Breaking News
କେବେ ପୂରା ହେବ ସ୍ୱାଧୀନତାର ସଂକଳ୍ପ!

କେବେ ପୂରା ହେବ ସ୍ୱାଧୀନତାର ସଂକଳ୍ପ!

ଦେବେନ୍ଦ୍ର ପୃଷ୍ଟି ୧୯୪୭ ଅଗଷ୍ଟ ୧୪ ତାରିଖର ମଧ୍ୟରାତ୍ରୀ। ସକାଳର ସୂର୍ଯ୍ୟ ଉଦୟ ହେବାକୁ ଆଉ କେଇ ଘଣ୍ଟା ବାକି। ଭାରତୀୟ ସଂସଦରେ ବସିଥିଲା ସମ୍ୱିଧାନ ପ୍ରଣୟନ ସଭା। ସେଇ ସଭାରେ ଉଦବୋଧନ ଦେଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ। ଟ୍ରାଇଷ୍ଟ ଉଇଥ୍ ଡେଷ୍ଟିନି ବା ଭାଗ୍ୟ ସଙ୍ଗେ ଭେଟ- ଏଇଆ ଥିଲା ସେହି ବିଖ୍ୟାତ ଭାଷଣର ଶୀର୍ଷକ। ବିଂଶ ଶତାବ୍ଦୀର ଶ୍ରେଷ୍ଠ ଭାଷଣ ମଧ୍ୟରେ ତାହା ଥିଲା ଅନ୍ୟତମ। ଆଜି ବି ସେହି ଭାଷଣ ପଢ଼ିଲେ ଜଣେ ଭାରତୀୟ ଭାବେ ଗର୍ବ ଅନୁଭବ ହୁଏ। ସେହି ଭାଷଣର ପ୍ରଥମ ପାରା ଥିଲା ଏଇପରି : ‘ବହୁ ବର୍ଷ ତଳେ ଆମେ ଆମ ଭାଗ୍ୟ ସହିତ ଭେଟ ହୋଇଥିଲେ, ଏବଂ ଏବେ ସମୟ ଆସିଛି ଯେତେବେଳେ ଆମେ ଆମର ଶପଥକୁ ପୁନର୍ବାର ଅଙ୍ଗୀକାର କରିବା, ସଂପୂର୍ଣ୍ଣ ଭାବରେ ନୁହେଁ, ସାରାଂଶ ଭାବେ। ମଧ୍ୟରାତିର ଏଇ ସମୟରେ, ଯେତେବେଳେ ସମଗ୍ର ପୃଥିବୀ ସୁପ୍ତ, ଜୀବନ ଓ ସ୍ୱାଧୀନତା ପାଇଁ ଜାଗି ଉଠିଛି ଭାରତ। ଏକ ମୁହୂର୍ତ୍ତ ଆସିଛି, ଯେଉଁ ମୁହୂର୍ତ୍ତ ଇତିହାସରେ କ୍ୱଚିତ ଆସେ, ଯେତେବେଳେ ଆମେ ପୁରୁଣାରୁ ନୂଆକୁ ପାଦ ପକାଉ, ଯେତେବେଳେ ଏକ ଯୁଗର ଅବସାନ ଘଟେ, ଏବଂ ଯେତେବେଳେ ଏକ ରାଷ୍ଟ୍ରର ଦୀର୍ଘ ଦମିତ ଆତ୍ମା ସ୍ୱରର ସନ୍ଧାନ ପାଏ। ଏଇ ପବିତ୍ର ମୁହୂର୍ତ୍ତରେ ଆମେ ଭାରତ ଓ ତାହାର ଜନଗଣଙ୍କର ଏବଂ ଆହୁରି ବୃହତ୍ତର ଭାବେ ମାନବତାର କାରଣ ପାଇଁ ଉତ୍ସର୍ଗୀକୃତ ସେବାର ଶପଥ ଗ୍ରହଣ କରିବା।’ ଆଜି ଏହି ଭାଷଣର ୭୧ ବର୍ଷ ପରେ ଏହାର ସମୀକ୍ଷା ହେବା ଦରକାର। ସମୀକ୍ଷା ହେବା ଦରକାର ଯେ ଏଇ ଶପଥ ନେଇଥିବା ଜାତି ପରିଣତ ବୟସରେ ବାର୍ଦ୍ଧକ୍ୟର ଆଲ୍ଝିମର୍ସ ବା ବିସ୍ମରଣ ବ୍ୟାଧି ପିଡ଼ୀତ ପରି ତାହା ଭୁଲି ଯାଇଛି କି? ଭୁଲି ଯାଇଛି କି ଭାରତର ଜନଗଣ ଓ ମାନବତାର ସେବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାର ଶପଥ ଗ୍ରହଣ କରିବା ପରେ ସମସ୍ତେ ଏବେ କେବଳ ନିଜ ସେବାରେ ବ୍ରତୀ, ନିଜ ସ୍ୱାର୍ଥର ଅନୁଗାମୀ। ମାନବତା ହୋଇଯାଇଛି ପୁରୁଣା ପ୍ରସଙ୍ଗ, ନୂଆ ହୋଇଛି ବ୍ୟକ୍ତି, ଗୋଷ୍ଠୀ ଓ ସଂଗୋଷ୍ଠୀର ସ୍ୱାର୍ଥ। ଏଯାଏଁ ଭାରତର ସେହି ଆତ୍ମା ସ୍ୱାଧୀନ ସ୍ୱରର ସନ୍ଧାନ ପାଇନାହିଁ। ହୁଏତ ପାଇଥିଲା, ସେଇ ରାତିରେ, ଯାହା ଇତିମଧ୍ୟରେ ପୁଣି ଥରେ ହଜି ଯାଇଛି। ଭାରତର ଆତ୍ମାର ସେହି ସ୍ୱାଧୀନ ସ୍ୱର ଏକଦା ରୁଦ୍ଧ ହୋଇଥିଲା ଜରୁରିକାଳୀନ ସମୟରେ, ଏଇ ଭାଷଣ ଦେଇଥିବା ପଣ୍ଡିତ ନେହରୁଙ୍କ ପୁତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ; ଏବେ ପୁଣି ଥରେ ରୁଦ୍ଧ ହେଉଛି ଆଧୁନିକ ଭାରତର ଫାସିଷ୍ଟଙ୍କ ରାଜତ୍ୱରେ। ସେତେବେଳେ ମୁକ୍ତ ମତ ଓ ମୁକ୍ତ ବିଚାରକୁ ସରକାର ନିୟନ୍ତ୍ରଣ କରୁଥିଲେ, ଦିଶା ଓ ଦର୍ଶନ ପ୍ରଦାନ କରୁଥିଲେ। ଏବେ ବିଜ୍ଞାପନ ଓ ଦମନ ନୀତି ଜରିଆରେ ତାହାକୁ ରୁଦ୍ଧ ଓ ନିଷ୍ପ୍ରଭ କରାଯାଉଛି। ମୁକ୍ତ ସାମ୍ୱାଦିକତା ବିପନ୍ନ; ସେବା ଓ ତ୍ୟାଗର ରାଜନୀତି ବିରଳ; ଭିଡ଼ହିଂସା, ମୌଳବାଦୀ ଉନ୍ମାଦନା ଓ ଉଗ୍ର ଜାତିବାଦ ଭିତରେ ଭାରତର ଆତ୍ମା ଅପହୃତ, ବନ୍ଦୀ ଓ ନିର୍ଯାତିତ। ସେଦିନ ନେହରୁ କହିଥିଲେ, ‘ଆଜିର ଦିନରେ ଆମର ପ୍ରଥମ ଭାବନାର ବିଷୟ ହେଉଛନ୍ତି ଏଇ ସ୍ୱାଧୀନତାର ସ୍ଥପତି, ଆମ ଜାତିର ଜନକ, ଯିଏ ଭାରତର ପୁରାତନ ଆତ୍ମାର ସଂଗଠନ କରି, ସ୍ୱାଧୀନତାର ମଶାଲ ଟେକି ଧରିଥିଲେ ଏବଂ ଆମକୁ ଘେରି ରହିଥିବା ଅନ୍ଧକାରକୁ ଆଲୋକିତ କରିଥିଲେ। ଆମେ ଅନେକ ସମୟରେ ତାଙ୍କର ଅନୁପଯୁକ୍ତ ଅନୁଗାମୀ ହୋଇଯାଇଛୁ ଏବଂ ତାଙ୍କ ଶିକ୍ଷାରୁ ଦୂରେଇ ଯାଇଛୁ, କିନ୍ତୁ କେବଳ ଆମେ ନୁହେଁ ବରଂ ଆଗାମୀ ପିଢ଼ି ତାଙ୍କ ବାର୍ତ୍ତାକୁ ମନେ ରଖିବ ଏବଂ ମହତ ବିଶ୍ୱାସ ଓ ଶକ୍ତି ଓ ସାହସ ଓ ନମ୍ରତାର ଅବତାର ଭାରତର ଏହି ମହାନ ସନ୍ତାନଙ୍କ ଛାପ ସେମାନଙ୍କ ହୃଦୟରେ ଆଙ୍କି ହୋଇଯିବ। ଆମେ କେବେ ଏଇ ସ୍ୱାଧୀନତାର ମଶାଲକୁ ଲିଭିଯିବାକୁ ଦେବା ନାହିଁ, ପବନ ଯେତେ ତୀବ୍ର ହେଉ କିମ୍ୱା ତୋଫାନ ଯେତେ ଝଡ଼ ଆଣୁ।’ ଆଜି ଏଇ ମହାର୍ଘ ମୁହୂର୍ତ୍ତରେ ମନେ ମନେ ହିସାବ କରିବାର କଥା, ଆମ ଶାସକ ଓ ପ୍ରଶାସକଙ୍କର, ଆମ ନାଗରିକ ସମାଜ ନିକଟରେ ଏଇ ମହାନ ବିଶ୍ୱାସ, ଶକ୍ତି, ସାହସ ଓ ନମ୍ରତାର ଅଭାବ ରହିଛି କି? ଅଭାବ ରହିଛି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଶିକ୍ଷା ଓ ମୂଲ୍ୟବୋଧର? ଆମେ ଯେଉଁ ଆଚରଣ ପ୍ରଦର୍ଶନ କରୁଛୁ ସେଥିରେ କ’ଣ ଆମର ସାମୂହିକ ସ୍ୱାଧୀନତା ଅକ୍ଷୁଣ୍ଣ ଓ ଅବଦମିତ ରହିବ? ଶାସକୀୟ ଏକଛତ୍ରବାଦ, ବାମପନ୍ଥୀ ଉଗ୍ରବାଦ ଓ ମୌଳବାଦୀ ଭିଡ଼ହିଂସାର ସାମାନ୍ୟ ପବନରେ ଲିଭି ଯାଉଥିବା ଆମର ସ୍ୱାଧୀନତାକୁ ଆମେ କିପରି ସୁଦୃଢ଼ ଓ ସୁରକ୍ଷିତ ରଖିବା? କିପରି ସୁରକ୍ଷିତ ରଖିବା ଆମ ସ୍ୱାଧୀନତାର ସଂକଳ୍ପକୁ ଆମ ସମ୍ୱିଧାନର ଶପଥକୁ? ଆମ ସମ୍ୱିଧାନର ମୁଖବନ୍ଧରେ ତ୍ୟାଗ ଓ ସେବାର ମହାନ ଆଦର୍ଶ ଛାଡ଼ି ଯାଇଥିବା ଆମ ପୂର୍ବପୁରୁଷମାନେ ଯେଉଁ ଭାରତର ରୂପକଳ୍ପ ଆଙ୍କି ଯାଇଛନ୍ତି ଆମେ କ’ଣ ତାହାକୁ ଆକାର ପ୍ରଦାନ କରିପାରିଛୁ? ଆମର ସ୍ୱାଧୀନୋତ୍ତର ଶାସକୀୟ ସ୍ଥପତିମାନେ ଆମକୁ କେଉଁଠୁ ଆଣି କେଉଁଠି ଥୋଇଛନ୍ତି? ଆମ ସମ୍ୱିଧାନର ମୁଖବନ୍ଧରେ ଅଛି: ‘ଆମେ, ଭାରତର ଜନଗଣ, ଭାରତକୁ ଏକ ସାର୍ବଭୌମ ସମାଜବାଦୀ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ଗଢ଼ି ତୋଳିବା ଏବଂ ଏହାର ସମସ୍ତ ନାଗରିକଙ୍କ ପାଇଁ ସାମାଜିକ, ଆର୍ଥନୀତିକ ଓ ରାଜନୀତିକ ନ୍ୟାୟ; ଭାବନା, ଅଭିବ୍ୟକ୍ତି, ବିଶ୍ୱାସ, ଆସ୍ଥା ଓ ଉପାସନାର ସ୍ୱତନ୍ତ୍ରତା; ସ୍ଥିତି ଓ ସୁଯୋଗର ସମାନତା ନିଶ୍ଚିତ କରିବା ଏବଂ ସେମାନଙ୍କ ମଧ୍ୟରେ ବ୍ୟକ୍ତିର ମର୍ଯ୍ୟାଦା ଏବଂ ରାଷ୍ଟ୍ରର ଏକତା ଓ ସଂହତି ନିଶ୍ଚିତ କରିବା ସହିତ ଭ୍ରାତୃତ୍ୱଭାବ ବୃଦ୍ଧି କରିବାର ପବିତ୍ର ସଂକଳ୍ପ ଗ୍ରହଣ କରି ଆମର ସମ୍ୱିଧାନ ପ୍ରଣୟନ ସଭାରେ ୧୯୪୯ ନଭେମ୍ୱର ୨୬ ତାରିଖରେ ଏତଦ୍ୱାରା ଏହି ସମ୍ୱିଧାନର ପ୍ରଣୟନ ଓ ଅନୁମୋଦନ କରିବା ସହିତ ଆମ ସମସ୍ତଙ୍କୁ ପ୍ରଦାନ କରୁଅଛୁ।’ ଏବେ ଆମେ ଅନୁଶୀଳନ କରିବା ଉଚିତ, ହୁଏତ ଏବେ ବି ଆମେ ଏକ ସାର୍ବଭୌମ ରାଷ୍ଟ୍ର ଭାବେ ତିଷ୍ଠି ଆସିଛୁ। କିନ୍ତୁ ଏହି ସାର୍ବଭୌମତ୍ୱ କେତେ ସୁଦୃଢ଼? କେତେ ସୁରକ୍ଷିତ? ବାହ୍ୟ ଅର୍ଥନୀତି ଓ ବିଦେଶ ନୀତି ଦ୍ୱାରା କେତେ ପ୍ରଭାବିତ ହେଉଛି ଆମର ସାର୍ବଭୌମତ୍ୱ? କେତେ କ୍ଷଣଭଙ୍ଗୁର ତାହା? ଭାରତବର୍ଷର ଚାରିପଟେ ଏବେ ଶତୃ। ପାକିସ୍ତାନ ଆମର ଭାଇ ହୋଇ ଭଗାରୀ। ଆଫଗାନିସ୍ତାନ ଚିରନ୍ତନ ଉପଦ୍ରୁତ। ଚୀନ ଆମକୁ ଅକ୍ତିଆର କରିବାର ଅବିରତ ଚେଷ୍ଟାରେ ବ୍ୟାପୃତ। ବାଂଲାଦେଶ ଆମ ସହଯୋଗରେ ସ୍ୱାଧୀନ ହେଲେ ବି ସେଠାରେ ବୃଦ୍ଧି ପାଇଚାଲିଛି ଭାରତ ବିରୋଧୀ ଶକ୍ତି। ନେପାଳ ସରକାର ଚୀନ ପ୍ରତି ଢଳୁଛନ୍ତି। ମାଳଦ୍ୱୀପ ଏବେ ଆର୍ଥନୀତିକ ଓ ରାଜନୀତିକ ଭାବେ ଚୀନର ଉପନିବେଶରେ ପରିଣତ। ଶ୍ରୀଲଙ୍କା ମଧ୍ୟ ଚୀନ ପ୍ରଭାବରୁ ମୁକ୍ତ ନୁହେଁ। ମିଆଁମାର୍ରେ ବି ଲୁଚି ରହିଛନ୍ତି ଭାରତ ବିରୋଧୀ ସନ୍ତ୍ରାସବାଦୀ। କାଶ୍ମୀରରେ ଅବ୍ୟାହତ ରହିଛି ବିଚ୍ଛିନ୍ନତାବାଦୀଙ୍କ ଆତଙ୍କରାଜ। ଅନ୍ତର୍ଜାତୀୟ ସ୍ତରରେ ଆମେରିକା ଆମକୁ ତାହାର ବଶ୍ୟତା ସ୍ୱୀକାର କରିବା ପରିସ୍ଥିତିରେ ପହଞ୍ଚାଇ ଦେଇଛି। ଭାରତର ଅର୍ଥନୀତିଜ୍ଞ, ଯୋଜନାକାର, ନେତା ଓ ବାବୁମାନଙ୍କୁ ପ୍ରଲୋଭିତ, ପ୍ରରୋଚିତ ଓ ପ୍ରଚୋଦିତ କରି ଅନେକ ବିଦେଶୀ ତତ୍ତ୍ୱ ଭାରତ ଓ ଭାରତୀୟମାନଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଚାଲିଛନ୍ତି। ସମ୍ୱିଧାନରେ ଆମେ ସମାଜବାଦୀ ଧ୍ୱଜା ଉଡ଼ାଉଛୁ। କିନ୍ତୁ ଆମର ଅର୍ଥନୀତି ହେଉଛି ପୁଂଜିବାଦୀ। ସମ୍ୱିଧାନରେ ଆମେ ଧର୍ମନିରପେକ୍ଷତାର ସଂକଳ୍ପ ଗ୍ରହଣ କରିଛୁ। କିନ୍ତୁ ଆମର ରାଜନୀତି ହେଉଛି ଧର୍ମାନ୍ଧ ଓ ସାଂପ୍ରଦାୟିକ। ସମ୍ୱିଧାନରେ ଆମେ ଗଣତାନ୍ତ୍ରିକ ଜନରାଜ୍ୟ କଥା କହିଛୁ। କିନ୍ତୁ ଆମେ ନିର୍ବାଚନୀ ଜାଲିଆତି, ଭୋଟ୍ ବେପାର, ବୁଥ୍ ରିଗିଂ, ଇଭିଏମ ଟାମ୍ପରିଂ, ଲୋଭ ଓ ଭୟର ମତଦାନରୁ ମୁକ୍ତ ନୁହେଁ। ସଂଖ୍ୟାଗରିଷ୍ଠ ଦଳର ଆଧିପତ୍ୟ ଜରିଆରେ ସାଧାରଣତନ୍ତ୍ର ଆଜି ଦଳୀୟ ଏକଛତ୍ରବାଦ କିମ୍ୱା ଅଧିକ ଭାବେ ଦଳୀୟ ନେତାଙ୍କ ସ୍ବୈରାଚାରରେ ରୂପାନ୍ତରୀତ ହୋଇଛି। ଆଜି ବି ମହିଳାମାନେ ଦାବି କରୁଛନ୍ତି ସମାନତା। ଆଦିବାସୀ ଓ ଦଳିତମାନେ ବ୍ୟକ୍ତି ମର୍ଯ୍ୟାଦାରୁ ବଞ୍ଚିତ। ସମୃଦ୍ଧି ଓ ବିକାଶର ଦୌଡ଼ରେ ଅନେକ ପଛରେ ପଡ଼ି ରହିଛନ୍ତି ପଛୁଆ ବର୍ଗ। ଅସ୍ପୃଶ୍ୟତା ଓ ନିଶା ନିବାରଣର ଲକ୍ଷ୍ୟ ଏବେ ବି ଅନେକ ଦୂରରେ। ଦାରିଦ୍ର୍ୟ, ଅନାହାର, ଅଶିକ୍ଷା ଏବେ ବି ଆମର ଘନିଷ୍ଟ ସହଚର। ସ୍ୱତନ୍ତ୍ରତା ଦୁର୍ବଳ। ଭ୍ରାତୃତ୍ୱ ଭିନ୍ନ। ମାଟି, ପାଣି ଓ ପବନର ବିପଣନ ଓ ପ୍ରଦୂଷଣ ଜରିଆରେ ବଞ୍ଚିବାର ମୌଳିକ ଅଧିକାର ଅପହୃତ। କେତେ ସ୍ୱାଧୀନ ଆମେ? କେତେ ସାର୍ବଭୌମ, କେତେ ସ୍ବତନ୍ତ୍ର? (ଲେଖାଟି ପ୍ରଥେମ ନିତିଦିନରେ ପ୍ରକାଶିତ।)

Share :