ଅବୈଧ ସହର ଭୁବନେଶ୍ବର!

ଅବୈଧ ସହର ଭୁବନେଶ୍ବର!

Share :

ଦେବେନ୍ଦ୍ର ପୃଷ୍ଟି   ରାଜଧାନୀ ଭୁବନେଶ୍ବର ରାଜ୍ୟର ଏକ ସ୍ବୟସଂପୂର୍ଣ୍ଣ ଅବୈଧ ସହରରେ ପରିଣତ ହୋଇଛି। ଏହି ସହରର ବସ୍ତିରୁ ଆରମ୍ଭ କରି କଂକ୍ରିଟର କଲୋନି ଯାଏଁ ଆଇନ ବାହାରର କଥା। ଏଠିକାର ଅନେକ ମଧୁଶାଳା ଯେମିତି ବେଆଇନ ସେହିପରି ଅନେକ ପାଠଶାଳା ମଧ୍ୟ ଅବୈଧ। ଏଠିକା ବ୍ୟବସାୟ, ଶିଳ୍ପ ଓ ଡାକ୍ତରଖାନା ବେଆଇନ। ଏଠି ବେଆଇନ ଭାବେ ଚାଲିଛି ଅନେକ ବେଶ୍ୟାଳୟ ଓ ବିଉଟି ପାର୍ଲର। ବେଆଇନ ଭାବେ ଖୋଲିଛି ଅନେକ ମନ୍ଦିର ଓ ମଣ୍ଡପ। ଏଠି ଅଛନ୍ତି ଯେମିତି ବେଆଇନ ମଣିଷ, ଅଛି ସେହିପରି ଅବୈଧ ଆବର୍ଜନା। ଦେଖିବାକୁ ଗଲେ ଏଠି ସଚିବାଳୟ ବେଆଇନ, ନିର୍ଦ୍ଦେଶାଳୟ ବେଆଇନ। ଏଭଳି ଏକ ବେଆଇନ ସହରରେ ଚାଲୁଥିବା ସରକାର କେତେ ବୈଧ?   ସରକାର ଜାଣିଛନ୍ତି ଏବଂ ବିଧାନସଭାରେ ମାନିଛନ୍ତି ବି- ରାଜଧାନୀ ଭୁବନେଶ୍ବରରେ ଗଢ଼ି ଉଠିଛି ପ୍ରାୟ ୩୦୦ ବେଆଇନ ବସ୍ତି। ଏସବୁ ବସ୍ତିରେ ରହୁଛନ୍ତି ପ୍ରାୟ ୫ ଲକ୍ଷ ଲୋକ। ବସ୍ତି ଯେହେତୁ ବେଆଇନ ସେଠି ରହୁଥିବା ଏଇ ମଣିଷମାନ ମଧ୍ୟ ରାଜଧାନୀର ଅବୈଧ ବାସିନ୍ଦା।   ରାଜଧାନୀର ରେଳ ଷ୍ଟେସନ ନିକଟବର୍ତ୍ତୀ ୩ ନମ୍ବର ୟୁନିଟ ବା ଖାରବେଳ ନଗର ସୀମା ଭିତରେ ଗଢ଼ି ଉଠିଥିବା ମାଳିସାହି ବସ୍ତିରେ ରହୁଛନ୍ତି ଅନେକ ବାଂଲାଦେଶୀ ନାଗରିକ। ସେମାନେ ଭାରତର ନାଗରିକ ନୁହନ୍ତି, ଭୁବନେଶ୍ବରର କିପରି ବୈଧ ବାସିନ୍ଦା ହେବେ? ଏମାନେ ସମସ୍ତେ ଅନୁପ୍ରବେଶକାରୀ। ଏହି ଅନୁପ୍ରବେଶକାରୀ ବାଂଲାଦେଶୀଙ୍କ ମଧ୍ୟରୁ ଅଧିକାଂଶ ୨ ନମ୍ବର ମାର୍କେଟ ବିଲ୍ଡିଂ, ମାଷ୍ଟର କ୍ୟାଣ୍ଟିନ ଓ ନୂଆ ଷ୍ଟେସନ ବଜାର ଅଂଚଳରେ ଯେଉଁ ବ୍ୟବସାୟ ଖୋଲିଛନ୍ତି ତାହା ମଧ୍ୟ ବେଆଇନ। ରାଜଧାନୀର ଅଳିଆ ଉଠାଇବା କାର୍ଯ୍ୟ ପାଇଁ ଭୁବନେଶ୍ବର ମହାନଗର ନିଗମ ଯେଉଁମାନଙ୍କୁ ଅନୁମତି ଦେଇଛି ସେମାନଙ୍କ ଭିତରେ ଏମାନେ ନାହାନ୍ତି। ଏମାନେ କିନ୍ତୁ ରାଜଧାନୀର ସବୁଠୁ ବଡ଼ ଆବର୍ଜନା ବ୍ୟବସାୟ ନେଟୱାର୍କର ସଦସ୍ୟ। କବାଡ଼ି ବ୍ୟବସାୟରୁ ଏମାନେ ରୋଜଗାର କରନ୍ତି କୋଟିକୋଟି ଟଙ୍କା। ଏ ଆୟର ହିସାବ ନଥାଏ। ଏହା ବେଆଇନ।   ରାଜଧାନୀର ଅନେକ ନର୍ସିଂହୋମ ଓ ଡାକ୍ତରଖାନା ମଧ୍ୟ ବେଆଇନ। ଖୋଦ ସ୍ବାସ୍ଥ୍ୟ ବିଭାଗର ସରକାର ବିଧାନସଭାରେ ଏହା ମାନିଛନ୍ତି। ସୂଚନା ଅଧିକାର ଆଇନ ବଳରେ ମଧ୍ୟ ଅନେକ ସାମାଜିକ କର୍ମୀ ସରକାରଙ୍କଠାରୁ ଏପରି ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛନ୍ତି। ରାଜଧାନୀର ଶତାଧିକ କ୍ଲିନିକ, ନର୍ସିଂହୋମ, ହସ୍‌ପିଟାଲ ଓ ପାଥୋଲାବ ଆଇନ ଅନୁଯାୟୀ ସରକାରଙ୍କ ନିକଟରେ ପଂଜୀକୃତ ହୋଇନାହିଁ। ପଂଜୀକୃତ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ତୁଳନାରେ ରାଜଧାନୀରେ ଅଣପଂଜୀକୃତ ସ୍ବାସ୍ଥ୍ୟ ପ୍ରତିଷ୍ଠାନଙ୍କ ସଂଖ୍ୟା ଢେର ଅଧିକ। ଅଧିକାଂଶ ଡାକ୍ତର ମଧ୍ୟ ବେଆଇନ ଭାବେ ଘରୋଇ ପ୍ରାକ୍ଟିସ ଚଳାଇଛନ୍ତି। ଅଧିକାଂଶ ଘରୋଇ ଡାକ୍ତରଖାନା ପରିବେଶ ଆଇନ ଉଲ୍ଲଙ୍ଘନ କରୁଛନ୍ତି। ଅଧିକାଂଶ ଔଷଧ ବେଆଇନ ଭାବେ ବିକ୍ରି ହେଉଛି। ରାଜ୍ୟର ଅନ୍ୟ ଅଂଚଳ ଭଳି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପ୍ରଚୁର ପରିମାଣରେ ବିକ୍ରି ହେଉଛି ଦେଶ ଓ ବିଶ୍ବର ଅନ୍ୟତ୍ର ନିଷିଦ୍ଧ ହୋଇଥିବା ଅନେକ ଔଷଧ ଓ ଇଂଜେକ୍ସନ।   ରାଜଧାନୀର ଅନେକ ହୋଟେଲ ଯେପରି ଅବୈଧ ତା’ ଭିତରେ ଚାଲିଥିବା ବ୍ୟବସାୟ ମଧ୍ୟ ସେହିପରି ଅବୈଧ। ଜମି ଜବରଦଖଲ ଏକ ବେଆଇନ କାର୍ଯ୍ୟ। ଜବରଦଖଲ ଜମି ଉପରେ ଠିଆ ହୋଇଥିବା ହୋଟେଲଗୁଡ଼ିକ ଏହି କାରଣରୁ ବେଆଇନ। ରାଜଧାନୀର ସଂଖ୍ୟାଧିକ ହୋଟେଲ ପରିବେଶ ଆଇନ କ’ଣ ଜାଣି ନାହାନ୍ତି, ଏହା ପାଳନ କରିବା ଦୂରର କଥା। କୋର୍ଟକଚେରୀ ମାମଲା ଯୋଗୁଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପୁରୀର ଅନେକ ହୋଟେଲ ଉପରେ ପରିବେଶ ଆଇନ ଲାଗୁ କରିବାକୁ ଅଧପନ୍ତରିଆ ଉଦ୍ୟମ କରୁଥିବାବେଳେ ଭୁବନେଶ୍ବରରେ ଏପରି ତନଖି ହେଉନାହିଁ। ହୋଟେଲ ଖାଦ୍ୟର କେବେ ସରକାରୀ ଭାବେ ମାନ ପରୀକ୍ଷା ହୋଇଥିଲା ତାହା କ’ଣ କାହାର ମନେ ଅଛି? ବଡ଼ବଡ଼ ହୋଟେଲରେ ପରଷା ଯାଉଥିବା ଖାଦ୍ୟର ନମୁନା କେବେ ଯାଞ୍ଚ କରିଛି କି ଏଫଏସଏସଏଆଇ? ରାଜଧାନୀର କେତେ ହୋଟେଲର ଅଛି ଏଫଏସଏସଏଆଇ ଲାଇସେନ୍ସ?   ରାଜଧାନୀର ଅନେକ ହୋଟେଲ ଓ ଲଜ୍‌ରେ ଚାଲେ ବେଆଇନ ଦେହ ବ୍ୟବସାୟ। ଏହା ଏକ ନିତିଦିନିଆ ବେପାର, ଦିନଅଧିକିଆ ଖବର। ଅନେକ ହୋଟେଲରେ ମଧ୍ୟ ରହିଥାନ୍ତି ଅନେକ ଅପରାଧୀ, ମିଛ ପରିଚୟରେ, ଜାଲ ତଥ୍ୟପ୍ରମାଣରେ।   ରାଜଧାନୀର ଅଧିକାଂଶ ଆପାର୍ଟମେଣ୍ଟ ବେଆଇନ। କାହାର ନକ୍ସା ଭୁଲ, କାହାର ନିର୍ମାଣ ଭୁଲ, କାହାର ଅନୁମତି ଭୁଲ। ଅନେକ ଆପାର୍ଟମେଣ୍ଟର ପରିବେଶ ମଂଜୁରୀ ନାହିଁ। ଅନେକ ଆପାର୍ଟମେଣ୍ଟରେ ବେଆଇନ ଭାବେ ଖୋଳାଯାଇଛି ବୋରୱେଲ। ଆଇନ ଅନୁଯାୟୀ ଅନେକ ଆପାର୍ଟମେଣ୍ଟରେ ନାହିଁ ଅଗ୍ନି ନିର୍ବାପନ ଓ ବଜ୍ରନିରୋଧକ ବ୍ୟବସ୍ଥା। ଅନେକ ଆପର୍ଟମେଣ୍ଟରେ ମଧ୍ୟ ଚାଲେ ବେଆଇନ ସେକ୍ସ ରାକେଟ୍। ଅନେକ ବେଆଇନ କାରବାର ସହ ସଂପୃକ୍ତ ଅନେକ ଲୋକ ମଧ୍ୟ ଗୋପନୀୟତାର ସୁବିଧା ପାଇଁ ରହନ୍ତି ଅନେକ ଆପାର୍ଟମେଣ୍ଟରେ, କେତେକରେ ପୁଣି ଚାଲେ ବେଆଇନ କାରବାରର ଗୋପନ କାର୍ଯ୍ୟାଳୟ।   ଭୁବନେଶ୍ବରରେ ଅଛି ରାଜ୍ୟର ଏକମାତ୍ର ଆଇନ ଫ୍ୟାକ୍ଟ୍ରି- ବିଧାନସଭା। ଅଥଚ ଏଇ ସହରର ପ୍ରମୁଖ ଓ ପ୍ରସିଦ୍ଧ ଜନବସତି ଓ ଅଟ୍ଟାଳିକା ସବୁ ବେଆଇନ। ଏଠି ଅଧିକାଂଶ ଲୋକ ଯେଉଁ ଉଦ୍ଦେଶ୍ୟରେ ସରକାରଙ୍କଠାରୁ ଜମି ନେଇଛନ୍ତି ସେହି ଉଦ୍ଦେଶ୍ୟରେ ତାହା ବ୍ୟବହୃତ ହେଉ ନାହିଁ। କେଉଁଠି ଡାକ୍ତରଖାନା ପାଇଁ ଜମି ନେଇ ବାସସ୍ଥଳି ତିଆରି