ନ୍ୟାୟପ୍ରାର୍ଥୀ ନ୍ୟାୟପାଳିକା

ନ୍ୟାୟପ୍ରାର୍ଥୀ ନ୍ୟାୟପାଳିକା

Share :

୧୬୦୦୦ ବିଚାରପତି, ୩ କୋଟି ମାମଲା   କାନ୍ଦି ପକାଇଲେ ଭାରତର ପ୍ରଧାନ ବିଚାରପତି ଟିଏସ ଠାକୁର। ନ୍ୟାୟପାଳିକାର କାର୍ଯ୍ୟବୋଝ ଓ ଦୁର୍ଦ୍ଦଶା କଥା କହୁ କହୁ ଭାବବିହ୍ବଳ ହୋଇଗଲେ। ଆଖିରୁ ଗଡ଼ି ପଡ଼ିଲା କେଇ ଟୋପା ଲୁହ। ସଭାରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବିଚାରପତିଙ୍କ କୋହର କାରଣ ବୁଝିବା ପରେ ସମାଧାନର ପ୍ରତିଶ୍ରୁତି ଦେଲେ। ତାଙ୍କ ସହିତ ରୁଦ୍ଧଦ୍ବାର ଆଲୋଚନା ପାଇଁ ନିଜ ଆଡ଼ୁ ପ୍ରସ୍ତାବ ରଖିଲେ। ନ୍ୟାୟପାଳିକାକୁ ନ୍ୟାୟ ପାଇଁ ପରୋକ୍ଷରେ ଅନୁରୋଧ କରିଥିଲେ ପ୍ରଧାନ ବିଚାରପତି।   ନୂଆଦିଲ୍ଲୀରେ ଆୟୋଜିତ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କର ସମ୍ମିଳନୀରେ ଉଦବୋଧନ ଦେବା ଅବସରରେ ନ୍ୟାୟପାଳିକାକୁ ହେଉଥିବା ସମାଲୋଚନା ନେଇ କ୍ଷୋଭ ପ୍ରକାଶ କରିଥିଲେ ପ୍ରଧାନ ବିଚାରପତି ଟିଏସ ଠାକୁର। ଦେଶରେ ଆବଶ୍ୟକ ସଂଖ୍ୟକ ବିଚାରପତି ନଥିବାରୁ ବିଚାର ପ୍ରକ୍ରିୟା ବିଳମ୍ବିତ ହେଉଛି ବୋଲି ସେ କହିଥିଲେ। ଏହି କାରଣରୁ ନ୍ୟାୟପାଳିକା ଉପରେ ମାମଲାର ବୋଝ ବଢ଼ି ଚାଲିଛି। ଦେଶରେ ୨୧ ହଜାର ବିଚାରପତି ପଦବୀ ଥିବାବେଳେ ଅଛନ୍ତି ମାତ୍ର ୧୬ ହଜାର। ଏଇ ୧୬ ହଜାର ବିଚାରପତି ପଡ଼ି ରହିଥିବା ୩ କୋଟି ମାମଲା କେମିତି ଓ କେବେ ବିଚାର କରିବେ ବୋଲି ସେ ପ୍ରଶ୍ନ କରିଥିଲେ।   ଏହି ପ୍ରସଙ୍ଗରେ ସେ କହିଥିଲେ ଯେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବାକୁ ୧୯୮୭ ମସିହାରେ ଆଇନ ଆୟୋଗ ସୁପାରିଶ କରିଥିଲେ। ସେତେବେଳେ ଦେଶରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ମାତ୍ର ୧୦ ଜଣ ବିଚାରପତି ଥିଲେ। ତାହାକୁ ୫୦ ଜଣ ବିଚାରପତିଙ୍କୁ ବୃଦ୍ଧି କରିବାକୁ ଆଇନ ଆୟୋଗ ସୁପାରିଶ କରିଥିଲେ। ଇତିମଧ୍ୟରେ ତିନି ଦଶନ୍ଧି ବିତିଗଲାଣି। ସୁପାରିଶ କାର୍ଯ୍ୟକାରୀ ହୋଇନାହିଁ। ନ୍ୟାୟପାଳିକାର ଭିତ୍ତିଭୂମି ଓ ମାନବ ସମ୍ୱଳ ବୃଦ୍ଧି କରିବା ପ୍ରସ୍ତାବ ପଡ଼ିଲେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଉପରେ ଏବଂ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦି ଖସିଯାଉଛନ୍ତି। ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି ନ୍ୟାୟପ୍ରାର୍ଥୀ ସାଧାରଣ ଜନତା। ତଥାପି, ଦେଶରେ ନ୍ୟାୟପାଳିକା ଉପରୁ ଲୋକଙ୍କ ଆସ୍ଥା ତୁଟି ନାହିଁ। ସେମାନେ ଏବେ ବି ନ୍ୟାୟପାଳିକାରୁ ନ୍ୟାୟ ମିଳିବ ବୋଲି ଭରସା କରୁଛନ୍ତି। ଏକଥା କହିବା ସମୟରେ ପ୍ରଧାନ ବିଚାରପତି ଠାକୁରଙ୍କ ଆଖିରୁ କେଇ ଠୋପ ଲୁହ ଗଡ଼ି ପଡ଼ିଥିଲା। ସେ ତାହାକୁ ପ୍ରଥମେ ହାତରେ ଓ ପରେ ରୁମାଲରେ ପୋଛି ନିଜ ଅଭିଭାଷଣ ଜାରି ରଖିଥିଲେ।   ମଂଚରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲକ୍ଷ କରି ସେ କହିଥିଲେ ଯେ ଦେଶର ବିକାଶ ଦ୍ବାହିରେ ଆପଣ ଏ ଦିଗରେ କିଛି କରନ୍ତୁ, ସମୟର ଆବଶ୍ୟକତା ପୂରଣ କରନ୍ତୁ। ଆପଣ ସମସ୍ତ ବୋଝ ନ୍ୟାୟପାଳିକା ଉପରେ ଲଦି ଦେଇପାରିବେ ନାହିଁ। ବିଚାରପତିମାନଙ୍କ ଦକ୍ଷତାର ମଧ୍ୟ ଗୋଟେ ସୀମା ଅଛି। ପ୍ରଧାନ ବିଚାରପତି ଠାକୁର କହିଥିଲେ ଯେ ଆମେରିକାରେ ଜଣେ ଜଣେ ବିଚାରପତି ବାର୍ଷିକ ମାତ୍ର ୮୧ଟି ମାମଲାର ବିଚାର କରୁଥିବାବେଳେ ଭାରତରେ ଜଣେ ଜଣେ ବିଚାରପତିଙ୍କୁ ହାରାହାରି ୨୬୦୦ ମାମଲାର ବିଚାର କରିବାକୁ ପଡ଼ୁଛି। ନିମ୍ନ କୋର୍ଟଗୁଡ଼ିକ ବାର୍ଷିକ ୨ କୋଟି ମାମଲାର ବିଚାର କରୁଛନ୍ତି। ଆଇନ ଆୟୋଗଙ୍କ ସୁପାରିଶ ଅନୁସାରେ ଦେଶର ବିଚାରପତି ସଂଖ୍ୟା ପ୍ରଚଳିତ ୨୧ ହଜାରରୁ ୪୦ ହଜାରକୁ ବୃଦ୍ଧି କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲକ୍ଷ୍ୟ କରି ଅନୁରୋଧ କରିଥିଲେ। ପ୍ରତ୍ୟକ୍ଷ ବିଦେଶୀ ପୁଂଜି, ବିକାଶ, ମେକ ଇପ‌ ଇଣ୍ଡିଆ ଆଦି କାର୍ଯ୍ୟକ୍ରମର ସଫଳତା ପାଇଁ ଅଧିକ ସଂଖ୍ୟକ ବିଚାରପତିଙ୍କ ଆବଶ୍ୟକତା ରହିଛି ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ସୂଚାଇ ଦେଇଥିଲେ।   ପ୍ରଧାନ ବିଚାରପତିଙ୍କର ଏପିର ଭାବ ବିହ୍ବଳ ଆବେଦନ ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବିଚଳିତ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଥିଲା। ୧୯୮୭ ମସିହାର ସୁପାରିଶ ସଂପର୍କରେ ସେ କହିଥିଲେ ଯେ ତାଙ୍କର ପୂର୍ବବର୍ତ୍ତୀ ସରକାରମାନେ ଏ ଦିଗରେ କାହିଁକି କିଛି କରି ନାହାନ୍ତି ସେ ଜାଣି ନାହାନ୍ତି। ତେବେ ସେ ନିଶ୍ଚୟ ଏହାର ସମାଧାନ ଖୋଜିବେ। ସେଥିପାଇଁ ସେ ଏକ ରୁଦ୍ଧଦ୍ୱାର ବୈଠକରେ ଆଲୋଚନା କରିବା ନିମନ୍ତେ ପ୍ରଧାନ ବିଚାରପତିଙ୍କୁ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ ଯେ ନିର୍ଦ୍ଦିଷ୍ଟ ଦଳ ଓ ରୁଦ୍ଧଦ୍ବାର ପ୍ରସ୍ତାବ ଗୃହୀତ ହୁଏ ତେବେ ସେ ନିଶ୍ଚୟ ଏ ଦିଗରେ କିଛି କରିବେ। ଏହା ସହିତ ଦେଶରେ ପ୍ରଚଳିତ ବହୁ ଅନାବଶ୍ୟକ ଓ ପୁରୁଣା ଆଇନ ଉଚ୍ଛେଦ ହେବା ଉଚିତ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ମତ ଦେଇଥିଲେ।

Share :