ପାରାଦୀପରେ ଓଡ଼ିଆଙ୍କୁ ଉପେକ୍ଷା!

ପାରାଦୀପରେ ଓଡ଼ିଆଙ୍କୁ ଉପେକ୍ଷା!

Share :

ସବୁ ଠିକ‌୍‍ ଠାକ ଚାଲିଥିବା ବେଳେ ସି ୱେଜ କମ୍ପାନୀର ନିଷ୍ପତ୍ତିକୁ କେନ୍ଦ୍ର କରି  ପାରାଦୀପ ବନ୍ଦରରେ ପୁଣି ଆରମ୍ଭ ହୋଇଛି ଡମ୍ପର ରାଜନୀତି। କମ୍ପାନୀ ପୁଣି ୧୧୫ ଡମ୍ପର ନିୟୋଜିତ କରିବା ମସୁଧାକୁ ପାରାଦୀପ ଡମ୍ଫର ମାଲିକ ସଙ୍ଘ ତୀବ୍ର ବିରୋଧ କରିଛି। ତୁରନ୍ତ ବନ୍ଦର ପ୍ରଶାସନ ସିୱେଜ କମ୍ପାନୀର ଏହି ଯୋଜନାକୁ ବାତିଲ କରିବା ସହିତ ପାରାଦୀପ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ଫେରେଇ ଆଣିବାକୁ ଅଧ୍ୟକ୍ଷ ରିଙ୍କେଶ ରାୟଙ୍କୁ ଅନୁରୋଧ କରିଛନ୍ତି। ଏ ସଂପର୍କର ଆସୋସିଏସନ କର୍ମକତ୍ତାମାନେ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି।   ସ୍ଥାନୀୟ ଅଠରବାଙ୍କୀସ୍ଥିତ ବାଲିପ୍ଳଟ ପରିସରରେ ଆସୋସିଏସନ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ବିଜୟ କୁମାର ନାୟକ, ଉପସଭାପତି ଭଗବାନ ସ୍ୱାଇଁ, ସମ୍ପାଦକ ସଞ୍ଜୟ କୁମାର ଧଳ ପ୍ରକାଶ କରିଛନ୍ତି ଯେ ପାରାଦୀପ ବନ୍ଦର ପ୍ରତିଷ୍ଠା ହେବା ପରଠାରୁ ପରିବହନ କାର୍ଯ୍ୟ ଦୀର୍ଘ ବର୍ଷ ଧରି ଶୃଙ୍ଖଳାର ସହିତ ହୋଇଆସୁଛି। ସେଥିପାଇଁ ଆଜି ସମଗ୍ର ଭାରତରେ ଥିବା ବୃହତ ବନ୍ଦର ମଧ୍ୟରେ ପାରାଦୀପ ବନ୍ଦର ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ବନ୍ଦର ଆରମ୍ଭ ହେବା ଦିନରୁ ପ୍ରତିବର୍ଷ ମାଲ ପରିବହନରେ ଅଭିବୃଦ୍ଧି ହେବାରେ ଲାଗିଛି। ପାରାଦୀପ ବନ୍ଦରରେ କାର୍ଯ୍ୟ କରୁଥିବା ଷ୍ଟିଭେଡୋର୍ସ ଆସୋସିଏସନ‌୍‍ ଏବଂ ଡମ୍ପର ଆସୋସିଏସନ‌୍‍ର ମିଳିତ ସହଯୋଗେ ଶୃଙ୍ଖଳାର ସହ ମାଲ ଖଲାସ କାମ ହେଉଥିବାରୁ ପଣ୍ୟ ପରିବହନ ଆଖିଦୃଶିଆ ଅଭିବୃଦ୍ଧି ହୋଇପାରିଛି। ସେଥିପାଇଁ ଆଜି ପାରାଦୀପ ବନ୍ଦର ପଣ୍ୟ ପରିବହନରେ ଭାରତରେ ଦ୍ୱିତୀୟ ବନ୍ଦରର ମାନ୍ୟତା ପାଇପାରିଛି।   