୩୫(କ)- ଅକଲ ଗୁଡ଼ୁମ!

୩୫(କ)- ଅକଲ ଗୁଡ଼ୁମ!

Share :

ସମସ୍ତେ ଏବେ ଅକଳରେ। ଭାରତ ସରକାର, ଭାରତର ସୁପ୍ରିମ କୋର୍ଟ, ଜାମ୍ମୁ ଓ କାଶ୍ମୀର ସରକାର ଏବଂ ରାଜନୀତିକ ଅନୁଷ୍ଠାନ। ଭାରତୀୟ ସମ୍ୱିଧାନର ୩୫-କ ଧାରା ହିଁ ଏବେ ଏ ସମସ୍ତ ସାମ୍ୱିଧାନିକ ସଂସ୍ଥା ଓ ରାଜନୀତିକ ଅନୁଷ୍ଠାନଗୁଡ଼ିକୁ ଅକଳରେ ପକାଇଛି। ଏଣୁ ମାଇଲେ ଗୋ-ହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା ପରି ପରିସ୍ଥିତି। ତେବେ ଏହି ଅକଳିଆ ସ୍ଥିତି ଭିତରେ ସବୁଠୁ ବେଅକଲର କଥା ହେଉଛି ସୁପ୍ରିମ କୋର୍ଟରେ ଶୁଣାଣି ହେବାକୁ ଥିବା ଏକ ମାମଲା ବିରୋଧରେ ଜାମ୍ମୁ ଓ କାଶ୍ମୀରରେ ବନ୍ଦ ପାଳନ କରାଯିବବା ଓ ଏହାକୁ ଡରି ସୁପ୍ରିମ କାର୍ଟ ଶୁଣାଣିକୁ ସ୍ଥଗିତ ରଖିବା। ଏହି ବନ୍ଦ ବି ବନ୍ଦ ସମର୍ଥକମାନଙ୍କ ପାଇଁ ନୀତିଗତ ଅକଳିଆ ପରିସ୍ଥିତି ସୃଷ୍ଟି କରିଛି। ଦୁଇ ଦିନିଆ ବନ୍ଦ ପାଳନ କରୁଥିବା ଯୁଗ୍ମ ପ୍ରତିବାଦ ନେତୃତ୍ୱ ବା ଜେଆରଏଲର ନେତାମାନେ ଭାରତୀୟ ସମ୍ୱିଧାନକୁ ଅସ୍ୱୀକାର କରୁଥିଲେ ହେଁ ଏବେ ଏହି ସମ୍ୱିଧାନର ଏକ ଧାରାର ବୈଧତା ସପକ୍ଷରେ ଯୁକ୍ତି କରୁଛନ୍ତି। ପ୍ରସଙ୍ଗ ହେଉଛି ଭାରତୀୟ ସମ୍ୱିଧାନର ୩୫-କ ଧାରା ବୈଧ କି ଅବୈଧ? ଏହା ସାମ୍ୱିଧାନିକ ନା ଅସାମ୍ୱିଧାନିକ? ଏହି ଧାରା ଜାମ୍ମୁକାଶ୍ମୀରର ସ୍ଥାୟୀ ବାସିନ୍ଦାମାନଙ୍କୁ ଭାରତର ଅନ୍ୟ ଅଞ୍ଚଳର ଲୋକମାନଙ୍କଠାରୁ ଭିନ୍ନ ଓ ସ୍ୱତନ୍ତ୍ର କରୁଛି ନା ନାହିଁ? ଏହା ଦ୍ୱାରା ସେମାନେ ଜାତୀୟ ସ୍ରୋତରୁ ଅଲଗା ହୋଇଯାଇଛନ୍ତି ନା ନାହିଁ? ଏପରି କିଛି ପ୍ରଶ୍ନ ଉଠାଇ ନୂଆଦିଲ୍ଲୀର ଏକ ସାମାଜିକ ଅନୁଷ୍ଠାନ ‘ଉଇ ଦ ସିଟିଜେନ୍’ ସୁପ୍ରିମ କୋର୍ଟରେ ଏକ ଯାଚିକା ଦାଏର କରିଛି। ଏହା ଉପରେ ଅଗଷ୍ଟ ୬ ତାରିଖ ଶୁଣାଣି ହେବାର ଥଲାମ। କିନ୍ତୁ ତା’ ପୂର୍ବରୁ ପୂର୍ବରୁ ବିଚ୍ଛିନ୍ନତାବାଦୀ ସଂଗଠନ ହୁରିୟାତର ସଦସ୍ୟ ଥିବା ଏସ.ଏ. ଗିଲାନି, ମିରେୱଜ ଫାରୁକ ଓ ୟାସିନ ମାଲିକ ସୁପ୍ରିମ କୋର୍ଟଙ୍କ ଶୁଣାଣି ବିରୋଧରେ ବନ୍ଦ ପାଳନ କରିବାରୁ କାଶ୍ମୀର ସରକାରଙ୍କ ଅନୁରୋଧରେ ସୁପ୍ରିମ କୋର୍ଟ ଶୁଣାଣିକୁ ଅଗଷ୍ଟ ୨୭ ଯାଏଁ ସ୍ଥଗିତ ରଖିଛନ୍ତି। ତେବ ବନ୍ଦ ପାଳନ ବିଚ୍ଛିନ୍ନତାବାଦୀମାନଙ୍କର ବେଅକଲର କଥା। କାରଣ ଏହି ନେତାମାନେ ମୂଳରୁ ଭାରତୀୟ ସମ୍ୱିଧାନକୁ ଅସ୍ୱୀକାର କରି ଆସୁଛନ୍ତି। ସେମାନଙ୍କର ଲଢ଼େଇ ଆଜାଦ କାଶ୍ମୀର ପାଇଁ। କାଶ୍ମୀରକୁ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଭାବେ ସେମାନେ ଉପସ୍ଥାପନ କରନ୍ତି। ଏବେ ସେମାନେ ୩୫-କ ଧାରାକୁ ସମର୍ଥନ କରିବା ଫଳରେ ଏହା ସେମାନଙ୍କ ପାଇଁ ଏକ ସାମ୍ୱିଧାନିକ ଯନ୍ତାରେ ପରିଣତ ହୋଇଛି। ସେମାନେ ପରୋକ୍ଷରେ ଏହା ମାନି ଯାଇଛନ୍ତି ଯେ ସେମାନଙ୍କ ସ୍ଥିତି ପାଇଁ ଭାରତୀୟ ସମ୍ୱିଧାନର ଏହି ଧାରା ଅପରିହାର୍ଯ୍ୟ। ଅବଶ୍ୟ ରାଜ୍ୟର ଦୁଇ ଭାରତବାଦୀ ମୁଖ୍ୟ ଦଳ ନେସନାଲ କନଫରେନ୍ସ ଓ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ମଧ୍ୟ ଏହି ଧାରା ସପକ୍ଷରେ ଜୁଲୁସ ବାହାର କରିଛନ୍ତି। ତେବେ କ’ଣ କହେ ଏହି ଧାରା? ଭାରତୀୟ ସମ୍ୱିଧାନର ଏହି ଧାରା ଅନୁସାରେ ରାଜ୍ୟର ସ୍ଥାୟୀ ବାସିନ୍ଦା ହୋଇନଥିବା କୌଣସି ଭାରତୀୟ ନାଗରିକ ଜାମ୍ମୁକାଶ୍ମୀରରେ ଜମି କିମ୍ୱା ଘର କିଣିପାରିବେ ନାହିଁ, ସେଠା ସରକାରରେ ଚାକିରି କରିପାରିବେ ନାହିଁ କିମ୍ୱା ଶିକ୍ଷାବୃତ୍ତି ପାଇପାରିବେ ନାହିଁ। ଏହି ଧାରାକୁ ସମର୍ଥନ କରୁଥିବା ନେତାମାନଙ୍କ ଯୁକ୍ତି ହେଲା ଏହାକୁ ସମ୍ୱିଧାନରୁ ଉଚ୍ଛେଦ କରାଗଲେ ରାଜ୍ୟର ଜନସଂଖ୍ୟା ସ୍ଥିତି ବଦଳିଯିବ। ସେମାନଙ୍କ ଆଶଙ୍କା ହେଲା ଜାମ୍ମୁକାଶ୍ମୀରରେ ଅନ୍ୟ ରାଜ୍ୟର ଲୋକମାନେ ଘରଦ୍ୱାର କିଣି ବସବାସ କଲେ ରାଜ୍ୟର ମୁସଲମାନମାନେ ସଂଖ୍ୟାଗରିଷ୍ଠତା ହରାଇବେ। ଏହା ଫଳରେ ରାଜ୍ୟର ସାଂସ୍କୃତିକ ପରିଚୟ ମଧ୍ୟ ହଜିଯିବ। ତେବେ ଏହି ଧାରାକୁ ବିରୋଧ କରୁଥିବା ଲୋକମାନଙ୍କର ଯୁକ୍ତି ହେଲା, ଏହି ଧାରାଟି ଯୋଗୁଁ ଜାମ୍ମୁକାଶ୍ମୀର ଜାତୀୟ ବିକାଶ ଧାରାରେ ସାମିଲ ହୋଇପାରୁ ନାହିଁ। କାରଣ ଏହି ଧାରାରେ ଥିବା ପ୍ରତିବନ୍ଧକ ହେତୁ ଅନ୍ୟ ରାଜ୍ୟର ପ୍ରମୁଖ ଶିଳ୍ପପତି ଓ ଉଦ୍ୟୋଗୀମାନେ ଜାମ୍ମୁକାଶ୍ମୀରରେ ପୁଂଜିନିବେଶ କରିବାକୁ ପସନ୍ଦ କରୁ ନାହାନ୍ତି। ରାଷ୍ଟ୍ରୀୟ ଓ ବହୁରାଷ୍ଟ୍ରୀୟ କମ୍ପାନୀମାନେ ଜାମ୍ମୁକାଶ୍ମୀରରେ ଶିଳ୍ପ ଓ ଉଦ୍ୟୋଗରେ ପୁଂଜିନିବେଶ କରିବାକୁ ଚାହିଁଲେ ଆଗେ ମୌଳିକ ଭିତ୍ତିଭୂମି ସହାୟତା ଲୋଡ଼ିବେ। ତାହା ହେଉଛି ଜମି। ଯଦି ସେମାନେ କଳକାରଖାନା ଓ ଅଫିସ ଇତ୍ୟାଦି ତିଆରି କରିବାକୁ ଜମି ପାଇବେ ନାହିଁ ତେବେ ପୁଂଜି କାହିଁକି ଖଟେଇବେ? ସେହିପରି ଏହି ଧାରା ଭାରତର ନାଗରିକମାନଙ୍କୁ ସମ୍ୱିଧାନର ୧୪, ୧୯ ଓ ୨୧ ଧାରାରେ ଦିଆଯାଇଥିବା ମୌଳିକ ଅଧିକାରର ବିରୋଧ କରୁଛି ବୋଲି ଯୁକ୍ତି କରାଯାଉଛି। ଏସବୁ ଧାରାରେ ଭାରତର ନାଗରିକମାନଙ୍କୁ ଅଧିକାର ମିଳିଛି ଭାରତର ଯେକୌଣସି ସ୍ଥାନରେ ବସତି ସ୍ଥାପନ କରିପାରିବେ, ବୃତ୍ତି ଓ ବ୍ୟବସାୟ ଆରମ୍ଭ କରିପାରିବେ। ତେବେ, ଏହି ଧାରା ନେଇ ଭାରତ ସରକାର କାହିଁକି ଅକଳରେ ପଡ଼ିଛନ୍ତି? ଏ ପ୍ରଶ୍ନର ଉତ୍ତର ଆହୁରି ଅକଳିଆ। କଥା ହେଉଛି ଏହି ଧାରାଟି ସମ୍ୱିଧାନ ସଂଶୋଧନ ପ୍ରକ୍ରିୟାରେ ସମ୍ୱିଧାନରେ ଯୋଡ଼ାଯାଇ ନାହିଁ। ୧୯୫୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ କ୍ୟାବିନେଟର ପରାମର୍ଶ କ୍ରମେ ତତ୍କାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କର ଏକ ଆଦେଶ ବଳରେ ୩୫-କ ଧାରା ସମ୍ୱିଧାନରେ ଏକ ଉପାଙ୍ଗ ବା ଅନୁବନ୍ଧ ଭାବେ ସଂଯୁକ୍ତ ହୋଇଛି। ଏଥିନେଇ ସଂସଦରେ ବିତର୍କ ହୋଇନାହିଁ କି ସଂସଦୀୟ ଅନୁମୋଦନ ମିଳିନାହିଁ। ସମ୍ୱିଧାନର ୩୬୮ ଧାରା ଅନୁସାରେ ସମ୍ୱିଧାନରେ କୌଣସି ପ୍ରକାର ଯୋଗ, ବିୟୋଗ ଓ ସଂଶୋଧନ ପାଇଁ ସଂସଦୀୟ ସ୍ୱୀକୃତି ଅପରିହାର୍ଯ୍ୟ। ସରକାରଙ୍କ ପାଇଁ, ବିଶେଷକରି ବର୍ତ୍ତମାନର ସରକାରଙ୍କ ପାଇଁ ଦ୍ୱିତୀୟ ଅକଳ ସ୍ଥିତି ହେଲା, ଏହି ଧାରାରେ ଥିବା ବ୍ୟବସ୍ଥା ମୂଳତଃ ଜାମ୍ମୁକାଶ୍ମୀରର ମୂଳବାସିନ୍ଦା ପଣ୍ଡିତ ସଂପ୍ରଦାୟର ଦାବି କ୍ରମେ ତତ୍କାଳୀନ ମହାରାଜା ହରି ସିଂହ ଜାରି କରିଥିବା ଆଇନର ଏକ ଅଂଶ ଥିଲା। ପରେ ଏହି ଆଇନକୁ ସାମ୍ୱିଧାନିକ ସ୍ୱୀକୃତି ଦେବା ପାଇଁ ୧୯୫୨ ମସିହାରେ ପଣ୍ଡିତ ଜବାହରଲାଲ ନେହରୁ ଓ ଜାମ୍ମୁକାଶ୍ମୀରର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ଅବ୍ଦୁଲ୍ଲାଙ୍କ ମଧ୍ୟରେ ଚୁକ୍ତି ସଂପାଦିତ ହୋଇଥିଲା। ଜାମ୍ମୁକାଶ୍ମୀର ସ୍ୱତନ୍ତ୍ର ରାଜ୍ୟ ବ୍ରିଟିଶ ଶାସନାଧୀନ ନଥିଲେ ବି ବ୍ରିଟିଶ କର୍ତ୍ତୃତ୍ୱାଧୀନ ଥିଲା। ସେତେବେଳେ ବ୍ରିଟିଶ ସାହେବମାନେ ଏହି ରାଜ୍ୟର ସୌନ୍ଦର୍ଯ୍ୟ ଓ ପ୍ରାକୃତିକ ପରିବେଶ ପ୍ରତି ଅତ୍ୟଧିକ ଆକୃଷ୍ଟ ଥିଲେ। ତେଣୁ ସେଠାରେ ଜମିବାଡ଼ି କିଣିବା ଆରମ୍ଭ କରିଥିଲେ। ଏହା ଦେଖି ପଣ୍ଡିତମାନେ ଆଶଙ୍କା ପ୍ରକାଶ କରିଥିଲେ ଯେ ଶକ୍ତିଶାଳୀ ଓ ଧନୀ ବ୍ରିଟିଶ ଲୋକମାନେ ଜାମ୍ମୁକାଶ୍ମୀରର ଜମିବାଡ଼ି ଦଖଲ କରିଗଲେ ରାଜ୍ୟର ଜନସଂଖ୍ୟା-ଚିତ୍ର ବଦଳିଯିବ, ସଂସ୍କୃତି ଲୋପ ପାଇବ ଓ ଆର୍ଥ-ସାମାଜିକ ସ୍ଥିତି ମଧ୍ୟ ବଦଳିଯିବ। ତେଣୁ ସେମାନଙ୍କ ପରାମର୍ଶରେ ହରି ସିଂହ ଆଇନ ଜାରି କରିଥିଲେ ଯେ ତାଙ୍କ ରାଜ୍ୟର ସ୍ଥାୟୀ ବାସିନ୍ଦାମାନେ କେବଳ ରାଜ୍ୟ ଭିତରେ ସ୍ଥାବର ସଂପତ୍ତି କିଣିପାରିବେ, ସରକାରୀ ଚାକିରିରେ ଭର୍ତ୍ତି ହୋଇପାରିବେ। ପରେ ଅବଶ୍ୟ ଏହା ପଣ୍ଡିତମାନଙ୍କ ପାଇଁ ବୁମେରାଂ ହେଲା। ମୁସଲିମ ମୌଳବାଦୀଙ୍କ ଆକ୍ରମଣରେ ଅନେକ ପଣ୍ଡିତ ଏବେ ମୂଳନିବାସ ଛାଡ଼ି ଅନ୍ୟ ରାଜ୍ୟରେ ଶରଣାର୍ଥୀ। ବର୍ତ୍ତମାନର ସରକାର ପଣ୍ଡିତମାନଙ୍କୁ ପୁଣି ଥରେ ଜାମ୍ମୁକାଶ୍ମୀରରେ ସ୍ଥାୟୀଭାବେ ଥଇଥାନ କରିବାକୁ ଅଧିକ ଆଗ୍ରହୀ। ସେହିପରି ସମ୍ୱିଧାନର ୩୭୦ ଧାରାରେ ଏହି ରାଜ୍ୟକୁ ଦିଆଯାଇଥିବା ସ୍ୱତନ୍ତ୍ରତା ଅଧୀନରେ ୩୫-କ ସଂଯୁକ୍ତ ହୋଇଛି। ୩୭୦ ଧାରାର ବ୍ୟବସ୍ଥା ନାଗାଲାଣ୍ଡ ଓ ମିଜୋରାମ ଆଦି ରାଜ୍ୟପାଇଁ ମଧ୍ୟ ପ୍ରଯୁଜ୍ୟ। ସେସବୁ ରାଜ୍ୟରେ ମଧ୍ୟ ରାଜ୍ୟ ସରକାରଙ୍କ ବିନା ଅନୁମୋଦନରେ ଅନ୍ୟ ରାଜ୍ୟର ଲୋକମାନେ ସ୍ଥାବର ସଂପତ୍ତିର ମାଲିକ ହୋଇପାରିବେ ନାହିଁ। ଓଡ଼ିଶା ପରି କେତେକ ରାଜ୍ୟରେ ଆଦିବାସୀ ଓ ଦଳିତଙ୍କ କ୍ଷେତ୍ରରେ ମଧ୍ୟ ପ୍ରାୟ ସମାନ ପ୍ରକାର ଆଇନ ରହିଛି। ଓଡ଼ିଶାରେ ଆଦିବାସୀ ଓ ଦଳିତଙ୍କ ଜମି ସରକାରଙ୍କ ବିନାନୁମତିରେ ଅନ୍ୟ ବର୍ଗର ଲୋକମାନେ କିଣିପାରିବେ ନାହିଁ। ତେଣୁ ଅନ୍ୟତ୍ର ଏଭଳି ବ୍ୟବସ୍ଥା ରହିଥିଲାବେଳେ ଜାମ୍ମୁକାଶ୍ମୀରରେ କାହିଁକି ନରହିବ ବୋଲି ପ୍ରଶ୍ନ ଉଠିପାରେ। ଏ ସମସ୍ତ ଅକଳ ଓ ଅସ୍ୱସ୍ତିକର ପରିସ୍ଥିତି ଭିତରେ ସମସ୍ତ ପକ୍ଷ ସୁପ୍ରିମ କୋର୍ଟଙ୍କ ବିଚାରକୁ ଅପେକ୍ଷା କରିବା କଥା। ତା’ ନକରି କୋର୍ଟ ଶୁଣାଣି ବିରୋଧରେ ବନ୍ଦ ପାଳନ କରାଯିବା ଅରାଜକତା ଭିନ୍ନ ଅନ୍ୟ କିଛି ହୋଇନପାରେ।

Share :