ସ୍ପିକମ୍ୟାକେର ଅଭିନବ - ଅହୋରାତ୍ର ଶାସ୍ତ୍ରୀୟ ସଙ୍ଗୀତର ଆଧ୍ୟାତ୍ମିକ ଅନୁଭୂତି
 

ସ୍ପିକମ୍ୟାକେର ଅଭିନବ - ଅହୋରାତ୍ର ଶାସ୍ତ୍ରୀୟ ସଙ୍ଗୀତର ଆଧ୍ୟାତ୍ମିକ ଅନୁଭୂତି  

Share :

ଧନଦା କାନ୍ତ ମିଶ୍ର ଗତ ବର୍ଷ ଡ଼ିସେମ୍ବର 28 ତାରିଖ ସ୍ପିକ୍ମାକେ ଆନୁକୂଲ୍ୟରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଗ୍ରାମୀଣ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଏକ ବିଶେଷ ସାପ୍ତାହିକ କାର୍ଯକ୍ରମର ଉଦ୍ଯାପନ ସମାରୋହ ଅନୁଷ୍ଠିତ ହେଉଥାଏ | ପ୍ରାୟ 13-14ଟି ଜିଲ୍ଲାର ବିଭିନ୍ନ ସରକାରୀ ସ୍କୁଲର 8ମ - 10ମ ଶ୍ରେଣୀର ପ୍ରାୟ 300 ପିଲାଙ୍କ ପାଇଁ ଶେଷ ରାତିଟି ଥିଲା ବିଶେଷ ଆକର୍ଷଣ | ସେଦିନ ସବୁ ପିଲାଙ୍କୁ କୁହା ହୋଇଥିଲା ଅପରାହ୍ଣରେ ଠିକ୍ ଭାବରେ ବିଶ୍ରାମ କରିବା ପାଇଁ| କାରଣ ଶେଷ ରାତିଟିରେ କାର୍ଯକ୍ରମ ଥିଲା ପୂରା ରାତି ପାଇଁ | ଏଥିରେ ସଙ୍ଗୀତ ପରିବେଷଣ କରିଥିଲେ ଭାରତର ବିଶିଷ୍ଟ ସଙ୍ଗୀତଜ୍ଞ ମାନେ | ସ୍ପିକ୍ମାକେର ପ୍ରତିଷ୍ଠାତା - ଆଇ.ଆଇ.ଟି ଦିଲ୍ଲୀ ପ୍ରଫେସର ଡ. କିରଣ ସେଠ୍ ପିଲାଙ୍କୁ କହିରଖିଥାନ୍ତି ଏହି କାର୍ଯକ୍ରମର ଗୁରୁତ୍ବ ବିଷୟରେ | ଏପରିକି ଯେଉଁ ପିଲାମାନେ ସାରା ରାତି ଉଜାଗର ରହିବେ ସେମାନେ ଏକ ଅପୁର୍ବ ଅଭିଜ୍ଞତା ହାସଲ କରିବେ | ପାହାନ୍ତା ପହରରେ ଉସ୍ତାଦ ଆସିଫ୍ଉଦ୍ଦିନ ଡାଗରଙ୍କର ଗୁରୁଗମ୍ଭୀର କଣ୍ଠରେ ଧ୍ରୁପଦ୍ ସଙ୍ଗୀତର ଆଳାପ ଶୁଣୁଶୁଣୁ ଆଖି ଲାଗି ଯାଇଥିଲା ଅନେକ ଶ୍ରୋତାଙ୍କର| କିନ୍ତୁ ସୃଷ୍ଟି ହୋଇଥିଲା ଏକ ସଙ୍ଗୀତମୟ ଧ୍ୟାନ /ଯୋଗ ପୂତ ବାତାବରଣ | ଯେଉଁମାନେ ସାରା ରାତି ଶୁଣି ସାରିଥିଲେ ବିଦୁଷୀ ଗିରିଜା ଦେବୀ କଣ୍ଠ ସଙ୍ଗୀତ, ଶ୍ରୀମତୀ ଏନ୍ ରାଜମଙ୍କ ବେହେଲା ବାଦନ, ଉସ୍ତାଦ ଶହୀଦ ପରଭେଜଙ୍କ ସୀତାର, ପଣ୍ଡିତ ତେଜେନ୍ଦ୍ର ମଜୁମଦାରଙ୍କ ସରୋଜ୍, ସେମାନଙ୍କ ପାଇଁ ଶେଷ କାର୍ଯକ୍ରମଟି ଥିଲା ଏକ ଇନ୍ଦ୍ରିୟାତୀତ ଆଧ୍ୟାତ୍ମିକ ଅନୁଭୁତ ହାସଲ କରିବାର ସୁବର୍ଣ୍ଣ ସୁଯୋଗ | ସେଥିପାଇଁ ବୋଧେ ଡ କିରଣ ସେଠ୍ କହି ରଖିଥିଲେ ଯେ ଶେଷ ପର୍ଯନ୍ତ ଉଜାଗର ରହିବ| ଶେଷ ପାହାନ୍ତା ପହରରେ ଏକ ସ୍ବର୍ଣ୍ଣ ଚଢ଼େଇ ଦେଖିବ | ଭାରତର ଯୁବ ବର୍ଗଙ୍କ ମଧ୍ୟରେ ଭାରତୀୟ ପ୍ରାଚୀନ ପରମ୍ପରା ଓ ସଂସ୍କୃତିକୁ ପରିଚିତ କରିବା ପାଇଁ ପ୍ରତିଷ୍ଠିତ ସ୍ପିକ୍ମାକେ ବିଗତ 30 ବର୍ଷରୁ ଅଧିକ ସମୟ ଧରି ପରୀକ୍ଷା ନିରୀକ୍ଷା ଚଳାଇ ଆସିଛି | ଏହାର ବିଭିନ୍ନ ପ୍ରୟାସ ମଧ୍ୟରେ ସାରାରାତି ଶାସ୍ତ୍ରୀୟ ସଙ୍ଗୀତ କାର୍ଯକ୍ରମ ସମ୍ପୂର୍ଣ୍ଣ ଅଭିନବ ଉଦ୍ୟମ| କୋମଳମତି ବାଳକ ବାଳିକା ଓ କିଶୋର କିଶୋରୀ ମାନଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରା ସହ ଯୋଡ଼ିବା ପାଇଁ ଆମର ପ୍ରାଚୀନ ଶାସ୍ତ୍ରୀୟ, ଲୋକ କଳା, ନୃତ୍ୟସଙ୍ଗୀତ, ଯୋଗ ଆଦି ଏକ ଉତ୍କୃଷ୍ଟ ମାଧ୍ୟମ | ଏହା ଦ୍ବାରା ହଜାର ହଜାର ବର୍ଷର ଇତିହାସ, ପରମ୍ପରା ଓ ତା ମଧ୍ୟରେ ନିହିତ ଚିନ୍ତା, ଚେତନା, ସାହିତ୍ୟ, ଆଧ୍ୟାତ୍ମିକତା ଆଦିକୁ ଆଜିର ଯୁବ ସମାଜ ପାଖରେ ପହଞ୍ଚାଇବାର ଅତ୍ୟନ୍ତ ଆବଶ୍ୟକ ଉଦ୍ୟମର ନାମ ହିଁ ସ୍ପିକ୍ମାକେ -ଯାହା ଆଜି ଏକ ଆନ୍ଦୋଳନର ସ୍ବରୂପ ନେଇଛି କହିଲେ ଅତ୍ୟୁକ୍ତି ହେବନାହିଁ | ସ୍ପିକ୍ମାକେର ବିଭିନ୍ନ କାର୍ଯକ୍ରମ ମଧ୍ୟରେ ଲେକ୍-ଡେମ୍ ବା ବାଖ୍ୟା ପରିବେଷଣ, ବୈଠକ, ଗୁରୁକୁଳ ଅନୁଭୂତି, ଜାତୀୟ ସମାରୋହ, ବୀରାସତ ଓ ଉତ୍ସବ ଅନ୍ତର୍ଭୁକ୍ତ | ଏସବୁ ମାଧ୍ୟମରେ ଯୁବବର୍ଗ ବିଶେଷ କରି ଛାତ୍ରଛାତ୍ରୀଙ୍କୁ ଏ ଦିଗରେ ଆକୃଷ୍ଟ କରିବାର ସଫଳ ଉଦ୍ୟମ କରାଯାଇପାରିଛି | ସ୍ପିକ୍ ମାକେର ପ୍ରତିଷ୍ଠାତା ଡ.କିରଣ ସେଠ୍ ଯେତେବେଳେ ଆଇ.ଆଇ.ଟି ଖଡ଼ଗପୁରରେ ଅଧ୍ୟୟନ କରୁଥିବାବେଳେ ସେଠାରେ ଆୟୋଜିତ ବାର୍ଷିକ ନୃତ୍ୟସଙ୍ଗୀତ ସମାରୋହରେ ଭାଗ ନେଉଥିଲେ, ସେ ହୁଏତ ଜାଣିନଥିଲେ ଏହା ତାଙ୍କ ଜୀବନକୁ କେତେ ଗଭୀର ଭାବରେ ପ୍ରଭାବିତ କରିବ | ଏହି ସମାରୋହରେ ଏକ ଅହୋରାତ୍ର ଶାସ୍ତ୍ରୀୟ ସଙ୍ଗୀତ କାର୍ଯକ୍ରମ ମଧ୍ୟ ଅନ୍ତର୍ଭୁକ୍ତ ଥିଲା | ଯଦିଓ କିରଣ ଓ ତାଙ୍କର ଯୁବ ବନ୍ଧୁ ବର୍ଗଙ୍କ ମଧ୍ୟରେ ଶାସ୍ତ୍ରୀୟ ସଙ୍ଗୀତରେ ବିଶେଷ ଆଗ୍ରହ ନଥିଲା ତଥାପି ପ୍ରତି ବର୍ଷ ସେମାନେ ସାଙ୍ଗ ହୋଇ ରାତ୍ରି ଅନିଦ୍ରା ରହି ଏହି କାର୍ଯକ୍ରମରେ ଭାଗ ନେଉଥିଲେ ଏବଂ ଏହାର ପ୍ରଭାବରେ ତାଙ୍କ ଅବଚେତନରେ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ଏକ ପ୍ରାରମ୍ଭିକ ଆଗ୍ରହ ସୃଷ୍ଟି ହୋଇଥିଲା - ଯାହା ପରବର୍ତ୍ତୀ ସମୟରେ ତାଙ୍କ ଜୀବନ, ବ୍ୟକ୍ତିତ୍ବ ଓ କାର୍ଯ ଉପରେ ବିରାଟ ପ୍ରଭାବ ପକାଇଥିଲା | ସ୍ପିକ୍ମାକେର ପ୍ରତ୍ୟେକ ବାର୍ଷିକ ରାଜ୍ୟ, ଜାତୀୟ ଓ ବର୍ତ୍ତମାନର ଅନ୍ତର୍ଜାତୀୟ ଅଧିବେଶନର ଶେଷଦିନ ରାତିରେ ଅହୋରାତ୍ର ଶାସ୍ତ୍ରୀୟ ସଙ୍ଗୀତ ଆୟୋଜନ କରାଯାଇଥାଏ | ଏକ ସପ୍ତାହରେ ସମ୍ପୂର୍ଣ୍ଣ ଭାବରେ ବିଭିନ୍ନ କଳା ଓ ସାଂସ୍କୃତିକ କାର୍ଯକ୍ରମରେ ନିବିଡ଼ ଭାବରେ ଭାଗ ନେବା ପରେ ଶେଷ ଦିବସର