କେମିତି ଚାଲିଛି କୋଇଲା ଚୋରି?

କେମିତି ଚାଲିଛି କୋଇଲା ଚୋରି?

Share :

ସୁଧାକର ପାଣ୍ଡେ   ମହାନଦୀ କୋଇଲା ଫିଲ୍ଡସ‌୍‍ ଲିଃର ସୁନ୍ଦରଗଡ଼ ସମେତ ଝାରସୁଗୁଡ଼ା, ତାଳଚେର ଆଦି ପ୍ରକଳ୍ପରୁ ଖୋଲାଖୋଲି ଭାବେ କୋଇଲା ଚୋରା ଚାଲାଣ ଚାଲିଛି। ଗତ କିଛି ବର୍ଷ ମଧ୍ୟରେ ଏହିସବୁ କୋଇଲା ଖଣିରୁ ହଜାର ହଜାର ଟନ‌୍‍ କୋଇଲାର ଅବାଧ ଚୋରା କାରବାର ବୃଦ୍ଧି ପାଇଚି। ଏ ନେଇ କେତେକଙ୍କୁ ଗିରଫ କରାଯାଇ ମାମଲା ଋଜୁ ହୋଇଛି; ମାତ୍ର କୋଇଲା ଚୋରି ଥମୁନି। କୋଇଲା ଚୋରା ଚାଲାଣ ପାଇଁ ସେମିତି କିଛି ଠୋସ‌୍‍ ପଦକ୍ଷେପ ନିଆଯାଇ ନ ଥିବାରୁ ପ୍ରତି ମାସ ମହାନଦୀ କୋଇଲା ଲିଃକୁ କୋଟି କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ଏଥିପାଇଁ ରାଜ୍ୟ ସରକାରଙ୍କର ମଧ୍ୟ ରାଜସ୍ୱ ହାନୀ ଘଟୁଛି।   କୋଇଲା ଖଣି ପ୍ରକଳ୍ପ ବ୍ୟତୀତ କୋଲ‌୍‍ ବିଅରିଂ ଏରିଆ ଏବଂ ଏହାର ପଡ଼ୋଶୀ ଅଂଚଳରୁ ମଧ୍ୟ ନିତ୍ୟନିୟମିତ କୋଇଲା ଚୋରି ହେଉଥିବା ବେଳେ ଇଟା ପୋଡ଼ିବା ସମୟରେ ପ୍ରଚୁର ପରିମାଣର କୋଇଲା ଚୋରା କାରବାର ହେଉଛି। ପୁଲିସ, ଖଣି ଅଧିକାରୀ ତଥା କମ୍ପାନୀ କର୍ତ୍ତୃପକ୍ଷ ଜାଣିଶୁଣି ଚୋରିକୁ ସୁଯୋଗ ଦେଉଥିବା ବିଷୟ ବିଭିନ୍ନ ମହଳରୁ ଅଭିଯୋଗ ହେଉଛି। କେତେକ କୋଲ‌୍‍ ବିଅରିଂ ଏରିଆ ଏବଂ ଖଣି ପାର୍ଶ୍ୱାଂଚଳ ମଧ୍ୟରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଆଳରେ ଚୋରା କୋଇଲା ବେପାର ବୃଦ୍ଧି ପାଇଚି। କୋଲ୍‌ ୱାଶେରିଗୁଡ଼ିକ ବହୁଳ ଭାବେ ଚୋରା କୋଇଲା କାରବାରରେ ସଂପୃକ୍ତ ରହୁଥିବା ଅଭିଯୋଗ ହେବା ପରେ ଖଣି ବିଭାଗର ପଦକ୍ଷେପ ଯୋଗୁଁ କେତେକ ୱାସରି ବନ୍ଦ ହୋଇଯାଇଛି।   