ସହିଷ୍ଣୁତା ବନାମ ଅସହିଷ୍ଣୁତା

ସହିଷ୍ଣୁତା ବନାମ ଅସହିଷ୍ଣୁତା

Share :

    ରବି କାନୁନଗୋ   ଶାଳଗ୍ରାମ ଛୁଇଁ ହଲପ କଲା ପରି ଏକ ଚରମ ଅସତ୍ୟକୁ ଆମେ ସତ୍ୟ ବୋଲି ବିଶ୍ବାସ କରୁ । କାରଣ ତା’ ଛଡ଼ା ଭିନ୍ନ ଉପାୟ ନ ଥାଏ । ଯେମିତି ଧରିନେଇଛୁ ଯେ ମଣିଷ, ପରିବାର ଓ ସମାଜ ସମସ୍ତେ ମିଳିମିଶି ପୂର୍ଣ୍ଣ ସହମତିରେ ଚାଲନ୍ତି । ତେଣୁ ପୃଥିବୀ ଆଗକୁ ଚାଲିଚି ନ ହେଲେ, ଯେମିତି କୋଉଠି ଅଟକି ଯାଇଥାନ୍ତା । ଏ କ୍ଷେତ୍ରରେ ଆମେ ଭାବୁ - ଅଟକିବାର ବିବରଣୀଗୁଡ଼ିକ ସ୍ବଚ୍ଛନ୍ଦରେ ଗପ ବା ପୁରାଣରେ ପରିଣତ ହେବେ ଏବଂ ଆଗକୁ ଯାହା ବଢ଼ିବ ତାହା ହେବ - ଜୀବନ ପାପ, ପୁଣ୍ୟ, ନୀତି, ଗତି ଇତ୍ୟାଦିର ଚେତନା ଆମକୁ ମିଳେ ପୁରୁଣା କଥାରୁ । ଚାଲିବା ବେଳେ ଜୀବନ ଅରମା ମାନେନା- ଯାହାକୁ ଆଜି ’ନୀତି’ ବୋଲି କହେ ତାକୁ କାଲି ସେ ବୁଟରେ ଦଳି ଆଗକୁ ଆସିଥାଏ । ସହିଷ୍ଣୁତା ଓ ଅସହିଷ୍ଣୁତା ସବୁବେଳେ ମିଳିମିଶି ଚାଲିଛନ୍ତି । ଏପରି ଡବଲ୍ ଧମାକା ତୁଲେଇବା ଅତି କଷ୍ଟ । ତେଣୁ ପ୍ରତି ଗୋଷ୍ଠୀ ବା ସମଷ୍ଟି ସେଥିପାଇଁ ସର୍ଟକଟ୍ ବାହାର କରିଛନ୍ତି । ‘ଓଁ ସହ ନାବବତୁ ସହ ନୌ ଭୁନଙକ୍ତୁ ସହ ବୀର୍ଯ୍ୟମ କରବାବହୈ ତେଜୋସ୍ମି ନାବଧୀତମସ୍ତୁ ମା ବିଦ୍ବେଷାବହୈ, ଓଁ ଶାନ୍ତିଃ ଶା‘ନ୍ତିଃ ଶାନ୍ତିଃ‘ ମାନେ, ’ଇନ୍ ଏନି କଣ୍ଡିସନ୍’ (ଉପାୟ ନାହିଁ) – ଶାନ୍ତି ! ବେଦ କହିଛନ୍ତି - ହେ ମଣିଷ, ଏହା ତୁ ମାନିଯା’ ହାରିବୁନି । ବେଦ ବୋଧେ ସ୍ବର୍ଗ-ବାଣୀ କହିଥିଲା । ଷଣ୍ଢକୁ ପୋକରା କୋଳଥ ଖୋଇଲା ପରି ଆମେ ଆଜି ଯେମିତି ବେଦ ମାନୁଛୁ, ’ଶାନ୍ତିମନ୍ତ୍ର’ର ଆବର୍ଜନା ବି ତଦ୍ରୂପ । ମଣିଷର ଢଙ୍ଗ ହେଲା - ସେ ଅଧିକ ସୁଖ ସମ୍ଭାଳି ନେବ, ମାତ୍ର ଅଧିକା ଶାନ୍ତି ତୁଲେଇ ପାରିବନି । ଏଇଟା ତା’ ଜାତି-ଜିନ୍ । ସବୁବେଳେ ଲଢ଼ୁଥିବ, ଝଡ଼ୁଥିବ ଓ ସେଇଥିରୁ ଶାନ୍ତି ହାସଲ କରୁଥିବ । ବିସ୍ତାରିତ ସମୟର କାନଭାସରେ କ୍ଷଣକର ’ଶାନ୍ତିକୁ କେହି ପର୍ମାନେଣ୍ଟ୍ ବୋଲି ଭାବନ୍ତିନି । ଏ ପୃଥିବୀରେ ମଣିଷ ଶାନ୍ତି ନାଁରେ ଯେତିକି ଯୁଦ୍ଧ ଲଢ଼ିଛି, ତା’ଠାରୁ ଖୁବ୍ କମ୍ ଲଢ଼େଇ କରିଛି ଯୁଦ୍ଧ ନାଁରେ । ଯେତିକି ସ୍ଥିର ଭାବେ ବଞ୍ଚେ, ତହୁଁ ଅଧିକ ଅସ୍ଥିର ହୋଇ ବଞ୍ଚିବାକୁ ସେ ବାଧ୍ୟ ହୁଏ । କାରଣ ତା’ର ଅଧିକ ଶାନ୍ତି ଦରକାର ନାହିଁ ! ’ମଳୟ ମନ୍ଦ’, ’ଚରିତ ମନ୍ଦ’ - ଦି’ ’ମନ୍ଦ’ ଏକା ଛାପର ନୁହଁନ୍ତି । ପ୍ରଥମଟିର ପାଖାପାଖି ଅର୍ଥ - ମଧୁ ଓ ଦ୍ବିତୀୟଟି - ଦୁଷ୍ଟ । ‘ମନ୍ଦ ମଳୟ ଗନ୍ଧୋଉଥିଲା‘ - ଏମିତି କେହି କହିପାରିବେ? ନା ଭାଇ, ଯଦି କିଛି ଗନ୍ଧୋଉଥିଲା, ତା’ହେଲ ତା’ ନାଁ – ପବନ, ମଳୟ ନୁହେଁ । ମଳୟ ସାଙ୍ଗରେ ମନ୍ଦ ଶବ୍ଦ ମୋଟୁରୁ ଲାଗିବନି । ଏଠି ’ମନ୍ଦ’ ମାନେ - ମଧୁର, ଅଥଚ ତୀବ୍ର ନୁହେଁ । କଥାଟି ଲାଗେ : ମହାଭାରତ ସମରରେ ଅର୍ଜୁନ ଏକ ପ୍ରୟାସରେ ଗୋଟିଏ ତୀର ମୁନରେ ମୀନ ନୟନକୁ ବିଦ୍ଧ କରିଥିବାରୁ ଦ୍ରୌପଦୀଙ୍କୁ ପ୍ରାପ୍ତ ହେଲେ ଏବଂ ପରେ, କିଛି ନ ଜାଣିଥିବା ମା’ଙ୍କ ବରାଦରେ ଜାମୁକୋଳି ଖାଇବା ପରି ପାଞ୍ଚ ଭାଇ ଗୋଟିଏ ଭାର୍ଯ୍ୟାକୁ ବାଣ୍ଟି ଭୋଗ କଲେ । ପୁରାଣ ପାଇଁ ଠିକ୍ ହୋଇପାରେ, ମାତ୍ର ଜୀବନ ପାଇଁ କଥାଟା ବେଅକଲ ଲାଗୁଚି । ଏମିତି ବହୁ ଅସମ୍ଭବ କଥାକୁ ହଁ ଭରି ଆମେ ଆଗକୁ ଚାଲୁଥାଉ ଏବଂ ସତତ ବିଶ୍ବାସ କରୁଥାଉ ଯେ ସମାଜ ଶାନ୍ତିରେ ଅଛି । ଏମିତି ଶାନ୍ତି ଯେ ସେଥିରେ ନେତା, ବାବୁ, ଟାଉଟର୍, ପୁଲିସ, ବିଚାରପତି ମିଳିମିଶି ଚୋରି କରନ୍ତି ଓ ଜେଲ୍ ଯାନ୍ତି ! ଗଣତନ୍ତ୍ରର ଏପରି ’ଶାନ୍ତି’ ଭିତରେ ଅଶାନ୍ତିରେ ରହିବା ସମଷ୍ଟି ହେଉଛନ୍ତି ସେମାନେ, ଯିଏ ସେପରି କରିପାରନ୍ତିନି । ଏବେ ପରଖିବା - କିଏ କାହା ପାଇଁ ସହିଷ୍ଣୁ ବା ଅସହିଷ୍ଣୁ ? ଗତ ଫେବୃଆରୀ ତାରଖ ଦିନ କଂଗ୍ରେସ ରୋହିତ ଭାମୁଲାଙ୍କ ଆତ୍ମହତ୍ୟା କଥା ଉଠେଇ କଂଗ୍ରେସ ହୁଲୁସ୍ତୁଲ କଲା ଓ ରାଜ୍ୟସଭାର ସ୍ବାଭାବିକ କାର୍ଯ୍ୟକ୍ରମ ଚାଲିପାରିଲାନି । ଏଜରା ପାଉଣ୍ଡଙ୍କର ଗୋଟିଏ ଉକ୍ତି ମନେପଡ଼ିଲା – ହ୍ବେନ୍ ଟୂ ମେନ୍ ଇନ୍ ବିଜିନେସ୍ ଅଲଉଏଜ ଏଗ୍ରି ଉଆନ୍ ଅଫ୍ ଦେମ୍ ଇଜ୍ ଅନନେସେସାରି । ୟୁପିଏ-2 ସରକାର ଅବଧିଠାରୁ ଆରମ୍ଭ କରି ମୋଦୀ ଶାସନ ଦୁଇ ବର୍ଷ ଛୁଇଁବାକୁ ବସିଲାଣି, ମାତ୍ର ପାର୍ଲାମେଣ୍ଟର ଅଚଳ ଅବସ୍ଥା ସୁଧୁରିବାର ଉପାୟ ଦେଖାଯାଉ ନାହିଁ । ଗଣତନ୍ତ୍ରରେ ପାର୍ଲାମେଣ୍ଟର କାମ କ’ଣ ପଚାରିଲେ, ଆଜି ତା’ର ଠିକ୍ ଉତ୍ତର ମିଳିବନି । ବିତିଥିବା ୬୫ ବର୍ଷ ଭିତରେ ଯାହା ଦେଖିବାକୁ ମିଳେ - ସେଗୁଡ଼ିକ ହେଲା ପ୍ରବଳ ପ୍ରତାପରେ ଗଣତନ୍ତ୍ର ଚାଲିଚି । ମାତ୍ର ସମ୍ବିଧାନକୁ ଅସ୍ବୀକାର କରିବା ପ୍ରବୃତ୍ତି ବଢ଼ିଛି । ପାର୍ଲାମେଣ୍ଟ ଅଛି, ମାତ୍ର ସେଠି ଆଲୋଚନା ହୁଏନି ମାଡ଼ଧର ଚାଲେ । ନେତା ଅଛନ୍ତି, ଭୋଟ୍ ପାଉଛନ୍ତି ଅଥଚ ଲୋକଙ୍କର ସେମାନଙ୍କ ଉପରେ ବିଶ୍ବାସ ନାହିଁ । ଶାସନ ଅଛି, ଯାହା ଶୃଙ୍ଖଳା ସଜାଡ଼ିବାଠାରୁ ଅଧିକ ଚୋରି ଘୋଡ଼େଇବାରେ ବ୍ୟସ୍ତ । ଚଢ଼ାମଡ଼ା ହୋଇ ସହସ୍ର ଆଇନ ଅଛି ମାତ୍ର ତା’ ଜରିଆରେ ନ୍ୟାୟ ନିକଟରେ ପହଞ୍ଚିବା ଅସମ୍ଭବ । ଏବେ ପରଖିବା - କିଏ କାହା ପାଇଁ ସହିଷ୍ଣୁ ବା ଅସହିଷ୍ଣୁ !

Share :