ଆସାମ ନହେଉ ଆଉ ଏକ କାଶ୍ମୀର!

ଆସାମ ନହେଉ ଆଉ ଏକ କାଶ୍ମୀର!

Share :

ସରଳ କୁମାର ଦାସ ୨୦୧୮ ଜୁଲାଇ ୩୦ ତାରିଖରେ ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନଆରସି)ର ଚୂଡାନ୍ତ ଚିଠା ତାଲିକା ପ୍ରକାଶ ପାଇ ୪୦,୦୭,୭୦୭ ଜଣ ତାଲିକାରୁ ବାଦ ପଡିବା ପରେ ଜାତୀୟ ରାଜନୀତିରେ ରାଜନୈତିକ ଉଷ୍ଣତା ଦେଖା ଦେଇଛି। ଏନଆରସି ତାଙ୍କ ସମୟରେ ଆରମ୍ଭ ହୋଇଥିବା କଥା କହି କଂଗ୍ରେସ ଶ୍ରେୟ ନେବାକୁ ଚେଷ୍ଟା କରି ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛି। ଭାଜପାର ଅଧ୍ୟକ୍ଷ କହିଛନ୍ତି, ‘ରାଜୀବ ଗାନ୍ଧୀ ୧୯୮୫ରେ ଆସାମ ଚୁକ୍ତି କରାଇଥିଲେ ମଧ୍ୟ ତାକୁ କାର୍ଯ୍ୟକାରୀ କରିବାକୁ ସେମାନଙ୍କର ସାହସ ନଥିଲା, ଆମେ କରି ଦେଖାଇଲୁ। ଏହି ଚାଳିଶ ଲକ୍ଷ ଲୋକଙ୍କୁ ଅନୁପ୍ରବେଶକାରୀ (ଘୁଷପେଠିୟା) କହି ସମସ୍ତଙ୍କୁ ଭାରତ ଛାଡି ଯିବାକୁ ହେବ ବୋଲି କହିବାକୁ ସେ ପଛାଇ ନାହାନ୍ତି। ଅନ୍ୟ ପକ୍ଷରେ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ଲୋକଙ୍କୁ ବିଭାଜିତ କରିବା ଲକ୍ଷ୍ୟ ନେଇ କରାଯାଇଥିବାରୁ ଏହାଦ୍ୱାରା ରକ୍ତପାତ ଓ ଗୃହଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇପାରେ ବୋଲି ତୃଣମୂଳ କଂଗ୍ରେସର ଅଧ୍ୟକ୍ଷା ଚେତେଇ ଦେଇଛନ୍ତି। ଆସାମ ରାଜ୍ୟ ବାହାରେ ଏତେ ସବୁ ଟୀକାଟିପ୍ପଣୀ ଶୁଣିବାକୁ ମିଳୁଥିଲେ ମଧ୍ୟ ରାଜ୍ୟର କୌଣସିଠାରୁ ଶାନ୍ତିଶୃଙ୍ଖଳା ବ୍ୟାହତ ହେବାର ଖବର ଶୁଣିବାକୁ ନ ମିଳିବା ଖୁସିର କଥା। କୌଣସି କାରଣରୁ ଗୋଟିଏ ଗୋଟିଏ ପରିବାରର ଦୁଇ ତିନି ଜଣଙ୍କ ନାମ ହୁଏତ ତାଲିକାରେ ନାହିଁ। ଆବଶ୍ୟକ କାଗଜପତ୍ର ଦାଖଲ କଲେ ସେମାନଙ୍କ ନାମ ପୁଣି ଥରେ ତାଲିକାରେ ସ୍ଥାନ ପାଇବ। ତେଣୁ ତାଲିକା ଚୂଡାନ୍ତ ହେବା ପୂର୍ବରୁ ସମସ୍ତଙ୍କୁ ଅନୁପ୍ରବେଶକାରୀ ବୋଲି ଅଭିହିତ କରିବା ବାସ୍ତବିକ ଦୁଃଖଦାୟକ ଓ ଅସମ୍ୱେଦନଶୀଳତା। ଆସାମର ଅନୁପ୍ରବେଶ ସମସ୍ୟା ଏବର ନୁହେଁ। ବ୍ରିଟିଶ ଶାସନ ସମୟରେ ସେଠାକାର ଚା ବଗିଚାରେ କାମ କରିବା ପାଇଁ ଓଡିଶା, ବିହାର ଆଦି ରାଜ୍ୟରୁ ଲୋକମାନେ ବୁହା ହୋଇ ଯିବା କଥା ସମସ୍ତଙ୍କୁ ଜଣା। ବାହାର ଲୋକଙ୍କ ସଂଖ୍ୟା ବଢି ସ୍ଥାନୀୟ ଲୋକଙ୍କଠାରୁ ଅଧିକ ହୋଇ ଅସମୀୟାଙ୍କ ଭାଷା, ସଂସ୍କୃତି ପ୍ରତି ବିପଦ ସୃଷ୍ଟି କରିବାକୁ ଯାଉଛି ବୋଲି ୧୮୯୧ ଜନଗଣନା ଆଧାରରେ ଆମେରିକୀୟ ରାଜନୀତି ବିଜ୍ଞାନୀ ମାଇରନ ଉଇନର ସୂଚନା ଦେଇଥିଲେ। ଏହି ସମସ୍ୟା ୧୯୪୭ରେ ଦେଶ ବିଭାଜନ ସମୟରେ ଓ ୧୯୭୧ରେ ବଙ୍ଗଳାଦେଶ ଯୁଦ୍ଧ ସମୟରେ ଉତ୍କଟ ହୋଇଥିଲା। ପୂର୍ବବତ୍ ଅନୁପ୍ରବେଶ ଜାରି ରହିଥିବାରୁ ବିଦେଶୀଙ୍କୁ ଚିହ୍ନଟ କରି ଆସାମ ତଥା ଦେଶରୁ ବିତାଡିତ କରିବା ପାଇଁ ଆସାମ ଛାତ୍ର ସଂଗଠନ (ଆସୁ) ଓ ଆସାମ ଗଣ ସଂଗ୍ରାମ ପରିଷଦ ଆନୁକୁଲ୍ୟରେ ୧୯୭୯ରୁ ଛଅ ବର୍ଷ ଧରି ତୁମୁଳ ସଂଗ୍ରାମ ଲାଗି ରହିବା ପରେ ୧୯୮୫ରେ ଆସାମ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ସେହି ଚୁକ୍ତି ଅନୁଯାୟୀ, (୧) ଜାନୁଆରୀ ୧, ୧୯୬୬ ପୂର୍ବରୁ ଆସାମକୁ ଆସିଥିବା ସମସ୍ତଙ୍କୁ ନାଗରିକତା ପ୍ରଦାନ କରିବା, (୨) ଜାନୁଆରା ୧, ୧୯୬୬ ଓ ମାର୍ଚ୍ଚ ୨୪, ୧୯୭୧ ମଧ୍ୟରେ ଆସିଥିବା ସମସ୍ତଙ୍କୁ ଚିହ୍ନଟ କରି ସେମାନଙ୍କୁ ଭୋଟର ତାଲିକାରୁ ବାଦ ଦେବା ଓ ଦଶ ବର୍ଷ ଯାଏଁ ଭୋଟଦାନ ଅଧିକାରରୁ ବଂଚିତ କରିବା, (୩) ମାର୍ଚ୍ଚ ୨୫, ୧୯୭୧ ଓ ତାପରେ ଆସିଥିବା ସମସ୍ତ ବିଦେଶୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଦେଶରୁ ବିଦା କରିବାକୁ ଆବଶ୍ୟକ ପଦକ୍ଷେପ ନେବା। ଚୁକ୍ତି ମୁତାବକ ଏନଆରସିର ଅଧୁନାତନକରଣ (ଅପଡେସନ) ଜରୁରୀ ହୋଇଥିଲେ ମଧ୍ୟ ତାହା ଆଗେଇ ପାରି ନଥିଲା। ୨୦୦୫ରେ ଏହି କାମ ଆରମ୍ଭ କରିବାର ନିଷ୍ପତି ନିଆଯାଇ ୨୦୧୦ରେ ଏନଆରସିର ପାଇଲଟ କରାଗଲା। ତଥାପି କାମ ଧିମେଇ ଚାଲୁଥିବାରୁ ୨୦୧୪ରେ ସୁପ୍ରିମକୋର୍ଟ ତାଙ୍କ ତତ୍ୱାବଧାନରେ ଏନଆରସି କାମକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆସାମ ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ୧୯୫୧ରେ ଏକ ଏନଆରସି ପ୍ରସ୍ତୁତ ହୋଇଥିଲା। ଏଥିରେ ୧୯୫୧ ଜନଗଣନାରେ ଥିବା ସମସ୍ତ ନାମ ସହ ସେମାନଙ୍କ ସମ୍ପର୍କରେ କିଛି ସୂଚନା ମଧ୍ୟ ସ୍ଥାନ ପାଇଥିଲା। ବିଦେଶୀମାନଙ୍କୁ ଚିହ୍ନଟ କରି ଉଚିତ ପଦକ୍ଷେପ ନେବା ପାଇଁ ଏନଆରସିର ଅଧୁନାତନକରଣର ଆବଶ୍ୟକତା ଦେଖାଦେଲା ଓ ସେଥିପାଇଁ ୧୯୫୧ର ଏନଆରସି ଏବଂ ୧୯୬୧ ଓ ୧୯୭୧ର ମତଦାତା ସୂଚୀକୁ ‘ଲିଗେସି ଡାଟା’ର ଆଧାର ଭାବେ ଗ୍ରହଣ କରଗଲା। ପ୍ରତ୍ୟେକ ନାଗରିକଙ୍କୁ ଏହି ଲିଗେସି ଡାଟା ସହ ଅନ୍ୟ ତଥ୍ୟ ପ୍ରଦାନ କରି ଭାରତୀୟ ବୋଲି ପ୍ରମାଣ କରିବାକୁ ହେଲା। ଏନଆରସିରୁ ବାଦ ପଡିଥିବା ଲୋକଙ୍କୁ ସେପ୍ଟେମ୍ୱର ୨୮ ସୁଦ୍ଧା ଆବଶ୍ୟକ କାଗଜପତ୍ର ଜମା କରିବାକୁ ହେବ। ଚୂଡାନ୍ତ ତାଲିକା ପ୍ରକାଶ ପାଇ ତାଲିକାରୁ ବାଦ ପଡିଥିବା ଲୋକେ ବିଦେଶୀ ବୋଲି ଚିହ୍ନଟ ହେଲା ପରେ ‘ଫରେନର୍ସ ଟ୍ରିବ୍ୟୁନାଲ’ରେ ନିଜ ପକ୍ଷ ରଖିବାକୁ ସୁଯୋଗ ପାଇବେ ଓ ତାପରେ ହାଇକୋର୍ଟ, ସୁପ୍ରିମକୋର୍ଟ। ଗରିବଗୁରୁବାଙ୍କ ପାଇଁ ତାହା ବସ୍ତୁତଃ ଅସମ୍ଭବ। ଯେଉଁମାନେ ପ୍ରକୃତରେ ‘ବିଦେଶୀ’, ସେମାନେ ଆଉ ଆସାମରେ ନରହି ତୁରନ୍ତ ଅନ୍ୟ ରାଜ୍ୟକୁ ଚାଲି ନ ଯିବେ ବା କାହିଁକି ? ସେଥିପାଇଁ ଏବେ ବାଦ ପଡିଥିବା ସମସ୍ତଙ୍କଠାରୁ ବାୟୋମେଟ୍ରିକ ତଥ୍ୟ ନିଆଯିବା କଥା ସରକାର ବିଚାର କରୁଛନ୍ତି। ତାହା କାର୍ଯ୍ୟକାରୀ ହେବା ପୂର୍ବରୁ ହୁଏତ ସେଭଳି କିଛି ଲୋକ ପଳାୟନ କରିସାରିଥିବେ। ଯୁକ୍ତି ଛଳରେ ଧରିନିଆଯାଉ ଯେ ତାଲିକାରୁ ବାଦ ପଡିଥିବା ଚାଳିଶ ଲକ୍ଷ ଲୋକ ସମସ୍ତେ ବିଦେଶୀ ଓ ସେମାନଙ୍କୁ ଭାରତରୁ ବଙ୍ଗଳାଦେଶକୁ ନିର୍ବାସିତ କରିବାକୁ ହେବ। ସେଥିପାଇଁ ବଙ୍ଗଳାଦେଶ ସହ ପୂର୍ବରୁ ଆଲୋଚନା ହେବା କଥା। ଏ ସଂକ୍ରାନ୍ତରେ ସରକାର ବଙ୍ଗଳାଦେଶ ସରକାରଙ୍କ ସହ ଆବଶ୍ୟକ ଆଲୋଚନା କରି ନିର୍ବାସନ ପ୍ରକ୍ରିୟାକୁ ସରଳ କରିବା ପାଇଁ ସୁପ୍ରିମକୋଟ ୨୦୧୪ ମସିହାରେ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ବଙ୍ଗଳାଦେଶକୁ ଅନେକ ଥର ମଂତ୍ରୀ ସ୍ତରୀୟ ଗସ୍ତ ହୋଇଥିବା ବେଳେ ସ୍ୱୟଂ ପ୍ରଧାନମଂତ୍ରୀ ବଙ୍ଗଳାଦେଶ ପ୍ରଧାନମଂତ୍ରୀଙ୍କ ସହ ଦୁଇ ଥର ସାକ୍ଷାତ କରିସାରିଛନ୍ତି। ହେଲେ ବଙ୍ଗଳାଦେଶୀ ନିର୍ବାସନ ପ୍ରସଙ୍ଗ କେବେ ମଧ୍ୟ ଆଲୋଚନାରେ ସ୍ଥାନ ପାଇନାହିଁ ବୋଲି ସେଠାକାର ସୂଚନା ମଂତ୍ରୀ ସ୍ପଷ୍ଟ କରିଛନ୍ତି। ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ କୁହାଯାଉଥିବା ଚାଳିଶ ଲକ୍ଷ ଲୋକ ବଙ୍ଗଳାଦେଶର ନାଗରିକ ହୋଇ ନଥିବାରୁ ସେମାନଙ୍କୁ ଫେରାଇ ନେବା ପ୍ରଶ୍ନ ଉଠୁନାହିଁ। ତେଣୁ ଆଗାମୀ ଦିନରେ ନିର୍ବାସନ ପ୍ରସଙ୍ଗ ଏକ ବଡ଼ ସମସ୍ୟା ହୋଇ ଦେଖାଦେବ। ବଙ୍ଗଳାଦେଶୀଙ୍କୁ ନିର୍ବାସନ କରିବା କ୍ଷେତ୍ରରେ ଏନଡିଏ ସରକାରଙ୍କ ପ୍ରଦର୍ଶନ ସେତେଟା ଉତ୍ସାହଜନକ ନୁହେଁ। ଉଦାହରଣ ସ୍ୱରୂପ, ୧୯୬୧ରୁ ୧୯୬୫ ମଧ୍ୟରେ ଦେଢ ଲକ୍ଷ ଲୋକଙ୍କୁ ନିର୍ବାସନ କରାଯାଇଥିବା ବେଳେ ସୁପ୍ରିମକୋର୍ଟଙ୍କ ଦ୍ୱାରା ୨୦୧୪ରେ ଆଇଏମଡିଟି ଆଇନ, ୧୯୮୩ ରଦ୍ଦ ହେଲା ପରେ ଆଶା କରାଯାଉଥିଲା ଯେ ପ୍ରକ୍ରିୟା ସରଳ ହୋଇଥିବାରୁ ଅଧିକ ସଂଖ୍ୟକ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ନିର୍ବାସିତ ହେବେ। ମାତ୍ର