ରିଲାଏନ୍ସ ପାଇଁ ବନ୍ଦ ହେଉଥିଲା ପାରାଦୀପ ତୈଳ ବିଶୋଧାନାଗାର!

ରିଲାଏନ୍ସ ପାଇଁ ବନ୍ଦ ହେଉଥିଲା ପାରାଦୀପ ତୈଳ ବିଶୋଧାନାଗାର!

Share :

ପ୍ରଦୀପ ପ୍ରଧାନ   ଫେବୃୟାରୀ ୭, ୨୦୧୬ରେ ପାରାଦୀପଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଇଣ୍ଡିଆନ ଅଏଲ କର୍ପୋରେସନ୍ ଦ୍ବାରା ନିର୍ମିତ ତୈଳ ବିଶୋଧାନାଗାରର ଲୋକାର୍ପଣ ଉତ୍ସବକୁ କେନ୍ଦ୍ର କରି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ଯେପରି ପ୍ରତିଯୋଗିତା, ସଂଘର୍ଷ ଏବଂ ଅଶାନ୍ତ ପରିବେଶ ସୃଷ୍ଟି କରାଗଲା, ତାହା ସମସ୍ତ ସଚେତନ ଜନସାଧାରଣଙ୍କୁ ମର୍ମାହତ କରିଛି । ଉକ୍ତ ପ୍ରକଳ୍ପର ଶ୍ରେୟନେବା ପାଇଁ ବିଜେପି ତରଫରୁ ୩୦ଟି ଜିଲ୍ଲାରେ ପ୍ରଚାର ଗାଡି ବୁଲାଯାଇଥିଲାବେଳେ, ବିଜେଡି ତରଫରୁ ବିଭିନ୍ନ ସ୍ଥାନରେ ପୋଷ୍ଟର, ପ୍ଲାକାର୍ଡ଼ ଲଗାଯାଇ ’ବିଜୁ ବାବୁଙ୍କ ବହୁ ଦିନର ସ୍ବପ୍ନ ସାକାର ହେଲା‘ ବୋଲି ପ୍ରଚାର କରାଗଲା । ସେମାନଙ୍କର ପ୍ରଚାର ଅଭିଯାନ ଗଣମାଧ୍ୟମକୁ ଏପରି ପ୍ରଭାବିତ କରି ରଖିଥିଲା ଯେ, ତୈଳ ବିଶୋଧନାଗାର ପ୍ରତିଷ୍ଠା କରିବାର ନିଷ୍ପତ୍ତି କିଏ, କିପରି ନେଇଥିଲେ, ସେ ସମ୍ପର୍କରେ ବିଶେଷ ଭାବେ ବିତର୍କ ହୋଇପାରିଲା ନାହିଁ । ଏହି ବିଶୋଧନାଗାର ପଛରେ ଥିବା ରାଜନୀତି, ରାଜନେତା ଏବଂ ରାଜନୈତିକ ଦଳ ସମ୍ପର୍କରେ ବାସ୍ତବ ତଥ୍ୟ ଲୋକଲୋଚନକୁ ଆସିବା ଜରୁରୀ । ସର୍ବପ୍ରଥମେ ୧୯୯୮ ମସିହାରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ପାରାଦୀପଠାରେ ୮୨୭୦ କୋଟି ଟଙ୍କା ବ୍ୟୟରେ ଏକ ତୈଳ ବିଶୋଧନାଗାର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବା ସହ ଏଥିପାଇଁ ଆବଶ୍ୟକ ଅନେକ ଟିକସ ରିହାତି ଦେବା ପାଇଁ ଅନୁରୋଧ କରିଥିଲେ । ସେହି ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ପ୍ରସ୍ତାବକୁ ଗ୍ରହଣ କରିବା ସହ ଆଇ.ଓ.ସି.ଏଲ୍. ଚାହୁଁଥିବା ମୁତାବକ ସମସ୍ତ ଟିକସ ରିହାତି ଦେବାକୁ ରାଜି ହୋଇଥିଲେ । ତା ୨୮.୫.