ବିପନ୍ନ ବାଘମାମୁଁ!

ବିପନ୍ନ ବାଘମାମୁଁ!

ଦେବେନ୍ଦ୍ର ପୃଷ୍ଟି ଗୋଟେ ଟୁଆଁ ଥିଲା। ଗୋଟେ ଟୁଇଁ ଥିଲା। ଦିନେ ଦିହେଁ ପିଠା ଖାଇବାକୁ କଥା ହେଲେ। ସେଥିପାଇଁ ବିରି ଚାଉଳ ଯୋଗାଡ଼ କଲେ। ପାଣିରେ ଭିଜେଇ ବାଟିଲେ। ଦେଖିଲା ବେଳକୁ ଚୁଲି ଜାଳିବାକୁ କାଠ ନାହିଁ। ଟୁଆଁ କହିଲା ଟୁଇଁକୁ, ଚାଲ୍ ବଣକୁ ଯାଇଁ କାଠ ଆଣିବା। ଦିହେଁ ବଣକୁ ଗଲେ, କାଠ ହାଣିଲେ। ବାଘମାମୁ ରଡ଼ି କଲା, ମୋ ବଣରେ କିଏ ରେ? ଟୁଆଁଟୁଇଁ କହିଲେ, ମାମୁ ଆମେ- ଟୁଆଁ ଆଉ ଟୁଇଁ। ବାଘମାମୁ କହିଲା, କାଠ କାହିଁକି ହାଣୁଛ? ଟୁଆଁଟୁଇଁ ଉତ୍ତର ଦେଲେ, ପିଠା କରିବୁ, ଚୁଲି ଜାଳିବାକୁ କାଠ ନାହିଁ। ବାଘମାମୁ କହିଲା, ତା’ହେଲେ ମୋତେ ବି ପିଠା ଖାଇବାକୁ ଦେବ। ନହେଲେ ମୋ ବଣରୁ କାଠ ନେଇପାରିବ ନାହିଁ। ଟୁଆଁଟୁଇଁ କହିଲେ, ହଉ ମାମୁ, ନିଶ୍ଚୟ ଦେବୁ। ସେଇଠୁ ଟୁଆଁଟୁଇଁ କାଠ ନେଇ ଘରକୁ ଆସିଲେ। ଟୁଆଁ ଗୋଟେ ପିଠା କଲା, ଟୁଇଁ ଖାଇଦେଲା। ଟୁଇଁ ଗୋଟେ ପିଠା କଲା, ଟୁଆଁ ଖାଇଦେଲା। ପୁଣି ଟୁଆଁ ଗୋଟେ ପିଠା କଲା, ଟୁଇଁ ଖାଇଦେଲା। ତା’ପରେ ଟୁଇଁ ଗୋଟେ ପିଠା କଲା, ଟୁଆଁ ଖାଇଦେଲା। ଏମିତି ସେମାନେ ସବୁ ତକ ପିଠା ଖାଇଦେଲେ। ବାଘମାମୁ ପାଇଁ ଆଉ ପିଠା ନଥିଲା। ଟୁଆଁଟୁଇଁ ଭାବିଲେ, ବାଘମାମୁ ତ ଆସିବ। ପିଠା ଖୋଜିବ। ନପାଇଲେ ଆମକୁ ଖାଇଦେବ। ଏବେ କ’ଣ କରିବା? ବହୁତ ଭାବିଚିନ୍ତି ସେମାନେ ଗୋଟେ ଉପାୟ କଲେ। ଟୁଆଁ କିଛି ଗୋବର ନେଇ ଆସିଲା। ଟୁଇଁ ସେଥିରେ ବଡ଼ ବଡ଼ ଗୋଡ଼ି, ପଥର ଖଣ୍ଡ ଓ ମେେଞ୍ଚ ଲଙ୍କାଗୁଣ୍ଡ ପକେଇ ପିଠା କଲା। ବଡ଼ ପିଠାଟେ କରି ଟୁଆଁଟୁଇଁ ତା’କୁ ତାଉଆ ଉପରେ ରଖି ଦେଇ ଓଳି କଡ଼ରେ ଯାଇଁ ଲୁଚିଗଲେ। ବାଘମାମୁଁ ଆସିଲା। ଦେଖିଲା ଟୁଆଁଟୁଇଁ ଘରେ ନାହାନ୍ତି। ସେ ଗର୍ଜନ ଛାଡ଼ିଲା, ଆରେ ଟୁଆଁଟୁଇଁ! କୁଆଡେ଼ ଗଲ? ମୋ ପାଇଁ ପିଠା ରଖିନ କି? ଟୁଆଁଟୁଇଁ କିଛି କହିଲେନି। ଆଉରି ଭଲକି ଲୁଚିଗଲେ। ବାଘମାମୁ ସେମାନଙ୍କୁ ଏ ଘର ସେ ଘର ଖୋଜିଲା। ଦେଖିଲା, ତାଉଆରେ ବଡ଼ ପିଠାଟେ ଥୁଆ ହୋଇଛି। ଭାବିଲା, ଟୁଆଁଟୁଇଁ ବୋଧେ ତା’ ପାଇଁ ପିଠା ରଖି କୁଆଡେ଼ ଯାଇଛନ୍ତି। ସେ ହାଉଁହାଉଁ କରି ପିଠାଟା ଚୋବେଇଗଲା। ବଡ଼ବଡ଼ ଗୋଡ଼ି ଓ ପଥର ଖଣ୍ଡରେ ତା’ ଦାନ୍ତ ଭାଙ୍ଗିଗଲା। ଏଣେ ଲଙ୍କା ରାଗରେ ତା ପାଟି ପୋଡ଼ିଲା। ସେ ତରବରରେ ପାଣି କେଉଁଠି ଅଛି ଖୋଜିଲା। ଦେଖିଲା ଘର ବାହାରେ ଗୋଟେ ନନ୍ଦାରେ ପାଣି ଥୁଆ ହୋଇଛି। ସେ ଯାଇଁ ସେଥିରେ ମୁହଁ ବୁଡେ଼ଇ ମେେଞ୍ଚ ପାଣି ପିଇଗଲା। ସେ କ’ଣ ଜାଣିଥିଲା ସେଥିରେ ବି ଟୁଆଁଟୁଇଁ ମେେଞ୍ଚ ଲଙ୍କା ବାଟି ଗୋଳେଇ ଦେଇଛନ୍ତି ବୋଲି? ତା’ ଖଣ୍ଡିଆ ପାଟିରେ ଲଙ୍କାପାଣି ବାଜି ଆହୁରି ଜୋରରେ ପୋଡ଼ିଲା। ପାଟି ଜଳାପୋଡ଼ା କଲା। ପେଟରେ ଗୋଡ଼ିପଥର ସବୁ ବାଡେ଼ଇ ହେଲେ। ତା’ ପେଟ କାଟିଲା। ସେ ଏକା ଥରରେ ଡିଆଁ ମାରି ବଣକୁ ପଳେଇଲା। ଏହା ଦେଖି ଟୁଆଁଟୁଇଁ ବହେ ଖୁସି ହେଲେ, ଲୁଚିବା ଜାଗାରୁ ବାହାରି ଘରକୁ ଆସିଲେ। +++ ପିଲାବେଳେ ଏଇ ବାଘମାମୁ ଓ ଟୁଆଁଟୁଇଁ ଗପଟି ଅନେକ ଲୋକ ଶୁଣିଥିବେ। ଓଡ଼ିଶାର ଗାଁଗହଳିରେ ବିଶେଷକରି ଜଙ୍ଗଲପାଖ ଜନବସତିରେ ଏଗପଟିର ଆଦର ବେଶି, ଭାରି ଲୋକପ୍ରିୟ। ବାଘ କେମିତି ଓଡ଼ିଶାର ଜନଜୀବନ ଓ ଜୀବନସଂସ୍କୃତିରେ ଏକ ଚରିତ୍ର ତାହା ଏଥିରୁ ଜଣାପଡେ଼। ବାଘକୁ ନେଇ ଆଉ ଗୋଟେ ଗପ ଅଛି। ବ୍ରିଟିଶ ଅମଳର ଗପ। +++ ଗୋଟେ ବଣରେ ଜଣେ ଋଷି ଥିଲେ। ସେ ତାଙ୍କ ଆଶ୍ରମରେ କେତେ ଗାଈ ପାଳିଥିଲେ। ଗୋଟିଏ ବାଛୁରୀ ତାଙ୍କର ଖୁବ ପ୍ରିୟ ଥିଲା। ସେ ତା’କୁ ନିଜ ଛୁଆ ପରି ଯତ୍ନ କରୁଥିଲେ। ଦିନେ ସେଇ ବଣରେ ଜଣେ ବ୍ରିଟିଶ ଠିକାଦାର ପଶିଲେ। କେଉଁଠି ରେଳ ଲାଇନ ତିଆରି ହେବ। ସେଥିପାଇଁ ସେଇ ବଣରୁ ଗଛକାଟି କାଠ ଯୋଗାଇବାକୁ ତାଙ୍କୁ ଠିକା ମିଳିଥିଲା। ସେ ବଣରେ ଗଛ ସର୍ଭେ କଲା ଭିତରେ ଋଷିଙ୍କ ଆଶ୍ରମରେ ପହଞ୍ଚିଲେ। ସେଠି ଗୋଟିଏ ରାତି ରହିଲେ। ସକାଳୁ ତାଙ୍କ ନଜରରେ ପଡ଼ିଲା କଅଁଳିଆ ବାଛୁରୀଟି। ସେ ତାକୁ ଖାଇବାକୁ ଲୋଭ କଲେ। ଋଷିଙ୍କ ବାରଣ ସେତ୍ତ୍ୱ ସାହେବ ଠିକାଦାର ତାଙ୍କ ଲୋକ ଲଗେଇ ବାଛୁରୀଟିକୁ ମାରି ରାନ୍ଧିଲେ ଓ ପରମତୃପ୍ତିରେ ଭୋଜନ କଲେ। ଋଷିଙ୍କର ଭାରି ମନ ଦୁଃଖ ହେଲା। ସେ ମନର କୋହ ମନରେ ମାରି ରହିଲେ। ଏହାର କିଛି ଦିନ ପରେ ସେ ସହରକୁ ଯାଇଥିଲେ। ସେଠି ରହୁଥିବା ଠିକାଦାର ସାହେବଙ୍କ ଘରକୁ ଗଲେ। ତାଙ୍କୁ ଗୋଟିଏ ରୂପାର ମୂର୍ତ୍ତି ଉପହାର