ଟ୍ରିବ୍ୟୁନାଲ ଦ୍ୱାରା ପ୍ରାୟ ୯୨ ହଜାର ବିଦେଶୀ ଚିହ୍ନଟ ହୋଇସାରିଥିଲେ ମଧ୍ୟ ୨୦୧୪ରୁ ୨୦୧୬ ମଧ୍ୟରେ ସରକାର ମାତ୍ର ୧୭୫୦ ଜଣଙ୍କୁ ନିର୍ବାସିତ କରିପାରିଛନ୍ତି। ଏତେ ସଂଖ୍ୟକ ଲୋକଙ୍କୁ ନିର୍ବାସିତ କରି ନପାରିଲେ ସେମାନଙ୍କୁ ଦେଶ ଭିତରେ ଅଟକ ରଖିବାକୁ ହେବ, ଯାହା ଆଦୌ ବ୍ୟାବହାରିକ ନୁହେଁ ଓ ତାହା ପୁଣି ନୂଆ ସମସ୍ୟାକୁ ଜନ୍ମ ଦେବ। ତେଣୁ ଦେଶର ସ୍ୱାର୍ଥ ଓ ମାନବୀୟ ଦିଗକୁ ଆଖି ଆଗରେ ରଖି ସରକାରଙ୍କୁ ଉଚିତ ପଦକ୍ଷେପ ନେବାକୁ ହେବ। ଏନଆରସି ପ୍ରକାଶ ପାଇବା ପରେ ଜଣେ ଭାଜପା ବିଧାୟକ ଏମାନେ ଦେଶ ଛାଡି ନଗଲେ ଗୁଳି ମାରିଦେବା କଥା ବୋଲି କହିବା ଓ ଦିଲ୍ଲୀ, ମହାରାଷ୍ଟ୍ର ଭଳି କେତେକ ରାଜ୍ୟର ଭାଜପା ନେତାମାନେ ସେ ସବୁ ରାଜ୍ୟରେ ମଧ୍ୟ ନାଗରିକ ପଞ୍ଜିକା ପାଇଁ ଦାବି ଉଠାଇବା ମାଧ୍ୟମରେ ନିଜ ଭୋଟ ବ୍ୟାଙ୍କକୁ ସଜାଡୁଛନ୍ତି। ତୃଣମୂଳ କଂଗ୍ରେସ ବଙ୍ଗାଳୀ ଓ ମୁସଲମାନଙ୍କ ହିତୈଷୀ ସାଜି ପଶ୍ଚିମବଙ୍ଗ ଓ ଅନ୍ୟତ୍ର ନିଜ ଭୋଟବ୍ୟାଙ୍କକୁ ସୁଦୃଢ କରିବା ପାଇଁ ପ୍ରୟାସରତ। କଂଗ୍ରେସ ଏନଆରସି ପ୍ରକ୍ରିୟା ଆରମ୍ଭ କରିଥିବା କହି ଅସମୀୟା ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିଛି। ଆସାମ ଅନୁପ୍ରବେଶ ସମସ୍ୟା ଉପରେ ସଂସଦରେ ମତ ରଖିଥିବା ବିଜେଡି କିନ୍ତୁ ଓଡିଶାରେ ବାଲେଶ୍ୱରଠାରୁ ଜଗତସିଂହପୁର ଯାଏଁ ଉପକୂଳରେ ବଙ୍ଗଳାଦେଶୀ ଅନୁପ୍ରବେଶ ସମସ୍ୟା ଉପରେ ମୁହଁ ଖୋଲିନାହିଁ। ଉଲ୍ଲେଖଯୋଗ୍ୟ, ଏନଆରସି ପ୍ରକ୍ରିୟା ଚାଲିଥିବା ବେଳେ ସରକାରଙ୍କ ଦ୍ୱାରା ନାଗରିକତା (ସଂଶୋଧନ) ବିଧେୟକ, ୨୦୧୬ ପ୍ରସ୍ତୁତ ହେବା ଆଶ୍ଚର୍ଯ୍ୟଜନକ। ବିଧେୟକର ପ୍ରାବଧାନ ଅନୁଯାୟୀ, ନିଜ ଦେଶରେ ଅତ୍ୟାଚାରର ଶିକାର ହୋଇ ବଙ୍ଗଳାଦେଶ, ପାକିସ୍ତାନ, ଆଫଗାନିସ୍ତାନରୁ ଭାରତକୁ ଡିସେମ୍ୱର ୨୦୧୪ ସୁଦ୍ଧା ପ୍ରବେଶ କରିଥିବା ସଂଖ୍ୟାଲଘୁ (ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିଆନ)ମାନଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ ବିଚାର କରାଯିବ। ଏଥିରେ ଇଚ୍ଛାକୃତ ଭାବେ ମୁସଲମାନଙ୍କୁ ବାଦ ଦିଆଯାାଇଛି ବୋଲ ଅଭିଯୋଗ ହେଉଛି। କେତେକଙ୍କ ମତରେ ଏହି ଆଇନ ଜରିଆରେ ବଙ୍ଗଳାଦେଶରୁ ଆସିଥିବା ହିନ୍ଦୁ-ବଙ୍ଗାଳୀ ଅନୁପ୍ରବେଶକାରୀଙ୍କୁ ନାଗରିକତା ପ୍ରଦାନ କରି ଆସାମରେ ହିନ୍ଦୁ ଓ ମୁସଲମାନଙ୍କ ସଂଖ୍ୟାର ଅନୁପାତକୁ ସଜାଡିବାକୁ ଭାଜପା ଉଦ୍ୟମ କରିପାରେ। ତେବେ ସେପରି ଉଦ୍ୟମ ଦ୍ୱାରା ବଙ୍ଗାଳୀଙ୍କ ଆଧିପତ୍ୟ ବଢି ଅସମୀୟାଙ୍କ ଭାଷା, ସଂସ୍କୃତି ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଥିବାରୁ ସ୍ଥାନୀୟ ଲୋକେ ତାକୁ ବିରୋଧ କରିପାରନ୍ତି। ଦେଶବାସୀ ଚାହାନ୍ତି ଅବୈଧ ଅନୁପ୍ରବେଶକାରୀ ଦେଶରୁ ବିତାଡିତ ହୁଅନ୍ତୁ। ତେବେ ନ୍ୟାୟଶାସ୍ତ୍ରର ଏକ ମୂଳ ସିଦ୍ଧାନ୍ତ ହେଉଛି, ପଛେ ଶହେ ଅପରାଧୀ ଖଲାସ ହୋଇଯାଆନ୍ତୁ, ହେଲେ ଜଣେ ନିର୍ଦ୍ଦୋଷ ଦଣ୍ଡ ନପାଉ। ତେଣୁ ସରକାରଙ୍କୁ ସୁନିଶ୍ଚିତ କରିବାକୁ ହେବେ ଯେପରି ଜଣେ ବି ଭାରତୀୟ ନାଗରିକ ବିଦେଶୀ ଭାବେ ଚିହ୍ନଟ ହୋଇ ଦଣ୍ଡିତ ନହେଉ। ଏନଆରସି ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ଚାଲିଥିବାରୁ ତାକୁ ନେଇ ରାଜନୈତିକ ଟୀକାଟିପ୍ପଣୀ ପରିସ୍ଥିତିକୁ ଜଟିଳ କରିବାର ସମ୍ଭାବନା ଥିବାରୁ ସମସ୍ତେ ସେଥିରୁ କ୍ଷାନ୍ତ ହେବା ଉଚିତ। ଅନ୍ୟଥା ଉତ୍ତରରେ କାଶ୍ମୀର ଭଳି ଉତ୍ତର-ପୂର୍ବରେ ଆସାମ ଭାରତ ପାଇଁ ସ୍ଥାୟୀ ମୁଣ୍ଡବ୍ୟଥାର କାରଣ ପାଲଟିପାରେ। ୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ, ଭୁବନେଶ୍ୱର- ୭୫୧୦୧୨ ମୋ- ୯୪୩୭୦୩୮୦୧୫

Share :