ସରଳ କୁମାର ଦାସ ୨୦୧୩ ମସିହାରେ ଟଙ୍କାର ମୂଲ୍ୟ କ୍ରମାଗତ ଭାବେ ତଳକୁ ଖସି ଯେତେବେଳେ ଗୋଟିଏ ଆମେରିକୀୟ ଡଲାରର ବିନିମୟ ମୂଲ୍ୟ ୬୪ ଟଙ୍କା ଟପିଗଲା, ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ମନମୋହନ ସିଂହକୁ କରିଥିବା ଅନେକ ଟାହିଟାପରା ମଧ୍ୟରୁ ଗୋଟିଏ ଥିଲା, ଯେଉଁ ହାରରେ ଟଙ୍କାର ମୂଲ୍ୟ ତଳମୁହାଁ ହୋଇଛି ଅଚିରେ ତାହା ମନମୋହନ ସିଂହଙ୍କ ବୟସ(80)କୁ ମଧ୍ୟ ଟପିଯିବା କିଛି ବିଚିତ୍ର ନୁହେଁ। ଟଙ୍କାର ମୂଲ୍ୟ ତ ମନମୋହନ ସିଂହଙ୍କ ବୟସକୁ ଛୁଇଁ ନଥିଲା ବରଂ ତାଙ୍କ ଶାସନର ଶେଷ ବେଳକୁ କିଛିଟା ସୁଦୃଢ ହୋଇଥିଲା। ମୋଦି ଶାସନଭାର ହାତକୁ ନେବା ବେଳକୁ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୫୮.୬୬ ଟଙ୍କା ଥିଲା। ବିଡମ୍ବନାର ବିଷୟ, ଏଇ ଅଳ୍ପ ଦିନ ତଳେ ତାହା କ୍ରମାଗତ ଭାବେ ତଳକୁ ଖସି ୬୯ ଟଙ୍କା ହୋଇ ମୋଦିଙ୍କ ବୟସ (୬୭)କୁ ଟପିଗଲା। ରିଜର୍ଭ ବ୍ୟାଙ୍କର ହସ୍ତକ୍ଷେପ ହୋଇ ନଥିଲେ ତାହା ହୁଏତ ୭୦ ଟଙ୍କା ଛୁଇଁଥାନ୍ତା। ମନମୋହନ ସିଂହଙ୍କ ପ୍ରତି ମୋଦିଙ୍କ ଟିପ୍ପଣୀ ଯେ ପାଞ୍ଚ ବର୍ଷ ନ ପୂରୁଣୁ ବୁମେରାଂ ଭଳି ତାଙ୍କ ଉପରେ ପ୍ରହାର କରିବ, ଏହା ସେ କେବେ କଳ୍ପନା କରି ନଥିବେ। ଅନେକେ ଟଙ୍କାର ଦୁର୍ବଳ ହେବାକୁ ଦେଶର ସମ୍ମାନହାନି ସହ ତୁଳନା କରିଥାନ୍ତି, କାରଣ ସେମାନେ ଟଙ୍କାର ମୂଲ୍ୟକୁ ଦେଶର ଅସ୍ମିତା ସହ ଯୋଡିଥାନ୍ତି, ଯାହା ଠିକ ନୁହେଁ। ଯେପରି ଟଙ୍କା ଦୁର୍ବଳ ହେବା ଦେଶର ଅର୍ଥବ୍ୟବସ୍ଥା ପାଇଁ ସମସ୍ୟାର କାରଣ ହୋଇଥାଏ, ସେହିପରି ଟଙ୍କା ସୁଦୃଢ ହେବା ମଧ୍ୟ ଭିନ୍ନ ଢଙ୍ଗରେ ସମସ୍ୟାର କାରଣ ହୋଇପାରେ। ଟଙ୍କା ସୁଦୃଢ ହେଲେ ଆମଦାନୀକାରୀମାନେ ଲାଭବାନ ହୋଇ ରପ୍ତାନୀକାରୀ କ୍ଷତିଗ୍ରସ୍ତ ହେଉଥିବା ବେଳେ, ଟଙ୍କାର ମୂଲ୍ୟ ହ୍ରାସ ପାଇଲେ ରପ୍ତାନୀକାରୀଙ୍କ ଲାଭ ହୋଇ ଆମଦାନୀକାରୀଙ୍କ କ୍ଷତି