ସାରା ଓଡ଼ିଶା ବେକାର

ସାରା ଓଡ଼ିଶା ବେକାର

Share :

ବରେନ୍ଦ୍ରକୃଷ୍ଣ ଧଳ   ସାରା ଓଡ଼ିଶାଟା କେବଳ ବେକାରଙ୍କ ରାଜ୍ୟ ହୋଇ ରହିଛି। ଯୁଆଡ଼େ ଚାହିଁବ ବେକାର ହିଁ ବେକାର। ଅନ୍ୟ ପଟେ ସରକାର କହୁଛନ୍ତି ଆମେ ନିଯୁକ୍ତି ବ୍ୟବସ୍ଥା କରୁଛୁ। ଏହିଭଳି ନିଯୁକ୍ତି ବେକାର ଟଣାଟଣିରେ ପନ୍ଦର ବର୍ଷ ଗଲାଣି। ଏବେ ସର୍ବଶେଷ ଖବର ଅନୁସାରେ ଓଡ଼ିଶାରେ ଥିବା ଏମ୍ପ୍ଲେୟମେଣ୍ଟ ଏକ୍ସଚେଞ୍ଜଗୁଡିକରେ ନିଯୁକ୍ତି ପାଇଁ ନିଜ ନିଜ ନାମ ରେଜେଷ୍ଟ୍ରି କରିଥିବା ବେକାରଙ୍କ ସଂଖ୍ୟା ୩୨ ଲକ୍ଷ ବୋଲି ଜଣାପଡିଛି। ନିଯୁକ୍ତି ବୈଷୟିକ ଓ ତାଲିମ ବିଭାଗ ପକ୍ଷରୁ ଏହି ସଂଖ୍ୟା କୁହାଯାଇଛି। ଏହି ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ୩୨ ଲକ୍ଷ ବେକାରଙ୍କ ମଧ୍ୟରୁ ଗତ ୧୫ ବର୍ଷ ମଧ୍ୟରେ ମୋଟ ୪୪୧୦୦ ଜଣଙ୍କୁ ନିଯୁକ୍ତି ମିଳିଛି। ଏଥିମଧ୍ୟରେ ୩୩୦୯୬ ଜଣ ପୁରୁଷ ଓ ୧୧୦୦୪ ଜଣ ମହିଳା ଅଛନ୍ତି।   ଏବେ ପ୍ରଶ୍ନ ଉଠୁଛି ୧୫ ବର୍ଷ ତଳେ ଯେଉଁମାନେ ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଚରେ ନାମ ଲେଖାଇଥିବେ ଏବେ ସରକାରୀ ଚାକିରି ପାଇଁ ସେମାନଙ୍କର ବୟସ ଥିବ କି ? ସେତେବେଳେ ଯେଉଁମାନଙ୍କ ବୟସ ଚାକିରିଯୋଗ୍ୟ ଥିବ ବର୍ତ୍ତମାନ ତାହା ଆଉ ନଥିବ। ସେମାନଙ୍କ ବ୍ୟବସ୍ଥା ଓ ସଂଖ୍ୟା କ’ଣ ଓ କେତେ? ଏ ରାଜ୍ୟରେ ନବୀନ ସରକାର ଶାସନ ଦାୟିତ୍ୱ ନେବାପରେ ଏ ରାଜ୍ୟରେ ୪୪୧୯୭ ପଦବୀ ଖାଲି ଥିଲା। ମାତ୍ର ଏହି ପଦବୀକୁ ପୂରଣ କରାନଯାଇ ଉଚ୍ଛେଦ କରାଯାଇଛି। ଏହାର କାରଣ ହେଲା ୧୯୯୯ ଅକ୍ଟୋବର ମାସରେ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ଆର୍ଥିକ ଶୃଙ୍ଖଳା ରକ୍ଷା କରିବା ପାଇଁ ଏକ ରାଜିନାମା କରିଥିଲେ। ଏହି ବୁଝାମଣା ପତ୍ର ଅନୁସାରେ ରାଜ୍ୟ ସରକାରକୁ ୪ ବର୍ଷ ମଧ୍ୟରେ କର୍ମଚାରୀ ସଂଖ୍ୟା ୧୦ ଶତାଂଶ ହ୍ରାସ କରିବା ପାଇଁ କୁହାଯାଇଥିଲା। ରାଜ୍ୟ ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ସୂଚନା ଗତ ବିଧାନସଭାରେ ଦେଇ କହିଥିଲେ ଯେ ସେଥିପାଇଁ ନୂତନ ନିଯୁକ୍ତି ଉପରେ କଟକଣା ଜାରି କରାଯାଇ ପୁନଃ ମୁତୟନ ଓ ସ୍ୱଳ୍ପ ଅବଧି ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା କରାଯାଇଥିଲା।   ଅନୁରୂପ ଭାବରେ ଆର୍ଥିକ ଶୃଙ୍ଖଳା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଅନ୍ୟ ଏକ ବୁଝାମଣା ପତ୍ର ୨୦୦୧ ମସିହାରେ ସ୍ୱାକ୍ଷର କରିଥିଲେ। ଏହି ବୁଝାମଣା ପତ୍ର ଅନୁସାରେ ସରକାରୀ କର୍ମଚାରୀଙ୍କ ସଂଖ୍ୟା ପୁନର୍ବାର ୨୦ ଶତାଂଶ ହ୍ରାସ ନିମନ୍ତେ ଧାର୍ଯ୍ୟ କରାଯାଇଥିଲା। ଏବେ ସରକାରୀ ଭାବେ କୁହାଯାଇଛି ଏହି ଚୁକ୍ତିନାମା ଯୋଗୁ ଗତ ୧୫ ବର୍ଷ ମଧ୍ୟରେ ଖାଲି ହୋଇଥିବା ୪୪୧୯୭ଟି ପଦବୀ ଉଚ୍ଛେଦ କରାଯାଇଛି। ଏଥିସହ ୧ ଲକ୍ଷ ୫୪ ହଜାର ମଞ୍ଜୁର ହୋଇଥିବା ପଦବୀ ପୂରଣ ନହୋଇ ଖାଲି ପଡିଛି। ୨୦୧୩.୧୪ ବର୍ଷର ଏଇଆର (ଆନୁଆଲ ଏଷ୍ଟାବ୍ଲିସମେଣ୍ଟ ରିଭ୍ୟୁ) ରିପୋର୍ଟରୁ ଏହି ସୂଚନା ମିଳିଛି।   ଏହି ରିପୋର୍ଟ ଅନୁସାରେ ରାଜ୍ୟରେ ଯୋଜନା ଓ ଅଣଯୋଜନା କ୍ଷେତ୍ରରେ ମୋଟ ୧ ଲକ୍ଷ ୪୬ ହଜାର ୯୨ଟି ପଦବୀ ଖାଲି ପଡିଛି। ଏଥି ମଧ୍ୟରେ ୪୭୦୮ଟି ଗ୍ରୁପ ଏ  ପଦ ରହିଥିବା ବେଳେ ୬୮୫୭ଟି କ୍ଲାସ-ଟୁ ବା ଦ୍ୱିତୀୟ ଶ୍ରେଣୀ ପଦବୀ ପୂରଣ ହୋଇନାହିଁ। ସେହିପରି ୧ ଲକ୍ଷ ୧୫ ହଜାର ୪୭୨ ତୃତୀୟ ଶ୍ରେଣୀ ଚାକିରି ଓ ୧୯୦୯୫ ୪ର୍ଥ ଶ୍ରେଣୀ ଚାକିରି ଖାଲି ପଡିଛି। ଏହିଭଳି ଭାବେ ଏ ରାଜ୍ୟରେ ଲକ୍ଷ ଲକ୍ଷ ଶିକ୍ଷିତ ଓ ଉଚ୍ଚଶିକ୍ଷିତ ଯୁବକ ବେକାର ଥିବାବେଳେ ଲକ୍ଷ ଲକ୍ଷ ପଦବୀ ପୂରଣ ନହୋଇ ଖାଲି ପଡିଛି। କେନ୍ଦ୍ର ସରକାର ସହ ଚୁକ୍ତିନାମା ଏହାର କାରଣ ବୋଲି କୁହାଯାଉଥିବା ବେଳେ ପ୍ରକୃତ ପକ୍ଷରେ ଏହାର ଆଉ କ’ଣ କାରଣ ଅଛି ବୋଲି ଅନେକ ସନ୍ଦେହ ପ୍ରକାଶ କରୁଛନ୍ତି।   ଏ ସଂପର୍କରେ ଏଠାରେ ପଶ୍ଚିମବଙ୍ଗର ଉଦାହରଣ ଦେଖାଯାଉ। ଗତ ୨୬।୨।୧୬ ତାରିଖରେ ପଶ୍ଚିମବଙ୍ଗ ବିଧାନସଭାରେ ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ଭୋଟ ଅନ ଆକାଉଣ୍ଟସ ବଜେଟ ଆଗତ କରି ଅର୍ଥମନ୍ତ୍ରୀ ଅମିତ ମିତ୍ର କହିଥିଲେ ଯେ ବିକାଶ ଓ ଉନ୍ନୟନ ବହୁ କ୍ଷେତ୍ରରେ ପଶ୍ଚିମବଙ୍ଗ ଦେଶରେ ଏକ ନମ୍ୱର ସ୍ଥାନ ଅଧିକାର କରିଛି। ଗତ ପାଞ୍ଚବର୍ଷ ମଧ୍ୟରେ ରାଜ୍ୟରେ ୬୭ ଲକ୍ଷ ୩୫ ହଜାର କର୍ମସଂସ୍ଥାନ କରାଯାଇଛି। ୯ କୋଟି ୧୦ ଲକ୍ଷ ଲୋକ ସଂଖ୍ୟା ବିଶିଷ୍ଟ ପଶ୍ଚିମବଙ୍ଗରେ ପ୍ରତ୍ୟେକ କ୍ଷେତ୍ରରେ ବିକାଶ ଦ୍ରୁତ ଗତିରେ ଚାଲିଛି। (ଆଜକାଲି ୨୭।୨।୧୬)। ଆମେ ଏହି ବକ୍ତବ୍ୟ ଆଉ ଅଧିକ ଦେଉନାହୁଁ। ଏହି ତଥ୍ୟ ଏଥିପାଇଁ ଦେଲୁ ଯଦି ଓଡ଼ିଶା କେନ୍ଦ୍ର ସରକାରଙ୍କ ସହ ଚୁକ୍ତିନାମା କରି ଗତ ୧୫ ବର୍ଷ ମଧ୍ୟରେ ଗୋଟିଏ ପଦବୀ ସୃଷ୍ଟି କରିବା ଦୂରେ ଥାଉ ଦେଢ ଲକ୍ଷ ଚାକିରି ଖାଲି ପକାଇ ରଖିଛି ତେବେ ପଶ୍ଚିମବଙ୍ଗ ୫ ବର୍ଷ ମଧ୍ୟରେ ୬୭ ଲକ୍ଷ ଚାକିରି ସୃଷ୍ଟି କରି ନିଯୁକ୍ତି ଦେଇଛି କିପରି? କେନ୍ଦ୍ର ଚୁକ୍ତିନାମା କେବଳ କ’ଣ ଓଡ଼ିଶା ଭଳି ଅନୁନ୍ନତ ରାଜ୍ୟ ପାଇଁ? ଏ ସଂପର୍କରେ ଏ ରାଜ୍ୟର ସରକାର ଲୋକଙ୍କୁ ସ୍ପଷ୍ଟୀକରଣ ଦେବା କ’ଣ ଉଚିତ ନୁହେଁ? ଏ ରାଜ୍ୟ ବିକାଶ କରୁଛି ବୋଲି ଆମ ସରକାର, ଆମ ମୁଖ୍ୟମନ୍ତ୍ରୀ ଡିଣ୍ଡିମ ପିଟୁଛନ୍ତି। କେଉଁଠି ବିକାଶ? ଯେଉଁଠି