ବନ୍ଦ ହେବ ନୀଳାଚଳ ଇସ୍ପାତ!

ବନ୍ଦ ହେବ ନୀଳାଚଳ ଇସ୍ପାତ!

Share :

ଶରତ ପଥାଳ   କଳିଙ୍ଗନଗର ଇସ୍ପାତ ହବ‌୍‍ରେ ଅବସ୍ଥାପିତ ଏକ ମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ଋଗ୍ଣ ହେବାରେ ଲାଗିଛି। ଏମଏମଟିସି ପରି ଏକ କେନ୍ଦ୍ରୀୟ କର୍ପୋରେସନ ପରିଚାଳନାରେ ଚାଲୁଥିବା ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗ କ୍ଷତିର ପରିମାଣ ବଢିଚାଲିଛି। ସଂପୃକ୍ତ ରାଷ୍ଟ୍ରାୟତ ଉଦ୍ୟୋଗ ଗଲା ୧୨ ବର୍ଷ ମଧ୍ୟରେ ଯେତିକି ଲାଭ କରିଛି, ତା’ର ଦୁଇଗୁଣା କ୍ଷତି ସହିଛି। ୨୦୦୩-୦୪ ରୁ ୨୦୧୫-୧୬ ଆର୍ଥିକ ବର୍ଷରେ ନୀଳାଚଳ ଇସ୍ପାତ କାରଖାନା ୧୦୭୧.୫୨ କୋଟି ଟଙ୍କା କ୍ଷତି ସହିଛି। ଏହି ସମୟ ମଧ୍ୟରେ ବିଭିନ୍ନ ଉତ୍ପାଦିତ ସାମଗ୍ରୀ ବିକ୍ରିରୁ ୪୯୮.୮୫ କୋଟି ଟଙ୍କା ଲାଭ ହୋଇଥିବା କାରଖାନାର ବାର୍ଷିକ ରିପୋର୍ଟରେ ଉଲ୍ଲେଖ ରହିଛି।   ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଇସ୍ପାତ ଉତ୍ପାଦନ ଆରମ୍ଭ କରିବା ବର୍ଷରୁ ହିଁ କ୍ଷତି କରି ଚାଲିଛି। ୨୦୧୩ ମାର୍ଚ୍ଚ ୩୦ ତାରିଖରେ ଉତ୍ପାଦନକ୍ଷମ ହୋଇଥିବା କାରଖାନାର ଷ୍ଟିଲ ମେଲ୍ଟିଂ ସପ୍ ଏବେ ସୁଦ୍ଧା କେବଳ ୮୯୩.୩୫ କୋଟି ଟଙ୍କା କ୍ଷତି ସହିଛି। ତତକାଳୀନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅବଦାନ ବୋଲି କୁହାଯାଉଥିବା ନୀଳାଚଳ ଇସ୍ପାତ ନିଗମ ବାର୍ଷିକ ୧.୧ ନିୟୁତ ଟନ୍ ଲୁହା ଓ ଇସ୍ପାତ ଉତ୍ପାଦନ କରିବାର ଲକ୍ଷ୍ୟ ନେଇ ସ୍ଥାପିତ ହୋଇଥିଲା। ୧୯୯୩ ମସିହାରେ କଳିଙ୍ଗନଗରରେ ମୁଣ୍ଡ ଟେକିଥିବା ନୀଳାଚଳରେ ରାଜ୍ୟ ସରକାରଙ୍କ ୨୮ ପ୍ରତିଶତ ପୁଞ୍ଜି ନିବେଶ ହୋଇଛି। କିନ୍ତୁ ଏଥିରୁ ପଇସାଟିଏ ପାଉନଥିବା ରାଜ୍ୟ ସରକାର ବିଜୁ ବାବୁଙ୍କ ସ୍ୱପ୍ନର କଳିଙ୍ଗନଗରରେ ଅବସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ରୁଗ୍ଣାବସ୍ଥାରୁ ଉଦ୍ଧାର କରିବାର ପ୍ରୟାସ ମଧ୍ୟ କରୁନାହାନ୍ତି।   କେନ୍ଦ୍ର ସରକାରଙ୍କ ମିନେରାଲ୍ସ ଆଣ୍ଡ ମେଟାଲ ଟ୍ରେଡିଂ କର୍ପୋରେସନ ବା ଏମଏମଟିସି ହୁକୁମାତିରେ ଚାଲୁଥିବା ନୀଳାଚଳ ଇସ୍ପାତ କାରଖାନାରେ କୌଣସି ମୁହୂର୍ତ୍ତରେ ତାଲା ପଡ଼ିବାର ସମ୍ଭାବନା ରହିଛି। କାରଖାନାର ବିପୁଳ କ୍ଷତି ଓ କୁପରିଚାଳନା ଶ୍ରମିକ-କର୍ମଚାରୀମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି। କାରଖାନାର ରୁଗ୍ଣାବସ୍ଥା ଲକ୍ଷ୍ୟକରି କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କଳିଙ୍ଗନଗର ଶ୍ରମିକ ସଂଘର ଉପସଭାପତି ବାବୁଲି ପୂର୍ତି ଏନେଇ କ୍ଷୋଭ ପ୍ରକାଶ କରିବା ସହିତ  ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟ ସରକାର ନୀଳାଚଳକୁ ବଞ୍ଚାଇ ରଖିବାକୁ ଉଦ୍ୟମ କରିବାକୁ ସେ ଦାବି କରିଛନ୍ତି। ଭାରତ ସରକାରଙ୍କ ଇସ୍ପାତ ପ୍ରାଧିକରଣ ବା ସେଲ୍ କିମ୍ୱା ଅନ୍ୟ କୌଣସି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସହବନ୍ଧନରେ ଏହାକୁ ପୁନରୁଦ୍ଧାର କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।   ଅନ୍ୟପକ୍ଷରେ ନୀଳାଚଳର ବୃହତ ନିବେଶକାରୀ ଏମଏମଟିସି କିଣାବିକା ବାବଦରେ ୩ ପ୍ରତିଶତ ଅର୍ଥ ନେଇ ଲାଭବାନ‌୍‍ ହେଉଥିବା ବେଳେ ନୀଳାଚଳରେ ତାଲା ପକାଇବା ବନ୍ଦୋବସ୍ତ କରିସାରିଛି। ଇସ୍ପାତ ଉତ୍ପାଦନ ଆରମ୍ଭ ହେବା ପରେ ଏମଏମଟିସି ଅଧ୍ୟକ୍ଷ ବେଦ ପ୍ରକାଶ କହିଥିଲେ ଯେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ଆଗାମୀ ଦିନରେ ପ୍ରଥମେ ବାର୍ଷିକ ୨.୨ ନିୟୁତ ଟନ ଓ ପରେ ବାର୍ଷିକ ୫ ନିୟୁତ ଟନ‌୍‍ ଇସ୍ପାତ ଉତ୍ପାଦନ କରିବ। ସେଥିପାଇଁ କାରଖାନାରେ ଆଉ ୨୨୦୦ କୋଟି ଟଙ୍କାର ପୁଂଜିନିବେଶ ହେବ। କିନ୍ତୁ ଆଶ୍ଚର୍ଯ୍ୟର କଥା ତା ୨୫ା୯ା ୨୦୧୫ରେ ଭୁବନେଶ୍ୱରରେ ଏକ ଗଣମାଧ୍ୟମ ସମ୍ମିଳନୀରେ  ଏବଂ ନଭେମ୍ୱର ୨୦୧୫ରେ କୋଲକତାରେ ସେ କରିଥିବା ଘୋଷଣା କେବଳ ଘୋଷଣାରେ ରହିଯାଇଛି। ଅଧ୍ୟକ୍ଷ ବେଦ ପ୍ରକାଶଙ୍କ ଏଭଳି ଘୋଷଣା ଶ୍ରମିକ-କର୍ମଚାରୀଙ୍କୁ ଭୁଆଁ ବୁଲାଇବା ଓ ରାଜ୍ୟ ସରକାରଙ୍କୁ ଭଣ୍ଡେଇବା ପରି ହୋଇଥିବା ଶ୍ରମିକ ସଂଘର ଉପସଭାପତି ପୂର୍ତି ଅଭିଯୋଗ କରିଛନ୍ତି।    