ହୋଇଥାଏ। ସର୍ବଶେଷରେ ବଜାର ଅର୍ଥବ୍ୟବସ୍ଥା ହିଁ ସ୍ଥିର କରିଥାଏ ଟଙ୍କାର ପ୍ରକୃତ ମୂଲ୍ୟ କେତେ ହେବା ଉଚିତ। ତେବେ ବଜାର ସ୍ଥିର କରୁଥିବା ମୂଲ୍ୟ ଯେଉଁ ଦୁଇଟି ପ୍ରମୁଖ କାରଣ ଯୋଗୁ ପ୍ରଭାବିତ ହୋଇଥାଏ, ସେଗୁଡିକ ହେଲା ଦେଶର ଅର୍ଥନୈତିକ ଅବସ୍ଥା କେତେ ସବଳ ବା ଦୁର୍ବଳ ଓ ତାତକାଳିକ ବାହ୍ୟିକ କାରଣ। ଉଦାହରଣ ସ୍ବରୂପ ଚୀନର ମୁଦ୍ରା ୟୁଆନର ମୂଲ୍ୟହ୍ରାସ, ଯୁକ୍ତରାଷ୍ଟ୍ର ଆମେରିକାରେ କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ନିର୍ଦ୍ଧାରିତ ସୁଧ ହାରରେ ବୃଦ୍ଧି, କର୍ପୋରେଟ ଟିକସ ହାରରେ ରିହାତି ଆଦିକୁ ବର୍ତ୍ତମାନ ପରିସ୍ଥିତିରେ ତାତକାଳିକ ବାହ୍ୟିକ କାରଣ ଭାବେ ଗ୍ରହଣ କରାଯାଇପାରେ, ଯାହା ଉପରେ ଭାରତର କୌଣସି ନିୟନ୍ତ୍ରଣ ନାହିଁ। ତେବେ ବିଗତ ଦିନମାନଙ୍କରେ ଦେଶର ଅର୍ଥନୀତିରେ ଘଟିଥିବା ଏମିତି କିଛି ଘଟଣା ଯାହା ଟଙ୍କାର ମୂଲ୍ୟ ହ୍ରାସ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଛି, ସେ ସମ୍ପର୍କରେ ଆଲୋଚନା ହେବା ଜରୁରୀ। ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ରରେ ରପ୍ତାନୀ ଅପେକ୍ଷା ଅଧିକ ଆମଦାନୀ ହେଉଥିବାରୁ ଭାରତର ବାଣିଜ୍ୟ ନିଅଣ୍ଟ (ଟ୍ରେଡ ଡେଫିସିଟ) ୨୦୧୬ ମସିହା ଅପ୍ରେଲ ମାସଠାରୁ ବଢିବଢି ଚାଲିଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଏହି ନିଅଣ୍ଟର ପରିମାଣ ୪୭୭୦ କୋଟି ଡଲାର ଥିବା ବେଳେ ୨୦୧୭-୧୮ରେ ତାହା ପ୍ରାୟ ଦୁଇ ଗୁଣ ବଢି ୮୭୨୦ କୋଟି ଡଲାରରେ ପହଞ୍ଚିବା ଉଦବେଗଜନକ। ଆନ୍ତର୍ଜାତିକ ବାଣିଜ୍ୟ ମୁଖ୍ୟତଃ ଡଲାର ମାଧ୍ୟମରେ ହୋଇଥାଏ। ଫଳରେ ଦେଶର ଡଲାର ଆୟ ତୁଳନାରେ ବ୍ୟୟ ଅଧିକ ହେଉଛି। ବିଦେଶରୁ ତୈଳ ଆମଦାନୀ ପାଇଁ ଭାରତକୁ ସର୍ବାଧିକ ଡଲାର ବ୍ୟୟ କରିବାକୁ ହୋଇଥାଏ ଓ ଆନ୍ତର୍ଜାତିକ ବଜାରରେ ତେଲର ଦର ବୃଦ୍ଧି ପାଇ ଏ ବର୍ଷ ବ୍ୟାରେଲ ପିଛା ୭୫ ଡଲାର ଛୁଇଁ ସାରିଲାଣି। ବେଡ଼ି ଉପରେ କୋରଡ଼ା ମାଡ଼ ପରି ଯୁକ୍ତରାଷ୍ଟ୍ର ଆମେରିକା ଚାପରେ ଭାରତ ଇରାନଠାରୁ ତେଲ କିଣିବା ବନ୍ଦ କରିବା କଥା ଚିନ୍ତା କରୁଛି। ଭାରତ ସର୍ବାଧିକ ତେଲ କିଣୁଥିବା ଦେଶମାନଙ୍କ ମଧ୍ୟରେ ଇରାନର ସ୍ଥାନ ତୃତୀୟ। କେବଳ ସେତିକି ନୁହେଁ, ଭାରତ ଇରାନକୁ ତେଲ ବାବଦ ଦେୟର ଶତକଡା ୪୫ ଭାଗ ଟଙ୍କା ଆକାରରେ ଓ ଅବଶିଷ୍ଟ ୫୫ ଭାଗ ୟୁରୋ ମୁଦ୍ରାରେ ଦେଉଥିବାରୁ ଭାରତର ଗଚ୍ଛିତ ଡଲାର ପାଣ୍ଠି ଉପରେ ତା’ର କୌଣସି ପ୍ରଭାବ ପଡୁ ନଥିଲା। ଏବେ ଇରାନରୁ ତେଲ କିଣିବା ବନ୍ଦ ହେଲେ ସେହି ପରିମାଣର ତେଲ ଅନ୍ୟ ଦେଶରୁ କିଣିବାକୁ ହେବ ଓ ସେଥିପାଇଁ ଭାରତକୁ ଡଲାର ଦେବାକୁ ହେବ। ଫଳରେ ଦେଶର ଡଲାର ଆବଶ୍ୟକତା ବଢି ଟଙ୍କାର ମୂଲ୍ୟହ୍ରାସ ହେବାର ସମ୍ଭାବନା ଯଥେଷ୍ଟ ଅଧିକ। ପ୍ରଶ୍ନ ଉଠୁଛି ତେଲର ଅନାବଶ୍ୟକ ବ୍ୟବହାର ଉପରେ ଅଙ୍କୁଶ ଲଗାଇ ତେଲର ଆମଦାନୀକୁ କିଛିଟା କମ କରି ହେବ କି? କେବଳ ଯେ ରପ୍ତାନୀ ମାଧ୍ୟମରେ ଭାରତକୁ ଡଲାର ଆସିଥାଏ ତା ନୁହେଁ, ବରଂ ଅନ୍ୟ କେତେକ ବାଟରେ ମଧ୍ୟ ଦେଶର ଡଲାର ଆୟ ହୋଇଥାଏ। ବିଦେଶୀ ପୁଞ୍ଜି ଲଗାଣକାରୀ ସଂସ୍ଥା (ଏଫଆଇଆଇ)ଗୁଡିକ ଦେଶର ପୁଞ୍ଜି ବଜାରରେ ଶେୟାର ଓ ବଣ୍ଡ କିଣିବା ପାଇଁ ଡଲାର ଆଣିଥାନ୍ତି। ଦେଶୀୟ କମ୍ପାନୀକୁ କିଣିବା ବା ନୂଆ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ବିଦେଶୀ କମ୍ପାନୀ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ଲଗାଣ (ଏଫଡିଆଇ) କରଥାନ୍ତି। ଦେଶୀ କମ୍ପାନୀ ବିଦେଶରୁ ଋଣ ନେଲେ ବା ବିଦେଶରେ କାର୍ଯ୍ୟରତ ନାଗରିକ ଓ ଅପ୍ରବାସୀ ଭାରତୀୟ ଦେଶକୁ ଟଙ୍କା ପଠାଇଲେ ତାହା ମୁଖ୍ୟତଃ ଡଲାର ଆକାରରେ ହିଁ ଆସିଥାଏ। ଆମେରିକାରେ ସୁଧ ହାର ବଢିବାର ସମ୍ଭାବନାରେ ଏଇ ବର୍ଷକ ମଧ୍ୟରେ ଏଫଆଇଆଇଗୁଡିକ ଭାରତର ପୁ଼୍ଞ୍ଜି