ଦେଲେ। ମୂର୍ତ୍ତିର ଗୋଟିଏ ପଟେ ମଣିଷ ମୁହଁ, ଅନ୍ୟ ପଟେ ବାଘର। ମୂର୍ତ୍ତିଟି ଖୁବ ସୁନ୍ଦର ଓ ଉଜ୍ଜ୍ୱଳ। ସାହେବ ଭାରି ଖୁସି ହେଲେ। ମୂର୍ତ୍ତିକୁ ନେଇ ନିଜ ଡ୍ରଇଂ ରୁମରେ ରଖିଲେ। ଋଷି ସାହେବଙ୍କ ଘରେ ଭୋଜନ ସମାପ୍ତ କରି ଆଶ୍ରମକୁ ଫେରିଗଲେ। ଏହା ପରେ କିନ୍ତୁ ସେହି ଅଞ୍ଚଳରେ ଘଟି ଚାଲିଲା ଗୋଟିଏ ପରେ ଗୋଟିଏ ଅଘଟଣ। ରାତିରେ ଗୋଟେ ବାଘ ବୁଲିଲା। ବାଘଟି ଛେଳି, ମେ‹ାଠୁଁ ଆରମ୍ଭ କରି ଗୋଟେ ପରେ ଗୋଟେ ମଣିଷ ଉଠେଇନେଲା। ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଗଲା। ବାଘ ଖୋଜିବାକୁ କେତେ ଶିକାରୀ ଆସିଲେ। କେହି ବାଘକୁ ଦେଖିପାରିଲେ ନାହିଁ। ଶେଷରେ ସରକାର ଜଣେ ଦକ୍ଷ ଶିକାରୀକୁ ପଠାଇଲେ। ସେ ଠିକାଦାର ସାହେବଙ୍କର ବନ୍ଧୁ। ତେଣୁ ସେ ଠିକାଦାରଙ୍କ ଘରେ ଡେରା ପକେଇଲେ। ସେଦିନ ଦୁଇ ବନ୍ଧୁ ରାତ୍ରିଭୋଜନ କରି ଶୋଇଥାନ୍ତି। ହଠାତ ଶିକାରୀଙ୍କର ନିଦ ଭାଙ୍ଗିଗଲା। ସେ ଅଧା ଆଖି ଖୋଲି ଦେଖିଲେ, ତାଙ୍କର ଠିକାଦାର ବନ୍ଧୁ ଅତି ସନ୍ତର୍ପଣରେ ଉଠି କୁଆଡେ଼ ବାହାରିଗଲେ। ସେ ସନ୍ଦେହରେ ଅତି ଗୋପନରେ ତାଙ୍କ ପଛେପଛେ ଚାଲିଲେ। କିଛି ଦୂର ଗଲା ପରେ ନଈ। ସେଇଠୁଁ ଆରମ୍ଭ ହୋଇଛି ଜଙ୍ଗଲ। ଶିକାରୀ ଦେଖିଲେ ତାଙ୍କ ବନ୍ଧୁ ଜଙ୍ଗଲ ଭିତରେ ନଈକୂଳରେ ଗୋଟେ ଗଛମୂଳେ ଲୁଚିଗଲେ। ଏହାର କିଛି ସମୟ ପରେ ଶୁଣାଗଲା ଗୋଟିଏ ପଶୁର ଆର୍ତ୍ତ ଚିତ୍କାର। କିଛି ସମୟ ପରେ ଠିକାଦାର ସାହେବ ନଈରେ ମୁହଁହାତ ଧୋଇ ଘରକୁ ଫେରିଲେ। ଶିକାରୀ ବନ୍ଧୁ ତା’ପୂର୍ବରୁ ଘରକୁ ଆସି ଯଥାସ୍ଥାନରେ ଚୁପଚାପ ଶୋଇଥାନ୍ତି। ପରଦିନ ଶିକାରୀ ଜଙ୍ଗଲରେ ଏଣେତେଣେ ବୁଲି ଘରକୁ ଫେରିଲେ। ପୂର୍ବ ପରି ରାତିରେ ଦୁଇ ବନ୍ଧୁ ଖାଇପିଇ ଶୋଇଲେ। ନିଶାର୍ଦ୍ଧ ହେଲା ମାତ୍ରେ ଶିକାରୀ ବନ୍ଧୁ ଦେଖିଲେ ଠିକାଦାର ବନ୍ଧୁ ସନ୍ତର୍ପଣରେ କୁଆଡେ଼ ବାହାରିଗଲେ। ଶିକାରୀ ବନ୍ଧୁ ଏଥର ତାଙ୍କ ବନ୍ଧୁକ ଓ ଟର୍ଚ୍ଚ ଲାଇଟ୍ ଧରି ଗୋପନରେ ତାଙ୍କର ଅନୁଧାବନ କଲେ। ଜଙ୍ଗଲ ଭିତରେ ନଈ କୂଳରେ ଠିକାଦାର ବନ୍ଧୁ ଗୋଟିଏ ଗଛ ମୂଳେ ଲୁଚି ରହିଲେ। ଶିକାର କିଛି ଦୂରରେ ଅନ୍ୟ ଏକ ଗଛରେ ଚଢ଼ି ଛପିଗଲେ। କିଛି ସମୟ ପରେ ନଈ କୂଳରେ ଶୁଣାଗଲା ଆର୍ତ୍ତ ଚିତ୍କାର। ଶିକାରୀ ସେ ଦିଗକୁ ଲକ୍ଷ୍ୟ କରି ଟର୍ଚ୍ଚ ଲାଇଟ୍ ଜାଳିଲେ। ଦେଖିଲେ ଗୋଟେ ମଣିଷ ବାଘ। ସେ ବନ୍ଧୁକ ସଜେଇ ରଖିଥାନ୍ତି। ସଙ୍ଗେ ସଙ୍ଗେ ଟ୍ରିଗାର ଚିପିଲେ। ବାଘବେଶୀ ମଣିଷ ଟଳି ପଡ଼ିଲା। +++ ବାଘକୁ ନେଇ ଏମିତି ଅନେକ କାହାଣୀ ଓ କିମ୍ୱଦନ୍ତୀ। ଭାରତୀୟ ଧର୍ମ, ଦର୍ଶନ ଓ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଚରିତ୍ର ହୋଇଯାଇଛି ବାଘ। ମା’ ଦୁର୍ଗାଙ୍କ ବାହନ ବାଘ ହୋଇଥିଲେ ବି ତାଙ୍କର ଅନେକ ରୂପ ଓ ଅବତାରରେ ସେ ବାଘ ସବାର ହୋଇଥିବାର ଚିତ୍ର ଓ ମୂର୍ତ୍ତି ରହିଛି। ପୌରାଣିକ ଚରିତ୍ର ନବ ଗୁଞ୍ଜରଙ୍କର ଗୋଟିଏ ଗୋଡ଼ ହେଉଛି ବାଘର। ଅନେକ ମନ୍ଦିର ଆଗରେ ବାଘ ଓ ସିଂହଙ୍କ ମୂର୍ତ୍ତି। ଅନେକ ରାଜା ଓ ମହାରାଜାଙ୍କ ଶାସନର ପ୍ରତୀକ ହେଉଛି ବାଘ। ବାଘ ଛାଲରେ ବସି ଧ୍ୟାନ କରନ୍ତି ମୁନିଋଷି। ଅନେକ ସମ୍ଭ୍ରାନ୍ତଙ୍କ ଘରେ ଟଙ୍ଗା ହୋଇଥାଏ ବାଘ ଛାଲ। ବାଘନଖ ବେକରେ ପକେଇଥାନ୍ତି ଅନେକ ଲୋକ। ବିଶ୍ୱାସ ଯେ ବାଘନଖ ପିନ୍ଧିଲେ ପିଲା ଡରନ୍ତି ନାହିଁ। ଘୋଡ଼ା ଓ ଷ‹ ନାଚ ପରି ବାଘ ନାଚ ହେଉଛି ଆମ ଲୋକସଂସ୍କୃତିର ଏକ ସମୃଦ୍ଧ ଅଙ୍ଗ। ସଂସ୍କୃତ ସାହିତ୍ୟରୁ ଆରମ୍ଭ କରି ଓଡ଼ିଆ ସାହିତ୍ୟରେ ବାଘ ସଂପର୍କରେ ଅନେକ କଥା, ଅନେକ ବର୍ଣ୍ଣନା। ଏବେ ବାଘ ଆମର ଜାତୀୟ ପଶୁ। କିନ୍ତୁ ଲୋପ ପାଉଛି ବାଘବଂଶ। ସାରା ପୃଥିବୀରେ ପୂର୍ବରୁ ଚିହ୍ନଟ ହୋଇଥିବା ୯ ପ୍ରଜାତିର ବାଘଙ୍କ ମଧ୍ୟରୁ ବିଲୁପ୍ତ ହୋଇଗଲେଣି ୩ ପ୍ରଜାତି। ବାଲି ବାଘ, କାସ୍ପିଆନ ବା ପାରସ୍ୟ ବାଘ ଓ ଜାଭା ବାଘ ଆଉ ନାହାନ୍ତି। ଏବେ ପୃଥିବୀରେ ଅଛନ୍ତି ସୁମାତ୍ରା ବାଘ, ଅମୁର ବାଘ, ଭାରତୀୟ ବା ବେଙ୍ଗଲ ବାଘ, ଦକ୍ଷିଣ ଚୀନା ବାଘ, ମାଳୟ ବାଘ ଓ ଭାରତ-ଚୀନା ବାଘ। ଏସିଆ ହେଉଛି ବାଘଙ୍କ ଘର। ଏସିଆରେ ପୁଣି ଭାରତ ହେଉଛି ବାଘଙ୍କ ସବୁଠୁଁ ଭଲ ବାସସ୍ଥାନ। ଭାରତରେ ଏବେ ବି ରହିଛନ୍ତି ପୃଥିବୀର ସର୍ବାଧିକ ବାଘ। ସାରା ପୃଥିବୀରେ ଅଛନ୍ତି ପ୍ରାୟ ୪୦୦୦ ବାଘ। ଭାରତରେ ଅଛନ୍ତି ଏହାର ଅଧାରୁ ଅଧିକ-ପ୍ରାୟ ୨୨୨୬। ୨୦୧୯ ଗଣନା ରିପୋର୍ଟ ପ୍ରକାଶ ପାଇବାବେଳକୁ ଭାରତର ବାଘସଂଖ୍ୟା ୩୦୦୦ ଟପିଥିବ ବୋଲି