ଅଧ୍ୟକ୍ଷଙ୍କ ଘୋଷଣା ସେତେ ବେଳେ  ଶ୍ରମିକ-କର୍ମଚାରୀଙ୍କ ମନରେ ଯେଉଁ ଆଶଙ୍କା ସୃଷ୍ଟି କରିଥିଲା ଏବେ ତାହା ବାସ୍ତବ ରୂପ ନେଉଥିବା ପରିଲକ୍ଷିତ ହୋଇଛି। ଇସ୍ପାତ ୟୁନିଟ‌୍‍ର କନଭର୍ଟର ଦୀର୍ଘ ଦିନ ହେଲା ଅଚଳ ହୋଇପଡ଼ିଥିଲେ ମଧ୍ୟ ତାହା ମରାମତି କରାଯାଉ ନାହିଁ। ଇସ୍ପାତ ବଜାର ଅବସ୍ଥା ମାନ୍ଦା ଥିବାର ବାହାନାରେ ଉନ୍ନତ ଜ୍ଞାନକୌଶଳରେ ନିର୍ମିତ ନୀଳାଚଳ ଇସ୍ପାତ ନିଗମର ଯେଭଳି ଭାବେ କ୍ଷତି ଘଟି ଚାଲିଛି ନିକଟ ଭବିଷ୍ୟତରେ ତାହା ବନ୍ଦ ହେବାର ସମ୍ଭାବନା ବୃଦ୍ଧି ପାଇବାରେ ଲାଗିଛି।   କିନ୍ତୁ ଆଶ୍ଚର୍ଯ୍ୟର କଥା ରାଜ୍ୟ ସରକାର ନୀଳାଚଳ ଇସ୍ପାତରେ କାର୍ଯ୍ୟରତ ଶ୍ରମିକ-କର୍ମଚାରୀଙ୍କ ଭବିଷ୍ୟତ ପ୍ରତି ସଂପୂର୍ଣ୍ଣ ଆଖିବୁଜି ଦେଇଛନ୍ତି। ଦେଶୀ ବିଦେଶୀ ଶିଳ୍ପପତିଙ୍କୁ କାରଖାନା ପ୍ରତିଷ୍ଠା ପାଇଁ ଓଡ଼ିଶାକୁ ଡ଼ାକି ଆଣି ବୁଝାମଣା ସ୍ୱାକ୍ଷର କରୁଥିବା ବିଜେଡ଼ି ସରକାର ରାଜ୍ୟର ଏହି ଅନ୍ୟତମ ଗୌରବକୁ ସୁଦୃଢ଼ ଓ ଶକ୍ତିଶାଳୀ କରିବା ଦିଗରେ ଆଦୌ ଚିନ୍ତା ପ୍ରକଟ କରି ନାହାନ୍ତି। ମୋଟ ୧୫୧୦ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ମୁଣ୍ଡ ଟେକିଥିବା ନୀଳାଚଳ ଇସ୍ପାତକୁ ୧୯୯୪ ମସିହାରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଅଧୀନରୁ ନିଜ ଅଧୀନକୁ ଆଣିଥିଲେ। ନୀଳାଚଳ ଇସ୍ପାତ କାରଖାନା ତିମଧ୍ୟରେ ପିଗ‌୍‍ ଆଇରନ‌୍‍, ହାଡ଼କୋକ‌୍‍, ଲ୍ୟାମ‌୍‍କୋକ‌୍‍,ବ୍ରୀଜ‌୍‍ କୋକ‌୍‍, ସିଣ୍ଟର, ସ୍ଲାଗ‌୍‍ କୋଲତାରା, ଆଲୁମୁନିୟମ ସଲଫେଟ‌୍‍ ଭଳି ଅତ୍ୟାବଶକ ସାମଗ୍ରୀ ଉତ୍ପାନ କରିବାରେ ସକ୍ଷମ ହୋଇଛି।   ଏହାକୁ ଭାରତୀୟ ଇସ୍ପାତ ପ୍ରାଧିକରଣ ବା ସେଲ୍ ଅଧିଗ୍ରହଣ କରିବ ବୋଲି କିଛି ଦିନ ଶୁଣାଗଲା। ପରେ ଶୁଣାଗଲା ଯେ ଏହାକୁ ରାଉରେକଲା ଇସ୍ପାତ କାରଖାନା ପରିଚାଳାନାଧୀନ କରାଯିବ। କିନ୍ତୁ ସେସବୁ କେବଳ ଶୁଣାକଥା ହୋଇ ରହିଯାଇଛି।

Share :