ପାରାଦୀପ ଅଞ୍ଚଳର କିଛି ଉଦ୍ୟମୀ ଲୋକଙ୍କୁ ନେଇ ୨୫ ବର୍ଷ ତଳେ ଡମ୍ଫର ଆସୋସିଏସନ ଗଢି ଉଠିଥିଲା। ପାରାଦୀପ ଏବଂ ନିକଟବର୍ତ୍ତୀ ଅଞ୍ଚଳର ଲୋକମାନେ ସେହି ସମୟରେ ବନ୍ଦର ଭିତରେ ପଣ୍ୟ ପରିବହନକୁ ସୂଚାରୁ ଢଙ୍ଗରେ ପରିଚାଳନା କରିବା ପାଇଁ ଏହି ସଙ୍ଗଠନ ଗଢି ତୋଳିଥିଲେ। ଦୀର୍ଘ ୨୫/୩୦ ବର୍ଷ ଧରି ପାରାଦୀପ ବନ୍ଦର ଭିତରେ ପଣ୍ୟ ପରିବହନ ପାଇଁ ଡମ୍ଫର ଆସୋସିଏସନ ସେବା ଯୋଗାଇ ଦେଉଛି। ଯେତେବେଳେ ପାରାଦୀପ ବନ୍ଦରରେ ଡମ୍ଫର ଅଧିକ ଆବଶ୍ୟକତା ହୋଇଛି ତାହାକୁ ଡମ୍ଫର ଆସୋସିଏସନ‌୍‍ ପୂରଣ କରିପାରିଛି। କୌଣସି ସମୟରେ ମଧ୍ୟ ବନ୍ଦର ଭିତରେ ମାଲ‌୍‍ ଖଲାସ କାର୍ଯ୍ୟରେ ବାଧକ ସାଜିନାହିଁ।   କର୍ମକର୍ତ୍ତାମାନେ କହିଛନ୍ତି ଯେ ବନ୍ଦରରେ ସବୁ କାର୍ଯ୍ୟ ଶୃଙ୍ଖଳାର ସହ ଚାଲିଥିବା ବେଳେ ଗତ ବର୍ଷ ଜୁଲାଇ ମାସରେ ହଠାତ‌୍‍ ସି ୱେଜ କମ୍ପାନୀ ତରଫରୁ ବନ୍ଦର ଭିତରେ ମାଲ ପରିବହନକୁ ନେଇ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ବନ୍ଦର ଭିତରେ ଜାହାଜରୁ ମାଲ‌୍‍ ଖଲାସ କରିବା ପାଇଁ ସିେୱଜ‌୍‍ କମ୍ପାନୀ ପୋର୍ଟ ଭିତରେ କାମ କରୁଥିବା ଡମ୍ଫର ଆସୋସିଏସନ‌୍‍ ଠାରୁ ଡମ୍ଫର ଗାଡି ବୁକିଂ ନକରି ବାହାରୁ ଡମ୍ପର ଆଣି ମାଲ‌୍‍ ଖଲାସ କରିବା ପାଇଁ ନିୟୋଜିତ କରିଥିଲା। ଏହାକୁ ବିରୋଧ କରି ୨୦୧୫ ଜୁଲାଇରେ ପାରାଦୀପ ବନ୍ଦରରେ କାମ କରୁଥିବା ବିଭିନ୍ନ ସଙ୍ଘ ଡମ୍ଫର ଆସୋସିଏସନ‌୍‍କୁ ସମର୍ଥନ ଜଣାଇବା ସହିତ ଲିଖିତ ଆକାରରେ ବନ୍ଦର କତ୍ତୃର୍ପକ୍ଷଙ୍କୁ ଅବଗତ କରାଇଥିଲେ। ବନ୍ଦର କତ୍ତୃର୍ପକ୍ଷ ଏହାର ଉଚିତ ସମାଧାନ କରି ନପାରିବାରୁ ପାରାଦୀପ ବନ୍ଦରରେ କାର୍ଯ୍ୟରତ ସମସ୍ତ ସଙ୍ଘ ଗଣତାନ୍ତ୍ରିକ ଉପାୟରେ ଏହାର ବିରୋଧ କରିଥିଲା। ପାଖାପାଖି ସାତ ଦିନ ଧରି ମାଲ‌୍‍ ପରିବହନ କାମ ଅଚଳ ରହିବାରୁ ସେତେବେଳେ ଏହି ସମସ୍ୟାର ସମାଧାନ କରିବା ପାଇଁ ଜଗତସିଂହପୁର ଜିଲ୍ଲାପାଳଙ୍କ ଆହ୍ୱାନ ଓ ଅଧ୍ୟକ୍ଷତାରେ ତା୨୨.