ବୋହୂ ଚାଲି ନଜାଣଇ ଲୋ..

ବୋହୂ ଚାଲି ନଜାଣଇ ଲୋ..

Share :

ରୁଚି ପାଣିଗ୍ରାହୀ   କେଇ ଦିନ ତଳେ ଫେସବୁକ ଘାଣ୍ଟିଲା ବେଳେ ନଜର ଗଲା ଗୋଟେ ଲେଖା ଉପରେ। ସୁପ୍ରିମ କୋର୍ଟ ରାୟ ଦେଇଛନ୍ତି ଯେ ‘ବୋହୂମାନଙ୍କୁ ପରିବାରର ସଭ୍ୟ ଭଳି ସମ୍ମାନ ଦିଅ, ଚାକରାଣୀ ପରି ବ୍ୟବହାର ନୁହେଁ।’   ମୁଁ ବି ବୋହୁ। ମନେ ପଡିଲା ସେଇ ଝିଅ ଦେଖା ପ୍ରହସନ। ଘରଲୋକେ ମୁଣ୍ଡପୋତି ବସି ତାଙ୍କ ଘର ଲୋକଙ୍କୁ କହିଥିଲେ ଆଜ୍ଞା ଝିଅକୁ କ’ଣ ପଚାରିବେ ପଚାରନ୍ତୁ।   ଜା’ ପଚାରିଥିଲେ, ‘ଆଛା କହିଲ ଦେଖି ଶାଗରେ ହଳଦୀ ପଡେ ନା ନାହିଁ? ଯଦି ପଡେନି ତାହେଲେ କାହିଁକି?’   ଭଲା କଥା। ଆରେ ମୁଁ ତ’ ତୁମ ପୁଅକୁ ପଚାରୁନି ଯେ ଭେଣ୍ଡି ଧୋଇକି କଟା ହୁଏ ନା କାଟିକି ଧୁଆ ହୁଏ? ତା’ ହେଲେ ତୁମେ କିଆଁ ମୋତେ ଏସବୁ ପଚାରୁଛ? ବୋହୁ ଖୋଜି ଆସିଛ ନା ରାନ୍ଧୁଣି?   ହେଲେ କ’ଣ କରିବା? ଏଇ ଚିନ୍ତାଧାରା ଆମ ମନରେ ଏତେ ଗହୀର ଯାଏଁ ଚେର ମାଡି ବସିଛି ଯେ ଇଏ କ’ଣ ଏମିତି ଗୋଟେ ରାୟରେ ଉପାଡ଼ି ହେଇଯିବ? କଲେଜରେ ଯେତେ ଆଣ୍ଟି ରାଗିଙ୍ଗ ଅଣ୍ଡରଟେକିଙ୍ଗରେ ସାଇନ କରିଦିଅନ୍ତୁ ହେଲେ ସିନିୟରମାନେ ଜୁନିଅରଙ୍କୁ ଟିକେ ହଇରାଣ ନକଲେ କ’ଣ ତାଙ୍କ ଭାତ ହଜମ ହୁଏ! ସିନିୟର କହିବେ, ଆରେ ଆମ ସିନିୟର ସାର୍‌ମାନେ ଆମକୁ କେତେ କ’ଣ କରିଥିଲେ। ଆମେ କ’ଣ ଏମିତି ମାଗଣା ଛାଡିଦେବୁ ନା କ’ଣ ?   ହଉ ହେଲା ରାତି ବାରଟାରେ ଚଡିଗଞ୍ଜି ପିନ୍ଧେଇ ପ୍ୟାରେଡ କରେଇବୁନି ଯେ ହେଲେ ଟିକେନାକୁ କିଛି କରିବୁନି କେମିତି? ଠିକ ସେମିତି ଶାଶୁମାନେ କହିବେ, ମଲା ! ଆମ ଶାଶୁ ଆମକୁ କେତେ ଖୁଣ୍ଟା ଦେଉଥିଲେ। ଗାଲ ଚିମୁଟାଠାରୁ ଆରମ୍ଭ କରି ଚେଙ୍କା ଯାଏଁ। ଆମେ କ’ଣ ଟିକେ କହିଦେଲେ କ’ଣ ବିଗିଡି ଗଲା ସେଠୁ? ବୋହୂ ହେଇଛି ଆଉ କାମ କରନ୍ତାନି କି!   ମା’ମାନେ ଆଜି ବି ପୁଅମାନଙ୍କୁ କହନ୍ତି - ବାପାରେ ! ଆଣ୍ଠୁ ଗଣ୍ଠି ଜବାବ ଦେଲେଣି। ଏଥର ଗୋଟେ ବୋହୂ ଆଣିଦେ! ଆଉ ଆଜି ବି ଝିଅର ମା’ ଝିଅକୁ କହନ୍ତି- ଟିକେ କ’ଣ କାମ ଶିଖେ, ନହେଲେ ଶାଶୁଘରେ କହିବେ ମା’ କିଛି ଶିଖେଇନି।   ସୁପ୍ରିମ କୋର୍ଟ ଏପରି ଏକ ରାୟ ଦେବା ନିଶ୍ଚିତ ଭାବେ ସ୍ଵାଗତଯୋଗ୍ୟ। ମୁଁ ନିଜେ ଗୋଟେ ନାରୀ, ଝିଅ ଓ ବୋହୂ ଭାବେ ଖୁସି ହେଲି। କିନ୍ତୁ ଥରେ ଭାବନ୍ତୁ ତ ଯେଉଁ ସମାଜରେ ଛୋଟ ବେଳୁ ଆମେ ମିଛିମିଛିକା ଘର ଘର ଖେଳିଲା ବେଳେ ସ୍ଵାମୀ ରୋଲ କରୁଥିବା ପିଲାକୁ ଅଫିସ ପଠାଉ ଆଉ ସ୍ତ୍ରୀ ରୋଲ କରୁଥିବା ପିଲାକୁ ସଢେଇ ଧରେଇ କହୁ ଯା’ ଭାତ ରାନ୍ଧ, ସେଠି ଏମିତି ଗୋଟେ ରାୟରେ ବିଶେଷ କିଛି ବଦଳିବ ନାହିଁ।   ଦରକାର ଅଛି ଘରମାନଙ୍କରେ କିଛି ଗୁରୁତର କଥା ଆଲୋଚନା ବେଳେ ବୋହୂକୁ ବି ସାଙ୍ଗରେ ବସାଇବା। ତାକୁ ପର ଘର ଝିଅ ବୋଲି ସେସମୟରେ ଚା’ ଜଳଖିଆ ପାଇଁ ରୋଷେଇ ଘରକୁ ପଠେଇଦେବା ନୁହେଁ। ନିଜ ବାପା ମା’ଙ୍କ ଘରକୁ ଆସିଲେ ମାଣବସା ଗୁରୁବାର ଭୋଗ ତାକୁ ବି ଖାଇବାକୁ ଦେବା, ପରଘରୀ ହେଇଯାଇଛି ବୋଲି ଭୋଗ ହେଇ ନଥିବା ମଣ୍ଡା ଗୋଟେ ତା’ ଆଡ଼େ ବଢ଼େଇଦେବା ନୁହେଁ।   ପୁଅ ଯଦି ବାପାମା’ ନ ଚାହୁଁଥିବା କିଛି କାମ କଲା ତେବେ ଆଙ୍ଗୁଠି ପୁଅ ଆଡ଼କୁ ଆଗ ଉଠାନ୍ତୁ, ବୋହୂ ଆସି ଆମ ପୁଅକୁ ଛଡ଼େଇନେଲା କି ଶିଖେଇଦେଲା ବୋଲି କହି ତା’ ଆଡେ ନୁହେଁ। ପୁଅ ଯଦି ରୋଷେଇ ଘରେ ଯାଇ ବୋହୂ ସାଙ୍ଗେ ମିଶି ରୋଷେଇ କରୁଛି ତା’ହେଲେ ସେ ମାଇଚିଆ ନୁହେଁ ବରଂ ଅସଲ ପୁରୁଷପଣିଆ ଦେଖାଉଛି ବୋଲି ଖୁସି ହୁଅନ୍ତୁ। ନିୟମ ଖାଲି ବୋହୂ ପାଇଁ କରନ୍ତୁ ନାହିଁ, ଯଦି ନିୟମ ରହିବ ତା’ହେଲେ ସଭିଙ୍କ ପାଇଁ ରହୁ।   ଭୁବନେଶ୍ଵର

Share :