ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଆଇନ- ନିୟମ ହେଲା ନାଟକ

ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଆଇନ- ନିୟମ ହେଲା ନାଟକ

Share :

ଭବାନୀ ନନ୍ଦ   ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ରେ ପ୍ରଣୟନ ହେଲା।  ଅକ୍ଟୋବର ୨୦୧୫ ରେ ସୂଚନା କମିସନଙ୍କୁ ଖାଦ୍ୟ କମସନ‌୍‍ ଦାୟିତ୍ବ ଦିଆଗଲା। ଏହି ଆଇନ ଅନୁଯାୟୀ ଓଡିଶା ସରକାର ୨୦୧୫ ନଭେମ୍ୱର ପହିଲା ତାରିଖରୁ ୧୪ ଜିଲ୍ଲାରେ ଏବଂ ଡିସେମ୍ୱର ପହିଲା ତାରିଖରୁ ବାକୀ ୧୬ ଜିଲ୍ଲାରେ ଖାଦ୍ୟଶସ୍ୟ ବିତରଣ ଆରମ୍ଭ କଲେ। ଏଥି ସଙ୍ଗେସଙ୍ଗେ ହିତାଧିକାରୀ ଚୟନର ସମସ୍ତ ପ୍ରକାର ଦୁର୍ନୀତି ପଦାକୁ ଆସିଲା। ଯିଏ ରେସନ କାର୍ଡ ପାଇବା କଥା ସେ ପାଇନି ଏବଂ ଯେଉଁମାନେ ନପାଇବା କଥା ସେମାନେ ପାଇଛନ୍ତି। ଏମିତି ଅଭିଯୋଗ ବଢ଼ିଲା। ଅନେକ ଅଭିଯୋଗ ସତ୍ତ୍ବେ ଏସବୁ ଦୁର୍ନୀତିରେ ଦୋଷୀ କିଏ, ତାହା ସରକାର ଗୋପନରେ ରଖିଲେ। ପୁଣି ସୂଚନା କମିଶନରଙ୍କୁ ଖାଦ୍ୟ କମିଶନର କରି ଦାୟିତ୍ୱ ଦେଲେ। ସୂଚନା କମିଶନଙ୍କ ପାଖରେ ୬୦୦୦ରୁ ଅଧିକ ଅପିଲ ପଡି ରହିଥିବାବେଳେ ସେ କିପରି ପୁଣି ଆଉ ଏକ ଗୁରୁ ଦାୟିତ୍ୱ ନେଇ ତୁଲାଇବେ ତାହା ଭାବିଲେ ନାହିଁ। କେବଳ ଲୋକେ ଜାଣିବାକୁ ଖାଦ୍ୟ କମିଶନ ନିଯୁକ୍ତ ହେଲେ। ତା-୮-୪-୨୦୧୬ ଦିନ ଖାଦ୍ୟ କମିସନ ଚେୟାରମ୍ୟାନ ୨ ଦୁଇ ଜଣ ସଭ୍ୟ ପଦ ପୂରଣ ପାଇଁ ଖବରକାଗଜରେ ଇସ୍ତାହାର ଦିଆଗଲା। ଦରଖାସ୍ତ ଗ୍ରହଣର ଶେଷ ତାରିଖ ୨୮-୪-୨୦୧୬। ତା’ପରେ ଚୟନ ପ୍ରକ୍ରିୟା। ସେ ପର୍ଯ୍ୟନ୍ତ ଅର୍ଥାତ ଦୀର୍ଘ ୬ ମାସରୁ ଅଧିକ କାଳ ନାମକୁ ମାତ୍ର ଖାଦ୍ୟ କମିସନ। ଗତ ଜାନୁୟାରୀ ୨୫ ତାରିଖରେ ଓଡିଶା ଗେଜେଟରେ ଖାଦ୍ୟ ସୁରକ୍ଷା ଆଇନର  ଡ୍ରାଫ୍ଟ ନିୟମାବଳି ସହିତ ସର୍ବସାଧାରଣଙ୍କ ପାଇଁ ଏକ ଇସ୍ତାହାର ପ୍ରକାଶ କଲେ। ସେହି ଇସ୍ତାହାରରେ ଉକ୍ତ ଡ୍ରାଫ୍ଟ ନିୟମାବଳି ଉପରେ ସର୍ବସାଧାରଣଙ୍କ ପ୍ରସ୍ତାବ ବା ଆପତ୍ତି ଆଦି ମାଗିଲେ। ଏହି ଆପତ୍ତି ବା ପ୍ରସ୍ତାବ  ୧୫ ଦିନ ମଧ୍ୟରେ ଅର୍ଥାତ ଫେବୃୟାରୀ ୯ ତାରିଖ ମଧ୍ୟରେ ଦାଖଲ କରିବା ପାଇଁ କୁହାଯାଇଥିଲା। କେତେ ଜଣ କି କି ପ୍ରସ୍ତାବ ବା ଆପତ୍ତି ଦାଖଲ କଲେ ଓ ସେଗୁଡିକ ଉପରେ କ’ଣ ପଦକ୍ଷେପ ନିଆଗଲା, ତାହାକୁ ବି ସରକାର ଗୋପନୀୟ ରଖିଲେ। ଏବେ ଦେଖିଲା ବେଳକୁ ଗତ ମାର୍ଚ୍ଚ ୧୫ ତାରିଖରେ ଇସ୍ତାହାର ସଂଖ୍ୟା ୫୭୨୫ରେ ସରକାରଙ୍କର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଉକ୍ତ ଡ୍ରାଫ୍ଟ ନିୟମାବଳିକୁ ପୂର୍ଣାଙ୍ଗ ରୂପରେଖ ଦେଇ ସାରିଛନ୍ତି । ତାହା ଓଡିଶା ରାଜ୍ୟ ଖାଦ୍ୟ କମିଶନ ନିୟମାବଳି ୨୦୧୬ ନାମରେ ନାମିତ ଏବଂ ଓଡିଶା ଗେଜେଟେରେ ପ୍ରକାଶ ପାଇବା ଦିନଠାରୁ କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ହୋଇସାରିଛି। ସେଥିରେ ଗୋଟିଏ ଧାଡି ଲେଖାଅଛି ଯେ ସର୍ବସାଧାରଣଙ୍କଠାରୁ ମିଳିଥିବା ଆପତ୍ତି ବା ପ୍ରସ୍ତାବଗୁଡିକୁ ବିଚାରକୁ ନିଆଯାଇ ନିୟମାବଳି ତିଆରି କରାଗଲା। ମାତ୍ର ଡ୍ରାଫ୍ଟ ନିୟମାବଳି ଯାହା ଥିଲା ପ୍ରାୟ ତାହା ହିଁ  ରହିଲା। କେବଳ କେତେକ ମାମୁଲି ପରିବର୍ତ୍ତନ କରଗଲା। ଯଥା (୧) ଅଧ୍ୟକ୍ଷ ୨ ମାସ ଆଗୁଆ ନୋଟିସ ଦେଇ ଇସ୍ତଫା ଦେଇପାରିବେ, (୨) ଅଧ୍ୟକ୍ଷ ଓ ସଭ୍ୟମାନଙ୍କ ନିଯୁକ୍ତି ପାଇଁ ସର୍ବାଧିକ ପ୍ରସାରିତ ଦୁଇଟି ଓଡିଆ ଓ ଦୁଇଟି ଇଂରାଜୀ ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇବ, (୩) ଅଧ୍ୟକ୍ଷ ଓ ସଭ୍ୟ ସର୍ବାଧିକ ୩ ବର୍ଷ ଚାକିରୀରେ ରହିବେ ଏବଂ ଆଉ ଏକବର୍ଷ ପୁନଃନିଯୁକ୍ତି ପାଇଁ ଉପଯୁକ୍ତ ହେବେ।  