କୋହଳ କାହିଁକି ସୂଚନା କମିଶନ?

କୋହଳ କାହିଁକି ସୂଚନା କମିଶନ?

Share :

ପ୍ରଦୀପ ପ୍ରଧାନ   ଗତ ଜୁଲାଇ, ୨୦୧୬ରେ ରାଜ୍ୟ ସୂଚନା କମିଶନ‌୍‍ଙ୍କ ଦପ୍ତରକୁ ସୂଚନା ଆଇନ ବଳରେ ସୂଚନା କମିଶନଙ୍କ ଦ୍ୱାରା ହୋଇଥିବା କେସ‌୍‍ ଶୁଣାଣୀ ଏବଂ ଫଇସଲା ଏବଂ ଆଇନ ଉଲ୍ଲଙ୍ଘନକାରୀ ଜନ ସୂଚନା ଅଧିକାରୀଙ୍କ ବିରୁଦ୍ଧରେ ହୋଇଥିବା ଜୋରିମାନା ସମ୍ପର୍କରେ ତଥ୍ୟ ମଗା ଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ସୂଚନାଧିକାର କର୍ମୀମାନଙ୍କର ଲଗାତର ଆନ୍ଦୋଳନ ଏବଂ ଦାବି ପରେ ରାଜ୍ୟ ସରକାର ଜୁନ‌୍‍, ୨୦୧୫ରେ ଦୁଇ ଜଣ ବ୍ୟକ୍ତିଙ୍କୁ ସୂଚନା କମିଶନର‌୍‍ ଭାବେ ନିଯୁକ୍ତ କରିଥିଲେ। ସୂଚନା କମିଶନ‌୍‍ଙ୍କ ଦପ୍ତରରୁ ଯୋଗାଇ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଅଗଷ୍ଟ, ୨୦୧୫ରୁ ମେ, ୨୦୧୬ ଅର୍ଥାତ‌୍‍ ୧୦ ମାସ ମଧ୍ୟରେ ଦୁଇ ଜଣ ସୂଚନା କମିଶନର‌୍‍ ସମୁଦାୟ ୬୬୮ଟି କେସ‌୍‍ ଫଇସଲା କରିଥିଲେ ଏବଂ ମାତ୍ର ୨୪ଟି କେସ‌୍‍ରେ ଆଇନ ଉଲ୍ଲଂଘନକାରୀ ଜନ ସୂଚନା ଅଧିକାରୀଙ୍କ ବିରୁଦ୍ଧରେ ଆର୍ଥିକ ଦଣ୍ଡବିଧାନ କରିଥିଲେ। ଅର୍ଥାତ‌୍‍ ସୂଚନା କମିଶନ‌୍‍ ମାତ୍ର ଶତକଡ଼ା ୩ ଭାଗ କେସ‌୍‍ରେ ଦଣ୍ଡବିଧାନ କରିଥିଲେ ଏବଂ ଅନ୍ୟ ସବୁ କେସ‌୍‍ରେ ଜନ ସୂଚନା ଅଧିକାରୀଙ୍କୁ ଦଣ୍ଡବିଧାନ ନ କରି ଛାଡ଼ି ଦେଇଥିଲେ।   ସୂଚନା ଅଧିକାର ଆଇନର ଧାରା ୨୦ ଅନୁଯାୟୀ ଯଦି ଜଣେ ସୂଚନା ଅଧିକାରୀ କୌଣସି ଯଥାର୍ଥ କାରଣ ନ ଥାଇ ସୂଚନା ପାଇଁ ଦରଖାସ୍ତଟିକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ବା ନିର୍ଦ୍ଦିଷ୍ଟ ହୋଇଥିବା ସମୟସୀମା ମଧ୍ୟରେ ସୂଚନା ପ୍ରଦାନ କରିନାହାନ୍ତି ବା ମନ୍ଦ ଉଦ୍ଦେଶ୍ୟ ରଖି ଦରଖାସ୍ତଟିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବା ଜାଣିଶୁଣି ଭୁଲ‌୍‍, ଅସମ୍ପୂର୍ଣ୍ଣ ବା ବିଭ୍ରାନ୍ତିକର ସୂଚନା ଦେଇଛନ୍ତି ବା ଆବେଦିତ ବିଷୟ ସମ୍ୱନ୍ଧରେ ସୂଚନାକୁ ଧ୍ୱଂସ କରି ଦେଇଛନ୍ତି ବା ସୂଚନା ପ୍ରଦାନକୁ କୌଣସି ନା କୌଣସି ଉପାୟରେ ବାଧାଗ୍ରସ୍ତ କରିଛନ୍ତି, ସେପରିସ୍ଥଳେ ସୂଚନା କମିଶନ‌୍‍ ସମ୍ପୃକ୍ତ ଆବେଦନଟିକୁ ଗ୍ରହଣ ହେବାଯାଏ ବା ଆବେଦିତ ସୂଚନାକୁ ପ୍ରକଟନ କରିବା ଯାଏଁ ପ୍ରତିଦିନ ପାଇଁ ଦୁଇଶହ ପଚାଶ ଟଙ୍କା ହିସାବରେ ଜୋରିମାନା ଲାଗୁ କରିବେ। କିନ୍ତୁ ମୋଟ ଜୋରିମାନା ପରିମାଣ ପଚିଶି ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବନାହିଁ। ଏହା ସହିତ ସୂଚନା କମିଶନ‌୍‍ ଯଦି ଅନୁଭବ କରନ୍ତି ସମ୍ପୃକ୍ତ ଜନସୂଚନା ଅଧିକାରୀ ବାରମ୍ୱାର ସୂଚନା ପ୍ରଦାନରେ ଅବହେଳା କରିଛନ୍ତି, ତେବେ ସେ ଉକ୍ତ ସୂଚନା ଅଧିକାରୀଙ୍କ ବିରୁଦ୍ଧରେ ତାଙ୍କ ପାଇଁ ଉଦ୍ଦିଷ୍ଟ ଚାକିରି ନିୟମାବଳୀ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିଶ କରିପାରିବେ।   ଆଇନରେ ଏପରି ବ୍ୟବସ୍ଥା ଥିବା ସତ୍ତ୍ୱେ ସୂଚନା କମିଶନ‌୍‍ ଏତେ କମ‌୍‍ ସଂଖ୍ୟକ କେସ‌୍‍ରେ ଜନ ସୂଚନା ଅଧିକାରୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ କରୁଛନ୍ତି କାହିଁକି ଏବଂ ସମସ୍ତ ଆଇନଗତ ବିଧି ବ୍ୟବସ୍ଥାକୁ ଉଲ୍ଲଂଘନ କରି ବର୍ଷ ବର୍ଷ ଧରି ସୂଚନା ପ୍ରଦାନ କରି ନଥିବା ଜନସୂଚନା ଅଧିକାରୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ କରିନଥାନ୍ତି କାହିଁକି? ଏଠାରେ କେତୋଟି କେସ‌୍‍ର ଉଦାହରଣ ଦିଆଯାଇପାରେ। ବାଲେଶ୍ୱର ଜିଲ୍ଲାର ଅନୁଜ ମହାପାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟକୁ ତା ୧୫.୧୧.୨୦୧୩ରିଖରେ ସୂଚନା ଅଧିକାର ଆଇନ ବଳରେ ବର୍ଷକ ତଳେ ସେ କରିଥିବା ଅଭିଯୋଗ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ତଥ୍ୟ ମାଗିଥିଲେ। କୌଣସି ଉତ୍ତର ନ ପାଇବାରୁ ଶ୍ରୀ ମହାପାତ୍ର ପ୍ରଥମ ଅପିଲ କତ୍ତୃର୍ପକ୍ଷଙ୍କ ନିକଟରେ ପ୍ରଥମ ଅପିଲ କରିଥିଲେ। ପ୍ରଥମ ଅପିଲ କତ୍ତୃର୍ପକ୍ଷ ମଧ୍ୟ ଉକ୍ତ କେସ‌୍‍ର ଶୁଣାଣୀ କରିଥିଲେ। ଫଳରେ ସେ ସୂଚନା କମିଶନଙ୍କ ନିକଟରେ ତା ୩୧.୦୩.୨୦୧୪ରେ ଦ୍ୱିତୀୟ ଅପିଲ କରିଥିଲେ। ହାରାହାରି ଦୁଇ ବର୍ଷ ପରେ ସୂଚନା କମିଶନର ଶ୍ରୀମତୀ ଶଶୀ ବିନ୍ଧାଣୀ ଦ୍ୱିତୀୟ ଅପିଲ‌୍‍ ସଂଖ୍ୟା ୮୮୫/୨୦୧୪ର ଶୁଣାଣୀ କରି ୩୧.୧୨.