ହୋଇଛି ତ କେଉଁଠି ଆଇସ୍ ଫ୍ୟାକ୍ଟ୍ରି ଜମିରେ ତିଆରି ହେଲାଣି ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାବସାୟିକ ସଂସ୍ଥାର ଭଡ଼ାଘର। ଛାପାଖାନା ଜାଗାରେ ମୋଟର ଗାଡ଼ି ବ୍ୟବସାୟ, ଶିଳ୍ପଜମିରେ ଗୋଦାମଘର ବା ଶିକ୍ଷା ଦୋକାନ। ଶହୀଦ ନଗର, ସତ୍ୟ ନଗର, ଖାରବେଳ ନଗର, ଅଶୋକ ନଗର, ବାପୁଜୀ ନଗର, ସୂର୍ଯ୍ୟ ନଗର, ଆଇଆରସି ଭିଲେଜ ଆଦି ରାଜଧାନୀର ଅନେକ ପ୍ରସିଦ୍ଧ ଅଂଚଳର ଆବାସିକ ଘରଗୁଡ଼ିକ ହୋଇଯାଇଛି ଅନେକ ବ୍ୟବସାୟର ଠିକଣା। ଭଡ଼ା ଆସୁଛି କୋଟିକୋଟି-ସବୁ ବେଆଇନ। କାରଣ ଆଇନ ଅନୁସାରେ ଆବାସିକ ଘରକୁ ଜଣେ ବ୍ୟାବସାୟିକ କାର୍ଯ୍ୟରେ ଲଗାଇ ପାରିବ ନାହିଁ।   ଭୁବନେଶ୍ବର ମହାନଗର ନିଗମ ଯେତିକି ଘରର ହୋଲ୍ଡିଂ ଟିକସ ଆଦାୟ କରେ ତା’ଠାରୁ କାହିଁ କେତେଗୁଣ ଅଧିକ ଘର ବିକ୍ରି କଲେଣି ଏ ସହରର ବିଲ୍ଡର ବେପାରୀ। ବିକ୍ରିବଟା କାଗଜପତ୍ରରେ, କିନ୍ତୁ ହୋଲ୍ଡିଂ ଟିକସ ଆଦାୟ ହେଉନି। ଏସବୁ ଘର ତେବେ କ’ଣ ଆଇନ ସମ୍ମତ? ଅଧିକାଂଶ ଆବାସିକ ଘର ଅନୁମୋଦିତ ନକ୍ସା ବାହାରେ ନିର୍ମିତ ହୋଇଥିବାରୁ ବେଆଇନ। ଅନେକ ଆବାସିକ ଘରର ମଂଜୁରୀ ହିଁ ନାହିଁ। କେବଳ ଆବାସିକ ଘର ନୁହେଁ, ଅନେକ ବୃହତ ବ୍ୟାବସାୟିକ ପ୍ରତିଷ୍ଠାନର ନିର୍ମାଣ ମଧ୍ୟ ବେଆଇନ। ଏବେ କଥା ଉଠିଥିଲା ମହାନଦୀ କୋଲ ଫିଲ୍ଡର ଏକ ବୃହତ ନିର୍ମାଣର। କୁଆଖାଇ ନଦୀପଠାରେ ବେଆଇନ ଭାବେ ଗଢ଼ି ଉଠିଥିବା ହାଇଟେକ ହସପିଟାଲ ମଧ୍ୟ ବେଆଇନ। ଏହାକୁ ମାଟିରେ ମିଶାଇ ଦେବାକୁ ରାଜ୍ୟ ସରକାର ପ୍ରାୟ ୫ ବର୍ଷ ତଳୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ଅଥଚ ପ୍ରତି ବର୍ଷ ସେଠାରେ ନାମ ଲେଖାଉଛନ୍ତି ଶହେ ସରିକି ଡାକ୍ତରୀ ଛାତ୍ର।   ଏଠି ବିଡିଏ ଅଫିସ ଆକାଶଶୋଭା ବି ବେଆଇନ। ମାଷ୍ଟର କ୍ୟାଣ୍ଟିନ ସ୍ବସ୍ତି ହୋଟେଲ ବେଆଇନ। ରାମ ମନ୍ଦିର ବେଆଇନ। ସେହି ଛକର ବିଗ ବଜାର ବେଆଇନ। ଏହିପରି ରାଜଧାନୀର ଅଧିକାଂଶ ବଡ଼ବଡ଼ କୋଠା ଓ ବେପାରଘର ବେଆଇନ। କୋଉ ଘର ମଂଜୁରପ୍ରାପ୍ତ ପ୍ଲାନ ବା ନକ୍ସା ଅନୁସାରେ ତିଆରି ହୋଇନି, କାହାର ନିଜସ୍ବ ପାର୍କିଂ ସ୍ପେସ୍ ନାହିଁ, କାହାର ଅଗ୍ନି ନିର୍ବାପନ ଓ ବଜ୍ର ନିରୋଧକ ବ୍ୟବସ୍ଥା ନାହିଁ, କେଉଁ ଜମିର ବ୍ୟବହାର ଉଦ୍ଦେଶ୍ୟ ଅଲଗା। ଆଉ ତ ଆଉ ରାଜ୍ୟ ଶାସନର ମୁଖ୍ୟ ପେଣ୍ଠସ୍ଥଳ ସଚିବାଳୟ ଓ ନିର୍ଦ୍ଦେଶାଳୟ କୋଠା ବି ବେଆଇନ। ଜଙ୍ଗଲ ଜମି ଉପରେ ଅଣଜଙ୍ଗଲ କାର୍ଯ୍ୟ ଆଇନ ଅନୁସାରେ ଅପରାଧ!   ଏଠି ପ୍ରାୟ ସମସ୍ତ କୋଚିଂ ସେଣ୍ଟର ବେଆଇନ। କେତେକ ବଡ଼ବଡ଼ ସ୍କୁଲ ଓ କଲେଜ ମଧ୍ୟ ବେଆଇନ। ମାର୍କେଟ ପ୍ଲେସ ବେଆଇନ, ଷ୍ଟ୍ରିଟ ମାର୍କେଟ ବେଆଇନ।  ଏ ସହରରେ ଆଇନ ଉଲ୍ଲଙ୍ଘନ କରି ଚାଲିଛି ଅଧିକାଂଶ ମଠ ଓ ମନ୍ଦିର। ସବୁଠି ଚାଲିଛି ବ୍ୟବସାୟ, ଅନେକ ଜବରଦଖଲ ଜମିରେ।   ଏଠି ଅଳିଆ ଗଦା ବେଆଇନ। ପାର୍କିଂ ସ୍ପେସ୍ ବେଆଇନ। ରାହାଗିରି ବେଆଇନ, ବେଶ୍ୟାଗିରି ବେଆଇନ। ମଧ୍ୟରାତିର ରଙ୍ଗଶାଳା ବେଆଇନ, ରାସ୍ତାଘାଟର ଗୁଟଖା ଦୋକାନ ବେଆଇନ। ଏଠି ମାଷ୍ଟର କ୍ୟାଣ୍ଟିନରୁ ପିଏମଜି ଓ ଏଜି ଛକରୁ ରବୀନ୍ଦ୍ର ମଣ୍ଡପ ଛକ ଯାଏଁ ବର୍ଷର ଯେକୌଣସି ସମୟରେ ଚାରି ଜଣ ଯିବା ବେଆଇନ-ଏଠି ସବୁବେଳେ ୧୪୪। ଅଥଚ ଦୈନିକ ସେ ରାସ୍ତାରେ ଯାଉଛି ହଜାର ହଜାର ଚାରି ଚକିଆ, ଯହିଁରେ ବସିଥାନ୍ତି ଚାରିରୁ ଅଧିକ ଲୋକ।   ଏଠି କେତେକ ସିନେମା ଘର ବେଆଇନ, କ୍ଲବ ଘର ବେଆଇନ। କଂଗ୍ରେସ ପାର୍ଟି ଅଫିସକୁ ଛାଡ଼ିଦେଲେ ବାକି ସବୁ ପାର୍ଟି ଅଫିସ ମଧ୍ୟ ବେଆଇନ। ସରକାରୀ କ୍ବାର୍ଟରେ ବେସରକାରୀ ଅଫିସ ଚାଲିବାର ନିୟମ ନାହିଁ। ଏବେ ତ ପ୍ରତି ୱାର୍ଡ଼ରେ ଜବରଦଖଲ ଜମିରେ ଚାଲିଛି ବିଜୁ ଜନତା ଦଳର ପାର୍ଟି ଅଫିସ।   (ସନ୍ଦେହ ହେଲେ ସନ୍ଧାନ କରନ୍ତୁ- ନିଜେ ସତ୍ୟାସତ୍ୟ ଜାଣିପାରିବେ।)

Share :