ସାମାଜିକ ଗଣମାଧ୍ୟମ ଓ ସାମ୍ବାଦିକତା

ସାମାଜିକ ଗଣମାଧ୍ୟମ ଓ ସାମ୍ବାଦିକତା

Share :

ରତ୍ନେଶ୍ବର ସାହୁ   ଆଜି ବିଭିନ୍ନ ପ୍ରକାର ମାଧ୍ୟମରେ ଗୋଟିଏ ସ୍ଥାନର ବାର୍ତ୍ତା ଅନ୍ୟ ସ୍ଥାନକୁ ପହଂଚି ପାରୁଛି। ବିଭିନ୍ନ ଗଣମାଧ୍ୟମ ତୁଳନାରେ ଫେସବୁକ୍ ଏକ ସ୍ବତନ୍ତ୍ର ସ୍ଥାନ ନେଇସାରିଛି। ଏଠାରେ ମଧ୍ୟ ସର୍ବସାଧାରଣ ଏବଂ ଘରୋଇ ପ୍ରସାର ଭଳି ବ୍ୟବସ୍ଥା ରହିଛି। ଏଠାରେ ଜଣେ ଚାହିଁଲେ ନିଜେ ସାମ୍ବାଦିକ ହୋଇ ପାରିବ। ନିଜର ମତଦେଲା ଭଳି ବ୍ୟବସ୍ଥା ରହିଛି, ସମ୍ପାଦକୀୟ ପୃଷ୍ଠାରେ ବାହାରୁଥିବା ଆଟିକ୍ଲ ବା ଆଲେଖ୍ୟ ପାଇଁ ଜଣେ ସ୍ତମ୍ଭକାର ଭାବେ ଲେଖା ଲେଖି ପାରିବା, ଫଟୋ ସାମ୍ବାଦିକ ଭଳି ଫଟୋ କ୍ୟାପ୍ସନ ଦେଇ ଲେଖିପାରିବା, ନିଜ ଅଂଚଳର ସମ୍ବାଦ ଅନ୍ୟମାନଂକ ପାଖରେ ପହଂଚାଇ ପାରିବା, ନିଜେ ନିଜର କାର୍ଯ୍ୟକ୍ରମ ବିଷୟରେ ଅନ୍ୟମାନଂକୁ ଜଣାଇପାରିବା। କିନ୍ତୁ ଦେଖାଯାଉଛି ଯେ ଏହି ସମାଜିକ ଗଣମାଧ୍ୟମକୁ କିଛି ଲୋକ କେବଳ ନିଜର ଫଟୋ ଅପଲୋଡ଼ କରି ଚୁପ୍ ରହିଯାଉଛନ୍ତି। ଆମେ ନିଜର ମନର କଥା, ନିଜେ କଣ ଭାବୁଛେ, ନିଜେ ସେହି କଥା ସହ କେତେ ପରିମାଣରେ ଏକମତ ହେଉଛେ ଯଦି କହିବା ନାହିଁ ତାହା ହେଲେ ନିଜେ ଗୋଟିଏ ଜଡ ନୋହୁଁ କି ? ହଁ, ଏହି କଥା ସତ ଯେ ସବୁବେଳେ କିଛି ପ୍ରତିକ୍ରିୟା ଦେବା ମଧ୍ୟ ଠିକ ନୁହେଁ। କିନ୍ତୁ ଯଦି ବେଳେବେଳେ ନିଜେ ନିଜ ତରଫରୁ କିଛି ମତ ରଖିବା ନାହିଁ ତେବେ ଆମେ ଯାହା ଭାବୁଛେ ତାହା ଠିକ ବୋଲି କିପରି ଜୋର ଦେଇ କହିପାରିବା? ଆମେ ମନେରଖିବା ଉଚିତ ଯେ ସବୁବେଳେ ଆମେ ଯେଉଁ କଥା ଦେଖୁ କିମ୍ବା ଶୁଣୁ ତାହା ସତ୍ୟ ହୋଇଥାଇପାରେ ବା ମିଥ୍ୟା ବି ହୋଇପାରେ। ବେଳେବେଳେ ଅର୍ଦ୍ଧସତ୍ୟ ମଧ୍ୟ ଆମମାନଂକ ପାଖରେ ପହଂଚିଥାଏ। ତେଣୁ ବାରମ୍ବାର ନିଜେ ନିଜ ତରଫରୁ କିଛି ପ୍ରଶ୍ନ ଉପସ୍ଥାପନ କଲେ ହୁଏତ ବହୁତ କିଛି ସଠିକ ତଥ୍ୟ ଏବଂ ଘଟଣା ବିଷୟରେ ଆମେ ଜାଣିପାରିବା। ଅନେକ ସମୟରେ କିଛି ଲୋକ ଅନ୍ୟମାନଂକଠାରୁ ଯାହା ପୋଷ୍ଟ ଦେଖନ୍ତି ତାହାକୁ ଶେୟାର କିମ୍ବା ଲାଇକ୍ କରି ଦିଅନ୍ତି॥ କିନ୍ତୁ ଯଦି ବନ୍ଧୁମାନେ ସେହି ବିଷୟରେ ଅଧିକ ଜାଣିବା ପାଇଁ ଚାହାନ୍ତି ତାହା ହେଲେ କୁହନ୍ତି ଆମେ ଅଧିକ ଜାଣନ୍ତି ନାହିଁ। ଏହାଦ୍ବାରା ସେହି ବନ୍ଧୁମାନଂକ ପାଖରେ ସେମାନଂକ ଜ୍ଞାନ ବିଷୟରେ ବିଭିନ୍ନ ପ୍ରଶ୍ନ ଉଠୁ ନ ଥିବ କି? ଆମେ ଶିକ୍ଷିତ ବୋଲି ଆଜି ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମକୁ ବ୍ୟବହାର କରିପାରୁଛୁ କିନ୍ତୁ ଯଦି କେବଳ ଶେୟାର କିମ୍ବା ଲାଇକ୍ କରିଦେଉ ତାହା ହେଲେ ଆମେ କେବଳ ଖବର ଦେବା ଲୋକ ଛଡା ଅନ୍ୟ କିଛି ପରିଚୟ ନେଇ ବଂଚିପାରିବା କି? ଶେୟର୍ କିମ୍ବା ଲାଇକ୍ କରିବା କିଛି ଖରାପ ନୁହେଁ କିନ୍ତୁ ସେହି ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବା ନିହାତି ଆବଶ୍ୟକ। ଯେତେଦିନ ପର୍ଯ୍ୟନ୍ତ ଆମେ ନିଜେ ଜ୍ଞାନ, ଦକ୍ଷତା ଏବଂ ମାନସିକତାକୁ ନିଜର ବିକାଶ ପାଇଁ ଶିଖିବା, ବ୍ୟବହାର କରିବା ଏବଂ ବଢାଇବା ପାଇଁ ଇଚ୍ଛା ପ୍ରକାଶ କରି ନାହୁଁ ସେତେଦିନ ପର୍ଯ୍ୟନ୍ତ ଆମେ ନିଜେ ଶିକ୍ଷିତ ନୋହୁଁ। ଏହା ଆମେ ମାନିବାକୁ ବାଧ୍ୟ। ମଣିଷକୁ ଶିଖିବା ପାଇଁ ଦୁଇ ଥର ସୁଯୋଗ ମିଳେ। ପ୍ରଥମ ଥର କୁହାଯାଏ ଯେ ଏମିତି କର ଏବଂ ଦ୍ବିତୀୟ ଥର ପରିସ୍ଥିତି ବାଧ୍ୟ କରେ ଏମିତି କରିବା ଏବଂ ଶିଖିବା ପାଇଁ। ଧରି ନିଆଯାଉ ସେହି ସମୟରେ ଶିକ୍ଷକ କହିଲେ ଯେ ଏହି ବିଷୟରେ ଜ୍ଞାନ ଆହରଣ କର। କିନ୍ତୁ ସେହି ସମୟରେ କେବଳ ମାର୍କ ପଛରେ ଗୋଡାଇ ଗୋଡାଇ ସେହି ବିଷୟକୁ ଧ୍ୟାନ ନ ଦେଇ ଅନ୍ୟ ବିଷୟ ଗୁଡିକୁ ଧ୍ୟାନ ଦେଲୁ ଏବଂ ଅଧିକ ମାର୍କ ମଧ୍ୟ ପାଇଲୁ ଏବଂ ଗୋଟିଏ ଚାକିରୀ ପାଇଲୁ। ସେତେବେଳେ ଆମର ଚାକିରୀକୁ ଧରି ରଖିବାକୁ ହେଲେ ସେହି ବିଷୟକୁ ନିଶ୍ଚିତ ଧ୍ୟାନ ଦେବାକୁ ପଡିବ। ନଚେତ ଚାକିରୀ ହାତରୁ ଚାଲିଯିବ। ତେଣୁ ଆମେ ବାଧ୍ୟ ହୋଇ ଶିଖିବୁ। ଯଦି ଝିଅ ହୋଇଛୁ ତେବେ ମା’ କହିବେ ରୋଷେଇ କରିବାକୁ। କିନ୍ତୁ କରିବୁ ନାହିଁ। ଯେତେବେଳେ ବୋହୂ ହେବୁ ସେତେବେଳେ ଆମେ ବାଧ୍ୟ ହୋଇ ଶିଖିବୁ। ଯଦି ଅନ୍ୟ କାହାର ଚାପରେ କିଛି କରିବାକୁ ବାଧ୍ୟ ସତେବେଳେ ଆମର ସମ୍ମାନ ଯାଉନି କି? ବିଭିନ୍ନ ସମୟରେ ଗୋଟିଏ ଖବର ଅନ୍ୟ ପାଖରେ ପହଂଚାଇବା ପାଇଁ ଆମେ ନିର୍ଦ୍ଦିଷ୍ଟ କିଛି ଲୋକକ ଉପରେ ନିର୍ଭର କରିବାକୁ ପଡୁଥିଲା। କିନ୍ତୁ ସମୟ ବଦଳି ଯାଇଛି। ଆମେ ଜଣେ ସମ୍ବାଦିକ, ଜଣେ ଚାପ ପ୍ରୟୋଗକାରୀ ଭାବେ ସତ୍ୟ ଘଟଣା ଓ ଗତଦିନ ମାନଂକରେ ଘଟିଥିବା ଘଟଣା ଗୁଡିକର ପୃଷ୍ଠଭୁମି ଗୁଡିକ ବିଷୟରେ ଜଣାଇ ପାରିବା, ଜଣେ ଓକିଲ ଭାବେ ତର୍କ ରଖିପାରିବା, ଜଣେ ସାମାଜିକ ବ୍ୟକ୍ତି ଭାବରେ ସମାଜ ପାଇଁ ମଧ୍ୟ କିଛି କରିପାରିବା; ଏହାହେଉଛି ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରିବାପାଇଁ ସୁଯୋଗ।

Share :