୦୯.୨୦୧୫ରିଖ ଏକ ବୈଠକ ହୋଇଥିଲା। ବୈଠକରେ ସି ୱେଜ କମ୍ପାନୀ, ବନ୍ଦର କତ୍ତୃର୍ପକ୍ଷ, ଡମ୍ଫର ଆସୋସିଏସନ‌୍‍, ଷ୍ଟିଭେଡୋର୍ସ ଆସୋସିଏସନ‌୍‍ ଏବଂ ଅନ୍ୟାନ୍ୟ ସଂଘଗୁଡିକର ପ୍ରତିନିଧି ଉପସ୍ଥିତ ଥିଲେ।   ବୈଠକରେ ହୋଇଥିବା ନିଷ୍ପତି ଅନୁଯାୟୀ ସି ୱେଜ କମ୍ପାନୀ ମାଲ ପରିବହନ ପାଇଁ ଆବଶ୍ୟକ ଗାଡି ଡମ୍ଫର ଆସୋସିଏସନ ଠାରୁ ନେଇ ନିୟୋଜିତ କରିବ। ଯଦି ଡମ୍ଫର ଆସୋସିଏସନ କମ୍ପାନୀ ଆବଶ୍ୟକ ଅନୁଯାୟୀ ଗାଡି ଯୋଗାଇ ଦେଇ ନପାରେ, ତେବେ ସେହିଭଳି ପରିସ୍ଥିତିରେ ସି େୱଜ‌୍‍ ବାହାରୁ ଡମ୍ଫର ଆଣି ନିଜର ମାଲ ପରିବହନ କାମକୁ ତ୍ୱାରାନ୍ୱିତ କରିବ। ଉକ୍ତ ନିର୍ଦ୍ଦେଶକୁ ସେହି ସମୟରେ ସି ୱେଜ କମ୍ପାନୀ କତ୍ତୃର୍ପକ୍ଷ, ବନ୍ଦର ପ୍ରଶାସନ ଏବଂ ଡମ୍ଫର ଆସୋସିଏସନ‌୍‍ ସମସ୍ତେ ସ୍ୱୀକାର କରିଥିଲେ। ସେହି ଅନୁସାରେ ଆଜି ପର୍ଯ୍ୟନ୍ତ ମାଲ‌୍‍ ପରିବହନ କାର୍ଯ୍ୟ ସୂଚାରୁରୂପେ ପରିଚାଳିତ ହୋଇ ଆସୁଛି। ହେଲେ ହଠାତ‌୍‍ ଗତ କିଛିଦିନ ତଳେ ସି ୱେଜ କମ୍ପାନୀର ପ୍ରରୋଚନାରେ ଉତ୍କଳ ଷ୍ଟିଭେଡୋର୍ସ ଆସୋସିଏସନ ବନ୍ଦର ଭିତରେ ମାଲ‌୍‍ ପରିବହନ ପାଇଁ ୧୧୫ ଗୋଟି ଡମ୍ଫର ଭର୍ତ୍ତି କରିବା ପାଇଁ ବନ୍ଦର କତ୍ତୃର୍ପକ୍ଷଙ୍କଠାରୁ ଅନୁମତି ମାଗିଅଛି। ବନ୍ଦର ଭିତରେ ଡମ୍ଫର ଆସୋସିଏସନ ତରଫରୁ ଆବଶ୍ୟକ ଡମ୍ଫର ଯୋଗାଇ ଦିଆଯାଉଥିିବା ବେଳେ ଆଉ ଅଧିକ ୧୧୫ଟି ଡମ୍ଫର ନିୟୋଜିତ କରିବା ପାଇଁ ଅନୁମତି ମାଗିବା ଅନ୍ୟମାନଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି। ସେଥିପାଇଁ ପାରାଦୀପ ବନ୍ଦରରେ ପୁଣି ବିବାଦ ତେଜିପାରେ।   