ତେବେ କେତେକ ସ୍ପଞ୍ଜ ଆଇରନ କାରଖାନା ବିନା ଲିଜ୍ ଓ ଅନୁମତିରେ କୋଇଲା ଖୋଳି ନିଜ କାରଖାନାରେ ବିନିଯୋଗ କରୁଥିବା ଜଣାପଡ଼ିଛି। ଏ ସଂପର୍କର ପଚରାଗଲେ ପ୍ରଶାସନ ଓ କମ୍ପାନୀ ଅଧିକାରୀମାନେ ନୀରବ ରହୁଛନ୍ତି। ଅପରପକ୍ଷରେ କେତେକ କୋଇଲା ମାଫିଆ ଶତାଧିକ ଲୋକଙ୍କୁ କୋଇଲା ଚୋରି କାର୍ଯ୍ୟରେ ନିୟୋଜିତ କରି ବ୍ୟାପାକ ଚୋରା କାରବାର ଚଳାଇଛନ୍ତି। ସାଇକେଲରେ କୋଇଲା ବୁହା ହୋଇ ଟ୍ରକ‌୍‍, ଡ଼ମ୍ପରଗୁଡ଼ିକରେ ଲୋଡ଼ିଂ କରାଯାଉଛି ଓ ତାହା ବିଭିନ୍ନ ଛୋଟ ଛୋଟ ଶିଳ୍ପାନୁଷ୍ଠାନ ଏବଂ ଇଟାଭଟାକୁ ଚାଲାଣ ହେଉଛି।   ସୂଚନା ଯୋଗ୍ୟ ଯେ, ଇ-ମାର୍କେଟିଂ ବ୍ୟବସ୍ଥା ଲାଗୁ ହୋଇଯିବା ପରେ ଇଟାଭାଟି ମାଲିକମାନଙ୍କ ପାଇଁ କୋଇଲା କିଣିବା ଏକ କଷ୍ଟକର ବ୍ୟାପାର ହୋଇଯାଇଛି। ସେମାନେ ଘୋର କୋଇଲା ସଂକଟ ମଧ୍ୟରେ ଗତି କରୁଛନ୍ତି। ତେଣୁ ସେମାନେ ସାଇକେଲରେ ଆସୁଥିବା ଚୋରା କୋଇଲା କିଣୁଛନ୍ତି। ସୁନ୍ଦରଗଡ଼ ଏମସିଏଲରେ ଗତ ଦୁଇ ବର୍ଷ ତଳେ କୋଇଲା ସ୍ତୁପ ଭୂଶୁଡ଼ିବା ଯୋଗୁଁ ଏହିପରି ସାଇକେଲରେ କୋଇଲା ଆଣୁଥିବା ଲୋକଙ୍କ ଭିତରୁ କେତେକଙ୍କର କୋଇଲାଗଦାରେ ପୋତି ହୋଇ ମୃତ୍ୟୁ ହେବା ଘଟଣାରୁ ପ୍ରାୟ ବର୍ଷଟିଏ ଏପରି କାରବାର ବନ୍ଦ ହୋଇଥିଲା। ଫଳରେ ଇଟାଭଟା ମାଲିକଙ୍କ ପାଇଁ କୋଇଲା ସଂକଟ ଆହୁରି ଉଗ୍ରରୂପ ନେଇଥିଲା।   ଏହି ସୁଯୋଗରେ କେତେକ ମାଫିଆ ଖଣି ପ୍ରକଳ୍ପ ଭିତରୁ କୋଇଲା ଚୋରି ବ୍ୟବସ୍ଥା ଆରମ୍ଭ କଲେ। ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ସୁରକ୍ଷା କର୍ମୀ ଓ ପୁଲିସକୁ ହାତେଇ ହଜାର ହଜାର ଟନ‌୍‍ କୋଇଲା ସୁନ୍ଦରଗଡ଼ ସମେତ ପଡ଼ୋଶୀ ଜିଲ୍ଲା ଓ ରାଜ୍ୟକୁ ଚାଲାଣ ହେଲା। କେବଳ ସୁନ୍ଦରଗଡ଼ ଜିଲ୍ଲାରେ ହଜାର ହଜାର ଟନ‌୍‍ କୋଇଲା ଇଟାଭାଟି ପାଇଁ ଯାଉଥିବା ବେଳେ ପଡ଼ୋଶୀ ଝାରସୁଗୁଡ଼ା ଜିଲ୍ଲାରୁ ମଧ୍ୟ ବହୁ କୋଟି ଟଙ୍କାର କୋଇଲା ଚୋରାରେ ରାଜପୁର ବାଟ ଦେଇ ଆସୁଥିବା ଜଣାପଡ଼ିଛି।   