ଲୋକେ ନିଯୁକ୍ତି ଯାଉନାହାନ୍ତି, ଖାଇବାକୁ ପାଉନାହାନ୍ତ, ପିନ୍ଧିବାକୁ ପୋଷାକ ନାହିଁ, ସେଠି କି ପ୍ରକାର ବିକାଶ ହେଉଛି? ୯  କୋଟି ୧୦ ଲକ୍ଷ ଲୋକ ସଂଖ୍ୟା ବିଶିଷ୍ଟ ପଶ୍ଚିମବଙ୍ଗ ରାଜ୍ୟରେ ୬୭ ଲକ୍ଷ ୩୫ ହଜାର ଲୋକଙ୍କୁ କର୍ମ ସଂସ୍ଥାନ ଦିଆଯାଇଥିବା ବେଳେ ଆମ ସରକାର କରୁଛନ୍ତି କ’ଣ?   ଏଠି ସେଦିନର ସେଇ କରୁଣ କାହାଣୀର ଉଲ୍ଲେଖ କରୁଛି। ୨୦୧୪ ଜୁଲାଇ ୧୭ ତାରିଖରେ କଟକ ଜିଲ୍ଲା ଜଜ୍‌ଙ୍କ ଅଫିସରେ ପିଅନ, ଅଡର୍ଲି, ଝାଡୁଦାର ବା ସୁଇପର ଓ ଜଗୁଆଳି ପଦବୀରେ ଠିକା ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲା। ମୋଟ ୫୩ଟି ଚାକିରି ପାଇଁ ୨୦୧୫ ଜାନୁଆରି ୧୭ ତାରିଖରେ ବାରବାଟି ଷ୍ଟାଡିୟମରେ ଲିଖିତ ପରୀକ୍ଷା କରାଯାଇଥିଲା। ଏହି ଚାକିରିର ଦରମା ଥିଲା ଟ୪୭୦୦ଙ୍କାରୁ ୧୪୬୮୦ଟଙ୍କା। ଏହି ୫୩ଟି ଚାକିରି ପାଇଁ ୩୧୬୭୩ ଜଣ ପ୍ରାର୍ଥୀ ଲିଖିତ ପରୀକ୍ଷା ଦେଇଥିଲେ। ଏହି ପଦବୀ ପାଇଁ ଯୋଗ୍ୟତା ଥିଲା ଅଷ୍ଟମ ଶ୍ରେଣୀ ପାଶ‍୍‌। ୧୮ ବର୍ଷରୁ ୩୭ ବର୍ଷ ମଧ୍ୟରେ ପ୍ରାର୍ଥୀଙ୍କ ବୟସ ହୋଇଥିବା ଆବଶ୍ୟକ। ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ୧୪ ହଜାର ୯ ଶହ ଏମଏ ଓ ବି.ଏ ପାଶ‍୍‌ କରିଥିବା ବେଳେ ୪୯୨ ଜଣ ଡିପ୍ଲୋମା ଇଞ୍ଜିନିୟର ଥିଲେ। ବି.ଏ. ଫେଲ ହୋଇଥିବା ପ୍ରାର୍ଥୀଙ୍କ ସଂଖ୍ୟା ୪ ହଜାର ୮ ଶହ। ବାକି ମାଟ୍ରିକ ଫେଲ ପ୍ରାର୍ଥୀ ଥିଲେ। କଳ୍ପନା କରି ପାରୁଛନ୍ତି ଏ ରାଜ୍ୟରେ ଶିକ୍ଷିତ ବେକାରମାନଙ୍କର ଏବେ ସ୍ଥିତି କ’ଣ?   ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ୫ ବର୍ଷରେ ୬୭ ଲକ୍ଷ ୩୫ ହଜାର ବେକାରଙ୍କ କର୍ମସଂସ୍ଥାନ ହୋଇଥିବା ବେଳେ ଗତ ୧୫ ବର୍ଷ ମଧ୍ୟରେ ଓଡ଼ିଶାରେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଜରିଆରେ ୪୪ ହଜାର ୧ ଶହ ଚାକିରି ଆଶାୟୀଙ୍କୁ ନିଯୁକ୍ତି ଦିଆଯାଇଛି। ସରକାରୀ ରିପୋର୍ଟ ଅନୁସାରେ ଏମାନଙ୍କ ମଧ୍ୟରୁ ୩୩ ହଜାର ୯୬ ଜଣ ପୁରୁଷ ଓ ୧୧ ହଜାର ୪ ଜଣ ମହିଳା। ମାତ୍ର ଏଥି ସଙ୍ଗେ ସଙ୍ଗେ ଏହି ଏମ୍ପ୍ଲୟେମେଣ୍ଟ ଏକ୍ସଚେଞ୍ଜ ଗୁଡିକରେ ୩୨ ଲକ୍ଷ ଚାକିରି ଆଶାୟୀ ପ୍ରାର୍ଥୀ ନାମ ରେଜେଷ୍ଟ୍ରି କରିଛନ୍ତି। କିନ୍ତୁ ପ୍ରକୃତ ପକ୍ଷରେ ଏ ରାଜ୍ୟରେ କେତେ ପଦବୀ ଖାଲି ଅଛି ଓ କ’ଣ ପାଇଁ ଖାଲି ଅଛି ସେ କଥା ସରକାର ସ୍ପଷ୍ଟ କରୁନାହାନ୍ତି। ନିଯୁକ୍ତି ବୈଷୟିକ ଓ ତାଲିମ ବିଭାଗ ପକ୍ଷରୁ ରାଜ୍ୟରେ ୩୨ ଲକ୍ଷ ବେକାର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନାମ ରେଜେଷ୍ଟ୍ରି କରିବା କଥା କୁହାଯାଇଥିବା ବେଳେ ବିଧାନସଭାରେ ସଂପ୍ରତି ସରକାରଙ୍କ ବକ୍ତବ୍ୟ ଅନୁସାରେ ରାଜ୍ୟର ନିୟୋଜନ କାର୍ଯ୍ୟାଳୟ ଗୁଡିକରେ ୨୦୧୪ ଶେଷ ସୁଦ୍ଧା ୧୦ ଲକ୍ଷ ୧୩ ହଜାର ୭୩୫ ଜଣ ଚାକିରି ପ୍ରାର୍ଥୀ ନାମ ପଞ୍ଜିକରଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୭ ଲକ୍ଷ ୨୨ ହଜାର ୨୦୯ ଜଣ ପୁରୁଷ ଏବଂ ବାକି ୨ ଲକ୍ଷ ୯୧ ହଜାର ମହିଳା ପ୍ରାର୍ଥୀ ଅଟନ୍ତି।   ଏବେ ଅସମାହିତ ପ୍ରଶ୍ନ ସରକାରୀ ବିଭାଗ ଗୁଡିକରେ କେତେ ଚାକିରି ଖାଲି ଅଛି? ଏହି ଚାକିରି ଗୁଡିକଖାଲି କାହିଁକି ରଖାଯାଇଛି? ସରକାରୀ ବିଭାଗରେ କେତେ ଚାକିରି ଖାଲି ଅଛି ତାର ହିସାବ ପ୍ରତିବର୍ଷ ଅର୍ଥମନ୍ତ୍ରୀ ବିଧାନସଭାରେ ବଜେଟ ପେଶ‍୍‌ କରିବା ବେଳେ ଦେଇଥାନ୍ତି। ବଜେଟ ସହ ଓଡ଼ିଶା ଫିସ‌୍‍କାଲ ରେସପନସିବିଲଟି ଏଣ୍ଡ ବଜେଟ ମ୍ୟାନେଜମେଣ୍ଟ ରୁଲ୍ସ-୨୦୦୫ ଅନୁସାରେ ଷ୍ଟେଟମେଣ୍ଟ ପ୍ରେଜେଣ୍ଟେଡ ଆଲଙ୍ଗ ଉଇଥ ଦି ଆନୁଆଲ ବଜେଟ ବହିରେ ରାଜ୍ୟର ବିଭିନ୍ନ ବିଭାଗରେ ମଞ୍ଜୁରୀ ପ୍ରାପ୍ତ ଚାକିରି ସଂଖ୍ୟା ଏବଂ କେତେ ଲୋକ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ଦରମା ହାର କେତେ ଆଦି ନିର୍ଦ୍ଦିଷ୍ଟ ଭାବେ ଲେଖା ହୋଇଥାଏ। ଆମେ ଏହି ବିବରଣୀ ଅନୁଧ୍ୟାନ କରିବା ବେଳେ ଆଶ୍ଚର୍ଯ୍ୟ ହେଲୁ ପ୍ରତିବର୍ଷ ବିଭିନ୍ନ ବିଭାଗରେ ଯେତିକି ମଞ୍ଜୁରୀ ପ୍ରାପ୍ତ ପଦବୀ ରହିଛି ତା ତୁଳନାରେ ଲକ୍ଷାଧିକ ଚାକିରି ପୂରଣ ନହୋଇ ଖାଲି ରହିଛି।   ଓଡ଼ିଶାରେ ମୋଟ ୪୦ (ଚାଳିଶ)ଟି ସରକାରୀ ବିଭାଗ ରହିଛି। ଏହି ବିଭାଗଗୁଡିକର ବହୁ ପଦବୀ ପୂରଣ ହୋଇନାହିଁ । ଉଦାହରଣ ସ୍ୱରୂପ ୨୦୧୫-୧୬ ବର୍ଷରେ ସ୍ୱରାଷ୍ଟ୍ର ବିଭାଗରେ ୭୭ ହଜାର ୫ ଶହ ମଞ୍ଜୁରୀ ପ୍ରାପ୍ତ ପଦବୀ ଥିବାବେଳେ ଏଥିରେ ୧୯ ହଜାରରୁ ଊର୍ଦ୍ଧ୍ୱ ପଦବୀ ଖାଲି ରହିଛି। ସେହିଭଳି ଗଣଶିକ୍ଷା ବିଭାଗରେ ୧ ଲକ୍ଷ ୯୩ ହଜାର ୭୫୩ ମଞ୍ଜୁରୀ ପ୍ରାପ୍ତ ପଦବୀ ମଧ୍ୟରୁ ୩୩ ହଜାର ୪୫୩ ପଦବୀ ଖାଲି ରହିଛି। ୨୦୧୨-୧୩ ବର୍ଷରେ ରାଜ୍ୟର ୪୦ଟି ଯାକ ବିଭାଗରେ ୧ ଲକ୍ଷ ୩୫ ହଜାର ପଦବୀ ଖାଲି ଥିବା ବେଳେ ପରବର୍ତ୍ତୀ ବର୍ଷରେ ୧ ଲକ୍ଷ ୪୪ ହଜାର, ତା’ପର ବର୍ଷ ୧ ଲକ୍ଷ ୪୪ ହଜାର, ତା’ପର ବର୍ଷ ୧ ଲକ୍ଷ ୨୩ ହଜାର ଓ ଚଳିତ (୨୦୧୬-୧୭) ଆର୍ଥିକ ବର୍ଷରେ ୧ ଲକ୍ଷ ୨୧ ହଜାର ମଞ୍ଜୁରୀ ପ୍ରାପ୍ତ ପଦବୀ ଖାଲି ଅଛି। ସରକାରଙ୍କ ଘୋଷଣା ଅନୁସାରେ ୨୦୦୮ ଏପ୍ରିଲ ମାସରୁ ୨୦୧୫ ଜୁନ ମାସ ସୁଦ୍ଧା ୨୩ ହଜାର ୩୬୬ ଜଣଙ୍କୁ ନିଯୁକ୍ତି ମିଳିଛି।   ଏବେ ଆପଣମାନେ ହିସାବ କରନ୍ତୁ ଏ ରାଜ୍ୟରେ ବେକାର କେତେ? ଆମେ କ’ଣ ବିକାଶ ନା ଅନୁନ୍ନତ ରାଜ୍ୟର ବାସିନ୍ଦା?   ଭୁବନେଶ୍ୱର, ମୋ: ୯୪୩୭୦୩୯୪୧୭

Share :