୨୦୧୫ରେ ଫଇସଲା କରିଥିଲେ। କେସ‌୍‍ ଶୁଣାଣୀ ସମୟରେ ଆବେଦନକାରୀ ଜନସୂଚନା ଅଧିକାରୀ ସୂଚନା ପ୍ରଦାନରେ ଦୁଇ ବର୍ଷ ବିଳମ୍ୱ କରିଥିବାରୁ ତାଙ୍କୁ ସର୍ବୋଚ୍ଚ ଆଥିର୍କ ଦଣ୍ଡବିଧାନ ପାଇଁ ଦାବି କରିଥିଲେ। କିନ୍ତୁ ଶ୍ରୀମତୀ ବିନ୍ଧାଣୀ ଆବେଦନକାରୀଙ୍କ ଯୁକ୍ତି ପ୍ରତି କୌଣସି କର୍ଣ୍ଣପାତ କରି ନଥିଲେ ଏବଂ ଦଣ୍ଡବିଧାନ କରାନଯିବାର କାରଣ ସମ୍ପର୍କରେ ଉଲ୍ଲେଖ କରି ନଥିଲେ।   ସେହିପରି ପୁରୀ ଜିଲ୍ଲାର ସୂଚନା ଅଧିକାର କର୍ମୀ ବିଶ୍ୱଜିତ‌୍‍ ପରିଡ଼ା ଡେଲାଙ୍ଗ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ମମତା ଯୋଜନାରେ ଗର୍ଭବତୀ ଏବଂ ପ୍ରସୂତୀ ମହିଳାମାନଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତା ସମ୍ପର୍କିତ ତଥ୍ୟ ମାଗିଥିଲେ। ତଥ୍ୟ ନ ମିଳିବାରୁ ଶ୍ରୀ ପରିଡ଼ା ୨୦୧୪ ମସିହାରେ ସୂଚନା କମିଶନର‌୍‍ରେ ଅଭିଯୋଗ କରିଥିଲେ। ସୂଚନା କମିଶନର‌୍‍ ଉକ୍ତ ଅଭିଯୋଗର ଶୁଣାଣୀ କରିଥିଲେ ଏବଂ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ ପାଇଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶୁଣାଣୀ ସମୟରେ ଶ୍ରୀ ପରିଡ଼ା ସୂଚନା ପ୍ରଦାନରେ ଅହେତୁକ ବିଳମ୍ୱ କରିଥିବା ଯୋଗୁଁ ଉକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ ଦାବି କରିଥିଲେ ମଧ୍ୟ ଶ୍ରୀମତୀ ବିନ୍ଧାଣୀ କିଛି ଶୁଣି ନଥିଲେ କି ଦଣ୍ଡବିଧାନ କରିନଥିଲେ।   ଏହିପରି ଅସଂଖ୍ୟ କେସ‌୍‍ରେ ସୂଚନା କମିଶନର‌୍‍ମାନେ ସମସ୍ତ ତଥ୍ୟଗତ ପ୍ରମାଣ ଥାଇ ମଧ୍ୟ ଆଇନ ଉଲ୍ଲଙ୍ଘନକାରୀ ଜନସୂଚନା ଅଧିକାରୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ କରୁନାହାନ୍ତି। ସୂଚନା କମିଶନରମାନେ ଶୁଣାଣୀ ସମୟରେ ଦଣ୍ଡବିଧାନ ନ କରିବାର କାରଣ ସମ୍ପର୍କରେ କୌଣସି ଯୁକ୍ତିଯୁକ୍ତତା ଉପସ୍ଥାପନ କରି ପାରନ୍ତି ନାହିଁ। ରାଜ୍ୟର ଦୁର୍ନୀତିଗ୍ରସ୍ତ ଅମଲାଙ୍କ ସହ ସୂଚନା କମିଶନରମାନଙ୍କର ଭିତିରି ବୁଝାମଣା ଏବଂ ଅସାଧୁ ସମ୍ପର୍କ ଯୋଗୁ ଜନ ସୂଚନା ଅଧିକାରୀମାନଙ୍କୁ କମିଶନରମାନେ ସୁରକ୍ଷା ଦେଇଥାନ୍ତି। ଅନେକ ସମୟରେ ଦଣ୍ଡବିଧାନ ନ କରି ସୂଚନା କମିଶନରମାନେ ନିଜକୁ ମହାନ‌୍‍ ହୃଦୟର ଅଧିକାରୀ ଭାବେ ଚିତ୍ରଣ କରିବାକୁ ଚେଷ୍ଟା କରିଥାନ୍ତି। ଦଣ୍ଡବିଧାନରୁ ମୁକ୍ତ ହୋଇ ଏହି ସୂଚନା ଅଧିକାରୀମାନେ ଆଇନକୁ ଆହୁରି ବେଖାତିର କରିବା ସହିତ ଆବେଦନକାରୀମାନଙ୍କୁ ଅବଜ୍ଞା କରିବାକୁ ଉତ୍ସାହିତ ହୋଇଥାନ୍ତି, ଯାହାକି ରାଜ୍ୟରେ ଚାଲିଛି। ସୂଚନା କମିଶନରମାନଙ୍କ ଠାରୁ ନିର୍ଭୟ ବର ପାଇ ସେମାନେ ସୂଚନା ଅଧିକାର ଆଇନକୁ ଅକାମୀ କରିଦେବାକୁ ଲାଗି ପଡ଼ିଛନ୍ତି।   