୧୯୯୮ରିଖରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ନୋଡାଲ୍ କମିଟି ବୈଠକରେ ଏହି ପ୍ରକଳ୍ପ ପାଇଁ ଆଇ.ଓ.ସି.ଏଲକୁ ବିଭିନ୍ନ ପ୍ରକାରର ଟିକସ ଛାଡ ତଥା ୧୫ ବର୍ଷ ପାଇଁ ବିକ୍ରୀ କର, ୩୦ ବର୍ଷ ପାଇଁ କ୍ରୟ କର ଇତ୍ୟାଦି ଛାଡ଼ କରିବାକୁ ସୁପାରିଶ କରାଯାଇଥିଲା । ଡିସେମ୍ବର ୭,୧୯୯୮ରେ ରାଜ୍ୟ ସରକାରଙ୍କୁ ଶିଳ୍ପନୀତି, ୧୯୯୬ ଆଧାରରେ ଉକ୍ତ ତୈଳ ବିଶୋଧାନାଗାର ‘ପ୍ରାଥମିକତା ଭିତ୍ତିକ ତାଲିକା‘ରେ ଆସୁଥିବାରୁ ସମସ୍ତ ଟିକସ ଛାଡର ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ସରକାର ବିଧିବଦ୍ଧ ଭାବେ ଇଣ୍ଡିଆନ୍ କର୍ପୋରେସନକୁ ଜଣାଇ ଦେଇଥିଲେ । କର୍ପୋରେସନ୍ ପାରାଦୀପରେ ତୈଳ ବିଶୋଧାନାଗାର ପ୍ରତିଷ୍ଠା ପାଇଁ ତାଙ୍କର ପ୍ରସ୍ତୁତି ଆରମ୍ଭ କରିଥିଲେ । ୧୯୯୯ ମସିହାରେ ଗିରିଧାରୀ ଗମାଙ୍ଗୋଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ପାରାଦୀପଠାରେ ମଧ୍ୟ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା । ୨୦୦୦ ମସିହାର ଫେବୃୟାରୀ ମାସରେ ରାଜ୍ୟ ବିଧାନସଭା ନିର୍ବାଚନ ଚାଲୁଥିବା ସମୟରେ ଅର୍ଥ ବିଭାଗ ତରଫରୁ ୧୭.୨.୨୦୦୦ରେ ବିକ୍ରୀ କର ସଂସ୍କାର ଉପରେ ଆୟୋଜିତ ମୁଖ୍ୟମନ୍ତ୍ରୀ / ଅର୍ଥମନ୍ତ୍ରୀଙ୍କ ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିକୁ ଆଧାର କରି ୧.୧.୨୦୦୦ ପରଠାରୁ କୌଣସି ନୂତନ ଶିଳ୍ପ / ପ୍ରକଳ୍ପକୁ ଟିକସ ରିହାତି ଦିଆଯାଇ ପାରିବ ନାହିଁ ବୋଲି ସକାରୀ ବିଜ୍ଞପ୍ତି ପ୍ରକାଶ କରାଯାଇ ଆଇ.ଓ.ସି.ଏଲକୁ ଜଣାଇ ଦିଆଗଲା । ଏଠାରେ ସୂଚନାଯୋଗ୍ୟ ଯେ, ୨୦.୧୨.୧୯୯୯ରେ ଅର୍ଥମନ୍ତ୍ରୀମାନଙ୍କ ସମ୍ମିଳନୀରେ ବିକ୍ରୀକର ସଂସ୍କାର ଉପରେ ଉପରଲିଖିତ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ନିଷ୍ପତ୍ତି ଆଧାରରେ କୌଣସି ନୂତନ ଶିଳ୍ପ ପାଇଁ ଅର୍ଥାତ୍ ୧.୧.୨୦୦୦ରୁ କଞ୍ଚାମାଲ୍, ଯନ୍ତ୍ରପାତି କିଣା, ଉତ୍ପାଦିତ ଦ୍ରବ୍ୟ ଉପରେ ବିକ୍ରୀ କର ରିହାତି ଦିଆଯାଇପାରିବ ନାହିଁ । ଅର୍ଥାତ୍ ୧.୧.୨୦୦୦ ପୂର୍ବରୁ ଥିବା ପାଇପ୍ ଲାଇନ୍ ପ୍ରୋଜେକ୍ଟ ଗୁଡ଼ିକ ଟିକସ ରିହାତି ପାଇବେ । ଯାହାହେଉ ରାଜ୍ୟ ସରକାରଙ୍କ ଏହି ବିଜ୍ଞପ୍ତି ପ୍ରକଳ୍ପ ପାଇଁ ଏକ ଶକ୍ତ ଧକ୍କା ଥିଲା । ସାଧାରଣ ନିର୍ବାଚନ ଚାଲୁଥିବା ସମୟରେ ଅର୍ଥ ବିଭାଗର ତତ୍କାଳୀନ ସଚିବ ଏପରି ବିଜ୍ଞପ୍ତି ହଠାତ୍ କାହିଁକି ପ୍ରକାଶ କଲେ, ତାହା ସନ୍ଦେହ ସୃଷ୍ଟି କରିବା ସ୍ବାଭାବିକ । ଏହାପରେ ବିଜେପି-ବିଜେଡି ମେଣ୍ଟ ସରକାର କ୍ଷମତାକୁ ଆସିଥିଲେ   ତା ୨୪.୫.୨୦୦୦ରେ ତତ୍କାଳନୀ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରକଳ୍ପର ଶିଳାନ୍ୟାସ କଲେ । ୨୮.୬.୨୦୦୦ରେ କମ୍ପାନୀ ତରଫରୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଗଲା ଯେ ରାଜ୍ୟ ସରକାର ବିକ୍ରି କର ଟିକସ ଛାଡ ନକରିବା ପାଇଁ ନେଇଥିବା ନିଷ୍ପତ୍ତି ଯୋଗୁଁ ତୈଳ ବିଶୋଧନାଗାର ଉପରେ ଅର୍ଥନୈତିକ ଦୃଷ୍ଟି କୋଣରୁ ବହୁତ କୁ-ପ୍ରଭାବ ପଡ଼ିବ । ତେଣୁ ୧୯୯୮ ମସିହାରେ ରାଜ୍ୟ ସରକାରଙ୍କ ବିକ୍ରୀକର ଟିକସ ଛାଡ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଆଇ.ଓ.ସି.ଏଲ୍. ଅନୁରୋଧ କଲା । କମ୍ପାନୀ ଏହା ମଧ୍ୟ ଜଣାଇଥିଲା ଯେ, ଉକ୍ତ ପ୍ରକଳ୍ପ ଭାରତର ସବୁଠାରୁ ବୃହତ୍ତମ ପ୍ରକଳ୍ପ ଏବଂ ଏହାର ପ୍ରତିଷ୍ଠା ଦ୍ବାରା ରାଜ୍ୟର ବ୍ୟପକ ଅର୍ଥନୈତିକ ବିକାଶ ହେବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ତେଣୁ ରାଜ୍ୟ ସରକାର ବିକ୍ରୀ କର ଟିକସ ଛାଡ କରି ଉକ୍ତ ପ୍ରକଳ୍ପ ପ୍ରତିଷ୍ଠା ଦିଗରେ ସାହାଯ୍ୟ କରନ୍ତୁ । ପୁଣି କମ୍ପାନୀ ଯୁକ୍ତି ଉପସ୍ଥାପନ କରି ଦର୍ଶାଇଥିଲା ଯେ, ଆନ୍ତର୍ଜାତିକ ତୈଳ ବଜାରରେ ଅଶୋଧିତ ତୈଳର ଅହେତୁକ ଦରବୃଦ୍ଧି ଏବଂ ତୈଳର ଉତ୍ପାଦିତ ଦର କମିବା ଏବଂ ପ୍ରକଳ୍ପ କାର୍ଯ୍ୟକାରିତାରେ ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ବିନା ଟିକସ ରିହାତିରେ ଏପରି ମେଗା ପ୍ରକଳ୍ପ ବସାଇବା ସମ୍ଭବ ନୁହେଁ । ଯେହେତୁ ଗୁଜୁରାଟ, ପାବ ଏବଂ କର୍ଣ୍ଣାଟକ ସରକାର ତାଙ୍କ ରାଜ୍ୟରେ ତୈଳ ବିଶୋଧାନାଗାର ପାଇଁ ବିକ୍ରୀକର ଟିକସ ରିହାତି ଦେଉଛନ୍ତି ତେଣୁ ଓଡ଼ିଶା ସରକାର ଏହି ଟିକସ ରିହାତି ଦେଇ ପ୍ରକଳ୍ପକୁ ହାତଛଡା ନକରିବା ଉଚିତ୍ । କିନ୍ତୁ ରାଜ୍ୟ ସରକାର ବିକ୍ରୀକର ଟିକସ ଛାଡ ନକରିବା ଜିଦରେ ଅଟଳ ରହିଲେ । ତତ୍କାଳୀନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ ବିକ୍ରୀକର ଟିକସ କଦାପି ଛାଡ କରାଯାଇ ପାରିବ ନାହିଁ ବୋଲି ରୋକଠୋକ ଜଣାଇଦେଲେ ।  ତା ୬.୧୧.୨୦୦୦ରେ ଶିଳ୍ପ ବିଭାଗର ସଚିବ ଆଇଓସିଏଲ ଅଧ୍ୟକ୍ଷ ଏମ୍.ଏ. ପଠାଣଙ୍କୁ ଚିଠି ଲେଖି ବିକ୍ରୀ କର ଟିକସ କଦାପି ଛାଡ କରାଯାଇ ପାରିବ ନାହିଁ ବୋଲି ଜଣାଇଲେ । ଏଠାରେ ସୂଚନାଯୋଗ୍ୟ ଯେ ୧୧.୧୦.୨୦୦୦ରେ ରାଜ୍ୟ ସରକାର ଏବଂ କର୍ପୋରେସନର ପ୍ରତିନିଧି ଦଳ ବୈଠକରେ ଏହି ଟିକସ ଛାଡ ପାଇଁ କର୍ପୋରେସନର ଅନୁରୋଧକୁ ରାଜ୍ୟ ସରକାର ପ୍ରତ୍ୟାଖାନ କରିଥିଲେ । ଏହି ବାଦାନୁବାଦ ଚାଲୁ ରହିଥିବା ବେଳେ ୨୧.୬.୨୦୦୧ରେ କ୍ୟାବିନେଟ୍ ବୈଠକରେ ରାଜ୍ୟ ସରକାର ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ପାଇଁ ସ୍ବତନ୍ତ୍ର ଟିକସ ରିହାତି ପ୍ୟାକେଜ୍ ଦେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ କମ୍ପାନୀ ଚାହୁଁଥିବା ବିକ୍ରୀକର ଟିକସ ଛାଡ ସ୍ଥାନ ପାଇନଥିଲା । ଫଳରେ ଆଇଓସିଏଲ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପଛଘୁଞ୍ଚା ଦେଲା । ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ କଠୋର ମନୋଭାବ ଏବଂ ଆଇଓସିଏଲ୍ ଅନୁରୋଧକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରମ୍ବାର ପ୍ରତ୍ୟାଖ୍ୟାନ ଯୋଗୁଁ ପ୍ରକଳ୍ପ ପ୍ରତିଷ୍ଠା କରି ୨୦୦୩ରେ ଉତ୍ପାଦନ ଆରମ୍ଭ କରିବାକୁ ବସିଥିବା ଆଇଓସିଏଲ୍ ବସ୍ତୁତଃ ନୀରବ ରହିଲା । ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ଆଇ.ଓ.ସି.