ନିରାମୟରେ ୮୬.୬୮ ହଜାର ରୋଗୀ

ନିରାମୟରେ ୮୬.୬୮ ହଜାର ରୋଗୀ

Share :

  ରାଜ୍ୟରେ ସରକାରୀ ଚିକିତ୍ସାଳୟମାନଙ୍କରେ ରୋଗୀଙ୍କୁ ମାଗଣାରେ ଔଷଧ ଉପଲବ୍ଧ ଯୋଜନା ନିରାମୟ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସମୀକ୍ଷା କରିଥିଲେ। ନିରାମୟ ଯୋଜନା ଆରମ୍ଭ ହେବା ଦିନରୁ ଗତ ଜୁନ ମାସ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ  ୮୬,୬୮,୫୭୧ ଜଣ ରୋଗୀ ଉପକୃତ ହୋଇଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି।   ଦୈନିକ ହାରାହାରି ୧୫ ହଜାରରୁ ଅଧିକ ରୋଗୀ ବିଭିନ୍ନ ଡାକ୍ତରଖାନାର ବର୍ହି ବିଭାଗରେ ଏହି ସେବା ପାଇପାରିଛନ୍ତି। ନିରାମୟ ଯୋଜନାରେ କର୍କଟ ରୋଗୀମାନଙ୍କ ପାଇଁ ମଧ୍ୟ ମାଗଣାରେ କେମୋ ଆଦି ସୁବିଧା ମାଗଣାରେ ଉପଲବ୍ଧ କରାଯାଇଛି। ନିରାମୟ ଯୋଜନା  ଆରମ୍ଭ ହେବା ଦିନରୁ ଏ ପର୍ଯ୍ୟନ୍ତ ପରିଲକ୍ଷିତ ହେଉଥିବା ଅସୁବିଧା ସବୁକୁ ତୁରନ୍ତ ଦୂର କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଓଡିଶା ମେଡିକାଲ ନିଗମ ପକ୍ଷରୁ ନିୟମିତ ଏହାକୁ ସମୀକ୍ଷା କରାଯାଉଛି।   ଡାକ୍ତରଖାନାମାନଙ୍କରେ ଭର୍ତ୍ତି ହେଉଥିବା ରୋଗୀଙ୍କ ପାଇଁ ପ୍ରଦାନ କରାଯାଉଥିବା ଔଷଧର ପ୍ରକୃତ ଉପେଯାଗ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ନିଦାନ ଚିଠାର ଅଡିଟ‌୍‍ ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ନିରାମୟ ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ନିଗମ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଗୁଣାତ୍ମକ ଔଷଧ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଥିବା ପ୍ରକାଶ। ତେବେ ନିଗମର କାର୍ଯ୍ୟଧାରାକୁ ଅଧିକ କ୍ରିୟାଶୀଳ କରାଯିବା ପାଇଁ ମନ୍ତ୍ରୀ ନାୟକ ପରାମର୍ଶ ଦେଇଛନ୍ତି।   ବିଭିନ୍ନ ଡାକ୍ତରଖାନାରେ ପ୍ରକୃତ ଆବଶ୍ୟକତା ଅନୁଯାୟି ଔଷଧ ଯୋଗାଣ କରାଯିବା ଦିଗରେ ଆବଶ୍ୟକ ଦକ୍ଷେପ ଗ୍ରହଣ କରାଯାଇଛି।  ଔଷଧ କ୍ରୟ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଛି। ବର୍ତ୍ତମାନ ଟେଣ୍ଡର ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି। ଚଳିତ ମାସ ଶେଷ ସୁଦ୍ଧା ଆବଶ୍ୟକ ଔଷଧ ପହଂଚିଯିବ। ସେହିପରି ବିଭିନ୍ନ ଡାକ୍ତରୀ ଯନ୍ତ୍ରପାତି କ୍ରୟ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ବିତ କରାଯାଇଛି।   ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା, ନିଗମ ପରିଚାଳନା ନିର୍ଦ୍ଦେଶକ ଆର. ପି. ସିଂହ, ଯୁଗ୍ମ ସଚିବ ସୁରଜିତ ଦାଶ, ଡାକ୍ତରୀ ଶିକ୍ଷା ଓ ତାଲିମ‌୍‍ ନିର୍ଦ୍ଦେଶକ ଡାଃ ପ୍ରକାଶ ମହାପାତ୍ର, ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାଃ ନିର୍ମଳା କୁମାରୀ ଦେଇ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ କୈଳାଶ ଚନ୍ଦ୍ର ଦାଶ, ଏସ‌୍‍.ସି.ବି ମେଡିକାଲ କଲେଜ ଓ ହସପିଟାଲ ଅଧିକ୍ଷକ ଡାଃ ପ୍ରତାପ ରଥ, ଜରୁରୀକାଳୀନ ଅଧିକାରୀ ଡାଃ ଭୁବନାନନ୍ଦ ମହାରଣା, ନିଗମ ଜେନେରାଲ ମ୍ୟାନେଜର (ଲଜିଷ୍ଟିକ‌୍‍) ଡାଃ ବିଜୟ କୁମାର ସ୍ୱାଇଁ ଏବଂ ଜି.ଏମ‌୍‍ (ପ୍ରୋକିଓରମେଂଟ) ଡାଃ କେ.ସି. ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Share :