ମାତ୍ର ଅନେକ ଗୁରୁତ୍ବପୂର୍ଣ ବ୍ୟବସ୍ଥା ନିୟମରେ ସ୍ଥାନ ପାଇଲା ନାହିଁ। ସରକାରଙ୍କ ରେକର୍ଡ ଅନୁଯାୟୀ ୧୩ ଜଣ ଆପତ୍ତି ଓ ପ୍ରସ୍ତାବମାନ ଦେଇଥିଲେ। ସେଗୁଡିକ ସବୁ କାଟ ଖାଇଗଲା। ସେହି ୧୩ ଜଣଙ୍କର ଆପତ୍ତି ଓ ପ୍ରସ୍ତାବ ମାନ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଗଲା ନାହିଁ। କେବଳ ସରକାରଙ୍କୁ ସୁହାଇଲା ଭଳି ଉପରୋକ୍ତ ମାମୁଲି ପ୍ରସ୍ତାବ ଗ୍ରହଣ କରି ନିୟମ ପ୍ରଣୟନ କରିଦେଲେ।  କେହି ପ୍ରସ୍ତାବ ଦେଉ ବା ନଦେଉ ଆଇନରେ ଯେଉଁ ଯେଉଁ ଧାରା ଉପରେ ନିୟମ ପ୍ରଣୟନ କରିବା କଥା  ତାହା ସରକାର କଲେ ନାହିଁ। ଯାହା ନକରିବା କଥା ତାହା କଲେ।  ନିମ୍ନରେ ଦିଆଯାଇଥିବା ଉଦାହରଣ ଗୁଡିକରୁ ପାଠକେ ବୁଝିପାରିବେ କିଭଳି ନିୟମ ଆମ ସରକାର କରିଛନ୍ତି। ଉକ୍ତ ନିୟମାବଳିରେ ଖାଦ୍ୟ ଆଇନର ଅନେକ ବିରୋଧାଭାସ ରହିଛି। ଖାଦ୍ୟ ଆଇନର ଧାରା ୪୦ ଉପଧାରା ୨ ଅନୁଯାୟୀ ବ୍ୟବସ୍ଥା ଥିଲେ ମଧ୍ୟ ଅଗ୍ରାଧିକାର ପରିବାର ଚିହ୍ନଟ,  ଆଭ୍ୟନ୍ତରୀଣ ନିରୀକ୍ଷଣ ବ୍ୟବସ୍ଥା,  ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀଙ୍କ ଯୋଗ୍ୟତା,  ଲକ୍ଷ୍ୟସ୍ଥିତ ସାଧାରଣ ବଂଟନ ବ୍ୟବସ୍ଥା ସମ୍ୱନ୍ଧୀୟ ଦଲିଲ ସର୍ବସାଧାରଣରେ ସ୍ଥାନିତ କରିବା ଏବଂ ସର୍ବସାଧାରଣ ତନଖି କରିବାର ସୁବିଧା ଦେବା,  ରାଜ୍ୟ, ଜିଲ୍ଲା, ବ୍ଲକ ତଥା ସୁଲଭ ମୂଲ୍ୟ ଦୋକାନ ସ୍ତରୀୟ ଭିଜିଲାନ୍ସ କମିଟି ଗଠନ ଏବଂ ତଦାରଖ ପ୍ରଣାଳି, ଅଭିଯୋଗ ଶୁଣାଣି ଅଧିକାରୀ ତଥା କମିଶନଙ୍କ ସଭ୍ୟମାନଙ୍କ କେନ୍ଦ୍ର ବା ରାଜ୍ୟର ଅନ୍ୟାନ୍ୟ ଯୋଜନାରେ ନିୟୋଜନ ଇତ୍ୟାଦି ବିଷୟରେ ନିୟମ ପ୍ରସ୍ତୁତ ହୋଇନାହିଁ । ସବୁ ସ୍ତରର ଭିଜିଲାନ୍ସ କମିଟି ଗଠନ ଓ ସେମାନଙ୍କର କାର୍ଯ୍ୟ ଉପରେ ଆଇନର ଧାରା ୨୯ ରେ ଗୁରୁତ୍ବ ଦିଆଯାଇଅଛି। ତାହା ଉପରେ କୌଣସି ନିୟମ ପ୍ରଣୟନ କରାଯାଇନାହିଁ। ଜିଲ୍ଲା ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତି ପାଇଁ ଯୋଗ୍ୟତା, ନିଯୁକ୍ତି ପ୍ରଣାଳି, ଦରମା ଇତ୍ୟାଦି ବିଷୟରେ ଆଇନର ଧାରା ୧୫ ରେ ନିୟମାବଳି ପ୍ରସ୍ତୁତ ପାଇଁ ନିଦ୍ଦେର୍ଶ ଥିବା ସତ୍ତ୍ବେ ତାହା ହୋଇନାହିଁ।  