ଟ୍ୟାଗ ଓ ଫେସବୁକୀୟ ଯାତନା 

ଟ୍ୟାଗ ଓ ଫେସବୁକୀୟ ଯାତନା 

Share :

ପରଂବ୍ରହ୍ମ ତ୍ରିପାଠୀ   ଆଜି ସକଳ ସାଢେ ପାଞ୍ଚରେ ଅନିତା ଫୋନ କରିଥିଲା। ଶେଷ ଥର ମୁଁ ଫୋନ ଉଠେଇଲା ବେଳକୁ ବୋଧ ହୁଏ ସେ ଚାରିଥର କଲ କରି ସାରିଥିଲା।  ନିଦ ମଳମଳ ହେଇ ହେଲୋ କହିଲା ବେଳକୁ ଅନିତା ପୂରା ମା କାଳୀ। ଭାଇନା ତମେ କୋରାପୁଟ ଆସିଛ ଆଉ ଆମକୁ ଜଣେଇନ.. ହଉ ଆମେ କଣ ତମ ନିଜର ଯେ... ସେ ବର୍ଷି ଚାଲିଲା। ମୁଁ ବୁଝି ପାରୁ ନଥାଏ ତା ରାଗିବାର କାରଣ। ଅନିତା, ରଞ୍ଜନ ଆଉ ତାଙ୍କ ପୁଅ ଗୁଡୁଲ ଏମାନେ ମୋ ଅତି ନିଜର। ଅନିତାର କଥା ଚୁପ ହେଇ ଦଶ ମିନିଟ ଶୁଣି ସାରିଲା ପରେ ମୁଁ ପଚାରିଲି, କଣ ହେଲାରେ? ଏତେ ରାଗ କଣ କଣ ପାଇଁ? ଅନିତା କ୍ଷୋଭ ଭରା କଣ୍ଠରେ କହିଲା, ରାଗିବିନି ? ତମେ କୋରାପୁଟ ଆସିଲ ଆଉ ମୁଁ କି ରଞ୍ଜନ କେହି ଜାଣିବୁନି? କ’ଣ ଉତ୍ତର ଦେବି ତାକୁ ବୁଝି ପାରିଲିନି। ତଥାପି ସାହସ ଧରି କହିଲି ଆରେ ମୁଁ ତ ବାଙ୍ଗାଲୋରରେ। ଘରେ ଶୋଇଛି। ଅବେଳରେ ତମେ ଫୋନ କରିଛ ବୋଲି ଡରି ବି ଯାଇଛି। କୋରାପୁଟ କେତେବେଳେ ଗଲି??? ଅନିତା ମୋ ଉତ୍ତରରେ ସନ୍ତୁଷ୍ଟ ହେଲାନି। କହିଲା ମିଛ କଣ ପାଇଁ କହୁଛ? ମୁଁ କହିଲି  ମିଛ କଣ ପାଇଁ କହିବି। ମୁଁ ଏବେ ବାଙ୍ଗାଲୋରରେ ହିଁ ଅଛି ଆଉ  ନିଦ ବି ଭଲ ଭାବେ ଛାଡିନି। ତାପରେ ଅନିତା କହିଲା ତା’ହାଲେ ତମେ କାହିଁକି ଫେସବୁକରେ ଲେଖିଛ ଯେ କୋରାପୁଟ ଆସିଛ ବୋଲି? ମୁଁ ବୁଝି ପାରିଲିନି। ଫୋନ କାଟି ଦେଲି ଆଉ ଫେସବୁକ ଖୋଲିଲି। ହଁ, ଅନିତା କିଛି ଭୁଲ କହୁନଥିଲା। କିଏ ଜଣେ ବିସ୍ମୟ ନାମକ ଭଦ୍ର ବ୍ୟକ୍ତି କୋରାପୁଟ ଯାଇଛନ୍ତି, ବସଷ୍ଟାଣ୍ଡରେ ନିଜ ଫଟୋ ସହ ମୁଁ ଆଉ ୪୫ ଜଣଙ୍କୁ ଟ୍ୟାଗ କରିଛନ୍ତି ଆଟ୍ କୋରାପୁଟ୍ ବୋଲି। ହସିବି, କାନ୍ଦିବି କି ସେ ବିସ୍ମୟ ବାବୁଙ୍କୁ ସକାଳୁ ସକାଳୁ ଗାଳିଦେବି ବୁଝି ପାରିଲିନି। ଫେସବୁକର ସବୁଠାରୁ ଆତ୍ମଘାତୀ ଅସ୍ତ୍ରଟି ବୋଧ ହୁଏ ଟ୍ୟାଗ। ସିଏ ବାଙ୍ଗାଲୋରରେ ଥିବା ଲୋକଟାକୁ କୋରାପୁଟରେ ପହଞ୍ଚେଇ ଦିଏ ଆଉ ଗାଳି ବି ଶୁଣେଇପାରେ। କ’ଣ କରିବା? ଫେସବୁକର ଭଲ ଜିନିଷର ଫାଇଦା ଉଠେଇବାକୁ ଯଦି ଆମେ ରେଡି, ଏ ସାଇଡ ଇଫେକ୍ଟ ତ ସହିବାକୁ ପଡିବ। ମୋର ମାନେ ଅଛି ଛୋଟ ବେଳେ (ବୟସ ମୋ ୩୪) ଆମେ ନିଜ ଡାଇରିକୁ ଲୁଚେଇ ରଖୁଥିଲୁ, କାଳେ କିଏ ଦେଖି ଦେବ। ଆଜି ଆମେ ନିଜ ବ୍ୟକ୍ତିଗତ ଡାଇରିକୁ ଫେସବୁକରେ ରଖୁଛେ ଆଉ ବ୍ୟସ୍ତ ହଉଛେ ଯେ ତାକୁ ଅନ୍ୟମାନେ ଦେଖିଲେ କି ନାହିଁ। ଯଦି ଦେଖିଲେ ତାହାଲେ ଲାଇକ କି କମେଣ୍ଟ କ’ଣ ପାଇଁ କଲେନି!   