ପାରାଦୀପ-ଦୀପ ତଳ ଅନ୍ଧାର

ପାରାଦୀପ-ଦୀପ ତଳ ଅନ୍ଧାର

Share :

  ପାରାଦୀପ ଶିଳ୍ପାଞ୍ଚଳରେ ଏବେ ନାହିଁ ନଥିବା ସମସ୍ୟା। ବନ୍ଦର ବିକାଶ, ସାଗରମାଳା ପ୍ରକଳ୍ପ ଓ ବହୁବିଧ ଶିଳ୍ପାନୁଷ୍ଠାନ ଥାଇ ମଧ୍ୟ ଏହି ଶିଳ୍ପାଞ୍ଚଳରେ ଅନେକ ଅଭାବ ପରିଲକ୍ଷିତ ହୋଇଛି। ମୁଖ୍ୟ ହେଉଛି ରାସ୍ତା। ପାରାଦୀପ ଶିଳ୍ପାଞ୍ଚଳର ରାସ୍ତା ଖରାପ ଥିବାରୁ ବହ ଶିଳ୍ପ ବହୁ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।   ପାରାଦୀପ ବନ୍ଦର ସହର କେନ୍ଦ୍ରର ସାଗରମାଳା ପ୍ରକଳ୍ପରେ ସ୍ମାର୍ଟ ସିଟିର ମାନ୍ୟତା ପାଇଥିବା ବେଳେ ଏହାର ଆଖପାଖ ଅଞ୍ଚଳ ପୌର ପ୍ରଶାସନ ହାତକୁ ନେଇଛି। କିନ୍ତୁ ଦୀପ ତଳ ଅନ୍ଧାର ଭଳି ପାରାଦୀପ ଶିଳ୍ପାଞ୍ଚଳ ରହି ଯାଇଛି ନାହିଁ ନଥିବା ସମସ୍ୟା ଘେରରେ। ପାରାଦୀପ ବନ୍ଦର ସହରଠୁ ମାତ୍ର ୧୦ କିଲୋମିଟର ଦୂରରେ ରହିଛି ପାରାଦୀପ ଶିଳ୍ପାଞ୍ଚଳ। ଇଡ‌୍‍କୋ ଅଧୀନରେ ରହିଥିବା ଏହି ଅଞ୍ଚଳରେ ୧୯୭୮ ମସିହା ଠାରୁ କେତେକ ଲିଜ‌୍‍ଧାରୀ ଜମି ଓ ଘର ଲିଜ‌୍‍ ନେଇ ଏହି ଅଞ୍ଚଳରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଖୋଲି ଥିଲେ। ଲକ୍ଷ୍ୟ ଥିଲା ପାରାଦୀପ ଯେତେ ବେଳେ ଏକ ବନ୍ଦରଭିତ୍ତିକ ସହର ଭାବେ ବିକଶିତ ହେବ ଏ ଅଞ୍ଚଳର ମଧ୍ୟ ନାହିଁ ନଥିବା ବିକାଶ ହେବ। କିନ୍ତୁ ବାସ୍ତବରେ ତାହା କେବଳ ସ୍ୱପ୍ନରେ ହିଁ ରହିଯାଇଛି।   ୧୯୭୮ ମସିହାଠାରୁ ଲିଜ‌୍‍ ମିଳିବା ପରେ ଏ ଅଞ୍ଚଳର ରାସ୍ତା ଘାଟର ଆଉ ଉନ୍ନତି ହୋଇନାହିଁ କି ମରାମତି ମଧ୍ୟ କରାଯାଇ ନାହିଁ। ଫଳରେ ରାସ୍ତାରେ ବଡ ବଡ ଖାଲ ସୃଷ୍ଟି ହୋଇ ସେଥିରେ ବର୍ଷା ଦିନେ ପାଣି ଜମି ରହୁଛି। ଯେଉଁଥିପାଇଁ ରାସ୍ତାରେ ଯିବା ଆସିବା ଏକ ପ୍ରକାର ଦୁର୍ବିସହ ହୋଇ ପଡୁଛି। ଏଥିପାଇଁ କେତେକ ଶିଳ୍ପାନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିବା ବେଳେ ଆଉ କେତେକ ରୁଗ‌୍‍ଣ ଅବସ୍ଥାକୁ ଚାଲି ଆସିଲେଣି। ସେଥିରେ ପୁଣି ଜବରଦଖଲକାରୀ ଏପରି ରାସ୍ତାକୁ ସଙ୍କୁଚିତ କରିଛନ୍ତି ଯେ ଯାନବାହନ ଚଳାଚଳରେ ନାହିଁ ନଥିବା ସମସ୍ୟା ଦେଖା ଦେଉଛି। ଏନେଇ ବାରମ୍ୱାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି କୁହନ୍ତି ସ୍ଥାନିୟ ବାସିନ୍ଦା।   ଏହି ଶିଳ୍ପାଞ୍ଚଳ ମଧ୍ୟରେ କେତୋଟି ପ୍ରମୁଖ ଶିଳ୍ପାନୁଷ୍ଠାନ ରହିଛି। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଲେ ୩ଟି  ମୁଖ୍ୟ ସି ଫୁଡ ରପ୍ତାନିକାରୀ ସଂସ୍ଥା, ୬ଟି ବରଫ କଳ, ୨ଟି ମରାମତି କାରଖାନ ଓ ଗୋଟିଏ ବୈଷୟିକ ଶିକ୍ଷାନୁଷ୍ଠାନ। ଉପଯୁକ୍ତ ରାସ୍ତାଘାଟ ନଥିବାରୁ ସି ଫୁଡ‌୍‍ ରପ୍ତାନିକାରୀ ସଂସ୍ଥାଗୁଡ଼ିକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିଜର ମାଛ ବୋଝେଇ କଣ୍ଟେନର ଟ୍ରକ‌୍‍ ହେଉ ବା ବରଫ ବୋଝେଇ ବଡ ଗାଡି ହେଉ ସବୁକିଛି ଏହି ରାସ୍ତାରେ ଏବେ ଯିବା ଆସିବା କରିବା ମୁସ୍କିଲ‌୍‍ ହୋଇ ପଡୁଛି। ଯେଉଁଥି ପାଇଁ ସି ଫୁଡ‌୍‍ ପ୍ୟାକିଂ ହୋଇ ଠିକ‌୍‍ ସମୟରେ ଓ ଠିକଣା ଯାଗାରେ ବିଳମ୍ୱରେ ପହଞ୍ଚୁଛି। ବିଳମ୍ୱ କାରଣରୁ ତାହା ବ୍ୟୟବହୁଳ ମଧ୍ୟ ହୋଇ ପଡୁଛି। ଏନେଇ ରପ୍ତାନୀକାରୀ ସଂସ୍ଥାଙ୍କର ଏକ କେନ୍ଦ୍ରୀୟ ଟିମ‌୍‍ ମଧ୍ୟ କିଛି ଦିନ ତଳେ ଏହି ଶିଳ୍ପାଞ୍ଚଳ ଗସ୍ତରେ ଆସିଥିଲେ। ରାସ୍ତାଘାଟ ଓ ପାରିପାର୍ଶ୍ବିକ ପରିବେଶ ଦେଖି ଏକ ପ୍ରକାର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।   ତା’ ଛଡା ବିଦେଶୀ କମ୍ପାନୀ ମାନେ ଏ ଅଞ୍ଚଳକୁ ଆସିଲେ ରାସ୍ତାଘାଟର ଦୁର୍ଦ୍ଦଶା ନେଇ ଫ୍ୟାକ୍ଟ୍ରୀରୁ ମାଛ ଉଠାଇବା ପାଇଁ ମଧ୍ୟ ନାକ ଟେକୁଛନ୍ତି। ତେବେ ଏନେଇ ଇଡ‌୍‍କୋ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ବାରମ୍ୱାର ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ସୂର୍ଯ୍ୟୋଦ୍ୟୋଗ ସି ଫୁଡ‌୍‍ ରପ୍ତାନିକାରୀ ସଂସ୍ଥାର ନିର୍ଦ୍ଦେଶକ ଅଜୟ ଦାସ କହିଛନ୍ତି।   ପାରାଦୀପ ଶିଳ୍ପାଞ୍ଚଳ କ’ଣ ପାଇଁ ଅବହେଳିତ ହୋଇ ପଡିରହିଛି ସେନେଇ ସମସ୍ତ ଶିଳ୍ପାନୁଷ୍ଠାନ ଓ ସରକାରୀ ବିଭାଗମାନଙ୍କୁ ନେଇ ଏକ ମିଳିତ ବୈଠକ କରାଇବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ଖୁବ‌୍‍ ଶୀଘ୍ର ବୈଠକ ଆୟୋଜନ କରାଯାଇ ଇଡ‌୍‍କୋ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ନୂତନ ଭାବେ ଯୋଗ ଦେଇଥିବା ପାରଦୀପ ଅତରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବିଶ୍ୱାଳ କହିଛନ୍ତି। ବନ୍ଦର ଭିତ୍ତିକ ପାରାଦୀପ ସହର କେନ୍ଦ୍ରର ସାଗରମାଳା ପ୍ରକଳ୍ପରେ ସ୍ମାର୍ଟ ସିଟିର ମାନ୍ୟତା ପାଇଛି। ଏହାର ଆଖ ପାଖ ଅଞ୍ଚଳ ପୌର ପ୍ରଶାସନ ଦେଖୁଛି। କିନ୍ତୁ ଦୀପ ତଳ ଅନ୍ଧାର ଭଳି ପାରାଦୀପ ଶିଳ୍ପାଞ୍ଚଳ ରହିଯାଇଛି ଯାହା ଦେଖିବାକୁ କେହି ନାହିଁ।

Share :