ଆକଳନ କରାଯାଉଛି। କିନ୍ତୁ କ୍ରମେକ୍ରମେ ବାଘଙ୍କ ପ୍ରତି ବିପଦ ବୃଦ୍ଧି ପାଉଛି। ରାଜାରାଜୁଡ଼ା ଅମଳରୁ ବାଘ ଶିକାର ଚାଲିଛି ଯେ ଚାଲିଛି, ବନ୍ଦ ହୋଇନି। ବ୍ରିଟିଶ ଶାସନ ସମୟରୁ ଏହା ଅଧିକ ଉତ୍କଟ ହୋଇଛି। ରାଜା ଓ ସମ୍ଭ୍ରାନ୍ତ ବର୍ଗର ଲୋକମାନେ ବାଘ ଶିକାରକୁ ଏକ କ୍ରୀଡ଼ା ଭାବେ ଗ୍ରହଣ କରନ୍ତି। ୧୯୧୧ ମସିହାରେ ରାଜା ପଞ୍ଚମ ଜର୍ଜ ଭାରତ ଆସିଇିଲେ। ସେ ଭାରତରୁ ହାତୀ ପିଠିରେ ବସି ନେପାଳ ଯାଇଥିଲେ। ସମୟ ଲାଗିଥିଲା ୧୦ ଦିନ। ସେହି ୧୦ ଦିନ ଭିତରେ ସେ ୩୯ଟି ବାଘଙ୍କ ଶିକାର କରିଥିଲେ। ଏଭଳି ଶିକାର ବୃଦ୍ଧି ପାଇବାରୁ ବାଘଙ୍କ ସଂଖ୍ୟା ଊନ୍ନବିଂଶ ଶତାବ୍ଦୀର ଶେଷ ଭାଗରୁ ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ମଧ୍ୟରେ ତୀବ୍ର ଗତିରେ ହ୍ରାସ ପାଇଥିଲା। ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତରେ ୫୦,୦୦୦ରୁ ୧,୦୦,୦୦୦ ବାଘ ଥିଲେ ବୋଲି ଆକଳନ କରାଯାଏ। ୧୯୭୦ ବେଳକୁ ସେହି ସଂଖ୍ୟା ମାତ୍ର ୧୮୦୦କୁ ଖସି ଆସିଥିଲା। ବାଘ ଆମର ମାମୁଁ ବାଘଙ୍କ ସଂଖ୍ୟାରେ ଏଭଳି ଦ୍ରୁତ ହ୍ରାସ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ବ୍ୟଥିତ କରିଥିଲା। ତେଣୁ ୧୯୭୩ ମସିହାରେ ସେ ଆରମ୍ଭ କରିଥିଲେ ପ୍ରୋଜେକ୍ଟ ଟାଇଗର ବା ବାଘ ସଂରକ୍ଷଣ ଅଭିଯାନ। ଏବେ ଭାରତରେ ୫୦ଟି ବାଘ ସଂରକ୍ଷଣ ଜଙ୍ଗଲ ବା ଟାଇଗର ରିଜର୍ଭ ରହିଛି। ୨୦୧୪ ଗଣନା ଅନୁସାରେ ଏସବୁ ଜଙ୍ଗଲରେ ୨୨୨୬ ବାଘ ଅଛନ୍ତି। ୨୦୧୯ ଜାନୁଆରୀରେ ପ୍ରକାଶ ପାଇବାକୁ ଥିବା ନୂଆ ଗଣନା ରିପୋର୍ଟରେ ଏହିସଂଖ୍ୟା ୩୦୦୦ ହେବ ବୋଲି ଅନୁମାନ କରାଯାଉଛି। ୨୦୨୨ ଶେଷ ସୁଦ୍ଧା ଭାରତର ବାଘସଂଖ୍ୟା ଦୁଇ ଗୁଣ କରିବାକୁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ସେଥିପାଇଁ ବାଘ ସୁରକ୍ଷା ଓ ବଂଶବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ଏହାର ଏକ ଅଂଶ ହେଲା ମଧ୍ୟ ପ୍ରଦେଶର କାହ୍ନା ସଂରକ୍ଷଣ ଜଙ୍ଗଲରୁ ଓଡ଼ିଶାର ସାତକୋଶିଆ ଜଙ୍ଗଲକୁ ବ୍ୟାଘ୍ର ସ୍ଥାନାନ୍ତରଣ। ଗତ ଜୁନରେ ପ୍ରଥମେ ଆସିଲା କାହ୍ନା। ତା’ପରେ ତା’ ପାଇଁ ଆସିଲା