ସହିତ ଏବର ଖବରକାଗଜ ବିକ୍ରେତାଙ୍କ ଠାରୁ ସେ ଅଧିକ ପରିଶ୍ରମୀ ଓ ଶୃଙ୍ଖଳିତ ଥିଲେ ବୋଲି କହିିଲେ। ଏହାଛଡ଼ା ଖବରକାଗଜ ବିକ୍ରେତାମାନେ ନିଜକୁ ଛୋଟ ନ ମଣିବା ପାଇଁ ସେ ଆମ ଘରକୁ ଆସୁଥିବା ଆଦିତ୍ୟ ସ୍ୱାଇଁ, ଗଜି, ପବିତ୍ର, କୁବେର, ସାଗର ଓ ବୁଲେଇକୁ ବହୁବାର କହିଥିଲେ। ଆମେ ଜଣେ ଖବରକାଗଜ ବିକ୍ରେତା/ ବିତରକଙ୍କ ପୁଅ ବୋଲି ଗର୍ବ ଅନୁଭବ କରୁଛୁ। ସାମ୍ୱାଦିକ , ଫୋ-୯୪୩୭୦୦୭୨୦୦

Share :