ବଜାରରୁ ଶେୟାର ଓ ବଣ୍ଡ ବିକି ପ୍ରାୟ ୬୦ ହଜାର କୋଟି ଡଲାର ପୁଞ୍ଜି ପ୍ରତ୍ୟାହାର କରିବା ଦ୍ବାରା ତା’ର ପ୍ରତିକୂଳ ପ୍ରଭାବ ଭାରତୀୟ ଟଙ୍କା ଉପରେ ପଡିଛି। ଏବର୍ଷ ଫେଡେରାଲ ରିଜର୍ଭ ସୁଧ ହାର ବଢାଇବା ଅବ୍ୟାହତ ରଖିବ ବୋଲି ଘୋଷଣା କରିବା ପରେ ଏଫଆଇଆଇଗୁଡ଼ିକ କେବଳ ଭାରତ ନୁହେଁ ବରଂ ଅଧିକାଂଶ ଦେଶରେ ପୁଞ୍ଜିଲଗାଣ ତ ଦୂରର କଥା, ପୁଞ୍ଜି ପ୍ରତ୍ୟାହାର କରିବାକୁ ତତ୍ପରତା ଦେଖାଇଲେଣି। ତା’ର କୁପ୍ରଭାବ ଅଧିକାଂଶ ଅନ୍ୟ ମୁଦ୍ରା ଉପରେ ପଡ଼ିଥିଲେ ମଧ୍ୟ ଭାରତୀୟ ଟଙ୍କା ଉପରେ ସର୍ବାଧିକ ପଡ଼ି ଏହାର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି। ବିଶ୍ବ ଅର୍ଥନୈତିକ ଅବସ୍ଥାରେ ଅସ୍ଥିରତା ସହ ଟଙ୍କାର ଏହି ମୂଲ୍ୟହ୍ରାସ ସମୟରେ ତା’କୁ ସ୍ଥିରତା ଦେବା ପାଇଁ ରିଜର୍ଭ ବ୍ୟାଙ୍କ ହିଁ କିଛିଟା ପଦକ୍ଷେପ ନେଇପାରିବ ଓ ନେଉଛି ମଧ୍ୟ। ମୋଦି ଶାସନ ଭାର ହାତକୁ ନେବା ବେଳେ ଦେଶରେ ପ୍ରାୟ ୩୨ ହଜାର କୋଟି ଡଲାର ବିଦେଶୀ ମୁଦ୍ରା ଗଚ୍ଛିତ ଥିବା ବେଳେ ତାହା ଗତ ଚାରି ବର୍ଷ ମଧ୍ୟରେ ବୃଦ୍ଧି ପାଇ ମାର୍ଚ୍ଚ ୩୧, ୨୦୧୮ ସୁଦ୍ଧା ୪୨,୪୩୬ କୋଟି ଡଲାରରେ ପହଞ୍ଚିଥିଲା। ହେଲେ ତା ପରଠାରୁ କ୍ରମାଗତ ଭାବେ ହ୍ରାସ ପାଇ ଏହି ଗଚ୍ଛିତ ପାଣ୍ଠି ଜୁନ ୨୯,୨୦୧୮ ସୁଦ୍ଧା ୪୦,୬୦୬ କୋଟି ଡଲାରରେ ପହଞ୍ଚିଲାଣି। ଟଙ୍କାର ମୂଲ୍ୟ ହ୍ରାସ ପାଇଲେ ରିଜର୍ଭ ବ୍ୟାଙ୍କ ତା ନିକଟରେ ଗଚ୍ଛିତ ଡଲାରକୁ ବିକ୍ରି କରି ଟଙ୍କାର ଦରକୁ ସ୍ଥିର ରଖିବାକୁ ଉଦ୍ୟମ କରିଥାଏ। କିନ୍ତୁ ଏହା ସାମୟିକ ଭାବେ ଫଳପ୍ରଦ ହେଲେ ମଧ୍ୟ ଏହା ଏକ ଦୀର୍ଘକାଳୀନ ସମାଧାନ ନୁହେଁ। ଅତୀତରେ ଥାଇଲାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ସେଠାକାର ମୁଦ୍ରା ବାହତକୁ ଏହିଭଳି ଭାବେ ସୁରକ୍ଷା ଦେବାକୁ ଯାଇ କିପରି ଅସଫଳ ହୋଇଥିଲା, ତାହା ରିଜର୍ଭ ବ୍ୟାଙ୍କର