ଏମସିଏଲ ଖଣିରୁ ଦୈନିକ ୧୫୦୦ ରୁ ୨୦୦୦ ସାଇକେଲରେ କୋଇଲା ଚୋରି ହେଉଥିବା ବେଳେ ପ୍ରତ୍ୟେକ ସାଇକେଲରେ ଦୁଇରୁ ତିନି କ୍ୱିଂଟାଲ କୋଇଲା ଆସିଥାଏ। ଖୋଲାରେ ଖୋଳାଯାଉଥିବା (ଓପନ କାଷ୍ଟିଂ) କୋଇଲା ଖଣି ଚାରି ପାଖରେ ପାଚେରୀ ନ ଥିବା ଯୋଗୁଁ ଏହି ଚୋରା କୋଇଲା ଚାଲାଣକାରୀମାନେ ଅବାଧରେ ଖଣି ଅଂଚଳରେ ପଶି ଯାଉଛନ୍ତି ଓ କୋଇଲା ଖଣ୍ଡଗୁଡ଼ିକୁ ବସ୍ତାରେ ଭର୍ତ୍ତି କରି ନେଇ ଯାଉଛନ୍ତି। ସାଧାରଣତଃ ଏମାନେ ବଡି ଭୋରରୁ ଖଣି ଭିତରକୁ ପଶି କୋଇଳା ନେଉଥିବା ବେଳେ ଖଣି କର୍ମଚାରୀ ଓ ଶ୍ରମିକମାନେ ଆସିବା ପୂର୍ବରୁ ସେହି ସ୍ଥାନ ଛାଡ଼ି ପଳାଇଥାନ୍ତି।   ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼, ଲଖନପୁର ଅଂଚଳରେ ଖଣି ଅଂଚଳରେ ପ୍ରତିଦିନ ସକାଳୁ ଶହ ଶହ ସଂଖ୍ୟାରେ ସାଇକେଲ ଲାଇନ‌୍‍ ଲାଗିଥିବା ଦେଖିବାକୁ ମିଳେ। ଏହି ସାଇକେଲ ଚାଲାଣକାରୀଙ୍କ ଠାରୁ କେତେକ ମାଫିଆ କିଣି ନେବା ପରେ ତାହା ଟ୍ରକ‌୍‍, ଟ୍ରାକ୍ଟର ଓ ଡ଼ମ୍ପର ଯୋଗେ ଚାଲାଣ କରାଯାଇଥାଏ। ସୁନ୍ଦରଗଡ଼ ବସୁନ୍ଧରା ଓ କୁଲଡ଼ା ମାଇନ୍ସ ଏରିଆରୁ ଏବେ ସୁପରିକଳ୍ପିତ ଭାବେ କୋଇଲା ଚୋରି ହେଉଥିବାର ଅଭିଯୋଗ ଆସୁଛି। ଖୋଦ ପୋଲିସ ଏସକର୍ଟରେ ବହୁ ଟ୍ରକ‌୍‍ କୋଇଲା ଖଣି ଅଂଚଳରୁ ବାହାରକୁ ଚାଲାଣ ହେଉଛି। ଏହି କାରବାର ସହିତ ସ୍ଥାନୀୟ କେତେକ ଅଣଓଡ଼ିଆ କୋଇଲା ମାଫିଆ ସକ୍ରୀୟ  ଭାବେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି।   