ସୁନ୍ଦରୀ। ବାଘଙ୍କ ମଧ୍ୟରେ ମୁକ୍ତ ଓ ଅବାଧ ପ୍ରେମ ଓ ପ୍ରଣୟ ହେଲେ ବାଘବଂଶ ବୃଦ୍ଧି ପାଇବ। ଏହା ସହିତ ବାଘ ବାସସ୍ଥଳୀ ନିକଟରୁ ଜନବସତି ହଟେଇବା ପାଇଁ ମଧ୍ୟ ସରକାର ଯୋଜନା କରିଛନ୍ତି। ଅଭୟାରଣ୍ୟରୁ ଜନବସତି ସ୍ଥାନାନ୍ତର କଲେ ବନ୍ୟଜନ୍ତୁ ଶିକାର ବନ୍ଦ ହେବ। ଫଳରେ ଜଙ୍ଗଲରେ ବାଘଙ୍କ ପାଇଁ ଶିକାର ସଂଖ୍ୟା ବୃଦ୍ଧି ପାଇବ। ଜଙ୍ଗଲରେ ବାଘଙ୍କ ସଂଖ୍ୟା ବଢ଼ିଲେ ବନ୍ୟଜନ୍ତୁ ସଂଖ୍ୟା ବଢ଼ିବା ସଙ୍ଗେସଙ୍ଗେ ଜଙ୍ଗଲ ମଧ୍ୟ ସୁରକ୍ଷିତ ରହିବ। ବଣ ହେଉଛି ବନବାସୀ ଓ ଆଖପାଖ ଅଂଚଳବାସୀଙ୍କ ଜୀବନ ଓ ଜିବୀକାର ଉତ୍ସ। ବାଘ ତା’କୁ ଜଗେ। ତେଣୁ ସେ ହେଉଛି ବାଘମାମୁଁ। ବାଘମୃତ୍ୟୁର କାରଣ ଜନସଂଖ୍ୟା ବୃଦ୍ଧି ହେତୁ ଜଙ୍ଗଲ ଉପରେ ଚାପ ବଢ଼ୁଛି। ଲୋକେ ଘରଦ୍ୱାର କରିବାକୁ ଜଙ୍ଗଲ ସଫା କରୁଛନ୍ତି। ଚାଷ ପାଇଁ ଜମି ଆବାଦ କରିବାକୁ ଜଙ୍ଗଲ ଉଚ୍ଛେଦ କରୁଛନ୍ତି। ସଡ଼କ ଓ ରେଳ ପଥ ପାଇଁ ଜଙ୍ଗଲ କ୍ଷୟ ଘଟୁଛି। ଶିଳ୍ପ ଓ ଖଣି କାର୍ଯ୍ୟ ପାଇଁ ଜଙ୍ଗଲ ଲୋପ ପାଉଛି। ନଦୀବନ୍ଧ ଯୋଜନା ପାଇଁ ମଧ୍ୟ ଜଙ୍ଗଲାଞ୍ଚଳ ହ୍ରାସ ପାଉଛି। ଏହି ଭଳି ଅନେକ କାରଣ ପାଇଁ ଜଙ୍ଗଲ ଉଜୁଡ଼ି ଯାଉଛି। ଆଉ ତା’ ସହିତ ଉଜୁଡ଼ି ଯାଉଛି ବାଘଙ୍କ ବାସଘର। ବାଘ-ମଣିଷ ଲଢ଼େଇ ବଢ଼ୁଛି। କେତେବେଳେ ମଣିଷ ମାରୁଛି ବାଘ ତ କେତେବେଳେ ବାଘ ମାରୁଛି ମଣିଷ। ଏହା ଛଡ଼ା ବିଦ୍ୟୁତ ଆଘାତ, ସଡ଼କ ଓ ରେଳ ଦୁର୍ଘଟଣା ଏବଂ ଖାଦ୍ୟାଭାବ ଯୋଗୁଁ ମଧ୍ୟ ଅନେକ ବାଘଙ୍କ ମୃତ୍ୟୁ ଘଟୁଛି। ପ୍ରକୃତି ଓ ପରିବେଶ ବଦଳିଯିବାରୁ ବାଘଙ୍କୁ ନୂଆନୂଆ ରୋଗ ଆକ୍ରମଣ କରୁଛି। ତାହା ମଧ୍ୟ ବାଘସଂଖ୍ୟା କ୍ଷୟର ଅନ୍ୟ ଏକ କାରଣ। ଭାରତର ପରିବେଶ ମନ୍ତ୍ରଣାଳୟ ପ୍ରକାଶ କରିଥିବା ତଥ୍ୟ ଅନୁସାରେ ୨୦୧୨-୨୦୧୭ ମଧ୍ୟରେ ଯେତେ ବାଘ ମରିଛନ୍ତି ତନ୍ମଧ୍ୟରୁ ୪୫ ପ୍ରତିଶତ ଅପ୍ରାକୃତିକ କାରଣ ଯୋଗୁଁ ପ୍ରାଣ ହରାଇଛନ୍ତି। ଏହି ୪୫% ମଧ୍ୟରେ ୨୨% ମନୋରଂଜନ ପାଇଁ ଶିକାର, ୧୫ଞ୍ଝ ଅଙ୍ଗପ୍ରତ୍ୟଙ୍ଗ ପାଇଁ ଶିକାର ଓ ବାକି ସଡ଼କ ଓ ରେଳ ଦୁର୍ଘଟଣାରୁ ଘଟିଛି। ୨୦୧୬ରେ ୧୨୨ ବାଘଙ୍କ ମୃତ୍ୟୁ ରେକର୍ଡ଼ ହୋଇଥିବାବେଳେ ୨୦୧୭ରେ ୧୧୫ ବାଘଙ୍କ ମୃତ୍ୟୁ ଘଟିଛି। ବାଘ ବାଣିଜ୍ୟ ବିଶ୍ୱ ସ୍ତରରେ କିନ୍ତୁ ଅଙ୍ଗ ପ୍ରତ୍ୟଙ୍ଗ ପାଇଁ ବାଘ ଶିକାର ବଢ଼ି ଚାଲିଛି। ବିଶ୍ୱ ବଜାରରେ ବାଘର ବିଭିନ୍ନ ଅଙ୍ଗରୁ ପ୍ରସ୍ତୁତ ହେଉଥିବା ଔଷଧ ଓ ଖାଦ୍ୟର ଚାହିଦା ବୃଦ୍ଧି ପାଇଛି। ହଜାର ହଜାର ବର୍ଷ ଧରି ଚୀନରେ ବାଘ ଅଙ୍ଗରୁ ଔଷଧ ଓ ଖାଦ୍ୟ ପ୍ରସ୍ତୁତ ହେଉଛି। ଏହି ଧାରା ବିଶ୍ୱର ଅନ୍ୟ ଅଞ୍ଚଳକୁ ସଂକ୍ରମିତ ହୋଇଛି। ଧନୀ ଓ ସମ୍ଭ୍ରାନ୍ତ ମହଲରେ ବାଘ ଅଙ୍ଗରୁ ପ୍ରସ୍ତୁତ ଔଷଧ ଓ ଖାଦ୍ୟର ଆଦର ବଢ଼ିଛି। ସେଥିପାଇଁ ବାଘ-ଶିକାର ବୃଦ୍ଧି ପାଉଛି। ପାରିବେଶକ ତଦନ୍ତ ସଂସ୍ଥା ବା ଏନଭିରନମେଣ୍ଟାଲ ଇନଭେଷ୍ଟିଗେନ ଏଜେନ୍ସି ନାମକ ଏକ ସଂସ୍ଥାର ଆକଳନ ଅନୁସାରେ ଔଷଧ ତିଆରି ପାଇଁ ଦୈନିକ ହାରାହାରି ଗୋଟିଏ ବାଘକୁ ହତ୍ୟା କରାଯାଉଛି। ଜୁଲୋଜିକାଲ ସୋସାଇଟି ଅଫ୍ ଲଣ୍ଡନର ତଥ୍ୟ ଅନୁସାରେ ୧୯୯୦ରେ ତାଇୱାନରୁ ଜାପାନକୁ ୧୯୦୦ କିଲୋଗ୍ରାମର ବାଘ ହାଡ଼ ରପ୍ତାନୀ ହୋଇଥିଲା। ଏଥିପାଇଁ ୪୦୦-୫୦୦ ବାଘଙ୍କୁ ମରିବାକୁ ପଡ଼ିଥିବ। ୧୯୭୦-୧୯୯୩ ମଧ୍ୟରେ ଦକ୍ଷିଣ କୋରିଆ ଇଣ୍ଡୋନେସିଆରୁ ୩୯୯୪ କିଲୋଗ୍ରାମର ବାଘହାଡ଼ ଆମଦାନୀ କରିଥିଲା। ଗୋଟିଏ ବାଘର ହାଡ଼ ଓଜନ ହାରାହାରି ୧୦ କିଲୋଗ୍ରାମ। ଚାହିଦା ବୃଦ୍ଧି ଯୋଗୁଁ ତାଇୱାନ ଓ ଦକ୍ଷିଣ କୋରିଆରେ ବାଘହାଡ଼ର ଦାମ ଆକାଶଛୁଆଁ ଭାବେ ବୃଦ୍ଧି ପାଇଛି। ଆକାରପ୍ରକାର ଭିତ୍ତିରେ ଏକ କିଲୋଗ୍ରାମ ବାଘହାଡ଼ର ଦାମ ଏବେ ୧୪୦-୩୭୦ ଡଲାର। ଗୋଟିଏ ଡଲାରର ମୂଲ୍ୟ ହେଉଛି ପାଖାପାଖି ୭୦ ଟଙ୍କା। ତାଇୱାନରେ ଏବେ ବାଘ ଯୌନାଙ୍ଗ ସୁପ୍ ଦାମ କପ୍ ବା ବାଉଲ୍ ପିଛା ୩୨୦ ଡଲାର। ଏହା ପିଇଲେ ଯୌନଶକ୍ତି ବଢ଼େ ବୋଲି ବିଶ୍ୱାସ କରାଯାଏ। ବାଘ ଆଖି ଯୋଡ଼ିକର ଦାମ ହେଉଛି ୧୭୦ ଡଲାର। ଏହା ଏପିଲେପ୍ସି ଓ ମ୍ୟାଲେରିଆ ରୋଗର ନିରାକରଣ ବୋଲି ବିଶ୍ୱାସ କରାଯାଏ। ଦକ୍ଷିଣ କୋରିଆରେ ଗୋଟେ କିଲୋ ବାଘ ପ୍ରଗଣ୍ଡାସ୍ଥି ବା ହ୍ୟୁମେରସ ବୋନ୍ ଦାମ ପାଉଣ୍ଡ ପିଛା ୧୪୫୦ ଡଲାର। ଏହା ରିଉମାଟିଜମ ଓ ଟାଇଫଏଡ଼ ଭଲ କରେ ବୋଲି କୁହାଯାଏ। ଏସବୁ ବ୍ୟତିତ ବାଘର ପପ୍ତା ଇନସୋମ୍ନିଆ ଭଲ କରେ ବୋଲି ଚୀନ, କୋରିଆ, ଜାପାନ ଓ ତାଇୱାନ ଆଦି ଦେଶର ଲୋକମାନେ ବିଶ୍ୱାସ କରନ୍ତି। ସେହିପର ିବାଘ ଦାନ୍ତ ଜର ଭଲ କରେ। ବାଘ ଚର୍ବି କୁଷ୍ଠ ଓ ରଉମାଟିଜିମର ଔଷଧରେ ବ୍ୟବହୃତ ହୁଏ। ବାଘ ନାକ କାମୁଡ଼ା ଆଘାତ ଭଲ କରିବାରେ ଲାଗେ। ବାଘ ଲାଞ୍ଜ ଚର୍ମ ରୋଗର ଔଷଧ ତିଆରିରେ ବ୍ୟବହୃତ ହୁଏ। ବାଘ ପିତ୍ତ ପିଲାଙ୍କ ମେନିନଜାଇଟିସ ଭଲ କରିବାରେ ପ୍ରୟୋଗ କରାଯାଏ। ବାଘ ମସ୍ତିଷ୍କ ଆଳସ୍ୟ ଦୂର କରେ ବୋଲି ବିଶ୍ୱାସ କରାଯାଏ। ବାଘ ସଂରକ୍ଷଣ ଏସବୁ କାରଣ ପାଇଁ ବାଘସଂଖ୍ୟା ହ୍ରାସ ବିଶ୍ୱ ସ୍ତରରେ ପରିବେଶ ଓ ବନ୍ୟଜନ୍ତୁ ପ୍ରେମୀଙ୍କୁ ଆଘାତ ଦେଇଛି। ତେଣୁ ସେମାନଙ୍କ ଚାପ ଓ ସଚେତନତା କାର୍ଯ୍ୟକ୍ରମର ଫଳସ୍ୱରୂପ ୧୯୮୧ ମସିହାରେ ପ୍ରଣୀତ ହୋଇଛି କନଭେନସନ ଅନ ଇଣ୍ଟର୍ନେସନାଲ ଟ୍ରେଡ଼ ଇନ ଏନଡେଞ୍ଜର୍ଡ଼ ସ୍ପେଶିସ ବା ସାଇଟ୍ସ। ବାଘ ହେଉଛି ଏକ ଏନଡେଞ୍ଜର୍ଡ଼ ସ୍ପେଶିସ ବା ବିପନ୍ନ ବନ୍ୟଜନ୍ତୁ। ଏହି କନଭେନସନକୁ ସ୍ୱୀକୃତି ଦେଇଛନ୍ତି ଚୀନ, ଜାପାନ, ଦକ୍ଷିଣ କୋରିଆ, ଥାଇଲାଣ୍ଡ, ଭାରତ ଓ ନେପାଳ ପରି ଅନେକ ଏସୀୟ ରାଷ୍ଟ୍ର। ତଥାପି ବ୍ରହ୍ମଦେଶ ବା ମିଆଁମାରରେ ବାଘଶିକାର ବୈଧ। ଲାଓସ ଓ କାମ୍ୱୋଡ଼ିଆ ସାଇଟ୍ସରେ ସ୍ୱାକ୍ଷର କରିନାହାନ୍ତି। ଭିଏତନାମ ଓ ମାଲେସିଆରେ ବାଘ ଶିକାର ବନ୍ଦ ହୋଇନି। ରୁଷିଆରେ ଆର୍ଥନୀତିକ କାରଣରୁ ସାଇବେରୀୟ ବା ଅମୁର ବାଘଙ୍କୁ ନିର୍ବିଚାରରେ ଶିକାର କରାଯାଉଛି। ସାଇଟ୍ସ ବିଫଳ ହେବା ପରେ ୨୦୧୦ ମସିହାରେ ଏସିଆର ୧୩ଟି ଦେଶ ମିଳିତ ହୋଇ ଆରମ୍ଭ କରିଛନ୍ତି ଗ୍ଲୋବାଲ ଟାଇଗର ରିକଭରି ପ୍ରୋଗ୍ରାମ ବା ବିଶ୍ୱ ବାଘ ପୁନରୁଦ୍ଧାର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ୨୦୨୨ ସୁଦ୍ଧା ବିଶ୍ୱରେ ବାଘସଂଖ୍ୟା ଦ୍ୱିଗୁଣିତ କରିବା। ଏହି ଉଦ୍ଦେଶ୍ୟରେ ଏହିସବୁ ଦେଶ ଜୁଲାଇ ୨୯ ତାରିଖକୁ ଅନ୍ତର୍ଜାତୀୟ ବାଘ ଦିବସ ଭାବେ ପାଳନ କରି ଆସୁଛନ୍ତି। ଗତ ଜୁଲାଇ ୨୯ ତାରିଖରେ ମଧ୍ୟ ଏହିସବୁ ଦେଶ ବାଘ ଦିବସ ପାଳନ କରିଛନ୍ତି। ଓଡ଼ିଶାରେ ବି ତାହା ପାଳିତ ହୋଇଛି। ଓଡ଼ିଶାରେ ୨୦୧୦ରେ ୩୨ ବାଘ ଥିଲେ। ୨୦୧୪ରେ ସେମାନଙ୍କ ସଂଖ୍ୟା ୨୮କୁ ଖସିଗଲା। କିନ୍ତୁ ସରକାରଙ୍କ ଦାବି ହେଉଛି ରାଜ୍ୟରେ ଏବେ ୪୦ ବାଘ ଅଛନ୍ତି। ୨୦୧୯ରେ ପ୍ରକାଶ ପାଇବ ଅନ୍ୟ ଏକ ବାଘ ଗଣନା ରିପୋର୍ଟ।

Share :