ଏଲ୍ ମଧ୍ୟରେ ବାରମ୍ବାର ଚିଠିର ଆଦାନ ପ୍ରଦାନ ଏବଂ ତୈଳ ବିଶୋଧାନାଗାର ନିର୍ମାଣରେ ଅହେତୁକ ବିଳମ୍ବ ପଛରେ କିଛି ଅଦୃଶ୍ୟ ଶକ୍ତି କାମ କରୁଥିବାର ସନ୍ଦେହ ଜନମାନସରେ ବୃଦ୍ଧି ପାଇଲା । ସେହି ସମୟରେ ବିରୋଧୀ ଦଳ ତରଫରୁ ମୁଖ୍ୟମନ୍ତ୍ରୀ ରିଲାଏନ୍ସ କମ୍ପାନୀ ଦ୍ବାରା ପ୍ରଭାବିତ ହୋଇ ଆଇଓସିଏଲ ପ୍ରକଳ୍ପ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ କରାଯାଇ ଆନ୍ଦୋଳନ ଡାକରା ଦିଆଗଲା । ଏଠାରେ ସୂଚନାଯାଗ୍ୟ ଯେ ସେହି ସମୟରେ ରିଲିଆନ୍ସ କମ୍ପାନୀର ଅଧିକାରୀମାନେ ଓଡ଼ିଶାରେ ଅଫିସ୍ ଖୋଲି ସର୍ଭେ କାର୍ଯ୍ୟ ଆରମ୍ଭ କରିଥିଲେ । ଯାହା ହେଉ ଏପରି ଅଭିଯୋଗରେ ହଡ଼ବଡେଇ ମୁଖ୍ୟମନ୍ତ୍ରୀ ନିଜର ଭାବମୂର୍ତ୍ତୀ ବଞ୍ଚାଇବାକୁ ଯାଇ ତା ୨୩.୮.୨୦୦୨ରେ ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ରାମ ନାୟକଙ୍କୁ ଚିଠି ଲେଖି ଜଣାଇଲେ ଯେ “There is an apprehension in the minds of the public that the proposal refinery is likely to be converted into a bulk of storage of crude oil for feeding Haldia.” ଏହାର ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ରାମ ନାୟକ ଡିସେମ୍ବର ୫, ୨୦୦୨ରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ ଯେ, ରାଜ୍ୟ ସରକାର ଟିକସ ରିହାତି ଦେଇପାରୁନଥିବାରୁ ଆଇଓସିଏଲ୍ ବିଶୋଧାନାଗାର ନିର୍ମାଣରେ ବିଳମ୍ବ ହେଉଛି । ବିଳମ୍ବ ଯୋଗୁଁ ପୂର୍ବ ନିର୍ଦ୍ଧାରିତ ବଜେଟ୍ ୮୩୨୦ କୋଟି ଟଙ୍କାରୁ ପ୍ରକଳ୍ପ ଖର୍ଚ୍ଚ ବୃଦ୍ଧି ପାଇ ୧୨,୪୦୦ କୋଟି ଟଙ୍କାରେ ପହଞ୍ଚିଛି । ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ରାଜ୍ୟ ସରକାର ଯେଉଁ ଟିକସ ରିହାତି ଘୋଷଣା କରିଛନ୍ତି ତାହା ଆଇଓସିଏଲ୍ ଚାହଁୁଥିବା ଟିକସ ରିହାତିର ମାତ୍ର ୩୨ ପ୍ରତିଶତ ଅଟେ । ତେଣୁ କର୍ପୋରେସନ୍ ଚାହୁଁଥିବା ଟିକସ ତିହାତିକୁ ତୁରନ୍ତ ବିଚାର କରିବା ପାଇଁ ସେ ଉକ୍ତ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଏବଂ ଆଇଓସିଏଲ୍ ପାରାଦୀପଠାରେ ତୈଳ ବିଶୋଧାନାଗାର ପ୍ରତିଷ୍ଠା ପାଇଁ ପ୍ରତିଜ୍ଞାବଦ୍ଧ ବୋଲି ଜଣାଇଥିଲେ । ସେହି ସମୟରେ ଏହି ଚିଠିପତ୍ର ଆଦାନ ପ୍ରଦାନର ଘମାଘୋଟ ଲଢେଇ ମଧ୍ୟରେ ଅର୍ଥମନ୍ତ୍ରୀ ପଦରୁ ରାମକୃଷ୍ଣ ପଟ୍ଟନାୟକ ବିଦାୟ ନେଲାପରେ ପଞ୍ଚାନନ କାନୁନଗୋ ଉକ୍ତ ପଦବୀ ଅଳଙ୍କୃତ କରିଥିଲେ । ପାରାଦୀପ ତୈଳ ବିଶୋଧାନାଗାର ନିର୍ମାଣକୁ କେନ୍ଦ୍ରକରି ଚାଲିଥିବା ଟଣାଓଟରା ପ୍ରସଙ୍ଗରେ ସେ ପୂର୍ଣ୍ଣଚ୍ଛେଦ ପକାଇବାକୁ ପ୍ରୟାସ କରିଥିଲେ । ୧୩.୫.୨୦୦୩ରେ ରାଜ୍ୟ ଅର୍ଥମନ୍ତ୍ରୀ ମାନଙ୍କର କ୍ଷମତାପ୍ରାପ୍ତ କମିଟିର ଅଧ୍ୟକ୍ଷ ଅସୀମ ଦାସଗୁପ୍ତାଙ୍କୁ ଚିଠି ଲେଖି ତୈଳ ବିଶୋଧାନାଗାରକୁ ଏକ ପାଇପଲାଇନ୍ ପ୍ରୋଜେକ୍ଟ ଭାବେ ଧରାଯାଉ ଏବଂ ଏହି ଆଧାରରେ ଆଇଓସିଏଲକୁ ଟିକସ୍ ରିହାତି ଦିଆଯାଇପାରିବ ବୋଲି ଉଲ୍ଲେଖ କରିଥିଲେ । ସେହିବର୍ଷ ଶ୍ରୀ କାନୁନଗୋ ଅନ୍ୟ ଏକ ଚିଠି ଜରିଆରେ ଆଇଓସିଏଲ୍ ଓ କେନ୍ଦ୍ର ସରକାରଙ୍କୁ ଜଣାଇଦେଲେ ଯେ ରାଜ୍ୟ ସରକାର ସମସ୍ତ ଟିକସ୍ ଛାଡିବା ପାଇଁ ସମ୍ମତ । ଅବଶ୍ୟ ଶ୍ରୀ କାନୁନଗୋଙ୍କର ଏହି ମତାମତ ପଛରେ କ୍ୟାବିନେଟ୍ ମତ ନଥଲା କି ସେ ମୁଖ୍ୟମନ୍ତ୍ରୀଙ୍କର ଅନୁମୋଦନ ନେଇନଥିଲେ । ଏହାଦ୍ବାରା ରାଜ୍ୟ ସରକାର 1୧୯୯୮ ମସିହାରେ ଟିକସ୍ ଛାଡ ନିଷ୍ପତ୍ତିକୁ ସଂପୂର୍ଣ୍ଣ ମାନିନେଇ ଆଇଓସିଏଲକୁ କାର୍ଯ୍ୟ କରିବାର ଇସାରା ଦେଇଥିଲେ । ଏହାପରେ ଜାନୁଆରୀ ୨୦୦୪ରେ ଆଇଓସିଏଲ୍ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ଏବଂ କର୍ପୋରେସନ୍ ପୂର୍ଣ୍ଣମାତ୍ରାରେ କାମ ଆରମ୍ଭ କରିଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥାତ୍ ଭାଜପା ଓ ବିଜେଡି ଏହି ପ୍ରକଳ୍ପର ଜନ୍ମଦେବା ପୂର୍ବରୁ ଭୃଣହତ୍ୟା କରିବାର ଉଦ୍ୟମ କରିଥିଲେ ଓ ଏଥିରେ ରିଲାଏନ୍ସ କମ୍ପାନୀର ପ୍ରଭାବ ଥିବାର ଯଥେଷ୍ଟ ପ୍ରମାଣ ରହିଛି । ଏବେ ଶ୍ରେୟ ନେବାକୁ ଚେଷ୍ଟା କରୁଥିବା ଦୁଇ ପ୍ରତିଯୋଗୀ ଦଳ ଏ ସମ୍ପର୍କରେ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ । ରାଜ୍ୟ ଆବାହକ, ଓଡ଼ିଶା ସୂଚନା ଅଧିକାର ଅଭିଯାନ, ମୋ-୯୯୩୭୮୪୩୪୮୨

Share :