ୱାଗନ କାରଖାନା ପାଇଁ ଲଢ଼ିବ କଂଗ୍ରେସ

ୱାଗନ କାରଖାନା ପାଇଁ ଲଢ଼ିବ କଂଗ୍ରେସ

Share :

କଳାହାଣ୍ଡି ଜିଲ୍ଲାର ନର୍ଲାଠାରେ ପ୍ରସ୍ତାବିତ ରେଳ ୱାଗନ ମରାମତି କାରଖାନା ଆନ୍ଧ୍ର ପ୍ରଦେଶକୁ ଉଠିଯିବା ଘଟଣାକୁ ନେଇ କଳାହାଣ୍ଡି ଜିଲ୍ଲାରେ ତୀବ୍ର ଅସନ୍ତୋଷ ଲାଗିରହିଛି। ଏନେଇ ଶାସକ ଓ ବିରୋଧୀ ପରସ୍ପରକୁ ଦୋଷୋରୋପ ଦେବାରେ ଲାଗିଛନ୍ତି। ଶେଷରେ ଓଡିଶା ଗସ୍ତରେ ଆସିଥିବା ରେଳମନ୍ତ୍ରୀ କଳାହାଣ୍ଡି ସମେତ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ପୂର୍ବର କେନ୍ଦ୍ରରେ ଥିବା କଂଗ୍ରେସ ସରକାର ମୁଣ୍ଡରେ ଦୋଷ ଲଦି ଖସି ଚାଳିଯାଇଛନ୍ତି। ଏହାର ପ୍ରତିବାଦରେ କଂଗ୍ରେସ ଦଳ ତରଫରୁ ମେ ୨୫ ତାରିଖରେ ଭବାନୀପାଟଣାରେ ମହା ଜନସମାବେଶ ଓ ଚାଷୀ ସମାବେଶ ଅନୁଷ୍ଠିତ ହେବ ବୋଲି ପୂର୍ବତନ ରେଳମନ୍ତ୍ରୀ ଭକ୍ତ ଚରଣ ଦାସ ପ୍ରକାଶ କରିଛନ୍ତି।   ଗଣମାଧ୍ୟମକୁ ସେ କହିଛନ୍ତି ଯେ, ୨୦୧୦ ଫେବୃଆରି ୨୪ ତାରିଖରେ ରେଳବାଇ ବଜେଟରେ ତତ୍କାଳୀନ ରେଳମନ୍ତ୍ରୀ ମମତା ବାନାର୍ଜୀ କଳାହାଣ୍ଡିରେ ୱାଗନ କାରଖାନା କରିବାକୁ ଘୋଷଣା କରିଥିଲେ। ସିକନ୍ଦରାବାଦ, ବର୍ଦ୍ଧମାନ ଓ ତେଲେଙ୍ଗାନାରେ ଗୋଟିଏ ଲେଖାଏଁ ୱାଗନ କାରଖାନା ସ୍ଥାପନ କରାଯିବାକୁ ଘୋଷଣା ହୋଇଥିବା ବେଳେ ଅନ୍ୟଟି ଓଡିଶାର ଅନୁନ୍ନତ କଳାହାଣ୍ଡିରେ ହେବ ବୋଲି ଉଲ୍ଲେଖ ରହିଥିଲା। ଏନେଇ କଳାହାଣ୍ଡି ଜିଲ୍ଲା ନର୍ଲା ନିକଟ ଚପଟଖଣ୍ଡାଠାରେ ରେଳଡବା କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଯୋଜନା ଅଟକଳ ପ୍ରସ୍ତୁତ କଲା ପରେ ରେଳ ବୋର୍ଡ ନର୍ଲା ଚପଟଖଣ୍ଡା ଏହି କାରଖାନା ପାଇଁ ଉପଯୁକ୍ତ ସ୍ଥାନ ବୋଲି ମତ ଦେଇଥିଲେ।   ଉକ୍ତ ରିପୋର୍ଟ ଅନୁଯାୟୀ ଚପଟଖଣ୍ଡାଠାରେ କାରଖାନା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ଦିଆଯିବା ପାଇଁ ସବୁ ପ୍ରସ୍ତୁତି ସରିଥିଲା। କିନ୍ତୁ ହଠାତ ସାଧାରଣ ନିର୍ବାଚନ ଘୋଷଣା ହୋଇଯିବାରୁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇପାରି ନଥିଲା। ଗତ ମାସ ଭୁବନେଶ୍ବର ରେଳ ଷ୍ଟେସନରେ ୱାଇ ଫାଇ ସେବା ଉଦଘାଟନ ପାଇଁ ଆସିଥିବା ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଓ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା କହିଥିଲେ ଯେ ନର୍ଲା ୱାଗନ ମରାମତି କାରଖାନା ଆନ୍ଧ୍ର ପ୍ରଦେଶର ବିଶାଖପାଟଣାର ପ୍ରତିବାଦରେ ରାଜ୍ୟରେ ଆନ୍ଦୋଳନ ହୋଇଥିବା ନେଇ କେନ୍ଦ୍ର ସରକାର ଅବଗତ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରେଳମନ୍ତ୍ରୀଙ୍କୁ ପ୍ରକୃତରେ ବାସ୍ତବ ସ୍ଥିତି କଣ ଜାଣିବା ପାଇଁ ଚିଠି ଲେଖିଥିଲେ। ସେମାନେ କହିଥିଲେ ଯେ ଏହି ପ୍ରକଳ୍ପକୁ କେବେବି ରେଳବାଇ ମନ୍ତ୍ରଣାଳୟ ସ୍ୱୀକୃତି ଦେଇନଥିଲା। ଯେଉଁ ପ୍ରକଳ୍ପଗୁଡିକୁ ରେଳବାଇ ଅନୁମୋଦନ କରେ, ତାକୁ ପିଙ୍କ ବୁକରେ ଉଲ୍ଲେଖ କରାଯାଏ। କିନ୍ତୁ ରେଳବାଇର ପିଙ୍କ ବୁକରେ ନର୍ଲା କାରଖାନା ସମ୍ପର୍କରେ କିଛି ସୂଚନା ନାହିଁ ବୋଲି ସେମାନେ ସ୍ପଷ୍ଟୀକରଣ ଦେଇଥିଲେ। ମନ୍ତ୍ରୀ ଦ୍ବୟ କହିଥିଲେ ଯେ କେହି ଜଣେ ଆସି ଘୋଷଣା କରିଦେଲେ କାରଖାନା ହୁଏ ନାହିଁ। ସେଥିପାଇଁ ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି।   କେନ୍ଦ୍ର ମୋଦି ସରକାରର ଏହି ଦୁଇ ମନ୍ତ୍ରୀଙ୍କର ଏପରି ମନ୍ତବ୍ୟ ରାଜ୍ୟ ପ୍ରତି ଉଜ୍ଜ୍ବଳ ପ୍ରତାରଣା ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଭକ୍ତ ଚରଣ ଦାସ।  ସେ କହିଛନ୍ତି ଯେ କଳାହାଣ୍ଡି ଓ ସର୍ବୋପରି ଓଡିଶା ପ୍ରତି ଏହି ପ୍ରତାରଣାର ପ୍ରତିବାଦ କରିବ କଂଗ୍ରେସ। ଆସନ୍ତା ମେ ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସମାବେଶରେ କଂଗ୍ରେସର ଜାତୀୟ ସ୍ତରର ନେତା ମଧ୍ୟ ଯୋଗ ଦେବେ ବୋଲି ଭକ୍ତ ସୂଚନା ଦେଇଛନ୍ତି।

Share :