ନୀତି ନିର୍ଦ୍ଧାରକଙ୍କୁ ଭଲ ଭାବେ ଜଣା। ତେଣୁ ରିଜର୍ଭ ବ୍ୟାଙ୍କ ଟଙ୍କାକୁ ଏକ ନିର୍ଦ୍ଦିଷ୍ଟ ମୂଳ୍ୟ ପର୍ଯ୍ୟନ୍ତ ସୁରକ୍ଷା ଦେଇପାରିବ ସିନା, ହେଲେ ବଜାର ଅର୍ଥବ୍ୟବସ୍ଥା ଦ୍ବାରା ଯଦି ଟଙ୍କା ଅଧିକ ନିମ୍ନଗାମୀ ହେବାକୁ ବାଧ୍ୟ ହୁଏ ତେବେ ହୁଏତ ତାକୁ ପ୍ରତିହତ କରିବାକୁ ଏହା ସକ୍ଷମ ହେବନାହିଁ, କାରଣ ଗଚ୍ଛିତ ପାଣ୍ଠି ଅସୀମିତ ନୁହେଁ। ଭାରତୀୟ ଟଙ୍କା ଏ ପର୍ଯ୍ୟନ୍ତ ଏକ ଅନ୍ତର୍ଜାତୀୟ ମୁଦ୍ରାର ମାନ୍ୟତା ପାଇନାହିଁ। ହୁଏତ ଭବିଷ୍ୟତରେ ଏହାର ଗ୍ରହଣୀୟତା ବଢିଲେ ଓ ମୂଲ୍ୟରେ ଅପେକ୍ଷାକୃତ ସ୍ଥିରତା ଆସିଲେ ଟଙ୍କା ସେହି ସମ୍ମାନର ଅଧିକାରୀ ହୋଇପାରେ। ଏଥିପାଇଁ ପ୍ରଥମେ ଦେଶର ବାଣିଜ୍ୟ ନିଅଣ୍ଟକୁ କମାଇବା ସହ ଭାରତକୁ ବିଦେଶୀ ପୁଞ୍ଜି ଲଗାଣର ଏକ ଆକର୍ଷଣୀୟ ଲକ୍ଷ୍ୟ ସ୍ଥଳରେ ପରିଣତ କରାଇବା ଉଦ୍ୟମ ପ୍ରବଳ ହେବା ଆବଶ୍ୟକ। ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ନେଇ ରାଜନେତାମାନେ ଅନାବଶ୍ୟକ ଅର୍ଥନୈତିକ ଟୀକା ଟିପ୍ପଣୀରୁ କ୍ଷାନ୍ତ ରହିବା ଉଚିତ। କାରଣ ନା ସେତେବେଳେ ଡଲାରର ବିନିମୟ ମୂଲ୍ୟ ସମ୍ପୂର୍ଣ୍ଣ ରୂପେ ମନମୋହନ ସିଂହଙ୍କ ନିୟନ୍ତ୍ରଣରେ ଥିଲା ନା ଏବେ ତାହା ମୋଦିଙ୍କ ନିୟନ୍ତ୍ରଣରେ ଅଛି! ଭାରତ ବିଶ୍ବ ଅର୍ଥ ବ୍ଯବସ୍ଥାର ଏକ ଅଭିନ୍ନ ଅଙ୍ଗ ହୋଇଥିବାରୁ ବିଶ୍ବ ଅର୍ଥନୀତିରେ ପରିଲକ୍ଷିତ ହେଉଥିବା ଅସ୍ଥିରତାର କୁପ୍ରଭାବକୁ ପ୍ରତିହତ କରିବା ବା ସେଥିରୁ ନିଜକୁ ସୁରକ୍ଷିତ ରଖିବା ଭାରତ ପକ୍ଷରେ ସମ୍ଭବ ନୁହେଁ। ଏହି ବିକଟ ପରିସ୍ଥିତିରେ ଶୀଘ୍ର ଉନ୍ନତି ଘଟି ବିଶ୍ବ ଅର୍ଥ ବ୍ୟବସ୍ଥା ଅପେକ୍ଷାକୃତ ସ୍ଥିର ହୋଇ ଆର୍ଥିକ ଅନିଶ୍ଚିତତା ଦୂର ହେଲେ ଭାରତୀୟ ଟଙ୍କା ନିମ୍ନଗାମୀ ହେବାରୁ ବର୍ତ୍ତିପାରିବ। ୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ, ଭୁବନେଶ୍ବର- ୭୫୧୦୧୨ ମୋ- ୯୪୩୭୦୩୮୯୧୫