ଖାଇଲେ ନେତା, ହଗିବେ ଜନତା

ଖାଇଲେ ନେତା, ହଗିବେ ଜନତା

Share :

ଓଡ଼ିଶାରେ ବିଦ୍ୟୁତ ସଂସ୍କାର କାର୍ଯ୍ୟକ୍ରମର ପରିଣତି ଠିକ ଏଇଆ | ସଂସ୍କାର ଆଳରେ ଖର୍ଚ୍ଚ ହୋଇଥିବା ପାଣ୍ଠିର ଅଧାରୁ ଅଧିକ ନେତା ଓ ଅମଲାଙ୍କ ସଂପୃକ୍ତିରେ ଘରୋଇ କମ୍ପାନୀଗୁଡ଼ିକ ଚଳୁ କରିଛନ୍ତି | ହେଲେ ଏବେ ସେମାନେ ଖାଇଥିବା ଟଙ୍କାକୁ ଜନ ସାଧାରଣଙ୍କୁ ସମୂଳସୁଧ ଫେରାଇବାକୁ ହେବ | ସେମାନେ ଚଢ଼ା ଦରରେ ବିଦ୍ୟୁତ କିଣିଲେ ହିଁ ବିଦ୍ୟୁତ ସଂସ୍କାର ବାବଦରେ ବିଶ୍ବ ବ୍ୟାଙ୍କ ଓ ଅନ୍ୟାନ୍ୟ ସଂସ୍ଥାରୁ ଆସିଥିବା ଋଣ ପରିଶୋଧ କରିହେବ | ଏବେ ଓଡ଼ିଶା ଉପରେ କେବଳ ବିଶ୍ବବ୍ୟାଙ୍କର ଏବାବଦୀୟ ସମୂଳସୁଧ ପରିମାଣ ୧୫୦୬ କୋଟି ଟଙ୍କା ହେଲାଣି | ଏଥିରେ ମୂଳ ହେଉଛି ମାତ୍ର ୪୫୯.୬୪ କୋଟି ଟଙ୍କା | ବିଦ୍ୟୁତ ସଂସ୍କାର କରିବାରେ ଓଡ଼ିଶା ହେଉଛି ଭାରତବର୍ଷର ପ୍ରଥମ ରାଜ୍ୟ | ବିଜୁ ପଟ୍ଟନାୟକ ଦ୍ବିତୀୟ ବାର ମୁଖ୍ୟମନ୍ତ୍ରୀ ଥିଲାବେଳେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ୧୯୯୦-୯୫ ମଧ୍ୟରେ | ତାଙ୍କ ପରେ ୧୯୯୫-୨୦୦୦ ମଧ୍ୟରେ କଂଗ୍ରେସ ସରକାର ସମୟରେ ଏହି ପ୍ରକ୍ରିୟାରେ ମୁଣ୍ଡି ମରିଥିଲା | ସଂସ୍କାର ନୀତି ଅନୁଯାୟୀ ଓଡ଼ିଶା ସରକାର ବିଭିନ୍ନ ସୂତ୍ରରୁ ବିଦ୍ୟୁତ କିଣି ଗ୍ରୀଡ଼କୋ ଜରିଆର ବିଭିନ୍ନ ବଣ୍ଟନକାରୀ କମ୍ପାନୀଙ୍କୁ ଯୋଗାଇବେ | ସେମାନେ ବିଦ୍ୟୁତ ପରିବହନ ପାଇଁ ପୂର୍ବରୁ ରାଜ୍ୟ ସରକାର ସୃଷ୍ଟି କରିଥିବା ଭିତ୍ତିଭୂମି ବ୍ୟବହାର କରି ଲୋକମାନଙ୍କୁ ବିଦ୍ୟୁତ ଯୋଗାଇବେ ଓ ବିଲ୍ ଆଦାୟ କରିବେ | ଏହି ବଣ୍ଟନକାରୀ କମ୍ପାନୀଗୁଡ଼ିକ ମଧ୍ୟ ବିଦ୍ୟୁତ ପରିବହନ କ୍ଷତି କମାଇବାର ଦାୟିତ୍ବ ନେଲେ | ଏଥିପାଇଁ ଓଡ଼ିଶାକୁ ଚାରିଟି ଜୋନରେ ବିଭକ୍ତ କରାଗଲା | ଚାରିଟି ଜୋନ ପାଇ ଚାରିଟି ବଣ୍ଟନକାରୀ କମ୍ପାନୀ ହେଲା- ଉଏସ୍କୋ, ନେସ୍କୋ, ସାଉଥକୋ ଓ ସେସ୍କୋ | ଏ ଚାରିଟି କମ୍ପାନୀ ମଧ୍ୟରୁ ଏଇଏସ ସେସ୍କୋ ଦାୟିତ୍ବ ପାଇଥିଲା ଓ ଅନ୍ୟ ତିନିଟି କମ୍ପାନୀର ଦାୟିତ୍ବ ବହନ କରିଥିଲା ରିଲାଏନ୍ସ କମ୍ପାନୀ | ଇତିମଧ୍ୟରେ ଉଭୟ ଏଇଏସ ଓ ରିଲାଏନ୍ସ ନିଜନିଜ ଦାୟିତ୍ବ ଖିଲାଫ କରିବା ସହିତ ଓଡ଼ିଶା ସରକାରଙ୍କ ଦେୟ ପ୍ରଦାନ ନକରିବାରୁ ସରକାରଙ୍କ ଦ୍ବାରା ଦାୟିତ୍ବରୁ ଅବ୍ୟାହତି ପାଇଛନ୍ତି | ଅର୍ଥାତ ଏବେ ଓଡ଼ିଶା ସରକାର ଏହି ଦୁଇଟି ଘରୋଇ କମ୍ପାନୀଙ୍କ ଉପରେ ଥିବା ସମସ୍ତ ଦେୟ ପରିଶୋଧ କରିବେ | ଲାଭ ଖାଇଲେ କମ୍ପାନୀ, ତଣ୍ଡ ଗଣିବେ ସରକାର-ଏହା ଏହିପରି ବେପାର | ସଂସ୍କାର ପରେ ରାଜ୍ୟ ଶକ୍ତି ବିଭାଗ ବିରୋଧରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଉଠିଛି | ପୂର୍ବତନ ଶକ୍ତି ମନ୍ତ୍ରୀ ସ୍ବର୍ଗତ କାଳିନ୍ଦୀ ବେହେରା, ନିରଂଜନ ପଟ୍ଟନାୟକ, ଅନଙ୍ଗ ଉଦୟ ସିଂହେଦଓ, ସୂର୍ଯ୍ୟନାରାୟଣ ପାତ୍ର, ଅତନୁ ସବ୍ୟସାଚୀ ନାୟକ- ଏମିତି ଶକ୍ତି ବିଭାଗର ପ୍ରାୟ ସମସ୍ତ ମନ୍ତ୍ରୀଙ୍କ ସମୟରେ ରିଲାଏନ୍ସ ଓ ଏଇଏସ ଠକେଇ ଓ ଦୁର୍ନୀତି ନେଇ ଚର୍ଚ୍ଚା ହୋଇଛି | ବିଦ୍ୟୁତ ସଂସ୍କାର ପ୍ରକ୍ରିୟାର ଆରମ୍ଭ ବେଳକୁ ରାଜ୍ୟରେ ବିଦ୍ୟୁତ ପରିବହନ ଓ ବଣ୍ଟନ କ୍ଷତି ୪୦ ପ୍ରତିଶତ ଉପରେ ଥିଲା | କେଇ ବର୍ଷ ଭିତରେ ଏହା ୩୮ ପ୍ରତିଶତକୁ ହ୍ରାସ ପାଇଥିଲା | ଏହି ପରିବହନ ଓ ବଣ୍ଟନ କ୍ଷତି ଯୋଗୁଁ ବିଦ୍ୟୁତ ବାବଦରେ ପୂର୍ବରୁ ରାଜ୍ୟ ସରକାରଙ୍କୁ ପ୍ରଚୁର କ୍ଷତି ସହିବାକୁ ପଡ଼ୁଥିଲା | ରାଜ୍ୟ ସରକାର ଯାହା ବିଦ୍ୟୁତ ଉତ୍ପାଦନ ଓ ଖର୍ଦ୍ଦି କରୁଥିଲେ ତାହାର ୩୮ ପ୍ରତିଶତ ବାଟମାରଣା ବା ନଷ୍ଟ ହୋଇଯାଉଥିବାରୁ ସରକାରଙ୍କୁ ୬୨ ପ୍ରତିଶତ ବିଜୁଳି ବିକି ୧୦୦ ପ୍ରତିଶତର ପାଉଣା ଦେବାକୁ ପଡ଼ୁଥିଲା | ଏଥିପାଇଁ ଦୋଷ ଦିଆଯାଉଥିଲା ବିଦ୍ୟୁତ ପରିବହନ ଭିତ୍ତିଭୂମିକୁ | ବିଶେଷଜ୍ଞଙ୍କ ଯୁକ୍ତି ଥିଲା ରାଜ୍ୟରେ ବିଦ୍ୟୁତ ଖୁଣ୍ଟ, ତାର ଓ ସବ୍ ଷ୍ଟେସନ ଆଦି ଅତ୍ୟନ୍ତ ପୁରୁଣା ହୋଇଥିବାରୁ ବ୍ୟାପକ ମରାମତି ଆବଶ୍ୟକ କରୁଛି | ପୁରୁଣା ତାର ଜରିଆରେ ବିଦ୍ୟତୁ ପରିବହନ ହେଉଥିବାରୁ ପ୍ରଚୁର ପରିମାଣର ବିଦ୍ୟୁତ ନଷ୍ଟ ବା ଲିକ୍ ହୋଇଯାଉଛି | ସେହିପରି ଗ୍ରୀଡ଼ଗୁଡ଼ିକୁ ମଧ୍ୟ ସଜାଡ଼ିବାକୁ ହେବ | ଆବଶ୍ୟକ ସ୍ଥଳେ ନୂଆ ଭିତ୍ତିଭୂମି ସୃଷ୍ଟି କରାଯିବ | ଏଥିପାଇଁ ବିପୁଳ ପରିମାଣର ପାଣ୍ଠି ଦରକାର | ବ୍ୟାବସାୟିକ ସ୍ବଚ୍ଛତା ଦୃଷ୍ଟିରୁ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀଗୁଡ଼ିକ ଯେହେତୁ ବିଦ୍ୟୁତ ବିକ୍ରି କରି ଲାଭ ଉଠାଇବାର ଅଧିକାର ପାଇଲେ ସେଇ କମ୍ପାନୀଗୁଡ଼ିକ ସେମାନଙ୍କର ଲାଭ ଓ କ୍ଷତିର ସମସ୍ତ ଦାୟିତ୍ବ ବହନ କରିବା ଉଚିତ ଥିଲା | କିନ୍ତୁ ସେମାନେ ତାହା କଲେ ନାହିଁ | କହିବାକୁ ଗଲେ ସେମାନେ ବିନା ପୁଂଜିରେ ବ୍ୟବସାୟ ଆରମ୍ଭ କଲେ ଓ ପ୍ରତିବର୍ଷ କୋଟିକୋଟି ଟଙ୍କାର ମୁନାଫା ଅର୍ଜନ କଲେ | ଏଣେ ପରିବହନ ଓ ବଣ୍ଟନ କ୍ଷତି କମାଇବାକୁ ରାଜ୍ୟ ସରକାର ଭିତ୍ତିଭୂମି ସଜାଡ଼ିବାକୁ ବିଶ୍ବ ବ୍ୟାଙ୍କରୁ ୪୫୯ କୋଟି ୬୪ ଲକ୍ଷ ଟଙ୍କାର କରଜ କଲେ | ଏହାକୁ ସରକାର ନିଜ ବିଭାଗ ଜରିଆରେ ଖର୍ଚ୍ଚ ନକରି ଘରୋଇ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀଙ୍କୁ ଦେଇଦେଲେ | ସେହି ଅନୁସାରେ ତତ୍କାଳୀନ ସେସ୍କୋକୁ ୨୦୪.