ହେମଗିର ଅଞ୍ଚଳରେ ଏସିଆର ବୃହତ୍ତମ କୋଇଲା ପ୍ରାନ୍ତର ରହିଥିବା ବେଳେ କେତେକ ବାହାର ରାଜ୍ୟର ମାଫିଆ ସ୍ଥାନୀୟ ଲୋକଙ୍କୁୁ ହାତ କରି କୋଇଲା ଚୋରା କାରବାର ଚଳାଇଥିବା ଜଣାପଡ଼ିଛି। ନିୟମିତ ଭାବେ ଶହ ଶହ ଟନ‌୍‍ କୋଇଲା ଭିନ୍ନ ଭିନ୍ନ ହିସାବରେ ଚାଲାଣ ହେଉଥିବାର ଜଣାପଡ଼ିଛି। ଏଥି ନେଇ ବିଭିନ୍ନ ମହଲରୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହୋଇ ଆସୁଛି। ପୁଲିସ ନିକଟରୁ ମିଳିଥିବା ସୂଚନା ମୁତାବକ ଗତ ୨୦୧୫-୧୬ (ଏପ୍ରିଲ-୨୦୧୬) ମଧ୍ୟରେ ଜିଲ୍ଳାରେ କୋଇଲା ଚୋରି ରୋକିବା ସକାଶେ ପୁଳିସ ପକ୍ଷରୁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ପ୍ରାୟ ୩୬ଟି ମାମଲା ଋଜୁ କରାଯାଇ ୭୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୪ ଟି ଗାଡ଼ି ଏବଂ ୨୪୪.୨ ଟନ‌୍‍ କୋଇଲା ଜବତ କରାଯାଇଛି।   କୋଇଲା ଚୋରୀ ପାଇଁ ଭିନ୍ନ ଭିନ୍ନ ମାଧ୍ୟମ ପ୍ରୟୋଗ କରାଯାଉଛି। ଏମ‌୍‍.ସି.ଏଲ‌୍‍.ର କିଛି ଅଧିକାରୀ , ଖଣିବିଭାଗ ଏବଂ କର୍ମଚାରୀଙ୍କୁ ହାତ କରି କେତେକ ମାଫିଆ ଉନ୍ନତ ମାନର କୋଇଲା ଲୋଡ଼ିଂ କରାଇ ନିମ୍ନମାନର କୋଇଲା ପରିବହନ ଦର୍ଶାଇ ମାଲାମାଲା ହେଉଥିବା ବେଳେ କେତେକ କଣ୍ଟା କର୍ମଚାରୀଙ୍କୁୁ ହାତ କରି ଓଜନରେ ଚଞ୍ଚକତା କରି ବେଶୀ ପରିମାଣର କୋଇଲା ନେଇ ଅନ୍ୟତ୍ର ଅନ‌୍‍ଲୋଡ଼ିଂ କରି ତାହା ଚୋରାରେ ଚାଲାଣ କରୁଛନ୍ତି। ଠିକ‌୍‍ ସେହିଭଳି କେତେକ ମାଫିଆ କୋଲ‌୍‍ ବିଅରିଂ ଏରିଆ ଏବଂ ଏହାର ଆଖପାଖ ଅଞ୍ଚଳରୁ, ବସୁନ୍ଧରା ନଦୀ ଏବଂ ଜଙ୍ଗଲ ମଧ୍ୟରୁ କୋଇଲା ଖୋଳି ଟ୍ରକ‌୍‍ ଓ ଟ୍ରାକ୍ଟର ଯୋଗେ ଚାଲାଣ କରୁଥିବା ବେଳେ କେତେକ ସାଇକେଲ ଏବଂ ମଟରସାଇକେଲରେ କୋଇଲା ଚୋରୀ ଅବ୍ୟାହତ ରଖିଛନ୍ତି। ଏସବୁ ଚୋରା କାରବାର ନେଇ ପୁଲିସ, କମ୍ପାନୀ ତଥା ପ୍ରଶାସନ ସବୁ ଜାଣିଶୁଣି ନୀରବ ରହଥିବାର ଅଭିଯୋଗ ହେଉଥିବା ବେଳେ ଯେତିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା, ସେତିକି କରା ନ ଯାଇ ମାଫିଆଙ୍କୁ ସୁଯୋଗ ଦିଆଯାଉଥିବା ଅଭିଯୋଗ ହେଉଛି। ତେବେ ଏହି କାରବାର ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ଉପସ୍ଥିତିରେ କୋଇଲା ମାଫିଆ ବେଧଡ଼କ ଓ ନିରବଚ୍ଛିନ୍ନ ଭାବେ ଚଳାଇ ଆସୁଛନ୍ତି।   