ଦୁନିଆ ବଦଳୁଛି, ଆଉ ଆମେ ତା ସହ ଯଦି ନ ବଦଳିବା ତାହାଲେ କଟକି ଭାଷାରେ ପୂରା ଭିତରେ ହେଇ ଯିବା ଯେ! ଆସିବା ଟ୍ୟାଗକୁ। ଟ୍ୟାଗ ପାଇଁ ଖାଲି ମୁଁ ନୁହଁ ଆପଣ ବି କିଛି ନା କିଛି ନୂଆ ଦୁନିଆ ଦେଖିଥିବେ। ମହାପାତ୍ର ବାବୁଙ୍କ ଝିଅ ଦ୍ଵିତୀୟ ଶ୍ରେଣୀରେ ୯୨ ପରସେଣ୍ଟ ରଖିଲା। ହଁ କି ନାହିଁ? ମୁଁ କେମିତି ଜାଣିଲି? ଆରେ ଆପଣଙ୍କ ସହ ମହାପାତ୍ର ବାବୁ ମତେ ବି ଟ୍ୟାଗ କରିଥିଲେ। ଠିକ ସେମିତି, ମୁଁ ଜାଣିଛି ବାଦଲ ବାବୁ ହୋଲି ଦିନ ପରିଡା ବାବୁଙ୍କ ସ୍ତ୍ରୀକୁ ରଙ୍ଗ କରିଥିଲେ, ସାରଥି ବାବା କୁଆଡେ ଜେଲରେ ମହୁ ଝରଉଛନ୍ତି ଆଉ ବେହେରା ଘର ପୁଅ ମଧୁଆ ଦୁବେଇରେ ପାଣି ପାଇପ କାମ କରିବାକୁ ଯାଇଛି। ଜାଣିବା ଭଲ କଥା। ହେଲେ ମୁଁ କ’ଣ ଏ ସବୁ କଥା ଜାଣିବାକୁ ଚାହୁଁଥିଲି? ବୋଧ ହୁଏ ନା। ମୁଁ ଜାଣିବି କି ନାହିଁ ସେଇଟା ମୋ ଇଚ୍ଛା ନା ଗାଁ ବାଲାଙ୍କ ଇଚ୍ଛା?  ଆପଣ କିଏ ମତେ ବାଧ୍ୟ କରିବାକୁ? ଆପଣଙ୍କୁ ମୁଁ କେବେ ବାଧ୍ୟ କରିଛି ମୋ ବିଷୟରେ ଜାଣିବାକୁ? ଏଠି ମୁଁ ଆଉ ଆପଣ ପ୍ରତୀକାତ୍ମକ। ମୁଁ କେହି ବି ହେଇ ପାରେ ଆଉ ଠିକ ସେମିତି ଆପଣ ବି। ଫେସବୁକରେ ଟ୍ୟାଗର ସବୁଠାରୁ ମାରାତ୍ମକ ମଞ୍ଚଟି ହେଲା କବିତା।  କବିତା(!)ଟେ ଲେଖ ଆଉ ୩୨୪ ଜଣକୁ ଟ୍ୟାଗ କର। ଆପଣ ବି ଜାଣିଛନ୍ତି ଯେ ମୁଁ କିଛି ଭୁଲ କହୁନି। ଆଉ ଯଦି ଝିଅଟେ ଲେଖିଛି ଓ ଟ୍ୟାଗ କରିଛି, ତାହାଲେ ମା’ ରାଣ, ୨୨୨ ଲାଇକ ଓ ୩୭୬ କମେଣ୍ଟ। ଏ ଜିନିଷ ଗୁଡ଼ାକୁ ମୁଁ ପାଖରୁ ଦେଖେ ଆଉ ଗୋଟିଏ କଥା ମୋ ମନକୁ ସବୁବେଳେ ଆସେ, ଯଦି ଏତେ ଲୋକ ଆପଣଙ୍କ ଲେଖାକୁ ଭଲ ପାଆନ୍ତି ତାହାଲେ କାହାକୁ ଟ୍ୟାଗ କ’ଣ ପାଇଁ କରୁଛନ୍ତି। ଏ କି ବିକଳ ମାନସିକତା। ନିଜ ଲେଖାକୁ ନେଇ ଏ କି ଅସୁରକ୍ଷିତ ମନୋଭାବ?   ଆପଣ ଯଦି ଭଲ କିଛି ଲେଖିଛନ୍ତି, ବିଶ୍ଵାସ ରଖନ୍ତୁ ଟ୍ୟାଗ ନକଲେ ବି ଲୋକେ ପଢିବେ। ଆଉ ଯଦି କେବଳ ଟ୍ୟାଗ ପାଇଁ ଟ୍ୟାଗ କରିବେ ତାହାଲେ ବୋଧ ହୁଏ ଆପଣଙ୍କ ଭଲ ଲେଖାଟିକୁ ବି ଅନେକ ଲୋକ ବିଶେଷ କରି ମୋ ଭଳି ମଣିଷ ହାଲକାରେ ନେବେ।  ମୁଁ କିଏ ଯେ? ହେଲେ ବିପ୍ରେ, ବିଚାର ଆପଣଙ୍କର। ବୁଝି ବିଚାରି କାମ କଲେ ଆଜି ଯାଏ କଣ କାହାର ପଇତା ମାରା ହେଇଛି?

Share :