ବର୍ତ୍ତମାନ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଜନ ସୂଚନା ଅଧିକାରୀମାନେ ସୂଚନା ପ୍ରଦାନରେ ବ୍ୟାପକ ଅବହେଳା କରୁଛନ୍ତି ଏବଂ ମାସ ମାସ ଧରି ତଥ୍ୟ ପ୍ରଦାନ କରୁନାହାନ୍ତି। ବିଭିନ୍ନ କ୍ଷେତ୍ରରେ ଆବେଦନକାରୀମାନଙ୍କୁ ମଧ୍ୟ ସରକାରୀ କାର୍ଯ୍ୟାଳୟରେ ଖରାପ ବ୍ୟବହାର ପ୍ରଦର୍ଶନ କରାଯାଉଛି। ଯେହେତୁ ସୂଚନା କମିଶନ‌୍‍ ସୂଚନା ଅଧିକାରୀଙ୍କର ରକ୍ଷା କବଚ ସାଜିଛନ୍ତି, ତେଣୁ ସେମାନେ ଆଇନ ଉଲ୍ଲଙ୍ଘନ କରିବାରେ ଉତ୍ସାହିତ ହେଉଛନ୍ତି। ସୂଚନା ନ ପାଇ ଆବେଦନକାରୀମାନେ ସୂଚନା କମିଶନ‌୍‍ ନିକଟରେ କେସ‌୍‍ କରୁଛନ୍ତି। କମିଶନ‌୍‍ରେ ହାରାହାରି ଦୁଇରୁ ତିନି ବର୍ଷ ପରେ କେସ‌୍‍ ଶୁଣାଣୀ ହେଉଛି। ତିନି ବର୍ଷ ପରେ ମିଳୁଥିବା ସୂଚନାଟି ବିଶେଷଭାବେ ଆବେଦନକାରୀଙ୍କ କାମରେ ଆସୁନାହିଁ। ଫଳରେ ତତ‌୍‍କ୍ଷଣାତ‌୍‍ ସୂଚନା ନ ପାଇ ଆବେଦନକାରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲା ବେଳେ ଦୁର୍ନୀତିଗ୍ରସ୍ତ ଜନ ସୂଚନା ଅଧିକାରୀମାନେ କମିଶନ‌୍‍ଙ୍କଠାରୁ କୌଣସି ଦଣ୍ଡବିଧାନ ନ ପାଇ ଆନନ୍ଦରେ ଘରକୁ ଫେରୁଛନ୍ତି। କମିଶନର‌୍‍ମାନଙ୍କର ଏହିପରି ଆଇନ ବିରୋଧୀ କାର୍ଯ୍ୟ, ସୂଚନା ଅଧିକାରୀମାନଙ୍କୁ ସୁରକ୍ଷା ଯୋଗଁୁ ବସ୍ତୁତଃ ତୃଣମୂଳ ସ୍ତରରେ ସୂଚନା ଆଇନ କାର୍ଯ୍ୟକାରୀ ହୋଇପାରୁନାହିଁ ଏବଂ ସରକାରୀ ଅଧିକାରୀଙ୍କ ମଧ୍ୟରେ ଆଇନ ପ୍ରତି ବେଖାତିର ବଢ଼ିବାରେ ଲାଗିଛି। ତେଣୁ ସୂଚନା ଅଧିକାର ଆଇନର ୧୧ ବର୍ଷର କାର୍ଯ୍ୟକାରିତା ପରେ ମଧ୍ୟ ସାଧାରଣ ଲୋକେ ଆଇନର ସୁଫଳ ପାଇ ପାରୁନାହାନ୍ତି। ରାଜ୍ୟରେ ସୂଚନା ଆଇନକୁ ଅକାମୀ କରିବାରେ ରାଜ୍ୟ ସରକାରଙ୍କର ଚକ୍ରାନ୍ତରେ ସୂଚନା କମିଶନ ଭାଗିଦାରୀ ହୋଇଛନ୍ତି। ତେଣୁ ଦୁର୍ନୀତିଗ୍ରସ୍ତ ଅମଲାଙ୍କ ଦଲାଲୀ କରୁଥିବା ସୂଚନା କମିଶନରମାନଙ୍କ ପ୍ରତି ଓଡ଼ିଶାବାସୀ ସତର୍କ ରହିବା ଉଚିତ।   ରାଜ୍ୟ ଆବାହକ, ଓଡ଼ିଶା ସୂଚନା ଅଧିକାର ଅଭିଯାନ ମୋ : ୯୯୩୭୮୪୩୪୮୨

Share :