ବସୁନ୍ଧରା ବ୍ୟତୀତ ସ୍ଥାନୀୟ କେତେକ ହୋଟେଲ ଓ ଢାବା ତଥା ଇଟାଭଟା ଏବଂ କୁଚିଆ କୋଇଲା ଚୋରା ବେପାରୀଙ୍କୁ ରେଙ୍ଗାଲିର ତଳବିରା (୨) କୋଲାଖଣି ଅଞ୍ଚଳରୁ ଚୋରାରେ କୋଇଲା ଆସଥିବାର ଅଭିଯୋଗ ହେଉଛି।ବସୁନ୍ଧରା ଓ କୁଲଡ଼ା ମାଇନ୍ସ ଏରିଆରୁ ଏବେ ସୁପରିକଳ୍ପିତ ଭାବେ କୋଇଲା ଚୋରି ହେଉଥିବା ତଥା ଖୋଦ‌୍‍ ପୋଲିସ ଏସ‌୍‍କଟ‌୍‍ର୍ରେ ବହୁ ଟ୍ରକ‌୍‍ କୋଇଲା ଖଣି ଅଂଚଳରୁ ବାହାରି ଚାଲାଣ ହେଉଛି।ଏହି କାରବାର ସହିତ ସ୍ଥାନୀୟ କେତେକ ଅଣଓଡ଼ିଆ କୋଇଲା ମାଫିଆ ସକ୍ରୀୟ  ଭାବେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଉଲ୍ଲେଖ ଥାଉକି, ଦୀପକ କୁମାର ସ୍ଥାନୀୟ ଆରକ୍ଷୀ ଅଧୀୀକ୍ଷକ ଥିବା ସମୟରେ ଚୋରା କୋଇଲା ଧରପଗଡ଼ ଅଭିଯାନକୁ ଜୋରଦାର କରିଥିଲେ। ଏଭଳିକି ତାଙ୍କ ସମୟରେ କୋଲ‌୍‍ ବିଅରିଂ ଏରିଆରେ ଚାଲିଥିବା ଏକ ଅଣଓଡ଼ିଆ ବ୍ୟବସାୟୀ ନିଜର ଏକ ସ୍ୱତନ୍ତ୍ର କୋଇଲାଖଣି ଖୋଲାଇ ପ୍ରଚୁର ପରିମାଣରେ କୋଇଲା ଚୋରାରେ ବାହାର ଅଞ୍ଚଜଳକୁ ଚାଲାଣ କରୁଥିଲେ।  ତେବେ କୋଇଲା ଚୋରା ଚାଲାଣ ରୋକିବା ପାଇଁ ସରକାରଙ୍କ ଖଣି ବିଭାଗ କୌଣସି ଦୃଢ ନିୟାମକ ପ୍ରସ୍ତୁତ କରୁ ନାହିଁ ବୋଲି ଅଭିଯୋଗ ହେଉଥିବା ବେଳେ ଏହା ଦ୍ୱାରା ନିୟମିତ ଭାବେ କୋଟି କୋଟି ଟଂକାର ରାଜସ୍ୱ କ୍ଷତି ହେଉଛି। ସାଂପ୍ରତିକ ସ୍ଥିତିରେ ଏହି କୋଇଲା ଚୋରି ରୋକିବା ପାଇଁ ନୂତନ ଏସ‌୍‍.ପି. କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରିବେ ବୋଲି ଅଞ୍ଚଳବାସୀ ଆଶା ପୋଷଣ କରିଛନ୍ତି।

Share :