ଭ୍ରାତୃଭାବ ହିଁ ଜାତୀୟ ସଂହତି

ଭ୍ରାତୃଭାବ ହିଁ ଜାତୀୟ ସଂହତି

Share :

  କିଟ‍୍‌ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ସଂହତି ଶିବିର ଉଦ‍୍‌ଘାଟିତ ହୋଇଯାଇଛି। ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଓଡ଼ିଶାସ୍ଥିତ ଏନ‍୍‌ଏସ‍୍‌ଏସ‍୍‌ ଆଞ୍ଚଳିକ ନିର୍ଦ୍ଦେଶାଳୟ ସହଯୋଗରେ ଜୁଲାଇ ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲୁଥିବା ଏହି ଜାତୀୟ ସଂହତି ଶିବିରର ଉଦ‍୍‌ଘାଟନୀ ଦିବସରେ ଭାରତସ୍ଥିତ ଟୋଗୋ ଦୂତାବାସର ଚାର୍ଜ ଡି ଅଫ୍ୟାୟାର୍ସ କାନୀ ଗାଲି ଲୋଗୋସୁ ଟେକୋ, ଓଡ଼ିଶା ଉଚ୍ଚଶିକ୍ଷା, ବିଜ୍ଞାନ ଓ କାରିଗରୀମନ୍ତ୍ରୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ତଥା ବୈଷୟିକ ଶିକ୍ଷା ଓ ତାଲିମ, ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, କିଟ‍୍‌ ଓ କିସ‍୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ‍୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପି ପି ମାଥୁର ଓ କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।   କିଟ‍୍‌ରେ ଦ୍ୱିତୀୟ ଥର ପାଇଁ ଆୟୋଜିତ ହୋଇଥିବା ଏହି ଶିବିରକୁ ଉଦ‍୍‌ଘାଟନ କରି ଶ୍ରୀ ଟେକୋ କହିଲେ ଦେଶର ବିକାଶରେ ଜାତୀୟ ସଂହତିର ପ୍ରମୁଖ ଭୂମିକା ରହିଛି। ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ବିଶେଷତ୍ୱ। ଯୁବକମାନେ ହେଉଛନ୍ତି ବିଶ୍ୱର ଭବିଷ୍ୟତ। ରାଜ୍ୟ-ରାଜ୍ୟ ଓ ଦେଶ-ଦେଶ ମଧ୍ୟରେ ଏକତା ଓ ଭ୍ରାତୃତ୍ୱ ଭାବ ରହିଲେ ବିଶ୍ୱରେ ଶାନ୍ତି ଓ ସଂହତି ଆସିପାରିବ। ସେ ଆହୁରି ମଧ୍ୟ କହିଲେ, ଜାତି, ଧର୍ମ, ବର୍ଣ୍ଣ, ସଂସ୍କୃତି, ରାଜ୍ୟ, ଦେଶ ନିର୍ବିଶେଷରେ ପ୍ରତ୍ୟେକଙ୍କ ମଧ୍ୟରେ ବିଶ୍ୱ ଭ୍ରାତୃଭାବ ରହିବା ଆବଶ୍ୟକ। କିଟ‍୍‌ ଓ କିସ‍୍‌ ହେଉଛି ଜାତୀୟ ସଂହତିର ସବୁଠାରୁ ବଡ଼ ଉଦାହରଣ ବୋଲି ସେ କହିଥିଲେ। ଦେଶର ପ୍ରତ୍ୟେକ ଯୁବକ ଭାରତକୁ ବୁଝିବା ଦରକାର ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ। ବର୍ତ୍ତମାନ ପରିସ୍ଥିତିରେ ଏକତା ଓ ଶାନ୍ତି ଯେ କୌଣସି ରାଷ୍ଟ୍ର ପାଇଁ ଏକ ବଡ଼ ଚ୍ୟାଲେଞ୍ଚ ହୋଇଛି। ବିଶ୍ୱର ସମସ୍ତେ ଶାନ୍ତି ଓ ସ୍ଥିରତା ଚାହାନ୍ତି। କିନ୍ତୁ ଶାନ୍ତି ଓ ସ୍ଥିରତା ଆଣିବା ଏକ ସହଜ ବ୍ୟାପାର ନୁହେଁ। ସଫଳତାର ଚାବିକାଠି ହେଉଛି ଶାନ୍ତି ଓ ସ୍ଥିରତା। ଯୁବକମାନେ ଏଭଳି ଚ୍ୟାଲେଞ୍ଜର ମୁକାବିଲା କରିପାରିବେ ବୋଲି ସେ କହିଥିଲେ।   