ଲକ୍ଷେ କୋଟିର ପୋଥି କିଏ ନେଲା?

ଲକ୍ଷେ କୋଟିର ପୋଥି କିଏ ନେଲା?

Share :

୪୦ ହଜାରରୁ ୧୯ ହଜାରକୁ ଖସିଲା ପ୍ରାଚୀନ ପୋଥି   ଏଇ ୩-୪ ବର୍ଷ ଭିତରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରୁ ଚୋରି ହୋଇଗଲାଣି ଲକ୍ଷାଧିକ କୋଟି ଟଙ୍କାର ପ୍ରାଚୀନ ତାଳପତ୍ର ପୋଥି । କଳା, ସାହିତ୍ୟ, ବିଦ୍ୟା ଓ ବିଜ୍ଞାନ ଦୃଷ୍ଟିରୁ ଏସବୁ ପୋଥି ଅମୂଲ୍ୟ । ତଥାପି ଅନ୍ତର୍ଜାତୀୟ ବଜାରେର ପ୍ରାଚୀନ ପୋଥିର ଚାହିଦା ଦୃଷ୍ଟିରୁ ଏସବୁ ପୋଥିର ଦର ଲକ୍ଷାଧିକ କୋଟି ଟଙ୍କା ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଏସବୁ ପୋଥିର ସଂରକ୍ଷଣ ଦାୟିତ୍ବରେ ଥିବା ରାଜ୍ୟ ସରକାରଙ୍କର କେତେକ ଅଧିକାରଙ୍କ ସହିତ ମିଶି ଦିଲ୍ଲୀର ଏକ ସଂସ୍ଥାର କର୍ମଚାରୀମାନେ ଓଡ଼ିଶାର ଏହି ଅମୂଲ୍ୟ ସଂପଦକୁ ହଡ଼ପ କରିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ୨୦୧୪ ମସିହା ସୁଦ୍ଧା ପ୍ରାୟ ୪୦ ହଜାର ଦୁଷ୍ପ୍ରାପ୍ୟ ତଥା ଦୁର୍ମୂଲ୍ୟ ତାଳପତ୍ର ପୋଥି ଥିଲା । କିନ୍ତୁ ଏଇ ଦୁଇ ବର୍ଷ ଭିତରେ ଏହା ୧୯,୭୭୪କୁ ଖସି ଆସିଛି । ବାକି ପ୍ରାୟ ୨୧ ହଜାର ପୋଥି ଗଲା କୁଆଡ଼େ ? କିଏ ନେଲା ? କାହାକୁ କେତେ ଟଙ୍କାରେ ବିକିଲା ? ଓଡ଼ିଶା ସରକାର ଏକଥା ଜାଣିପାରିଲେ ନାହିଁ କେମିତି ? ଆଉ ଯଦି ଜାଣିଛନ୍ତି, ତେବେ ପୋଥିଚୋରକୁ ଗିରଫ କରିବାକୁ କି ପଦକ୍ଷେପ ଗ୍ରହଣ କରିଛନ୍ତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବିଷୟରେ ସଚେତନ କି ନୁହେଁ ତାହା ମଧ୍ୟ ଜଣାନାହିଁ । ୧୯୮୪ ମସିହାରେ ଓଡ଼ିଶାର ସଚିତ୍ର ତାଳପତ୍ର ପୋଥି ଉପରେ ଏକ ସ୍ମରଣିକା ପ୍ରକାଶ ପାଇଥିଲା । ତାହାର ମୁଖବନ୍ଧ ରଚନା କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ । ଜାନକୀ ବଲ୍ଲଭ ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ଉପରେ ଜଣେ ବିଶେଷଜ୍ଞ ଭାବେ ଖ୍ୟାତି ଅର୍ଜନ କରିଥିଲେ । ସେହି ମୁଖବନ୍ଧରେ ସେ ଲେଖିଥିଲେ ଯେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରାୟ ୫୦ ହଜାର ପ୍ରାଚୀନ ତାଳପତ୍ର ପୋଥି ସାଇତା ହୋଇ ରହିଛି । ଏହାର ପ୍ରାୟ ୧୦ ବର୍ଷ ପରେ ୧୯୯୪ ମସିହାରେ ରାଜ୍ୟ ସଂଗ୍ରହାଳୟର ଜଣେ ଅଧିକାରୀ କେକେ ବିଷୋୟୀ ଏକ ପ୍ରବନ୍ଧରେ ପ୍ରଦାନ କରିଥିବା ତଥ୍ୟ ଅନୁସାରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରାୟ ୬୦ ହଜାର ପୋଥି ଥିଲା । ୨୦୧୦ ନଭେମ୍ବର ମାସରେ ଇଣ୍ଡିଆନ୍ ନ୍ୟାସନାଲ ଟ୍ରଷ୍ଟ ଫର୍ ଆର୍ଟ, କଲଚର ଆଣ୍ଡ ହେରିଟେଜ ବା ସଂକ୍ଷପରେ ଇନଟାଚର ରାଜ୍ୟ ସଂଯୋଜିକା ମଲ୍ଲିକା ମିତ୍ର ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ସେତେବେଳେ ରାଜ୍ୟ ସଂଗ୍ରହାଳୟରେ ୩୭ ହଜାର ଚିତ୍ର ନଥିବା ଏବଂ ୪୦୦ ସଚିତ୍ର ତାଳପତ୍ର ପୋଥି ସଂରକ୍ଷିତ ଥିଲା । ଏହି ସଂସ୍ଥାକୁ ହିଁ ଦିଆଯାଇଛି ରାଜ୍ୟ ସଂଗ୍ରହାଳୟର ତାଳପତ୍ର ପୋଥି ସଂରକ୍ଷଣ ଦାୟିତ୍ବ । ସେଥିପାଇଁ ସଂଗ୍ରହାଳୟ ପରିସରରେ ଏହି ସଂସ୍ଥାକୁ ଏକ ଅଫିସ ମଧ୍ୟ ପ୍ରଦାନ କରାଯାଇଛି । ଯାହା ବିଭିନ୍ନ ମହଲରେ ସନ୍ଦେହର କାରଣ ହୋଇଛି । ପ୍ରାୟ ବର୍ଷକ ତଳେ ପ୍ରକାଶ ପାଇଥିବା ରାଜ୍ୟ ସଂଗ୍ରହାଳୟର ଏକ ବ୍ରୋସ୍ୟୋର ବା ପରିଚୟ ପୁସ୍ତିକାରେ ରହିଥିବା ତଥ୍ୟ ଅନୁସାରେ ମଧ୍ୟ ସେଠାରେ ୩୭ ହଜାର ଉପରେ ଚିତ୍ରଶୂନ୍ୟ ପୋଥି ଥିଲା । ଏବେ କିନ୍ତୁ ସୂଚନା ଅଧିକାର ଆଇନ ବଳରେ ପଦାକୁ ଆସିଥିବା ତଥ୍ୟ ଅନୁସାରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ରହିଛି ମାତ୍ର ୧୯,୭୭୪ ତାଳପତ୍ର ପୋଥି । ତେବେ ବାକି ପୋଥି ଗଲା କୁଆଡ଼େ ? ସେସବୁ ଚୋରି ହୋଇଗଲା ନା ହଜିଗଲା ନା ଉଈ ଖାଇଗଲା ନା ପୋଡ଼ି ପାଉଁଶ ହୋଇଗଲା ନା ଗାଈ ଖାଇ ହଜମ କରିଦେଲା ? ଏ ବାବଦରେ ରାଜ୍ୟ ସଂଗ୍ରହାଳୟ ଚୁପ୍ । ପ୍ରାଚୀନ କଳା, ସାହିତ୍ୟ ଓ ଐତିହ୍ୟ ଇତ୍ୟାଦି ବିଷୟରେ ଗବେଷଣା କରିଥିବା ଅନେକ ବିଶ୍ବ ପ୍ରସିଦ୍ଧ ବ୍ୟକ୍ତି କହିଯାଇଛନ୍ତି ଯେ ଓଡ଼ିଶା ହେଉଛି ପ୍ରାଚୀନ ବିଦ୍ୟାର ଭଣ୍ଡାର ଘର । ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପୃଥିବୀର ସବୁଠାରୁ ଅଧିକ ପୋଥି ଥିଲା ବୋଲି ଅନେକ ଗବେଷକ କହିଯାଇଛନ୍ତି । ରାଜ୍ୟ ସଂଗ୍ରହାଳୟରେ ୨୭ ପ୍ରକାରରୁ ଅଧିକ ବର୍ଗର ତାଳପତ୍ର ପୋଥି ଥିଲା । ବେଦ, ପୁରାଣ, ଶାସ୍ତ୍ର, ଧର୍ମ, ଦର୍ଶନ, ତନ୍ତ୍ର, ଜ୍ୟୋତିର୍ବିଦ୍ୟା, ଆୟୁର୍ବେଦ, ବ୍ୟାକରଣ, ସଂଗୀତ, କାବ୍ୟ ଓ ଗଣିତ ଆଦି ବିଭିନ୍ନ ବିଷୟରେ ପ୍ରାଚୀନ ପୋଥି ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ରହିଥିଲା । ଏସବୁ ପୋଥିକୁ ବହୁ ବଦାନ୍ୟ ବ୍ୟକ୍ତି ରାଜ୍ୟ ସରକାରଙ୍କୁ ଦାନ କରିଥିଲେ, ଏଇ ଆଶାରେ ଯେ ରାଜ୍ୟର ଏହି ଅମୂଲ୍ୟ ସଂପଦ ରାଜ୍ୟ ସରକାରଙ୍କ ନିକଟେର ସୁରକ୍ଷିତ ରହିବ । ଆଉ କେତେକ ପୋଥିକୁ ରାଜ୍ୟ ସଂଗ୍ରହାଳୟ ତରଫରୁ ସଂଗ୍ରହ କରାଯାଇଥିଲା । ଏସବୁ ପୋଥିରେ ଥିବା ଜ୍ଞାନ, ବିଦ୍ୟା ଓ କୌଶଳର ମୂଲ୍ୟ ନିର୍ଦ୍ଧାରଣ କରିବା ସହଜ ନୁହେଁ । ଅନେକ ସଚିତ୍ର ପୋଥିର ମୂଲ୍ୟ ମଧ୍ୟ କୋଟି କୋଟି ଟଙ୍କାରେ ଆକଳନ କରାଯାଇ ପାରେ । କିନ୍ତୁ ଏସବୁ ଧୀରେ ଧୀରେ ଚୋରି ହୋଇଚାଲିଛି । ପୂର୍ବରୁ ଥରେ ରାଜ୍ୟର ଜଣେ ନାଁ କରା ଚିତ୍ରକର ଏଥିରୁ କିଛି ବିଦେଶକୁ ପ୍ରଦର୍ଶନ ନିମନ୍ତେ ନେଇଥିଲେ । ତାହା ଆଉ ଫେରି ନଥିଲା ବୋଲି ଜାଣିବାଶୁଣିବା ମହଲରେ ଆଲୋଚିତ ହୁଏ । ସେହିପରି ସଂଗ୍ରହାଳୟର କେତେ ଜଣ ପୂର୍ବତନ ଅଧିକ୍ଷକ ମଧ୍ୟ କେତେକ ପୋଥି, ପାଣ୍ଡୁଲିପି ଓ ପ୍ରାଚୀନ ମୂର୍ତ୍ତି ବିଦେଶରେ କୋଟିକୋଟି ଟଙ୍କାରେ ବିକ୍ରି କରିଦେଇଥିବା ଶୁଣାଯାଏ । ସଂପ୍ରତି ତାଳପତ୍ର ପୋଥି ସଂରକ୍ଷଣ ଦାୟିତ୍ବରେ ରହିଥିବା ଇନଟାଚର ଜଣେ ପ୍ରତିଷ୍ଠାତା ସଦସ୍ୟ ହେଲେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସଂସ୍ଥା ୧୯୮୪ ମସିହାରେ ଗଠିତ ହୋଇଥିଲା । ଏହାର କେତେକ ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ହେଲେ ରାଜୀବ ଗାନ୍ଧୀ, ଅର୍ଜୁନ ସିଂହ, ବୀରଭଦ୍ର ସିଂହ, ମାଧବ ରାଓ ସିନ୍ଧିଆ, କାମାକ୍ଷା ପ୍ରସାଦ ସିଂହଦେଓ, କପିଳା ବାତ୍ସାୟନ, ପପୁଲ ଜୟାକର, ଯାମିନି କୃଷ୍ଣମୂର୍ତ୍ତି । ଏହି ଟ୍ରଷ୍ଟର ପ୍ରତିଷ୍ଠାତା ସଦସ୍ୟ ଥିବା ଅଧିକାଂଶ ବ୍ୟକ୍ତିଙ୍କର କଂଗ୍ରେସ ସହିତ ସଂପର୍କ ଥିଲା । ରାଜୀବ ଓ ସୋନିଆ ଗାନ୍ଧୀଙ୍କର ସାଙ୍ଗ ଭାବରେ ନବୀନ ପଟ୍ଟନାୟକ ମଧ୍ୟ ସେହି ଟ୍ରଷ୍ଟର ସଦସ୍ୟ ଥିଲେ । ଅବଶ୍ୟ ସେତେବେଳେ ତାଙ୍କର ଅନ୍ୟ ଏକ ପରିଚୟ ଥିଲା । ସେ ଏକଦା ଦିଲ୍ଲୀରେ ଭାରତର ପ୍ରାଚୀନ ମୂର୍ତ୍ତି, କଳା ଓ ଶିଳ୍ପ ଇତ୍ୟାଦି ବିକ୍ର କରିବା ପାଇଁ ଏକ ଦୋକାନ ଖୋଲିଥିଲେ, ଯାହା ପରବର୍ତ୍ତୀ ସମୟରେ ବନ୍ଦ ହୋଇଗଲା । ଏହି ଇନଟାଚ ସଂସ୍ଥାକୁ ଓଡ଼ିଶାର ପ୍ରାଚୀନ ବସ୍ତୁଗୁଡ଼ିକର ସଂରକ୍ଷଣ ପାଇଁ ଓଡ଼ିଶା ଆଣିଲେ ୧୯୯୫ ମସିହାରେ ତତ୍କାଳୀନ କଂଗ୍ରେସ ସରକାର । ପରେ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରେ ଏହି ସଂସ୍ଥାକୁ ଗୋଟାକ ପରେ ଗୋଟେ କାମ ବିନା ଟେଣ୍ଡରରେ ଦେଇଚାଲିଲେ । ସେହି ଧାରା ଆଜି ବି ବଜାୟ ରହିଛି । ବିନ୍ଦୁ ସାଗର ପୋଖରୀର ପୁନରୁଦ୍ଧାର ଓ ବିକାଶ କାର୍ଯ୍ୟରୁ ଆରମ୍ଭ କରି ବିଭିନ୍ନ ପ୍ରାଚୀନ ପୋଥି, କଳା ଓ ସ୍ଥାପତ୍ୟର ସଂରକ୍ଷଣ କାର୍ଯ୍ୟ ଇନଟାଚକୁ ଦିଆଯାଇଛି । ଏଭଳିକି ଏହାକୁ ଏହାର କାର୍ଯ୍ୟ ପରିଚାଳନା ପାଇଁ ରାଜ୍ୟ ସଂଗ୍ରହାଳୟରେ ଏକ ଅଫିସ ଘର ମଧ୍ୟ ଦିଆଯାଇଛି । ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଇନଟାଚକୁ ଇତିମଧ୍ୟରେ ପ୍ରାୟ ୪୦ କୋଟି ଟଙ୍କା ଦିଆସରିଲାଣି ବୋଲି ଜାଣିବା ଶୁଣିବା ମହଲରେ ଚର୍ଚ୍ଚା ହେଉଛି । ତେବେ ଇନଟାଚ ଭଳି ପ୍ରସିଦ୍ଧ ସଂସ୍ଥା ସଂରକ୍ଷଣ ଦାୟିତ୍ବ ନେବା ପରଠୁଁ ଓଡ଼ିଶାର ୨୧ ହଜାର ଦୁର୍ମୂଲ୍ୟ ତାଳପତ୍ର ପୋଥି କୁଆଡ଼େ ହଜିଗଲା ? ସଂଗ୍ରହାଳୟରେ କେବଳ ତାଳପତ୍ର ପୋଥି ନଥିଲା, ବିଶେଷଜ୍ଞଙ୍କ ସୂଚନା ଅନୁସାରେ ରାଜ୍ୟ ସଂଗ୍ରହାଳୟରେ ଥିଲା ବାଉଁଶପତ୍ରର ପୋଥି ଓ ହାତୀଦାନ୍ତର ଚିତ୍ରପୋଥି । ସେସବୁ ଅଛି ନା ଚୋରି ହୋଇଗଲାଣି ?

Share :