ଏହି ନିୟମର ଧାରା ୧୦ରେ ଅଭିଯୋଗ ଶୁଣାଣିର ପ୍ରଣାଳି ଏବଂ ସମୟ ନିର୍ଘଣ୍ଟ ତଥା ଆବଦନ ବିଷୟରେ ଲେଖାଯାଇଅଛି ଯେ କୌଣସି ନାଗରିକ ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀଙ୍କ ନିଷ୍ପତ୍ତିରେ ଦୁଃଖିତ ହେଲେ ରାଜ୍ୟ କମିସନଙ୍କୁ ୩୦ ଦିନ ମଧ୍ୟରେ ଆବେଦନ କରିବେ ଏବଂ ଏହି ଆବେଦନ ସହିତ ଘଟଣାବଳିର ସତ୍ୟାସତ୍ୟ ସତ୍ୟପାଠ ଆକାରରେ ଯଥେଷ୍ଟ କାରଣ ସହ ପଠାଇବେ।  ତାହାର ୩ କିତା ନକଲ ହେବା ଆବଶ୍ୟକ। ଏ ସବୁ ଦାଖଲ କଲେ ରାଜ୍ୟ ଖାଦ୍ୟ କମିସନ ତାଙ୍କ ବେଂଚରେ ଶୁଣାଣି କରି ୬୦ ଦିନରେ ନିଷ୍ପତ୍ତି ନେବେ। ବାଃ, ସରକାର। ଗରିବ ଲୋକଟିଏ ଯେ କି ପଡି କାର୍ଡରେ ଚାଉଳ ନେଲେ ଖାଇବ ତାକୁ ଏ ସବୁ କରିବାକୁ କେତେ ସମୟ ଏବଂ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ତାହା ନିୟମ ପ୍ରଣୟନକାରୀ ବାବୁମାନେ ଜାଣିଥିବେ ନିଶ୍ଚୟ। ତେଣୁ ଏଭଳି ଅସୁବିଧା ସୃଷ୍ଟିକାରୀ ନିୟମ ପ୍ରଣୟନର ଉଦ୍ଦେଶ୍ୟ ଅଭିଯୋଗକୁ ଯଥାସମ୍ଭବ ପ୍ରତିହତ କରିବା ଏବଂ କିଛି ଅଭିଯୋଗ ନ ଆସିଲେ ବା ସ୍ୱଳ୍ପ ସଂକ୍ଷକ ଆସିଲେ  ରେପୋର୍ଟ ବାହାର କରିବେ ଖାଦ୍ୟ ସୁରକ୍ଷା ଆଇନ ଖୁବ ଭଲ ଭାବରେ କାର୍ଯ୍ୟକାରୀ ହେଉଛି ଏବଂ କୌଣସି ଅଭିଯୋଗ ନାହିଁ। ଏଭଳି ଛଳନାମୟ ନିୟମ ପ୍ରବର୍ତ୍ତନ କାହିଁକି? ଆପତ୍ତି ଥିଲା ଯେଉଁ କମିଟି ଫୁଡ କମିଶନ ଓ ସଭ୍ୟମାନଙ୍କୁ ବାଛିବ ତାହା ୩ ଜଣ ସରକାରୀ ଅଫିସର ଯଥା ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଖାଦ୍ୟ ସଚିବଙ୍କ ସହିତ ଆଉ ୩ ଜଣ ପ୍ରଖ୍ୟାତ ବ୍ୟକ୍ତିତ୍ୱଙ୍କୁ ନେବା ଉଚିତ। କାରଣ ଏହି ଉଚ୍ଚ ଅଫିସରମାନେ ଥାଇ ମଧ୍ୟ ହିତାଧିକାରୀ ଚିହ୍ନଟ, ରେସନ କାର୍ଡ ବଂଟନ ଆଦିରେ ଦୁର୍ନୀତି ହୋଇଛି ଏବଂ ଏପର୍ଯ୍ୟନ୍ତ କିଏ ଦାୟୀ ତାହା ପ୍ରକଟ ହୋଇନାହିଁ। ଏଭଳି ପ୍ରସ୍ତାବ କାହିଁକି କାଟ ଖାଇଗଲା ତାହାର ଉତ୍ତର ଦେଉନାହାନ୍ତି ସରକାର। ଖାଦ୍ୟ କମିଶନ ଅଧ୍ୟକ୍ଷ ଓ ସଭ୍ୟମାନଙ୍କ ଅବଧି ୫ ବର୍ଷ ଏବଂ ସେମାନଙ୍କର ପୁନଃ ନିଯୁକ୍ତି ହୋଇପାରିବା କଥା ଆଇନର ଧାର  ୧୬ (୪)ରେ ଥିବାବେଳେ ଖାଦ୍ୟ ବିଭାଗ ତାହାକୁ ୩ ବର୍ଷରେ ସୀମିତ ରଖିଛି ଏବଂ ପୁନଃନିଯୁକ୍ତି ୧ ବର୍ଷ ରଖିଛନ୍ତି। କାହିଁକି ଏପରି ଆଇନରୁ ଓହରି ଗଲେ ସେଥିପାଇଁ କୌଣସି ଯୁକ୍ତିଯୁକ୍ତ ମତାମତ ସର୍ବସାଧାରଣରେ ରଖିଲେ ନାହିଁ। ଆଇନର ଧାରା ୧୬(୬) ଅନୁଯାୟୀ ଖାଦ୍ୟ କମିଶନ ସ୍ୱତଃପ୍ରବୃତ୍ତ ଭାବରେ ଖାଦ୍ୟ ଆଇନର ପରିଚାଳନାଗତ ତ୍ରୁଟି ଉପରେ ହସ୍ତକ୍ଷେପ କରି ଉଚ୍ଚିତ ସୁଧାର ଆଣିବା ବିଷୟରେ ନିୟମରେ ଲେଖା ନାହିଁ। ବିଜ୍ଞାପିତ ହେବାକୁ ଯାଉଥିବା ନିୟମରେ ଲେଖାଅଛି କମିଶନ ଆଂଚଳିକ କ୍ୟାମ୍ପ କରି ଲୋକମାନଙ୍କୁ ଖାଦ୍ୟ ସୁରକ୍ଷା ଆଇନର ସୁଫଳ ବିସୟରେ ସଚେତନ କରିବେ। ଏହା ସମ୍ଭବ କି? ତାହା କାହିଁକି ନିମ୍ନ ସ୍ତରର ନୋଡାଲ ଅଧିକାରୀମାନଙ୍କ ଦ୍ୱାରା କରାଇପାରିବେ ନାହିଁ? ଅତି ଜରୁରୀ ମାମଲା ଗୁଡିକ ୭ ଦିନ ଭିତରେ ଫଇସଲା ହେବା ପାଇଁ ପ୍ରସ୍ତାବ ଥିବା ସତ୍ତ୍ବେ ତାହା ନିୟମରେ ରଖାଗଲା ନାହିଁ। ଆଇନ ସହିତ ଖାପ ଖୁଆଇ ନିୟମ ତିଆରି ହେବା କଥା। ଉପରୋକ୍ତ ବ୍ୟତିକ୍ରମ କେବଳ ଉଦାହରଣ ମାତ୍ର। ଆଇନ ଅନୁଯାୟୀ ଅନେକ କିଛି ବ୍ୟତିକ୍ରମ କରି ନିୟମ ପ୍ରଣୟନ କରୁଛନ୍ତି ସରକାର। ଯେଉଁ ନିୟମ ତିଆରି ହୋଇଛି ତାହା ଲୋକମାନଙ୍କର ସ୍ୱାର୍ଥ ପାଇଁ ନୁହେଁ। ଯଦି ଏପରି କରିବାର ଥିଲା ଇସ୍ତାହାର  ବାହାର କରି ଲୋକମାନଙ୍କ ପରାମର୍ଶ ନେବା ନାଟକ କାହିଁକି କରୁଥିଲେ ସରକାର? ସତେ ଯେପରି ସରକାର ଲୋକଙ୍କ କଥାରେ ବାଟ ଚାଲୁଛନ୍ତି!

Share :