ସି ୱେଜ କମ୍ପାନୀ ଜାଣିଶୁଣି ପାରାଦୀପ ବନ୍ଦରକୁ ଅଶାନ୍ତ କରିବା ପାଇଁ ଏଭଳି ଏକ ହୀନ ଷଡଯନ୍ତ୍ର ରଚନା କରିଛି ବୋଲି ଅଭିଯୋଗ ହୋଇଛି। ସି ୱେଜ କମ୍ପାନୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାକୁ ପୂର୍ଣ୍ଣରୂପେ ପାଳନ ନକରି ସ୍ଥାନୀୟ ତଥା ପୁରୁଣା ଡମ୍ଫର ମାଲିକ ଓ ଷ୍ଟିଭେଡୋର୍ସ ସଂସ୍ଥାଙ୍କ ସ୍ବାର୍ଥ ବିରୋଧେର ନିଜର ଅଧିକ ଡମ୍ଫର ନିୟୋଜିତ କରିବା ଉଦ୍ଦେଶ୍ୟରେ ଏପରି କରିଛି ବୋଲି ଅଭିଯୋଗ ହୋଇଛି।   ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଜଗତସିଂହପୁର ଜିଲ୍ଲାପାଳ ମହୋଦୟଙ୍କର ତା୨୨.୯.୨୦୧୫ରିଖ ଆଦେଶନାମା ବଳବତ୍ତର ଥିବା ସତ୍ତ୍ବେ ବନ୍ଦରର ଟ୍ରାଫିକ‌୍‍ ମ୍ୟାନେଜର ତା୧୬.୦୬.୨୦୧୬ ରିଖରେ ତାଙ୍କର ଚିଠି ନଂ ଟିଡି/ଟିଏମ/ପିଏଣ୍ଡଏଲ-୩୨/୧୯୯୦ରେ ଉତ୍କଳ ଷ୍ଟିଭେଡୋର୍ସ ଆସୋସିଏନକୁ କିପରି ଓ କେଉଁ ପରିସ୍ଥିତିରେ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟକୁ ୧୧୫ ଗାଡି ପୂରାଇବା ପାଇଁ ଅନୁମତି ପ୍ରଦାନ କଲେ ତାହା ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଏଥିରୁ ସ୍ପଷ୍ଟଭାବେ ଅନୁମାନ କରାଯାଇପାରେ ଯେ ବନ୍ଦର ଟ୍ରାଫିକ‌୍‍ ମ୍ୟାନେଜର ଓ ସି େୱଜ‌୍‍ କମ୍ପାନୀ ମିଳିତ ଭାବେ ବନ୍ଦର ମଧ୍ୟରେ ଅସ୍ଥିରତା ସୃଷ୍ଟି କରି ବନ୍ଦରର ଅଧ୍ୟକ୍ଷଙ୍କୁ ବଦନାମ କରିବା ସହିତ ବନ୍ଦରର ସୁନାମକୁ ଧୂଳିସାତ‌୍‍ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି ବୋଲି ସନ୍ଦେହ କରାଯାଉଛି।   ବନ୍ଦର ଟ୍ରାଫିକ‌୍‍ ମ୍ୟାନେଜରଙ୍କ ଚିଠି ନଂ ଟିଡି/ଟିଏମ/ଜିଇଏନ-୨୧(୨) ତା ୨୧.୧୨.