ଅହୋରାତ୍ର ସଙ୍ଗୀତ କାର୍ଯକ୍ରମଟି ସମସ୍ତଙ୍କ ପାଇଁ ବିଶେଷ ଆକର୍ଷଣ ହୋଇଥାଏ | ଏଥିରେ ଦେଶର ସବୁଠାରୁ ଖ୍ୟାନାମା କଳାକାରମାନେ କଣ୍ଠ ସଙ୍ଗୀତ ଓ ବାଦ୍ୟସଙ୍ଗୀତ ପରିବେଷଣ କରିଥାନ୍ତି| ଶେଷରେ ସକାଳର ବ୍ରାହ୍ମ ମୁହୂର୍ତ୍ତରେ ଧ୍ରୁପଦ ଗାୟନରେ ଏହି କାର୍ଯକ୍ରମ ପରିସମାପ୍ତ ହୋଇଥାଏ | ଅନେକ ସମୟରେ ମୁଁ ଦେଖିଛି ବହୁ ଚେଷ୍ଟା ସତ୍ତ୍ବେ ଅନେକ ଶୋଇ ପଡନ୍ତି| ଅନେକ ଏହି କାର୍ଯକ୍ରମକୁ ସମାଲୋଚନା ମଧ୍ୟ କରନ୍ତି ଯେ ଏହା କୋମଳମତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ପରିବର୍ତ୍ତେ ବରଂ ସେମାନଙ୍କୁ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ବୀତସ୍ପୃହ କରେ | କିନ୍ତୁ ଏପରି ଚିନ୍ତା ସମ୍ପୁର୍ଣ୍ଣ ଭାବରେ ଅଯୁକ୍ତିକର | ଭାରତୀୟ ପରମ୍ପରାରେ ’ଜାଗରଣ’ର ଅତି ପୁରାତନ ପ୍ରଥା ରହି ଆସିଛି | ସାରା ରାତି ଉଜାଗର ରହି ପୂଜା ଉପାସନା କରିବାର ରୀତି ମହାଶିବରାତ୍ରୀ, ଦୂର୍ଗାପୂଜା, କାଳିପୁଜା ଆଦିରେ ଏବେ ମଧ୍ୟ ଦେଖିବାକୁ ମିଳୁଛି | ଏହା ମାଧ୍ୟମରେ ଭକ୍ତ ନିଦ୍ରାକୁ ତ୍ୟାଗ କରି, ସଙ୍ଗୀତ, ଭଜନ, ଶ୍ଲୋକପାଠ ଆଦି ମାଧ୍ୟମରେ ଏକ ବ୍ରତ ବା ଧର୍ମ ପାଳନ କରିଥାଏ | ଏପରି ପୂଜାକର୍ମରେ ପ୍ରଦୀପ ପ୍ରଜ୍ବଳନ କରି ରଖିବା ଓ ଜ୍ୟୋତି ମଧ୍ୟରେ ଆରାଧ୍ୟ ଦେବା ଦେବୀଙ୍କୁ ପରିକଳ୍ପନା କରିବା ମଧ୍ୟ ଏକ ସାଧାରଣ ପ୍ରଥା | ଶବ୍ଦ ଓ ଆଲୋକର ବିଭିନ୍ନ ଯୋଗ ଓ ପ୍ରାଣାୟମ ପ୍ରକ୍ରିୟାରେ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ରହିଥାଏ | ବୃହଦ୍ ଆରଣ୍ୟକ ଉପନିଷଦର ଶ୍ଲୋକ - ଅସତୋ ମା ସଦଗମୟ ତମସୋ ମାଂ ଜ୍ୟୋତିର୍ଗମୟ ମୃର୍ତ୍ୟୋର୍ମା ଅମୃତଙ୍ଗମୟ ଅର୍ଥାତ୍ ଅସତ୍ୟ ସତ୍ୟ, ଅନ୍ଧାରରୁ ଆଲୋକ ମୃତ୍ୟୁରୁ ଅମରତ୍ବ ଆଡ଼କୁ ହେ ଇଶ୍ବର ମୋତେ ବାଟ ଦେଖାଅ | ଗୁରୁ ଗ୍ରନ୍ଥ ସାହେବରେ ଅଛି -  ‘ଏକ୍ ନୁର ତେ ସବ୍ ଜଗ ଉପଯେୟା‘| ଅର୍ଥାତ୍ ସେହି ଗୋଟିଏ ଜ୍ୟୋତିରୁ ସମଗ୍ର ଜଗତ ସୃଷ୍ଟି ହୋଇଛି | ଠିକ୍ ସେହିପରି ବାଇବେଲରେ ଲେଖା ଅଛି-  ‘ଲେଟ୍ ଦେଆର୍ ବି ଲାଇଟ୍ ଆଣ୍ଡ୍ ଦେଆର ଉଆଜ୍ ଲାଇଟ| ଅର୍ଥାତ୍ ଭଗବାନ କହିଲେ - ଆଲୋକ ସୃଷ୍ଟି ହେଉ ଏବଂ ସଙ୍ଗେସଙ୍ଗେ ଅନ୍ଧକାରମୟ ପୃଥୀବି ଆଲୋକରେ ଉଦ୍ଭାସିତ ହେଲା | ଇସ୍ଲାମ୍ର ସୁଫି ପରମ୍ପରାରେ ଉଦବୁଧ ସନ୍ଥ କବୀର ଲେଖିଛନ୍ତି -             ‘ସୁଖିୟା ସବ୍ ସଂସାର ହୈ, ଖାୟେ ଔର ଶୋୟେ             ଦୁଃଖୀୟା ଦାସ୍ କବୀର ହୈ, ଜାଗେ ଔର ରୋୟେ || ଅର୍ଥାତ୍ ସୁଖୀ ସଂସାର ଖାଇବା ଓ ଶୋଇବାରେ ସମୟ ବିତାଏ କିନ୍ତୁ ଦୁଃଖୀ କବୀର ଦାସ ଜାଗରଣ କରେ ଏବଂ କାନ୍ଦେ | ଏଠାରେ ସନ୍ଥ କବୀର ନିଜର ଆଧ୍ୟାତ୍ମିକତାର ପରିଚୟ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଯାହାର ଜାଗରଣ ସହ ଗଭୀର ସମ୍ପର୍କ ରହିଛି | ଏହି ସବୁ ଉଦାହରଣରୁ ବିଭିନ୍ନ ଆଧ୍ୟାତ୍ମିକତାର ପରମ୍ପରାରେ ଜ୍ୟୋତି, ଜାଗରଣ ଓ ବିଭିନ୍ନ ମାଧ୍ୟମରେ ଭଗବତ୍ ଅନ୍ବେଷଣର ସମ୍ଯକ ପରିଚୟ ମିଳେ | ସ୍ପିକ୍ମାକେର ଅହୋରାତ୍ର ଶାସ୍ତ୍ରୀୟ ସଙ୍ଗୀତର ଉଦ୍ଦେଶ୍ୟ ଏହିପରି ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ଯେଉଁଠି ଯଥେଷ୍ଟ ଆଗ୍ରହ ବା ଜ୍ଞାନ ନଥାଇ ମଧ୍ୟ ଯୁବ ବର୍ଗ ଏପରି ଏକ ନିଆରା ଅନୁଭୂତି ପାଇପାରିବେ ଯାହା ତାଙ୍କର ଅବଚେତନ ଓ ଭବିଷ୍ୟତ ଜୀବନକୁ ଗଭୀର ରୁପରେ ପ୍ରଭାବିତ କରିବ | ଆମେ ଅନେକ ସମୟରେ ଆମୋଦ ପ୍ରମୋଦ ପାଇଁ ଯଥା ଯାତ୍ରା ଦେଖିବା ପାଇଁ ବା ନୃତ୍ୟଗୀତର / ଡିସ୍କୋ ଆସରରେ ବିଳମ୍ବ ରାତି ପର୍ଯନ୍ତ ବା ବେଳେ ବେଳେ ପାହାନ୍ତା ପହର ପର୍ଯ‘ନ୍ତ ସମୟ ଦେଇଥାଉ | ଏପରି ପରିବେଶ ଅନେକ ସମୟରେ ମାଦକ ଦ୍ରବ୍ୟ ବା ଅନ୍ୟ ନିଶାର ବ୍ୟବହାର ମଧ୍ୟ ପ୍ରାୟ ଦେଖାଯାଇଥାଏ | କିନ୍ତୁ ସ୍ପିକ୍ମାକେର ଅହୋରାତ୍ର ଶାସ୍ତ୍ରୀୟ ସଙ୍ଗୀତ କାର୍ଯକ୍ରମ ଏହାର ସମ୍ପୂର୍ଣ୍ଣ ବିପରୀତ ଉଦ୍ଦେଶ୍ଯରେ ଦର୍ଶକ / ଶ୍ରୋତା ମାନଙ୍କୁ ଏକ ଉଚ୍ଚତର ସୋପାନକୁ ନେବାପାଇଁ ଏକ ଉଦ୍ୟମ | ରାତ୍ରୀର ପ୍ରତ୍ୟେ ପ୍ରହରରେ ଉପଯୁକ୍ତ ରାଗ ସଙ୍ଗୀତ ଆଧାରିତ ଆଧ୍ୟାତ୍ମିକ ରଚନା ସବୁର ମନସ୍ତାତ୍ବିକ ପ୍ରଭାବ ମଧ୍ୟ ଯୁବମାନସ ଉପରେ ଖୁବ୍ ସକାରାତ୍ମକ ହୋଇଥାଏ | ଅଭିଜ୍ଞ ସଙ୍ଗୀତଜ୍ଞମାନେ ଏହି ସବୁ ଦିଗକୁ ଦୃଷ୍ଟିରେ ରଖି ଶ୍ରୋତା /ଦର୍ଶକମାନଙ୍କୁ ଏକ ଅପୂର୍ବ ଅନୁଭୁତି ଆଡ଼କୁ ବାଟ କଢ଼ାଇଥାନ୍ତି| ମୁଁ ଆଜି ପର୍ଯ‘ ପ୍ରାୟ 5-7ଟି ଅହୋରାତ୍ର କାର୍ଯକ୍ରମର ଅନୁଭୂତି ପାଇଛି ଓ ଏହାର ଗୁଢ଼ ଉଦ୍ଦେଶ୍ୟକୁ ହୃଦୟଙ୍ଗମ କରିଛି | ଦୁଃଖର କଥା ଏପରି ଅଭିନବ କାର୍ଯକ୍ରମର ସୁଯୋଗ ସମସ୍ତଙ୍କ ଭାଗ୍ୟରେ ନଥାଏ | ଆମର ଶିକ୍ଷା ବ୍ୟବସ୍ଥାରେ ଏକେ ତ କଳା ଓ ସଂସ୍କୃତିର ସ୍ଥାନ ଖୁବ୍ ନଗଣ୍ୟ, ଏଣେ ସ୍ପିକ୍ମାକେ ପରି ଆନ୍ଦୋଳନର ପରିସର ମଧ୍ୟ ସୀମିତ | କିନ୍ତୁ ପ୍ରତ୍ୟେକ ଭାରତୀୟ ଛାତ୍ରାଛାତ୍ରୀ ପାଇଁ ଏପରି ଅଭିଜ୍ଞତାର ସୁଯୋଗ ମୌଳିକ ଶିକ୍ଷାର ଅନ୍ତର୍ଭୁକ୍ତ ହେବା ନିହାତି ଆବଶ୍ୟକ|

Share :