କଳାହାଣ୍ଡିରେ ୧୨୫ କୋଟି ଟଙ୍କାର ଧାନ ସଂଗ୍ରହ

କଳାହାଣ୍ଡିରେ ୧୨୫ କୋଟି ଟଙ୍କାର ଧାନ ସଂଗ୍ରହ

Share :

  ରବି ଋତୁ ପାଇଁ କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୩ ହଜାର ୩୭୯ ଜଣ ଚାଷୀଙ୍କ ଠାରୁ ୮  ଲକ୍ଷ ୭୭ ହଜାର ୬୪୭ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଥିବା ଜଣାପଡିଛି। ମିଲରମାନଙ୍କ ଟାଳଟୁଳ ନୀତି ଯୋଗୁଁ ମଣ୍ଡି ଖୋଲିବାରେ ବିଳମ୍ୱ ହୋଇଥିଲା। ଅନ୍ୟପକ୍ଷରେ ମୌସୁମୀ ଆସିବାରେ ବିଳମ୍ୱ ହୋଇଥିବାରୁ କୌଣସି ପ୍ରକାରେ ଜିଲ୍ଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ପ୍ରାୟ ଶେଷ ହେବାକୁ ଯାଉଛି। ବର୍ଷା ନହେବାରୁ ଚାଷୀ ଧାନ ସଂଗ୍ରହ ପ୍ରଭାବିତ ନହୋଇ ସୁରୁଖୁରୁରେ ଚାଲିଛି।   ସରକାରୀ ତଥ୍ୟ ଅନୁସାରେ ଜୟପାଟଣା ବ୍ଲକରେ ସର୍ବାଧିକ ୫ ହଜାର ୫୧୮ ଜଣ ଚାଷୀଙ୍କଠାରୁ ୩ ଲକ୍ଷ ୭୦ ହଜାର ୩୨୦ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି। ଜୁନାଗଡ ବ୍ଲକରେ ୪ ହଜାର ୫୮୩ ଜଣ ଚାଷୀଙ୍କଠାରୁ ୨ ଲକ୍ଷ ୯୦ ହଜାର ୨୨ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି। କଲମପୁର ବ୍ଲକରେ ୨ ହଜାର ୪୫୫ ଜଣ ଚାଷୀଙ୍କଠାରୁ ୧ ଲକ୍ଷ ୭୯ ହଜାର ୬୫ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି। ଧର୍ମଗଡ ବ୍ଲକରେ ୪୩୩ ଜଣ ଚାଷୀଙ୍କଠାରୁ ୩୦ ହଜାର ୧୨୫ କ୍ୱିଣ୍ଟାଲ, ଗୋଲାମୁଣ୍ଡା ବ୍ଲକରୁ ୧୨ଟ ଚାଷୀଙ୍କଠାରୁ ୧୨ ଶହ ୧୬ କ୍ୱିଣ୍ଟାଲ, କୋକସରା ବ୍ଲକରେ ୧୦୮ ଜଣ ଚାଷୀଙ୍କଠାରୁ ୬ ହଜାର ୮୯୬ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି।   ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ପ୍ରାୟ ୧୨୫ କୋଟି ଟଙ୍କାର ଧାନ ସଂଗ୍ରହ ହୋଇଥିବା ଜଣାପଡିଛି। ଧାନ ବାବଦକୁ ରାଜ୍ୟ ଯୋଗଣ ନିଗମ ପ୍ରଥମ ପର୍ଯ୍ୟାୟରେ ୪୦ କୋଟି ଟଙ୍କା ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କକୁ ପ୍ରଦାନ କରିଥିବା ବେଳେ ଏହି ଟଙ୍କା ଚାଷୀମାନଙ୍କ ଏକାଉଣ୍ଟରେ ଜମା କରାଯାଇଛି। କିଛି ଦିନ ତଳେ ରାଜ୍ୟ ଯୋଗାଣ ନିଗମ ଦ୍ୱିତୀୟ ପର୍ଯ୍ୟାୟରେ ୬୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ୧୦/୧୫ ଦିନ ମଧ୍ୟରେ ଚାଷୀ ମାନଙ୍କ ଏକାଉଣ୍ଟରେ ଅର୍ଥ ଜମା ହୋଇଯିବ ବୋଲି ବିସିସି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।   ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ୩୬ ହଜାର ୪୮୫ ହେକ୍ଟର ଜମିରେ ରବି ଧାନ ଚାଷ ହୋଇଥିଲା। ଚଳିତ ରବି ଋତୁରେ କଳାହାଣ୍ଡି ଜିଲ୍ଲାରେ ୧୬ ଲକ୍ଷ କ୍ୱିଣ୍ଟାଲ ଧାନ ଉପିାଦନ ହେବାର କୃଷି ବିଭାଗ ଆକଳନ କରିଛି। ସେଥି ମଧ୍ୟରୁ ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲାରୁ ୧୦ ଲକ୍ଷ ୩୦ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ଧର୍ମଗଡ ଉପଖଣ୍ଡରେ ୩୭ଟି ମଣ୍ଡି ମଧ୍ୟରୁ ଜୁନାଗଡ ବ୍ଲକର ହାବସପୁର, ଜୟପାଟଣା ବ୍ଲକର ମଙ୍ଗଳପୁର ଓ ରଣମାଲ ମଣ୍ଡି, କଲମପୁର ବ୍ଲକର ବଣ୍ଡାକୁଟୁରୁ, ବିଜମରା ଓ ବନ୍ଧକନା ମଣ୍ଡି ଚାଲୁଥିବା ବେଳେ ବାକି ସମସ୍ତ ମଣ୍ଡିରେ ଧାନ ସଂଗ୍ରହ ସରିଗଲାଣି। ଧର୍ମଗଡ ଉପଖଣ୍ଡରେ ମାତ୍ର ୬ଟି ମଣ୍ଡି ଚାଲିଛି। ଅପରପକ୍ଷେ ବର୍ତ୍ତମାନ ଯାଏଁ ଭବାନୀପାଟଣା ଉପଖଣ୍ଡରେ ଚାଷୀ ଖରାଟିଆ ଧାନ କରିଥିଲେ ହେଁ ସେମାନଙ୍କଠାରୁ ଧାନ ସଂଗ୍ରହ କରିବା ପାଇଁ ମଣ୍ଡି ଖୋଲାଯାଇ ନଥିବାରୁ ଅସନ୍ତୋଷ ପ୍ରାକଶ ପାଉଛି।

Share :