ଶ୍ରୀ ଦାସବର୍ମା ତାଙ୍କ ଅଭିଭାଷଣରେ ଜାତୀୟତା ଓ ଉତ୍ସର୍ଗୀକୃତ ସେବା ହେଉଛି ଜାତୀୟ ସେବା ଯୋଜନାର ମୂଳ ଉଦ୍ଦେଶ୍ୟ ବୋଲି କହିଥିଲେ। ଜାତୀୟ ସଂହତି ଶିବିର ଯୁବକମାନଙ୍କୁ ସେମାନଙ୍କ ମଧ୍ୟରେ ଥିବା ସାମର୍ଥ୍ୟକୁ ଅନୁଭବ କରିବା ସହ ଏହାକୁ ସମାଜ ତଥା ଦେଶର ବିକାଶରେ ବିନିଯୋଗ କରିବାର ପ୍ରେରଣା ଦେଇଥାଏ। ଏହି ଶିବିରରେ ଯୋଗ ଦେଇଥିିବା ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନେ ନେତୃତ୍ୱ ନେବା ଏବଂ ବ୍ୟକ୍ତିତ୍ୱ ବିକାଶର ସୁଯୋଗ ପାଇବେ ବୋଲି ସେ କହିଥିଲେ। ଡ. ପାଟ୍ଟଶାଣୀ ଶିବିରାର୍ଥୀଙ୍କୁ ଉତ୍ସାହିତ କରି କହିଥିଲେ, ଶ୍ରୀ ଜଗନ୍ନାଥ ହେଉଛନ୍ତି ବିଶ୍ୱ ସଂହତିର ପ୍ରତୀକ। ଯୁବକମାନଙ୍କ ମଧ୍ୟରେ ଏକତା ଓ ସଂହତି ରହିବା ଆବଶ୍ୟକ। ଯୁବକମାନେ ବିଶ୍ୱସ୍ତରୀୟ ଚିନ୍ତାଧାରା ରଖିବା ସହ ସ୍ଥାନୀୟସ୍ତରରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ।   ସେହିପରି ବିଧାୟକ ଶ୍ରୀ ମିଶ୍ର ଯୁବ ଶକ୍ତିର ସାମର୍ଥ୍ୟ ଓ ଦେଶ ଗଠନରେ ସେମାନଙ୍କ ଭୂମିକା ସଂପର୍କରେ କହିଥିଲେ। ଶ୍ରୀ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ, ଜାତୀୟ ସଂହତି କ୍ଷେତ୍ରରେ କିଟ‍୍‌ ଓ କିସ‍୍‌ ହେଉଛି ଜ୍ୱଳନ୍ତ ଉଦାହରଣ। କିଟ‍୍‌ ବିଶ୍ୱବିଦ୍ୟାଳୟରେ ଭାରତର ୩୦ଟି ରାଜ୍ୟରୁ ବିଭିନ୍ନ ଧର୍ମ, ଜାତି ଓ ସଂପ୍ରଦାୟର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଦେଶର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୁଳପତି ପ୍ରଫେସର ପି ପି ମାଥୁର ଏବଂ କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ ଦେଶର ପ୍ରଗତିରେ ଯୁବକମାନଙ୍କ ଭୂମିକା ସଂପର୍କରେ କହିଥିଲେ।   ଶେଷରେ କିଟ‍୍‌ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବିଭାଗର ସଂଯୋଜକ ପ୍ରଫେସର ସୁଶାନ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରରେ ତାମିଲ‍ନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ସିକିମ‌ ଆଦି ୧୧ଟି ରାଜ୍ୟ ଓ ଓଡ଼ିଶାର ୧୦ଟି ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନେ ଯୋଗ ଦେଇଛନ୍ତି।

Share :