୧୧୦୯  ଆକ୍ରାନ୍ତ , ୧୬୪ ଚିକିତ୍ସାଧୀନ, ୨ ମୃତ

୧୧୦୯  ଆକ୍ରାନ୍ତ , ୧୬୪ ଚିକିତ୍ସାଧୀନ, ୨ ମୃତ

Share :

  ରାଜ୍ୟରେ ଡେଙ୍ଗୁ ପରିସ୍ଥିତି ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସମୀକ୍ଷା କରିଛନ୍ତି। ଡେଙ୍ଗୁ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୧୧୦୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୬୪ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ୨ ଜଣଙ୍କର ମୃତ୍ୟୁ ଘଟିଛି।  ଏ ପର୍ଯ୍ୟନ୍ତ ୪୯୫୫ ଜଣଙ୍କ ରକ୍ତ ନମୂନା ପରୀକ୍ଷାରୁ ମୋଟ ୧୧୦୯ ଜଣ ଆକ୍ରାନ୍ତ ଥିବା ପ୍ରକାଶ।   ବିଭିନ୍ନ ଡାକ୍ତରଖାନାରେ ମୋଟ ୩୬୬ ଜଣ ଚିକିତ୍ସା ପାଇଁ ଭର୍ତି ହୋଇଥିବା ବେଳେ ୨୦୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି। କଟକ ଏସ‌୍‍.ସି.ବି ମେଡିକାଲ କଲେଜ ଓ ହସପିଟାଲରେ ୧୨୭ ଜଣ, କେନ୍ଦୁଝରରେ ୧୦ ଜଣ, ବଡବିଲରେ ୨୩ ଜଣ ଓ କ୍ୟାପିଟାଲ ହସପିଟାଲରେ ଜଣେ ଚିକିତ୍ସାଧିନ ଥିବା ଜଣାପଡିଛି। ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ପରୀକ୍ଷା ପାଇଁ ଏଲିଜା ମେସିନ ଉପଲବ୍ଧ କରାଯାଇଛି। ଛୁଟି ଦିନମାନଙ୍କରେ ମଧ୍ୟ ଡେଙ୍ଗୁ ରୋଗୀଙ୍କର ସମସ୍ତ ପ୍ରକାର ପରୀକ୍ଷା ଆଦି କରାଯାଉଛି। ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ନିମନ୍ତେ ରକ୍ତ ବା ପ୍ଲେଟଲେଟର କୌଣସି ଅଭାବ ନାହିଁ। ସେମାନଙ୍କ ଚିକିତ୍ସା, ଆବଶ୍ୟକ ପରୀକ୍ଷା ଏବଂ ପ୍ଲେଟଲେଟ ଆଦି ମାଗଣାରେ ଯୋଗାଇ ଦେବା ପାଇଁ ସରକାର ବ୍ୟବସ୍ଥା କରିଥିବା ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି।   ଜୁଲାଇ ୧୪ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ କେନ୍ଦୁଝର ଜିଲ୍ଲାରେ ୭୨୫, କଟକରେ ୧୯୯, ଯାଜପୁରରେ ୨୭, ଭଦ୍ରକରେ ୩୨, କେନ୍ଦ୍ରାପଡାରେ ୨୫, ବାଲେଶ୍ୱରରେ ୧୦, ଖୋର୍ଦ୍ଧାରେ ୧୮ ଏବଂ ପୁରୀ ଜିଲ୍ଲାରେ ୨୨ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। କଟକ ଜିଲ୍ଲ‌୍‍ା ଜଗତପୁର ଶିଳ୍ପାଚଂଳରୁ ଅଧିକ ସଂଖ୍ୟକ ରୋଗୀ ଆକ୍ରାନ୍ତ ହେଉଥିବା ଦୃଷ୍ଟିରୁ ସେଠାକାର ପରିବେଶ ପରିସ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଆରୋପ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ବଡବିଲ ଅଂଚଳରେ ଡେଙ୍ଗୁ ଆକ୍ରାନ୍ତ ହାର କ୍ରମଶଃ ହ୍ରାସ ପାଉଥିବା ଜଣାପଡିଛି।   ଜଗତପୁର ସମେତ ବିଭିନ୍ନ ଶିଳ୍ପାଂଚଳଗୁଡିକରେ ପରିବେଷ ପରିସ୍କାର ପରିଚ୍ଛନତା ପାଇଁ ଶିଳ୍ପ ବିଭାଗ ପ୍ରମୁଖ ସଚିବ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କ ଉପସ୍ଥିତିରେ ଜୁଲାଇ ୧୩ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି। ଉକ୍ତ ବୈଠକରେ ପୌର ପ୍ରଶାସକ , ଇଡକୋ ଏବଂ ପ୍ରଦୂଷଣ ବୋର୍ଡର ପଦାଧିକାରୀଙ୍କ ସମେତ ଅନ୍ୟାନ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।   ଏହି ବୈଠକରେ ଡେଙ୍ଗୁ ନିୟନ୍ତ୍ରଣ ନିମନ୍ତେ  ସଚେତନତା, ମଶାବଂଶ ବୃଦ୍ଧି ସ୍ଥାନ ଗୁଡିକୁ ନଷ୍ଟ କରାଯିବା, ଆକ୍ରାନ୍ତଙ୍କ ଚିକିତ୍ସା ଆଦି ଉପରେ ବିଶଦ ଆଲୋଚନା କରାଯାଇଥିଲା। ସଚିବାଳୟଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା, ଏସ‌୍‍.ସି.ବି ମେଡିକାଲ କଲେଜ ଓ ହସପିଟାଲ ଭେଷଜ ବିଭାଗ ମୁଖ୍ୟ ଡାଃ ଡି.ଏନ‌୍‍.ମହାରଣା, ନୋଡାଲ ଅଫିସର ଏସ‌୍‍.ସି.ବି ଫ୍ରଫେସର ଡାଃ ସି.ବି.କେ ମହାନ୍ତି, ଅଧୀକ୍ଷକ ଡାଃ ପ୍ରତାପ ରଥ, ଏସ‌୍‍.ସି.ବି ରକ୍ତ ଭଣ୍ଡାର, କେନ୍ଦ୍ରୀୟ ରକ୍ତଭଣ୍ଡାର ଏବଂ କ୍ୟାପିଟାଲ ହସପିଟାଲ ରକ୍ତଭଣ୍ଡାରର ଅଧିକାରୀ, ଜନସ୍ୱାସ୍ଥ୍ୟ ନିଦ୍ଦେର୍ଶକ ଡାଃ କେ.ସି ଦାଶ ଏବଂ ଯୁଗ୍ମ ନିଦ୍ଦେର୍ଶକ (ଏନ‌୍‍.ଭି.ବି.ଡି.ସି.ପି) ଡାଃ ମଦନ ମୋହନ  ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। (ପ୍ରଭାକର ସାହୁ) 

Share :