୮୧ କୋଟି, ନେସ୍କୋକୁ ୯୧.୨୮ କୋଟି, ଉଏସ୍କୋକୁ ୯୦.୯୬ କୋଟି ଓ ସାଉଥକୋକୁ ୭୨.୫୯ କୋଟି ଟଙ୍କା ଦିଆଯାଇଥିଲା, ପରିବହନ ଓ ବଣ୍ଟନ ଭିତ୍ତିଭୂମି ସଜାଡ଼ିବାକୁ | କିନ୍ତୁ ସେମାନେ ଏହି ଟଙ୍କାରେ କି ଭିତ୍ତିଭୂମି ସଜାଡ଼ିଲେ କେଜାଣି ପରିବହନ ଓ ବଣ୍ଟନ କ୍ଷତି ଏଯାଏଁ ବିଶେଷ କମିଲା ନାହିଁ | ହିସାବ ଅନୁସାରେ ଏହା ଏବେଯାକେ ମାତ୍ର ୩ ପ୍ରତିଶତ ହ୍ରାସ ପାଇଛି | ଏହା ବାସ୍ତବରେ ନୂଆ ଭିତ୍ତିଭୂମି ଯୋଗୁଁ କମି ନାହିଁ; ରାଜ୍ୟରେ ବିଦ୍ୟୁତ ଚୋରି କମିଥିବାରୁ ଏହି କ୍ଷତି କମିଥିବା ଜଣାପଡ଼ିଛି | ତେବେ ଏହି ବଣ୍ଟନକାରୀ କମ୍ପାନୀଗୁଡ଼ିକ ବିଦ୍ୟୁତ କ୍ରୟ ଓ ଭିତ୍ତିଭୂମି ବାବଦ ବର୍ଷବର୍ଷ ଧରି ପ୍ରଦାନ ନକରିବା ସହିତ ବିଦୁ୍ୟତ ଦର ବୃଦ୍ଧି କରିବାକୁ ବାରମ୍ବାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଉପରେ ଚାପ ପକାଇ ସଫଳ ହେଉଥିଲେ | ଆୟୋଗ ମଧ୍ୟ ଖାଉଟିଙ୍କ ସ୍ବାର୍ଥ କଥା ଭୁଲି ଯାଇଁ ଘରୋଇ କମ୍ପାନୀଙ୍କ କ୍ଷତି ଭରଣା କରିବାକୁ ବିଦ୍ୟୁତ ଶୁଳ୍କ ବାରମ୍ବାର ବୃଦ୍ଧି କରିଛନ୍ତି | ରଜା୍ୟ ସରକାରଙ୍କ ପ୍ରାପ୍ୟ ପ୍ରଦାନ ନକରିବା ସହିତ ଅନ୍ୟାନ୍ୟ ସର୍ତ୍ତ ଖିଲାପ କରିବାରୁ ପ୍ରଥମେ ସେସ୍କୋ ଦାୟିତ୍ବରୁ ଏଇଏସ ଓ ପରେ ଅନ୍ୟ ତିନିଟି ବଣ୍ଟନକାରୀ କମ୍ପାନୀ ଦାୟିତ୍ବରୁ ରିଲାଲନ୍ସ ଏନର୍ଜିକୁ ବହିଷ୍କାର କରାଯାଇଛି | ଏବେ ସେସ୍କୋ ନାମ ବଦଳି ସେସୁ ହୋଇଛି ଓ ଏହାର ରାଜ୍ୟ ସରକାରଙ୍କ ତତ୍ତ୍ବାବଧାନରେ ପରିଚାଳିତ ହେଉଛି | ସେହିପରି ରିଲାଏନ୍ସର ଲାଇସେନ୍ସ ରଦ୍ଦ ହେବା ପରେ ଏହି କମ୍ପାନୀକୁ ଦିଆଯାଇଥିବା ଅନ୍ୟ ତିନିଟି ବଣ୍ଟନକାରୀ କମ୍ପାନୀର ପରିଚାଳନା ଭାର ମଧ୍ୟ ରାଜ୍ୟ ସରକାର ଗ୍ରହଣ କରିଛନ୍ତି | ଏହି ଦୃଷ୍ଟିରୁ ଏବେ ଉଭୟ ରିଲାଏନ୍ସ ଓ ଏଇଏସ ଉପରେ ଥିବା ବକେୟାକୁ ରାଜ୍ୟ ସରକାର ହୁଏତ ଛାଡ଼ କରିବେ ନହେଲେ ଖାଉଟିଙ୍କଠୁଁ ଆଦାୟ କରି ଭରଣା କରିବେ | ଉଭୟ କ୍ଷେତ୍ରରେ ଘରୋଇ କମ୍ପାନୀଙ୍କର ଲାଭ, ରାଜ୍ୟବାସୀଙ୍କର କ୍ଷତି | ସରକାରୀ ତଥ୍ୟ ଅନୁସାରେ ଏବେ ସୁଦ୍ଧା ଭିତ୍ତିଭୂମି ବାବଦରେ ବିଶ୍ବବ୍ୟାଙ୍କରୁ ଅଣା ଯାଇଥିବା ଋଣ ବାବଦ ଦେୟ ପରିମାଣ ସମୂଳସୁଧ ମିଶି ୧୫୦୬ କୋଟି ଟଙ୍କାକୁ ଟପି ଗଲାଣି | ମୂଳ ୪୫୯.୬୪ କୋଟି ଓ ସୁଧ ୧୦୪୬.୭୬ କୋଟି | କିନ୍ତୁ ଏ ଟଙ୍କା ଯେଉଁ ଦୁଇଟି ଘରୋଇ କମ୍ପାନୀଙ୍କଠାରୁ ଆଦାୟ ହେବା କଥା ସେମାନଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ ନକରି କୋହଳ ନୀତି ଅବଲମ୍ବନ କରିଛନ୍ତି | ଫଳରେ ସେମାନ ଏକ ରାଜ୍ୟକୁ ଠକିବା ପରେ ମଧ୍ୟ ରାଜ୍ୟ ଭିତରେ ଅନ୍ୟାନ୍ୟ ବ୍ୟବସାୟରେ ବ୍ୟାପୃତ ଅଛନ୍ତି | ସେମାନଙ୍କ ବିରୋଧରେ ଅଦାଲତରେ ନାମକୁ ମାତ୍ର ମକଦ୍ଦମା କରାଯାଇଛି | ଅଥଚ ମକଦ୍ଦମାରେ ଓଡ଼ିଶା ସରକାର ଯପରି ପରାସ୍ତ ହେବେ ସେ ବ୍ୟବସ୍ଥା ମଧ୍ୟ କରାଯାଇଛି | ଏବେ କଥା ହେଉଛି, ବିଶ୍ବବ୍ୟାଙ୍କ ତ ଓଡ଼ିଶାକୁ ତା’ର ପ୍ରାପ୍ୟ ଛାଡ଼ି ଦେବନି ! ସରକାରଙ୍କୁ ତାହା ପରିଶୋଧ କରିବାକୁ ପଡ଼ିବ | ସରକାର କେଉଁଠୁ ଆଣି ଶୁଝିବେ ? ସେଥିପାଇଁ ବିଦ୍ୟୁତ ୟୁନିଟ ପିଛା ଦର ବଢ଼ାଇବ ନହେଲେ ଅନ୍ୟ କୌଣସି ବାଟରେ ଲୋକଙ୍କଠାରୁ ଆଦାୟ କରିବେ | ଲୋକେ କିନ୍ତୁ ଏହା ବୁଝିବା ଅବସ୍ଥାରେ ନାହାନ୍ତି | ସେମାନେ ଶସ୍ତା ଚାଉଳ ଯୋଗୁଁ ଯେ ଅନ୍ୟ ସମସ୍ତ ଜିନିଷ ମହରଗରେ କିଣୁଛନ୍ତି ତାହା ବୁଝିବାକୁ ସେମାନଙ୍କର ମସ୍ତିଷ୍କ ବିକଶିତ ହୋଇନାହିଁ |

Share :