୨୦୦୪ ରିଖ ଅନୁଯାୟୀ ବନ୍ଦର ମଧ୍ୟରେ ନୂଆ ଡମ୍ଫରର ଆବଶ୍ୟକ ହେଲେ ଡମ୍ଫର ଆସୋସିଏସନ‌୍‍ ସହିତ ବିନା ଆଲୋଚନାରେ କୌଣସି ଡମ୍ଫର ବନ୍ଦର ମଧ୍ୟରେ ପ୍ରବେଶ କରାଯିବା କଥା ନୁହେଁ। ତେଣୁ ଡମ୍ଫର ଆସୋସିଏସନ ଦାବୀ କରିଛି ଯେ ଯେ ସି ୱେଜ କମ୍ପାନୀ ପ୍ରରୋଚନାରେ ଆଉ ୧୧୫ଟି ଡମ୍ପର ଗାଡି ନିୟାଜିତ କରିବା ପାଇଁ ହୋଇଥିବା ଉଦ୍ୟମକୁ ଅନୁମତି ଦିଆନଯାଉ ଏବଂ ଆଗାମୀ ଦିନରେ ବନ୍ଦର କର୍ତ୍ତୃପକ୍ଷ ସି ୱେଜ କମ୍ପାନୀକୁ ତାଗିଦ କରନ୍ତୁ ଯେପରି ଆଉ କୌଣିସି ବିବାଦୀୟ ପ୍ରସ୍ତାବ ବନ୍ଦର ପ୍ରଶାସନକୁ ନଦେଉ। ଯଦି ସି ୱେଜ କମ୍ପାନୀ ପକ୍ଷରୁ ବନ୍ଦରର ଟ୍ରାଫିକ‌୍‍ ମ୍ୟାନେଜରଙ୍କର ସହାୟତାରେ କରାଯାଇଥିବା ହୀନ ଷଡଯନ୍ତ୍ରର ଉଚିତ ସମାଧାନ କରାନଯାଏ, ତେବେ ଡମ୍ଫର ଆସୋସିଏସନ ଏହାର ଦୃଢ ବିରୋଧ କରିବ ଏବଂ ଗଣତାନ୍ତ୍ରିକ ଧାରାରେ ରାଜରାସ୍ତାକୁ ଓହ୍ଳାଇ ଆନ୍ଦୋଳନ କରିବାକୁ ମାଧ୍ୟ ହେବ। ଏଭଳି ପରିସ୍ଥିତ ଉପୁଜିଲେ କର୍ତ୍ତର୍ପକ୍ଷ ଏବଂ ସି ୱେଜ କମ୍ପାନୀ ପାରାଦୀପ ବନ୍ଦରର କ୍ଷତିପାଇଁ ସମ୍ପୂର୍ଣ୍ଣ ଭାବରେ ଦାୟୀ ରହିବେ। ଏକ ଅଣଓଡିଆ କମ୍ପାନୀର ଏକଚାଟିଆ କାରବାର ପାଇଁ ପାରାଦୀପ ବନ୍ଦରରେ ବ୍ୟବସାୟ ଓ କାମ କରି ନିଜର ପରିବାର ପୋଷଣ କରୁଥିବା ହଜାର ହଜାର ଓଡିଆଙ୍କ ପ୍ରତି ଅନ୍ୟାୟ କରା ନଯାଉ ବୋଲି ସେମାନେ ସାମ୍ୱାଦିକ ସମ୍ମିଳନୀରେ ଦାବି କରିଛନ୍ତି।      ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ବିଶିଷ୍ଟ ବ୍ୟବସାୟୀ ମହିମାନନ୍ଦ ମିଶ୍ରଙ୍କ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ଼ ଏହି ପ୍ରସଙ୍ଗରେ ସି ୱେଜ କମ୍ପାନୀ ବିରୋଧରେ ଆନ୍ଦୋଳନକୁ ଉସକାଇଥିଲା। ସେତେବେଳ ଯାଏଁ ପ୍ରାୟ ଏହି କମ୍ପାନୀର ଷ୍ଟିଭେଡୋରିଂରେ ଏକଚାଟିଆ କାରବାର ଚାଲିଥିଲା। କେନ୍ଦ୍ର ସରକାରର ଜଣେ ମନ୍ତ୍ରୀଙ୍କ ଚାପରେ ବନ୍ଦର କର୍ତ୍ତୃପକ୍ଷ ସି ୱେଜ କମ୍ପାନୀ ମାଧ୍ୟମରେ ତାଙ୍କ କାରବାରରେ ଭାଗ ବସାଇଛନ୍ତି। ଏହା ସ୍ଥାନୀୟ ବ୍ୟବସାୟୀଙ୍କୁ ଉତକ୍ଷିପ୍ତ କରିବା ସ୍ବାଭାବିକ।

Share :